Bijayalaxmi Das

Others

3  

Bijayalaxmi Das

Others

ଉତ୍ତର ଭାରତ ଭ୍ରମଣ: ଭାଗ--୭

ଉତ୍ତର ଭାରତ ଭ୍ରମଣ: ଭାଗ--୭

2 mins
233


ପୂର୍ବାଭାଷ...


ରାତିରେ ଶ୍ରୀନଗର ହୋଟେଲ୍ ପ୍ଲାଜାରେ ରହିଲୁ। ସକାଳୁ ନିତ୍ୟକର୍ମ ସାରି ଗୁଲମାର୍ଗ ଅଭିମୁଖେ ଯାତ୍ରା କଲୁ।


ତା'ପରେ...


ଗୁଲମାର୍ଗ : (Meadow of flowers)

ବାରମୂଳା ଜିଲ୍ଲାର ଗୁଲମାର୍ଗ ସମୁଦ୍ର ପତ୍ତନଠାରୁ ୨୬୫୦ମି: ବା ୮୬୯୦ଫୁଟ ଉଚ୍ଚରେ ଅବସ୍ଥିତ। ଏହା ଏକ ପାହାଡିଆ ଓ ବରଫାବୃତ ଅଞ୍ଚଳ ଅଟେ। ଶ୍ରୀନଗର ଠାରୁ ପ୍ରାୟ ୪୯ କି:ମିର ବାଟ ଓ ଦୁଇ ଘଣ୍ଟା ଲାଗିଯାଏ ପହଞ୍ଚିବାକୁ।ଗୁଲମାର୍ଗକୁ ଗ‌ୌରୀମାର୍ଗ (ମା'ଗ‌ୌରୀଙ୍କ ମାର୍ଗ) ବୋଲି ବି କୁହାଯାଏ।

 

ଗୁଲମାର୍ଗରେ ଆମେ ହୋଟେଲ ସାହାରାରେ ପହଞ୍ଚି ଫ୍ରେସ୍ ହେଇ ବୁଲିବାକୁ ବାହାରିଲୁ। ଚାରିପଟେ ଖାଲି ସବୁଜ ଘାସ ପଡ଼ିଆ ଆଉ ଗଛ। ଚାଲି ଚାଲି ଆମେ ନିକଟରେ ଥିବା କଙ୍ଗଡୋରି ପାହାଡ଼ ନିକଟକୁ ଗଲୁ। ହୋଟେଲ୍ ରୁ ସବୁ ବିଷୟରେ ବୁଝି ନେଇଥିଲୁ। ତେଣୁ କିଛି ଅସୁବିଧା ହେଲାନି।

 

ଏଠାରେ ପାହାଡ଼ ଉପରକୁ ଯିବାପାଇଁ 'ଗଣ୍ଡୋଲା ରାଇଡ୍'ର (cable car) ସୁବିଧା ଅଛି। ଏହା ପୃଥିବୀର ଦ୍ୱିତୀୟ ଦୀର୍ଘତମ ଓ ଦ୍ୱିତୀୟ ଉଚ୍ଚତମ ଲିଫ୍ଟ ବା ରାଇଡ୍ ଅଟେ। 'ଗଣ୍ଡୋଲା ରାଇଡ୍' ଗୋଟେ ଘଣ୍ଟାରେ ପ୍ରାୟ ୬୦୦ଯାତ୍ରୀଙ୍କୁ ଦୁଇ ପର୍ଯ୍ୟାୟରେ ବୋହି କରି ନେଇପାରେ। ପ୍ରଥମ ପର୍ଯ୍ୟାୟରେ ଗୁଲମାର୍ଗରୁ କଙ୍ଗଡୋରି ପାହାଡ଼ ଉପରକୁ (୨୬୦୦ମି: ବା ୮୫୩୦ ଫୁଟ ଉଚ୍ଚ) ଓ ଦ୍ୱିତୀୟ ପର୍ଯ୍ୟାୟରେ କଙ୍ଗାଡୋରିରୁ ଅଫରୱତ (୪୨୦୦ମି: ବା ୧୩,୭୮୦ ଫୁଟ ଉଚ୍ଚ) ଶିଖରର ପାଖାପାଖିରେ ଥିବା ଏକ ସ୍ଥାନରେ ନେଇ ଛାଡ଼ିଥାଏ। ଯେଉଁମାନେ ସ୍କିଂ (ବରଫ ଉପରେ ସ୍ଲାଇଡିଂ) କରିବାକୁ ଭଲପାଆନ୍ତି , ସେମାନେ ଦ୍ଵିତୀୟ ପର୍ଯ୍ୟାୟ ଯାତ୍ରା କରିଥାନ୍ତି। ଯେ‌ଉଁ ସ୍ଥାନଟିକୁ ସ୍କିଂ କରିବାକୁ ଯାଆନ୍ତି , ତାହା ୩୭୪୭ମି: ବା ୧୨,୨୯୩ ଫୁଟ ଉଚ୍ଚରେ ଅବସ୍ଥିତ। ପ୍ରଥମ ପର୍ଯ୍ୟାୟରେ ଯିବାକୁ ୧୦ ମିନିଟ୍ ଲାଗେ। ଦ୍ଵିତୀୟ ପର୍ଯ୍ୟାୟରେ ଯିବାକୁ ୧୨ମିନିଟ୍ ଲାଗେ। ଆମେ କେବଳ ପ୍ରଥମ ପର୍ଯ୍ୟାୟ ଯାତ୍ରାଟି କଲୁ। ଜଣକୁ ୩୭୦ଟଙ୍କା ଲେଖାଏଁ ଟିକେଟ୍ ପଡ଼ିଲା। ଉପରେ ଖାଲି ବରଫ ଆଉ ବରଫ। ଖାଇବାକୁ ବହୁତ ହୋଟେଲ୍ ଅଛି। ବୁଲିସାରି ଉପରେ ମଧ୍ୟାହ୍ନ ଭୋଜନ କରିଦେଲୁ। ଖାଇବା ଏତେ ଭଲ ନଥିଲା। ତଥାପି ଖାଇବାକୁ ପଡିବ ଭାବି ଅଳ୍ପ ଖାଇ ନେଲୁ। ତଳକୁ ଆସି ପାଖରେ ଥିବା ସବୁଜ କଅଁଳିଆ ଘାସ ପଡ଼ିଆରେ କିଛି ସମୟ ବସିଲୁ। ଚାରିପଟେ ପାଇନ ଗଛସବୁ , ଭୀଷଣ ଥଣ୍ଡା ଲାଗୁଥାଏ , ପ୍ରକୃତି ଭିତରେ ଆମେ ହଜାଇଦେଲୁ ନିଜ ନିଜକୁ କିଛି ସମୟ ପାଇଁ।


