Bhabesh Chandra Kar

Romance Others

3  

Bhabesh Chandra Kar

Romance Others

ଜାତିସ୍ମର

ଜାତିସ୍ମର

9 mins
218


ସେଦିନ ଅଫିସରେ ବିଶେଷ କିଛି କାମ ନଥିଲା ।ଲଂଚଟାଇମରେ ଘରକୁ ଆସି ଖାଇସାରି ବିଛଣାରେ ଗଡେଇ ହୋଇ ପୁର୍ବର କଥାକୁ ଭାବୁଥିଲା ବ୍ୟୋମକେଶ୍ ।ବ୍ୟୋମକେଶ୍ ଭୂବନେଶ୍ବରରେସ୍ଥିତ ଏକ ମଲଟିନ୍ୟାସନାଲ କମ୍ପାନିରେ ଆସିଷ୍ଟାଣ୍ଟ କର୍ପୋରେଟ ମ୍ୟାନେଜର ଭାବେ ଦୀର୍ଘ ୮ ବର୍ଷଧରି କାର୍ଯ୍ୟରତ ।ସ୍ତ୍ରୀ ନମିତା କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକରେ ଗାଇନିକ ଡକ୍ଟର ଭାବେ ତିନିବର୍ଷ ହେବ କାମ କରି ଆସୁଅଛି ।ଏକମାତ୍ର ପୁଅ ରୁପେଶ ଭୁବନେଶ୍ବରରେ ତା ପାଖରେ ରହି ପଢୁଛି ।ନମିତା ବ୍ୟସ୍ତତା ମଧ୍ୟରେ ମଧ୍ୟ ମଝିରେ ମଝିରେ ଭୁବନେଶ୍ବର ଆସି ବୁଲିଯାଏ ।

ଆଜକୁ ପ୍ରାୟ ପନ୍ଦର ବର୍ଷତଳେ କେନ୍ଦୁଝର ଥିଲା ବ୍ୟୋମକେଶର କର୍ମକ୍ଷେତ୍ର ।ସେତେବେଳେ ସେ ଗୋଟିଏ N. G.O ରେ କାର୍ଯ୍ୟକ୍ରମ ସଂଯୋଜକ ଭାବେ ସୋସିଓଲୋଜିରେ ପିଜି ପରେପରେ ଜଏନ୍ କରିଥାଏ ।ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ଲହୁଣିପଡା ବ୍ଲକର କିଛି ପଂଚାୟତରେ ମଧ୍ୟ କାମ କରିବାର ସୁଯୋଗ ପାଇଥିଲା ।ତା ଟିମରେ ତାକୁ ମିଶାଇ ପାଂଚଜଣ ଥିଲେ ।ଦେଖିବାକୁ ବହୁତ ସୁନ୍ଦର ଥିବାରୁ ବ୍ୟୋମକେଶ ଟିମରେ ଥିବା ଝିଅମାନଙ୍କର ସ୍ବପ୍ନର ନାୟକ ଥିଲା କହିଲେ ଅତ୍ୟୁକ୍ତି ହେବନି ।ସେଦିନ କୌଣସି ଗୋଟେ କାମରେ ସେ ତାର ଟିମର ସାଥି ନନ୍ଦିତା ଓ ମାନିନୀ ସହ ମହୁଲପଦା ପଂଚାୟତର କେତ ଗାଁକୁ ଯାଉଥିଲା ।ପାହୁଡୀ ଭୂୟାମାନେ ରହୁଥିବା ଏହି ଗାଁଟି ପାହାଡ ଉପରେ ଅବସ୍ଥିତ ।କିରି ଗାଁରୁ ସକାଳୁ ପାହାଡ ଚଢିବା ଆରମ୍ଭ କରିଥିଲେ ସମସ୍ତେ ।କେତରେ ପହଂଚୁ ପହଂଚୁ ଦିନ ଦୁଇଟା ବାଜିଗଲା ।ଗାଁରେ ସେତେବେଳେ ବିଶ୍ରି ଓଷା ଚାଲିଥିଲା ।ଲୋକମାନେ ପର୍ବ ପାଳିବାରେ ବ୍ୟସ୍ତଥିଲେ ।ଦରବାର ଘର ନିକଟରେ ବିଶ୍ରି ଠାକୁରାଣୀଙ୍କର ପୂଜା ଚାଲିଥାଏ ।ଗାଁର ଧାଙ୍ଗଡାଧାଙ୍ଗଡୀମାନେ ଚାଙ୍ଗୁ ବାଦ୍ୟର ତାଳେତାଳେ ନୃତ୍ୟରେ ମତ୍ତ ଥାନ୍ତି ।ତା ସହିତ ଯାଇଥିବା ଝିଅ ଦୁଇଜଣମଧ୍ୟ ନାଚରେ ସାମିଲ ହୋଇଗଲେ ।ନନ୍ଦିତା ସାହାସ କରି ତା ପାଖରେ ପହଂଚି କହିଲା ଆସନା ବ୍ୟୋମକେଶ ପ୍ରକୃତିର ସନ୍ତାନ ଭୂୟାଁମାନଙ୍କର ଏହି ନାଚରେ ସାମିଲ ହେବା ।ବହୁତ ମଜା ହେବ ।ବ୍ୟୋମକେଶ ସ୍ମିତ ହସି ତୁମେ ଯାଅ ମଜାକର ମୁଁ ସେସବୁକୁ ମୋର କ୍ୟାମେରାରେ କଏଦ୍ କରୁଛି କହି ଭିଡିଓ ରେକଡିଂରେ ବ୍ୟସ୍ତ ରହିଲା ।ଏହିସମୟରେ କିଏ ଗୋଟେ ତାକୁ ପଛରୁ ଭିଡିଧରି ବାବୁ ବାବୁ ତମେ ଏତେଦିନଧରି କୁଆଡେ ଯାଇଥିଲ ।ମୁଁ ତୁମକୁ କେଉଁଠି ନଖୋଜିଛି ।ଝରଣା,ଜଙ୍ଗଲ ପାହାଡ ସବୁଠି ତୁମକୁ ଖୋଜିଛି କିନ୍ତୁ କେଉଁଠି ପାଇନି ଶୁଣି ଚମକି ଉଠିଲା ସେ ।ଦେଖିଲା ଝିଅଟି ତାକୁ ଭିଡିଧରିଥିଲା ।ଏତିକିବେଳେ ଗାଁର ପ୍ରଧାନ ଆସି ଝିଅଟିକୁ ତାଠୁ ଅଲଗା କରି ନେଇଯିବାକୁ ବସିଲେ ।ଝିଅଟି କିନ୍ତୁ ଜାଗାଛାଡି ଯିବାକୁ ନାରାଜ ଥିଲା ।ପ୍ରଧାନ ତାକୁ ହାତଯୋଡି କହିଲେ ବାବୁ ବାୟାଣିଟା ।କ'ଣ କହିଦେଲା ଖରାପ ଭାବିବେନି ।ସେ ମୋର ଝିଅ । ଭଲ ପାଠମଧ୍ୟ ପଢୁଥିଲା କିନ୍ତୁ କଲେଜର କ'ଣ ଗୋଟେ ପରୀକ୍ଷା ପରେ ପୁରା ଗୁମସୁମ ରହିଲା ।କାହା ସହିତ ବିଶେଷ କଥାବାର୍ତ୍ତା ମଧ୍ୟ କଲାନି ।ଯେତେବେଳେ ଦେଖ ଗୁଣୁଗୁଣୁ ହୋଇ ଗୀତ ବୋଲୁଥିବ ନଚେତ ଝରଣାକୂଳରେ ବସି ପାଣିକୁ ଟେକା ପକାଉଥିବ ।ତାକୁ କିଏ ଥଟ୍ଟାକରି କହିଲେ କହିବ ମୋ ବାବୁ ଆସୁ ତା ଆଗରେ ସବୁ କହିଦେବି ।ଏସବୁ ଶୁଣି ବ୍ୟୋମକେଶ ହସିକରି କହିଲା ବୁଝିବା ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।ସର୍ଦ୍ଦାର ତା ହାତକୁ ଧରି ପକାଇ କହିଲେ ବାବୁ ଆମ ଘରକୁ ଆସନ୍ତୁ ମୁଁ ସବୁ କଥା ଆପଣଙ୍କୁ କହିବି ।

