ଇଟା-୨
ଇଟା-୨
ନ୍ୟାୟାଳୟ ମାଳର ଅତ୍ୟାଚାରୀ, ମଦ୍ୟପ, ଚରିତ୍ରହୀନ ସ୍ୱାମୀ ବ୍ରଜକୁ ଆଜୀବନ କାରାଦଣ୍ଡର ନିର୍ଦ୍ଦେଶ ଦେଲାପରେ ଫେରିଯାଇଥିଲା ମାଳ ଗାଁକୁ l ସେ କିନ୍ତୁ ଦୁଃଖ କରେନି l ଏବେ ସେ ଏକଦମ ଏକା ଏକା l କହନ୍ତି କବିତା, ଲତା ପରି ବନିତା ବି କୁଆଡେ ଅବଳା l ଅନ୍ୟର ଆଶ୍ରା ଲୋଡ଼େ l ନା, ବରଂ ମାଳ ନା ଦୁର୍ବଳ ନା ସେ ଜୀବନ ଜିଁବା ପାଇଁ କୌଣସି ଆଶ୍ରା ଲୋଡ଼େ ବରଂ ନିଜକୁ ନ୍ୟାୟଦେଇସାରି ଅନ୍ୟକୁ ମଧ୍ୟ ଆଶ୍ରାଦିଏ l
ଏହାସହିତ ଗାଁରେ ଦୁସ୍ଥନାରୀ ମାନଙ୍କ ରକ୍ଷଣା ବେକ୍ଷଣ ଥଇଥାନ ପାଇଁ ଅନବରତ କାମ କରିଚାଲେ l ନିଜ ବୁଦ୍ଧିରେ ମିଳି ମିଶି ଇଟାଭାଟି ଟିଏକରି ସହରକୁ ଇଟା ରପ୍ତାନୀ କରି ଦାନା ପାଣି ଯୋଗାଡନ୍ତି ସଂସ୍ଥା ର ସ୍ତ୍ରୀ ଲୋକେ l ଏଥିପାଇଁ ତାକୁ ସମସ୍ତେ ଭଲପାଆନ୍ତି l ଏପରିକି ଚିନ୍ମୟବି ମାଳର ପ୍ରେମରେ ପାଗଳ l ତାଙ୍କୁ ସବୁକଥାରେ ସାହାଯ୍ୟ, ସମର୍ଥନ କରନ୍ତି l କହନ୍ତି, କାଳେ ତାକୁ ବିବାହକରି ଘର ସଂସାର କରିବାକୁ ଚାହାଁନ୍ତିବୋଲି l
ଚିନ୍ମୟବାବୁ ଗାଁର ନିଷ୍ଠୁର ଜମିଦାରଙ୍କ ପୁଅ l ବାପା ତା'ର କଣ ଏସବୁ ପାଇଁ ରାଜିହେବେ? କିଛି ବର୍ଷ ପୂର୍ବେ ଚିନ୍ମୟ ଓକିଲାତି ପାସକରି ମାଟିମନସ୍କ ହୋଇ ଫେରି ଆସିଥାନ୍ତି ନିଜ ଗାଁ ଭୂଇଁକୁ l ଗାଁ ଲୋକଙ୍କ ଛୋଟ ଛୋଟ ଅଭିଯୋଗ ସମସ୍ୟା ଆଦିର ନ୍ୟାୟ ନିଶାପ କରିଦିଅନ୍ତି ସହଜରେ l ଲୋକମୁଖରେ ତାଙ୍କ ସମାଧାନ ନ୍ୟାୟାଳୟ ର ନ୍ୟାୟଠୁଁ ବି ବଡ଼ ଓ ଶୀଘ୍ର କାଳେ l ଗାଁରେ ସଭାସମିତି ଆଦିରେ ଯୋଗଦିଅନ୍ତି l ସମସ୍ତଙ୍କର ବିଶ୍ୱାସ ଆଉ ଭରସା ସେ ଗାଁ ସହ, ଲୋକଙ୍କ ସହ ଯୋଡି ହୋଇଯାଆନ୍ତି କେଉଁ ଏକ ସମ୍ବେଦନଶୀଳ ମନ ନେଇ l ପିତାଙ୍କୁ କହି ଭାଗଚାଷୀ ମାନଙ୍କୁ ତାଙ୍କ ଜମି ଫେରାଇବାକୁ କହନ୍ତି l ଜମିଦାରୀ ଖିଲାଫରେ ଆବାଜ ଉଠାନ୍ତି l ନିଜେ ଏକମାତ୍ର ପୁତ୍ର ହୋଇବି ଏସବୁରେ ଲୋଭନାହିଁ l ଲୋଭ କେବଳ ଅତ୍ମୀୟତାରେ l ଗାଁ ଲୋକଙ୍କ ଆଶୀର୍ବାଦରେ l
ଏସବୁ ମାଳ ଦେଖିଥାଏ l ଏଥର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଚିନ୍ମୟ l ମାଳ ବାସହୀନା ନାରୀ ମାନଙ୍କ ମୋର୍ଚ୍ଚା ସମ୍ଭାଳୁ ଥିଲା ବେଳେ ଚିନ୍ମୟ ଚାଷୀଙ୍କ ନେତୃତ୍ତ୍ୱ କରୁଥାନ୍ତି l ଦୁହିଁଙ୍କ ଭିତରେ ପ୍ରଗାଢ଼ ମୋହ ଏକଥା ଆମ୍ବତୋଟା ଜାଣେ, ଫଗୁଣ ଜାଣେ ,ଜାଣେ ସନିଆ ଭାଇ ଆଉ ଆଉ ଗାଁ ଦେବୀ ମନ୍ଦିର l ଦିନେ ସଭାରେ ବସି ଆଗାମୀ ନିର୍ବାଚନ ବିଷୟରେ କଥା ହେଲାବେଳେ ମାଳ କାନ୍ଦି କାନ୍ଦି ଆସି ପହଞ୍ଚେ l ନିଦରୁ ଉଠି ବାଉଳି ହେଲାପରି କହେ
ମୁଁ ତୁମ ପିଲାର ମା' ହେବାକୁ ଯାଉଛି ଚିନ୍ମୟବାବୁ l ଭାବେ ଏବେ ମୃତ୍ୟୁ ଆବଶ୍ୟମ୍ଭାଵୀ l ସମସ୍ତେ ସଭାରେ ଚାହାଁ ଚାହିଁ ହୁଅନ୍ତି l ଜମିଦାର ଶୁଣିଲେ ହାଣି ଗଡ଼ ଗଡ଼ କରିଦେବ l କଣ ହେବ? କଣ ହୁଏ ତା ପରି ଗରିବ ଗୁରୁବାଙ୍କର? ଭାବିଲେ ତା' ହାଡ଼ଯାଏ କମ୍ପିଯାଉଛି l ମୁଣ୍ଡ ବୁଲେଇ ପଡିଯିବାପରି ଲାଗୁଛି l
ତଥାପି ଡରିନି l ମାଟି ପରି ଭାଟିରେ ପୋଡିହୋଇ ମଜବୁତ ଇଟା ହୋଇ ସାରିଛି l ଏକ ନରରାକ୍ଷସର କବଳରେପଡି ଆଉ ଜୀବନଯେ ରହିବ -ଏ ବିଶ୍ୱାସ ଦିନେ ତାର ନଥିଲା l ସେ ଜୀବନକୁ କଣ ଲୋଭକରିବ ଯାହାକୁ ସେ ହରେଇ ଦେଉ ଦେଉ ପାଇଛି? ଯେତେଦିନ ବଞ୍ଚିବ, ସତ୍ୟ ପାଇଁବଞ୍ଚିବ l
ହେଲେ ଚିନ୍ମୟ ବାବୁ ବିବ୍ରତ ହୋଇ ପଡିବେନିତ? ତାଙ୍କ ଦେହ ମୁଣ୍ଡ ଝାଳେଇ ଯିବନି ତ? ପ୍ରତିଶୃତି କେବଳ କଥାରେ ରହିଯିବନି ତ? ଆଗାମୀ ନିର୍ବାଚନ ପାଇଁ ବିରୋଧୀ ପକ୍ଷର ଚାଲ ବୋଲି ଲୋକେ ତାକୁ ଟେକା ମାରି ମାରି ମାରି ଦେବେନି ତ? ଏମିତି ହୁଏ ଫିଲିମରେ l
ମନକୁ ଦୃଢକରି ମାଳ କହିଲା,
ମୁଁ ତୁମଠୁଁ କିଛି ଅଶା କରୁଛି ଭାବିବନି ବାବୁ l
