ସମ୍ପର୍କ ର ମରୀଚିକା
ସମ୍ପର୍କ ର ମରୀଚିକା
ଜଳପ୍ରପାତରେ ଖେଳିଲା ବେଳେ ଅଚ୍ୟୁତକୁ ଦେଖି ଅନୁପମା କହିଲେ, "ଆରେ ଦେଖିକରି ଅଚ୍ୟୁତ। ମାମୁଁ ଆଡେ ହାତ ବଢ଼ା, ଅର୍ଜୁନ…।" ଏ କଣ କହିବାକୁ ଯାଉଥିଲା ଅନୁପମା ! ଅଜଣାତରେ ପାଟିରୁ ବାହାରି ଯାଉଥିଲା ଅର୍ଜୁନର ନାମ। ସେହି ଅର୍ଜୁନ, ଯିଏ ଅନୁପମାର ସମସ୍ତ ସ୍ନେହ ପ୍ରେମ ଭୁଲି, ବିଶ୍ୱାସକୁ ଭାଙ୍ଗିଦେଇ ଲୁଚି ଚାଲି ଯାଇଥିଲା ଏକ ନିରବ ରାତିରେ। ସମସ୍ତେ ତାର ଏହି ଭୁଲ ଜାଣିବା ପୂର୍ବରୁ ହିଁ ଅନୁପମା କହିଲା, "ଅଚ୍ୟୁତ! କେଦାର ମାମୁଁଙ୍କ ହାତ ଧରିନେ।" କେହି ଜାଣି ପାରିଲେ ନାହିଁ ଭାବି ଅନୁପମା ନିଜକୁ ସାନ୍ତ୍ୱନା ଦେଲେ। ଅର୍ଜୁନ ନାଁ କହି ସେ ସମସ୍ତଙ୍କ ମନ ଖରାପ କରିବାକୁ ଚାହୁଁ ନଥିଲେ। ସମସ୍ତେ ଚାହୁଁ ଥିଲେ ଯେ ଅନୁପମା, ଅର୍ଜୁନକୁ ଭୁଲି ଯାଉ। ଯିଏ ବିପଦରେ ପକେଇ ଭୁଲି ଚାଲିଗଲା ତାହା ପାଇଁ ଅନୁପମା ବହୁତ କଷ୍ଟ ପାଇ ସାରିଛନ୍ତି। ତେଣୁ ତାକୁ ଭୁଲି ଯିବା ଭଲ ବୋଲି ସମସ୍ତଙ୍କ ମତ। କିନ୍ତୁ ମନର କେଉଁ କୋଣରେ କଣ ରହିଯାଏ ତାହା ଆମେ ଜାଣି ପାରୁନା।
କାହାଣୀ ଆରମ୍ଭ ହେଇଥିଲା ଏକ ନୃତ୍ୟ ମହୋତ୍ସବରୁ। ଅନୁପମା କଲେଜ ପରେ ଗୋଟିଏ ନୃତ୍ୟ ଅନୁଷ୍ଠାନରେ ପିଲାଙ୍କୁ ଓଡିଶୀ ନୃତ୍ୟ ଶିଖାଉଥାଏ। ସେହି ସମୟରେ ଯୁକ୍ତ ଦୁଇରେ ପଢ଼ୁଥିବା କିଛି କଲେଜ ପିଲା ଇଣ୍ଟର କଲେଜ ନୃତ୍ୟ ପ୍ରତିଯୋଗିତା ପାଇଁ କିଛି ଓଡିଶୀ ନୃତ୍ୟ ଶିଖିବାକୁ ଆସିଲେ। ସେଥିରେ ଥିଲା ପିଲାଟିଏ ଯାହା ନାମ ଅର୍ଜୁନ। ଦ୍ୱାପର ଯୁଗର ପାର୍ଥ ପରି ତା' ଭିତରେ ଭରି ରହିଥିଲା ଅନେକ କଳା। ସମସ୍ତଙ୍କ ଠାରୁ ଶୀଘ୍ର ଶିଖୁଥାଏ ସେ। ସେଦିନ ଥାଏ ରାଖୀ ପୁର୍ଣିମା। କିଛି ପିଲା ଆସି ନଥାନ୍ତି। ତିନି