STORYMIRROR

Jharana Pradhan

Drama

4  

Jharana Pradhan

Drama

ପ୍ରେମିକର ଗୋଲାପ

ପ୍ରେମିକର ଗୋଲାପ

3 mins
289

ସ୍ୱପ୍ନା ନାଲି ଗୋଲାପ ଧରି ବସି ରହିଥାଏ ଓ ଭାବୁଥାଏ ଜୀବନରେ ଏହି ନାଲି ଗୋଲାପ କେତେ ସ୍ମୃତି ଦେଇ ଯାଇଛି। ଅତୀତର କେତେ ସ୍ମୃତି ମନେ ପଡି ଯାଉଥାଏ।

ବର୍ଷ ୨୦୦୦, କଲେଜ୍ ସରି ଯାଇଥାଏ। ହଷ୍ଟେଲ ଛାଡି ଘରକୁ ଫେରିବା ସମୟ। ଟ୍ରେନ୍ ସମୟ ହେଇଗଲାଣି। ସେପଟେ ସମୀର ଦେଖା କରିବେ କହିଥିଲେ। ସମୀର ହେଉଛି ସ୍ୱପ୍ନାର କଲେଜ ସିନିଅର। ସ୍ୱପ୍ନା ଯୁକ୍ତ୩ ପ୍ରଥମ ଶ୍ରେଣୀ ବେଳକୁ ସମୀର ହେଉଛି ଶେଷ ବର୍ଷର ଛାତ୍ର। କଲେଜ ଛାଡିବା ଆଗରୁ ଦିନେ କଲେଜ ଛାତ ଉପରେ ସ୍ୱପ୍ନାକୁ ପ୍ରପୋଜ କରିଥିଲା। ହାତରେ ଗୋଟିଏ ନାଲି ଗୋଲାପ ଆଉ ଗୋଟିଏ ମୁଦି ଧରି ଆଣ୍ଠେଇ, ପୁରା ସିନେମା ଭଳି। କହିବାକୁ ଗଲେ ସମସ୍ତେ ସମୀରକୁ କଲେଜ ହିରୋ କହୁଥିଲେ। ସ୍ୱପ୍ନାର ନାଲି ଗୋଲାପ ପ୍ରତି ବହୁତ ପ୍ରେମ। ଗୋଲାପଟି ନେଇ ଯାଇଥିଲା ସେ ସମୀର ହାତରୁ। ମାତ୍ର ମୁଦିଟି ନେବାକୁ ମନା କରିଦେଲା। ସମୀର କହିଲା, "ଏଇଟା ତମ ପାଇଁ ଉପହାର।" ସ୍ୱପ୍ନା କହିଥିଲା, "ରଖିଥାନ୍ତୁ। ଆମ ବିବାହ ପରେ ଦେବେ ମୋତେ।" ଏହା ଭିତରେ ସମୀର ଦଉଡି ଦଉଡି ଆସି ଷ୍ଟେସନରେ ପହଞ୍ଚିଲା। ସ୍ୱପ୍ନା କହିଲା, "ଘର ଲ୍ୟାଣ୍ଡ ଫୋନରେ କଲ କରିବ। ଟିକେ ଦେଖିକରି।" ଅଶ୍ରୁ ଭରା ଆଖିରେ ସମୀର ଠାରୁ ବିଦାୟ ନେଇଥିଲା ସ୍ୱପ୍ନା।

