ଝର୍କାଏ ଆକାଶ
ଝର୍କାଏ ଆକାଶ
ଲକ୍ ଡାଉନ୍ ଖୋଲିଲା ପରେ ଆଜି ହିଁ ପ୍ରଥମ କ୍ଲିନିକ୍ ଖୋଲି ଥିଲି । ବାହାରେ ଝିପି ଝିପି ବର୍ଷା । ମୁଁ ଚ୍ଯାମ୍ବର ଭିତରେ ବସି ପେସେଣ୍ଟ ଦେଖୁଛି । ଝର୍କା ଦେଇ ଦେଖିଲି ଗେଟ୍ ଖୋଲି ଶିଳାଲିପି କମ୍ପାଉଣ୍ଡ ଭିତରକୁ ଆସୁଛି । ସାଥିରେ ତା'ରି ବୟସର ପିଲାଟିଏ ।
ମୋର ପ୍ରାକ୍ଟିସ ପନ୍ଦର ବର୍ଷ ଉପରେ ହେଲାଣି । ଏଇ ସହରେ ସେମ୍ ଲୋକେସନରେ । ତେଣୁ କିଛି ପେସେଣ୍ଟ ଙ୍କ ସହିତ ଦୀର୍ଘ ଦିନର ସଂପର୍କ ।ସେଇ ବିଶ୍ବାସ ରେ ସେମାନେ ନିଜର ପ୍ରତିଟି ମେଡିକାଲ କେସ୍ ରେ , କନସଲ୍ଟଟେସନ ପ୍ରଥମେ ମୋ ସହ କରିଥାନ୍ତି ।ମୋ ଠାରୁ ଭଲ ମନ୍ଦ ସଜେସନ ନେଇ ନେକ୍ସଟ୍ ଷ୍ଟେପ୍ ଚିନ୍ତା କରନ୍ତି ।
ଏହି ସମୟରେ ବେଳେ ବେଳେ ଅନିଚ୍ଛାକୃତ ଭାବେ , କାହା କାହା ପରସନାଲ ଲାଇଫର ପ୍ରୋବ୍ଲେମରେ ମଧ୍ୟ ମୋତେ ସାମିଲ ହେବାକୁ ପଡିଥାଏ ।
ସେମିତି ହିଁ କାହାଣୀ ଶିଳାଲିପିର । ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଶିଳାଲିପି ପଟ୍ଟନାୟକ । ପାଠପଢା କୁ ନେଇ ଭାରି ପୋଜେସିଭ୍ । ମା ବାପା ର ଗୋଟିଏ ବୋଲି ଝିଅ । ତା ତଳେ ସାନ ଭାଇଟିଏ । ବାପା ଜଣେ ପ୍ରାଇଭେଟ୍ ଏମ୍ପ୍ଲୋଇ । ତଥାପି ତା ଇଛାକୁ ସମ୍ମାନ ଜଣାଇ ବଡ କଷ୍ଟରେ ସେ ତାକୁ ଇଂଜିନିୟରିଂ ପଢାଉଥିଲେ ।
ସେଇ ପଢ଼ିବା ସମୟରେ ଦେହ ଖରାପ ହେଲା ଆଉ ପରେ ପରେ ହିଁ ମୋ କ୍ଲିନିକ୍ ରେ ତା ସହ ମୋର ପରିଚୟ ।
ବର୍ଷ ସାରା ବାରମ୍ବାର ଫିବର । ଅନେକ ଜାଗାରୁ ମେଡିସିନ ଖାଇ ଭଲ ନହେବାରୁ ଥରେ ଜଣେ ସାଙ୍ଗ ସହ ମୋ ଚ୍ଯାମ୍ବରକୁ ଆସିଥିଲା ।
ମେଡ଼ିସିନରେ ଫିବର ତ ଭଲ ହୋଇଗଲା । କିନ୍ତୁ ସେଇ ସମୟରେ ଯେଉଁ ବ୍ଲଡ଼ ଟେଷ୍ଟ ହୋଇଥିଲା , ସେଥିରେ ଜଣା ପଡିଲା ତାକୁ ଥାଲାସେମିଆ । ସେବେ ଠାରୁ ତିନି ବର୍ଷ ହେଲାଣି ନିୟମିତ ମୋ ପାଖେ ଟ୍ରିଟମେଣ୍ଟ ହୋଇ ଆସୁଛି ।
