Bijayalaxmi Das

Others

4.5  

Bijayalaxmi Das

Others

ଉତ୍ତର ଭାରତ ଭ୍ରମଣ: ଭାଗ-- ୬

ଉତ୍ତର ଭାରତ ଭ୍ରମଣ: ଭାଗ-- ୬

4 mins
215


ପୂର୍ବାଭାଷ...

ଶିକାରା ରାଇଡ୍ କଲାବେଳେ ପାଣି ଭିତରେ ଭାସମାନ ଡଙ୍ଗା ଗୁଡ଼ିକରେ ଜିନିଷପତ୍ର ସବୁ ବିକ୍ରି ହେଉଥିଲା , ଯଥା : ଶାଲ୍, କାର୍ପେଟ୍ , କାଠର ଖୋଦେଇ ହୋଇଥିବା ଘର ସଜା ସାମଗ୍ରୀ, ପଞ୍ଚୁ , ସ୍ୱେଟର ଇତ୍ୟାଦି।

ତା'ପରେ...

ସୋନାମାର୍ଗ (Meadow of Gold) :

ଏହାପରେ ଆମେ ସୋନାମାର୍ଗ ଅଭିମୁଖେ ଯାତ୍ରା କଲୁ। ଜାମ୍ମୁ କାଶ୍ମୀରର ଗାନ୍ଦରବଲ୍ ଜିଲ୍ଲାର ସୋନାମାର୍ଗ ସମୁଦ୍ର ପତ୍ତନଠାରୁ ପ୍ରାୟ ୨୮୦୦ମି: (୯୨୦୦ ଫୁଟ) ଉଚ୍ଚରେ ଅବସ୍ଥିତ। ଶ୍ରୀନଗର ଠାରୁ ପ୍ରାୟ ୮୫ କି:ମି ଦୂର ଯାତ୍ରା କଲାପରେ ପଡେ ଏହି ଛୋଟ ସହରଟି। ଏହାର ନାମ ସୋନାମାର୍ଗ ବା Meadow of Gold , କାରଣ , ବସନ୍ତ ଋତୁରେ ବହୁତ ସୁନ୍ଦର ଫୁଲରେ ଆଛାଦିତ ହୋଇ ସ୍ଥାନଟି ସୁନା ରଙ୍ଗର ଦେଖାଯାଏ।

ସୋନାମାର୍ଗକୁ ପ୍ରବେଶ କରିବା ମାତ୍ରେ ବରଫାବୃତ ପର୍ବତ ସବୁ ଦୃଶ୍ୟମାନ ହେଲା। ସିନ୍ଧ୍ ନାଳି ଦେଇ ଆମ ଗାଡ଼ି (କ୍ୟାବ୍) ଚାଲୁଥିଲା ଯେଉଁଟା କି ଝେଲମ ନଦୀର ଟ୍ରିବ୍ୟୁଟାରି (ଶାଖା) ଅଟେ। ଏହି ସ୍ଥାନଟି ଲଦାଖର ପ୍ରବେଶ ପଥ ମଧ୍ୟ ଅଟେ। ବରଫାବୃତ ପର୍ବତ ସବୁ ଏତେ ପାଖରେ ଦେଖି ଗାଡ଼ି ଅଟକାଇ ମୁଁ ବରଫ ଗୁଣ୍ଡ ସବୁ ଖୁସିରେ ସମସ୍ତଙ୍କୁ ବୋଳି ପକାଇଲି।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସହରଟିର ଦର୍ଶନୀୟ ସ୍ଥାନ ଗୁଡିକ ହେଲା -- ବିଶନସର୍ ଲେକ୍ , ଗଙ୍ଗାବଲ୍ ଲେକ୍, ନୀଲଗ୍ରଦ୍ ରିଭର୍, ଜୋଜି-ଲା ପାସ୍ , ଥାଜିୱସ୍ ଗ୍ଲେସିୟର , କ୍ରିଷ୍ଣସର ଲେକ୍ ,ବଲଟଲ୍ ଭ୍ୟାଲି , ଗଦାସର୍ ଲେକ୍ ଓ ସତସର୍ ଲେକ୍ ।

ବିଶନସର୍ ଲେକ୍ : (୩୭୧୦ମି: ଉଚ୍ଚ) 