ରାଉଣ୍ଡ ପ୍ରାକ୍ଟିସ ପରେ ଅନୁପମା ପିଲାଙ୍କୁ ବିଶ୍ରାମ କରିବାକୁ କହିଲେ। ଅନୁପମା ଲକ୍ଷ କଲେ ଯେ ଅର୍ଜୁନ ହାତରେ ବନ୍ଧା ହେଇଥିବା ସୂତାଟି ଖୋଲି ଯାଇଥିବାରୁ ସେ ତାହା ବାନ୍ଧିବାକୁ ଚେଷ୍ଟା କରୁଛି। ହଠାତ ଅର୍ଜୁନ ମୁଣ୍ଡ ଟେକି ଅନୁପମାକୁ କହିଲା, "ଦିଦି! ଏଇଟା ଟିକେ ବାନ୍ଧି ଦିଅ ତ।"
ଅନୁପମା କେବେ ମଧ୍ୟ ଜୀବନରେ କାହାକୁ ରାଖୀ ବାନ୍ଧିବେନି ବୋଲି ନିଶ୍ଚିତ କରିଥିଲେ। ତେଣୁ ପାଖରେ ବସିଥିବା ସୋନାଲିକୁ କହିଲେ, "ସୋନାଲି, ଅର୍ଜୁନ କହୁଛି ଟିକେ ବାନ୍ଧିଦେଲୁ। ହଠାତ ଅର୍ଜୁନ କହିଲା, "ନା ଥାଉ ମୁଁ ବାନ୍ଧିନେବି।" ସୋନାଲି କହିଲା, "ଛୁଆଟି ହେଇ ଜିଦି ବେଶି ତୋର।" ପରେ ଅନୁପମା ଧୀରେ କରି ଅର୍ଜୁନକୁ ପଚାରିଲେ, "ସୋନାଲିକୁ ବାନ୍ଧିବାକୁ କହି କିଛି ଭୁଲକହିଦେଲି କି!" ଅର୍ଜୁନ କହିଲା, "ସେମିତି କିଛି ନାହିଁ। ସେ ଭଉଣୀ ଭଳି।" ଅନୁପମା ଆଉ ବେଶି କିଛି ପଚାରିଲେ ନାହିଁ। କିଛି ଦିନ ପରେ ପିଲାଙ୍କର ନୃତ୍ୟ ପ୍ରତିଯୋଗିତା ସାରି ଯାଇଥିଲା। ତାପରେ ପିଲାଙ୍କର ଯିବା ଆସିବା ବନ୍ଦ ହେଇ ଯାଇଥିଲା। ସମୟ ଗଡି ଚାଲିଲା। ପିଲାମାନେ ନିଜ ପାଠ ପଢ଼ାରେ ବ୍ୟସ୍ତ ରହିଲେ। ଅନୁପମା ର ବାହାଘର ହେଇ ଯାଇଥିଲା। ସେ ନିଜ ସ୍ୱାମୀ ମନୋଜଙ୍କ ସହ ବାଙ୍ଗାଲୋର ଚାଲି ଯାଇଥିଲା।
ବାହାଘର ଆସି ଛଅ ବର୍ଷ ହେଲାଣି। ରଥଯାତ୍ରା ଦେଖିବା ପାଇଁ ଅନୁପମା ବାହାରିଛନ୍ତି ସ୍ୱାମୀ ଓ ପୁଅ ଅଚ୍ୟୁତ ସହ। ନାହିଁ ନଥିବା ଭିଡ଼ ଭିତରେ ବହୁତ କଷ୍ଟରେ ବଡ଼ ଠାକୁରଙ୍କ ଦର୍ଶନ ମିଳିଲା। ଫେରିବା ପାଇଁ ମନୋଜ ଗାଡି ବାହାର କଲା ବେଳେ ଅଚ୍ୟୁତ ହଠାତ ଅନୁପମାଙ୍କ ହାତ ଛଡେଇ ଭିଡକୁ ଦୌଡ଼ି ଗଲା। ଅନୁପମା ଭୟଭୀତ ହେଇ ଅଚ୍ୟୁତକୁ ଖୋଜି