ଏହା ଭିତରେ ଇଂଜିନିୟରିଂ ତା'ର ସରିଯାଇଛି । କହୁଥିଲା କେଉଁ ଗୋଟେ କଲେଜରେ ଲେକଚରସିପ୍ କରୁଛି ।
ଗତ ବର୍ଷ ହଠାତ୍ ଦିନେ କ୍ଲିନିକକୁ ଆସି ମୋତେ କହିଲା , ସାର !ଆପଣ ଯଦି ଖରାପ ନ ଭାବିବେ,କିଛି କହିଥାନ୍ତି ।
ପ୍ରଥମେ ମୁଁ କିଛି ବୁଝି ପାରିଲିନି । ପେସେଣ୍ଟ ଦେଖି ସାରିବା ଯାଏ ସେ ଓ୍ବେଟିଂ ରୁମରେ ଅପେକ୍ଷା କଲା । ଏଥର ତାକୁ ମୋ ଚ୍ଯାମ୍ବର କୁ ଡାକି ବସିବାକୁ କହିଲି । ମୁଁ ଶିଳାଲିପି କୁ ଚାହିଁ ଥାଏ ଘଟଣା ବିଷୟରେ ଜାଣିବାକୁ ।
ସେ ତଳକୁ ମୁହଁ କରି ବସିଥାଏ । ତା ଦେହ ଝାଳେଇ ଯାଉଥାଏ । ହଠାତ୍ ଦୀର୍ଘ ନିଶ୍ଵାସଟେ ନେଇ କହିଲା , ମୁଁ କେତେ ଦିନ ବଞ୍ଚିବି ସାର । ମୁଁ ପଚାରିଲିଲି ଆଜି ଏ ପ୍ରଶ୍ନ କାହିଁକି । ଦେହ କ'ଣ ବେଶୀ ଖରାପ ଲାଗୁଛି । ସେ ମୁଣ୍ଡ ହଲାଇ ମନା କଲା ।
କିଛି କ୍ଷଣ ଚୁପ୍ ରହିଲା । ପୁଣି ମୋ ଚ୍ଯାମ୍ବର ର ଝର୍କା ଦେଇ ବାହାରକୁ ଅନେଇଲା । ଆଖି ତା'ର ଲୁହରେ ଭରି ଆସୁଥିଲା । ଲାଗୁଥିଲା ଏଇ ଯେମିତି କାନ୍ଦି ପକେଇବ ।
ମୁଁ ପରିସ୍ଥିତି କୁ ହାଲୁକା କରିବାକୁ ଯାଇ ସିଟ୍ ରୁ ଉଠି ବାହାରକୁ ଚାଲିଗଲି ।
ପାଞ୍ଚ ମିନିଟ୍ ପରେ ଫେରିଆସି ଶିଳାଲିପି କୁ ପଚାରିଲି ,ପାଣି ପିଇବ । ସେ ମନା କଲା ।
ମୁଁ ମୋ ଚେୟାର ରେ ବସି ତାକୁ ଚାହିଁଲି । ଲାଗିଲା ୟା ଭିତରେ ସେ ଯେମିତି ଲୁହ ପୋଛି ପକାଇଛି । ତଥାପି ତାକୁ ଦେଖିଲେ ଲାଗୁଥିଲା ତା ଅନ୍ତରେ ଯେପରି ବହଳେ ଓଜନର ଭାବନା ସବୁ ଗୁନ୍ଥି ହୋଇ ରହିଛି ।
କେଉଁଠୁ କଥା ଆରମ୍ଭ କରିବ , ସେ କିଛି ଠିକ୍ କରି ପାରୁନଥିଲା । ମୋତେ ଅନେଇ ମୁଣ୍ଡ ତଳକୁ କରି ନେଉଥିଲା । ତା'ର ଏ ଅବସ୍ଥା ଦେଖି ମୋତେ ବ୍ୟସ୍ତ ଲାଗିଲା ।
ପଚାରିଲି , ଘରକୁ ଯିବ । ଅଟୋ ଡକାଇ ଦେବି । ଯଦି ଆଜି ଦେହ ଭଲ ଲାଗୁନାହିଁ ଆଉ ଦିନେ ଆସ କଥା ହେବା ।
