ଜୀବନ ସିନେମା
ଜୀବନ ସିନେମା
ଜୀବନ ଏକ ସିନେମା। ଏହା ସେତେବେଳେ ଅନୁଭୂତ ହୁଏ ଯେବେ ଆମେ ଆମର ଆଖପାଖରେ ଘଟୁଥିବା ଘଟଣା ଗୁଡିକୁ ଧ୍ୟାନର ସହ ଦେଖିଥାଉ। ଧ୍ୟାନର ସହ ଦେଖିଲେ କଣ ସବୁ ବୁଝି ହେଇଯାଏ ! ନାଁ, ନିଜକୁ ସେହି ସ୍ଥାନରେ ରଖି ଦେଖିବାକୁ ହୁଏ। ସିନେମାରେ ତ ବହୁତ ଥର ଦେଖିଛି ଯେ ବାପାମାଆଙ୍କ ପ୍ରେମ, ଭାଇ ଭଉଣୀ ପ୍ରେମ, ସ୍ୱାମୀ ସ୍ତ୍ରୀ ପ୍ରେମ। ଦେଖିଚି ଏହି ସମ୍ପର୍କରେ ଥିବା ପ୍ରତାରଣା। କିନ୍ତୁ ଆଖି ସାମ୍ନାରେ ଦେଖିଲା ପରେ ବୁଝି ହୁଏ ଯେ ପ୍ରକୃତରେ କିପରି ଥାଏ ଏହି ଅନୁଭଵ।
କୃପାକର ବାବୁ ଜଣେ ସରକାରୀ କର୍ମଚାରୀ। ଗାଁ ଠାରୁ ପାଞ୍ଚ କିଲୋମିଟର ଦୂରରେ ଅଫିସ। ଘରେ ଲକ୍ଷ୍ମୀପରି ସ୍ତ୍ରୀ ମିନତି ଆଉ ଦୁଇ ପୁଅ ଅମିୟ ଆଉ ଅଭୟ। ପୁଅ ମାନେ ମଧ୍ୟ ଭଲ ପାଠ ପଢ଼ନ୍ତି। ମଣିଷକୁ ଆଉବା କଣ ଆବଶ୍ୟକ ! ଏପରି ଜୀବନ ବହୁତ ଲୋକ ଆଶା କରନ୍ତି କିନ୍ତୁ ପାଇ ପାରନ୍ତି ନାହିଁ। ଲୋକ ବହୁତ ହିଂସା କରନ୍ତି କୃପାକର ବାବୁଙ୍କ ଘରର ସୁଖ ଦେଖି।
ଦୁଇ ପୁଅ କଲେଜ ପଢିବାକୁ ପାଖ ସହର ଗଲେ। ପଢ଼ାସାରି ଅମିୟ ବଡ଼ ସହର ଯାଇ ଚାକିରୀ ଧରିଲା। ବାପାମାଆଙ୍କ ଆଦର୍ଶ ପୁଅ ଥିଲା ସେ। ଘର ତିଆରି ପାଇଁ ବାପାଙ୍କୁ ପଇସା ଦିଏ, ସବୁଦିନେ କଲ କରି ଘର କଥା ବୁଝେ। ବାପମାଆଙ୍କ ଗର୍ଵ ଥିଲା ସେ। ଦିନେ ଅମିୟ ଫୋନ କରି ମାଆଙ୍କୁ କହିଲା, "ମାଆ! ମୁଁ ଗୋଟିଏ ଝିଅକୁ ଭଲ ପାଉଛି ଓ ବାହା ହେବାକୁ ଚାହୁଁଛି।"
ଏ କଥା ଶୁଣି ମାଆ ଆଶ୍ଚର୍ଯ୍ୟ ହେଇଗଲେ ଓ ଝିଅର ଜାତି, ଘର କଥା ପଚାରିଲେ। ଅନ୍ୟ ଜାତି ଝିଅ ଶୁଣି ମାଆ ଜଣେ ସାଧାରଣ ମାଆ ଭଳି କହିଲେ, "ବାପରେ! ଅନ୍ୟ ଜାତି ଝିଅ ବୋହୁ କଲେ ଜାତି କୁଟୁମ୍ବ ଏକଘରିଆ କରିଦେବେ ଯେ ! ତୁ ଟିକେ ଭଲ ଭାବେ ଚିନ୍ତା କର।" ଅମିୟ କିନ୍ତୁ ନିଜ ଜିଦିରେ ଅଟଳ ଥିଲା। ମାଆ କହିଲେ, "ଏବେ ବାଇଶି ବର୍ଷ ତତେ, ବାହା ହେବା ସମୟ ହେଉ ଦେଖିବା। କିନ୍ତୁ ଝିଅ ପରିବାର ରାଜି ହେବା ଆବଶ୍ୟକ।"