ଖୋଜି ଡାକ ପକାଉଥାନ୍ତି। ହଠାତ ଦେଖିଲେ ଦୁଇଜଣ ପିଲା ଅଚ୍ୟୁତକୁ ନେଇ ଆସୁଛନ୍ତି। ଜଣେ ପିଲା କହିଲା, "ମାଆଙ୍କ ହାତ ଛାଡି ଯିବୁନି।" ଅନୁପମାଙ୍କୁ ଚେହେରାଟି ଜଣାଶୁଣା ଲାଗିଲା। ପିଲାଟିକହିଲା, "ଦିଦି! ଜାଣିପାରୁନ କି! ମୁଁ ଅର୍ଜୁନ। ଡ୍ୟାନ୍ସ ଶିଖିବାକୁ ଆସୁଥିଲି।" ଦୂର ଦେଶରେ ଓଡ଼ିଆ ଲୋକ ଦେଖି ଅନୁପମା ଖୁସି ହେଇ ଯାଇଥିଲେ। ଏହି ସମୟରେ ମନୋଜ ଗାଡି ନେଇ ଆସିଲେ। ଅନୁପମା ତାଙ୍କୁ ସବୁ କହି ଅର୍ଜୁନ ଓ ତା' ସାଙ୍ଗ କେଦାର ସହ ପରିଚୟ କରେଇଲେ। ମନୋଜ କହିଲେ, "ଚାଲ ତମକୁ ତମ ରୁମରେ ଛାଡ଼ିଦେବି।"
ଅର୍ଜୁନ ଓ କେଦାର, ମନୋଜଙ୍କ ଘର ପାଖରେ ହିଁ ରହୁଥିଲେ। ମନୋଜ ସେମାନଙ୍କୁ ରବିବାର ମାଧ୍ୟାନ ଭୋଜନରେ ନିମନ୍ତ୍ରଣ କଲେ। ସେହି ଠାରୁ ଜନ୍ମ ନେଇଥିଲା ଏକ ପାରିବାରିକ ସମ୍ପର୍କ। ଦିନେ ଅର୍ଜୁନ, ଅନୁପାମାଙ୍କୁ କହିଲା, "ମୋର କେହି ଭଉଣୀ ନାହାନ୍ତି। ସାଙ୍ଗ ମାନଙ୍କୁ ତାଙ୍କ ବଡ଼ ଭଉଣୀ ସହ ଦେଖିଲେ ମୁଁ ମଧ୍ୟ ଭାବୁଥିଲି ଯେ ମୋର ମଧ୍ୟ କେହି ବଡ଼ ଭଉଣୀ ଥାନ୍ତେ କି !" ଏପଟେ କେଦାରର ମଧ୍ୟ କେହି ଭଉଣୀ ନଥିଲେ। ଅନୁପମାଙ୍କ ପ୍ରତି ତା ମନରେ ମଧ୍ୟ ସେହି ଭାବନା ଜାଗୃତ ହେଇ ସାରିଥିଲା। ରାକ୍ଷୀରେ ନିଜର ବଚନ ଭାଙ୍ଗି ଅନୁପମା ଦୁହିଁଙ୍କୁ ଭାଇ ମାନି ନେଇଥିଲେ। ତିନି ଜଣଙ୍କୁ ଦେଖିଲେ କେହି କହି ପାରିବେନି ଯେ ତିନି ଜଣ ରକ୍ତର ଭାଇ ଭଉଣୀ ନୁହଁନ୍ତି। ମନୋଜ କୁ ଶାଳକ ଓ ଅଚ୍ୟୁତ କୁ ମାମୁଁ ମିଳି ଯାଇଥିଲେ।