ଏଥର ସେ କ'ଣ ଭାବିଲା କେଜାଣି , ମୁଣ୍ଡ ଉଠାଇ ମୋତେ ଚାହିଁଲା । ମଥାରୁ ରୁମାଲ ରେ ଝାଳ ପୋଛିଲା ଏବଂ ସାହସ କରି କଥା ଆରମ୍ଭ କଲା ।
ଇଂଜିନିୟରିଂ ପଢ଼ିବା ବେଳେ ପିଲାଟିଏ ସହ ତା'ର ପରିଚୟ । ନାଁ ଶ୍ଳୋକ ଶର୍ମା । ବାପା ମାଆ ର ଏକ ମାତ୍ର ପୁଅ । ବାପା ଜଣେ ବଡ଼ ବିଜନେସ୍ ମ୍ଯାନ । ସେମାନେ ବିହାରୀ ବ୍ରାହ୍ମଣ ପରିବାରର ।
ଏକା ସହ ପଢୁ ପଢୁ ଦିନେ ଶ୍ଳୋକ ତାକୁ ପ୍ରପୋଜ କଲା । ପ୍ରଥମେ ତ ସେ ମନା କରିଦେଲା । ହେଲେ ପରେ ତା'ର ଭଲପାଇବାର ନିଷ୍ଠା ଆନ୍ତରିକତା ଆଚାର ବ୍ୟବହାର ଦେଖି ,ସେ ତା କଥାରେ ରାଜି ହୋଇଗଲା ।
ସବୁକିଛି ଠିକଠାକ ଚାଲିଥିଲା । ସାଥି ହୋଇ ଦୁହେଁ ଭବିଷ୍ୟତର ସ୍ବପ୍ନ ଦେଖିଲେ ।ଜୀବନ ରଙ୍ଗୀନ ମନେ ହେଉଥିଲା। କିନ୍ତୁ ଭାଗ୍ୟର ବିଡମ୍ବନା, ହଠାତ୍ ତାର ଦେହ ଖରାପ ହେବା ଆରମ୍ଭ ହେଲା ଏବଂ ଶେଷରେ ଦିନେ ଥାଲାସେମିଆ ଡିଟେକ୍ଟ ହେଲା ।
ଆଉ ତା' ପରର ଘଟଣା ସହ ମୁଁ ଅବଗତ ।
ଶ୍ଳୋକ ଶର୍ମା ସହ ତା'ର ପରିଚୟ । ପରେ ପ୍ରେମ । ଏବେ ଥାଲାସେମିଆ । ମୋଟାମୋଟି ଏହାହିଁ ଘଟଣା ।
ଏବେ କିନ୍ତୁ ସବୁ ଜାଣିଲା ପରେ ଶିଳାଲିପି ର ମନ ଭାଙ୍ଗି ଯାଇଥିଲା । ସେ ବିବାହ କରି ଆଉ କାହା ଜୀବନକୁ ନଷ୍ଟ କରିବାକୁ ଚାହେଁନା । ସେ ଜାଣିଛି ଏ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ନାହିଁ । ତେଣୁ ସେ ମନେ ମନେ ଠିକ୍ କଲା ଜୀବନରେ କେବେ ମ୍ୟାରେଜ କରିବ ନାହିଁ ।
ମୁଁ ପଚାରିଲି ଏବେ ତାହେଲେ ସମସ୍ୟା କ'ଣ । ମୋତେ ତମେ କଣ ପଚାରିବା ପାଇଁ ଆସିଛ ।
ସେ କହିଲା, ସାର ସବୁ ଜାଣି ବି ଶ୍ଳୋକର ଏକା ଜିଦ୍ , ସେ ମୋତେ ହିଁ ବାହା ହେବ । ନ ହେଲେ ଆଜୀବନ ଅବିବାହିତ ରହିବ ।
ଆପଣ ହିଁ କୁହନ୍ତୁ । ଏତେ ସବୁ ପରେ, ମୁଁ କେମିତି ରାଜି ହୋଇଯିବି ? ମୋ ନିଜ ସହ ତାକୁ ମଧ୍ୟ ଠେଲି ଦେବି ଏକ ଅନ୍ଧାରି ଦୁନିଆ କୁ । ମୁଁ କ'ଣ ଏତେ ସ୍ବାର୍ଥପର ହୋଇ ପାରିବି !
