STORYMIRROR

Jharana Pradhan

Tragedy Others

4  

Jharana Pradhan

Tragedy Others

ଚୁଲବୁଲିର ମୁଖା

ଚୁଲବୁଲିର ମୁଖା

5 mins
286

ସେଦିନ ଅଫିସରେ ରାଖୀ ପୂର୍ଣ୍ଣିମା ସ୍ପେଶାଲ ରାଖୀ ଥାଳି ସଜା ହେବାର ଇଭେଣ୍ଟ ହେଉଥାଏ। ପ୍ରାଇଭେଟ କମ୍ପାନୀ ମାନଙ୍କରେ ଷ୍ଟାଫଙ୍କ ମନୋରଞ୍ଜନ ପାଇଁ ଏ ସବୁ ଚାଲେ। ରାଖୀ ଥାଳି ସୁନ୍ଦର ଭାବେ ସଜେଇ ଝିଅ ସବୁ ଭାଇ ମାନୁଥିବା ପୁଅଙ୍କୁ ରାଖୀ ବାନ୍ଧିଲେ। କେହି କେହି ଭାଗ ନେବା ଉଦ୍ୟେଶରେ ଭାଇ ଭଉଣୀ ଯୋଗାଡ଼ କରି ପକେଇଛନ୍ତି। ରାଖୀ ବାନ୍ଧିସାରି ରାଖୀର ମହତ୍ୱ ବର୍ଣ୍ଣନା କଲେ। ଧରା ତା' ସାଙ୍ଗରେ କାମ କରୁଥିବା ଝିଅ ପ୍ରତୀକ୍ଷା ସହ ଇଭେଣ୍ଟ ଦେଖିବାକୁ ଯାଇଥିଲା। ଭାରି ଚୁଲବୁଲି ଝିଅଟି ପ୍ରତୀକ୍ଷା। ତା ସହ ବୋର ଲାଗିବନି କାହାକୁ। କିଛି ବି ଇଭେଣ୍ଟ ହେଲେ ଦଉଡି ଆସିବ ଧରା ପାଖକୁ ଓ କହିବ, "ଦିଦି ଆସନା ଦେଖି ଆସିବା, ବହୁତ ମଜା ଆସିବ।" ନାଚ ଗୀତ ହେଲେ ତ ବାୟଣୀ ଭଳି ଡେଇଁବ। ଦୀପାର୍ଟମେଂଟ ରେ ଯୁଆଡେ ଗଲେ ଆଗେ ପଚରା ହେବ ଯେ ପ୍ରତିକ୍ଷା ଆସୁଛି ନା ନାଇ, ନହେଲେ ଭଲ ଲାଗିବନି। ନିର୍ଜୀବ ପାର୍ଟିରେ ବି ସେ ପ୍ରାଣ ଆଣିଦିଏ। ଧରା ଟିକେ ବୋରିଂ ମଣିଷ, ଏତେ ମଜା, ମିଳାମିଶା କରେନି। ମାତ୍ର ଦୀପାର୍ଟମେଂଟରୁ ବର୍ଷା ଭାଗ ନେଉଛି, ଆଉ ପ୍ରୋତ୍ସାହିତ କରିବାକୁ ଆସିବାକୁ କହିଛି, ତେଣୁ ଯିବାକୁ ହେବ। ଧରା ପ୍ରତିକ୍ଷାକୁ ନେଇକରି ଗଲା। ଇଭେଣ୍ଟ ଦେଖି ସାରି ସିଟକୁ ଫେରିବା ରାସ୍ତାରେ ଧରା ଭାବିଲା ପ୍ରତୀକ୍ଷାର ସମ୍ପର୍କୀୟ ମାନେ ବି ସେଇ ସହରରେ ରୁହନ୍ତି। କିନ୍ତୁ ପ୍ରତୀକ୍ଷା କେବେ ଦେଖା କରି ଯାଏନି କାହିଁକି ! ଭାଉଜ ମାନେ ଡାକିଲେ ବାହାନା ମାରିଦିଏ। ତେଣୁ ଏମିତି ପଚାରୁ ପଚାରୁ ଧରା ପଚାରିଦେଲା ପ୍ରତିକ୍ଷାକୁ ଯେ ଯେ ରାଖୀରେ ତା ଭାଇ ଘରକୁ ଯିବନି କି ! ହଠାତ ପ୍ରତିକ୍ଷା କହିଲା "ଭାଇ ନା ଆଉକିଛି। ପଶୁ ଠାରୁ ହୀନ ସିଏ। ନାଁଟି "ଉତ୍ତମ" ଦେଲେ କଣ ସବୁ ଉତ୍ତମ ହେଇ ଯାଆନ୍ତି ନା କଣ ?" ମିଷ୍ଟଭାଷୀ ଝିଅଟି ପ୍ରତୀକ୍ଷା, ଏପରି ଗୋଟେ କଣ କହିଲା। ଭାଇ ଭଉଣୀ ବୋଧେ ଝଗଡା ହେଇଛନ୍ତି। ଧରା ତାକୁ କହିଲା ବଡ଼ ଭାଇକୁ ଏମିତି କୁହନ୍ତିନି । କିନ୍ତୁ ତା ପରେ ପ୍ରତୀକ୍ଷା ଯାହା କହିଲା ତାହା ଶୁଣି ଧରା ଆଶ୍ଚର୍ଯ୍ୟ ହେଇଗଲା।