ସମୟ ସବୁବେଳେ ସମାନ ରହେ ନାହିଁ। ସୁଖ ଓ ଦୁଃଖ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ଗୋଟିଏ ଛୋଟ ନିଷ୍ପତି ଜୀବନରେ କଣ ସବୁ ବଦଳେଇ ପାରେ ତାହା କେହି ଭାବି ନଥିଲେ। ଦିନେ ହଠାତ ଅନୁପମା ଜାଣିଲା ଯେ ଅର୍ଜୁନ ନିଜ ପ୍ରେମିକା କୁ ଧରି ଚାଲି ଆସିଛି। ମନୋଜ ବାବୁ ବହୁତ ବୁଝାଇଥିଲେ ଅର୍ଜୁନକୁ ଯେ ଏସବୁ କରିବା ଠିକ ନୁହେଁ। ମାତାପିତାଙ୍କ ଅନୁମତି ନେଇ ବିବାହ ବନ୍ଧନରେ ବାନ୍ଧି ହେଇ ନୂତନ ଜୀବନ ଆରମ୍ଭ କରିବା ଉଚିତ। କିନ୍ତୁ ଆଉ ସେସବୁ ଠିକ କରିବାର ସମୟ ନଥିଲା। ଦୁହିଁଙ୍କ ପରିବାରରୁ କେହି ଆସିଲେ ନାହିଁ। ଅନୁପମା, ମନୋଜ, କେଦାର ଓ କିଛି ସାଙ୍ଗଙ୍କ ଉପସ୍ଥିତିରେ ମନ୍ଦିରରେ ନୀଡାମ୍ବରରେ ବିବାହ ସମ୍ପର୍ନ୍ନ ହେଲା। ଅର୍ଜୁନ ଚାକିରୀରେ ମଧ୍ୟ ସ୍ଥାୟୀ ହେଇନଥିଲା। ଏବେ ଦୁଇ ଜଣ ମଣିଷର ଦାୟିତ୍ୟ ତେଣୁ ଅନୁପମା ଓ ମନୋଜ ତାକୁ ନିଜ ଚାକିରୀ ପ୍ରତି ଧ୍ୟାନ ଦେବାକୁ କହିଲେ।
କିଛି ସମୟ ପରେ ଅନୁପମା ଲକ୍ଷ କଲା ଯେ ଯେଉଁ ଅର୍ଜୁନ ତାକୁ ଦିନ ସାରା ମେସେଜ ପଠାଏ, ସେ ଆଉ କିଛି କଥା ହେଉ ନାହିଁ। ଯେତେ ବ୍ୟସ୍ତ ଥିଲେ ମଧ୍ୟ "ଖାଇଛ ନା ନାହିଁ!" ପଚାରିବାକୁ ଭୁଲେ ନାହିଁ ଅର୍ଜୁନ। ଅଭିମାନରେ ଅନୁପମା କହିଲା, "ବାହା ହେଲୁ ବୋଲି ବାକି ସମ୍ପର୍କ କଣ ଭୁଲି ଯିବୁ! ଦୁଇ ମାସ ହେଲାଣି ଘରକୁ ମଧ୍ୟ ଆସୁନାହୁଁ!" କିନ୍ତୁ ଯେଉଁ ଭାଇ ଅନୁପମା ମନ ଦୁଃଖ କଲେ ଭୋର ପାଞ୍ଚଟା ରେ ମଧ୍ୟ ଆସେ, ସେହି ଭାଇ ଏବେ କାମର ବାହାନା କରୁଛି। କିନ୍ତୁ ଅର୍ଜୁନର ବାହାରେ ବୁଲା ବୁଲିର ପୁରା ଖବର ଅନୁପମାକୁ ମିଳୁଥାଏ। ଅନୁପମାଙ୍କ ମନ ଦୁଃଖ ଦେଖି ମନୋଜ ଠାରେ କହିଲେ, "ଦିଦି କିଛି ଭୁଲ କରିଛି କି କଥା ହେଉ ନାହୁଁ!" ଅର୍ଜୁନ, ଅନୁପମା ଙ୍କ ସହ ଆଗଭଳି ସମ୍ପର୍କ ରଖିବ କହିଲା ମାତ୍ର ସବୁ ଯେମିତି କୁ ସେମିତି ଥିଲା। ଅନୁପମା ବୁଝି ପାରିଥିଲେ ଯେ ଅର୍ଜୁନ ସ୍ତ୍ରୀ ତାଙ୍କୁ ପସନ୍ଦ କରେ ନାହିଁ।
