ଉତ୍ତର ଭାରତ ଭ୍ରମଣ: ଭାଗ-- ୫
ଉତ୍ତର ଭାରତ ଭ୍ରମଣ: ଭାଗ-- ୫
ପୂର୍ବାଭାଷ...
ହୋଟେଲ୍ ରୁମ୍ ରେ କେବଳ ଖାଇପିଇ ଶୋଇଲୁ। କାରଣ , ତା' ପରଦିନ ସକାଳୁ ଜାମ୍ମୁରୁ ଶ୍ରୀନଗର ଯିବାକୁ ଥିଲା।
ତା'ପରେ...
ସକାଳ ୯.୪୫ରେ ଫ୍ଲାଇଟ୍ ଥିଲା। ତେଣୁ ଆମେ ୮ଟା ସୁଧା ଏୟାରପୋର୍ଟରେ ପହଞ୍ଚିଗଲୁ। ଶ୍ରୀନଗରରେ ଠିକ୍ ୧୦.୩୦ ରେ ଫ୍ଲାଇଟ୍ ଲ୍ୟାଣ୍ଡ କଲା। ସେଠାରେ ଡ୍ରାଇଭର ଆମକୁ ଅପେକ୍ଷା କରିଥିଲେ ରିସିଭ୍ କରିବାପାଇଁ। ସେ ଆମକୁ ନେଇ 'ହାଉସ ବୋଟ୍ ମନଟ୍ରିଆଲ ଗୃପ୍' ନିକଟରେ ଛାଡ଼ିଲେ। ଏକ ଡଙ୍ଗାରେ ବସି 'ହାଉସବୋଟ୍' (ଭାସମାନ ଗୃହ) ନିକଟରେ ପହଞ୍ଚିଲୁ। ଡାଲ୍ ଲେକ୍ ର ପାଣି ଭିତରେ କେତେ ଯେ ହାଉସ୍ ବୋଟ୍... ଆଃ , ଦେଖିକି ସତରେ ବହୁତ ଖୁସି ଲାଗିଲା। ଭିତରେ ରହିବା ,ଖାଇବା , ପିଇବାଠୁ ଆରମ୍ଭ କରି ଶୌଚାଳୟର ବ୍ୟବସ୍ଥା ମଧ୍ୟ ରହିଛି। ଆମେ ଲଞ୍ଚ ଖାଇ ପୁଣି କୂଳକୁ ଆସିଲୁ ଶ୍ରୀନଗରରେ ବୁଲିବା ପାଇଁ। ଦିନ ୩ଟା ବାଜି ଯାଇଥିଲା। ଏଠାରେ ଆମର କିଛି ଗାର୍ଡେନ୍ ବୁଲିବାର ଥିଲା।
ପ୍ରଥମେ ଆମେ 'ନିଶାତ ବାଗ୍' ଉଦ୍ୟାନ ଭିତରକୁ ଗଲୁ। 'ନିଶାତ୍ ବାଗ' ଏକ ଉର୍ଦ୍ଦୁ ଶବ୍ଦ , ଯାହାକୁ 'ଦ ଗାର୍ଡେନ ଅଫ୍ ଜୟ' (ଖୁସିର ବଗିଚା) ବୋଲି ବି କୁହାଯାଏ। ଏହି ଗାର୍ଡେନକୁ ୧୬୩୩ ଖ୍ରୀଷ୍ଟାବ୍ଦରେ ବେଗମ୍ ନୁର୍ ଜହାନଙ୍କ ଭାଇ ଅସଫ୍ ଖାନ୍ ତିଆରି କରିଥିଲେ। ଏହା ଶ୍ରୀନଗରର ଡାଲ ଲେକ୍ ର ପୂର୍ବ ଭାଗରେ ଅଛି। ଏହି ୧୨ଟି ସୋପାନ ବିଶିଷ୍ଟ ଗାର୍ଡେନ ଶ୍ରୀନଗରର ଦ୍ୱିତୀୟ ବୃହତ୍ତମ ଉଦ୍ୟାନ ଅଟେ।
ଏହାର ପଛକୁ ଥିବା 'ଜବରୱାଁ' ପର୍ବତ ଉଦ୍ୟାନଟିର ଶୋଭା ବର୍ଦ୍ଧନ କରୁଅଛି। ଡାଲ ଲେକ୍ ସହିତ 'ପିର୍ ପଞ୍ଜଲ' ପର୍ବତ ଶ୍ରେଣୀର ଦୃଶ୍ୟ ଯାହାକି ଥିଲା ବରଫାବୃତ , ଉଦ୍ୟାନକୁ ଆହୁରି ଆକର୍ଷଣ କରି ତୋଳିଧରିଥିଲା। ଦୃଶ୍ୟକୁ ଉପଭୋଗ କରି ମୁଁ ନିଜକୁ ତା' ଭିତରେ ହଜାଇଦେଲି। ଜଳସ୍ରୋତ ସବୁ ୧୨ଟି ଯାକ ସୋପାନରେ କଳକଳ କରି ବୋହୁଛି। ପ୍ରତ୍ୟେକ ସୋପାନ ଗୋଟିଏ ଗୋଟିଏ ରାଶିକୁ ଚିହ୍ନଟ କରୁଛି। ଦୁଇ ପଟକୁ ଲାଗି ଜଳଉତ୍ସ ସବୁ ରହିଛି। ବଡ଼ ବଡ଼ ଚିନାର ଗଛ , ସାଇପ୍ରସ ଗଛ ସବୁ ଥିବାରୁ ଉଦ୍ୟାନଟି ସବୁଜିମାରେ ପରିପୂର୍ଣ୍ଣ ହୋଇ ଅତ୍ୟନ୍ତ ମନୋଲୋଭା ଦେଖାଯାଉଥିଲା। ଉଦ୍ୟାନ ଭିତରେ ବିଭିନ୍ନ ପ୍ରକାରର ଗୋଲାପ ଫୁଲ ଓ ଅନ୍ୟାନ୍ୟ ଫୁଲ ସବୁର ଶୋଭା , ତା' ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ଆମକୁ ବିମୋହିତ କରିଦେଲା। ଉଦ୍ୟାନର ପଛପଟେ 'ଗୋପି ତୀର୍ଥ' ନାମକ ଏକ ଝରଣା ଅଛି। ଏହି ଝରଣାଟି ଉଦ୍ୟାନଟିକୁ ମୂଖ୍ୟତଃ ପାଣି ଯୋଗାଇ ଆସୁଛି। ମନଭରି ଉଦ୍ୟାନଟିକୁ ଦେଖି ସାରିବା ପରେ ଆମେ ବାହାରକୁ ଆସିଲୁ।
'ନିଶାତ ବାଗ' ବାହାରେ ଏକ ଛୋଟ ବଜାର ଅଛି। ଖାଇବା ଜିନିଷ ଭିତରେ ପକୋଡା , ଛୋଲେ ଭଟୁରେ , ଡ୍ରାଇ ଫ୍ରୁଟସ୍ ଓ ଶ୍ରୀନଗରର ପ୍ରସିଦ୍ଧ ଫ୍ରୁଟ୍ ଆଇସକ୍ରିମ ଦୋକାନସବୁ ରହିଛି। କିଛି କପଡ଼ା ଦୋକାନ ବି ଅଛି। ଆମେ କିଛି ପକୋଡା ଓ ଫ୍ରୁଟ୍ ଆଇସକ୍ରିମ ଖାଇବାର ମଜା ନେଲୁ। ଖାଇସାରି ଆସି ଆମେ କାର୍ ରେ ଆସି ବସିଲା ବେଳକୁ ବଡ଼ପୁଅ ତା' ଦେହ ଭଲ ଲାଗୁନି ବୋଲି କହିଲା। ହାତମାରି ଦେଖିଲି ପ୍ରବଳ ଜ୍ୱର। ପାଗ ଭଲ ଥିବାରୁ ସ୍ୱେଟର ରୁମ୍ ରେ ଛାଡି ଆସିଥିଲୁ। ଡ୍ରାଇଭରକୁ କହିବାରୁ ଏକ ମେଡିସିନ ଷ୍ଟୋରକୁ ସେ ନେଇଗଲା। ମେଡିସିନ କିଣିବା ପରେ ପାଖରେ ଥିବା ସ୍ୱେଟର ଦୋକାନରୁ ସାଙ୍ଗେ ସାଙ୍ଗେ ସ୍ୱେଟରଟେ କିଣିଦେଲୁ ତା' ପାଇଁ। ବାହାରେ ବୁଲାବୁଲି କଲାବେଳେ ଦେହଖରାପ ହେବା ଏକ ସାଧାରଣ କଥା। ସେଥିପାଇଁ ସାଙ୍ଗେସାଙ୍ଗେ ଠିକ୍ ପଦକ୍ଷେପ ନେବା ନିହାତି ଦରକାର। ଏହାପରେ ପୁଣି ଆଉ ଏକ ଉଦ୍ୟାନ 'ଶାଲିମାର ବାଗ' ଦେଖିବାକୁ ଚାଲିଲୁ ଆମେ।