ପ୍ରତିକ୍ଷା ଆରମ୍ଭ କଲା। "ତମେ ଜାଣିନ ଦିଦି ସେ କେମିତି। ରାବଣ ବି ତା ଠାରୁ ଭଲ । ମୁଁ ଛୋଟ ଥିବା ବେଳେ ତାଙ୍କ ଘରେ ରହୁଥିଲି। ଦଶବର୍ଷର ଥିଲି। ମୁଁ ପାଠ ପଢେନି ଦୁଷ୍ଟ ହୁଏ ବୋଲି ମୋତେ ବାପା ମା ତାଙ୍କ ଘରେ ଛାଡ଼ି ଦେଇଥିଲେ। ମୋର ବଡବାପା ଘର। ବଡମା ହେଉଛନ୍ତି ମୋର ମା'ର ବଡ ଭଉଣୀ। ବଡବାପା ଆଉ ବଡମା ବହୁତ ଭଲ ପାଆନ୍ତି ମୋତେ। କିନ୍ତୁ ବଡବାପାଙ୍କ ପୁଅ, ସେ ଭାଇ ଭଲ ନାଇ। ଦିନେ ଶୋଇଥିବା ସମୟରେ ମୋତେ ଅନୁଭଵ ହେଲା ଯେ କେହି ମୋ ଡ୍ରେସ ଭିତରେ ହାତ ମାରୁଚି। ଅନ୍ଧାରରେ ମୁଁ କିଛି ଜାଣି ପାରିଲିନି। ସକାଳେ ଲାଗିଲା ଯେ ବୋଧେ ସ୍ୱପ୍ନ ଦେଖିଥିଲି ବୋଧେ। କିନ୍ତୁ କିଛି ଦିନ ପରେ ପୁଣି ମୁଁ ଶୋଇଥିବା ସମୟରେ ମୋ ଲୁଗା ଭିତରେ ହାତର ସ୍ପର୍ଶ ମୁଁ ଅନୁଭବ କଲି। ଜାଣି ପାରିଲି ଯେ ଉତ୍ତମଭାଇ ମୋ ଦେହକୁ ଛୁଉଁଛି। ସେ ଭାବେ ମୁଁ ଜାଣି ପାରୁନି, କିନ୍ତୁ ମୁଁ ଜାଣେ । କିଛି କହି ପାରେନି କାହିଁକି ନା ମୋତେ ଡର ଲାଗେ। ଆଉ କେହି ମୋତେ ବିଶ୍ବାସ ବି କରିବେନି । ମୁଁ ଘରକୁ ଯିବି କହିଲେ ମାଆ ମନା କରେ। ବହୁତ କଷ୍ଟରେ ମୁଁ ସେସବୁ ରୁ ବାହାରିଲି। କିନ୍ତୁ ଭାଇ ଶବ୍ଦ ପ୍ରତି ମୋର କେମିତି ଘୃଣା ଭାବ ଆସିଗଲା।" ଏତିକି ବେଳେ ବର୍ଷା ଆସିଗଲା ସେଠାକୁ। ପ୍ରତିକ୍ଷା ଚାଲିଗଲା ତା ସହ ଚାଲିଗଲା ଚା ପିଇବାକୁ। ନିଜ କଷ୍ଟକୁ ଲୁଚେଇ ବହୁତ ଜଲଦି ସେଇ ଚୁଲବୁଲି ଝିଅର ମୁଖା ପିନ୍ଧିନେଲା ସେ। କିନ୍ତୁ ତା କଥା ଶୁଣି ଧରା ଭାବିଲା, କିଛି ଲୋକ କେତେ ସହଜରେ କହି ଦିଅନ୍ତି, ଆଉ କିଛି ଲୋକ ମନରେ ସବୁ ଦିନ ପାଇଁ ଚାପି ରଖି ଥାଆନ୍ତି । 

