ଜହ୍ନ ରାତି ଆଉ ଶ୍ରଦ୍ଧା
ଜହ୍ନ ରାତି ଆଉ ଶ୍ରଦ୍ଧା


ଶ୍ରଦ୍ଧା ଛାତ ଉପରେ ବସି ଜହ୍ନ ରାତିକୁ ଉପଭୋଗ କରୁଥିଲା ଆଉ ଭାବନାରେ ଡୁବି ଯାଇଥିଲା ।
ତା ପରିଚିତ ଜହ୍ନ ରାତି । ତା ପାଇଁ ଶୁଭ ସଙ୍କେତଟିଏ । ବଡ ଆଶ୍ଚର୍ଯ୍ୟ କଥା ଇଏ ଯେତେବେଳେ ବି ତା ଜୀବନରେ କିଛି ଶୁଭ ଘଟଣାଟିଏ ଘଟିଛି ଏଇ ଜହ୍ନ ରାତି ତା ସାଥିରେ ରହି ଆସିଛି । ଯେମିତି ପ୍ରଣୟ ତା ଜୀବନରେ ଆସିବା ।
ହଠାତ୍ ମୋବାଇଲ ରିଂ ଶୁଣି ଭାବନାରେ ପୂର୍ଣ୍ଣଛେଦ ପଡ଼ିଗଲା ତାର । କାନରେ ଦଉ ଦଉ ପ୍ରଣୟ ବହୁତ ରୋମାଣ୍ଟିକ ସ୍ବରରେ କହୁଥିଲେ - ଆଇ ଲଭ୍ ୟୁ ଜାନୁ , ଆଜି ମୋ ପସନ୍ଦର ଶାଢ଼ୀ ଆଉ ସବୁ ପିନ୍ଧିଛ ନା ? ମୁଁ ଆଉ ଘଣ୍ଟାକ ପରେ ପହଞ୍ଚି ଯିବି ଆଉ ପହଞ୍ଚିବା ପରେ ଯେମିତି ପ୍ରଥମେ ମୋ ଓଠରେ ତୁମ ଓଠର ଚୁମା ଟିଏ ଚାହେଁ ବାସ୍ । ଲଭ୍ ୟୁ , ଚୁପ୍.. ପା... ।
ଭିତରେ ଭିତରେ ଶିହରିତ ହେଇ ଯାଉଥିଲା ଶ୍ରଦ୍ଧା । ଭାବୁଥିଲା ଏ ପ୍ରଣୟ ସହ ଇଶ୍ବର ତାର ଆଗରୁ ସାକ୍ଷାତ କାହିଁକି କଲେନି ଯେ । କାହିଁକି ରାଜୀବ ଭଳି ଜଣେ ଅମଣିଷକୁ ତାର ପ୍ରେମିକ ପରେ ସ୍ବାମି ବନେଇଥିଲେ ।
ପୁଣି ଫୋନ୍ କଲେ ପ୍ରଣୟ - ଜାନୁ ଆଜି କ'ଣ ଆଇଟମ କରିଛ ?