ଶାଲିମାର ବାଗ : (୧୨.୪ ହେକ୍ଟର କ୍ଷେତ୍ରଫଳ)
ଜାମ୍ମୁ କାଶ୍ମୀରର ଶ୍ରୀ ନଗରର 'ଶାଲିମାର ବାଗ' ଉଦ୍ୟାନ ଡାଲ୍ ଲେକ୍ ର ଉତ୍ତର-ପୂର୍ବ ଦିଗକୁ ଏକ ନାଳି ମଧ୍ୟ ଦେଇ ସଂଯୁକ୍ତ ହୋଇଛି। ମୋଗଲ ସମ୍ରାଟ ଜାହାଙ୍ଗୀର ତାଙ୍କ ପ୍ରିୟ ପତ୍ନୀ ନୁର ଜହାଁଙ୍କ ନିମନ୍ତେ ୧୬୧୯ ମସିହାରେ 'ଶାଲିମାର ବାଗ' (ପ୍ରେମର ନିବାସ) ଉଦ୍ୟାନର ନିର୍ମାଣ କରାଇଥିଲେ। ଏହା ଶ୍ରୀନଗରର ସବୁଠୁ ବଡ଼ ଉଦ୍ୟାନ ଅଟେ। ଉଦ୍ୟାନଟି ଫରହା ବକ୍ସ ଓ ଫୈଜ ବକ୍ସ ନାମରେ ବି ଜଣାଶୁଣା।
ବିଭିନ୍ନ ପ୍ରୟୋଜନ କାରଣରୁ ଉଦ୍ୟାନଟିକୁ ୩ଟି ସୋପାନ ବର୍ଗରେ ବିଭାଜିତ କରାଯାଇଥିଲା। ବାହାର ଉଦ୍ୟାନଟି 'ଦିୱାନ-ଇ-ଆମ' (ଜନସାଧାରଣଙ୍କ ପାଇଁ) , ମଝିଭାଗଟି 'ଦିୱାନ-ଇ-ଖାସ୍' (ସମ୍ରାଟଙ୍କ ପାଇଁ) ଓ ସବା ଉପରଭାଗ ପ୍ରାସାଦର ରାଜକୀୟ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ପ୍ରତ୍ୟେକ ସୋପାନରେ ଜଳର ଉତ୍ସ କରାଯାଇଛ
ି। ଉଦ୍ୟାନ ଟି ଚାରବାଗ ପାର୍ସୀ ଶୈଳୀରେ ନିର୍ମିତ। ଉଦ୍ୟାନଟି ଏଠାର 'ଚୀନୀ ଖନାସ୍' ଓ 'ଆର୍ଚଡ୍ ନିଚେସ୍' ପାଇଁ ବହୁତ ଜଣାଶୁଣା। ବିଭିନ୍ନ ପ୍ରକାରର ଜଙ୍ଗଲୀ ଫୁଲ , ବହୁତ ପୁରୁଣା ଚିନାର ଗଛ ଓ ସାଇପ୍ରସ ଗଛ ସବୁରେ ଉଦ୍ୟାନଟି ସବୁଜିମାରେ ଭରିହୋଇଥିଲା। ଏପରିକି ଚାରିଶହ ବର୍ଷର ଚିନାର ଗଛ ଆମେ ଦେଖି ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଉଦ୍ୟାନର ସବୁଜିମା , ପ୍ରବାହିତ ଜଳସ୍ରୋତ , ଜଳଉତ୍ସର ତରଙ୍ଗାୟିତ ଧିର ଶବ୍ଦ , ଡାଲ୍ ଲେକ୍ ଓ ବରଫାବୃତ ପର୍ବତ ଶ୍ରେଣୀର ଦୃଶ୍ୟ ଆମ ମନ , ପ୍ରାଣ ଓ ଆତ୍ମାକୁ ଶାନ୍ତ କରିଦେଲା। କବି ଅମିର ଖୁସ୍ରୁ ଉଦ୍ୟାନର ଦୃଶ୍ୟ ଦେଖି ଆତ୍ମହରା ହୋଇ କହିଥିଲେ : 'If there is a Paradise on Earth , It is here , it is here , it is here.'
