ଇଜ୍ଜତ
ଇଜ୍ଜତ


ଜହ୍ନର ଶୀତଳ ଆଲୋକ ଚାରିଆଡେ ବିଛାଡିହୋଇ ପଡିଲାଣି । ଆଜି ବାସର ରାତି । ହେବ ଦୁଇଟି ଅଚିହ୍ନା ଦେହର ମିଳନ । ମନ ଭିତରେ ଅନେକ ସ୍ୱପ୍ନକୁ ଜାବୁଡିଧରି କେତେବେଳୁ ତା ପ୍ରିୟତମର ପ୍ରତୀକ୍ଷାରେ ଥାଏ ଅନୀତା । କିଛି ସମୟ ପରେ ହଠାତ୍ ଅନାମ ଢଳିଢଳି ଆସି, ଅନୀତାକୁ ସାମାନ୍ୟ ଚାହାଣୀରେ ଚାହିଁ, ସ୍ମିତ ହସି, ନରମ ଗଳାରେ କହିଲା-
-କାହିଁକି କାନ୍ଦୁଛ ? କ’ଣ ହେଇଛି ? ଶୋଇପଡ ।
-ମୋ ଆଖିକୁ ନିଦ ଆସୁନି ।
-ମାନେ ?
-କ’ଣ କିଛି ବୁଝିପାରୁନ ? ପୁ’ଣି ଆଜିପରା ଦିନରେ ତମେ ମଦ ପିଇଛ ?
-ମୋ ପାଇଁ ସବୁ ସମାନ । ଆଜି କ’ଣ, କାଲି କ’ଣ ? ଓକେ, ଆଇ ଆମ୍ ସରି । ପ୍ଲିଜ୍ ଶୋଇପଡ ।
-ନା । ତମେ ମୋ ମୁଣ୍ଡ ଛୁଇଁ କୁହ, ଆଜିଠାରୁ ଆଉ କେବେହେଲେ ମଦ ପିଇବନି । ସତ କହୁଛି ସେମିତି ହେଲେ ମୁଁ ଆମ ଘରକୁ ଚାଲିଯିବି । ତମେ ଆଉ ମୋତେ ଦେଖିବାକୁ ପାଇବନି ।
ଏଇ କେତେପଦ କଥାରେ ହଠାତ୍ ଅନାମର ନିଶାଟା ଧିରେ ଧିରେ ଖସିବାକୁ ଲାଗିଲା । ସେ ବିକଳରେ ଛୋଟ ପିଲାଟି ପରି ଲୁହ ଛଳଛଳ ଆଖିରେ ଅନୀତାକୁ ଚାହିଁ, ମନକୁ ମନ କ’ଣ ସବୁ ଭାବି, ହଠାତ୍ ତାକୁ ଛାତି ଉପରକୁ ଭିଡିଆଣି, ତା ଗୋଲାପି ଓଠରେ ପ୍ରେମର ଚୁମାଟିଏ ଆଙ୍କିଦେଇ ନମ୍ରଭାବେ କହିଲା- “ଏହାକୁ ମୁଁ ଛାଡିପାରିବି, ହେଲେ ତୁମକୁ ନୁହେଁ । ତମେ ଆମ ଘରର ଲକ୍ଷ୍ମୀ । ଯେତେ ଝଡଝଞ୍ଜା ଆସିଲେ ପଛେ ଆଉ ଚାଲିଯିବା କଥା ତୁଣ୍ଡରେ ଧରିବନି, ବୁଝିଲ ?” ସେଦିନ ପ୍ରଥମ ଦେଖାରେ, ହୃଦୟସ୍ପର୍ଶୀ କଥାରେ, ଅନୀତା ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ତା’ ବୁଦ୍ଧିକୁ ମନେ ମନେ ତାରିଫ୍ କରିଥିଲା ।