ବିଶ୍ରିପୂଜା ସରୁସରୁ ସନ୍ଧ୍ୟା ହୋଇଗଲା ।ଗାଁର ଧାଂଗଡା ଧାଂଗଡୀମାନେ ଚାଙ୍ଗୁ ନାଚରେ ମତ୍ତଥାନ୍ତି । ବ୍ୟୋମକେଶ ସାଥିମାନଙ୍କ ସହ ପ୍ରଧାନଙ୍କ ଘରକୁ ଆସିଲା ।ସେଠାରେ ସେମାନଙ୍କର ରାତ୍ରିଭୋଜନର ଆୟୋଜନ ଗାଁ ଲୋକମାନେ କରିଥାନ୍ତି ।ଖାଇସାରି ବ୍ୟୋମକେଶ ମାଟି ଅଗଣାରେ ପଡିଥିବା ଖଟିଆରେ ଗଡିପଡିଲା ।ନିକଟରେ ପ୍ରଧାନମଧ୍ୟ ଗୋଟେ ଖଟିଆରେ ଗଡୁଥାନ୍ତି ।କଥା ଆରମ୍ଭ କଲେ ପ୍ରଧାନେ ।ବାବୁ ଆଜକୁ ପ୍ରାୟ କୋଡିଏ ବର୍ଷ ତଳର କଥା ।ଆମ ଗାଁର ଡାକୁଆ ନିଶି ନାୟକର ଗୋଟିଏ ଝିଅ ଥିଲା ।ନାଁ ତାର କୁସୁମ । ରୂପରେ ଯେପରି ଗୁଣରେ ମଧ୍ୟ ସେପରି ।ଗାଁଟାଯାକର ଲୋକେ ତାକୁ ବହୁତ ଆଦର କରନ୍ତି ।ଗାଁକୁ ଆସିଥିଲେ ଜଣେ ସରକାରୀ ବାବୁ ।ଯୁବକ ଲୋକ ।ବହୁତ କଡା ଅଫିସର ହେଲେମଧ୍ୟ ଆମ ଭୂୟାଁମାନଙ୍କ ଗହଣରେ ସେ ଏପରି ମିଶିଗଲେଯେ ସେ ଦୁଇଦିନପରେ ଯିବା କଥା କିନ୍ତୁ ଆମ ଗାଁରେ ରହିଗଲେ ପୁରା କୋଡିଏ ଦିନ ।ରହିବା ମଧ୍ୟରେ ବାବୁଙ୍କୁ ବଣଜଂଗଲ,ଝରଣା ପାହାଡଉପରେଥିବା ଦେବସ୍ଥଳିକୁ ବୁଲାଇବାର ଦାୟିତ୍ବଥିଲା କୁସୁମର ।ସେ ବାବୁ ଭଲ ଗୀତ ବୋଲିବା ସହ ବଂଶିମଧ୍ୟ ବଜାଉଥିଲା ।ତାଙ୍କର ଗୋଟିଏ ଗୀତ ମୁଁ ଏପର୍ଯ୍ୟନ୍ତ ମନେ ରଖିଛି "ଏହି ଯେ ବନଲତା ପାହାଡ ,ଦିଶଇ ଆହା କେଡେ ସୁନ୍ଦର ।ଏଠି ଦିନ ସରେନା ଏଠି ରାତି ସରେନା ।" ବୁଲିବା ମଧ୍ୟରେ କୁସୁମ ମନ ଦେଇ ବସିଲା ସେ ବାବୁକୁ ।ବାବୁ ମଧ୍ୟ ଗଲାବେଳେ ତା'ର ଠିକଣା ଲେଖାଥିବା କାଗଜ ଦେଇଯାଇଥିଲା ଓ କହିଯାଇଥିଲା ଯେ ଖୁବଶିଘ୍ର ଆସି ତା'କୁ ନେଇ ଯିବବୋଲି ।କିନ୍ତୁ ବାବୁ ଆଉ ଆସିଲାନି ।ଏପଟେ କୁସୁମ ମଧ୍ୟ ବାବୁଙ୍କୁ ଝୁରିଝୁରି କଣ୍ଟା ହୋଇଗଲା ।ଖାଇବା ପିଇବା ଛାଡିଦେଲା ସେ ।ଗାଁର କିଛି ଲୋକ ସେ ଠିକଣା ନେଇ ସହରକୁ ଯାଇଥିଲେ କିନ୍ତୁ ତାଙ୍କ ଘର ଲୋକେ ସେ କାଗଜ ଦେଖି କାନ୍ଦିବାକୁ ଲାଗିଲେ ।ଗାଁ ଲୋକମାନେ ଜାଣିବାକୁ ପାଇଲେ ଯେ ଏକ ସଡକ ଦୁର୍ଘଟଣାରେ ବାବୁଙ୍କର ମୃତ୍ୟୁ ହୋଇଛି ବୋଲି ।