ମୋ ପାଖରେ ଶିଳାଲିପିର ସେ ପ୍ରଶ୍ନ ର କୈାଣସି ଉତ୍ତର ନଥିଲା ।
କିଛି କ୍ଷଣ ଚୁପ୍ ରହିଲା ପରେ , ମୁଁ କହିଲି , ଦେଖ ଶିଳାଲିପି , ଦୁନିଆ ରେ ବହୁ ଲୋକ ଏ ରୋଗରେ ଆକ୍ରାନ୍ତ ହୋଇ ବି ଘର ସଂସାର କରୁଛନ୍ତି । କିଛି ଲୋକ ବିବାହ ପରେ ଜାଣନ୍ତି,ସେମାନେ ସେ ରୋଗରେ ଆକ୍ରାନ୍ତ । ତାପରେ ମଧ୍ୟ ସେମାନେ ଦୀର୍ଘ ଦିନ ଯାଏ ଜୀବିତ ହୋଇ ଜୀବନ ବିତାଉଛନ୍ତି । କାରଣ ସେମାନେ ଥାଲାସେମିଆ କ୍ୟାରିୟର , ଠିକ୍ ତମ ପରି । ଥାଲାସେମିଆ ଏକ୍ଟିଭ୍ ନୁହଁନ୍ତି ।
ଜଣେ ଡକ୍ଟର ଭାବେ ମୁଁ କେବଳ ଏତିକି କହିବି ଯେ , ସବୁ ବୁଝିସୁଝି ସେ ଯଦି ଏ ସଂପର୍କ କୁ ଆଗକୁ ବଢ଼ାଇବା ପାଇଁ ଚାହୁଁଛି, ତେବେ ସଂପର୍କ ର ଭବିଷ୍ୟତ ଏବେ ତମ ଦୁଇଜଣଙ୍କ ଉପରେ ନିର୍ଭର କରୁଛି । ମାଆ ବାପାଙ୍କ ସହିତ କଥା ହୋଇ ଯେଉଁ ଟା ଠିକ୍ ମନେ କରୁଛ , କାହା ମନେ ଦୁଃଖ ନ ଦେଇ ତାହା କର ।
ଶିଳାଲିପି କିଛି ସମୟ ଯାଏ ମୋ ସାମ୍ନାରେ ସେମିତି ବସି ରହିଥିଲା । ବୋଧହୁଏ କ'ଣ କରିବ କଣ ନାହିଁ କିଛି ଠିକ୍ କରିପାରୁ ନଥିଲା ।
ମୁଁ ପୁଣି ଶିଳାଲିପିକୁ ଶାନ୍ତ୍ବନା ଦେଇ କହିଲି, ଦେଖ ଶିଳାଲିପି , ଯଦି ତମ କହିବା ଅନୁସାରେ ଶ୍ଳୋକ ଭଲ ପିଲା ହୋଇଥିବ , ତେବେ ହୁଏତ ତା ବାପା ମା' ରାଜି ହୋଇଯିବେ ଏବଂ ତମ ବାପା ମା' ମଧ୍ୟ ତମକୁ ଭୁଲ ବୁଝିବେନି ।
ବାକି ରହିଲା ତମ ଦେହ କଥା ।ମୋ ଆଶା ତମେ ଯେହେତୁ ଥାଲାସେମିଆ କ୍ୟାରିୟର , ନିୟମିତ ମେଡିସିନ ଖାଇଲେ ନିଶ୍ଚିତ ସୁସ୍ଥ ରହିବ ।
ସେଦିନ ମୋଠାରୁ ବିଦାୟ ନେଇ ଶିଳାଲିପି ଫେରିଯାଇଥିଲା , ନିଜ ଜୀବନ ପୁସ୍ତକର ଦ୍ବିତୀୟ ଅଧ୍ୟାୟ ଲେଖିବାକୁ ।
ଆଉ ଆଜି ଯାଇ ଫେରିଛି ଏତେ ଦିନ ପରେ ।