ଅନୁପମା ନିଜକୁ ସମ୍ଭାଳି ନେଲେ। ସମୟ ଗଡି ଚାଲିଲା। ଦିନେ ମନୋଜ ବାବୁ କହିଲେ, "ଶୁଣିଲି ଅର୍ଜୁନ ସ୍ତ୍ରୀ ର ମାନସିକ ରୋଗ ବାହାରିଛି। ଅର୍ଜୁନ ଅଫିସ ସହ ସ୍ତ୍ରୀର ଯତ୍ନ ନେବାକୁ ହଇରାଣ ହେଉଛି। ଅନୁପମା ନିଜେ ରୋଗରେ ଶର୍ଯ୍ୟଶାୟୀ ଥିଲେ କିନ୍ତୁ ଭାଇର କଷ୍ଟ ଆଉ ସହି ହେଲା ନାହିଁ ଯେମିତି ତାକୁ ମେସେଜ କରି ପଚାରିଲେ। କିଛି ଦିନ ପରେ ତା ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ସମସ୍ତଙ୍କୁ ଚକିତ କରି ଦେଇଥିଲା। ଅର୍ଜୁନର ମାଆ ଓ ଭାଇ ଆସି ପହଞ୍ଚିଲେ ବୋହୂର ଯତ୍ନ ନେବାକୁ। ଚାଲି ପାରୁନଥିଲେ ମଧ୍ୟ ଅନୁପମା ଉଠି ଯାଇଥିଲା ଅର୍ଜୁନ ଓ ତା' ସ୍ତ୍ରୀ କୁ ଦେଖିବା ପାଇଁ। କିନ୍ତୁ କଥା ଏତେ ଗମ୍ଭୀର କେହି ଭାବିନଥିଲେ। ଅର୍ଜୁନ ସ୍ତ୍ରୀ କହିଲା, ତାକୁ ତାର ଜଣେ ଭଉଣୀ କହିଲେ, "ସେ ଯଦି ପାଗଳ ହେବାର ଅଭିନୟ କରିବ ତେବେ ଅର୍ଜୁନ ତାକୁ ଗାଁ କୁ ନେଇ ସମସ୍ତଙ୍କ ସହ ପୁଣି ମିଶେଇବ। ସେଥିପାଇଁ ସେ ଏମିତି କରିଥିଲା।" ଫେରି ଯାଇଥିଲେ ଅର୍ଜୁନର ମାଆ ଓ ଭାଇ।
ତା'ପରଠାରୁ ଅର୍ଜୁନ ସ୍ତ୍ରୀ ଜିଦି କଲା ଆଉ ଅର୍ଜୁନ ସହ ରହିବନି। ଘରକୁ ଚାଲିଯିବ। କେତେବେଳେ ଯୌତୁକ ନେବା ଦୋଷ ତ କେତେବେଳେ ତା ବାପାମାଆ ଠାରୁ ଦୂରେଇବାର ଦୋଷ ଅର୍ଜୁନ ସ୍ତ୍ରୀ ଲଦି ଦେଉଥିଲା ଅର୍ଜୁନ ମୁଣ୍ଡରେ। ସମସ୍ତେ ଅର୍ଜୁନକୁ କହିଲେ, "ସେ ଯିବାକୁ ଚାହୁଁଛି ଯଦି ଯିବାକୁ ଦେ ତାକୁ।" କିନ୍ତୁ ଅର୍ଜୁନ ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲା। ଅର୍ଜୁନ ସ୍ତ୍ରୀ ନିଜ ଜିଦି ପୁରା ନ ହେଲେ ଜୀବନ ଦେବାର ଧମକ ଦେଉଥିଲା। କୁହନ୍ତି ସବୁବେଳେ "ବାଘ ଆସିଲା...