ଏହିପରି ବର୍ଷେ ସମୟ ଗଡ଼ିଗଲା। ଅମିୟ ଦିନେ କଲକରି କହିଲା, "ବୋଉ ସେ ଝିଅ ତା ବାପକୁ କହିଛି, ସେମାନେ ତା ବାହାଘର ଅନ୍ୟ କେଉଁଠାରେ କରିଦେବେ କହୁଛନ୍ତି।" ମିନତି କହିଲେ, "ତୋ ବାପା ମଧ୍ୟ ରାଜି ହେଉନାହାନ୍ତି। ଟିକେ ସମୟ ଦେ ବୁଝେଇବା ପାଇଁ।" କିନ୍ତୁ ଦଶ ଦିନରେ ସେ ଶୁଣିବାକୁ ପାଇଲେ ଯେ ଅମିୟ ସେ ଝିଅକୁ ନେଇ ତା ଚାକିରୀ ଜାଗାକୁ ନେଇ ଯାଇଛି। ଗାଁ ସାରା ଲୋକ ଛି ଛାକର କଲେ।
ମିନତି ଦେବୀ ଲୁହ ପିଇ ଚୁପ ରହିଲେ। ପ୍ରେମ ପାଇଁ ପିଲା ବର୍ଷ ବର୍ଷ ଅପେକ୍ଷା କରନ୍ତି। ଯିଏ ବାପମାଆ ହେଲେ ମନା କରିବେ। ଝିଅ ବାପା ମନାକରିବାର ଦଶଦିନରେ ଦୁହେଁ ଲୁଚି ବାହା ହେଇ ପଡିଲେ। ସିନେମା ଭଳି ଜୀବନ ହେଇଗଲା। ଶେଷରେ ମାଆର ମମତା ଜିତିଗଲା। ମିନତି ଦେବୀ ପୁଅ ବୋହୂ ସହ କଥା ହେଇଥାନ୍ତି। ସମୟ କ୍ରମେ ମମତା ଦେବୀଙ୍କୁ ଅମିୟର କଥାବାର୍ତ୍ତା ଅଲଗା ଲାଗିଲା। କିଛି ଅସୁବିଧା ଅଛି ଭାବି ଅଭୟକୁ ନେଇ ଅମିୟ ଘରେ ପହଞ୍ଚିଲେ।
ଅମିୟ ରୋଗୀ ସମାନ ଦିଶୁଥାଏ। ଆଖିତଳ ସବୁ କଳା ପଡିଯାଇଥାଏ। ଅଭୟ କହିଲା, "ଭାଉଜ! ଭାଇକୁ ନେଇ ମୁଁ ହସ୍ପିଟାଲ ଯାଉଛି।" ଅମିୟ ସ୍ତ୍ରୀ କହିଲା, "ମୁଁ ଡାକ୍ତର ଦେଖେଇଛି। ଔଷଧ ଚାଲିଛି ପରା। ଅଭୟକୁ କିନ୍ତୁ ସନ୍ଦେହ ହେଲା। ତାର ସେହି ସହରରେ କିଛି ସାଙ୍ଗ ଥିଲେ। ଅମିୟ ସ୍ତ୍ରୀ ମାର୍କେଟ ଯିବା ସମୟରେ ଅଭୟ ଅମୀୟକୁ ନିଜ ସାଙ୍ଗ ସହ ନେଇ ହସ୍ପିଟାଲ ଗଲା। ଡାକ୍ତର ଯାହା କହିଲେ ଶୁଣି ଅଭୟ ପାଦତଳୁ ଭୂମି ଖସିଗଲା।
