ଇଣ୍ଡିଆ ଗେଟ:ସରି ନଥିବା ଏକ କାହାଣୀ
ଇଣ୍ଡିଆ ଗେଟ:ସରି ନଥିବା ଏକ କାହାଣୀ
ଇଣ୍ଡିଆ ଗେଟ ପାଖରେ ପହଁଚି ମୋର ତୁମ କଥା ମନେ ପଡ଼ିଲା, ପ୍ରିୟଙ୍କା!ଏଇଠି ଆମେ ଆରମ୍ଭ କରିଥିଲେ ଏକ କାହାଣୀ, ତୁମର ମନେ ଅଛି.....?ୟା ଭିତରେ ଦଶ ବର୍ଷ ବିତିଗଲାଣି।
ଏବେ କେଉଁଠି ତୁମେ.....?ଜାଣେନା।
ସେଦିନ ଦିଲ୍ଲୀର ଆକାଶରେ ବସା ବାନ୍ଧି ଥିଲା ମେଘ।ପବନରେ ଥିଲା ମାଦକତା।ୟୁନିଭର୍ସିଟି କ୍ୟାମ୍ପସରୁ ଆମେ ବାହାରି ଆସିଥିଲେ ଏଇଠିକି, ଇଣ୍ଡିଆ ଗେଟ ପାଖକୁ।ଲଇଲା-ମଜୁନଙ୍କ ଭିଡ଼ ଭିତରେ ଆମେ ହଜି ଯାଇଥିଲେ।ତୁମକୁ ପାଖରେ ପାଇ ଥିବାର ସେଇ ମୁହୂର୍ତ୍ତ ସବୁ ଏବେ ଜୀବନ୍ତ ହୋଇ ଉଠୁଛି ମୋ ଆଖି ସାମ୍ନାରେ।
କଥା ଥିଲା ଆମେ ଜୀଇଁବା ଏଇ ଜୀବନ, ସାଥୀ ହୋଇ।ସବୁ ୠତୁ ହେବ ବସନ୍ତ ଓ ସବୁ ରାତି ହେବ ଜହ୍ନରାତି।ସବୁ ପ୍ରେମକାହାଣୀର ଆରମ୍ଭ କଣ ଏମିତି ହୋଇଥାଏ, ପ୍ରିୟଙ୍କା?ଅନେକ ପ୍ରତିଶ୍ରୁତି ଓ ସ୍ବପ୍ନପ୍ରବଣତା।କିଛି ଆଶା ଓ ଆଶଙ୍କା।
"ଏ କାହାଣୀ ତୁମ ଠୁଁ ଆରମ୍ଭ,ଆଉ ତୁମ ଠି ହିଁ ଶେଷ ହେବ"। ଏଇ ଥିଲା ତୁମର ଅଭୀପ୍ସା।ଇଣ୍ଡିଆ ଗେଟ ଆଖ ପାଖରେ ଟୁରିଷ୍ଟମାନଙ୍କ ଭିଡ଼।ଫେରିବାଲା, ଫଟୋ ଉଠାଳି-ସମସ୍ତେ ବିରକ୍ତ କରିବାରେ ଵ୍ୟସ୍ତ।ଅଥଚ ଏତେ ସବୁ ଭିଡ଼ ଆଉ କୋଳାହଳ ଭିତରେ କେମିତି ଗଢ଼ା ହୁଏ ଏତେ ପ୍ରେମ କାହାଣୀ?ଫିସ ଫିସ କଥା ବାର୍ତ୍ତା, ଆଖିରେ ଆଖି ମିଶିବା।କିଛି କାହାଣୀ ବି ଆଗେଇ ଯାଏ ଆଉ ଟିକେ ଆଗକୁ-ଓଠରେ ଓଠ ମିଶିବା ଯାଏ।
ଦିଲ୍ଲୀରେ ତୁମ ସହ ସେଇ ଗୋଟିଏ ବର୍ଷ ଥିଲା ମୋ ଜୀବନର ସବୁଠାରୁ ସ୍ମରଣୀୟ ବର୍ଷ।ତୁମେ ଓଡ଼ିଶା ଫେରି ଆସିଲ ପଢ଼ା ଶେଷ କରି। ଜୀବିକାର ଦାୟରେ ମୋତେ ଆସିବାକୁ ହେଲା ମୁମ୍ବାଇ।କାହାଣୀ କିନ୍ତୁ ଢେର ଆଗକୁ ବଢ଼ି ଥିଲା।