KRUTIBAS NAYAK

Crime Thriller

3  

KRUTIBAS NAYAK

Crime Thriller

ହରିଣର ବାଘ ଶିକାର

ହରିଣର ବାଘ ଶିକାର

19 mins
232



ପୁଲିସ ଗାଡ଼ି ଦୁଆରେ ପହଞ୍ଚିବାର ଶବ୍ଦ ଶୁଣା ଗଲାଣି, ତଥାପି ବିନୟ ନିର୍ଭୟରେ ଠିଆହେଇ ରହିଛି । ଯିଏ ଯେତେ ଅନୁରୋଧ କଲେ ବି, ପିସ୍ତଲଟାକୁ ତଳକୁ ପକେଇ ଦେଉନାହିଁ; କିମ୍ବା ନିଜ ଜାଗାରୁ ପାଦେ ବି ଘୁଞ୍ଚୁନାହିଁ । ମୋନାଲିସାର ଚେତା ଆସିଗଲାଣି । ତଥାପି ସେପଟ ଘରେ ତଳେ ପଡ଼ି କାନ୍ଦୁଛି । ପୁଲିସ ଜୋତାର କଚମଚ ଶବ୍ଦ ପାଖେଇ ଆସୁଥିଲା ।

   ଇନ୍ସପେକ୍ଟର କାନୁନଗୋ ବାବୁ ବିନୟ ହାତରୁ ଆଗ ପିସ୍ତଲଟାକୁ ଛଡ଼େଇ ନେଲେ । ତା'ପରେ ରକ୍ତ ଜୁଡୁବୁଡୁ ହୋଇଥିବା ଦୁଇଟା ଶବକୁ ନିରୀକ୍ଷଣ କରି ପଚାରିଲେ-"ଏ' ଦୁଇଟା କ'ଣ ବନା ଆଉ କାଳିଆର ଶବ ?"

  ବିନୟ ତୁଣ୍ଡରେ ଭାଷାନାହିଁ । ସେ ଏକପ୍ରକାର ମୁକ ପାଲଟି ଯାଇଛି । ମୁଣ୍ଡ ହଲେଇ ସମ୍ମତି ଜଣାଇଲା ।

  ବିନୟକୁ ତୁରନ୍ତ ଥାନାକୁ ନିଆଗଲା । ଏଣେ ଶବ ଦୁଇଟାର ଫଟୋ ଉଠାଗଲା-ବିଭିନ୍ନ ଦିଗରୁ । ଦୁଇ-ଚାରି ଜଣ ଗ୍ରାମବାସୀ ସାକ୍ଷୀ ପଡ଼ିଲେ । ସମସ୍ତେ ଟୁପଟାପ ହେଉଥା'ନ୍ତି, ପୁଲିସକୁ ଦେଖି ପୁଣି ଚୁପଚାପ ହେଇଗଲେ ।


   ମୋନାଲିସା ମୁଣ୍ଡ ପିଟି ବଡ଼ ପାଟିରେ କହୁଛି-"ଇଏ ସବୁ କ'ଣ ହେଇଗଲା ? ଏତେ ବଡ଼ପାପ ତମେ କାହିଁକି କଲ ? ମୁଁ ମରି ଯାଇଥିଲେ ବରଂ ଭଲ ହେଇଥା'ନ୍ତା । ହେ ଭଗବାନ ! ମୋ ଛାତିଟା ଫାଟିଯାଉ, ମୁଁ ଆଉ ସହିପାରୁ ନାହିଁ । ।"

    ତାକୁ ସାନ୍ତ୍ୱନା ଦେବାକୁ ଗାଆଁଲୋକ ସାହସ କରୁ ନାହାନ୍ତି । ଦି' ଦି'ଟା ଲୋକଙ୍କୁ ଯିଏ ଘର ଭିତରେ ଗୁଳିକରି ମାରି ସାରିଛି, ତା' ସ୍ତ୍ରୀ ପାଖକୁ ଯାଇ କିଏ ବା କାହିଁକି ଅଡୁଆରେ ପଡ଼ିବ ।

ଥାନାର ହାଜତ ଭିତରେ ଚୁପଚାପ ବସିଛି ବିନୟ । ପୁଲିସ ବାବୁ ଭାରି ବ୍ୟସ୍ତ । ଏସ.ପି.ସାହେବଙ୍କଠାରୁ ଫୋନ ତ, ଏଣେ ଡି.ଆଇ.ଜି.ସାହେବଙ୍କ ଫୋନ ଆସୁଛି । ଗାଡ଼ି ଯୋଗାଡ଼ କରି ଶବ ଆଣିବାର ବ୍ୟବସ୍ଥା ଚାଲିଛି । ବୁଢା କନେଷ୍ଟବଳ ଆସି ହାଜତର ତାଲାଟାକୁ ଆଉ ଥରେ ଟାଣି ଯାଞ୍ଚ କରିନେବା ଆଳରେ ବିନୟକୁ କଟମଟ କରି ଚାହୁଁଥାଏ ।


   ବିନୟ ମୁଣ୍ଡ ତଳକୁ କଲା । ତା' ଆଖିରୁ ଦୁଇଟୋପା ଲୁହ ଗାଲଦେଇ ଗଡ଼ିଗଲା । ଏତେ ବେଳଯାଏ ସେ କେଉଁଠି ହଜିଯାଇଥିଲା କେଜାଣି ? କିଛିକ୍ଷଣ ପୂର୍ବରୁ ଛାତିଟା ତା'ର ପଥର ହେଇ ଯାଇଥିଲା । ହାତମୁଠାଟା ସତେ ଯେମିତି ଲୁହାର ଚିମୁଟା ପାଲିଟି ଯାଇଥିଲା । ଆଉ ଆଖିକୁ ଟିକେ ଓଦା କରିବା ପାଇଁ ଲୁହ ବୁନ୍ଦାଏ ବି ଆସୁ ନ ଥିଲା । ହଠାତ ସେ ଏ' କ'ଣ ଅନୁଭବ କରୁଛି ? ତା' ଛାତି ଭିତରଟା ଯେମିତି କୋରିହେଇ ପଡୁଛି, କୋହ ଉଠୁଛି । ହାତମୁଠା ଗୁଡ଼ାକ ଭାରି ହୁଗୁଳା । ଯେମିତି ବି କୁଟା ଖଣ୍ଡେ ଉଠେଇ ପାରିବ କି ନାହିଁ । ଏଣେ ଆଖିରେ ତା'ର ଲୁହର ବନ୍ୟା ମାଡ଼ି ଆସୁଛି ।

  ଦୁଇ ପାପୁଲିରେ ସେ ଦୁଇ ଆଖିକୁ ଚାପି ଧରି ଗୋଟାଏ କୋଣକୁ ମୁହଁକରି ବସି ରହିଲା ।


  -“ଆଜି ସେ ଯେଉଁ କାଳିଆ ଆଉ ବନାକୁ ଗୁଳିକରି ହତ୍ୟା କରିଛି, ସେ ଦୁହେଁ ଦିନେ ଥିଲେ- ତା'ର ଅତି ନିଜର । ଇଂଜିନିୟିରିଂ ସ୍କୁଲରେ ପାଦଦେବା ଦିନ ହିଁ ସେ କାଳିଆ ଆଉ ବନାକୁ ଭେଟିଥିଲା । ତାଙ୍କଠାରୁ ସେ ପ୍ରଥମେ ଅଭୟବାଣୀ ପାଇଥିଲା-" କେହି ଯଦି ତତେ ରାଗିଙ୍ଗ କରେ, ତେବେ ତୁ ଆମ ଦି' ଜଣକୁ କହିବୁ । ସିନିୟର ଫିନିୟର ଆମେ କିଛି ଜାଣୁନା, ବିଲକୁଲ ସାଫ ।" ଏତିକି କହି କାଳିଆ ଅଣ୍ଟାରୁ କାଢିଲା ସ୍ପ୍ରିଙ୍ଗ ଲଗା ଚକଚକ କରୁଥିବା ଛୁରୀ । ତା' ସୁଇଚକୁ ଟିପି ଦେଖାଇ ଦେଲା । ଖଟକରି ଛୁରୀଟା ଲମ୍ବା ହେଇଗଲା ।


