ଝିପି ଝିପି ବର୍ଷାରେ ମୁଁ ଆଉ ସେ
ଝିପି ଝିପି ବର୍ଷାରେ ମୁଁ ଆଉ ସେ
ସନ୍ଧ୍ୟାରେ ବର୍ଷା ଆରମ୍ଭ ହେଇଥିବା ଦେଖି ବାଲକୋନି ରେ ଝିଅ ଖୁସି ରେ ନାଚି ଉଠିଲା । "ମାଆ, ଦେଖ ଆସ, ବର୍ଷା ହେଉଚି।" ଆଖି ଆଗରେ ପୁରୁଣା ସ୍ମୃତି ସବୁ ଭାସି ଉଠିଲା ଅନୁ ଆଖି ଆଗରେ। ଆଲମାରୀ ଭିତରୁ ପୁରୁଣା ଡାଇରୀ କାଢି ଦେଖିଲା। ତା କଲେଜ ସମୟର ଡାଇରୀ।
ବର୍ଷାରେ ଭିଜିବା ଭାରି ପସନ୍ଦ ଥିଲା ତାକୁ। କଲେଜ୍ ରୁ ଆସିଲା ବେଳେ ଯଦି ବର୍ଷା ହେଉଥିବ, ରେନିକୋଟ ନ ପିନ୍ଧି, ବର୍ଷା ରେ ଓଦା ହେଇ ଘରକୁ ଆସିବ ଅନୁ । ମାଆ ପଚାରିଲେ କହିଦିଏ 'ରେନି କୋଟ ବାହାର କରୁ କରୁ ଓଦା ହେଇଗଲି, ପିନ୍ଧିବି ଆଉ କଣ !' କେବେ କେବେ ଭଉଣୀ ସହ ଘର ଅଗଣାରେ ବର୍ଷା ରେ ଭିଜି ଭିଜି ନାଚିବା।
ସନ୍ଧ୍ୟାରେ ବର୍ଷା ହେଲେ, ବାଲକୋନିରେ ବସି ଶ୍ରୀତମ ଦାସ ଅଭିନୀତ ଆଲବମ ଗୀତ "ଶ୍ରାବଣର ରାତି ଥିବ, ଆକାଶରୁ ଝରୁ ଥିବ..." ଗୀତଟିକୁ ଶୁଣିବାକୁ ଭାରି ଭଲ ଲାଗେ ତାକୁ। ବାହା ହେଲେ ସେଇ ଗୀତରେ ସ୍ୱାମୀଙ୍କ ସହ ମିଶି ବର୍ଷାରେ ରେନ ଡ଼୍ୟାନ୍ସ କରିବାର ସ୍ୱପ୍ନ ଦେଖେ। ଡାଇରୀରେ ଆଙ୍କିଦିଏ ଚିତ୍ରଟିଏ ଆଉ ଲେଖେ "ଝିପି ଝିପି ବର୍ଷାରେ ମୁଁ ଆଉ ସେ।"
ଚାହୁଁ ଚାହୁଁ ଅନୁ ବାହା ହେଇ ଯାଇ ବାଙ୍ଗାଲୋର ରେ ରହିଲା। ଯେବେ ବି ବର୍ଷା ହେଉଛି ବୋଲି ଘରେ କୁହେ ସାନ ଭଉଣୀ ପଚାରେ, "ଆଉ ଦେଈ! ଭାଇନା ଙ୍କ ସହ ରେନ ଡ଼୍ୟାନ୍ସ ହେଲାଣି ନା ନାଇ !" "ଭେଣେଇ ତୋର ତ ଡେରି ରାତିରେ ଆସୁଛନ୍ତି, ଯେବେ ଜଲଦି ଆସିବେ, ସେବେ ହେବ" କହେ ଅନୁ। ଏମିତି ଦିନେ ବର୍ଷା କୁ ଦେଖି ଦେଖି ବାଲକୋନିରେ ବସିଥାଏ କି ସ୍ୱାମୀ ବିନୟ ଆସି ପହଁଚିଲେ। "ଜଲଦି ଆସିଗଲ! କହି ଆଶ୍ଚର୍ଯ୍ୟ ହେଇ ଦେଖିଲା ଅନୁ। ବିନୟ କହିଲେ, "ତମେ କହୁଥିଲ ନା, ତମକୁ ମୋ ସହ ରେନ ଡ଼୍ୟାନ୍ସ କରିବାର ଅଛି, ଝିପି ଝିପି ବର୍ଷାରେ ଥିବା ଖାଲି ମୁଁ ଆଉ ତମେ। ତେଣୁ ବର୍ଷା ହେବାର ଦେଖି ମୋତେ ସେ କଥା ମନେ ପଡ଼ିଲା ଓ ମୁଁ ଜଲଦି ପଳେଇ ଆସିଲି। ଆଜି " ବିନୟ ବ୍ୟାଗ ରଖି ଟାଣି ନେଲେ ଅନୁକୁ ଛାତ ଉପରେ। ମନ ଭରି ଦିହେଁ ବର୍ଷାରେ ଭିଯିବାର ଆନନ୍ଦ ନେଲେ।
