ଉତ୍ତର ଭାରତ ଭ୍ରମଣ: ଭାଗ--୮
ଉତ୍ତର ଭାରତ ଭ୍ରମଣ: ଭାଗ--୮
ପୂର୍ବାଭାଷ...
ରାତି ୯ଟା ସମୟ , ଏଠାରେ ଆମକୁ ସଂଧ୍ୟା ଭଳି ଲାଗୁଥିଲା । ବହୁତ ହାଲିଆ ଲାଗୁଥିଲା। ପହଲଗାଓଁ ସକାଳୁ ଯିବାର ଅଛି ଭାବି ଶୋଇ ପଡ଼ିଲୁ।
ତା'ପରେ...
ପହଲଗାଓଁ :
ସକାଳୁ ନିତ୍ୟକର୍ମ ସାରି ଜଳଖିଆ ଖାଇ ଆମେ ପହଲଗାଓଁ ଅଭିମୁଖେ ଯାତ୍ରା କଲୁ। ଯିବା ବାଟରେ ଡ୍ରାଇଭର ଆମକୁ କିଛି ଜାଗା ବିଷୟରେ ବର୍ଣ୍ଣନା କରି କହୁଥିଲେ ଓ ହାତରେ ଠାରିକରି ବିଭିନ୍ନ ନଦୀ , ପାହାଡ଼ ସବୁ ଦେଖାଉଥିଲେ। କହିବାକୁ ଗଲେ ଏହି ଦୁଇଦିନ ଯାତ୍ରାରୁ ଆମେ ଜାଣି ପାରିଲୁ ଯେ ଡ୍ରାଇଭର ଜଣକ ମୁସଲିମ୍ ଓ ବହୁତ ଭଲ ଲୋକ। ତା' ନିଜ ବିଷୟରେ ସେ କହୁଥିଲା ଯେ କାଶ୍ମୀରର ଗଣ୍ଡଗୋଳ ଓ ରାଜନୀତିଠାରୁ ସେମାନେ ଖୁବ୍ ଦୂରରେ। କେବଳ କାମ କରିବୁ , ଖାଇବୁ ଆଉ ବଞ୍ଚିବୁ। ଘରେ ତା' ସ୍ତ୍ରୀ , ଛୋଟ ଛୋଟ ପିଲା ଦୁଇଟି। ସୁନ୍ଦର ହୃଦୟ ସ୍ପର୍ଶୀ କଥାଟିଏ କହିଲା , "ଖୁଦା କି ମେହେରବାନ୍ ସେ ମେରେ ପାସ୍ ମେରା ମା' ହେ।"
ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଗହଳିଆ ସବୁଜ ଘାସରେ ଛାଇହୋଇ ରହିଥିବା ପହଲଗାଓଁ ଏକ ଛୋଟ ସହର। ଏହା ସମୁଦ୍ର ପତ୍ତନଠାରୁ ୨୭୪୦ ମି: ବା ୮୯୯୦ ଫୁଟ ଉଚ୍ଚରେ ଲିଡର ନଦୀ କୂଳରେ ଅବସ୍ଥିତ। ଏଠାରୁ ୧୬
କି:ମି ଦୂର ଚନ୍ଦନବାରି ନାମକ ଏକ ସ୍ଥାନରୁ ପ୍ରତିବର୍ଷ ଜୁଲାଇ-ଅଗଷ୍ଟ ମାସରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥାଏ। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବା ପାଇଁ ଆସନ୍ତି। ଅମରନାଥ ଯାତ୍ରା ପାଇଁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ମଧ୍ୟ ଆସିଥାନ୍ତି। ତେଣୁ ସ୍ଥାନଟିର ମହତ୍ତ୍ଵ ଭାଷାରେ ବର୍ଣ୍ଣନା କରିହେବ ନାହିଁ।