   ପୁଣି ସେ କହି ଚାଲିଲା -" ଆଜିକାଲି ଯୁଗରେ ଏହାଛଡ଼ା ଇଂଜିନିୟରିଂ ପାଠ ପଢି ହେବନାହିଁ । ଏଇ ଛୁରୀ ହିଁ ଆମକୁ ରାଗିଙ୍ଗରୁ ରକ୍ଷା କରିପାରିବ । ଅଧ୍ୟାପକଙ୍କଠାରୁ ଆରମ୍ଭ କରି ପ୍ରିନ୍ସିପାଲଙ୍କ ପର୍ଯ୍ୟନ୍ତ । ପୁଣି ପରୀକ୍ଷା ବେଳେ ବି ଇଏ ବଢିଆ କାମରେ ଆସିବ । ବହୁତ ଚିନ୍ତାକରି ଗତକାଲି ଏ' ଛୁରୀଟାକୁ ମୁଁ କିଣିଛି । ଶଳା, ସିନିୟରଗିରି ଦେଖଉଛନ୍ତି, ରାଗିଙ୍ଗ କରିବ କରୁ । ତା'ର ଦିନକୁ ମୋର ଦିନେ । ଏମିତି ଦିନେ ଅନ୍ଧାରିଆକି କାମ କରିଦେବି ଯେ, ଟୋକାର ଡେଡ଼ ବଡ଼ି ବି ମିଳିବ ନାହିଁ ।"


     ତା'କଥା ସରିଛି କି ନାହିଁ, ବନା କହିଲା-"ମୁଁ ବି ଠିକ କରିଛି, କେଉଁଠୁ ସୁବିଧା ଦେଖି ପିସ୍ତଲ ଖଣ୍ଡେ କିଣିବି । ତୋର କାହାରିକୁ ଡରିବା ଦରକାର ନାହିଁ । ଆମେ ଦି'ଜଣ ତୋ' ପାଖେ ପାଖେ ଅଛୁ । ଖାଲି ତୁ ଆମ ସାଙ୍ଗରେ ଟିକେ ବୁଲାବୁଲି କର । ତତେ ବି ସବୁ ଡରିବେ । ଆଉ ରାଗିଙ୍ଗ କରିବ କୋଉ ଶଳା ମୁଁ ଦେଖିବି । ହେଲା-ହାତ ମିଳା-ଏଥର ।"


   ହାତ ମିଳେଇବାକୁ ବନା ବିନୟ ଆଡ଼କୁ ହାତ ବଢ଼େଇଲା । କିନ୍ତୁ ଏ' କ'ଣ ତା'ର ହାତଟା ଉପରକୁ ଉଠୁନାହିଁ । ସେ ଅନୁଭବ କଲା-ତା'ର ଦେହ ଶିଥିଳ ହେଇ ପଡୁଛି । ମୁଣ୍ଡଟା ବୁଲେଇ ଦେଉଛି । କଲଜାଟା ବରଫ ହେଇ ଯାଉଛି । ପୃଥିବୀଟା ସତେ ଯେମିତି, ତା'ର ଚାରିପଟରୁ ଖଣ୍ଡ ଖଣ୍ଡହେଇ ଭୁଶୁଡ଼ି ପଡୁଛି । ବିନୟ ଦୁମକରି ତଳେ ପଡ଼ିଗଲା ।

  କାଳିଆ ଛୁରୀଟାକୁ ବନ୍ଦକରି ଅଣ୍ଟାରେ ରଖିଦେଲା । ବନା ନଇଁପଡ଼ି ବିନୟକୁ ଉଠେଇଲା । ଦୁହେଁ ତାକୁ ଟେକି ନେଲେ, କ୍ୟାମ୍ପସ ଭିତରେ ଥିବା ଦେବଦାରୁ ଗଛ ମୂଳକୁ । ପାଣି ଆଉ ପବନ ବାଜିବାରୁ ସେ ଚେତା ଫେରି ପାଇଲା । ବନା ସାଇକେଲରେ ଯାଇ ବଜାରରୁ ଗରମ କ୍ଷୀର ଆଣି ପିଇବାକୁ ଦେଲା । କାଳିଆ କହିଲା-"କି ବେ ଶଳା ! ତୁ ମାଇଚିଆଟା କିରେ ? ଛୁରୀଟାକୁ ଦେଖି ତୋର ଚେତା ବୁଡ଼ି ଯାଉଛି । ତୁ ପୁଣି ଆମ ସାଙ୍ଗରେ ରାଗିଙ୍ଗ ବିରୁଦ୍ଧରେ ଲଢ଼ିବୁ କେମିତି ?

-ଠିକ ଅଛି । ଆଜି ସଞ୍ଜବେଳେ ସେଥିପାଇଁ ତୋତେ କିଛି ଔଷଧ ଖାଇବାକୁ ପଡ଼ିବ । ଡୁ ୟୁ ଏଗ୍ରୀ ?"


     ପୁଣି ବନା ପଚାରିଲା -"ଆଚ୍ଛା ବିନୟ ! ତୁ ଏବେ ରହୁଛୁ କୋଉଠି ?"

  -"ନାଇଁ, ଏଠି ଜଣେ ଗାଆଁରେ ମଉସାଙ୍କ ଘରେ ଦି' ଦିନପାଇଁ ରହୁଛି ।"

-"ଠିକ ଅଛି, ତୋ' ବେଡ଼ିଙ୍ଗ ପତ୍ର ଧରି କାଲି ଆସିବୁ । ଆମ ସାଙ୍ଗରେ ମେସରେ ରହିଯିବୁ ।" କାଳିଆ କହିଲା ।

 -"କିନ୍ତୁ।"


 -"କିନ୍ତୁ କ'ଣ ବେ ? ତୋ' କହିବା ଢ଼ଙ୍ଗରୁ ମୁଁ ତୋତେ ଜାଣି ସାରିଲିଣି । ଅର୍ଥର ଅଭାବ ତ ? ସେଥିପାଇଁ ତୋର ଚିନ୍ତା କରିବା ଦରକାର ନାହିଁ । ଟଙ୍କା କଥା ଆମେ ବୁଝିବୁ । ଆମ ପାଖରେ ଟଙ୍କାର ଅଭାବ ନାହିଁ । ଅଭାବ ଅଛି କେବଳ ସାଙ୍ଗର ।" ବନା ବୁଝେଇ ଦେଲା ।

  ବିନୟ ନିଜକୁ ଅତ୍ୟନ୍ତ ଦୁର୍ବଳ ମନେ କରୁଥିଲା । କାଳିଆ କହିଲା-"ଏବେ ଯାଇ ତୋ' ବେଡ଼ିଙ୍ଗ ପତ୍ର ନେଇ ଆସିବୁ । ବନାର ତ ସାଇକେଲ ଅଛି । ଚାଲ ଯିବା, ମୁଁ ତୋ' ମଉସାଙ୍କୁ ବୁଝେଇ ଦେବି । ମେସରେ ନ ରହିଲେ, ପାଠ ଠିକ ଭାବରେ ମୋଟେ ପଢି ହେବନାହିଁ । ଘରେ ଭାରି ଡିଷ୍ଟର୍ବ ।"


  ଚୁପରହି ଭାବିଲା ବିନୟ-କାଳିଆ ଆଉ ବନା ଭଳି ଗୁଣ୍ଡା ଶ୍ରେଣୀର ପିଲାଙ୍କୁ ନେଇ ମଉସାଙ୍କ ଘରଟାକୁ ଦେଖେଇବା ଠିକ ହେବନାହିଁ । ମଉସାଙ୍କ ଝିଅ ଏବେ କଲେଜରେ ପଢୁଛି । ସେମାନେ ୟା'ଙ୍କର ରଙ୍ଗଢ଼ଙ୍ଗ ଦେଖିଲେ, ମୋତେ ବି ଘୃଣା କରିବା ଆରମ୍ଭ କରିଦେବେ । ମାଉସୀଙ୍କର ବିଶ୍ୱାସ ତୁଟିଯିବ ।


 -"କ'ଣ ବେ ! ଏତେ ସମୟ ଭାବି ଚାଲିଛୁ, ଚାଲ ଯିବା । ମାଉସୀଙ୍କ ହାତରୁ ପଖାଳ ଖାଇବା । ସେଇ ବାଟଦେଇ ମେସକୁ ପଳେଇବା ।"

ବନା ତା'ସାଇକେଲ ଗଡ଼େଇ ଆଗେଇଲା ।

 ବେଳକୁ ବେଳ ବିପଦ ଘନେଇ ଆସୁଥିବାର ଲକ୍ଷ୍ୟକରି ବିନୟ ବିକଳହେଇ ଏଣିକି ତେଣିକି ଚାହୁଁଥାଏ । ମନେ ମନେ ବିପଦରୁ ଉଦ୍ଧାର ପାଇବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ । ଅନିଚ୍ଛା ସତ୍ୱେ, ସେ ତାଙ୍କ ସହିତ ଆଗକୁ ପାଦ ପକେଇ ଚାଲିଲା ।