ଆତ୍ମିକ ସ୍ତରରେ ଆମେ ବେଶ ନିବିଡ଼ ହୋଇ ଥିଲେ।ଆରମ୍ଭ କରିଥିବା କାହାଣୀକୁ ପୁରା କରିବାର ପ୍ରତିଶ୍ରୁତି ରକ୍ଷା କରିବା ଲାଗି ମୁଁ ବଦ୍ଧ ପରିକର ଥିଲି।ତୁମେ ଚିଠି ଲେଖୁଥିଲ-ଏକ ଘରୋଇ କଲେଜରେ ତୁମେ ଅଧ୍ୟାପନା କରୁଚ।ଇଣ୍ଡିଆ ଗେଟ ତୁମର ମନେ ପଡ଼ୁଚି ଓ ମନେ ପଡ଼ୁଚି ଆମ କାହାଣୀର ପ୍ରଥମ ପରିଚ୍ଛେଦ।
ମୁଁ କିନ୍ତୁ ନିୟମିତ ଚିଠି ଲେଖି ପାରୁନଥିଲି।ଯେବେ ବି ଲେଖୁଥିଲି, ମୋ ପାଇଁ କବିତା ଲେଖି ପଠେଇବା ପାଇଁ ଅଳି କରୁଥିଲି।ଜୀବନ ଜୀବିକାର ସଂଘର୍ଷ ଭିତରେ ମୁଁ ଅଣନିଶ୍ଵାସୀ ହୋଇ ପଡୁଥିଲା ବେଳେ ତୁମେ ଥିଲ ମୋର ପ୍ରେରଣାର ସ୍ରୋତସ୍ୱିନ।ତୁମ ଚିଠିମାନଙ୍କ ଭିତରୁ ମୁଁ ଖୋଜି ପାଉଥିଲି ଜୀଇଁବାର ଉଛ୍ୱାସ।
ଏଇ ଭିତରେ ହଠାତ ଦିନେ ତୁମଠୁଁ ଚିଠି ଆସିବା ବନ୍ଦ ହୋଇଗଲା।ଦିନେ-ସପ୍ତାହେ-ମାସେ ଯାଏ ଅତିଷ୍ଠ ହୋଇ ହୋଇ ମୁଁ ଅପେକ୍ଷା କଲି।ତୁମକୁ ଚିଠି ଲେଖିଲି।ହେଲେ ତୁମଠୁଁ କିଛି ଉତ୍ତର ଆସୁ ନ ଥିଲା।ତୁମର କିଛି ଅସୁବିଧା ହୋଇଛି ଭାବି ମୁଁ ବ୍ୟସ୍ତ ହୋଇ ପଡ଼ିଲି।ସତ କହୁଛି ପ୍ରିୟଙ୍କା, ସେବେ ରାତିରେ ମୋତେ ନିଦ ହେଉ ନଥିଲା।ଅଫିସରେ କାମରେ ମନ ଲାଗୁ ନଥିଲା।ମୋ ଆଖିରେ କେବଳ ତୁମ ମୁହଁ ଦିଶି ଯାଉ ଥିଲା।ତୁମ ପାଖକୁ ଉଡ଼ି ଯିବାକୁ ଆତୁର ହେଉଥିଲା ମନ।ହେଲେ ଅଫିସରୁ ଛୁଟି ମିଳୁ ନଥିଲା।
ଅବଶେଷରେ ଚାକିରିରୁ ଇସ୍ତଫା ଦେଇ ମୁଁ ଧାଇଁ ଯାଇ ଥିଲି ଓଡ଼ିଶା।ଖୋଜି ଖୋଜି ତୁମ ଠିକଣାରେ ଯେବେ ପହଞ୍ଚିଲି, ମୋତେ ଅପେକ୍ଷା କରି ଥିଲା ଏକ ଦୁଃଖଦ ସମ୍ବାଦ-ତୁମେ ଚାଲିଯାଇଚ ସେ ସହର ଛାଡ଼ି।କାହିଁକିନା ତୁମର ବାହାଘର ହୋଇ ଯାଇଛି।