ସମସ୍ତେ ଗଲା ପରେ ଶିଳାଲିପି ମୋ ଚ୍ଯାମ୍ବରକୁ ଆସି ନକ୍ କଲା । ମୁଁ ତାକୁ ଭିତରକୁ ଡାକିବାରୁ , ସେଇ ପିଲାଟିକୁ ନେଇ ସେ ମୋ ଆଗରେ ଛିଡା ହେଲା । ଦୁହିଁଙ୍କୁ ମୁଁ ବସିବାକୁ କହିଲି । ସେ ,ପିଲାଟିକୁ ଶ୍ଳୋକ ବୋଲି କହି ମୋ ସହ ପରିଚୟ କରାଇ ଦେଲା ।
ପିଲାଟି ଥିଲା ଖୁବ୍ ଭଦ୍ର । ଚ୍ଯାମ୍ବରରେ ପ୍ରବେଶ କରୁ କରୁ ମୋତେ ପ୍ରଣାମ ଜଣାଇ ଥିଲା । ଆଗରୁ ତ ମୁଁ ତା ବିଷୟରେ ଶିଳାଲିପି ଠାରୁ ବହୁତ କିଛି ଶୁଣିଥିଲି , ଆଜି ସାମ୍ନା ସାମ୍ନି ପରିଚୟ ପାଇଲି ।
ଦେଖିଲି ଦୁହେଁ ବହୁତ ଖୁସି ଥିଲେ । ପରେ ଶିଳାଲିପି କହିଲା ଲକ୍ ଡାଉନ୍ ପିରିୟଡ଼ ରେ ଦୁଇଜଣଙ୍କର ବିବାହ ଅତି ନିରାଡମ୍ବର ଭାବେ ହୋଇଯାଇଛି ।
ମୋତେ ଯୋଗାଯୋଗ କରି ପାରିନଥିବାରୁ ସେ ଖୁବ ଦୁଃଖ ପ୍ରକାଶ କଲା । କହିଲା ସବୁକିଛି ଜଲଦି ରେ ହୋଇଗଲା । କାହାକୁ ଜଣାଇବାକୁ ସମୟ ମିଳିଲାନି ।
ଏତେ ବଡ଼ ଖୁସିର କଥା ମଧ୍ୟ ରେ ବି ମୁଁ ବୁଝି ପାରୁ ନଥିଲି ଶିଳାଲିପି ର ମନ ଉଦାସ କାହିଁକି ।
ମୋତେ ବେଶୀ ସମୟ ଅପେକ୍ଷା କରିବା ପାଇଁ ନଦେଇ ଶିଳାଲିପି ଯାହା କହିଲା , ସେଥିରେ ମୁଁ ମୋ କାନକୁ ବିଶ୍ଵାସ କରି ପାରିନଥିଲି ।
କୋରନାରେ ଆକ୍ରାନ୍ତ ହୋଇ ଶ୍ଳୋକର ପିତା ହଠାତ୍ ଇହଧାମ ପରିତ୍ୟାଗ କରିଥିଲେ । ଆଉ ତାଙ୍କର ଶେଷ ଇଛାକୁ ପୂରଣ କରିବାକୁ ଯାଇ ସେ ମୃତ୍ୟୁ ପୂର୍ବରୁ ଶ୍ଳୋକ କୁ ଜୀବନସାଥୀ ରୂପେ ଗ୍ରହଣ କରିଛି ।
ସତରେ ଜୀବନ ବଡ଼ ବିଚିତ୍ର । ଏଠି କେଉଁ ମୂହୁର୍ତ୍ତ ରେ କିଛି ବି ଘଟି ଯାଇପାରେ । ସେଇଥିପାଇଁ ତ ଅନେକ ସମୟରେ ମଣିଷ ର ପ୍ରତିଟି ମୂହୁର୍ତ୍ତ, ମନ ଆଉ ବିବେକ ର ସଂଘର୍ଷ ମଧ୍ୟରେ କଟିଥାଏ ।
ମୋତେ ପ୍ରଣାମ କରି ଦୁହେଁ ଫେରି ଯାଇ ସାରିଥିଲେ ଅଦୂରରେ । ଆଉ ମୁଁ ମନେ ମନେ ଇଶ୍ବର ଙ୍କ ପାଶେ , ଶିଳାଲିପି ର ନିରାମୟ ଦୀର୍ଘ ଜୀବନ କାମନା କରୁଥିଲି ମୋ ଅଜାଣତରେ। ହଁ ବୋଧହୁଏ ସେମାନଙ୍କ ପ୍ରତି ମୋ ଅନ୍ତରଙ୍ଗତାର ବିଭୋରପଣରେ ।