ବାବୁ ମରିଯାଇଥିବାର ଖବର ସେମାନଙ୍କ ଠାରୁ ଶୁଣି କୁସୁମ ଜଂଗଲ ମଧ୍ୟରେ ବିକଳରେ କାନ୍ଦିକାନ୍ଦି ବୁଲୁଥିବା ସମୟରେ ପାହାଡି ଝରଣାରେ ଗୋଡଖସି ଯିବାରୁ ଗୁରୁତର ଆଘାତ ପାଇଲା ଓ ପରେପରେ ଘରକୁ ଆଣୁଥିବା ବାଟରେ ମୃତ୍ୟୁ ବରଣ କଲା । ଏହାର କିଛିଦିନ ପରେ ମୋର ଏହି ଝିଅ ଜନ୍ମ ହେଲା ।ରୂପ ଗୁଣ ସବୁ ଥିଲା କୁସୁମ ପରି ।ବଡହେଲାପରେ ମଝିରେ ମଝିରେ ଗୁଣୁଗୁଣୁ ହୋଇ ଗୀତ ବୋଲେ ।ରାତିରେ ବେଳେବେଳେ କଣ ଗୋଟେ ସ୍ବପ୍ନ ଦେଖିଲାପରି ବିଳବିଳେଇ ପାଟିକରିଉଠେ ବାବୁ ବାବୁ ବୋଲି ଚିତ୍କାର କରି ଉଠେ ।ଧାଙ୍ଗଡୀଧାଙ୍ଗଡା ମାନଙ୍କ ସହ ଜମା ମିଶେନି ।ଥରେ ଗୋଟେ ଧାଙ୍ଗଡା ତା ହାତଧରି ଘିଂଚି ନେଉଥିଲା ଯେ ରାଗିକରି ତା ବାହୁକୁ କାମୁଡି ପକେଇଲା ଯେ ସେଥିପାଇଁ ଗାଁରେ ନିଶାପ ବସିଲା ।ମୁଁ ଝିଅ ତରଫରୁ ଭୂଲ ମାଗିଲାପରେ ଘଟଣା ଶାନ୍ତ ହେଲା ।ଆଜି ପ୍ରଥମଥର ତା ମୁହଁରେ ମୁଁ ହସ ଦେଖିଲି ।ନିରବରେ ସବୁ ଶୁଣୁଥିବା ବ୍ୟୋମକେଶ କହିଲା ମୋର ଏକ ପ୍ରସ୍ତାବ ଅଛି ଯଦି କଥା ରଖିବେ ତେବେ କହିବି ।ପ୍ରଧାନେ କହିଲେ ବାବୁ ଆପଣ କେଡେ ବଡ ଲୋକ ।ମୁଁ ତ ମୁରୁଖ ଲୋକଟା ।ଆପଣ ତ ଆମର ଭଲପାଇଁ ଚିନ୍ତା କରୁଛନ୍ତି ।କୁହନ୍ତୁ ମୁଁ ନିଶ୍ଚୟ ରଖିବି ।ବ୍ୟୋମକେଶ କହିଲା ଝିଅକୁ ମୋ ସଂଗରେ ପଠାଇପାରିବେ ।ମୋର ବାପା ଜଣେ ସାଇକ୍ରାଟିସ୍ଟ ।ସେ କାଳେ ଭଲକରିଦେଇପାରିବେ ।ତାପରେ ସେତ ପ୍ଲସଟୁ ସାଇନସ୍ ପ୍ରଥମ ଶ୍ରେଣୀରେ ପାସ କରିଛି ।ସହରରେ ଆମ ଘରେ ରହି କଲେଜରେ କିମ୍ବା ତା ଇଛା ଅନୁସାରେ ପାଠ ପଢନ୍ତା ।ପ୍ରଧାନେ କିଛି ସମୟ ଗୁମ୍ ରହିଗଲେ ।ତାପରେ କହିଲେ ହଉ ବାବୁ ବଡାମ ବୁଢାର ଯାହା ଇଛା ।ସେ କାଲି ତମସହ ଯାଉ ।ତୁମେ ଆପଣ କିନ୍ତୁ ଆମ ଗାଁକୁ ମଝିରେ ମଝିରେ ଆସୁଥିବ।ତା ଖବରଟା ଶୁଣିଲେ ତା ମା ଟା ଟିକେ ଖୁସି ହେବ ।ଗାଁକୁ ନିୟମିତ ଆସିବାର ପ୍ରତିଶୃତି ଦେଇ ବ୍ୟୋମକେଶ ବିଶ୍ରାମ ନେଲା ।

