Bijayalaxmi Das

Others

4.8  

Bijayalaxmi Das

Others

ଉତ୍ତର ଭାରତ ଭ୍ରମଣ ( ଭାଗ-୯)

ଉତ୍ତର ଭାରତ ଭ୍ରମଣ ( ଭାଗ-୯)

3 mins
216


ପୂର୍ବାଭାଷ...

ଡ୍ରାଇଭର ଆଜାଦ୍ ଚେତାଇ ଦେଇଥିଲା ଯେ ରବିବାର ଅଛି, ପୁଣି ସେ ଅଞ୍ଚଳର ଗୋଟେ ପର୍ବ ମଧ୍ୟ ଅଛି, ସକାଳେ ରାସ୍ତା ଭିଡ଼ ହେବ। ତେଣୁ ଆମକୁ ଶୀଘ୍ର ବାହାରି ବାକୁ ପଡିବ।

ତା'ପରେ...

ସକାଳୁ ଉଠି ଆମେ ଚା' ପିଇ କିପରି ଶୀଘ୍ର ବାହାରିବୁ ଆଜାଦ୍ ସେଥିପାଇଁ ତରତର କଲେ। କିନ୍ତୁ ବାଟରେ କାଳେ କିଛି ଖାଇବାକୁ ନ ମିଳିବ ଭାବି ମିଷ୍ଟର ଜଳଖିଆ ଖାଇସାରି ବାହାରିବାକୁ କହିଲେ। ସକାଳ ୬ରୁ ବାହାରିବାକୁ ଆମକୁ ସେ କହିଥିଲେ। କିନ୍ତୁ ବାହାରୁ ବାହାରୁ ଆମର ୭ଟା ହୋଇଗଲା। ଫ୍ଲାଇଟ୍ ଥିଲା ଦିନ ୧୧.୧୫ରେ। ଆମେ ଠିକ୍ ସମୟରେ ବାହାରିଥିଲୁ। ପହଲଗାଓଁରୁ ଶ୍ରୀନଗର ପହଞ୍ଚିବା ପାଇଁ ପ୍ରାୟ ୨ଘଣ୍ଟା ଲାଗେ। ଡ୍ରାଇଭର ଓ ହୋଟେଲ୍ ମ୍ୟାନେଜରଙ୍କ କଥାକୁ ଆମେ ଏତେ ଗୁରୁତ୍ୱ ଦେଇନଥିଲୁ , ଯାହାକି ଆମେ ଏକ ବିରାଟ ଭୂଲ୍ କରିଥିଲୁ। ସେମାନେ ଆଉ ଘଣ୍ଟାଏ ଆଗରୁ ଆମକୁ ବାହାରିବାକୁ କହିଥିଲେ।

