ପ୍ରପୋଜ
ପ୍ରପୋଜ
କଲେଜରେ ପ୍ରଥମ ବର୍ଷ ଯୋଉଭଳି ରାଗିଙ୍ଗ ହୁଏ ବହୁତ ପିଲା ତାହା ଭୋଗି ଥାନ୍ତି। ଇଞ୍ଜିନିୟରିଂ କଲେଜ ଗୁଡାରେ ତ କଣ କହିବ। ଆମର କେହି ଝିଅ ଇଞ୍ଜିନିୟରିଂ ଆଡେ ଯାଇ ନାହାନ୍ତି, ତେଣୁ ସମସ୍ତଙ୍କୁ ଭୟ।
ଶେଷରେ ମୁଁ ଇଞ୍ଜିନିଅରିଂ କଲେଜ ଗଲି । କି ନିୟମରେ ବାବା। ଗେଟ ପାଖରୁ ଗାଡି କିମ୍ବା ସାଇକେଲ ଗଡେଇ ଗଡେଇ ଷ୍ଟାଣ୍ଡ ଯାଏ ଯିବ। ପୁଣି ବ୍ୟାଗ କୁ ହାତରେ ଧରି। ଏ ଚାଲିସ କେଜି ଦେହରେ ବ୍ୟାଗ କୁ ହାତରେ ଧରି ଗାଡି ଗଡେଇବି।
ଦିନେ କ୍ଲାସ ସରିଲା ପରେ ଷ୍ଟାଣ୍ଡରୁ ଗାଡି ଗଡେଇ ଗଡେଇ ମେନ ଗେଟ ଆଡେ ଚାଲିଲି। କଲେଜ ଭାରି ଭିଡ଼। ଫାଇନାଲ ୟରଙ୍କ ପରୀକ୍ଷା ଚାଲିଛି। ୨ ଜଣ ପିଲା ଆସି ସାଙ୍ଗରେ ଚାଲିଲେ। ଜଣେ କହିଲା, "ମୋର ଗୋଟିଏ ଅସୁବିଧା ଅଛି।"
ବୁଲି ଚାହିଁଲି। କିଛି ନ କହି ଆଗେଇ ଚାଲିଲି ତ ଆର ଜଣକ କହିଲେ, "ଭାଇ କିଛି କହୁଛନ୍ତି ପରା।" ଭାବିଲି ଫାଇନାଲ ୟର ପିଲା ଭାଇ କହୁଛି ମାନେ ଏ ହେଉଛି ବ୍ୟାକ ପେପର ଵାଲା। "କୁହନ୍ତୁ" କହିଲି ।
ପିଲାଟି କହିଲା, "ମୁଁ ତମକୁ ଭଲ ପାଏ, କିନ୍ତୁ ତମ ଜାତିଠୁ ମୁଁ ଛୋଟ ଜାତିର।" ମୁଁ ଚୁପ ରହିବାରୁ ଦିତୀୟ ଜଣକ "ରିପ୍ଲାୟ ଦିଅ ଭାଇଙ୍କୁ।" କହିଲା। ଇଚ୍ଛା ହେଉଥାଏ ତାକୁ ଆଗେ ଚାପୁଡ଼ା ଗୋଟେ ପକାନ୍ତି। କହିଲି, "ଆପଣ ଯୋଉ ଜାତିର ହୁଅନ୍ତୁ, ମୁଁ ଆପଣଙ୍କୁ ଭଲ ପାଏନି।" ଏତିକି କହି ଗାଡି ଷ୍ଟାର୍ଟ କରିବାକୁ ଗଲି।
"ଯିବାକୁ କହିନୁ" କହି ପିଲାଟି ମୋ ଗାଡି ପଛରେ ଧରିଲା। କହିଲି "କଲେଜ ରେ ସିନିୟର ବୋଲି ତମ ପ୍ରପୋଜ କୁ ମୁଁ ହଁ କରିଦେବି ଭାବିବାଟା ଭୁଲ ତମର। ଆଉ ସିନିଅର ଦେଖେଇବ କଲେଜ ଗେଟ ଭିତରେ। ଭଲରେ ଦେଖ ମୁଁ ଗେଟ ବାହାରେ ଅଛି ଏବେ। ଆଉ ଏଭଳି ଅଭଦ୍ରାମି କରି ମୋତେ ଆକ୍ସନ ନେବାକୁ ବାଧ୍ୟ କରନି।"
ପିଲାଟି କିଛି କହୁଥାଏ କି ମୁଁ ଗାଡି ଷ୍ଟାର୍ଟ କରି ବାହାରି ଗଲି। ଯିବା ବେଳେ ଭାବିଲି, ଏ ଭଳି ବି ପ୍ରପୋଜ ହୁଏ ! ସବୁ ତ ସପନ ଦୁନିଆରେ ବୁଲିଲେ। ପ୍ରପୋଜ କରିବେ, ଝିଅ ହଁ କହିବ ତ ମିଶିକରି ପ୍ରେମ ଗୀତ ଗାଇବେ। ରଙ୍ଗୀନ ଦୁନିଆରେ ଭାସି କାହିଁକି ବାପା ମାଆ କଲେଜ ପଠାଉଛନ୍ତି ବି ଭୁଲି ଯାଉଛନ୍ତି।