ତା ପରଦିନ ବ୍ୟୋମକେଶ ଉଠି ନିତ୍ୟକର୍ମ ସାରି ବାହାରିଲା ।ସାଥିମାନେ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ କିନ୍ତୁ ସେ ଝିଅଟିର ଦେଖାନାହିଁ ।ସାଥି ନନ୍ଦିତା ରାଗିକରି କହିଲା ସାର୍ ଗୋଟେ ପାଗଳୀଝିଅଟା ପାଇଁ ଆପଣଙ୍କର ଏ ଅହେତୁକ ଅନୁକମ୍ପା କାହିଁ ମୋତେ ଠିକ ଲାଗୁନି ।ସେ କେତେବେଳେ ଆସିବ ଆମେ ଯିବା ।ବ୍ୟୋମକେଶ କିଛି ନକହି ନିରବ ରହି କଣ ଗୋଟେ ଭାବୁଥିଲା ।ଏହି ସମୟରେ ଝିଅଟି ଆସି ପହଂଚିଗଲା ।ବ୍ୟୋମକେଶତ ରାଗିକରି ଥିଲା ପଚାରିଲା ତମେ କୁଆଡେ ଯାଇଥିଲ ।ତୁମର ଆମ ସହିତ ଯିବାର ଇଛା ଅଛି ନା ନାହିଁ ।ଇଛା ନାହିଁ ତ ତୁମେ ରୁହ ଆମେ ଯାଉଛୁ କହି ବାହାରିଲା ।ଏହି କେଇପଦ ଟାଣଟାଣ କଥାରେ ଝିଅଟିର ଆଖି ଲୁହ ଛଳଛଳ ହୋଇଗଲା ।ବ୍ୟୋମକେଶର ହାତ ଧରିପକାଇ କହିଲା ଭୂଲ ହୋଇଗଲା ବାବୁ ।ଆମେ ଭୂୟାଁମାନେ ତମ ରାଇଜକୁ ଗଲେ ଜଂଗଲରେ ଥିବା ଠାକୁରାଣୀଙ୍କୁ ଜୁହାର ହୋଇ ଯାଉ ।ତାତିଲା ଲୁହାରେ ପାଣି ପଡିଲାପରି ବ୍ୟୋମକେଶ ଏକଦମ୍ ଚୁପ ହୋଇଗଲା ।ହସିକରି କହିଲା କଣ ତୁମ ଠାକୁରାଣୀଙ୍କୁ କଣ  ମାଗିଲ।ଝିଅଟି କହିଲା ବାବୁ ମୁଁ କିଟା ମାଗିଲି କିରାପାଇଁ କହିବି ।ମା ରାଗିବେନି? ସମସ୍ତେ ତା କଥାରେ ହୋ ହୋ ହୋଇ ହସି ଉଠିଲେ ।