ଡାକ୍ତର କହିଲେ ଯେ ଅମୀୟକୁ ଧୀରେ ଧୀରେ ବିଷ ଦିଆ ହେଉଛି। ଆଉ ବିଳମ୍ବ ନକରି ଅଭୟ ପୋଲିସକୁ ଖବର ଦେଲା। ପୋଲିସ ଅମିୟ ସ୍ତ୍ରୀକୁ ନେଇ ପଚାରିଲା। ବହୁତ ପଚାରିବା ପରେ ଅମିୟ ସ୍ତ୍ରୀ କହିଲା ଯେ ତାର ବାପା ମାଆ ଭାଇ ଭଉଣୀ କଥା ଛାଡ଼ୁ ନଥିବା ବେଳେ ଅମିୟ କାହିଁକି ନିଜ ମାଆ ଭାଇ ସହ ଗପୁଛି, ଅମିୟ ମଧ୍ୟ କାହା ସହ କଥା ହେବା କଥା ନୁହେଁ। ସେ କାହିଁକି ସାଙ୍ଗ ସାଥୀଙ୍କ ମେଳରେ ଖୁସି ରହୁଛି ! ମୁଁ ଚାହେଁ ସେ କେବଳ ମୋ ପ୍ରତି ଧ୍ୟାନ ଦେବ।"
ଅମିୟ ସ୍ତ୍ରୀ କଥା ଶୁଣି କେହି ବିଶ୍ୱାସ କରି ପାରିଲେ ନାହିଁ ଯେ ଏମିତି କାରଣ ଥାଇପାରେ ଯାହା ପାଇଁ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ବିଷ ଦେବ। ମହିଳା ପୋଲିସ ଜଣକ କହିଲା, "ବାଃ ରେ ପ୍ରେମ। ଆଧୁନିକତାର ଛାପରେ କେତେ ବଦଳିଗଲୁଣି। ସିନେମାରେ ଯେଉଁ ସବୁ ଦେଖାଉଛି ଯେ ଦୁହେଁ ଦୁହିଁଙ୍କ ସାହାରା ହେଇ ରହିଯିବା, ତାହାର ଅର୍ଥ କଣ ବାହାରିଲାଣି ଆଜି। ମୋ ସହ କେବଳ ରହିବୁ ନହେଲେ ଆଉ କାହାର ହେବା ଯୋଗ୍ୟ ଛାଡିବିନି।"
ପ୍ରେମ ନାଁରେ ଏଭଳି ସମ୍ପର୍କ ଦେଖି ବୁଝି ହେଉନି ଯେ ଦୁନିଆ କେଉଁ ରାସ୍ତାରେ ଯାଉଛି। ପ୍ରେମ ତ ଶାଶ୍ୱତ ଅଟେ। ପ୍ରେମ ନାଁରେ ମାତାପିତା ପରିବାରକୁ ଛାଡି ଦେଇ କଣ ସଫଳତା ପାଇଁ ହୁଏ ! ନଅ ମାସ ଗର୍ଭରେ ରଖିଥିବା ମାଆ କଣ ନଅ ମାସ ପୁରାଣ ହେଲେ ଜବରଦସ୍ତି କାଢି ଦିଏ ପେଟରୁ ! ନାଁ, ତେବେ କଣ ମାଆ ବାପାଙ୍କୁ ବୁଝେଇ ପ୍ରେମ ରାସ୍ତାରେ ଆଗେଇ ହେବନି ! ଜୀବନ ରୂପକ ସିନେମାରେ ଗୋଟେ ଆଦର୍ଶ ପ୍ରେମର ଅନୁଭଵ ନେଇ ଆଗେଇବା ଉଚିତ। ଅମିୟ ମୁଣ୍ଡ ଆଉଁସି ଦେଇ ମମତା ଦେବୀ ଭାବୁଥାନ୍ତି ଏଭଳି ପ୍ରେମ ସିନେମା ଭଗବାନ କାହାକୁ ନଦେଖାନ୍ତୁ।