ବାଘ ଆସିଲା..." କହିଲେ ଲୋକ ବିଶ୍ୱାସ କରନ୍ତି ନାହିଁ। ଅର୍ଜୁନ ଆସିବା ସମୟକୁ ତା ସ୍ତ୍ରୀ ବେକରେ ରସି ଦେଇଦେଲା। କିନ୍ତୁ ସେଦିନ ଅର୍ଜୁନ ଡେରିରେ ଆସିବ ବୋଲି କାହାକୁ ବା ଜଣା ଥିଲା। କେଦାର ସହାୟତାରେ ଅର୍ଜୁନ ନିଜ ସ୍ତ୍ରୀକୁ ଡାକ୍ତର ଖାନା ନେଲା କିନ୍ତୁ ସେତବେଳକୁ ଆଉ ଜୀବନ ନଥିଲା।
ପୋଲିସ କେଶ ହେଲା। ଝିଅ ଘରୁ କେହି ନଆସିଲେ କିଛି ଆଗେଇବନି ବୋଲି ପୋଲିସ କହି ଦେଇଥିଲା। ମୁହଁରେ କଳା ପୋତି ଦେଇଥିବା ଝିଅ ପାଇଁ ଆଉ ତା' ଘର ଲୋକ ଆସିବାକୁ ରାଜି ହେଲେ ନାହିଁ। ଅନୁପମାର ଅର୍ଜୁନ ପ୍ରତି ଭାବନା ଯୋଗୁଁ, ମନୋଜ ବହୁତ କଷ୍ଟରେ ଝିଅ ବାପା ସହ କଥା ହେଇ ପୋଲିସ ସହ ସମ୍ପର୍କ କରେଲେ। ପ୍ରମାଣ ଦେଖେଇ କେଶ ସାରିଲେ। ଅର୍ଜୁନ କର୍ମ କରିବାକୁ ପୁରୀ ଯିବାକୁ ବାହାରିଗଲା। ଆସିଲେ ନିଜ ଅଫିସ ପାଖ ହଷ୍ଟେଲକୁ ଚାଲିଯିବ କହିଥିଲା। କିନ୍ତୁ ସେଠାରୁ ଫେରିବାରେ ତାକୁ ମାସେ ଲାଗିଗଲା। ମନୋଜ କହିଲେ, "ଯାହା ହେଲା ଆଉ ବଦଳେଇ ହେବ ନାହିଁ କିନ୍ତୁ ଚାକିରୀରେ କେବେ ଯୋଗ ଦେବୁ କହିନୁ ଯେ, ସେମାନେ ବାରମ୍ବାର ପଚାରୁଛନ୍ତି। "କାଲି ଯିବି" କହି ଅର୍ଜୁନ ଫେରି ଯାଇଥିଲା ନିଜ ରୁମକୁ। ସେଦିନ ଥିଲା ଅନୁପମା ର ଅର୍ଜୁନ ସହ ଶେଷ ଦେଖା। ଅର୍ଜୁନ ଚାକିରୀ ଛାଡି ଦେଇ ଚୁପ ଚାପ କାହାକୁ ନ ଜଣେଇ ଘରକୁ ଚାଲି ଯାଇଥିଲା।
ଯେଉଁ ଅର୍ଜୁନକୁ ତା ବାପା ଟଙ୍କା ନାହିଁ କୁହନ୍ତି, ସେହି ବାପା ଏବେ ତା' ପାଇଁ ବିଜିନେସ ଆରମ୍ଭ କରିବାକୁ ଟଙ୍କା ଦେଇଥିଲେ। ମନୋଜ ବାବୁ ଅନୁପମା ଓ କେଦାରକୁ କହିଲେ, "ତମେ ତ ଜାଣିଛ, ଅର୍ଜୁନ ବାପା ଏଠାକୁ ଆସିବେନି କହିଲେ। ଆଗକୁ ଇଲେକ୍ସନ ଆସୁଛି। ଓଲଟା ପୋଲିସ କେଶ ସମୟରେ ଅର୍ଜୁନ ବାପା କହିଲେ, ଯାହା ପଇସା