Amit Bal

Romance Tragedy

4.6  

Amit Bal

Romance Tragedy

ଜହ୍ନ ରାତିର ଗର୍ବ

ଜହ୍ନ ରାତିର ଗର୍ବ

4 mins
254


    ଦୁଇ ଦିନ ହେଲା ଶୁଭେନ୍ଦୁ ଆଖିରେ ନିଦ ନାହିଁ । ମନ ଭିତରେ ଅପମାନର ଅଗ୍ନି ହୁତ୍ ହୁତ୍ ହୋଇ ଜଳୁଛି । ସାରା ରାତି ଖଟ ଉପରେ ଏପଟ ସେପଟ ହୋଇ ବିତି ଯାଇଛି । ଚାହିଁଲେ ବି ସେଦିନର କଥାକୁ ସେ ଭୁଲି ପାରୁ ନାହିଁ । 

      କ'ଣ ଦୋଷ ଥିଲା ତା'ର । ସମସ୍ତଙ୍କ ସାମ୍ନାରେ ଝିଅର ବାପା‌ ତାକୁ ଏମିତି ଅପମାନିତ କଲା । ସେମାନେ ମନା କରିଥିଲେ ସେ କ'ଣ ଜୋର ଜବରଦସ୍ତ ତାଙ୍କ ଘରକୁ ଯାଇଥାନ୍ତା । ମଧ୍ୟସ୍ଥି କଥାରେ ବିଶ୍ବାସ କରି ସେ ଝିଅ ଦେଖିବା ପାଇଁ ବିନୁ ସହ ଯାଇଥିଲା । ବିନୁ ତା' ସହକର୍ମୀ , ତା' ତଳେ କାମ କରେ । କ'ଣ ଭାବିଥିବ ସେ ।

      ସେଦିନ ଉପର ଓଳି ସେମାନେ ଯେତେବେଳେ ଦାସ ବାବୁଙ୍କ ଘରେ ପହଞ୍ଚିଲେ , ତାଙ୍କ ଘର ଲୋକଙ୍କ କଥା ବାର୍ତ୍ତା ତା'ର ଜମାରୁ ପସନ୍ଦ ହୋଇନଥିଲା ।ଲୋକ ଗୁଡାକ ଖୁବ୍ ଗର୍ବୀ । କଥା କଥାରେ ଅହଂକାର ଫୁଟି ଉଠୁଥିଲା । ମନେ ହେଉଥିଲା ଯେପରି ପୁରୁଷ ପୁରୁଷର ଜମିଦାର ଖାନଦାନ୍ । ପ୍ରତି କଥାରେ ଛଳନା । ପ୍ରଥମରୁ ହିଁ ଶୁଭେନ୍ଦୁର ମନ ଭାଙ୍ଗି ଯାଇଥିଲା । ସେ କେବଳ ମଧ୍ୟସ୍ଥି ଆଚାର୍ଯ୍ୟ ବାବୁଙ୍କ ମୁହଁ କୁ ଚାହିଁ ସେଠାରେ ବସିଥିଲା ।

       ଶୁଭେନ୍ଦୁର ସବୁ ଧୈର୍ଯ୍ୟ ର ସୀମା ସେତେବେଳେ ଭାଙ୍ଗି ଯାଇଥିଲା , ଯେତେବେଳେ ଚାହା ଜଳଖିଆ ପରେ ଝିଅର ବାପା ଝିଅ ଦେଖିବା ଆଗରୁ ହିଁ, ସିଧା ସିଧା ଶୁଭେନ୍ଦୁ ମୁହଁ ଉପରେ କହିଲେ, କ୍ଷମା କରିବେ ଆମେ ଆମ ଝିଅ ପାଇଁ ଏ ପ୍ରସ୍ତାବ ଠିକ୍ ମନେ କରୁନାହୁଁ ।ଆମର ଇଛା ଆମ‌ ଝିଅର ବାହାଘର କୈାଣସି ସିଭିଲ ସର୍ଭିସରେ ଥିବା ପିଲା ସହ ଅବା କୋଉ ଇଂଜିନିୟର ସହ ହେଉ ।