ସେମିତି କିଛି ଘଟିଥିଲା ଧରା ସହ, ସେ ଛୋଟ ଥିବା ବେଳେ। ବଡବାପା ଘରେ ସେଥର ଖରାଛୁଟିରେ ସବୁ ଜମା ହେଇଥିଲେ ଛୁଆ ମାନେ। ସବୁ ଭାଇ ଭଉଣୀ ପାଇଁ ଧାଡି କରି ବଡମା ବିଛଣା ପାରି ଦେଇଥିଲେ। ଶୋଇଲା ବେଳେ ଧରାକୁ ଲାଗିଲା ଯେ କେହି ତା ଦେହରେ ହାତ ମାରୁଚି। ଗୁଡ଼ଟଚ, ବ୍ୟାଡଟଚର ସଂଜ୍ଞାରେ ତାହା ବ୍ୟାଡଟଚ ରେ ଯାଏ। ଅନ୍ଧାର ଯୋଗୁ ଜାଣି ପାରି ନ ଥିଲା ସେ ଯେ କିଏ ସେ ପିଲା। କିନ୍ତୁ ଏଇଟା ବି ସେ ଜାଣି ପାରି ନ ଥିଲା ଯେ କଣ କରିବ। ମାଆ ସବୁ କଥାରେ ଡରେ, କୋଉଠି କିଏ ଧରାକୁ ଚାହିଁଦେଲା ତ ଡର, ଧରା କୋଉ ପୁଅ ସହ ଗପିଦେଲା ତ ଡର, ସବୁଠୁ ବେଶି ଡର ଲୋକ କଣ କହିବେ, ପରିବାରର ମାଁ ସମ୍ମାନ ଇତ୍ୟାଦି ଇତ୍ୟାଦି। ଆଉ ଛୋଟ ଛୋଟ କଥାରେ ଟେନସନ ହୁଏ ଆଉ ଦେହ ଖରାପ କରି ବସେ। ପୁଅ ନାଇ କହି ମା ସବୁ ବେଳେ ମନ ଦୁଃଖ କରେ। ସେଇ ପୁତୁରା ମାନଙ୍କୁ ପୁଅ ଭଳି ଭାବି ଆସିଛି ସେ। ତେଣୁ ମାଆକୁ କହିଲେ ସେ ସହିପାରିବନି। ମାଆର ଜୀବନ ପାଇଁ ଧରା ସେ କଷ୍ଟ ବି ସହିଗଲା। କିନ୍ତୁ ଭାଇ ଶବ୍ଦ ଯେମିତି ତା ପାଇଁ ବିଷ ହେଇଗଲା। ଆଉ କାହା ଘର ଯିବା ଆସିବା କଲାନି। ଆଉ ସେବେଠୁ ସେ କାହାକୁ ରାଖୀ ବି ବାନ୍ଧେନି।

