Kalyani Nanda

Romance Tragedy

3  

Kalyani Nanda

Romance Tragedy

ଜୀବନର ଆଉ ଏକ ରଂଗ

ଜୀବନର ଆଉ ଏକ ରଂଗ

4 mins
503



ରାତି ଏଗାର ଟା ।ସ୍ବାତୀ ଆଖିରେ ନିଦ ନାହିଁ । ଯଦିଓ ଆଜି ସାରା ଦିନର ଖଟଣୀ ପରେ କ୍ଲାନ୍ତ ହୋଇ ତାର ଶୋଇ ପଡିବା କଥା । କିନ୍ତୁ ନା ନିଦ ନାହିଁ । ସ୍କୁଲ କ୍ଵାର୍ଟରର ବାଲକୋନିରେ ବସିଛି ସିଏ ଏକା । ହଷ୍ଟେଲରେ, ଅନ୍ଯ କ୍ଵାର୍ଟରରେ ଲାଇଟ୍ ଲିଭିଲାଣି । ସମସ୍ତେ ଆଜି କ୍ଲାନ୍ତ । ସ୍କୁଲର ଆଜି ବାର୍ଷିକୋତ୍ସବ ଥିଲା। ମାସେ ହେବ ସ୍ବାତୀର ବିଶ୍ରାମ ନାହିଁ । ପ୍ରଧାନ ଶିକ୍ଷୟିତ୍ରୀ ଭାବେ ତା ଦାୟିତ୍ବ ବେଶି । ଯା ହେଉ ଖୁବ ସୁନ୍ଦର ଭାବରେ ସବୁ କାମ ଶେଷ ହେଲା । ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ ଷ୍ଟାଫ୍, ସମସ୍ତେ ଲାଗି ପଡିଥିଲେ ସ୍ବାତୀ ସାଂଗରେ ଉତ୍ସବ ଟିକୁ ସାଫଲ୍ଯ ମଣ୍ଡିତ କରିବାରେ ।

ସ୍ବାତୀ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଜୟପୁରର ବାଳିକା ବିଦ୍ଯାଳୟରେ ଯୋଗ ଦେବାର ପାଞ୍ଚ ବର୍ଷ ହୋଇ ଗଲାଣି । ବାପା, ମାଁ ତାର ତା ବଡ ଭାଇ ପାଖରେ ଭବାନୀପାଟଣାରେ ରୁହନ୍ତି । ବେଳେ ବେଳେ ତା ପାଖକୁ ଆସନ୍ତି । ସ୍ବାତୀ ତାଙ୍କର ଗୋଟିଏ ବୋଲି ଝିଅ । ବାହା ନ ହୋଇ , ଘର ସଂସାର କରି ପାରିଲାନି ବୋଲି ସେମାନଙ୍କ ମନରେ ଭାରି ଦୁଃଖ । କିନ୍ତୁ ଝିଅ ତାଙ୍କର ବାହା ହେବାକୁ ରାଜି ହେଲାନି । କିନ୍ତୁ ସ୍ବାତୀ ? ?ତାକୁ ଯେ ଦୁଃଖ ହୁଏନି, ହୃଦୟର କେଉଁ ଏକ କଣରେ ଯେ କଷ୍ଟ ହୁଏନି, ତା ନୁହେଁ। ଅନ୍ଧାରରେ ବସି ସ୍ବାତୀ ପଛ କଥା ଭାବୁଥାଏ । ଏତେ ଦିନ ଧରି ନିଜକୁ ବୁଝାଇ, ନିଜ ଇଚ୍ଛା ଅନୁସାରେ ଘର ଠୁ ଏତେ ଦୂରରେ ରହି , ସେ ନିଜ ମନର ଶାନ୍ତି ଖୋଜି ପାଇଥିଲା। ସ୍କୁଲର ବାତାବରଣ, କାର୍ଯ୍ଯ ବ୍ଯସ୍ତତା, ଛାତ୍ରୀ ଗହଣରେ ନିଜକୁ ହଜାଇ ଦେଇ ପାରିଥିଲା । ତା ହେଲେ ଆଜି କାହିଁକି ତା ମନରେ ଏତେ ଅସ୍ଥିରତା ? ଆଜି ଯେମିତି ତା ମନର ଶାନ୍ତ ଜଳରେ ଟେକା ଫିଙ୍ଗି କେହି ଚହଲାଇ ଦେଇଛି । ମାର୍ଚ୍ଚ ଶେଷ ହେବାକୁ ଯାଉଥାଏ। ଚଇତି ପବନ ଧିରେ ଧିରେ ଗରମ ଲାଗୁଥାଏ। ଆକାଶରେ ଟିମ ଟିମ କରୁଥିବା ତାରା ଗହଣରେ ନୀଳ ଆକାଶକୁ ଚାହିଁ ସ୍ବାତୀ ଖୋଜୁଥିଲା ତା ମନର ହଜି ଯାଇଥିବା ଶାନ୍ତି କୁ , ତା ଦୃଢ ବିଶ୍ଵାସ , ଦମ୍ଭ କୁ ।ଆଜି କାହିଁକି ସେ ଏତେ ବ୍ଯତିବ୍ଯସ୍ତ? ଅସ୍ଥିର ?ପୁଣିଥରେ ସେ ତା ଆତ୍ମ ବିଶ୍ବାସ କୁ ହରାଇ ବସୁ ନି ତ ?