ଆମକୁ ପ୍ରାୟ ୪ଘଣ୍ଟା ଲାଗିଗଲା ପହଁଞ୍ଚିବା ପାଇଁ। ବାଟରେ ଡ୍ରାଇଭର ଆଜାଦ୍ ଆମକୁ ଏକ ଦୋକାନରେ 'କାଶ୍ମୀର କାୱା' ପିଆଇବାକୁ ନେଲେ। ଏହା ଚିନି, ଗୁଜୁରାତି , ଡାଳଚିନି , କାଶ୍ମୀର ଚା' ଗୁଣ୍ଡ , କିଛି ସାଫ୍ରନ୍ ଓ ଆଲମଣ୍ଡ ମିଶ୍ରିତ ଏକ ପ୍ରକାର ଚା'। ଥଣ୍ଡା ଲାଗୁଥାଏ , ତେଣୁ ଆମକୁ ବହୁତ ଫୂର୍ତ୍ତି ଲାଗିଲା। ଆମେ ବାଟସାରା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି ଗୀତ ଶୁଣି ଶୁଣି ଆସିଲୁ। ସେ ଆମକୁ ଆଣି ହୋଟେଲ୍ ନୂରମହଲରେ ଛାଡ଼ିଲେ । ମଧ୍ୟାହ୍ନ ଭୋଜନ ସାରି ଆମେ ପାଖରେ ଥିବା ଲିଡର ନଦୀ ଓ ପାର୍କ ବୁଲିବାକୁ ବାହାରିଲୁ।
ଏଠାର ଦର୍ଶନୀୟ ସ୍ଥାନ ଗୁଡିକ ହେଲା : ଲିଡର ନଦୀ , ବେତାବ ଭ୍ୟାଲି , ମାମାଲେଶ୍ୱର ଟେମ୍ପଲ୍ , ଅରୁ ଭିଲେଜ୍ ଓ ଭ୍ୟାଲି , ବାଇସରନ ହିଲ୍ , ଅବନ୍ତିପୁର ଟେମ୍ପଲ , ଟୁଲିଆନ୍ ଲେକ୍ , ଚନ୍ଦନବାରି ଓ ଶେଷନାଗ ଲେକ୍।
ଲିଡର ନଦୀ:
ଲିଡର ନଦୀର ଥଣ୍ଡା ପାଣି କଳକଳ କରି ବୋହୁଛି... ଆଉ ମୁଁ ?? ପାଣିରେ ହାତ ପୁରେଇ ପାଣିକୁ ଚବର ଚବର କରି ତା'ର ମଜା ନେଲି। ପୂରା ସ୍ୱଚ୍ଛ , କାଚ କେନ୍ଦୁ ଭଳି ପାଣି। ଚାରିପଟେ ଖାଲି ସବୁଜ ଗଛପତ୍ର ଓ ଘାସର ପଡିଆ , ସତେକି ସବୁଜ ଘାସର ଗାଲିଚା କିଏ ବିଛାଇ ଦେଇଛି... କି ମନମତାଣିଆ ଦୃଶ୍ୟ !!! ୭୩କି:ମି ଲମ୍ବର ଏହି ନଦୀଟି କୋଲ୍ହୋଇ ଗ୍ଲେସିଅରରୁ ବାହାରି ଝେଲମ ନଦୀରେ ଯାଇ ମିଶିଛି। ପାଖରେ ଏକ ପାର୍କ ଅଛି। ପାର୍କରେ ପିଲାମାନେ ବିଭିନ୍ନ ପ୍ରକାରର ଖେଳ ଖେଳୁଥିଲେ।
ବେତାବ ଭ୍ୟାଲି :