  ହଠାତ ତା' ମୁଣ୍ଡରେ ଉପାୟଟେ ଆସି ପହଞ୍ଚିଗଲା । ସେ ଅଟକି ଯାଇ କହିଲା -"ଏବେ ତ ମଉସା ମାଉସୀ ଘରେ ନଥିବେ, ସେମାନେ କାହା ଘରକୁ ଯିବେ ବୋଲି କହୁଥିଲେ । ଠିକ ଅଛି ଚାଲ, ଏବେ ତମର ମେସଟା ମୋତେ ଦେଖେଇ ଦେବ । ମୁଁ ସୁବିଧା ଦେଖି ମଉସା ମାଉସୀଙ୍କୁ ବୁଝେଇ ତମ ପାଖକୁ ଚାଲି ଆସିବି ।"

କାଳିଆ ପକେଟରେ ହାତ ପୂରେଇ ପଚାରିଲା -"ଟଙ୍କା ପଇସା କିଛି ଅଛି ନା' ଦୁଇ ଚାରିଶ ଦେବି, ରଖିଥିବୁ ।"


 -"ନାଇଁ । ଏବେ ତ କିଛି ଦରକାର ନାହିଁ । ଦରକାର ହେଲେ ମୁଁ ମାଗିନେବି ।" ବିନୟ ଅତି ବିନିତ ହେଇ କହିଲା ।

କାଳିଆ ଆଉ ବନାଙ୍କ ପଦାନୁଶରଣ କରି ବିନୟ ମେସ ବୁଲି ଦେଖଲା । କାଳିଆ-ବନା ରହୁଥିବା ରୁମରେ ଆଉ ଗୋଟିଏ ଖଟ ଖାଲି ପଡ଼ିଛି । ସେ ଖଟ ଉପରେ ଯାବତୀୟ ଅଶ୍ଲିଳ ଚିତ୍ର ଥିବା ପତ୍ରିକା କେତେ ଖଣ୍ଡ, ଖଟ ତଳେ ଖାଲି ମଦ ବୋତଲ କେତେଟା ଆଉ ଛୋଟ ଟେପ ରେକର୍ଡର ଖଣ୍ଡେ, ତା'ପାଖରେ ପୁଳାଏ ଖଣ୍ଡ ହିନ୍ଦୀ ଗୀତର କ୍ୟାସେଟ । ଥାକରେ କେଇଖଣ୍ଡ ବହିଖାତା, କାନ୍ଥରେ ବିଶ୍ୱ ସୁନ୍ଦରୀମାନଙ୍କର ବିଭିନ୍ନ ଭଙ୍ଗୀର କ୍ୟାଲେଣ୍ଡର । ଘର ଚଟାଣରେ, ଏମାନେ ରହିବା ଦିନରୁ ଝାଡୁ ବାଜିନାହିଁ । ଘରକୋଣରେ ଅଣ୍ଡା ଖୋଳପା, ଫଳ ଚୋପା ଆଉ ଅନେକ ପ୍ରକାର ମଦ ବୋତଲର ଠିପିର ସମାବେଶ ।

ତାକୁ ଦେଖି ବିନୟର ହଲକ ଶୁଖିଗଲା । ଦୋ'ଛକିର ପଡ଼ି ଡହଳ ବିକଳ ହେବା ବ୍ୟତୀତ କିଛି ଉପାୟ ନାହିଁ । କାଳିଆ ଦେଖାଇ ଦେଲା -ଏ' ଖଟଟି ତୋ ପାଇଁ ରିଜର୍ଭ ରହିଛି । ଯେତେ ଶୀଘ୍ର ପାରୁ, ଏଠିକି ଚାଲିଆ ।"


   ସବୁ ରକମର ମଜା ମାରିବୁ, ମାଲ ଚାଖିବୁ; ସବୁ ରକମର ମାଲ । ପଇସାପତ୍ର କଥା ଚିନ୍ତା କରନା ଆରେ, ବାପା ମାଆ ଯାହା ଦେବେ, ତାଙ୍କ ହିସାବ ତାଙ୍କୁ ଦେଖେଇ ଦେଲେ ଗଲା । ଆମେ କୋଉଠୁ ଆଣିଲୁ, କେମିତି ଖର୍ଚ୍ଚକଲୁ, ସେଥିରେ ତ ତାଙ୍କର ମୁଣ୍ଡ ଖେଳେଇବା ଉଚିତ ନୁହେଁ ।"

      ବନା କହିଲା-"ମୁଁ ତ ସେଇଥିପାଇଁ ବାପାଙ୍କୁ କହିଦେଇଛି- ମୋ ଚିନ୍ତା ତମେ କରିବ ନାହିଁ । ମୁଁ ଆଉ ଛୋଟପିଲାହେଇ ରହିନାହିଁ । ବଞ୍ଚିବାର କୌଶଳ ମତେ ଜଣା । ପାରିବ ତ କିଛି ଟଙ୍କା ମନିଅର୍ଡର କରି ପଠେଇ ଦେବ । ନହେଲେ ତମେ ତମର ଅନ୍ୟ ପୁଅ-ଝିଅଙ୍କ କଥା ଚିନ୍ତାକର । ମୁଁ ରୋଜଗାର କରି ନିଜେ ପଢ଼ି ପାରିବି ।"

    ବୁଝିଲୁ ବିନୟ ! ତୋର ବାପା ନାହିଁ କି ମାଆ ନାହିଁ । ଏକପ୍ରକାର ଭଲ ହେଇଛି । ସେମାନେ ଥିଲେ, ଅଯଥାରେ ଖାଲି ମାନସିକ ଯନ୍ତ୍ରଣା ଦେଇ ଥାଆନ୍ତେ । ମୁକ୍ତ ଜୀବନର ମାନେ କ'ଣ, ସେମାନେ ବୁଝନ୍ତି ନାହିଁ । ଖାଲି ଉପଦେଶ- “ଏଇଟା କରିବୁ ନାହିଁ, ସେଇଟା କରିବୁ ନାହିଁ,” ସବୁ କଥାରେ ପୁଣି ସବୁ କାମରେ କଟକଣା । ସେମାନେ ହେଲେ କୂପ ମଣ୍ଡୁକ । ଜୀବନଟା କ'ଣ ଖାଲି ନୀତି-ନିୟମ ଆଉ କଟକଣାରେ ବନ୍ଧାହେଇ ରହିଥିବ ? ଆରେ ! ଯାହା ମିଳୁଛି, ଖାଅ-ପିଅ ମଉଜ କର । ଯେତେବେଳେ ନ ଥିବ ନାଇଁ ।"


ବିନୟର ମେସ ବୁଲା କାମ ସରିଗଲା । କାଳିଆ-ବନା ତାକୁ ପୁଣି ଥରେ ନିର୍ଭର ପ୍ରତିଶ୍ରୁତି ଦେଲେ -" ତୁ ମନେ ରଖିଥା' ତୋତେ ଆମେ ମାଇଚିଆରୁ ହିରୋ କରିଦେବୁ । ଖାଲି ତୁ ମେସକୁ ଚାଲିଆ ।"

   କାଳିଆ-ବନାଙ୍କର ବ୍ୟବହାର, ଚାଲିଚଳନ ଆଉ ପିତା-ମାତାଙ୍କ ପ୍ରତି କଟ୍ୟୁକ୍ତି ତାକୁ ବହୁତ ଖରାପ ଲାଗିଲା । କ'ଣ କରିବ, କେମିତି ସେ ଦୁଇବର୍ଷ କାଳ ଏ' ସ୍କୁଲରେ ପଢି ଇଂଜିନିୟରିଂ ଶେଷ କରିବ ? ରହିବ କେମିତି, ଖାଇବ କୋଉଠି ? ତାକୁ ଏ' ବିପଦବେଳେ ପ୍ରକୃତରେ କିଏ ସାହାଯ୍ୟ କରି ପାରିବ ? କେବଳ ଭଗବାନ ହିଁ ଭରସା ।

   ତା'ର ମନେ ପଡ଼ିଗଲା, ପିଲାଦିନେ ଜଣେ ସାଧୁ ମୋ କପାଳକୁ ଦେଖି କହିଥିଲେ - "ବିନୟର ବାଲ୍ୟକାଳ ଅତ୍ୟନ୍ତ ଦୁଃଖମୟ । ପିତା-ମାତାଙ୍କୁ ହରାଇପାରେ । କିନ୍ତୁ ସେ ସବୁ କ୍ଷେତ୍ରରେ ସଫଳତା ଲାଭକରି ଜଣେ ଉଚ୍ଚ ପଦସ୍ଥ ଅଫିସର ହେବ । ତାକୁ ଲକ୍ଷେଲୋକ ଆଶ୍ରାକରି ବଞ୍ଚିବେ । ସୁନ୍ଦରୀ ପତ୍ନୀ, ଦି'ଟା ପୁତ୍ର ପାଇବ । ଏହା ସହିତ ସେ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରି ଭୁବନେଶ୍ୱରରେ ବାସ କରିବ ।"