ସୋନାମାର୍ଗଠାରୁ କିଛି ବାଟ ଗଲାପରେ ବିଶନସର୍ ଲେକ୍ ପଡେ। ପ୍ରାୟ ୧ କି:ମି ଲମ୍ବର ଏହି ଲେକ୍ ଟିରେ ଆମେ ମାଛସବୁ ଦେଖି ବହୁତ ଖୁସି ହୋଇଗଲୁ। ଏହି ଲେକ୍ ଟିକୁ 'ଲେକ୍ ଅଫ୍ ବିଷ୍ଣୁ' ବି କୁହାଯାଏ। ଶୀତ‌ଋତୁରେ ଲେକ୍ ଟି ବରଫାବୃତ ହୋଇଯାଏ , କିନ୍ତୁ ଗ୍ରୀଷ୍ମ‌ଋତୁରେ ଏହାର ଚାରିପାର୍ଶ୍ୱ ସବୁଜମୟ ହୋଇଯାଏ ଓ ଦଳଦଳ ଧଳାମେଣ୍ଢା ସବୁ ଚରିବାକୁ ଆସନ୍ତି। ଯୋଗକୁ ଆମେ ଦଳେ ମେଣ୍ଢା ଚରିବାକୁ ଯାଉଥିବାର ଦେଖିଲୁ ଆମ ଗାଡ଼ି ଆଗରେ। ମୁଁ ସିନେମାରେ ଏ ଦୃଶ୍ୟ ଦେଖିଥିଲି। ସ୍ବଚକ୍ଷୁରେ ଦେଖି ଖୁସିରେ ଆତ୍ମହରା ହୋଇଗଲି ।

ନୀଲାଗ୍ରଦ ରିଭର୍ : 

ସୋନାମାର୍ଗଠାରୁ ୬କି:ମି ଦୂରରେ ଅଛି ଏହି ନୀଲାଗ୍ରଦ ନଦୀ। ନଦୀଟି ଏହାର ଲାଲ୍ ଜଳ ପାଇଁ ପ୍ରସିଦ୍ଧ। କୁହାଯାଏ କି ଏହି ଜଳର କିଛି ଓୌଷଧୀୟ ଗୁଣ ଅଛି , ଯେଉଁଥିପାଇଁ କି ରବିବାର ଦିନ ବହୁତ ସଂଖ୍ୟାରେ ଲୋକ ଗାଧେଇବାକୁ ଆସନ୍ତି। ଆମ ସାଙ୍ଗରେ ଯେଉଁ ଡ୍ରାଇଭର ଥିଲେ ସେ ଆମକୁ ସେଠା ବିଷୟରେ ବର୍ଣ୍ଣନା କରି କହୁଥିଲେ। ଏହି ନଦୀଟି ଆଗରେ ବଲଟିକ୍ କଲୋନୀରେ ଯାଇ ଇନ୍ଡସ୍ ନଦୀରେ ମିଶିଛି।

ଜୋଜି-ଲା ପାସ୍ : 

ସୋନାମାର୍ଗ ଠାରୁ ପ୍ରାୟ ୧୫କି:ମି ଦୂର ରେ ପଡେ ଏହି ଜୋଜି-ଲା ପାସ୍ ରାସ୍ତା। ସମୁଦ୍ର ପତ୍ତନଠାରୁ ୩୫୨୮ମି: ବା ୧୧୫୭୫ ଫୁଟ ଉଚ୍ଚରେ ଏହି ଜୋଜି-ଲା ପାସ୍ ରାସ୍ତା କାରଗିଲ ଜିଲ୍ଲାର ରାଷ୍ଟ୍ରୀୟ ରାଜମାର୍ଗ- ୧ ରେ ଅବସ୍ଥିତ। ଭାରତର ସମସ୍ତ ବିପଦପୂର୍ଣ୍ଣ ରାସ୍ତା ମାନଙ୍କ ମଧ୍ୟରେ ଏହା ଅନ୍ୟତମ , ଏଭଳି କି ଦୁନିଆର ସବୁଠୁ ଏକ ବିପଦପୂର୍ଣ୍ଣ ରାସ୍ତା ବୋଲି ଏହାକୁ କୁହାଯାଏ। ପ୍ରାୟ ୯କି:ମି ଲମ୍ବର ଏହି ରାସ୍ତାଟିକୁ ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ଲାଗିଯାଏ। ଏହା ଶ୍ରୀନଗର ଓ ଲଦାଖକୁ ଯୋଗ କରୁଥିବା ମୂଖ୍ୟ ରାସ୍ତା ଅଟେ। ଡ୍ରାଇଭର ଏପରି ଏକ ରାସ୍ତାରେ ଏତେ ସ୍ପିଡ୍ ରେ ଗାଡ଼ି ଚଲାଉଥାଏ ଯେ ଭୀଷଣ ଡର ଲାଗୁଥିଲା ମୋତେ। ସତରେ ଏହା ଏକ ରୋମାଞ୍ଚକର ଅନୁଭୂତି ଥିଲା ଆମପାଇଁ। ରାମତେରି ଗଙ୍ଗା ମୈଲି, ସତେ ପେ ସତା , ବଜରଙ୍ଗି ଭାଇଜାନ ଇତ୍ୟାଦି ହିନ୍ଦୀ ସିନେମାସବୁ ଏଠାରେ ସୁଟିଂ ହୋଇଛି।

