ଜାରଜ
ଜାରଜ
ଆଷାଢ଼ ଆକାଶରେ ମେଘର ସଵାରୀ l ଦୁଇଦିନ ହେଲା ବର୍ଷୁଛି ଯେ ବର୍ଷୁଛି l ଘରୁ ବାହାରି ହେଉନି l ଦାଣ୍ଡ ବାରଣ୍ଡାରେ ବସିଛି ମାଧବୀ l ପ୍ରବଳ ବର୍ଷା ଭିତରେ ତା ପୁଅ ଗୋପାଳ ଅଟୋ ନେଇ ବାହାରି ଗଲାଣି ବଜାରକୁ l କାଳେ ଜଣେ ଅଧେ କୁଆଡେ ଯିବା ପାଇଁ ମିଳିଯିବେ, ରୋଜଗାର ନହେଲେ, ମାଆ ପୁଏ ଚଳିବେ କେମିତି ! ମାଧବୀ ଆକାଶରେ ଭାସି ବୁଲୁଥିବା ବାଦଲଗୁଡିକୁ ଚାହିଁ ଭାବୁଥିଲା, ଏମିତି ଏକ ବର୍ଷା ମୁଖର ସନ୍ଧ୍ୟା ତା ଜୀବନକୁ ଓଲଟ ପାଲଟ କରିଦେଇଥିଲା l ପିଲାଦିନେ ବର୍ଷାରେ ଭିଜିବାକୁ ତାକୁ ବହୁତ ଭଲ ଲାଗେ l ଏଥିପାଇଁ ବାପାମାଆଙ୍କ ଠାରୁ କେତେ ମାଡ ନଖାଇଛି ସିଏ l ହେଲେ ବର୍ଷା ହେଲେ ସେ ନିଜକୁ ଆୟତ୍ତ କରିପାରେନା, ଭିଜେ ବର୍ଷାରେ l ଦିନେ ସନ୍ଧ୍ୟାରେ ତlରୁଣ୍ୟର ଉଦ୍ଦାମ ଚପଳତାରେ ସେ ବର୍ଷାରେ ଭିଜି ବୁଲୁଥିଲା, ପଡୋଶୀ ଘରର ମନୋଜ, ଲେଖାଯୋଖା ଭାଇ ହେବ, ଡାକିଲା କଣ କହିବ ବୋଲି l ମାଧବୀ ଗଲା, ସେଦିନ ମନୋଜର ଘରେ କେହି ନଥିଲେ, କେଉଁ କୁଣିଆଁ ଘରକୁ ଯାଇଥିଲେ, ଫେରିଆସୁଥିଲା ମାଧବୀ, କିନ୍ତୁ ଆସିପାରିଲାନି, ମନୋଜ ତାକୁ ଜୋରକରି ଟାଣିନେଇଥିଲା ଏକ କୋଠରୀକୁ ଏବଂ ବଳାତ୍କାର କରିଥିଲା l ମାଧବୀର ଚିତ୍କାର ସେଦିନ ବର୍ଷାର ଶବ୍ଦ ଭିତରେ ମିଳେଇ ଯାଇଥିଲା l ଏକ ଭଗ୍ନମନନେଇ ଘରକୁ ଫେରିଥିଲା l ଲଜ୍ଜାରେ ବାପାମାଆଙ୍କୁ ସେଦିନ ଏସବୁ କହିପାରିନଥିଲା ମାଧବୀ l
ଦିନ ଗଡ଼ିବା ସହିତ ମାଧବୀ ନିଜକୁ କେମିତି ଅଲଗା ଅନୁଭବ କରୁଥିଲା l ସେ ଅନ୍ତସତ୍ତ୍ୱା ହୋଇଯାଇଥିଲା l ମନ ଭିତରେ ବହୁତ ଭୟ ଜମାଟ ବାନ୍ଧିସାରିଥିଲା ତା ଭିତରେ l ଦିନେ ଡରି ଡରି ତା ମାଆକୁ ସବୁ କଥା କହିଲା l ବାପା ମାଆ ଏକଥା ଶୁଣି ମୁଣ୍ଡରେ ହାତଦେଲେ l ସେମାନେ ଗରୀବ, କଣ କରିବେ, ବୁଦ୍ଧି ଦିଶୁନଥିଲା l ଡରିଡରି ତା ବାପା ଯାଇଥିଲେ ମନୋଜ ଘରକୁ, ବୁଝାଇସୁଝାଇ ତା ବାପାମାଆଙ୍କୁ ମନୋଜ ସହିତ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, ହାତଗୋଡ଼ ବି ଧରିଥିଲେ ତାଙ୍କର l ସେମାନେ କିନ୍ତୁ ଅସ୍ୱୀକାର କରିଥିଲେ, ମନୋଜ ବି ଏହା ଡାହାମିଛ ବୋଲି କହି ଗାଳିଗୁଲଜ କରିଥିଲା ତା ବାପାଙ୍କୁ l ନିରାଶରେ ଫେରି ସେଦିନ ମାଧବୀକୁ ବହୁତ ଗାଳି କରିଥିଲେ ତାର ବାପା l କଥା ଆଉ ଛପିରହିଲାନି l ଗାଆଁସାରା ଟୁପୁର ଟାପର ହେଲେ l ଏସବୁ ଶୁଣି ତାର ବାପା ଦିନେ ରାତିରେ ଆତ୍ମହତ୍ୟା କରିଦେଲେ, ପରେ ପରେ ତା ମାଆ ବି l ଦୁନିଆରେ ଏକା ହୋଇଗଲା ମାଧବୀ, ଗାଁ ଲୋକଙ୍କର ଟାହିଟାପରା ଶୁଣିଶୁଣି ସେ ବି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରି ବି କରିପାରିଲାନି, ତା ପେଟରେ ବଢୁଥିବା ନିଷ୍ପାପ ଶିଶୁଟି ପାଇଁ ସେ ମରିପାରିଲାନି l ନିଜ ଗାଁ ଛାଡି ସେ ଚାଲିଆସିଥିଲା ଏଇ ସହରକୁ l ବହୁ କଷ୍ଟରେ ଘର ଘର ବୁଲି ଅଇଁଠା ବାସନ ମାଜି ବଞ୍ଚିରହିଥିଲା l ତା ଗର୍ଭରୁ ଜନ୍ମ ନେଇଥିଲା ଏଇ ଗୋପାଳ l ପିତୃପରିଚୟହୀନ ପୁଅ, ଏକ ଜାରଜ ସନ୍ତାନ l କେବେ ବି ତା ପୁଅକୁ ଅଣଦେଖା କରିନି ମାଧବୀ l ଅଭାବ ଭିତରେ ରହି ପାଠ ସିନା ପଢାଇପାରିନି ତାକୁ, ହେଲେ ମଣିଷପଣିଆ ଶିଖାଇଛି ତାକୁ l ଗୋପାଳ ବି ତା ମାକୁ ବହୁତ ଭଲପାଏ, ଗୋପାଳ ଜାଣେ, ତାର ପିତୃପରିଚୟ ନାହିଁ, ସେ ଗୋଟେ ଜାରଜ, ତଥାପି ତା ମନରେ ହୀନମନ୍ୟତାକୁ ସ୍ଥାନ ଦେଇନି l ଭାବେ, ଏମିତି ଦୁନିଆରେ ତ ବହୁତ ଅଛନ୍ତି l ତା ମାଆ ତ ବହୁତ ଭଲ l
ବଡହେଲା ପରେ ସହର ଭିତରକୁ ଯାଇ ବିଭିନ୍ନ କାମପାଇଟି କରେ ଗୋପାଳ l ଏବେ କେଇଦିନହେଲା ବ୍ୟାଙ୍କରୁ ଋଣକରି ଅଟୋରିକ୍ସାଟିଏ ଆଣିଛି l ଅଟୋରିକ୍ସା ଚଳାଇ ଭଲ ଦିପଇସା ବି ରୋଜଗାର କରୁଛି ସେ l