ଏହି ଭ୍ୟାଲିଟି ହିନ୍ଦୀ ସିନେମା 'ବେତାବ' ସୁଟିଂ ହେବାପରେ ନାମିତ ହୋଇଛି। ଅମରନାଥ ଯିବା ବାଟରେ ପହଲଗାଓଁ ଓ ଚନ୍ଦନବାରି ମଝିରେ ଏହି ଭ୍ୟାଲିଟି ପଡେ। ସବୁଜ ଘାସ ପଡ଼ିଆ , ବରଫାବୃତ ପାହାଡ଼ ଓ ଘଞ୍ଚ ଜଙ୍ଗଲରେ ଭ୍ୟାଲିଟି
ଘେରେଇ ହୋଇ ରହିଛି।
ମାମାଲେଶ୍ୱର ଟେମ୍ପଲ୍ :
ଏହା ଏକ ବହୁତ ପୁରୁଣା ଛୋଟ ମନ୍ଦିର ଯାହାକି ଭଗବାନ୍ ଶିବଙ୍କୁ ସମର୍ପିତ। ମନ୍ଦିରଟି କୋଲ୍ହୋଇ ନଦୀ କୂଳରେ ଅବସ୍ଥିତ। ମନ୍ଦିରକୁ ଏହି ଅଞ୍ଚଳର ଲୋକମାନେ ବହୁତ ସଂଖ୍ୟାରେ ଠାକୁରଙ୍କ ଦର୍ଶନ ନିମନ୍ତେ ଯାଆନ୍ତି। ମନ୍ଦିର ଭିତରେ ଶିବଲିଙ୍ଗ ଓ ଜଳର ଏକ ଉତ୍ସ ଅଛି। ସବୁଜ ଗଛ ଓ ଶାନ୍ତ ସୁନ୍ଦର ବାତାବରଣ ଲାଗି ମନ୍ଦିରଟି ଏକ ଦର୍ଶନୀୟ ସ୍ଥାନ। କିମ୍ବଦନ୍ତୀ ଅନୁସାରେ ଭଗବାନ ଗଣେଶ ମନ୍ଦିରର ଦ୍ୱାରପାଳ ହୋଇ ଠିଆ ହୋଇଥିଲେ ତାଙ୍କ ମା'ଙ୍କ ପାଇଁ। ଭଗବାନ୍ ଶିବଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବି ଅନୁମତି ଦେଇନଥିଲେ। ତେଣୁ ଶିବ ତାଙ୍କ ମୁଣ୍ଡ କାଟି ଦେଇଥିଲେ। ପରେ ନିଜ ପୁଅ ବୋଲି ଜାଣିପାରି ଅଗ୍ରପୂଜ୍ୟ ହେବାକୁ ତାଙ୍କୁ ଆଶୀର୍ବାଦ ଦେଇଥିଲେ।
ଅରୁ ଭିଲେଜ୍ ଓ ଅରୁ ଭ୍ୟାଲି:
ଅରୁ ଭିଲେଜ୍ ବା ଅରୁ ଗାଁ ଅରୁ ନଦୀ କୂଳରେ ଅବସ୍ଥିତ।ଏହି ନଦୀଟି ଲିଡର ନଦୀର ଏକ ଶାଖା ଅଟେ। ପ୍ରକୃତରେ କହିବାକୁ ଗଲେ ଅରୁ ଗାଁ ହିଁ ଅରୁ ଭ୍ୟାଲିରେ ଅବସ୍ଥିତ। ଏହା ପହଲଗାଓଁ ଠାରୁ ୧୨କି:ମି ଦୂର। ଅରୁ ଭ୍ୟାଲିରୁ ଛୋଟ ଘୋଡ଼ାରେ କିମ୍ବା ପାଦରେ ଚାଲି ଚାଲି କୋଲ୍ହୋଇ ଗ୍ଲେସିଅର ଓ ଟରସର ଲେକ୍ ବୁଲିବାକୁ ପର୍ଯ୍ୟଟକ ମାନେ ଯାଆନ୍ତି। ଅରୁରେ ସୁନ୍ଦର ସୁନ୍ଦର ଶାଲ୍ କିଣିବାକୁ ମିଳେ। ଅରୁ ଭ୍ୟାଲି ସୁଇଜରଲ୍ୟାଣ୍ଡ ଠାରୁ ବି କୌଣସି ଗୁଣରେ କମ୍ ନୁହେଁ।