ବ୍ୟୋମକେଶ ସାଥିମାନଙ୍କ ସହ ଝିଅଟିକୁ ଧରି ସେହି ପାହାଡିଆ ରାସ୍ତାରେ ଆସି ଡେରୁଳା ଗାଁରେ ପହଂଚିଲା ।ସେଠାରେ ସେମାନଙ୍କୁ ଅଫିସ ଗାଡି ଅପେକ୍ଷା କରିଥିଲା ।କେନ୍ଦୁଝରରେ ପହଂଚୁ ପହଂଚୁ ରାତି ୯ଟା ବାଜିଗଲା ।ରାତିଗାଡିରେ ସେହି ଝିଅଟିକୁ ନେଇ ଭୁବନେଶ୍ବର ପଳାଇ ଆସିଲା ।

ଘରେ ପହଂଚି ବାପାବୋଉଙ୍କୁ ସବୁ କଥା କହିଲା ପରେ ବାପା ଝିଅଟିକୁ ମେଡିକାଲ କୋଚିଂ ନେବାପାଇଁ କହିବା ସହ ପରେ ତା ନାଁ ଗୋଟେ କୋଚିଂ ସେଣ୍ଟରରେ ଲେଖାଇଦେଲେ ।ଭୂବନେଶ୍ବରରେ କିଛିଦିନ ରହିଲା ପରେ ଝିଅଟିର କଥାବାର୍ତ୍ତା,ଚାଳିଚଳନରେ ବହୁତ ପରିବର୍ତ୍ତନ ଆସିଲା ।ତା ପର ବର୍ଷ ମେଡିକାଲ ଏନଟ୍ରାନସ୍ ଦେଲା ସୌଭାଗ୍ୟବଶତଃ ପରୀକ୍ଷାରେ କ୍ବାଲିଫାଇ ମଧ କଲା ।

ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜରୁ ଏମ୍ .ବି.ବି.ଏସ୍ ପରୀକ୍ଷାରେ ଟପ୍ପର ହୋଇ ପୁର୍ବର ସମସ୍ତ ରେକର୍ଡକୁ ଭାଂଗି ସ୍ବର୍ଣପଦକ ସହ ସହ ସେହିଠାରେ ଗାଇନୋକୋଲୋଜିରେ ପି.ଜି ମଧ୍ୟ ଶେଷ କରିବା ପରେ କେନ୍ଦୁଝରରେ ତା'ର ପ୍ରଥମ ପୋଷ୍ଟିଂ ହେଲା ।ସେତେବେଳକୁ ବ୍ୟୋମକେଶ କେନ୍ଦୁଝରର ସେହି ସଂଗଠନଛାଡି ଏକ ମଲଟିନ୍ୟାସନାଲ କମ୍ପାନିରେ ଯୋଗଦେଇ ସାରିଥାଏ ।