ଦିନେ ଗୋପାଳ ଏକ ବିବାହିତା ସୁନ୍ଦର ଝିଅକୁ ବସାଇ ଅଟୋରେ ବସାଇ ଆଣି ଘରେ ପହଁଚିଲା l ତାକୁଦେଖି ଆଶ୍ଚର୍ଯ୍ୟ ହୋଇଗଲା ମାଧବୀ l କିଛି ପଚାରିବା ଆଗରୁ ଗୋପାଳ କହିଲା, ଜାଣିଲୁ ମାଆ, ଏଇ ବୋକୀ ଝିଅଟାନା, ବ୍ରିଜଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଉଥିଲା, ସେତିକିବେଳକୁ ତା ଭାଗ୍ୟକୁ ମୁଁ ଅଟୋ ନେଇ ସେବାଟେ ଯାଉଥିଲି ବୋଲି ସିନା, ଅଟୋରୁ ଡେଇଁ ତାକୁ ଟାଣିଆଣିଲି, ନହେଲେ ନା ଆଉ ଗୋଟେ ମୁହୂର୍ତ୍ତରେ ମରିଥାନ୍ତା ଇଏ l ମୋ ସାଙ୍ଗରେ କମ ମାଡ଼ଗୋଳ, ଜମା ଆସୁନଥିଲା, ବୁଝାଇସୁଝାଇ ଆଣିଛି ତାକୁ, ଏଣିକି ସିଏ ଆମରି ଘରେ ରହିବ l ପୁଅର ମଣିଷପଣିଆକୁ ଦେଖି ମନେମନେ ଗର୍ବ କରୁଥିଲା ମାଧବୀ l କିଛିସମୟ ବିଶ୍ରାମପରେ ଝିଅଟିକୁ ଆଦରକରି ତାର ପରିଚୟ ପଚାରିଲା l ମାଧବୀ ଓ ଗୋପାଳର ବ୍ୟବହାରରେ ଆତ୍ମପ୍ରତ୍ୟୟ ଫେରିପାଇଥିଲା ଯେମିତି ସେଇ ଝିଅଟା l ଜୀବନରେ ଘଟିଯାଇଥିବା ସମସ୍ତ ଘଟଣା କହିଲା ସିଏ l ନାଁ ତାର ଅଲିଭା, କାନ୍ଦିକାନ୍ଦି କହୁଥିଲା କେମିତି ବିବାହ ପୂର୍ବରୁ ସେ ତାଙ୍କ ଗାଁ ଦୋଳଯାତ୍ରାରେ ଗଣଧର୍ଷଣର ଶିକାର ହୋଇ ଅନ୍ତସତ୍ତ୍ୱା ହୋଇଥିଲା l ଘଟଣାର ଦୁଇମାସପରେ ତା ବାପା ତାକୁ ଏକ ଦୂର ଗାଁରେ ବିବାହ କରିଦେଇଥିଲେ l କିନ୍ତୁ ସେ ଗର୍ଭବତୀ ଥିବା କଥା ତା ଶାଶୁଘରଲୋକେ ଜାଣିବାପରେ ତାକୁ ମାଡ଼ଗାଳି ଦେଇ ଘରୁ ବାହାର କରିଦେଲେ l ତେଣୁ କଣ ଆଉ କରିଥାନ୍ତା ସିଏ, ଭାଗ୍ୟକୁ ନିନ୍ଦାକରି ଆତ୍ମହତ୍ୟା ଛଡା ଆଉ କିଛି ଉପାୟ ନଥିଲା ତା ପାଇଁ l ଏସବୁ ଶୁଣିବାପରେ ମାଧବୀ ବହୁତ ବୁଝାଇଲା ତାକୁ l କହିଲା, ଯିଏ ଜାଣିଶୁଣି ଏମିତି ଭୁଲ କରେ, ସେଇଟା ସିନା ପାପ, ଆଜିକାଲିର ଯୁବପିଢ଼ିର ଅଧୋପତନର ଫଳ ଏସବୁ l ସବୁଦିନ ତ ଏମିତି କେତେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେଉଛି l ମନଦୁଃଖ କରନା ମାଆ, ଆମରି ଘରେ ସବୁଦିନ ରହିବୁ l ଅଲିଭା କିନ୍ତୁ ନିଜକୁ ବୁଝାଇପାରୁନଥିଲା l ଭାବୁଥିଲା, ତା ଗର୍ଭସ୍ଥ ସନ୍ତାନ ଯେ ଗୋଟେ ଜାରଜ l ତାକୁନେଇ କଣ ଦୁନିଆ ଆଗରେ ସେ ବଞ୍ଚିପାରିବ !