   -ବାପା ମାଆ ଦୁହେଁ, ସାଧୁଙ୍କର ସିଧାସଳଖ ଅପ୍ରିୟ ସତ୍ୟ, ଆଉ ଭବିଷ୍ୟତ ବାଣୀ ଶୁଣି ଆନନ୍ଦାଶ୍ରୁ ଗଡ଼େଇ ଦେଇଥିଲେ ।

ମାଆ କହିଥିଲେ -"ବିନୟଟି ଆମର ସବୁ କିଛି । ଦୁଃଖର ଦିନ ତ ବେଶି ଦିନ ରହେନାହିଁ । ଆମ ଅନ୍ତେ ସେ ଯଦି ନିଜେ ମଣିଷ ହେଇପାରିବ, ତେବେ ଆମର ଆଉ ଚିନ୍ତା କ'ଣ ? ସେ ଛୁଆଟା କେବଳ ଭଲରେ ରହୁ । ତୁମ ତୁଣ୍ଡ ସୁତୁଣ୍ଡ ହେଉ, ବାବା ।"

  ସାଧୁଙ୍କ ପାଦକୁ ଧରି ଅନୁନୟ ବିନୟ ହେଇ ମୁଁ କହିଥିଲି -"ବାବା ! ମୋ ବାପା ବୋଉଙ୍କୁ କେମିତି ହେଲେ, ବଞ୍ଚେଇ ରଖିଦିଅ । ବରଂ ଏଥିପାଇଁ ମୁଁ ସାରା ଜୀବନ ଦୁଃଖ ଭୋଗିବାକୁ ପ୍ରସ୍ତୁତ ଅଛି । ମୋ ସୁଖ-ପରିବର୍ତ୍ତେ ମୋ ବାପା-ମାଆଙ୍କ ଆୟୁଷ ଟିକେ ବଢ଼େଇ ଦିଅନ୍ତୁ, ବାବା ।"


   ବାବା ଜଣକ ମୁଣ୍ଡ ହଲେଇ ନାସ୍ତିବାଚକ ସୂଚନା ଦେଇ କହିଥିଲେ-"ଏ' ସବୁ ତ ପୂର୍ବ ନିର୍ଦ୍ଧାରିତ । ଯାହା ହେବାର ବାଛି ତାହା ହିଁ ହେବ । ଅନ୍ୟମାନଙ୍କ ପରି ମୁଁ ଠକ ବାବାଜୀ ନୁହେଁ । କୁକୁଡ଼ା ବଳି, ମଦ, ପୂଜା ନାଆଁରେ ତମକୁ ମିଛ କହି କିଛି ଅର୍ଥ ଉପାର୍ଜନ କରିନେବି । ସେ କଥା ହେଇପାରିବ ନାହିଁ ।"

    ବାପା ତ ଏଭଳି ବାବାଜୀ-ମାତାଜୀଙ୍କ କଥାକୁ ମୋଟେ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ମୋ ମନରେ ଲାଗିଥିବା ଦାରୁଣ ଆଘାତକୁ ସେ ଠିକ ଭାବରେ ଅନୁଭବ କରି ପାରିଥିଲେ । ମୋତେ ବୁଝେଇବା ପାଇଁ ପାଖକୁ ଟାଣି ନେଇ କହିଲେ -" ମୁଁ ପରା ତୋତେ ଧବଳେଶ୍ୱର ବାବାଙ୍କୁ ସମର୍ପି ଦେଇଛି, ସେହି ତୋର ବାପା ମାଆ । ତୁ ମନରେ ସାହସ ଧରି ପାଠ ପଢ଼ । ସବୁ ଠିକ ହେଇଯିବ । ଆମର ଆୟୁଷ ନ ପୂରିଥିଲେ, କ'ଣ ଯମ ଆମ ପାଖକୁ ଆସି ପାରିବ ? ଏ'ସବୁ ଫାଲୁତୁ କଥାରେ ତୁ ମୁଣ୍ଡ ପୂରାନା ।"


    ବାବାଜୀଙ୍କର କଥାଟା କିନ୍ତୁ ମୋ ମୁଣ୍ଡରେ ପଶି ରହି ଯାଇଥିଲା । ତେଣୁ ସଞ୍ଜ ସକାଳେ ବାବା ଧବଳେଶ୍ୱରଙ୍କୁ ମୁଁ ମୁଣ୍ଡିଆ ମାରି କହେ -"ଭଗବାନ ! ମୋତେ ସୁଖ ନ ଦେଲ ନାହିଁ; କିନ୍ତୁ ମୋ ବାପା-ମାଆଙ୍କୁ ତମେ ମୋଠାରୁ କେବେ ଛଡ଼େଇ ନିଅନା ।"

   1999 ମସିହା ଅକ୍ଟୋବର ମାସରେ 29 ତାରିଖ । ଅନେକ ଦିନ ତଳର ଆତଙ୍କିତ ଆଶଙ୍କାକୁ ସତ୍ୟରେ ପରିଣତ କରିଦେଲା ମହାବାତ୍ୟା । ବୋଉକୁ ଉଦ୍ଧାର କରିବାକୁ ଯାଇ ମୋ ବାପା ବି ଭୟଙ୍କର ସାମୁଦ୍ରିକ ଲହଡ଼ିରେ ଭାସିଗଲେ । ଭାସି ଯାଉ ଯାଉ ବାପା ଚିତ୍କାର କରି ମୋତେ କହିଥିଲେ -"ତୁ ସେଇଠି ଥା’ । ବାବାଙ୍କ ନାମ ଛାଡ଼ିବୁ ନାହିଁ । ସେହି ଦିନଠାରୁ ସତରେ ମୁଁ ଭାଙ୍ଗି ପଡ଼ିଥିଲି ।

    ସେତେବେଳକୁ ମୁଁ +2 ବିଜ୍ଞାନର ଛାତ୍ର ହିସାବରେ ଏଣ୍ଟ୍ରାନସ ପରୀକ୍ଷା ଦେଇଥିଲି । ଏଣେ ଡିପ୍ଲୋମା ପାଠ ପଢ଼ିବା ପାଇଁ ମଧ୍ୟ କଲ ଲେଟର ପାଇଥିଲି, ଫ୍ରି-ସିଟ ବି ପାଇଗଲି । ଇଂଜିନିୟରିଂ ପଢିବାକୁ ଭୁବନେଶ୍ୱର ଯିବାକୁ ପଡ଼ିବ । ଫ୍ରି ହେଲେ କ'ଣ ହେବ, ତଥାପି ଅନେକ ଟଙ୍କା ତ ଦରକାର ।


   ଭୁବନେଶ୍ୱର ଚାଲି ଆସି ନିରାକାର ମଉସାଙ୍କ ପାଖରେ ପହଞ୍ଚିଲି । ନିରାକାର ମଉସା ବାପାଙ୍କର ବନ୍ଧୁ । ଆମ ଗାଁ' ପାଖରେ ତାଙ୍କ ଘର । ସେ ସରକାରୀ ପ୍ରେସରେ କିରାଣୀ ଚାକିରୀ କରିଛନ୍ତି । ତାଙ୍କର ପୁଅ ବାହାରେ ମେଡିକାଲରେ ଆଡମିସନ ନେଇଛି, ତା' ପାଇଁ ପ୍ରଚୁର ଟଙ୍କା ଦରକାର । ତାଙ୍କର ଏଣେ ଛୋଟ ଘର, ବଢ଼ିଲା ଝିଅଟା ଏ' ବର୍ଷ କଲେଜକୁ ଯାଉଛି । ଏତେ କମ ଦରମାରେ କେମିତି ସେ ଚଳନ୍ତି, ତାଙ୍କୁ ହିଁ ଜଣା ।