 ଆମେ ପହଲଗାଓଁରୁ ଶ୍ରୀନଗର ଯିବାପାଇଁ ପ୍ରସ୍ତୁତ ହୋଇଗଲୁ ଓ ଗାଡ଼ିରେ ଯାଇ ବସିଲୁ। ବାଟ ଯାତ୍ରା ଭଲରେ ଭଲରେ କଟିଗଲା। ଠିକ୍ ଅଧଘଣ୍ଟା ପରେ ଗାଡ଼ି ସବୁ ଧାଡ଼ି ବାନ୍ଧି ହୋଇ ପଛକୁ ପଛ ଏମିତି ରହିଥିଲା ଯେ ଆଗକୁ ଟିକେ ବି ଗାଡ଼ି ଚାଲୁନଥାଏ। ସୋରିଷ ପକାଇବାକୁ ବି ଜାଗା ନଥିଲା। ଉପାୟଶୂନ୍ୟ ହୋଇ ଆମେ କେବଳ ବସିଥାଉ ଗାଡ଼ି ଭିତରେ। ଭାରି ବ୍ୟସ୍ତ ଲାଗୁଥାଏ। ଆଜାଦ୍ କଥାକୁ ଗୁରୁତ୍ବ ଦେଇନଥବାରୁ ପସ୍ତାଉଥିଲୁ। ଫ୍ଲାଇଟ୍ ମିସ୍ ହୋଇଯିବ ବୋଲି ଆଶଙ୍କା କରୁଥାଉ। ଆଜାଦ୍ ଗୋଟେ ଜାଗାରେ ଟିକିଏ ଫାଙ୍କା ହେବାରୁ ପାଖରେ ଥିବା ଗୋଟିଏ ଗଳିରେ ପୂରାଇ ଦେଲା। ତା'ପରେ ପୁଣି ରୋଡ଼୍ , ପୁଣି ଟ୍ରାଫିକ ଜାମ୍। ତେଣୁ ପାଟିରେ ହୁଇସିଲ୍ ମାରି ମାରି ସେ ଗାଡ଼ିକୁ ଛାଡ଼ିଦେବା ପାଇଁ ସୂଚନା ଦେଉଥିଲା। କେତେବେଳେ କେଉଁ ଗଳିକନ୍ଦିରେ ତ ଆଉ କେତେବେଳେ ହୁଇସିଲ୍ ମାରି ମାରି ଟିକେ ବାଟ ବାହାର କରି ଗାଡ଼ି ଚଲାଉଥାଏ। ଯା'ହେଉ ଏୟାରପୋର୍ଟରେ ଆମେ ଠିକ୍ ଗେଟ୍ ବନ୍ଦ ହେବା ପୂର୍ବରୁ ପହଁଞ୍ଚିଗଲୁ। ମୋର ଯାହା ମନେ ପଡୁଛି ବୋଧହୁଏ ଆଉ ୧୦ ମିନିଟ୍ ଥିଲା ଗେଟ୍ ବନ୍ଦ ହେବାକୁ। ୨ଘଣ୍ଟାର ଯାତ୍ରା ଆମକୁ ୪ଘଣ୍ଟା ଲାଗିଗଲା। ଆମ ଲଗେଜ୍ ସବୁ ଆଜାଦ୍ ତରତର ହୋଇ ବାହାର କରିଦେଲା। ଭିତରେ ପଶିବା ପୂର୍ବରୁ ତାକୁ ମିଷ୍ଟର ଖୁସିରେ ୫୦୦ଟଙ୍କା ଦେଲେ। ସେ ଆମକୁ ଠିକ୍ ସମୟରେ ପହଞ୍ଚାଇବାରୁ ଆମେ ସେଦିନ ଆସିପାରିଥିଲୁ। କାଶ୍ମୀରର ଜଣେ ଅଜଣା ଲୋକ ଆମ ମନ ଭିତରେ ଘର କରିଦେଲା...ଏହାଠୁ ବଳି ଆଉ ଭଲ କଥା କ'ଣ ଅଛି ?? 

ଜିନିଷ ସବୁ ନେଇ ଚେକ୍ ଇନ୍ କରିବା ପାଇଁ ପାଖରେ ଏକ ଲେଡିଜ୍ ରୁମ୍ ରେ ପୂରାଇ ମୋତେ ସାଙ୍ଗରେ ନେଲେ ଚେକ୍ କରାଇବା ପାଇଁ। ମୁଁ କିଛି ବୁଝି ପାରିଲିନି। ବୋଧହୁଏ ଆମେ ଲେଟ୍ ରେ ପହଞ୍ଚି ଥିବାରୁ ଏପରି କରିଥିଲେ। ମୋ ଛାତି ଖାଲି ଧକ୍ ଧକ୍ ହେଉଥାଏ , ତେଣୁ ଗୋଟେ ଜାଗାରେ ମୁଁ ଝୁଣ୍ଟିକରି ପଡ଼ିଗଲି। ମହିଳା କର୍ମଚାରୀ ଜଣେ ମୋତେ ଉଠେଇକି ଚେୟାରରେ ନେଇ ବସାଇଦେଲେ ଓ ପାଣି ପିଇବାକୁ ଦେଲେ। ତା'ପରେ ମୋତେ ଟିକେ ଭଲ ଲାଗିଲା। ଏ ଭିତରେ ସବୁ କାମ ସରି ଯାଇଥିଲା। ମୁଁ ବାହାରକୁ ଆସି କାହାକୁ ନ ଦେଖି ବ୍ୟସ୍ତ ହେଇ ଫ୍ଲାଇଟ୍ ରେ ବସିବାପାଇଁ ମୁହାଁଇଲି। ଫ୍ଲାଇଟ୍ ଭିତରେ ସମସ୍ତଙ୍କୁ ଦେଖି ଆଶ୍ୱସ୍ତ ହେଲି। 