ଜାଣି ନ ଥିଲା ସ୍ୱପ୍ନା ଯେ ସେଇଟି ଥିଲା ଶେଷ ଦେଖା। ଘରକୁ ଫେରିଲା ପରେ ସ୍ୱପ୍ନାର ବାହାଘର ଠିକ ହେଇଗଲା। ସ୍ୱପ୍ନା ବହୁତ କଷ୍ଟରେ ସମୀର ସହ କଣ୍ଟାକ୍ଟ କଲା। ସମୀର କହିଲା, "ସ୍ୱପ୍ନା, ମୁଁ ଏବେ ଆମ ଘରେ ବାହାଘର କଥା କହି ପାରିବିନି। ତମେ ତମ ଘର ଛାଡ଼ି ପଳେଇ ଆସ। ଆମେ ଅଲଗା ରହିଯିବା।" ସ୍ୱପ୍ନା କହିଲା, "ତମେ ଥରେ ମୋ ଘର ଲୋକଙ୍କ ସହ କଥା ହୁଅ।" ସମୀର ରାଜି ହେଲାନି। ଦୁହେଁ ଦୁହିଁଙ୍କ ଜିଦିରେ ରହିଲେ। ଶେଷରେ ସ୍ୱପ୍ନାର ବାହାଘର ଅନ୍ୟ ଜାଗାରେ ହେଇଗଲା। ବର୍ଷେ ପରେ ସମୀର ମଧ୍ୟ ନିଜ ଭଉଣୀର ନଣନ୍ଦଙ୍କୁ ବାହା ହେଇଗଲା। ସ୍ୱପ୍ନାର ସ୍ୱାମୀ ମୁକୁନ୍ଦ ଜଣେ ଭଲ ପିଲା ଥିଲେ। ସ୍ୱପ୍ନା ତାଙ୍କୁ ସବୁ କଥା କହିଦେଲା। ମୁକୁନ୍ଦ କହିଲେ, "ମୋ ତରଫରୁ ତମକୁ କିଛି ଜୋର ଜବରଦସ୍ତି ନାହିଁ। ତମେ ମୋତେ ଗ୍ରହଣ କରିବାକୁ ଯେତେ ସମୟ ନେବାକୁ ଚାହଁ, ନେଇପାର। ମୁକୁନ୍ଦଙ୍କ ପ୍ରେମ, ବିଶ୍ୱାସ ସ୍ୱପ୍ନା ମନକୁ ତାଙ୍କ ଆଡେ ଟାଣି ନେଲା। ଦୁହେଁ ଆଦର୍ଶ ଦମ୍ପତିର ଉଦାହରଣ ହେଇ ଯାଇଥିଲେ।

ସମୟ ଗଡି ଚାଲିଲା। ବିବାହ କୋଡିଏ ବର୍ଷ ଚାଲିଛି। ସ୍ୱପ୍ନାର କ୍ଲାସମେଟ ଅବନିର କୋଡିଏତମ ବିବାହ ବାର୍ଷିକିର ନିମନ୍ତ୍ରଣ ଆସିଲା। ମୁକୁନ୍ଦ ଆଉ ପିଲାମାନେ କହିଲେ, "ଯାଇ ବୁଲିଆସ।" ମୁକୁନ୍ଦଙ୍କୁ କାମ ଥିବାରୁ ସ୍ୱପ୍ନା ଏକୁଟିଆ ଗଲା। କିନ୍ତୁ ପାର୍ଟିରେ ସମୀରକୁ ଦେଖି ତାକୁ ଅସହଜ ଅନୁଭୂତି ହେଲା। ଅବନୀର ସ୍ୱାମୀର ବନ୍ଧୁ। ସ୍ୱପ୍ନାକୁ ଦେଖି ସମୀର ର ପୁରୁଣା କଥା ମନେ ପଡ଼ିଗଲା। ତା ପାଇଁ ସ୍ୱପ୍ନା ଥିଲା ଜଣେ ବିଶ୍ୱାସଘାତି ପ୍ରେମିକା। ସେ ସ୍ଵପ୍ନା ଉପରେ ନିଜ ରାଗ ଶୁଝେଇବାକୁ ଚାହୁଁଥିଲେ। ପାର୍ଟି ଶେଷରେ କଲେଜ ସାଙ୍ଗ ସମସ୍ତେ ଗାଡିପାର୍କିଂ ପାଖରେ ଥାଆନ୍ତି। ହଠାତ ସମୀର କହି ଉଠିଲା, "ବନ୍ଧୁମାନେ, ସତରେ ଅବନୀ ଓ ମାନସର ଯୋଡି ବହୁତ ସୁନ୍ଦର। ପ୍ରେମ ବିବାହ କରି ଦୁଇଜଣ କେତେ ଭଲରେ ଅଛନ୍ତି। ନହେଲେ ଏଠି ପ୍ରତାରଣା ଓ ବିଶ୍ୱାସଘାତ କରିବା ଲୋକଙ୍କ ଭିଡ଼ ଲାଗି ରହିଛି। ବିଶ୍ୱାସଘାତି ଲୋକ ଚେହେରା କେବେ ଦେଖିଚ !" ଦେଖିନ ଯଦି ଦେଖିନିଅ, ଏଇ ହେଉଛନ୍ତି ସ୍ୱପ୍ନା ପଟ୍ଟନାୟକ। ମୋର ଭଲ ପାଇବା ଛାଡ଼ି ଜଣେ ଧନୀ ଲୋକଙ୍କୁ ବିବାହ କରିବାକୁ ସେ ପଛେଇ ନ ଥିଲେ।" ସମୀରକୁ ସମସ୍ତେ ଚୁପ ହେବାକୁ କହୁଥାନ୍ତି। ମାତ୍ର ସମୀର କହି ଚାଲିଥାଏ। ସ୍ୱପ୍ନା ରାଗରେ କହିଲା, "ସମୀର ତମେ ଚୁପ ହେବ ନା ଦେଖିବ ଏବେ !" ସ୍ୱପ୍ନା ପାଟି କରିବାର ଦେଖି ସମୀର ଆହୁରି ରାଗିଗଲା ଓ ସ୍ୱପ୍ନାକୁ ଚାପୁଡ଼ା ମାରିବାକୁ ହାତ ଉଠେଇଲା।