ମେଡିକାଲ ପଢିବାମଧ୍ୟରେ ଝିଅଟି ବାପା ବହୁତ ଥର ଆସିଛନ୍ତି ତାକୁ ଗାଁକୁ ନେବାକୁ ସେ କିନ୍ତୁ ପାଠପଢା ଓ ଅନ୍ୟ ବାହାନା ଦେଖାଇ ଗାଁକୁ ଯାଇନି ।କେନ୍ଦୁଝରରେ ଜଏନ୍ କରିବା ପରେ ଅନ୍ୟ ଏକ ସମ୍ପ୍ରଦାୟରୁ ତାର ବିବାହ ପ୍ରସ୍ତାବ ତା'ର ବାପା ଆଣିବାକୁ ସେ ବିରୋଧ କରିବାରୁ ତା' ବାପା ବ୍ୟୋମକେଶର ବୋଉକୁ ଦେଖା କରି ସମସ୍ତ କଥା କହି ଝିଅକୁ ବିବାହ ପାଇଁ କହିବା ପାଇଁ ଅନୁରୋଧ କରିଥିଲେ ।ସେ ଥରେ ଭୂବନେଶ୍ବର ଆସିଥିବା ସମୟରେ ବ୍ୟୋମକେଶର ବୋଉ ସମୟ ଦେଖି ପଚାରିଲେ ମାଲୋ ତୋ ବାପା କ'ଣ ତୋ ପାଇଁ ବିବାହ ପ୍ରସ୍ତାବ ନେଇ ମୋ ପାଖକୁ ଆସିଥିଲେ ।ପିଲାଟି ମଧ୍ୟ ଡାକ୍ତର ଅଛି ।ତୋର ମତ କଣ ? ତାଙ୍କ କଥାଶୁଣି ଝିଅଟା ତାଙ୍କୁ କିଛି କହିଲାନି କେବଳ କାନ୍ଦିବାକୁ ଲାଗିଲା ।ତାର କାନ୍ଦିବା ଦେଖି ବ୍ୟୋମକେଶର ବୋଉ ତାକୁ ବୁଝାଇ କରି କହିଲେ ମାରେ ଏଥିରେ କାନ୍ଦିବାର କଣ ଅଛି ବରଂ ନୂତନ ଜିବନ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବାର ଅଛି ।ଝିଅଟି ଅପଲକ ନୟନରେ ବ୍ୟୋମକେଶର ବୋଉକୁ ଚାହିଁ କହିଲା ମା ପ୍ରତି ଝିଅ ଜୀବନରେ ଜଣେ ପୁରୁଷକୁ ହିଁ ମନ ଦେଇଥାନ୍ତି ।ମୁଁ ମଧ୍ୟ ପିଲାଦିନରୁ ମୋର ସ୍ବପ୍ନରେ ବାରବାର ଆସୁଥିବା ଏକ ପୁରୁଷ ଯାହାକୁ ସେତେବେଳେ ଦେଖି ମଧ୍ୟ ନଥିଲି ତାଙ୍କୁ ମୋର ମନ ଦେଇସାରିଥିଲି ।ପରବର୍ତ୍ତି ସମୟରେ ସେ ଅତର୍କିତ ଭାବେ ଆମ ଗାଁରେ ପହଂଚିଥିଲେ ।ତାପରେ ମୋ ଜିବନର ଗତିପଥ ବଦଳି ଯାଇଥିଲା ।ଅବାକ୍ ହୋଇ ଶୁଣୁଥିବା ବ୍ୟୋମକେଶର ବୋଉ ପଚାରିଲା କିଏ ସେ ତା ନାଁ କହ ।ମୁଁ ନିଶ୍ଚୟ ତା ସହ ତୋର ବିବାହ କରାଇଦେବି ।ଝିଅଟି ତଳକୁ ମୁହଁ କରି ପାଦର ଆଙ୍ଗୁଠିରେ ଭୂମିରେ ଗାରଟାଣୁଟାଣୁ କହିଲା ମା ମୁଁ ସମୟ ଆସିଲେ ତୁମକୁ ନିଶ୍ଚୟ କହିବି ।ଉଭୟଙ୍କ କଥୋପକଥନକୁ କବାଟ ସେପଟରେ ଶୁଶୁଥିବା ବ୍ୟୋମକେଶ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲା କାହାକୁ ଭଲପାଏ ଝିଅଟି ।

ମନର କଥା ମନରେ ରଖି ଅଫିସ ବାହାରି ଗଲା ସେ ।ଅଫିସରେ କିନ୍ତୁ ତାର କାମରେ ମନ ଲାଗୁନଥାଏ ।ମନେମନେ ଭାବୁଥାଏ ସେ କିପରି ଜାଣିପାରିଲାନି ସେ କାହାକୁ ଭଲ ପାଏ ବୋଲି ।ସନ୍ଧ୍ୟାବେଳେ ସେ ଘରେ ପହଂଚିବା ବେଳକୁ ଝିଅଟି ଦାଣ୍ଡଘରେ ବସିଥିଲା ।ତାକୁ ଦେଖୁଦେଖୁ କହିଲା କିଛି ମାର୍କେଟିଂ କରିବାର ଥିଲା ଟିକେ ମାର୍କେଟଆଡେ ଯାଆନ୍ତେନି ।ସ୍ମିତହସି କିଛି ସମୟ ପରେ ଯିବା କହି ଫ୍ରେସ ହେବାକୁ ସେ ନିଜର ବେଡରୁମ ସଂଲଗ୍ନ ଟଏଲେଟ ଆଡକୁ ଚାଲିଗଲା ।କିଛି ସମୟ ପରେ ଉଭୟ ମାର୍କେଟକୁ ବାହାରିଗଲେ ।ଫେରନ୍ତା ରାସ୍ତାରେ ଗୋଟେ କଫି ଷ୍ଟଲ ନିକଟରେ କାର୍ ରଖି ଦୁଇକପ୍ କଫିର ଅର୍ଡର ଦେଲା ବ୍ୟୋମକେଶ ।ଉଭୟ ନିରବରେ ଠିଆ ହୋଇଥାନ୍ତି କାରକୁ ଆଉଜି ।ହଠାତ୍ ଝିଅଟି କଥା ଆରମ୍ଭ କରି କହିଲା ବାବୁ ତୁମକୁ ଗୋଟେ କଥା କହିବି କହିବି ବୋଲି ଭାବୁଛି କିନ୍ତୁ ।ଆରେ ଏ କିନ୍ତୁ ,ପରେ ,ସମୟ ଯଦି ଏଗୁଡାକୁ ମୁଁ ପସନ୍ଦ କରେନି ।ପୁଣି ତୁମେ ମୋତେ ବାବୁ କ'ଣ ଡାକୁଛ ।ବ୍ୟୋମକେଶ ବୋଲି ଡାକ ।ସବୁ ଶୁଣୁଥିବା ଝିଅଟି କହିଲା ଦେଖ ମୋ ଭିତରରେ ଥିବା ଦେବପରୀଟିଏ ମୋତେ ବାରବାର କହୁଛି ସେ ମାନେ ତୁମେ ମୋର ପୁର୍ବ ଜନ୍ମର ବାବୁ ବୋଲି ।ମୁଁ ଚେଷ୍ଟା କରି ମଧ୍ୟ ତୁମକୁ ବ୍ୟୋମକେଶ ବୋଲି ଡାକି ପାରୁନି ।ଏତିକି କହି ଝିଅଟି ବ୍ୟୋମକେଶ୍ ର ହାତଧରି ପକାଇ କହିଲା ମୋ ନିକଟରେ ଦୁଇଟି ରାସ୍ତା ଅଛି ।ବାବୁ ମାନେ ତୁମକୁ ପାଇବି ନତୁବା ସେହି ଦେବପରୀ ନିକଟକୁ ଫେରିଯିବି ।ସମ୍ମୋହୀତ ବ୍ୟୋମକେଶ ଝିଅଟିର ହାତକୁ ଧରି ନିଜ କପାଳରେ ଲଗାଇଦେଲା ।ଏହାମଧ୍ୟରେ କଫି ପିଇବା ସରି ଯାଇଥିଲା ।ଉଭୟ ଘରକୁ ବାହାରିଗଲେ ।