ଭଲରେ ଭଲରେ ଆସି ଦିଲ୍ଲୀରେ ପହଞ୍ଚି ଏୟାରପୋର୍ଟରେ କିଛି ଖାଇନେଲୁ। ତା'ପରେ ଦିଲ୍ଲୀରୁ ଆସି ଭୂବନେଶ୍ୱରରେ ପହଞ୍ଚିଲୁ। ଭୂବନେଶ୍ୱରରେ ଠିକ୍ ପହଞ୍ଚିବା ପୂର୍ବରୁ ଆନାଉନ୍ସ କରି ସୂଚନା ଦିଆଗଲା ଯେ ପ୍ଲେନ୍ 'ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ୍' ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବ ବୋଲି। ମନ ଖୁସି ହୋଇଗଲା। ଫ୍ଲାଇଟ୍ ରୁ ବାହାରି ଚାରିଆଡ଼େ ଅନାଇ ଭାବୁଥିଲି...ଏଇଟା ଭୁବନେଶ୍ୱର ତ ?? କିଛି କର୍ମଚାରୀ ପାଖରେ ଠିଆ ହୋଇ ଓଡ଼ିଆରେ କଥା ହେଉଥିଲେ, ପୁଣି ଆଗକୁ ଚାଲିକି ଆସୁ ଆସୁ ବୋର୍ଡରେ ବଡ଼ ବଡ଼ ଅକ୍ଷରରେ 'ବିଜୁପଟ୍ଟନାୟକ ବିମାନ ବନ୍ଦର' ଦେଖି ଭାବିଲି... ହଁ , ଏଇଟା ଆମ ଓଡ଼ିଶା ଯାହାକୁ ମୁଁ ଏତେ ଦିନ ଧରି ଛାଡ଼ିକରି ଯାଇଥିଲି। ଭିତରକୁ ଆସି ଜଗନ୍ନାଥଙ୍କ ଫଟୋ, କୋଣାର୍କ ଚକ, ଲାଲଚାନ୍ଦ ଜୁଏଲର୍ସର ସପ୍ ଦେଖି ଓଡ଼ିଶାର ରୂପକୁ ଆଙ୍କୁଥିଲି ମନରେ ଆଉ ହୃଦୟରେ। ଟାକ୍ସି କରି ଘରମୁହାଁ ହେଲୁ। ଟାକ୍ସିରେ ବସି ମୁଁ ରାସ୍ତାଆଡେ ଦୃଷ୍ଟି ପହଁରାଇ ଆଣୁଥିଲି , ସବୁ ଖାଲି ଚିହ୍ନା ଚିହ୍ନା ଲାଗୁଥିଲା। ମୋ ନିଜ ମାଟିର ବାସ୍ନାରେ ବିଭୋର ହୋଇପଡିଲି ମୁଁ , ଆଉ ସତେଯେମିତି ଅମ୍ଳଜାନର ଅଭାବ ପୂରଣ ହୋଇଗଲା !!!

ବାଟରେ ଆମ ଛକର ବ‌ଇଁଶୀଧର ଦୋକାନରୁ ଓଡ଼ିଆ ଖାଦ୍ୟ ଭାତ , ଡାଲମା ଓ ବେସର ନେଇ ଆସିଲୁ। ଘରେ ଆସି ଫ୍ରେସ୍ ହୋଇ ଖାଇବା ପ୍ୟାକେଟ୍ ସବୁ ଯେତେବେଳେ ଖୋଲିଲୁ , ତା' ଭିତରୁ ଓଡ଼ିଆ ଖାଦ୍ୟର ଯେଉଁ ବାସ୍ନା... ଆଃ , ଏ ଖାଦ୍ୟକୁ ମୁଁ ଭୁଲି ଯାଇଥିଲି। ଭୋକ ତ ହେଉଥିଲା , ଆଉ କିଛି ନ ଭାବି ଖାଇନେଲୁ। ବହୁତ ଶାନ୍ତି ଲାଗିଲା। ତା'ପରେ ଶୋଇପଡ଼ିଲୁ ସମସ୍ତେ। ଉଠିକି ପୁଣି ଲାଗିଗଲି ଘରକାମରେ... ଗୋଡ଼ ହାତ ସବୁ ଦରଜ ଲାଗୁଥିଲା। ପୁଣି ଭୋଲିନି ଅଏଣ୍ଟମେଣ୍ଟ ମାରି ସେକ ଦେଇ ୪-୫ ଦିନ ପରେ ଭଲ ଲାଗିଲା।

ପୁଣି କାଶ୍ମୀରର ସ୍ମୃତି ସବୁ ଭାସିଆସୁଥିଲା ମନଭିତରେେ ...ସେଇ ବରଫାବୃତ ପାହାଡ଼, ଝରଣା , ସବୁଜ ଘାସ ପଡ଼ିଆ। ଆଉ କିଛି ଛାଡି ଆସିଥିଲି , ବାକି ରହିଗଲା ବୁଲି ଦେଖିବାପାଇଁ... ପୁଣି କେବେ ନିଶ୍ଚୟ ଯିବି। ଆଉ ସବୁଠୁ ବେଶି ମନେପଡେ... ଆଜାଦ୍। 

    ବିଜୟଲକ୍ଷ୍ମୀ ଦାସ।

                



Rate this content
Log in