- ସାର୍ ଜୀ , ଆଜି ସୋୟାବିନ ତରକାରୀ ଆଉ ଭେଣ୍ଡି ଆଳୁ ଭଜା ।
- ଠିକ୍ ଅଛି ଗୋଟେ ଡବଲ ଅଣ୍ଡା ଆମଲେଟ ବନେଇଦିଅ ମଜା ଆସିଯିବ । ରଖୁଛି ଜାନୁ
- ଓକେ ସାର୍ ଜୀ
ମନେ ପଡିଗଲା ସେଦିନର ଜହ୍ନ ରାତି । ଯୋଉ ଜହ୍ନ ରାତି ଭେଟି ଦେଇଥିଲା ତାକୁ ପ୍ରଣୟ ଭଳି ଜଣେ ସୁଯୋଗ୍ୟ ମଣିଷକୁ ।
ତା ଜୀବନର ସେଇ ରାତିଟି ଶେଷ ରାତି ବୋଲି ଭାବି ନେଇଥିଲା , ହେଲେ ସେ ଜାଣିନଥିଲା ସେ ଆଉ ଗୋଟେ ନୂଆ ଜୀବନର ଆରମ୍ଭ ହୋଇଯିବ ବୋଲି ।
ବାସ୍ ଆଉ କେହି ସେକେଣ୍ଡ ପରେ ଶ୍ରଦ୍ଧା ଟ୍ରେନ ସହ ଧକ୍କା ହୋଇ ଶବ ପାଲଟି ଯାଇଥାନ୍ତା ଯଦି ଠିକ୍ କେଇ ସେକେଣ୍ଡ ପୂର୍ବରୁ ହଠାତ୍ ପ୍ରଣୟ ଆସି ଶ୍ରଦ୍ଧାକୁ ଟ୍ରାକ କଡ଼କୁ ଟାଣି ନେଇ ନଥାନ୍ତା ତ ।
ପ୍ରାୟ ଦୁଇଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଶ୍ରଦ୍ଧାକୁ ବୁଝେଇ ସୁଝେଇ ସାଥିରେ ଆଣିଥିଲା ପ୍ରଣୟ । ନିଜ ଓକିଲ ଜୀବନରେ ଜଣେ ଅଜଣା ମଣିଷକୁ ମୃତ୍ୟୁ ମୁଖରୁ ବଞ୍ଚେଇ ତା ପାଇଁ କେସ୍ ଲଢିବା ବଡ ଆଶ୍ଚର୍ଯ୍ୟର କଥା ଥିଲା ପ୍ରଣୟ ପାଇଁ । ଶ୍ରଦ୍ଧା ପାଖରେ କେବଳ ତା କଥା ବ୍ୟତୀତ ଆଉ କିଛି ବି ପ୍ରମାଣ ନଥିଲା ସେ ନ୍ୟାୟ ପାଇବାକୁ । କିନ୍ତୁ ପ୍ରଣୟ ସଂପୂର୍ଣ୍ଣ ସମର୍ପଣ କରି ଦେଇଥିଲା ସେଇ କେସ୍ ରେ । ତାପରେ ନିଜ କଥା ଚାତୁରୀ ଆଉ ବୁଦ୍ଧି ବଳରେ ସେ କେସ୍ ର ବିଜୟୀ ହୋଇଥିଲା । ଶ୍ରଦ୍ଧା ସପକ୍ଷରେ ଯାଇଥିଲା ସବୁ କଥା । ଶେଷରେ ନିଜ ଭୁଲ୍ ମାନି ଶ୍ରଦ୍ଧାକୁ ଆପଣେଇ ନେଇଥିଲେ ତା ଶାଶୁଘର ଲୋକେ । କିନ୍ତୁ ପୁଣି ତା ଉପରେ ଦୁଃଖର କଳା ବାଦଳ ଘୋଟି ଆସିଲା । ସେଇ ହତାଦର ଅବହେଳା ଗାଳିମନ୍ଦ ମାରପିଟ୍ । ସବୁ ନିନ୍ଦା ଅପମାନକୁ ସହି ବିନା କାରଣରେ ସମସ୍ତଙ୍କ ଭୁଲ୍ ର କାରଣ ବନୁଥିଲା ସେ ।
ଗତ ଥର ସିନା କେସ୍ ରେ ହାରି ଯାଇଥିବାରୁ ସେ ଜିତିବା ପାଇଁ ଆଶା ରଖିଥିଲା । ଏଥର କିନ୍ତୁ କିଛିବି ଆଶା ନଥିଲା ଅନ୍ୟ ମାନଙ୍କଠୁ କି ନିଜଠୁ ବି । ଖାଲି ସେ ଚାହୁଁଥିଲା ଚରମ ଶାନ୍ତି ଏ ଦୁନିଆ ରୁ ମୁକ୍ତି ।