ତା ପରଦିନ ବ୍ୟୋମକେଶ ଅଫିସରୁ ଫେରିବା ବେଳକୁ ବୋଉ କଥା ଆରମ୍ଭ କରି କହିଲା ଆରେ ଆଗାମୀ ସୋମବାର ଦିନ ଲିଙ୍ଗରାଜ ମନ୍ଦିରରେ ତୋର ଏନଗେଜମେଣ୍ଟ ତେଣୁ ସେଦିନ ପାଇଁ ତୁ କୌଣସି କାମ ରଖିନଥିବୁ ।ବୋଉ ମୁହଁକୁ ଅବାକ୍ ହୋଇ ଚାହିଁ ରହି ବ୍ୟୋମକେଶ କହିଲା ଝିଅ ଦେଖା ନାହିଁ କାହା ସହ ମୋର ଏନଗେଜମେଣ୍ଟ ?ତୋର କଣ ମୁଣ୍ଡ ବିଗିଡି ଗଲାଣିକି ।ବୋଉ ହସିକରି ରୋଷାଇ ଘରକୁ ପଳାଇଲା ।ବ୍ୟୋମକେଶ ନିଜ ରୁମକୁ ଯାଇ ବହି ପଢାରେ ନିଜକୁ ହଜାଇଦେଲା ।

ଶନିବାର ରାତିରେ ବ୍ୟୋମକେଶ ଘରେ ପହଂଚି ଦେଖିଲା ଝିଅଟିର ବାପା ମାଆ କିଛି ପରିବାର ଲୋକ ତାଙ୍କ ଘରକୁ ଆସିଛନ୍ତି ।ଡ୍ରଇଁରୁମରେ ବୋଉସହ କଥା ହେଉଛନ୍ତି ।ବୋଧହୁଏ ତାଙ୍କ ଝିଅକୁ ନେବାକୁ ଆସିଛନ୍ତି ଭାବି ତା ରୁମକୁ ପଳାଇଲା ।ତା'ପର ଦିନ ବ୍ୟୋମକେଶ ସକାଳୁ ଉଠୁଉଠୁ ବୋଉ ଆସି କହିଲା ତୁ ଟିକେ ଶିଘ୍ର ପ୍ରସ୍ତୁତ ହୋଇଯା ।ମନ୍ଦିର ଯିବା ।ବ୍ୟୋମକେଶ କହିଉଠିଲା ବୋଉ ଏସବୁ କଣ ଚାଲିଛି ।ମୁଁ କିଛି ବୁଝିପାରୁନି ।ମୁଁ କଣ ଗୋଟାଏ କଣ୍ଢାଇ ।ଝିଅ କିଏ ଜଣା ନାହିଁ ତୁ ଆସି କହୁଛୁ ତୁ ଶିଘ୍ର ବାହାରିପଡ ।ମୋର ମନ୍ଦିର ଯିବାର ନାହିଁ ।ବ୍ୟୋମକେଶର ଏ କଥାଶୁଣି ତାର ବୋଉ କହିଉଠିଲେ ,ମୁଁପା ତୋର ମା ମୋ ଉପରେ କଣ ବିଶ୍ବାସ ନାହିଁ ।ତୋତେ ଗୋଟେ ମାର ରାଣ ରହିଲା ତୁ ଯେପରି ମନ୍ଦିର ଯିବୁ ।ବେଡରୁମରେ ତୋର ନୁଆ ଡ୍ରେସ ଅଛି ।ତାକୁ ପିନ୍ଧି ମନ୍ଦିର ଯିବୁ ସେଠାରେ ତୋତେ ବାପା,ମୁଁ ଓ ଅନ୍ୟ ସମସ୍ତେ ଅପେକ୍ଷା କରିଥିବୁ ।