ଚନ୍ଦନବାରି :
କିମ୍ବଦନ୍ତୀ ଅନୁସାରେ ଭଗବାନ ଶିବ ଅମରନାଥ ଗୁମ୍ଫାକୁ ଯିବା ପୂର୍ବରୁ ଏଠାରେ ତାଙ୍କ ଜଟାରୁ ଚନ୍ଦ୍ରଙ୍କୁ କାଢ଼ି ରଖି ଦେଇଥିଲେ। ତେଣୁ ସ୍ଥାନଟିର ନାମ ଚନ୍ଦନବାରି ହୋଇଛି।
ଶେଷନାଗ ଲେକ୍ :
ସେହିପରି ଭଗବାନ୍ ଶିବ ଏହି ସ୍ଥାନରେ ତାଙ୍କ ସାପଟିକୁ କାଢି ଲେକ୍ କୂଳରେ ଛାଡ଼ି ଦେଇଥିଲେ। ତେଣୁ ଲେକ୍ ଟିର ନାମ ଶେଷନାଗ ଲେକ୍ ହୋଇଛି। ଏହି ଲେକ୍ ଅମରନାଥ ଯାତ୍ରା କରୁଥିବା ବେଳେ ବାଟରେ ପଡେ।
ସମୟ ଆମ ହାତରେ ମାତ୍ର ଗୋଟିଏ ଦିନ। ତେଣୁ ସବୁ ସ୍ଥାନ ବୁଲି ଦେଖିବା ଆମ ପକ୍ଷରେ ଅସମ୍ଭବ ଥିଲା। ଆମକୁ ଡ୍ରାଇଭର ଆଜାଦ୍ ସ୍ଥାନ ଗୁଡିକ ବିଷୟରେ ଯାହା କହିଲେ ସେଥିରୁ କିଛି ଅନୁଭବ କଲୁ। ସନ୍ଧ୍ୟା ବେଳକୁ ପାଖରେ ଏକ ମାର୍କେଟକୁ ବୁଲିବାକୁ ବାହାରିଲୁ। ରାସ୍ତା କଡ଼ରେ ଶୀତବସ୍ତ୍ର ସବୁ ବିକ୍ରି ହେଉଥିଲା। କୋଟ୍ ,ଶାଲ୍ , ସ୍ୱେଟର ଇତ୍ୟାଦି କିଣି ସାରି ଆଉ ଟିକିଏ ଆଗକୁ ଗଲୁ। ବଡ଼ କଡ଼ାଇରେ ସାଫ୍ରନ୍ ମିଶି କ୍ଷୀର ଫୁଟୁଥିବାର ଦେଖି ପିଇଲୁ। ଥଣ୍ଡା ଲାଗୁଥିଲା , ତେଣୁ କ୍ଷୀର ପିଇବାରୁ ଆରାମ ଲାଗିଲା। ପିଲା ଦୁଇଜଣ ହାଲିଆହୋଇ ରୁମ୍ ରେ ଥିଲେ। ତେଣୁ ସେମାନଙ୍କ ପାଇଁ କ୍ଷୀର ପ୍ୟାକ କରି ଆଣିଲି। ସାଫ୍ରନ ପଡ଼ି କ୍ଷୀର ଏତେ ସୁନ୍ଦର ବାସ୍ନା ହେଉଥିଲା ଯେ ପିଲାମାନେ ପିଇକରି ଖୁସି ହୋଇଗଲେ। ସକାଳୁ ଉଠି ଶ୍ରୀନଗର ଫେରିବାର ଥିଲା। ଖାଇସାରି ଜିନିଷ ପ୍ୟାକ୍ କରି ଶୋଇ ପଡ଼ିଲୁ। ଡ୍ରାଇଭର ଆଜାଦ୍ ଚେତାଇ ଦେଇଥିଲା ଯେ ରବିବାର ଅଛି , ପୁଣି ସେ ଅଞ୍ଚଳର ଗୋଟେ ପର୍ବ ମଧ୍ୟ ଅଛି , ସକାଳେ ପହଲଗାଓଁ ରାସ୍ତା ଭିଡ଼ ହେବ। ତେଣୁ ଆମକୁ ଶୀଘ୍ର ବାହାରିବାକୁ ପଡିବ। ହୋଟେଲ୍ ମ୍ୟାନେଜର ବି ସେଇ ଏକାକଥା କହିଲେ।