  ତଥାପି ମୋ କଥା ସବୁ ଶୁଣିସାରି ମୋତେ ସାହସ ଦେଇ କହିଲେ-"ତୁ ନିଶ୍ଚୟ ଇଂଜିନିୟରିଂ ପଢ଼ିବୁ । କିନ୍ତୁ କମଖର୍ଚ୍ଚ ଆଉ କମଦିନ ଭିତରେ ଡିପ୍ଲୋମାଟା ଆଗ କରିପକା । ପରେ ବ୍ୟାଙ୍କରୁ ଷ୍ଟଡ଼ିଲୋନ ଆଣି ତୋ' ନାଆଁ ଇଂଜିନିୟରିଂ କଲେଜରେ ଲେଖେଇ ଦେବି । ଚାକିରୀ କଲେ, ସେ ଲୋନକୁ ତୁ ଶୁଝିଦେବୁ । ପାରିବୁ ଯଦି କେତେଟା ହାଇସ୍କୁଲ ପିଲାଙ୍କୁ ଟିୟୁସନ ଧରିଦେ, ତୋ'ଖର୍ଚ୍ଚ ଉଠିଯିବ । କିନ୍ତୁ ମୋ ଘରେ ତ ଜାଗାନାହିଁ । ଏମିତି ଦିନେ ଦି' ଦିନି ତୁ ମୋ ପାଖରେ ଶୋଇ ପଡ଼ିବୁ । କିନ୍ତୁ କୌଣସି ମେସ କି ହୋଟେଲରେ ରହିବା ବ୍ୟବସ୍ଥା କରିବାକୁ ପଡ଼ିବ । ଆଜିକାଲି ହଷ୍ଟେଲ ଗୁଡ଼ାକ ମୋଟେ ନିରାପଦ ଜାଗା ନୁହେଁ ।


ସେଇଠି ଖାଲି ମଦୁଆ, ବାଳୁଙ୍ଗା, ଛତରା ଟୋକାଙ୍କର ଭିଡ଼ । ମାଡ଼ପିଟି, ଗଣ୍ଡଗୋଳ, ରାଗିଙ୍ଗ ଚାଲିଥିବ ଯେ ଚାଲିଥିବ ।"

   ମଉସାଙ୍କ ପରାମର୍ଶ ଆଉ ସାହାଯ୍ୟ ପାଇ, ମୁଁ ନାଁ' ଲେଖେଇଲି-ଭୁବନେଶ୍ୱରରେ ଏଇ ନାମକରା ଇଂଜିନିୟରିଂ ସ୍କୁଲରେ । ରାଗିଙ୍ଗ ଭୟରେ କିଛି ଦିନ ଅନୁପସ୍ଥିତ ରହିଥିଲି । ତଥାପି ତ ପଢିବାକୁ ପଡ଼ିବ । ଆତଙ୍କିତ ଅବସ୍ଥାରେ ସ୍କୁଲ କ୍ୟାମ୍ପସରେ ପାଦ ଦେଉଦେଉ, କାଳିଆ ଆଉ ବନା ମୋତେ ଭେଟି ଯାଇଥିଲେ ।

   ମୋର ବାୟୋଡ଼ାଟା, ଆର୍ଥିକ ଅବସ୍ଥା, ରୁଚି ଏବଂ ଆହୁରି ଅନେକ କଥା, ସେମାନେ ମୋଠାରୁ ଆଗ ସଂଗ୍ରହ କରିନେଲେ । ମୋ ବାପା-ମାଆ ମହାବାତ୍ୟାରେ ଭାସିଯିବା ଭଳି ଦୁଃଖଦ ଘଟଣା ତାଙ୍କ ମନରେ ତ ସାମାନ୍ୟତମ ଶୋଚନା ଆଣି ଦେଇ ନଥିଲା, ବରଂ ସେମାନେ ତାଙ୍କର ବଡ଼ ପଣିଆ ଦେଖେଇ ଡୋନେସନ ସିଟିରେ ଆସିଛନ୍ତି ବୋଲି ଗର୍ବ ଅନୁଭବ କଲେ ।"


ଏମିତି ଅତୀତ କଥାକୁ ଭାବି ଭାବି ଚାଲୁଚାଲୁ, ଏହା ଭିତରେ ମୁଁ ଆସି ମଉସାଙ୍କ ଘର ଦାଣ୍ଡ ଦୁଆରେ ପହଞ୍ଚି ସାରିଲେଣି । ତାଙ୍କ ଝିଅ ମୋନା ପଚାରିଲା -"ଭାଇନା ! ଏତେବେଳ ଯାଏ କୁଆଡ଼େ ଯାଇଥିଲ ? ବାପା ତମକୁ ଖୋଜିବାକୁ ଯାଇଛନ୍ତି ।

  ଏଠିକି ଆସିବାର ଦୁଇଦିନ ହେଲା ମୁଁ ଆସି ମଉସାଙ୍କ ଘରେ ରହିଲିଣି । ଆଗରୁ ଦି'ଥର ମାଉସୀଙ୍କ ସାଙ୍ଗରେ କଥାହେଇ ଯାଇଛି । ମୋନା ବୋଲି ଝିଅଟା ତାଙ୍କର +2 ପଢୁଛି ବୋଲି ଶୁଣିଥିଲି । କିନ୍ତୁ ମୋନାକୁ ସେତେବେଳ ଯାଏ, ଭଲକରି ଦେଖି ନଥିଲି । ବେଶ ସ୍ମାର୍ଟ ଝିଅଟିଏ ତ । ଖଣ୍ଡାଧାର ପରି ନାକ, ଗୋରା ତକ ତକ ଦେହକୁ ରେଶମୀ ଚୁଟି । କଳା ସାଲୁଆର ସାଙ୍ଗକୁ ହଳଦିଆ ଚୁନିଟା ତାକୁ ବେଶ ମାନୁଛି ।


ମୁଁ ଟିକେ ଅନ୍ୟମନସ୍କ ହେଇଗଲି । ମୁଣ୍ଡ ତଳକୁ କରି ତାଙ୍କ ଘର ଭିତରକୁ ପଶିଗଲି । ମନେ ମନେ ଭାବିଲି -ପର ଝିଅକୁ ଏତେ ନିରିଖେଇ ଦେଖିବା ମୋର ଉଚିତ ନଥିଲା । ଆଶ୍ରିତ ହୋଇ ଆଶ୍ରୟଦାତାଙ୍କ ସହିତ ବିଶ୍ୱାସଘାତକ କରିବା ଠିକ ହେଲାନାହିଁ । ଆଖି ଦୁଇଟାକୁ ସଂଯତ ରହିବାକୁ ପରାମର୍ଶ ଦେଲି, ମନକୁ ମନ କହିଲି-ଏମିତି ଭୁଲ ଆଉ କେବେ କରିବି ନାହିଁ ।

    ମାଉସୀ ଆସନ ପକେଇ ଦେଇ ଭାତ ବାଢିବାକୁ ରୋଷେଇ ଘର ଭିତରକୁ ଚାଲିଗଲେ । ମୋନା ଆଣି ପାଣି ଥୋଇଲା । ଭାତ ତରକାରୀ, ଭଜା, ଡାଲି,ପାମ୍ପଡ଼ ସଜେଇ ଦେଇ ମାଉସୀ ପଚାରିଲେ -"କିରେ ବିନୟ ! ଆଜି କ'ଣ କିଛି ପଢ଼ା ହେଲା ? କେହି ତତେ ରାଗିଙ୍ଗ କଲେ କି ?"


  ବିନୟ ଭାତ ମୁଠାଏ ପାଟିରେ ପୂରେଇ କହିଲା -"ମାଉସୀ ଆଜି ଗୋଟାଏ ମେସ ଦେଖିବାକୁ ଯାଇଥିଲି ।"

 -"କ'ଣ ମନକୁ ପାଇଲା ?:"

-"ନାଇଁ ମାଉସୀ ଦୁଇଟା ମଦୁଆ ଗୁଣ୍ଡା ପିଲା ସେ ମେସରେ ରହୁଛନ୍ତି । ବହୁତ ଡର ଲାଗିଲା ।"

-"ଲୋ,ମା ! ପିଲାଗୁଡ଼ା ଇଂଜିନିୟରିଂ ସ୍କୁଲ ଦୁଆର ନ ମାଡ଼ୁଣୁ, ମଦୁଆ ହେଇଗଲେଣି । ସେଗୁଡ଼ାକ ଆଉ କି ପାଠ ପଢିବେ ?" ମାଉସୀ ଛାନିଆ ହେଇ କହି ପକାଇଲେ ।

  ମଉସା ଘରକୁ ଫେରି ଆସି ମୋନାଠାରୁ ସବୁକଥା ବୁଝିନେଲେ । ମୋ ପାଖକୁ ଆସି କହିଲେ - "ତୋର ସେ ମେସକୁ ଯିବା ଦରକାର ନାହିଁ । ଏଇ ଘରେ ତୁ ରହି ମନଯୋଗ ଦେଇ ପାଠପଢ଼ । ମୋର ଗୋଟାଏ ପୁଅ ଥିଲା, ତୁ ଆଜିଠାରୁ ଆଉ ଗୋଟାଏ ପୁଅହେଇ ରହିଲୁ ।"


 -"କିନ୍ତୁ ସେମାନେ ଆସି ମୋତେ ଯଦି ଜବରଦସ୍ତ ମେସକୁ ନେଇଯାଆନ୍ତି ?" ମୁଁ ପଚାରିଦେଲି ।

 -"ମୁଁ ସେ କଥା ବୁଝିବି । କିନ୍ତୁ ତୁ ସେମାନଙ୍କୁ ଆଭଏଡ଼ କରି ରହୁଥିବୁ । ତାଙ୍କ କଥାରେ କଥା କହବୁ ନାହିଁ କି, ତାଙ୍କଠାରୁ କୌଣସି ପ୍ରକାର ସାହାଯ୍ୟ ଗ୍ରହଣ କରିବୁ ନାହିଁ । ତୋର ଯାହା ଦରକାର ମୋତେ କହିବୁ, ହେଲା !"