ଥାଜିୱସ୍ ଗ୍ଲେସିଅର୍ : 

ସମୁଦ୍ର ପତ୍ତନଠାରୁ ୩୦୦୦ମି: ଉଚ୍ଚ ରେ ଅବସ୍ଥିତ ଏହି ଥାଜିୱସ୍ ଗ୍ଲେସିଅର୍। ଆମକୁ ଡ୍ରାଇଭର ଜଣକ ଉପରକୁ ଯିବାପାଇଁ ଦୁଇ ଜଣ ପିଲାଙ୍କୁ ସାଙ୍ଗରେ ନେବା ପାଇଁ ବୁଝିଦେଲେ। ସେତେବେଳେ ପ୍ରତିଲୋକ ପାଇଁ ସେମାନେ ୨୫୦ ଟଙ୍କା ନେଇଥିଲେ। ସେମାନେ ଅଧିକ ଟଙ୍କା ଦାବି କରନ୍ତି , କିନ୍ତୁ ମୂଲଚାଲ ପରେ କମାନ୍ତି। ଆମେ ଉପରକୁ ଧୀରେ ଧୀରେ ଚଢ଼ିକରି ଶେଷରେ ବରଫର ଏକ ସମତଳ ଜାଗାରେ ପହଞ୍ଚିଲୁ। ପିଲା ଦୁଇଜଣ ଆମ ସାଙ୍ଗରେ ହାତ ଧରି ଧରି ନେଇଗଲେ। ଆମକୁ ଚଢ଼ିବାକୁ ସ୍ୱତନ୍ତ୍ର ବୁଟ୍ ପିନ୍ଧିବାକୁ ଦେଇଥିଲେ ସେମାନେ। ଉପରେ ପ୍ରାୟ ୧୦୦ ଲୋକ ପାଖାପାଖି ଥିଲେ। ଚେୟାର ପଡ଼ିଥିଲା ବସିବା ପାଇଁ । ଚା' ଆଉ ସ୍ନାକ୍ସ ଦୋକାନ ୨ଟା ଥିଲା। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ କିଛି ଲୋକ ଉପଭୋଗ କରୁଥିଲେ। ଆଉକିଛି ଲୋକ ସ୍ଲେଜ୍ ରେ ବରଫ‌ ଉପରେ ଖସୁଥିଲେ। ପିଲାମାନେ ଆଇସ୍ ସ୍କୁଟରରେ ବସି ବରଫ ଉପରେ ଖସିଲେ। ସାଙ୍ଗରେ ଯାଇଥିବା ପିଲା ୨ଜଣ ପାଖେ ପାଖେ ରହିଥାଆନ୍ତି। ସମସ୍ତେ ଖସୁଥିବା ଦେଖି ମୁଁ ଆଉ ଲୋଭ ସମ୍ଭାଳି ପାରିଲିନି। ତେଣୁ ମୁଁ ବରଫ ଉପରେ ବସି ଧିରେ ଧିରେ ଖସି ତା'ର ମଜା ନେଲି। ଚା' ଆଉ ସ୍ନାକ୍ସ ଖାଇଲୁ। କିଛି ଗୁଜ୍ଜର ଆଦିବାସୀ ପିଲା ସ୍ନୋ ବଲ୍ ଫୋପଡା ଫୋପଡି ଖେଳିଲେ ଆମ ସାଙ୍ଗରେ। ବହୁତ ମଜା ଲାଗିଲା। ଫେରିବା ବେଳକୁ ମୋତେ ବହୁତ ଡର ଲାଗୁଥିଲା ଯେ କିପରି ଯିବି !!! ପୁଣି ପିଲାଟି ସାହସ ଦେଇ ମୋ ହାତଧରି ଖସିବାକୁ କହିଲା। ଆସିଲାବେଳେ ତା' ହାତ ଛାଡି ଦେଲି। ତେଣୁ ଏତେ ଜୋରରେ ଖସୁଥାଏ ଯେ ଭୀଷଣ ଡର ଲାଗୁଥାଏ। ଶେଷରେ ତଳେ ରୋଡ଼ ଧାରରେ ଆସି ଠକ୍ କରି ମାଡ ହେବା ପୂର୍ବରୁ ତଳେ ଠିଆ ହୋଇ ଥିବା ଲୋକଙ୍କ ଭିତରୁ ଜଣେ ମୋ ହାତକୁ ଧରିଦେଲେ। ରକ୍ଷା ପାଇଗଲା ଭଳି ଲାଗିଲା। ସତରେ ଭାରି ସାହସ ଓ ରୋମାଞ୍ଚକର ଅନୁଭୂତି ଥିଲା ଏହା ଆମ ପାଇଁ।