ଆଜି ସୌରଭକୁ ଦେଖି ସ୍ବାତୀ ପ୍ରଥମେ ଚମକି ପଡିଥିଲା । ସୌରଭ ତା ସ୍କୁଲକୁ ମୁଖ୍ଯ ଅତିଥି ଭାବେ ନିମନ୍ତ୍ରିତ ହୋଇ ଆସିଥିଲା । ତା ଷ୍ଟାଫ୍ ଯେତେବେଳେ ସୌରଭକୁ ମୁଖ୍ଯ ଅତିଥି ଭାବରେ ନିମନ୍ତ୍ରଣ କରିବାର ପ୍ରସ୍ତାବ ଦେଇଥିଲେ, ସେ ଭାବି ପାରି ନ ଥିଲା ଯେ , ସୌରଭ ମହାପାତ୍ର , OAS, ତା ସୌରଭ ହୋଇଥିବ ।ଯେତେବେଳେ ମୁଖ୍ଯ ଅତିଥିଙ୍କୁ ସ୍ବାଗତ କରିବାକୁ ଯାଇ ସ୍ବାତୀ ସୌରଭକୁ ଦେଖି ପ୍ରଥମେ ଚମକି ପଡିଥିଲା । କିନ୍ତୁ ପରିସ୍ଥିତିକୁ ସମ୍ଭାଳି ସେ ନିଜ କର୍ତ୍ତବ୍ଯ କରିଥିଲା ।