ବାହାରେ ଆସି ଡ୍ରାଇଭରକୁ କହିଲୁ ଗୋଟେ ଶାଲ ଦୋକାନକୁ ନେବାକୁ। ଏଠାରେ ଖୁବ୍ ସୁନ୍ଦର କାଶ୍ମୀରୀ ଶାଲ୍ ମିଳେ। ଦୋକାନରେ ପହଞ୍ଚି ପଶମିନା ଶାଲ୍ ୨ଟି , ପଞ୍ଚୁ ୨ଟି କିଣିଲୁ। ଯେତେ ଥିଲେ ବି ଏକ ସ୍ମୃତି ଉଦ୍ଦେଶ୍ୟରେ କିଛି ନା କିଛି ଜିନିଷ କିଣିବାକୁ ଭଲ ଲାଗେ। ପୁଣି ପଶମିନା ଶାଲ୍ ର ଚାହିଦା ଅଧିକ। କାହାକୁ ଗିଫ୍ଟ ରୂପେ ବି ଦେଲେ ଖୁସିଲାଗେ।
ଶିକାରା ରାଇଡ୍ :
ଏହାପରେ ଆମେ ଡାଲ୍ ଲେକ୍ ରେ ଘଣ୍ଟାଏ ବୁଲିଲୁ ଯାହାକୁ ଏଠାରେ 'ଶିକାରା ରାଇଡ୍' କୁହାଯାଏ। ଆମକୁ ହାଉସ୍ ବୋଟ୍ ତରଫରୁ ରାଇଡ୍ ମାଗଣା ଥିଲା। ରାଇଡ୍ ପାଇଁ ପ୍ରତ୍ୟେକ ଲୋକପିଛା ଏଠି ୨୫୦ ଟଙ୍କା ନିଅନ୍ତି। କିନ୍ତୁ ମୂଲଚାଲ ଟିକେ କରିବାକୁ ପଡେ। ଶିକାରା ହେଉଛି କାଠ ନିର୍ମିତ ଏକ ଡଙ୍ଗା। ଫୁଲରେ ସଜାଯାଇ ଡଙ୍ଗାଗୁଡିକ ଖୁବ୍ ସୁନ୍ଦର ଦେଖା ଯାଉଥିଲା। ବୁଲାଇସାରି ଡଙ୍ଗାବାଲା ଆମକୁ 'ହାଉସ୍ ବୋଟ୍' ନିକଟରେ ଛାଡ଼ିଦେଇ ଆସିଲା। ପାଣି ଭିତରେ ବୁଲି ବୁଲି ବହୁତ ମଜା ଲାଗିଲା।
ରାତିରେ ଆମେ 'ହାଉସ୍ ବୋଟ୍' ଭିତରେ ରାତ୍ରି ଭୋଜନ କଲୁ। ସବୁ ପ୍ରକାରର ରହିବାର ବ୍ୟବସ୍ଥା ଥିଲା ଏହା ଭିତରେ। ହାଉସ୍ ବୋଟ୍ ଗୁଡିକ ମୂଲ୍ୟବାନ କାଠରେ ନିର୍ମିତ। ଏହା ଭିତର କାଠର ଖୋଦେଇ କାମ ଦେଖିଲେ ଶିଳ୍ପୀର କଠିନ ପରିଶ୍ରମକୁ ତାରିଫ୍ ନକରି ରହିହେବ ନାହିଁ। ଅତି ସୁନ୍ଦର ଫୁଲର ଡିଜାଇନ୍ ସବୁ କାଠରେ ଖୋଦେଇ ହୋଇ ବୋଟ୍ ଭିତରେ ଓ ବାହାରେ କରାଯାଇଛି। ରଙ୍ଗୀନ କାର୍ପେଟ ସବୁ ଭିତରେ ବିଛାଯାଇଛି , ଯାହାକି ବୋଟ୍ ଭିତରର ଶୋଭାକୁ ଦ୍ୱିଗୁଣିତ ବର୍ଦ୍ଧନ କରୁଛି। ମୁଲାୟମ ଗଦି ଥାଇ ସୋଫା ସବୁ ବୋଟ୍ ର ଭିତରେ ଓ ବାହାରେ ବସିବା ପାଇଁ ପକାଯାଇଛି। ଛାତରେ ସ୍ଫଟିକ ଝୁମର ସବୁ ଝୁଲା ଯାଇଛି। ବାଲକୋନୀରେ ଆମେ ଯାଇ ବସିଲୁ। ଅନ୍ୟ ହାଉସ୍ ବୋଟ୍ ର ଆଲୋକ ସଜା, ଲେକ୍ ର ସ୍ଥିର ଓ କାଚଭଳି ପାଣିରେ ଆଲୋକମାଳ ଗୁଡିକର ପ୍ରତିବିମ୍ବ ପଡ଼ି ଅତ୍ୟନ୍ତ ମନୋରମ ଦିଶୁଥିଲା। ଚାରିପଟେ ଖାଲି ପାଣି ଆଉ ପାଣି...