ସମସ୍ତଙ୍କୁ ଆଚମ୍ଭିତ କରି ସମୀର ହାତ ଧରି ପକେଇଲେ ମୁକୁନ୍ଦ। ସମସ୍ତେ ଚୁପ ହେଇ ଦେଖୁଥାନ୍ତି। ମୁକୁନ୍ଦ କହିଲେ, "ସମୀର ବାବୁ, ଝିଅକୁ ଭଗେଇ ନେଇ ବାହା ହେବାରେ ହିରୋପଣ ନାହିଁ। ତମେ ଅସଲି ହିରୋ ସେତେବେଳେ ହେଇଥାନ୍ତ ଯେତେବେଳେ ଝିଅ ବାପାକୁ ରାଜି କରେଇ ବାହା ହେଇଥାନ୍ତ। ଆଉ ମୋ ସ୍ତ୍ରୀକୁ ମୁଁ କେବେ ହାତ ଉଠେଇନି, ତମେ କିଏ ତା ଉପରକୁ ହାତ ଉଥାଉଛ ? ସବୁ ପ୍ରେମିକ ଚାହେଁ ଯେ ତାକୁ ଛାଡି ଯାଇଥିବା ପ୍ରେମିକା ବିବାହ ପରେ ଦୁଃଖରେ ଜୀବନ ବିତାଉ। ତା ସ୍ବାମୀ ତାକୁ ଭଲ ନ ପାଉ। ସେ ହଇରାଣ ହେଉଥାଉ ଇତ୍ୟାଦି। କିନ୍ତୁ ଯଦି ସେ ଭଲରେ ଅଛି ତାହେଲେ କହିବେ ଧନୀ ଲୋକଙ୍କୁ ବିବାହ କରିବାକୁ ସେ ଗଲା। ମୋ ସ୍ତ୍ରୀ କଣ, ମୁଁ ଜାଣିଚି। ତମର ତାଙ୍କ ଉପରେ କିଛି ହକ ନାହିଁ। ଏତିକି ମନେ ରଖିବ।" ମୁକୁନ୍ଦ ସ୍ୱପ୍ନାର ହାତ ଧରି ତାଙ୍କୁ ପାର୍ଟିରୁ ନେଇ ଆସିଲେ। କାରରେ ଫେରୁଥାନ୍ତି କି ଟ୍ରାଫିକ ସିଗ୍ନାଲରେ ଝିଅଟିଏ ଗୋଲାପ ଫୁଲ ଦୁଇଟି ଦେଇ କହିଲା, "ଏଇଟା କିଣି ନିଅନ୍ତୁ। ଆଜି ଏଇଟି ବଞ୍ଚି ଯାଇଛି।" ମୁକୁନ୍ଦ ଦୁଇଟି କିଣି ନେଇ ସ୍ୱପ୍ନା ହାତକୁ ଦେଇ କହିଲେ, "ତମକୁ ନାଲି ଗୋଲାପ ପସନ୍ଦ ନା! ଏହି ନିଅ ଆଉ ମୂଡ଼ ଠିକ କର ନିଜର।"

ସ୍ୱପ୍ନା ଗୋଲାପ ଧରି ଭାବିଲେ ସତରେ ଏହି ଗୋଲାପରେ କଣ୍ଟା ମଧ୍ୟ ଥାଏ। ତାକୁ ବାହାରକରି ଫୁଲର ବାସ୍ନା ନେଇ ଶିଖିବା କଥା। ଅତୀତକୁ ଭୁଲି ସେ ନିଜ ଭବିଷ୍ୟତ ଆଡେ ଆଗେଇ ଯାଇଥିବାରୁ ନିଜ ନିଷ୍ପତ୍ତି ଉପରେ ଖୁସି ହେଇଥିଲେ। ଜୀବନରେ ବହୁତ ପ୍ରକାର ଲୋକ ଭେଟ ହୁଅନ୍ତି। ସମୀର ଯୋଉଠି ଗୋଲାପର କଣ୍ଟା ଭଳି ବ୍ୟବହାର କଲେ, ମୁକୁନ୍ଦ ସେଠି ଗୋଲାପର ସେହି ମହକର ଆଭାସ ଦେଲେ ।


Rate this content
Log in

Similar oriya story from Drama