ମନ୍ଦିରରେ ପହଂଚିବା ବେଳକୁ ସାମାନ୍ୟ ଡେରି ହୋଇଯାଇଥିଲା ।ତା ସ୍କୁଲ ସାଂଗ ଅମରେଶ ତାକୁ ସିଧା ଠାକୁରଙ୍କ ପାଖକୁ ନେଇଗଲା ।ସେଠାରେ ତା ବାପା ବୋଉ,ବନ୍ଧୁବାନ୍ଧବ ଓ ଅନ୍ୟମାନେ ଥିଲେ ।ବ୍ୟୋମକେଶର ଆଖି ଖାଲି ଖୋଜୁଥାଏ ସେହି ଝିଅଟିକୁ ।ଏହି ସମୟରେ ପୂଜକ ଦୁଇଟି ଫୁଲମାଳ ଧରି ଡାକିଲେ ବର କନ୍ୟାଙ୍କୁ ଆଣନ୍ତୁ ।

ଶୁଭବେଳା ଗଡିଯାଉଛି ।ବ୍ୟୋମକେଶକୁ ତାର ଦୁଇଜଣ ସମ୍ପର୍କିୟା ଭଉଣୀ ପୁରୋହିତ ନନାଙ୍କ ପାଖକୁ ନେଇଗଲେ ।ସେଠାରେ ପୁର୍ବରୁ କନ୍ୟା ପହଂଚିଯାଇଥାଏ ।ପୁରୋହୀତ ଉଭୟଙ୍କ ହାତକୁ ଫୁଲମାଳ ଦେଇ କହିଲେ ବରଣମାଳା ଅଦଳବଦଳ କର ।ବ୍ୟୋମକେଶ ଝିଅଟି ବେକରେ ବରଣମାଳା ପକାଇବାକୁ ଯାଉଛି ହଠାତ ତାର ଜଣେ ସାଂଗ କହିଉଠିଲା କନ୍ୟା ମୁହଁରୁ ଓଢଣୀ ଟେକ ନଚେତ ଫଟୋ ଭଲ ଆସିବ ନାହିଁ ।କେହିଜଣେ ଓଢଣୀ ସାମାନ୍ୟ ଟେକିଦେଲା ।ବ୍ୟୋମକେଶ ଆଶ୍ଚର୍ଯ୍ୟ ହୋଇ ଦେଖୁଥାଏ ।ଆରେ ଏତ ସେହି ଝିଅଟି ।ଆଖିତାର ଲୁହ ଛଳଛଳ ହୋଇଗଲା ।ଏ ଲୁହ ଦୁଃଖର ନଥିଲା ।ଏଥିଲା ଆନନ୍ଦାଶ୍ରୁ ।ସେଦିନର ସେହି ଝିଅଟି ଆଉ କେହି ନଥିଲେ ସେ ଥିଲା ସେହି ଆଦିବାସୀ ଗାଁର ଝିଅଟି ଯାହାକୁ ସେ ସଂଗରେ ଆଣିଥିଲା ।ଯାହାକୁକି ତା ସାଂଗମାନେ ଜାତିସ୍ମର ବୋଲି କହୁଥିଲେ ।ତାର ବାପା ମା,ବନ୍ଧୁବାନ୍ଧବମାନେ କୁସୁମର ପରବର୍ତ୍ତି ରୂପ ବୋଲି କହୁଥିଲେ ।କିନ୍ତୁ ବ୍ୟୋମକେଶ ପାଇଁ ସେ ଥିଲା ତାର ଜିବନରୁ ଅଧିକ ପ୍ରିୟ ତାର ପ୍ରେୟସୀ ନମିତା .   ....। 

ହଠାତ ଫୋନରିଂଗ ହେବାରୁ ଭାବନା ରାଜ୍ୟରୁ ଫେରିଆସିଲା ବ୍ୟୋମକେଶ ।ନମିତାର ଫୋନଥିଲା ।ଫୋନ ଉଠାଇବା ପରେ ନମିତା କହିଲା ଆରେ ବାବା କେତେବେଳୁ ଆମେ ମା ପୁଅ ଡାକୁଛୁ ।ତୁମେ କବାଟ ଖୋଲୁନ ।ଲାଇନ ନଥିବାରୁ କଲିଂବେଲଟା ବି ବାଜନି ବୋଧହୁଏୁ ।ଫୋନ କାଟି କବାଟ ଖୋଲିଲା ବ୍ୟୋମକେଶ ।ଘର ଭିତରକୁ ପଶୁପଶୁ କହୁଥିଲା ମନେଅଛି ନା ନାହିଁ ପୁଅର ଜନ୍ମଦିନ ଆଜି ।ସତେକି ମୁଁ ତ ଭୁଲି ଯାଇଥିଲି ।ଜନ୍ମଦିନର ଅଭିନନ୍ଦନ ପ୍ରତ୍ୟୁଷ । ବ୍ୟୋମକେଶର ମା କେତେବେଳେ ଆସି ସେମାନଙ୍କ ଏହି ସେଲିବ୍ରେସନର ଫଟୋ ନଉଥିଲେ ।



Rate this content
Log in

Similar oriya story from Romance