ବଲଟଲ୍ ଭ୍ୟାଲି :

ବଲଟଲ୍ ଭ୍ୟାଲି ବା ଘାଟି ସମୁଦ୍ର ପତ୍ତନ ଠାରୁ ୨୭୪୩ ମି: ଉଚ୍ଚରେ ଓ ସୋନାମାର୍ଗଠାରୁ ୧୫କି:ମି ଦୂର ସିନ୍ଧ୍ ନଦୀ କୂଳରେ ଅବସ୍ଥିତ। ଏହି ଭ୍ୟାଲି 'ଜୋଜି-ଲା ପାସ୍' ର ପାଦଦେଶରେ ଅବସ୍ଥିତ। ଭ୍ୟାଲିଟି ଲୋକପ୍ରିୟ ହେବାର କାରଣ : ପ୍ରସିଦ୍ଧ ଅମରନାଥ ଯାତ୍ରା କରୁଥିବା ତୀର୍ଥଯାତ୍ରୀ ମାନେ ଏହି ସ୍ଥାନରୁ ଯାତ୍ରା ଆରମ୍ଭ କରିଥାନ୍ତି। ତୀର୍ଥଯାତ୍ରୀ ମାନଙ୍କ ରହିବା ପାଇଁ ଏଠାରେ ତମ୍ବୁର ବ୍ୟବସ୍ଥା ଥାଏ। ଏହି ଭ୍ୟାଲିଟି ମଧ୍ୟ ବରଫାବୃତ ଥିଲା। କିନ୍ତୁ ଶୀତ‌ଋତୁରେ ଏତେ ବରଫାବୃତ ହୋଇଯାଏ ଯେ, ଯାତାୟାତ କରିବା ବନ୍ଦ ହୋଇଯାଏ। ଏଠାରେ ରହୁଥିବା ଲୋକମାନେ ଏହି ସମୟରେ ଜାମ୍ମୁ କାଶ୍ମୀର ଚାଲିଯାଆନ୍ତି।

କ୍ରିଷ୍ଣସର୍ ଲେକ୍ : 

ଏହି ଲେକ୍ ସମୁଦ୍ର ପତ୍ତନଠାରୁ ୩୮୦୧ମି: ଉଚ୍ଚରେ ଅବସ୍ଥିତ। ବିଶନସର୍ ଲେକ୍ ଠାରୁ ପ୍ରାୟ ଗୋଟେ କି:ମି ଠୁ କମ୍ ଦୂରରେ ଏହା ପଡେ। ଲେକ୍ ଟି 'ଟ୍ରାଉଟ୍' ମାଛ ଲାଗି ପ୍ରସିଦ୍ଧ ଅଟେ। ଲେକ୍ ଚାରିପଟ ସବୁଜ ଆଲପାଇନ୍ ଗଛ ଓ ହିମାଳୟ ପର୍ବତ ଦ୍ଵାରା ଘେରେଇ ହୋଇ ରହିଛି। କେହି କେହି 'ଟ୍ରାଉଟ୍ ଫିଶିଂ' କରୁଥିଲେ। ବହୁତ ମଜା ନେଉଥିଲେ ସେମାନେ। ଆମେ ଦେଖି ଖୁସି ଅନୁଭବ କଲୁ। ବାସ୍ତବରେ ମୁଁ ଏତେ ସୁନ୍ଦର ସ୍ଥାନ ସବୁ ଭ୍ରମଣ କରି ସ୍ୱର୍ଗୀୟ ସୁଖ ଅନୁଭବ କରୁଥିଲି।

ରାତି ହୋଇ ଯାଇଥିଲା। ତେଣୁ ଆହୁରି ଲେକ୍ ସବୁ ଥିଲେ ବି ବୁଲିବା ଏତିକିରେ ବନ୍ଦ କରିବାକୁ ବାଧ୍ୟ ହେଲୁ। ତା'ପରେ, ଯେତେସବୁ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଆମେ ପ୍ରାୟ ବୁଲି ସାରିଥିଲୁ। ରାତିରେ ଶ୍ରୀନଗର ହୋଟେଲ୍ ପ୍ଲାଜାରେ ରହିଲୁ। ସକାଳୁ ନିତ୍ୟକର୍ମ ସାରି ଗୁଲମାର୍ଗ ଅଭିମୁଖେ ଯାତ୍ରା କଲୁ।


Rate this content
Log in