ବ୍ଲୁ ବେଲ , ଡେଜି , ଫରଗେଟ୍ ମି ନଟ୍ , ବଟର କପସ୍ , ଜିନିଆ ଆଦି ଫୁଲର ସମ୍ଭାର ଏଠାରେ ଦେଖିବାକୁ ମିଳେ। ବବି, ଜବତକ ହେ ଜାନ୍, ଯେ ଜୱାନୀ ହେ ଦିୱାନି, ହାଇଦର୍ , ଫାଣ୍ଟମ୍ ଇତ୍ୟାଦି ହିନ୍ଦୀ ସିନେମା ସବୁ ଏଠାରେ ସୁଟିଂ ହୋଇଛି।


ଗଲ୍ଫ କୋର୍ସ : 

ଗୁଲମାର୍ଗରେ ଏକ ଗଲ୍ଫ କୋର୍ସ ଅଛି , ଯାହାକି ପୃଥିବୀର ସବୁଠାରୁ ବଡ଼ ଏବଂ ସବୁଜିମାରେ ଭରପୂର ଗଲ୍ଫ କୋର୍ସ ମଧ୍ୟରେ ଅନ୍ୟତମ। ଏହାକୁ ବ୍ରିଟିଶ ମାନେ ତାଙ୍କର ସ‌ଉକି ପାଇଁ ୧୯୦୪ ମସିହାରେ କରିଥିଲେ। 


ଖିଲାନମାର୍ଗ: 

ଏହା ଏକ ଖୁବ୍ ସୁନ୍ଦର ଘାଟି ଓ ଜଙ୍ଗଲୀ ଫୁଲରେ ପରିପୂର୍ଣ୍ଣ। ଗୁଲମାର୍ଗଠାରୁ ୨୦୦୦ଫୁଟ ଉଚ୍ଚରେ ଅବସ୍ଥିତ ଏହି ଘାଟିଟି। ଛୋଟ ଘୋଡାରେ କିମ୍ବା ପାଦରେ ଚାଲି ଚାଲି ଯିବାକୁ ହୁଏ। ଚିଲଡ୍ରେନସ୍ ପାର୍କ ଗୋଟେ ଅଛି ସେଠାରେ କିଛି ସମୟ ବୁଲିଲୁ। କେବଳ ସୌନ୍ଦର୍ଯ୍ୟ କୁ ଗୋଟେ ଝଲକ୍ ରେ ଦେଖିଲେ ମନ ପୂରେନା। କିନ୍ତୁ ସମୟ ପ୍ରତିବନ୍ଧକ ଥିଲା । ସଂଧ୍ୟା ଏଠାରେ ୮ଟା ବେଳେ ହେଉଥିବାରୁ ଏହା ଆମ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। ନଚେତ୍ ଗୋଟିଏ ଦିନରେ ସବୁ ଭ୍ରମଣ କରିବାକୁ ସମୟ ହେବନାହିଁ। ରାତି ୯ଟାରେ ଆମକୁ ଖାଇବା ପାଇଁ ହୋଟେଲ୍ ରେ ଦେଇଦେଲେ। ରାତି ୯ଟା ସମୟ ଏଠାରେ ଆମକୁ ସ‍ଂଧ୍ୟା ଭଳି ଲାଗୁଥଲା। ବହୁତ ହାଲିଆ ଲାଗୁଥିଲା। ପହଲଗାଓଁ ସକାଳୁ ଯିବାର ଅଛି ଭାବି ଶୋଇ ପଡ଼ିଲୁ। 


ଏତଦବ୍ୟତୀତ ଏଠାରେ ‌ଅଲପାଥର୍ ଲେକ୍ , ବାୟୋସ୍ଫିଅର ରିଜର୍ଭ , ନିଙ୍ଗଲି ନଲ୍ଲା , ମହାରାନୀ ଟେମ୍ପଲ୍ , ବାବା ରେଶି ସ୍ରାଇନ୍ , ଫିରୋଜପୁର ନଲ୍ଲା ରହିଛି ଯେଉଁସ୍ଥାନ ଗୁଡିକ ମଧ୍ୟ ଦେଖିବା କଥା।


Rate this content
Log in