କିଛି ଦିନ ଅତିବାହିତ ହୋଇଯାଇଥିଲା l
ଅଲିଭା ନିଜକୁ ବୁଝାଇ ଦେଇଥିଲା, ଯାହା ଭାଗ୍ୟରେ ଲେଖା, ତାକୁତ ଭୋଗିବାକୁ ହିଁ ପଡିବ l ତଥାପି ବେଳେ ବେଳେ କାନ୍ଦେ ଅଲିଭା ତା´ ଭବିଷ୍ୟତକୁ ଚିନ୍ତାକରି l ଦିନେ ସେ କାନ୍ଦୁଥିବା ବେଳେ ଗୋପାଳ ତାକୁ କହିଲା, ସବୁବେଳେ କାନ୍ଦି କଣ ପାଉଛୁ ? ଭାବୁଛୁ, ମୋ ଭଳି ତୋ ପିଲାଟା ବି ପିତୃପରିଚୟ ପାଇବନି, ନା, ସେମିତି କେବେ ହେବନି, ମୁଁ ତାର ପିତୃପରିଚୟ ହେବି, କେହିବି ତାକୁ ଜାରଜ କହିବେନି l ଆଉ ତୁ ଯଦି ରାଜି ହେଉ, ମୁଁ ବି ତୋତେ ବିବାହ କରିବାକୁ ରାଜିଅଛି l ଏକଥା ଗୋପାଳ ଠାରୁ ଶୁଣି ଚମକି ପଡିଲା ଅଲିଭା l ଆଶ୍ଚର୍ଯ୍ୟ ମଧ୍ୟ ହେଲା l କିଛି କହିବlଆଗରୁ ଭିତରକୁ ପଶିଆସିଲା ମାଧବୀ l କହିଲା, ତୁମମାନଙ୍କ କଥା ସବୁ ଶୁଣିଛି ମୁଁ କାନ୍ଥ ସେପଟେ ଥାଇ, ମୁଁ ବି ଚାହୁଁଛି ସେଇଟା, ତୁ ରାଜିହୋଇଯା ମାଆ, ଗୋପାଳଟା ନା, ବହୁତ ଭଲପିଲା l ନିରବରହିଲା ଅଲିଭା l ଦୁହିଁଙ୍କର ବିବାହ ସାରିଦେଲା ମାଧବୀ ଅଳ୍ପଦିନପରେ ଏକ ଶୁଭବେଳlରେ l ତିନିଜଣଙ୍କୁ ନେଇ ସ୍ନେହମମତା ଭିତରେ ଦିନ ଗଡୁଥିଲା ଏକ ସୁଖିପରିବାରର l
ଭlଦ୍ରବର ବର୍ଷା ଲାଗିରହିଛି କାଲିଠାରୁ l
ସେଇ ବର୍ଷାରେ ଭିଜିବାକୁ ତଳକୁ ଓହ୍ଲାଇଗଲା ମାଧବୀ, ଭାବୁଥିଲା, ଏ ଦୁନିଆରେ ଜାରଜ କିଏ, ତା ପୁଅ ଗୋପାଳ ନା ତାକୁ ଧର୍ଷଣ କରିଥିବା ମନୋଜ ?ଅଲିଭା ଗର୍ଭସ୍ଥ ଶିଶୁ ନା ତାକୁ ଗଣବଳାତ୍କାର କରିଥିବା ଯୁବକମାନେ ନା ଅଲିଭାର ପ୍ରଥମ ସ୍ୱାମୀ ?ବାଦଲରେ ଢାଙ୍କିହୋଇଥିବା ଆକାଶଟା ତା ଉପରେ ସାଇତିଥିବା ସବୁ ବର୍ଷା ବର୍ଷିଯିବ ଯେମିତି ଆଜି l ଘର ଭିତରୁ ଭାସି ଆସୁଥିଲା ପୁଅବୋହୁଙ୍କର ଖିଲିଖିଲି ହସର ଶବ୍ଦ l