ଧୀରେ ଧୀରେ ସମୟ ଗଡି ଗଲା। ଧରା ଚାକିରୀ କରିବାକୁ ଦୁର ସହର ଗଲା। ଜୀବନରେ ଏମିତି ବହୁତ ପିଲା ମିଳିଲେ ଯିଏ ସୁଯୋଗ ପାଇଲେ ସର୍ବସ୍ବ ଝାମ୍ପି ନେବେ। ଘରୁ ଛୁଟି ସାରି ଧରାକୁ ଦୁର ସହରରେ ଅଫିସରେ ଜଏନ କରିବାର ଥିଲା। ଛୁଟି ସରିଯାଇଛି। ଧରାର ଦେହ ଖରାପ ଥିବାରୁ ବାପା ତାଙ୍କ ବନ୍ଧୁ ପୁଅ ସହ ଟ୍ରେନରେ ଯିବାକୁ କହିଲେ। ଧରା ସହ ଜଣେ ଯିବା ଜରୁରୀ ଥିଲା, କାହିଁକି ନା ଦେହ ଖରାପ ଯୋଗୁ ମେଡ଼ିସିନ ଖାଉଛି, ଆଉ ମେଡ଼ିସିନ ଖାଇଲେ ନିଦ ହେଇଯାଏ। ପିଲାଟି ମଧ୍ୟ ଧରା ସହ ଚାକିରୀ କରୁଥିଲା। ଆଉ ଧରା ସହ ଭଲ ବନ୍ଧୁତା ଗଢି ଉଠି ଥିଲା ତାର। ବାପା କହିଲେ ସୁବିଧା ଅସୁବିଧାରେ ସାଙ୍ଗ ମାନେ ଛିଡା ହେବେ। ତେଣୁ ସେ ସାଙ୍ଗ ସାଥୀ ବନେଇବା କଥା। ଚିହ୍ନା ଜଣା ପିଲା। ଅସୁବିଧା ହେବନି। କିନ୍ତୁ ସେଠି ବି ସେ ଧୋକା ଖାଇଲା। ଅଧା ରାତିରେ ପିଲାଟି ସେଇୟା କଲା ଯାହା ଧରା ସହ ସାନବେଳେ ଘଟିଥିଲା। ସେତେବେଳର ଡର ଏବେ ରାଗରେ ପରିବର୍ତ୍ତନ ହେଇ ସାରିଥିଲା। ପିଲାଟି ବହୁତ ନେହୁରା ହେଲା କାହାକୁ ନ କହିବା ପାଇଁ। ଏପରିକି ଏମିତି ବି କହିଲା ଯେ ଧରା ଚାହିଁଲେ ସେ ଧରାକୁ ବିବାହ ବି କରିବାକୁ ରାଜି। ଧରା ଜାଣିଲା ଯେ ପିଲାଟି ମନରେ ଅଛି ତାକୁ ବାହାହେବ। ଧରା ଯଦି ଏ କଥା ସମସ୍ତଙ୍କୁ ମାନେ ଉଭୟ ପରିବାରରେ କହିବ ତେବେ ସେ ପିଲା ସେତେବେଳେ ବି ଏଇ ବାହାଘର ପ୍ରସ୍ତାବ ରଖିବ ଆଉ ଧରା ମାଆ ତ ସେଇ ପୁରୁଣା ବିଚାର ଧାରା ଵାଲା। ପୁରୁଣା ସିନେମା ରେ ଯେମିତି ବଳାତ୍କାରି ସହ ଝିଅକୁ ବାହା କରେଇ ଦିଅନ୍ତି, ସେମିତି ତାକୁ ସେଇ ପିଲା ସହ ବାହା କରେଇ ଦେବେ। ସେ କଣ ଭୁଲ କରିଛି ନା କଣ ଯେ ସେ ପିଲା ତାକୁ ଦୟା ଦେଖାଉଛି। କେବେ ବି ଏମିତି ଚରିତ୍ର ପିଲାକୁ ସେ ବାହା ହେଇ ପାରିବନି। ତେଣୁ ସେ ପିଲା ଉପରେ ଆକ୍ସନ ନ ନେଇ ଖାଲି ସମ୍ପର୍କ ଭାଙ୍ଗି ଦେଲା । କିନ୍ତୁ ତା ପରଠୁ ପୁଅମାନଙ୍କୁ ବିଶ୍ୱାସ କରିବା ଆଉ ଧରା ପକ୍ଷେ ସମ୍ଭବ ହେଲାନି। ଭାବିଲା ନିଜ ଭାଇ ଥିଲେ ହୁଏତ ତାକୁ ଏମିତି ଦୁର୍ଦଶା ଭୋଗିବାକୁ ପଡି ନ ଥାନ୍ତା। ବାପାଙ୍କୁ ସବୁବେଳେ ସବୁ କହି ହେବନି। କିନ୍ତୁ ଭାଇ ଥିଲେ ତାକୁ ତ କହି ହେଇ ଥାନ୍ତା। ଭାଇ ଯାଇ ସେ ପିଲା ମୁହଁ ଭାଙ୍ଗି ଦେଇଥାନ୍ତା। କିଛି ନ ହେଲେ ଭାଇ କାନ୍ଧରେ ମୁଣ୍ଡ ରଖି ନିଜ କଷ୍ଟକୁ ଲୁହ ରୂପେ ଗଡେଇ ପାରିଥାନ୍ତା ତ ! କିନ୍ତୁ ଏତେ ସବୁ ପରେ ବି ଧରା ଭାଙ୍ଗି ନ ଥିଲା। ନିଜ କ୍ୟାରିଅର ବନେଇଲା। ନିଜ ଭଉଣୀ ମାନଙ୍କ ସହ ଏପରି କିଛି ନ ହେଉ ବୋଲି ଧ୍ୟାନ ଦେଲା ।