ବାସ୍ ନିଜ ଭେନ୍ କାଟି ଦେଇଥିଲା କିନ୍ତୁ ତା ପୂର୍ବରୁ ସେ କାମ ପାଇଁ ଏମିତି ଏକ ଯାଗା ବାଛିଥିଲା ଯୋଉଠିକି ଦିନରେ ବି ମଣିଷ ମାନେ ଯିବାକୁ ଭୟ କରନ୍ତି । ଭାବିଲା ଏଇ ପଦକ୍ଷେପ ତାର ନିଷ୍ଫଳ ହେବନି ।
ସେ ଯେତେବେଳେ ଆଖି ଖୋଲିଲା ସେତେବେଳେ ସେ ନିଶ୍ଚିତ ହୋଇ ଯାଇଥିଲା ଯେ ସେ ସ୍ବର୍ଗରେ ଅଥବା ନର୍କରେ । କିନ୍ତୁ ସେତେବେଳେ ତା ଆଖି ସାମ୍ନାରେ ମେଡିକାଲ ବେଡ୍ ଉପରେ ବସିଥିଲେ ପ୍ରଣୟ । ଆଉ ତା ହାତ ଧରି କହିଥିଲେ
-- ତମକୁ କ'ଣ ଏଇଥି ପାଇଁ ସେଦିନ ଟ୍ରେନ ଲାଇନରୁ ବଞ୍ଚେଇ ଥିଲି ? କ'ଣ କରୁଛ ତୁମେ ଏସବୁ ? ଏମିତି ପରିସ୍ଥିତି କୁ ଡରି ଜୀବନ ହାରିଦେବା କ'ଣ ଉଚିତ ସମାଧାନ।
ଦୁନିଆଁ ତୁମ ପାଇଁ ଉପହାର ସ୍ବରୂପ ତୁମେ ଦୁନିଆଁ କୁ କିଛି ଉପହାର ଦିଅ । ବଞ୍ଚିବା ପାଇଁ କ'ଣ ଗୋଟିଏ ରାସ୍ତା ? ଏଠି ପା ନିଜ ଇଛାରେ ଆପଣେଇ ନେବାକୁ ହଜାରେ ରାସ୍ତା ପଡ଼ିଛି । ଶ୍ରଦ୍ଧା ଚାହିଁଥିଲା ଝରକା ଦେଇ ବାହାରକୁ ସେଦିନ ରାତିରେ ବି ଜହ୍ନ ଚିକ୍ ମିକ୍ କରୁଥିଲା ଆକାଶରେ । ଯେମିତି ତା'କୁ କହୁଥିଲା ଆଖି ବୁଜି ୟା ହାତ ଧଅ ଇଏ ତୋ ପାଇଁ ଦେବତା ।
ପ୍ରଣୟ ଶ୍ରଦ୍ଧାକୁ ନୂଆ ଆଶା ନୂଆ ବିଶ୍ବାସ ଦେଇ ବଞ୍ଚିବାର ରାହା ବନିଥିଲା । ତା ସାଥିରେ ଉତ୍ତମ ବନ୍ଧୁଟେ ହୋଇ ରହିଥିଲା । ଶ୍ରଦ୍ଧା ପ୍ରଣୟଙ୍କ ସହ ଏତେ ଖୁସିରେ ଥିଲା ଯେ ଆଉ ଅଣୁ ଟେ ବି ଅଭିଯୋଗ ନଥିଲା ଇଶ୍ବର ଙ୍କ ପାଖରେ କିଛି ତାର । କିନ୍ତୁ ଯେତେବେଳେ ସମାଜ ବନ୍ଧୁ ବାନ୍ଧବ ଅନ୍ୟମାନେ ସଂପର୍କ ଉପରେ ଆଙ୍ଗୁଠି ଦେଖାଇଲେ । ସେତେବେଳେ ଆଉ କିଛି ଉପାୟ ନପାଇ ଶ୍ରଦ୍ଧା ର ଅନୁମତି ନେଇ ତା ସିନ୍ଥିରେ ସିନ୍ଦୂର ଭରିଥିଲା ପ୍ରଣୟ । ଆଉ ଆଜି ଏଇ ଜହ୍ନ ରାତିକୁ ଦେଖିଦେଲେ ଶ୍ରଦ୍ଧାର ମନେ ପଡି ଯାଉଛି ପ୍ରଣୟ ଆଉ ଜହ୍ନ ରାତି ସହ ବିତିଥିବା ଏଇ ବିଶେଷ ମୁହୂର୍ତ୍ତ ସବୁ ।
ଇଲୋ ମା ଲୋ ହଠାତ୍ ଶ୍ରଦ୍ଧା ଜିଭ କାମୁଡି ଦେଲା ।
ଆରେ ଡବଲ ଅଣ୍ଡା ଆମଲେଟ ବନେଇବାର ଅଛି ପୁଣି , ଆମ ସାର୍ ଜୀ ଏବେ ଆସିଯିବେ ଯେ ।