ସ୍ପିକରରେ ରୋମାଣ୍ଟିକ ମ୍ୟୁଜିକ ଲଗେଇଦେଲେ ବିନୟ ଯେମିତିକି ବାଲକୋନି କୁ ଶୁଭିବ। ସତେ ଯେମିତି ଅନୁର ସ୍ୱପ୍ନ ପୁରା ହେଉଥିଲା। ମନଭରି ଡ଼୍ୟାନ୍ସ କଲାପରେ ଭିତରକୁ ଆସି ଯତ୍ନର ସହ ଅନୁର ଓଦା ମୁଣ୍ଡ ପୋଛିଦେଲେ। ତାପରେ ଅନୁକୁ ଡ୍ରେସ ଚେଞ୍ଜ କରିବାକୁ କହି ବିନୟ ଚାଲିଗଲେ ରୋଷେଇ ଘରକୁ ଗରମ ପକୁଡି ଓ ଚାହା ବନେଇବା ପାଇଁ।
ଅନୁକୁ ଡାଇନିଂ ଟେବୁଲ ରେ ବସେଇ ବିନୟ ପକୁଡି ଖଣ୍ଡେ ସସ୍ ରେ ବୁଡେଇ ବହୁତ ସ୍ନେହର ସହ ଅନୁ ପାଟି ଆଡେ ବଢ଼େଇ ଦେଲେ । ଅନୁ ପାଟି ରେ ଦେବାକୁ ଯାଉଥିଲା କି କେହି କଲିଂ ବେଲ ମାରିଲା। ଅନୁ ଯାଇ କବାଟ ଖୋଲିଲା ବେଳକୁ ଦେଖିଲା ବିନୟ ଛିଡା ହେଇଛନ୍ତି। ସେତିକି ବେଳେ ହୋସ ଆସିଲା ଯେ ଯାହା ଘଟିଥିଲା ତାହା ସ୍ୱପ୍ନ ମାତ୍ର।
କେବେ ନା କେବେ ତା ଇଚ୍ଛା ପୂରଣ ହେବ ଭାବି ଅପେକ୍ଷା କଲା। ମାତ୍ର ଧୀରେ ଧୀରେ ଜାଣି ପାରିଲା ଯେ କେବେ କେବେ ସ୍ୱପ୍ନ ଓ ବାସ୍ତବ ଦିଇଟି ଅଲଗା ଥାଏ। ବିନୟଙ୍କର ବର୍ଷାକୁ ନେଇ ଭାବନା ଅଲଗା ଥିଲା। ବର୍ଷାରେ ଜମା ଓଦା ହେବେନି କି ହେବାକୁ ଦେବେନି ସେ। କହିବେ, "ବର୍ଷାରେ କିଏ ଭିଜିବ ଆଉ ଓଦା ନଟପଟ ହେବ ! ଘର ଓଦା, ଲୁଗା ଓଦା, ଛିଃ! ସତ କହିବାକୁ ଗଲେ ବର୍ଷାଦିନ ଆସିଲେ ହିଁ ବିନାୟଙ୍କୁ ଵିରକ୍ତ ଲାଗେ।
ଏତିକି ବେଳେ ଝିଅ କହିଲା "ମା ପେପର ଗୋଟିଏ ଦିଅନା, ଡଙ୍ଗା ବନେଇ ଭସେଇବି।" ସେଇ ଡାଇରୀରୁ ପେପର ବର୍ଷାରେ ଭିଜୁଥିବା ପ୍ରେମୀଯୁଗଲାଙ୍କ ଚିତ୍ରଟି ଚିରି ଡ଼ଙ୍ଗା ଖଣ୍ଡେ ବନେଇ ଝିଅକୁ ଦେଲା ଅନୁ। ଭାବିଲା ରେନ ଡ଼୍ୟାନ୍ସ ନ କଲେ କଣ ବିନୟ ଖରାପ ହେଇ ଯିବେକି ! କେହି ଅନୁ ବିରୋଧରେ କହିକରି ଦେଖୁ, ବିନୟ ଢାଲଭଳି ଛିଡା ହେବେ। ଅନୁର ରୋଷେଇରେ କେବେ ଲୁଣ କମବେଶି ହେଲେ କେବେ କିଛି କହିବେନି। ଓଲଟା କହିବେ "ଚଳିବ, କେବେ କେବେ ଏମିତି ହେଇଯାଏ।"
ଜନ୍ମଦିନ, ଆନିଭରସରି ସବୁ ମନେ ରଖି ଉପହାର ଦିଅନ୍ତି, ରାତିରେ ହୋଟେଲରେ ଡିନର କରିବେ। ଜଣେ ସ୍ତ୍ରୀକୁ ଆଉ କଣ ଦରକାର ! ରେନ ଡ଼୍ୟାନ୍ସ ଠାରୁ ସ୍ୱାମୀଙ୍କ ସହଯୋଗ ବେଶି ଆବଶ୍ୟକ। ଦେଖୁ ଦେଖୁ ଝିଅ ବିଲ୍ଡିଂଗ ତଳେ ଦଙ୍ଗା ଭସେଇ ଆନନ୍ଦରେ ତାଳି ମାରି ଡେଉଁ ଥାଏ। ଅତୀତର ଅନୁକୁ ଭୁଲି ଭବିଷ୍ୟତର ଛୋଟ ଅନୁକୁ ଚାହିଁ ରହିଲା ଅନୁ।