ଏତେ ବର୍ଷରେ ଏ ସବୁକୁ ଭୁଲି ଧରା ଆଗେଇ ଯାଇଛି ନିଜ ଜୀବନରେ। କିନ୍ତୁ ପ୍ରତୀକ୍ଷା କଥା ଶୁଣି ଦେଖି ଧରା ମନ କେମିତି ଗୋଟାଏ ହେଇଗଲା। ପୁରୁଣା କଷ୍ଟ ପୁଣି ସତେଜ ହେଇଗଲା। ଦି' ବର୍ଷ ହେଲା ସାଙ୍ଗରେ କାମ କରୁଛନ୍ତି ସେ ଓ ପ୍ରତୀକ୍ଷା। ବୟସରେ ବହୁତ ଛୋଟ ବି ପ୍ରତୀକ୍ଷା। ସମସ୍ତଙ୍କ ପାଇଁ ପ୍ରତୀକ୍ଷା ଗୋଟେ ଚୁଲବୁଲି ଝିଅ ଯିଏ ଟେନସନ କଣ ଜାଣେନି। ଅସୁବିଧା କେବେ ଦେଖିନି। କେହି ରାଗିଲେ ବି ସେ ହସି ହସି ମନେଇ ନିଏ। କେହି ଗାଳି କଲେ ଦି' ମିନିଟରୁ ବେଶି ସେ ଦୁଃଖୀ ହୁଏନି। ଏ କାନରେ ପୁରେଇ ସେ କାନରେ ବୋଧେ ବାହାର କରିଦିଏ। ସରି, ଥାଙ୍କୟୁ ତ ତା ଜିଭ ଆଗରେ ଥାଏ। ଧରା କେବେ ଭାବି ନ ଥିଲା ଯେ ଚୁଲବୁଲି ପ୍ରତୀକ୍ଷା ଜୀବନରେ ଏମିତି ବି ସମୟ ଭିତରେ ଗତି କରି ଆସିଛି। ସତରେ ଲୋକଙ୍କୁ ଦେଖି ତାଙ୍କ ବିଷୟରେ କହିବା ସହଜ ନୁହେଁ। କିଏ ମନର କଷ୍ଟକୁ ଛୁପେଇ ହସର ମୁଖା ପିନ୍ଧିଥାଏ କଣ ଦେଖି ଜାଣି ହେବ !


Rate this content
Log in

Similar oriya story from Tragedy