             ଦାସବାବୁଙ୍କ କଥା ଶୁଭେନ୍ଦୁ କୁ ଖୁବ୍ ଆଘାତ ଦେଇଥିଲା । ସେ ନିଜକୁ ଏତେ ଅପମାନିତ ମନେ କଲା ଯେ ତତକ୍ଷଣାତ୍ ସେଠାରୁ ବାହାରକୁ ଉଠି ଆସିଲା । ପରିସ୍ଥିତିକୁ ଦେଖି ଆଚାର୍ଯ୍ୟ ବାବୁ ମଧ୍ୟ ବିନୁ ସହ ସଙ୍ଗେ ସଙ୍ଗେ ବିଦାୟ ନେଇ ବାହାରି ଆସିଲେ । ବଡ଼ ଅସହଜ ଲାଗୁ ଥିଲା ତାଙ୍କୁ ଶୁଭେନ୍ଦୁ ସାମ୍ନାରେ । ସେ ଆଖି ମିଶେଇ ପାରିନଥିଲେ ତା ସହ ।

            ଶୁଭେନ୍ଦୁ ଗୋଟେ ମଧ୍ୟବିତ୍ତ ପରିବାରର ପିଲା । ବାପା ସ୍କୁଲ ଶିକ୍ଷକ । ପାଠ ପଢା ଶେଷ କଲାପରେ ଶୁଭେନ୍ଦୁ ମଧ୍ୟ ଏକ ପ୍ରାଇଭେଟ୍ ବ୍ୟାଙ୍କରେ ମ୍ୟାନେଜର ପୋଷ୍ଟରେ ଅଛି । ଭଲ ରୋଜଗାର । ସମାଜରେ ସମ୍ମାନ ଅଛି । ଅଥଚ ସେମାନେ ତାକୁ ଏପରି ଅପମାନିତ କଲେ । ଯେମିତି ସେ ଜଣେ ମୁର୍ଖ ବେରୋଜଗାର । ତାଙ୍କ ଝିଅ ଗୋଟେ ଜହ୍ନ ଏବଂ ସେ ସେଇ ଜହ୍ନ ରାତିର ଅପହଞ୍ଚ ଇଲାକାର ଅନ୍ଧକାର । ହୁଏତ ଜହ୍ନରେ କଳଙ୍କ ।

        ଏ ଭିତରେ ଛଅ ମାସ ବିତି ଯାଇଥିଲା । ଶୁଭେନ୍ଦୁର ବିବାହ ବି ହୋଇ ସାରିଥିଲା , ତା' ସହରର ଜଣେ ଅଧ୍ୟାପକଙ୍କ ସହ । ସୋନାଲି ମହାନ୍ତି ।ପାଖ ସହରରେ ଘର । ବାପା ସରକାରୀ ଚାକିରିଆ ଥିଲେ । ଭାଇ ବ୍ୟବସାୟ କରନ୍ତି । ଗାଡ଼ି ମୋଟରର ବ୍ୟବସାୟ । ଖୁବ୍ ଭଦ୍ର ପରିବାର । ଶିକ୍ଷିତ ପରିବାର । ତେଣୁ ସେମାନେ ଝିଅ ଜୋଇଁ ଉପରେ ଅଯଥା ଅଧିକାର ସାବ୍ୟସ୍ତ କରିବା ସପକ୍ଷରେ ନଥିଲେ ।

        ସେଦିନ ସେକେଣ୍ଡ ସଟର ଡେ ଥାଏ । ଶୁଭେନ୍ଦୁ ର ବ୍ୟାଙ୍କ ଅଫ । ସୋନାଲି ମଧ୍ୟ କଲେଜ ଯାଇ ନ ଥାଏ । ଦୁହେଁ ଠିକ୍ କଲେ ସୋନାଲି ଘର ଆଡ଼ୁ ବୁଲି ଆସିବେ । ବାହୁଡ଼ା ପରେ ଏତେ ଦିନ ହେଲାଣି, ସୋନାଲି ଆଉ ବାପା ଘରକୁ ଯାଇ ନାହିଁ ।