ସେଠୁ ଫେରିବା ପାଇଁ ମୋର ଥକି ପଡିଥିବା ପାଦ ଯୋଡ଼ିକରେ ଆଉ ବଳ ନଥିଲା।କେମିତି ଥିଲା ସେଦିନ ମୋର ଭାବାନ୍ତର-ଆଜି ବି ମନେ ପଡ଼ିଲେ ଦୁଃଖେଇ ଯାଉଛି ମନ।କେମିତି ଫେରିଥିଲି ସେଦିନର ଝଡ଼ ବର୍ଷାର ସଞ୍ଜରେ ଗୋଟିଏ ବିଳମ୍ବିତ ଟ୍ରେନରେ, ବିନା ରିଜରଭେସନରେ?ମୋର ଚାକିରି ଆଉ ନ ଥିଲା।କେହି ବି ଯେମିତି ଆଉ ମୋ ପାଇଁ ଅପେକ୍ଷା କରୁ ନ ଥିଲେ କେଉଁଠି।କେମିତି ଏକ ଅପାଂକତେୟ ବୋଧ କରି ଥିଲି ମୁଁ ସେଇ ମୁହୂର୍ତ୍ତରେ।
ସମୟର ନଈ ଆଉ ଉଜାଣି ବହି ନାହିଁ।ତୁମର କିଛି ଖୋଜ ଖବର ଆଉ ମୁଁ ରଖି ନାହିଁ।ତୁମେ ନିଶ୍ଚୟ ଭଲରେ ଅଛ କେଉଁଠି ନା କେଉଁଠି।ଆଉ କାହା ସାଙ୍ଗରେ ଆରମ୍ଭ କରିଥିବା କାହାଣୀରେ ବିଭୋର ରହି ତୁମେ ହୁଏତ ଭୁଲି ଯାଇଚ ଯେ ଏକଦା ଆମେ ଆରମ୍ଭ କରିଥିଲେ ଏକ କାହାଣୀ ସୁଦୂର ଦିଲ୍ଲୀର ଇଣ୍ଡିଆ ଗେଟ ତଳେ, ଏକ ମେଘଳ ଅପରାହ୍ନରେ।ସେଇ କାହାଣୀଟିକୁ କିନ୍ତୁ ଆମକୁ ପୁରା କରିବାର ଥିଲା ପ୍ରିୟଙ୍କା।
ଏବେ ମୁଁ ଛିଡ଼ା ହୋଇଚି ଇଣ୍ଡିଆ ଗେଟରୁ ଅଳ୍ପ ଦୂରରେ ଓ ଦେଖୁଚି, ଏତେ ବର୍ଷ ପରେ ବି ଇଣ୍ଡିଆ ଗେଟର ବାତାବରଣ କିଛି ବଦଳି ନାଇଁ।ମୋର ଏଇନେ ମନେ ପଡ଼ୁଚି ସ୍ବର୍ଗତଃ ଅକ୍ଷୟ ମହାନ୍ତିଙ୍କର ଏକ ଗୀତ-"ସେଇ ଦୀପ ଅଛି, ସେଇ ଫୁଲ ଅଛି.....କେବେ ତୁମେ ନାହଁ, କେବେ ମୁଁ ନାହିଁ।"
ପ୍ରିୟଙ୍କା, ଆଜି ବି ଇଣ୍ଡିଆ ଗେଟ ସମୀପବର୍ତ୍ତୀ ଏଇ ପାର୍କରେ ଗଢ଼ା ହେଉଛି ଅନେକ କାହାଣୀ, ପଲକ ଭର୍ତ୍ତି ସ୍ୱପ୍ନ ଓ ଅସରନ୍ତି ପ୍ରତିଶ୍ରୁତିକୁ ସମ୍ବଳ କରି।ହେଲେ ଏତେ ସବୁ କାହାଣୀ ଭିତରୁ ଅଧିକାଂଶ ପୁରା ହୋଇ ପାରେନା।
ପ୍ରିୟଙ୍କା, ମୋର ମନେ ପଡୁଚି ସେଇ ଗୀତର ଆଉ ଏକ ଧାଡ଼ି-"ବାକୀ କାହାଣୀକୁ ପୁରା କରିବାକୁ...... କେବେ ତୁମେ ନାହଁ, କେବେ ମୁଁ ନାହିଁ, ତୁମେ ବି ଯଦି କେବେ ଇଣ୍ଡିଆ ଗେଟ ବୁଲି ଆସ, ତୁମର ବି କଣ ଏଇ ଗୀତ ମନେ ପଡ଼ିବ, ପ୍ରିୟଙ୍କା?