ଲାଗିବ ଦେଇକରି ପୋଲିସ କେଶ ବନ୍ଦ କରିଦିଅ।" ଅନୁପମା ପଚାରିଲା, "ତମେ କଣ କହିଥିଲ!" ମନୋଜ ବାବୁ କହିଲେ, "ତମେ ବି ଜାଣିଛ ଯେ ଅର୍ଜୁନ ନିର୍ଦୋଷ ଥିଲା ତେଣୁ ମୁଁ ତାକୁ ସାହାଯ୍ୟ କଲି। ନହେଲେ ମୁଁ ତା' ସପକ୍ଷରେ ଛିଡା ହେଇ ନଥାନ୍ତି। ମୁଁ ତା ବାପାଙ୍କୁ ମଧ୍ୟ ସେଇୟା କହିଲି। ମୋତେ ଏ ଟଙ୍କା ଦେଖନ୍ତୁ ନାହିଁ ମଧ୍ୟ କହିଥିଲି।" କେଦାର କହିଲା, "ଅର୍ଜୁନକୁ ଅଫିସରେ ମାସେ ସମୟ ଦେଇଛନ୍ତି ନିଷ୍ପତ୍ତି ବଦଳିବ ଯଦି ଫେରିବାକୁ।"
ଡିସେମ୍ବର ୩୧, ନିଜର ସମସ୍ତ ରାଗ ଅଭିମାନ ଏକ ପାର୍ଶ୍ୱରେ ରଖି ଅନୁପମା, ଅର୍ଜୁନକୁ ମେସେଜ କଲେ, "ନୂଆ ବର୍ଷରେ ପୁରୁଣା କଥା କହିବି ନାହିଁ ତେଣୁ ଏବେ କହୁଛି। ତମେ ମୋ ଜୀବନରେ ଆସିଲ, "ଦିଦି ମୁଁ ତମ ଭାଇ ହେଇ ପାରିବିନି କି!" କହିକରି। ତେବେ ବିନା ଅନୁମତିରେ କେମିତି ଚାଲିଗଲ ! ଏବେ ମଧ୍ୟ ସମୟ ଅଛି ଫେରି ଆସ।" ଅର୍ଜୁନ ମେସେଜ ଦେଖିଲେ ମଧ୍ୟ ଉତ୍ତର ଦେଲା ନାହିଁ। ଅନୁପମା ପୁଣି ଲେଖିଲେ, "ଚୁପ ରହିଲେ ସବୁ ଠିକ ହେଇଯିବ ଭାବୁଛ ଯଦି କିଛି ହେବ ନାହିଁ। କହିକରି ଯାଇଥିଲେ ଏତେ ବାଧିନଥାନ୍ତା। ଯେବେ ଏ ଦିଦି ମରିବ ଆସିଯିବ ପାଣି ଦେବା ପାଇଁ, ନହେଲେ ଏ ଆତ୍ମା ଶାନ୍ତି ପାଇବ ନାହିଁ।"
ଅର୍ଜୁନ ଆଉ ଫେରିନଥିଲା। ଓଲଟା ସୋସିଆଲ ମେଡିଆରେ ନୂତନ ବର୍ଷରେ ଅର୍ଜୁନ ନିଜ ସାଙ୍ଗଙ୍କ ସହ ପିକନିକ କରିବାର ଫୋଟୋ, ଭିଡିଓ ଦେଖି ଅନୁପମା ଭାବିଲା, "ଏ କିଭଳି ମରୀଚିକା ! ପ୍ରେମ ଦିଶୁଥିଲା, ପ୍ରେମ ନାହିଁ। ସ୍ନେହ ଦିଶୁଥିଲା, ସ୍ନେହ ନାହିଁ। ବିଶ୍ୱାସ ଦିଶୁଥିଲା ତାହା ମଧ୍ୟ ନାହିଁ। ବାପାର ପଇସା କଣ ଆଜି ପୁଅକୁ କିଣି ଦେଲା! ଏ କଳି ଯୁଗରେ କଣ ସବୁ ସମ୍ପର୍କ ମରୀଚିକା !"