       ଏପଟେ ଝିଅ ଜୋଇଁ ଆସୁଥିବାରୁ ଘରେ ସମସ୍ତେ ହରବର ହେଉଥିଲେ ।ବାପା ନିଜେ ଗାଡ଼ି ନେଇ ସେମାନଙ୍କୁ ଆଣିବା ପାଇଁ ଷ୍ଟେସନ ଗଲେ । ଡ଼୍ରାଇଭର ନ ଆସି ଆପଣ କାହିଁକି ଆସିଲେ ବୋଲି ଗାଡିରେ ବସୁ ବସୁ ସୋନାଲି ବାପା ଙ୍କୁ ପଚାରୁଥିଲା । ଶୁଭେନ୍ଦୁ କହିଲା ଆମେ ଟ୍ୟାକ୍ସି କରି ଚାଲି ଯାଇଥାନ୍ତେ ।ଆପଣ କ'ଣ ପାଇଁ ଆସିଲେ ।

      ଝିଅ ଜୋଇଁ ଙ୍କ କଥା ଶୁଣି ସୋନାଲିର ବାପା ହସି ଦେଇ ଥିଲେ । କହିଲେ ତୋ ଭାଇ ଆସିଥାନ୍ତା। କିନ୍ତୁ ହଠାତ୍ ଥାନାରୁ ଫୋନ ଆସିଲା ତ, ସେଥିପାଇଁ ସେ ସେଠାକୁ ଗଲା ,ମୁଁ ତମ ମାନଙ୍କୁ ନେବାକୁ ଚାଲି ଆସିଲି ।

      ସୋନାଲି ପଚାରିଲା ଭାଇ କାହିଁକି ଥାନାକୁ ଯାଇଛନ୍ତି , ଟୁକୁ କାହକୁ ଗାଡ଼ିରେ ବାଡ଼େଇ ଦେଇଛି ନା କ'ଣ । ଟୁକୁ ତାଙ୍କ ଡ଼୍ରାଇଭର । ବାପା କହିଲେ ନାଇଁ ନାଇଁ ସେ ଅନ୍ୟ କଥା ପାଇଁ ଯାଇଛି । ଟୁକୁର ବାହାଘର କଥା ନେଇ । ସେ ଗୋଟିଏ ଝିଅ କୁ ନେଇ ଆସିଛି । ବାହା ହେବ । ସେଇଥିପାଇଁ ଥାନାବାବୁ କ'ଣ ପଚାରିବାକୁ ତୋ ଭାଇକୁ ଡାକିଛନ୍ତି ।

       ଶ୍ବଶୁର ଘରୁ ଦିନ ଟିଏ ରହି ଶୁଭେନ୍ଦୁ ସୋନାଲି ସହ ଫେରି ଆସିଥିଲା । ଏ ଭିତରେ କିଛି ଦିନ ବିତି ଗଲାଣି। ସେଦିନ ସୋମବାର ଥାଏ । ଗୁଡ଼ାଏ କାମ ଅଫିସରେ । ନିଃଶ୍ବାସ ନେବାକୁ ଫୁରସତ ନାହିଁ ।ବ୍ୟାଙ୍କ ଖୁବ୍ ଭିଡ଼ । ହଠାତ୍ ଶୁଭେନ୍ଦୁ ଦେଖିଲା ଜଣେ ବୟସ୍କ ଭଦ୍ରବ୍ୟକ୍ତି ତା'ର ଚ୍ୟାମ୍ବର ଭିତରକୁ ପଶି ଆସୁଛନ୍ତି। ଲୋକଟି ଚିହ୍ନା ଚିହ୍ନା ଲାଗୁଥିଲା ।ହେଲେ ଲୋକଟିକୁ କେଉଁଠି ଦେଖିଛି ଶୁଭେନ୍ଦୁ ମନେ ପକାଇ ପାରୁନଥିଲା । ଏହି ସମୟରେ ଅଫିସ ପିଅନ ପଶି ଆସି କହିଲା , ହେଇଟି ମଉସା କୁଆଡେ ପଶି ଯାଉଛ । ମୁଁ ତମକୁ ଲୋନ୍ ସେକ୍ସନକୁ ଯିବାକୁ କହିଲି, ତମେ ଏଠି ପଶିଯାଉଛ ।