କି ମନଲୋଭା ଦୃଶ୍ୟ ସବୁ !! ଏଠାରୁ ଶଙ୍କରାଚାର୍ଯ୍ୟ ହିଲ୍ ମଧ୍ୟ ଦେଖାଯାଉଥିଲା। ସମୟ ଅଭାବରୁ ଆମେ ଯାଇ ପାରିଲୁ ନାହିଁ। ରାତିରେ ହାଉସ୍ ବୋଟ୍ ରେ ବସି ବସି ପ୍ରକୃତି ଭିତରେ ଆମେ ଏତେ ହଜିଗଲୁ ଯେ , ସମୟ କେତେବେଳେ ଆସି ରାତି ୨ଟା ହୋଇଗଲା ଜଣାପଡ଼ିଲା ନାହିଁ। ପୁଣି ସକାଳ ୯ଟା ସୁଧା ଆମକୁ ଏଠାରୁ ସୋନାମାର୍ଗ ଯିବାର ଥିଲା। ତେଣୁ ଇଛା ନ ଥିଲେ ବି ଆମେ ଶୋଇବାକୁ ଗଲୁ। ସକାଳୁ ଶୀଘ୍ର ଉଠି ମୁଁ ଦେଖିଲି ଯେ ସାନପୁଅ ଫଟୋ ସବୁ ଉଠାଇ ଚାଲିଛି। ଦୂରରୁ ପାହାଡ ଗୁଡିକ ଧୂଆଁଳିଆ ହୋଇ ଝାପ୍ସା ଦେଖାଯାଉଥାଏ। ସୂର୍ଯ୍ୟଙ୍କର ଉଇଁଆସୁଥିବା ରକ୍ତିମ କିରଣରେ ଲେକ୍ ର ଜଳରାଶି ସବୁ ଝଲମଲ ହୋଇ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲା। ଚଢ଼େଇ ସବୁ କିଚିରିମିଚିରି ଶବ୍ଦ କରି ଉଡିଯାଉଥିଲେ। ଏତିକିବେଳେ ମୋର କବିବର ରାଧାନାଥ ରାୟଙ୍କ କବିତାଟି ମନେପଡିଗଲା ...
"ସୁନ୍ଦର ତୃପ୍ତିର ଅବସାଦ ନାହିଁ
ଯେତେ ଦେଖୁଥିଲେ ନୂଆ ଦିଶୁଥାଇ।"
ରାତିସାରା ଆମେ ପାଣି ଭିତରେ ହାଉସ୍ ବୋଟ୍ ରେ ଯେ ରହିଥିଲୁ ଜମା ଜାଣି ପାରିଲୁ ନାହିଁ। ଏହା ଏକ ରୋମାଞ୍ଚକର ଓ ମଜାର ଅନୁଭୂତି ଥିଲା ଆମପାଇଁ। କୂଳ ନିକଟରେ ହାତତିଆରି କାନଫୁଲ , ନେକଲେସ୍ ବିକ୍ରି ହେଉଥିବାର ଦେଖିଲି। ବହୁତ ସୁନ୍ଦର ଦେଖା ଯାଉଥିଲା। ଦୁଇ ହଳ କିଣିଲି। ଶିକାରା ରାଇଡ୍ କଲାବେଳେ ପାଣି ଭିତରେ ଭାସମାନ ଡଙ୍ଗା ଗୁଡ଼ିକରେ ଜିନିଷପତ୍ର ସବୁ ବିକ୍ରି ହେଉଥିଲା , ଯଥା : ଶାଲ୍ , କାର୍ପେଟ , କାଠର ଖୋଦେଇ ହୋଇଥିବା ଘର ସଜା ସାମଗ୍ରୀ , ପଞ୍ଚୁ , ସ୍ୱେଟର ଇତ୍ୟାଦି।