   -ମଉସାଙ୍କ କଥାଶୁଣି ତାଙ୍କୁ ହଁ ମାରି ପ୍ରତିଶ୍ରୁତି ଦେଇପାରୁ ନ ଥିଲି । ମୋ ଆଖି ଆଗରେ ନାଚି ଯାଉଥିଲା, କାଳିଆ-ବନାଙ୍କର ସହାୟତାର ହାତ, ଏଣେ ମଉସାଙ୍କ ଘରର ଆର୍ଥିକ ପରିସ୍ଥିତି । ମନେ ମନେ ଭାବୁଥିଲି, ମଉସା ସିନା ତାଙ୍କ ଘରେ ଥାଇ ସୁରକ୍ଷା ଦେବେ । କିନ୍ତୁ ସ୍କୁଲ କ୍ୟାମ୍ପସ ଛୁଇଁଲେ ତ, କାଳିଆ-ବନା ବ୍ୟତୀତ ସେଇଠି ନିଜର ବୋଲି କେହି ନ ଥିବେ ।

  ମୋ ମୁଣ୍ଡ କେମିତି ଗଡ଼ବଡ଼ ହେଇଗଲା । ବାବାଙ୍କ ନାଁ' ସ୍ମରଣ କରି ଟିକେ ଆଶ୍ଵସ୍ତି ଅନୁଭବ କଲି ।


    ଖାଇବା ଶେଷରେ ମାଉସୀ କହିଲେ-" ଖବର ଆସିଛି- ଗାଁ'ରେ ବାତ୍ୟା କ୍ୟାମ୍ପ ପଡ଼ିଛି । ମହାବାତ୍ୟା କ୍ଷତିପୂରଣ କାମରେ ତତେ ଦି' ଦିନ ଭିତରେ ଗାଁ'କୁ ଯିବାକୁ ପଡ଼ିବ । କାଲି ସ୍କୁଲକୁ ଯାଇ ପ୍ରିନିସପାଲଙ୍କୁ ଦରଖାସ୍ତ ଖଣ୍ଡେଦେଇ ଗାଆଁକୁ ଚାଲିଯା' । ଯଦି କିଛି ଅର୍ଥ ମିଳିଯାଏ, ତୋ' ପାଠପଢ଼ା କାମରେ ତ ଲାଗିପାରିବ ।"

  ତା'ପରଦିନ କ୍ୟାମ୍ପସରେ ପୁଣି କାଳିଆ-ବନାଙ୍କ ସହିତ ମୋର ଭେଟହେଲା । ସେମାନଙ୍କୁ ସିଧାସଳଖ ମେସ ଯିବାକୁ ମନା କରିପାରିଲି ନାହିଁ । କହିଲି-"ବାତ୍ୟା କ୍ଷତି ପୂରଣ କାମରେ ମୁଁ ଗାଆଁକୁ ଯିବି, ସେଇଠୁ ଫେରିଲେ ଯାହା କିଛି ।"

କାଳିଆ ପୁଣି ଥରେ ମୋତେ ଚେତେଇ ଦେଇ କହିଲା-" ଶୁଣ ବେ ମାଇଚିଆ । ତୁ ଗାଆଁରୁ ଫେରିଲେ ସିଧା ମେସକୁ ଆସିବୁ । ତତେ ମୁଁ ଆମ ଗ୍ରୁପରେ ରଖି ସାରିଛି । ହଁ, ଆଉ ଗୋଟାଏ ଗୁଡ଼ ନିୟୁଜ ଆମପାଇଁ ଶୁଣି ନେଇଥା'- ବନା ଗୋଟାଏ ଦାମୀ ପିସ୍ତଲ ଚୋରାରେ ପାଇଯାଇଛି । ଏବେ ଆମର କାମ ଧୂମଧାମରେ ଚାଲିବ । କିନ୍ତୁ ମନେରଖ, ତୋ ଛଡ଼ା ଏ'ଖବର ଯେମିତି ଆଉ କେହି ନ ଜାଣନ୍ତି । ବି କେୟାରଫୁଲ ।


    ଫେରିବା ପୂର୍ବରୁ ବନା ମୋ ପାଖକୁ ଲାଗି ଆସି କହିଲା-"ତୋ ପାଇଁ ଆଉ ଗୋଟିଏ ଗୁଡ଼ ନ୍ୟୁଜ ଅଛି । ଆଜି ରାତିରେ ସେହି ସିନିୟର ପିଲାଟାକୁ ହାଇଜାକ କରାଯିବ । ସେଇମ, ଯିଏ ତତେ ଗତକାଲି ରାଗିଙ୍ଗ କରିବାକୁ ଯାଉଥିବା ବେଳେ ଆମ ହାତରେ ଧରା ପଡ଼ି ଯାଇଥିଲା । ତା'ର ପତ୍ତା ଆମକୁ ମିଳି ଯାଇଛି । ଅଲ ଦି ବେଷ୍ଟ । ଯା' ଶୀଘ୍ର ଗାଆଁରୁ ଫେରିଆ ।"

    କାଳିଆ-ବନା ଚାଲିଗଲେ । ଅସହାୟ ଅବସ୍ଥାରେ ମୁଁ ପୁଣି ଦୋ'ଛକିରେ ପଡ଼ିଗଲି । ଏ'ସ୍କୁଲରେ ମୁଁ କେମିତି ପାଠ ପଢ଼ିବି ? କେମିତି ବଞ୍ଚି ରହିବି, ସେଇଟା ହେଲାଣି ମୂଳକଥା ।

  ଗତ ମହାବାତ୍ୟାଠାରୁ ଇଂଜିନିୟରିଂ ସ୍କୁଲ ମହାବାତ୍ୟାର ପ୍ରକୋପ ଆହୁରି ଅଧିକ ଯନ୍ତ୍ରଣା ଦାୟକ । ଛତିଶ ଘଣ୍ଟାରେ ତ ମହାବାତ୍ୟା ଶେଷ ହେଇ ଯାଇଥିଲା । କିନ୍ତୁ ଏଠି ତାକୁ ଦି'ବର୍ଷର ମହାବାତ୍ୟା ସହିବାକୁ ପଡ଼ିବ । ସେ ମହାବାତ୍ୟାରେ ଥିଲା, କେବଳ ପାଣିର ଲହଡ଼ି । ଏଠି କିନ୍ତୁ ଛୁରୀ-ବନ୍ଧୁକର ଭୟଙ୍କର ଆତଙ୍କ ରାଗିଙ୍ଗ, ମଦ୍ୟପାନ ,ହାଇଜାକ, ମର୍ଡର, ରେଫ ଆଉ ଗୁଣ୍ଡାଗିରି । ଏତେ ଗୁଡ଼ାଏ ବିପଦର ଲହଡ଼ିକୁ କ'ଣ ମୋର ଏ' ଦେହ ମନ ସହି ପାରିବ !!!

  କିନ୍ତୁ ଉପାୟ ନାହିଁ ?