      ଶୁଭେନ୍ଦୁ ନିଜ କାମରେ ମନ ଦେବାକୁ ଯାଉଥିଲା । ବିନୁ ଆସି ହାଜର । କହିଲା ଭାଇ ଚିହ୍ନି ପାରିଲେ ନା ଲୋକଟିକୁ । ଶୁଭେନ୍ଦୁ କହିଲା କୋଉ ଲୋକ? ଆଖି ନଚେଇ ବିନୁ କହିଲା, ଏଇତ ଟିକିଏ ଆଗରୁ ଯିଏ ଆପଣଙ୍କ ଚେମ୍ବର କୁ ଆସିଥିଲା ଲୋନ ପାଇଁ ! ଏ ସେଇ ଲୋକ ଭାଇ, ଯିଏ ତା ଝିଅ ପାଇଁ ଆମକୁ ଦିନେ ଅପମାନିତ କରି ଘରୁ ବାହାରି ଯିବାକୁ ବାଧ୍ୟ କରିଥିଲା । ଜାଣିଛନ୍ତି ତା' ଝିଅ ଶେଷରେ ଗୋଟେ ଡ୍ରାଇଭର ସହ ଫେରାର । ଆଉ ଗଲାବେଳେ ବୁଢ଼ାର ଟଙ୍କା ସୁନା ସବୁ ନେଇ ଯାଇଛି । ବୁଢ଼ା ଏବେ ଦେବାଳିଆ ।

         ଶୁଭେନ୍ଦୁ ନିଜ କାନକୁ ବିଶ୍ୱାସ କରି ପାରୁ ନଥିଲା । ପୁରା ଘଟଣା ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ରାତି ପରେ ସକାଳର ଆଲୁଅ ଭଳି ,  ତା ଆଗରେ ଫର୍ଚ୍ଚା ହୋଇ ଆସୁଥିଲା ‌। ତାକୁ ଆଉ ବୁଝିବା ପାଇଁ ବାକି ନ ଥିଲା ଯେ, ଟୁକୁ ତା' ଶ୍ବଶୁର ଘର ଡ୍ରାଇଭର ,ବାହା ହୋଇଥିବା ଝିଅଟି ଦାସବାବୁର ଝିଅ ବ୍ୟତୀତ ଅନ୍ୟ କେହି ନୁହେଁ ।

        ତାକୁ ଦୟା ଲାଗୁଥିଲା ଦାସବାବୁଙ୍କ ଉପରେ । ତା' ଠାରୁ ବେଶୀ ସେ ଝିଅ ଉପରେ ।ପାଠ ଶାଠ ପଢି କେମିତି ଜଣେ ଏପରି ଭୁଲ କରିପାରେ । ମନ କହୁଥିଲା ତା' ଅପମାନର ପ୍ରତିଶୋଧ ସେ ଏମିତି ବି ଚାହିଁ ନଥିଲା । ହଁ ମଣିଷର ଆତ୍ମଗର୍ବ ମଣିଷକୁ ବେଳେ ବେଳେ ଅଥଳ ଖାଇ ଭିତରକୁ ଠେଲି ନିଏ । ଯେଉଁଠି ସେ , ମରି ପାରେ ନା ଜିଇଁ ପାରେ । କେବଳ ନିୟତି କୁ ଅପେକ୍ଷା କରେ ।              


Rate this content
Log in

Similar oriya story from Romance