ସୌରଭ ମହାପାତ୍ର । ସୌରଭ । ଏଇ ସୌରଭକୁ ଦିନେ ସେ ଭଲ ପାଇଥିଲା । ବିବାହ କରିବାର ସ୍ବପ୍ନ ଦେଖିଥିଲା । ଦୁହେଁ ଗୋଟିଏ କଲେଜରେ ପଢୁଥିଲେ । ସୌରଭ ବି ତାକୁ ଭଲ ପାଉଥିଲା । ଜୀବନର ସୁଖଦ ସ୍ବପ୍ନ ଦେଖାଇ ଥିଲା। ସ୍ବାତୀ ତାକୁ ବିଶ୍ବାସ କରିଥିଲା । ତାକୁ ନେଇ ସୁଖର ସଂସାର ଗଢିବାର ସ୍ବପ୍ନ ଦୁନିଆରେ ନିଜକୁ ହଜାଇ ଦେଇଥିଲା । ସୌରଭ ବି ତାକୁ ଭଲ ପାଉଥିଲା । କିନ୍ତୁ ବି.ଏ ପରେ ସ୍ବାତୀ ବି. ଏଡ୍ କରିବାକୁ ଚାଲି ଯାଇଥିଲା ।ସୌରଭ ସ୍ନାତକୋତ୍ତରରେ ସେଇ କଲେଜରେ ପଢୁଥାଏ । ଦୁହିଁଙ୍କ ଭିତରେ ଯୋଗାଯୋଗ ରହିଥାଏ । PG ପରେ ସୌରଭ OAS ପାଇ ଚାକିରୀ କ୍ଷେତ୍ରକୁ ଚାଲି ଯାଇଥିଲା । ସ୍ବାତୀ ବି.ଏଡ୍ ପରେ ଶିକ୍ଷୟିତ୍ରୀ ଭାବରେ ସ୍କୁଲରେ ଚାକିରୀ କଲା । ସୌରଭ ଚାକିରୀ ପାଇବା ପରେ ଧିରେ ଧିରେ ସ୍ବାତୀ ଠୁ ଦୂରେଇ ଯାଇଥିଲା । ସ୍ବାତୀ ତା ବିଷୟରେ ଆଉ କିଛି ବି ଜାଣି ପାରି ନ ଥିଲା । ଦିନେ ହଠାତ୍ ସୌରଭ ପାଖରୁ ସ୍ବାତୀ ତା ବାହାଘର ନିମନ୍ତ୍ରଣ ପାଇଥିଲା । ତାପରେ ସ୍ବାତୀ ସୌରଭ ସହ କଥା ହେବା ପାଇଁ ବହୁତ ଚେଷ୍ଟା କରିଥିଲା କିନ୍ତୁ ସୌରଭ ପାଖରୁ କୌଣସି ଉତ୍ତର ପାଇ ନ ଥିଲା ।ପରେ ଜାଣିଥିଲା ଯେ ସୌରଭ ଏକ ସଂଭ୍ରାନ୍ତ, ଧନୀ ଘରର ଝିଅକୁ ବାହା ହେଇଛି । ଏତେ ଦିନର ସଂପର୍କକୁ ସୌରଭ କ୍ଷଣିକ ଭିତରେ ଛିଣ୍ଡାଇ ତାକୁ ଭୁଲି ଯାଇଥିଲା । ଟିକିଏ ବି ଭାବି ନ ଥିଲା ଯେ, ସ୍ବାତୀ କୁ କେମିତି ଲାଗିଥିବ ?ସତରେ କଣ ସ୍ବାତୀର ଅସ୍ତିତ୍ବ ର କୌଣସି ମୂଲ୍ଯ ନ ଥିଲା ତା ପାଖରେ ?କେତେ ସହଜରେ ତା ଜୀବନ କାନଭାସରୁ ସ୍ବାତୀ ର ପ୍ରଣୟ ରଂଗ କୁ ପୋଛି ଦେଇଥିଲା ତା କପଟୀ, ଛଳନାଯୁକ୍ତ ତୂଳୀ ରେ । ସ୍ବାତୀ ହୃଦୟ ରେ ଯେ ଆଘାତ ଲାଗିଥିଲା,ଯନ୍ତ୍ରଣାର ରକ୍ତ ବୋହି ତାକୁ କି କଷ୍ଟ ଦେଇଥିଲା , ତାକୁ ଥରୁଟିଏ ବି ଜାଣିବା, ବୁଝିବା ପାଇଁ ସୌରଭ ଚେଷ୍ଟା କରି ନ ଥିଲା । ଥରେ ହେଲେ ପଛକୁ ମୋଡି ଦେଖିବାର ଆବଶ୍ଯକତା ମନେ କରି ନ ଥିଲା । ସ୍ବାତୀ କୁ କିନ୍ତୁ ବହୁତ ସମୟ ଲାଗିଥିଲା ନିଜକୁ ସ୍ବାଭାବିକ କରିବାରେ । ଆଜି ସୌରଭର ଉପସ୍ଥିତି ସ୍ବାତୀକୁ ପୁଣି ଥରେ ଚହଲାଇ ଦେଇ ଥିଲା । ଅତୀତ ସ୍ମୃତି ପୁଣିଥରେ ତା ମନକୁ ବ୍ଯତିବ୍ଯସ୍ତ କରି ଦେଇଥିଲା । ସୌରଭର ପ୍ରତାରଣା, ସ୍ବାର୍ଥପରତା ପୁଣିଥରେ ମନେପଡି ତା ପୁରୁଣା କ୍ଷତର ବେଦନା ତା ମନକୁ ଦୋହଲାଇ ଦେଇ ଥିଲା । କିନ୍ତୁ କାହିଁକି ସେ ତା କଥା ଏତେ ଭାବୁଛି ? ସେ ତ ତାର କେହି ନୁହେଁ । ସେ ଆଉ କାହାର । ସୌରଭ ମଧ୍ଯ ସ୍ବାତୀକୁ ଏତେ ଦିନ ପରେ ହଠାତ ଦେଖି ଚମକି ପଡିଥିଲା । ଯିବା ଯାଏ କିଛି ତା ସହ କିଛି କଥା ହେବାକୁ ଚାହିଁ କଥା ହୋଇ ପାରି ନ ଥିଲା । ହଠାତ ଫୋନ ଟା ବାଜିବାରୁ ସ୍ବାତୀ ଦେଖିଲା ସୌରଭ ରିଂ କରୁଛି । ଫୋନ୍ ଅଫ୍ କରିଦେଲା । କିନ୍ତୁ ଦୁଇ, ତିନି ଥର ରିଂ ହେବାରୁ ଫୋନ ଉଠାଇଲା ସ୍ବାତୀ । କଥା ହେବାକୁ ଚାହୁଁ ନ ଥିଲା ସେ ସୌରଭ ସହ। କଥା ହେଇ ପୁଣି ପୁରୁଣା କଥାର ପୁନରାବୃତ୍ତି ହେଉ, ତା ସେ ଚାହୁଁ ନ ଥିଲା । " ମୁଁ ତୁମ ସହିତ କଥା ହେବାକୁ ଆଉ ଚାହେଁନି । ମୁଁ ଏବେ ବେଶ ଭଲରେ ଅଛି । ବଞ୍ଚିବା ଶିଖି ଯାଇଛି । ମୋ ଜୀବନକୁ ଏକ ନୂତନ ରଂଗରେ ସଜାଇ ପାରିଛି ।ତୁମ ପରି ପ୍ରତାରକ, ସ୍ବାର୍ଥପର ମଣିଷ ସହ ମୁଁ କୌଣସି ସଂପର୍କ ରଖିବାକୁ ଚାହେଁନି ।"ଏତିକି କହି ସ୍ବାତୀ ଫୋନ ସୁଇଚ ଅଫ୍ କରିଦେଲା । ରାତି କେତେ ହୋଇଥାଏ ସେ ଜାଣିନି । ହାଲକା ହାଲକା ପବନ ଛୁଆଁରେ ତା ମନଟା ଏବେ ହାଲକା ଲାଗୁଥାଏ । ତା ପ୍ରିୟ ଗୀତର ଦୁଇ ପଦ ସ୍ବାତୀ ଗୁଣୁଗୁଣୁ ହୋଇ ଗାଉଥାଏ..........." ତୁମ ବିନା ମୁଁ ବଞ୍ଚିବା ଶିଖି ଯାଇଛି ,

ତୁମ ବିନା ମୁଁ ମୋ ଚଲାପଥ ଖୋଜି ପାଇଛି ।"



Rate this content
Log in

Similar oriya story from Romance