କ୍ଷୀଣ ଶରୀରକୁ ତାର ଆଉଜେଇ ନେଇଥିବା କାନ୍ଥଉପରେ ହାତ ଥାପି କହିଲା, ଏ ଘରକୁ ଦେଖୁଛ ବାବୁ? ମୋ ହାତ ତିଆରି ଇଟାରେ ତିଆରି l ଝଡ଼ବାତ୍ୟାରେ ଭୁଶୁଡି ପଡ଼େନି ଯେଉଁ ଇଟା l ରୁଦ୍ରତାପରୁ ଶୀତଳତା ଦିଏ ଏ ଇଟା l ଯେଉଁ ଇଟା ଜୀବନର ସୁରକ୍ଷାପାଇଁ ରାକ୍ଷସର ଜୀବନ ନେଇପାରେ, ଯେଉଁ ଇଟା ଦୈନନ୍ଦିନ ଜୀବନ ବଞ୍ଚିବାର ଖୋରାକ ଯୋଗାଇପାରେ ସେ ଇଟା ତିଆରି କରୁଥିବା ମିସ୍ତ୍ରୀର ବଳିଷ୍ଠ ହାତ ଦୁନିଆକୁ ଜୀବନଟିଏ ଦେଇ ତାର ପ୍ରତିପୋଷଣବି କରିପାରେ l
ଦେଖୁଥାଏ ଚିନ୍ମୟ କିନ୍ତୁ ଅବିଚଳିତ l ଦୃଢ଼ନିଶ୍ଚଳ ପର୍ବତପରି ହସି ହସି କହନ୍ତି ଚିନ୍ମୟ
- ମୋ ପିଲାର ମା ' ହେବ ତୁମେ ମାଳ? ତେବେ ଡେରିକାହିଁକି? ମିଠା ବାଣ୍ଟ l
ମାଳ ଓ ଚିନ୍ମୟଙ୍କ ବିବାହ l ଗାଁ'ସାରା ଖୁସିର ଆସର l ଭୋଜିଭାତ ହୁଏ l ଫୁଲ ମାଳ ଆଉ ଚୁଡ଼ି ସିନ୍ଦୁର ପୁଣିଥରେ ତା ଭାଗ୍ୟରେ ସେ ବି ନିଜ ପ୍ରୀୟ ଲୋକଟି ହାତରୁ l ଲାଜେଇଯାଏ ମାଳ l ମାଳ ଆଉ ଚିନ୍ମୟଙ୍କ ବିବାହପରେ ତାକୁ ବାବୁ କହନ୍ତି,
- ଆମ ବିବାହ ପାଇଁ କେବେ ବାପା କଦାପି ରାଜି ହୋଇନଥାନ୍ତେ l କିନ୍ତୁ ଏବେ ଗାଁ ଲୋକ ଆମ ସାଥିରେ l ତୁମେ ଆମ ବଂଶର ଉତ୍ତରାଧିକାରୀର ମା' ହେବl ତୁମକୁ ନ୍ୟାୟଦେବି ମୁଁ ଆଉ ସମର୍ଥନ ମିଳିବ ସମାଜଠୁଁ l ଏବେ କିଏ ଆଉ କଣ୍ଟା ହେବେନି ଆମ ବାଟରେ l ଏକା ଏକା ଜୀବନରେ ବହୁତ ଝଡ଼ଝଞ୍ଜାର ସମ୍ମୁଖୀନ ହେଲଣି ତୁମେ l ତୁମେ ଏବେ ମୋ ଦାୟିତ୍ୱ l ନିଷ୍ଠାପର ଭାବେ କର୍ତ୍ତବ୍ୟ କରିଚାଲିଲେ ଭାଗ୍ୟବି ଦିନେ ବଦଳିଯାଇ ପାରେ ଏ କଥା ଦୁନିଆ ଆଗରେ ସତ୍ୟ ପ୍ରତିପାଦିତ ହୋଇଥାଏ l ନିର୍ଜନ ମରୁଭୂମିରେ ହାଲକା ବର୍ଷାଛିଟା ପରେ ଥୁଣ୍ଟାଗଛ ଅଗରେ ଯୋଡ଼େ କଅଁଳପତର ପରି ଜୀବନ କେଉଁଠୁ କେଉଁଠୁଁ ସାରପାଣି ଯୋଗାଡ଼ି ଅଶାର ସବୁଜିମା ଖେଳାଏ l ମାଳ କ୍ରମେ ଏକ ପୁତ୍ର ସନ୍ତାନର ମା' ହୁଏ ସମସ୍ତେ କହୁଥାନ୍ତି ନାରୀଟିଏ ଇଟାପରି l ମଜବୁତ ଏବଂ ସହନଶୀଳ ହୋଇ ବିକାଶର ଭିତ୍ତି ପ୍ରସ୍ତରପକାଏ ଠିକ ମାଳପରି l