ଡିପାର୍ଟମେଣ୍ଟରେ ଦରଖାସ୍ତ ଖଣ୍ଡେ ଦେଇସାରି ଢୁଳେଇ ଢୁଳେଇ ଚାଲିଥାଏ । ମଉସାଙ୍କ ଘରେ ପହଞ୍ଚିଲା ବେଳକୁ, ଗତକାଲି ପରି ଢେର ଡେରି ହେଇଯାଇଥିଲା । ମୋନା ମୋତେ ବହୁତ ଦୂରରୁ ଲକ୍ଷ୍ୟକରି, ଅନୁମାନ କରି ନେଇଛି- ଆଜି ମୋ ଉପରେ ଭଲକରି କଡ଼ା ରାଗିଙ୍ଗ ହୋଇଛି । ସେ ସିଧା ଦୌଡ଼ି ଆସି ମୋ ଦୁଇ ହାତକୁ ଧରି ପକାଇ ଆଖି ଦୁଇଟାକୁ ଚାହିଁଲା । ପଚାରିଲା-"କ'ଣ ହେଇଛି ଭାଇ ? ଆଖି ଦି'ଟା ଲାଲ ପଡ଼ିଛି ଯେ, ଦେହ ବି ଶୀତଳ ଲାଗୁଛି । ତମକୁ କ'ଣ ସେମାନେ ମାଡ଼ ଦେଲେ କି ? ତମେ ଏତେ ବେଳଯାଏ ଥିଲ କୋଉଠି ? ଆଜି ତମେ ବହୁତ କାନ୍ଦିଛ ନା କ'ଣ ?" ମୋନା ମୋ ଆଖିର ଲୁହକୁ ପୋଛି ପକାଉଥିଲା ।

   ମୁଣ୍ଡ ଟେକି ମୁଁ ମୋନାର ମୁହଁକୁ ଚାହିଁ ପାରିଲି ନାହିଁ । ଅନୁଭବ କରି ପାରୁଥିଲି, ମୋନା ହାତର ତାପଠାରୁ ମୋ ହାତର ତାପ ବହୁତ କମ ।

ଆଜି ମୁଁ ଯେଉଁ ଆଘାତ ପାଇଛି, ସିଏ ବିଧା, ଗୋଇଠା ମାଡ଼ଠାରୁ ଯଥେଷ୍ଟ ଅଧିକ ପୀଡାଦାୟକ । ଆଖିରୁ ସିନା ଲୁହ ଗଡ଼େଇ କାନ୍ଦିନାହିଁ, କିନ୍ତୁ ହୃଦୟ ଫଟେଇ ଅନେକ କାନ୍ଦି ସାରିଛି । କେମିତି ମୋନାକୁ ମିଛ କହିବି ? କେବଳ ନିରବ ଭାଷାରେ ସମ୍ମତି ଜଣେଇବା ଛଡ଼ା ଅନ୍ୟ କିଛି ଉପାୟ ନଥିଲା ମୋ ପାଖରେ ।


ମୋନା ମୋ ହାତକୁ ଧରି ଘର ଭିତରକୁ ନେଇଗଲା । ଗାମୁଛା ଆଣି ମୁହଁ ପୋଛିବାକୁ ଦେଲା । ଫ୍ୟାନ ଅନ କରିଦେଲା । ମାଉସୀ ଭାତ ବାଢ଼ିଦେଇ ପାଖରେ ବସି ପଡ଼ିଲେ । ମୁଁ ଅନୁଭଵ କରୁଥିଲି , ଆମ ନିଜ ଘରେ ବଡ଼ ସୁରକ୍ଷିତ ଅବସ୍ଥାରେ ମୋ ବୋଉ ପାଖରେ ବସି ଖାଉଛି ।

  ତା'ପରଦିନ ସକାଳୁ ବାତ୍ୟା ସାହାଯ୍ୟ ଆଣିବା ଉଦ୍ଦେଶ୍ୟରେ ମଉସାଙ୍କଠାରୁ ବିଦାୟ ନେଇ ମୁଁ ଗାଆଁକୁ ତ ଗଲି । ଖବରକାଗଜରେ ଦେଖିଲି, ଆମ ଇଂଜିନିୟରିଂ ସ୍କୁଲ ଖବର ଆଗ ପୃଷ୍ଠାରେ ଛପା ହେଇଛି ।

 "ଅଜ୍ଞାତ ଆତତାୟୀ ଗୁଳି ଚୋଟରେ ଦ୍ୱିତୀୟ ବର୍ଷର ଦୁଇଜଣ ଛାତ୍ର ନିହିତ । ଆତତାୟୀମାନେ ଧରା ପଡ଼ିନାହାନ୍ତି । ଅନୁମାନ କରାଯାଏ, ରାଗିଙ୍ଗ ଘଟଣାକୁ କେନ୍ଦ୍ରକରି ଅଣଛାତ୍ରମାନେ ଏଭଳି ଅଭାବନୀୟ ଘଟଣା ଘଟାଇଛନ୍ତି । ପୁଲିସର ଅନୁସନ୍ଧାନ ଚାଲିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନିର୍ଦ୍ଧିଷ୍ଟ କାଳପାଇଁ ସେ ଇଂଞ୍ଜିନିୟରିଂ ସ୍କୁଲକୁ ବନ୍ଦକରି ଦିଆଯାଇଛି ।"


ଖବର କାଗଜଟିକୁ ଭାଙ୍ଗି ମୋ ପାଖରେ ଠିଆ ହେଇଥିବା ଲୋକ ହାତକୁ ବଢ଼େଇ ଦେଇ ବାତ୍ୟା ବିଧ୍ୱସ୍ତ ସ୍ତୂପ ଉପରେ ବସି ପଡ଼ିଲି । ମୁଁ ତ ସବୁ କଥା ଜାଣିଛି, ଆଉ ଅଧିକା ପଢ଼ିବି କ'ଣ ? ଖୁନୀଙ୍କୁ ଚିହ୍ନେ , ମୃତ ଛାତ୍ର ଦୁଇ ଜଣକୁ ମଧ୍ୟ ଜାଣେ । ହତ୍ୟାକାଣ୍ଡର କାରଣ ଆଉ ପରିଣାମ ସମ୍ପର୍କରେ ମଧ୍ୟ ମୁଁ ଅବଗତ । କିନ୍ତୁ କାଳିଆ-ବନା ଧରା ପଡ଼ିଗଲେ , ନିଶ୍ଚୟ ମୁଁ ବି ହାଜତକୁ ଯିବି । ବିଚାର ଚାଲୁ ଚାଲୁ କେତେ ବର୍ଷ ଚାଲିଯିବ, ତା'ର ହିସାବ ନାହିଁ । ଇଂଜିନିୟରିଂ ପାଠପଢ଼ା ମୋର ଏଇଠୁ ଶେଷ ହେଇଯିବ । ବିଚାର ଶେଷରେ ବିଚାରପତି କାହାପାଇଁ କି ଦଣ୍ଡ ଦେବେ କିଏ କହି ପାରିବ ? ତେବେ ମୋର ଜୀବନର ଗତିପଥରେ ଏଇଠି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିଲା । ଏତେ କଥା ଭାବୁ ଭାବୁ ମୁଁ ମିୟମାଣ ହେଇ ପଡୁଥାଏ ।

ପୁଣି ମୋ ମନେ ପଡ଼ିଲା-ସାଧୁବାବା ଜଣଙ୍କ କହିଥିଲେ -"ପିଲାଟା ସିନା ମାତା-ପିତାଙ୍କୁ ହରେଇବ, କିନ୍ତୁ ସେ ପାଠପଢି ବହୁତ ଉପରକୁ ଯାଇପାରିବ ।"


ପୁଣି କହିଥିଲେ-"ଯାହା ହେବାର ଅଛି, ସବୁ ପୂର୍ବ ନିର୍ଦ୍ଧାରିତ । ତାଙ୍କର ଭବିଷ୍ୟତ ବାଣୀ ଅନୁସାରେ ହିଁ ମୋର ବାପା-ମାଆ ଦୁଇ ଜଣଯାକ ଆରପାରିକୁ ଚାଲିଗଲେ । ଏବେ ମୋ ପାଠପଢ଼ା ବେଳକୁ ଏତେ ବାଧା, ଏତେ ବିପଦ ଆସୁଛି କାହିଁକି ? ତେବେ କ'ଣ ତାଙ୍କର ଗଣନାରେ କିଛି ତ୍ରୁଟି ରହିଗଲା କି ?"

ଭଗବାନ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ । ହତ୍ୟାକାଣ୍ଡ ଘଟଣା ଦିନ ହିଁ ମୁଁ ଗାଆଁକୁ ଚାଲିଆସିଛି । ନହେଲେ ସେମାନେ ନିଶ୍ଚୟ ମୋତେ ଜବରଦସ୍ତ ସାଙ୍ଗରେ ନେଇ ଯାଇଥା’ନ୍ତେ । କେଡେ ଭୟଙ୍କର ! ଏଇ କାଳିଆ ଆଉ ବନା ଦୁଇଜଣ । ଏମାନେ ବଡ଼ହେଲେ କ'ଣ ନା’ କ'ଣ କରିଦେବେ । ଏମାନଙ୍କ ପାଇଁ ସ୍କୁଲର ସୁନାମ ତ ଯିବ, ମେଧାବୀ ଛାତ୍ରମାନଙ୍କର କ୍ୟାରିୟର ବି ଖରାପ ହେଇଯିବ । କେତେଜଣ ନିରୀହ ଛାତ୍ର ଜୀବନ ହରେଇବେ ।


    ଓଃ ! ଏ'ସବୁ କଥା ଚିନ୍ତା କଲାବେଳକୁ ମୁଣ୍ଡଟା ବୁଲେଇ ଦେଉଛି ।

  ଖବରକାଗଜରେ ଆମ ସ୍କୁଲ ହତ୍ୟାକାଣ୍ଡର ସମ୍ବାଦ ପ୍ରକାଶ ପାଇଛି ଦେଖି ଜଣେ ମଉସା ମୋ ପାଖକୁ ଧାଇଁ ଆସି କହିଲେ- " ଆରେ ବିନୟ ! ଜାଣିଛୁ ତମ ସ୍କୁଲରେ କ’ଣ ଏମିତି ହତ୍ୟାକାଣ୍ଡ ଘଟିଛି ?"

ଇଚ୍ଛା ନଥିଲେ ବି ମୁଁ ତାଙ୍କ ହାତରୁ ଖବରକାଗଜକୁ ନେଇ ସଂପୂର୍ଣ୍ଣ ସମ୍ବାଦକୁ ପଢ଼ିନେଇ ଆଖିବୁଜି ପ୍ରଭୁ ଧବଳେଶ୍ଵରଙ୍କୁ ସ୍ମରଣ କଲି ।

ତେଣେ ସେହି ହତ୍ୟାକାଣ୍ଡ ପରେ ପରେ ବନା ଆଉ କାଳିଆ ମିଶି ଠିକଣା ଖୋଜି ଖୋଜି ଆସି ନିରାକାର ମଉସାଙ୍କ ଘରେ ପହଞ୍ଚିଥିଲେ । ସେମାନେ ପେଟେ ଲେଖା ମଦ ପିଇଥା'ନ୍ତି । ତାଙ୍କର ହିତାହିତ ଜ୍ଞାନ ନଥାଏ । ସେମାନେ ମୋ ସାଙ୍ଗ ବୋଲି କହି ଘରେ ଟିକେ ଆଶ୍ରୟ ମାଗିଥିଲେ । କିନ୍ତୁ ପରିଚୟ ଦେଇ ନଥିଲେ । ତେଣୁ ତାଙ୍କୁ ମାଉସୀ ସିଧାସଳଖ ମନା କରିଦେଲେ । ମୋନାକୁ ଚାହିଁ କାଳିଆ କହିଥିଲା -"ବଢିଆ ମାଲଟିଏ ଏ' ଘରେ ଅଛି ରେ । ବିନୟକୁ ଲଗେଇ ଦିନେ ଚିଡ଼ିଆକୁ ସେ ମେସକୁ ନେଇ ଯିବାକୁ ହେବ ।"


  ଏଭଳି କଦର୍ଯ୍ୟ ବ୍ୟବହାର କରୁଥିବା ପିଲା ଦି'ଟା ଯେ, ମୋର ସାଙ୍ଗ ହେଇପାରନ୍ତି, ମାଉସୀ ବିଶ୍ୱାସ କରିପାରୁ ନଥିଲେ । ରାତିରେ ମଉସା ଘରକୁ ଫେରି ସବୁ କଥା ଶୁଣିଲେ । ସେମାନେ ଠିକ କଲେ, ଆଜିଠାରୁ ମୋପାଇଁ ମଧ୍ୟ ଏ' ଘରଦୁଆର ସବୁଦିନ ପାଇଁ ବନ୍ଦ । ବଢ଼ିଲା ଝିଅଟା କଲେଜ ଯାଉଛି । କେତେବେଳେ କ'ଣ ହେବ, କିଏ କହିପାରିବ ?

   ସକାଳେ ମଉସା ଖବରକାଗଜ ପଢିସାରି ପୁଲିସ ଭୟରେ ସମସ୍ତେ କବାଟ କିଳି ଘରେ ରହିଲେ । ସେମାନେ ଠିକକଲେ, ସମସ୍ତେ କହିବେ -"ଆମେ କିଛି ଦେଖିନାହୁଁ, କିଛି ଶୁଣିନାହୁଁ । କାହାରିକୁ ଆମେ ଜାଣୁନା । କେହି ଆମଘରକୁ ଆସି ନ ଥିଲେ କିମ୍ବା ସେମାନେ ଆମକୁ କିଛି କହି ନାହାନ୍ତି ।"

   ଏହା ଭିତରେ ମାସେ ବିତିଗଲା । ଖୁନୀ ଧରା ପଡ଼ିଲେ ନାହିଁ । ପୁଲିସ କୌଣସି ପ୍ରକାର ସୁରାକ ପାଇ ପାରିଲେ ନାହିଁ । ସ୍କୁଲର ପରିବେଶ ଯଦିଓ ଗମ୍ଭୀର, ତଥାପି ନିୟନ୍ତ୍ରଣାଧୀନ । ଖବର କାଗଜରେ ଆମ ସ୍କୁଲ ଖୋଲିବା ନୋଟିସ ବାହାରିଲା । ଉପସ୍ଥାନ କମ ହେଲେ ବି ସ୍କୁଲ ଖୋଲିଲା । ମୁଁ ସିଧା ଆସି ସ୍କୁଲରେ ପହଞ୍ଚିଲି । କ୍ୟାମ୍ପସରେ କାଳିଆ-ବନାକୁ ଦେଖି ମୋ ହଲକ ଶୁଖିଗଲା । ସେମାନେ ପୁରୁଣା ପ୍ରଫେସନାଲ ଖୁନୀ ଭଳି ନିର୍ଭୟରେ, ଆରାମରେ ବୁଲାବୁଲି କରୁଥା'ନ୍ତି । କଥାବାର୍ତ୍ତାରେ ତାଙ୍କର କୌଣସି ପରିବର୍ତ୍ତନ ନାହିଁ, କିମ୍ବା ସେମାନେ କିଛି ଗୋଟାଏ ଛୋଟ ବଡ଼ଭୁଲ କରିଛନ୍ତି ବୋଲି, ତାଙ୍କର ମୁହଁକୁ ଦେଖି କେହି କଳ୍ପନା ବି କରିପାରିବ ନାହିଁ । ପୂର୍ବଭଳି ସେ ଦୁହେଁ ଆସି ମୋ ଆଗରେ ଠିଆହେଲେ । ମୁଁ ଭାବୁଥିଲି ,ମୋର କଲ୍ପନାଟା ବୋଧହୁଏ ଭୁଲହେଇ ଯାଇଛି । ଏମାନେ ହତ୍ୟାକାଣ୍ଡ ସହିତ ବୋଧହୁଏ ସମ୍ପୃକ୍ତ ନୁହନ୍ତି । କାଳିଆ କହିଲା- "ତୁ ଆମର ସାଙ୍ଗ ବୋଲି କୋଉଠି ହେଲେ ପରିଚୟ ଦେବୁନାହିଁ । ଆମ ପାଖରେ ଛୁରୀ କିମ୍ବା ପିସ୍ତଲ ଅଛି ବୋଲି କାହାରିକୁ କହିବୁ ନାହିଁ । ଯେଉଁଦିନ ଏକଥା ପ୍ରଘଟ କରିବୁ, ଜାଣିବୁ ସେ ଦିନର ରାତିଟା ହେବ, ତୋ ପାଇଁ ଶେଷ ରାତି ।"


   ବନା କହିଲା -"ଆରେ ! ଏ' ମାଇଚିଆ, ସେଦିନ ତ ତୋ ମଉସା ଘର ଦେଖେଇ ଦେଲୁନାହିଁ । ଆମେ ଖୋଜି ଖୋଜି ତୋ ମଉସା ଘର ପାଇଲୁ । ଆଉ ସେ ଘରେ ଥିବା ସୁନ୍ଦରୀ ତରୁଣୀର ଠିକଣା ମଧ୍ୟ ପାଇଯାଇଛୁ । ଏବେ ତୋର କାମ ହେଲା, ମଝିରେ ମଝିରେ ତାକୁ ଆଣି ଆମ ମେସରେ ଛାଡ଼ିବୁ । ଓକେ ? ହଉ, ଏବେ ଯା' ଘରକୁ ଚାଲି ଯା '।"

    ମୁଁ ଏଥର ଠିକ ବୁଝିନେଲି-ଏଇମାନେ ହେଉଛନ୍ତି, ଅସଲ ଖୁନୀ ଆଉ ବଦମାସ । ଏମାନେ ଯେକୌଣସି ମୁହୂର୍ତ୍ତରେ ମୋର ଜୀବନ ଦୀପକୁ ଲିଭେଇ ଦେଇପାରନ୍ତି । ଆଜି ମୋନା ଉପରେ ତାଙ୍କର ନଜର ପଡ଼ିଛି । କାଲି ମୋତେ ପିସ୍ତଲ ଦେଖାଇ ମୋନାକୁ ଆଣିବାକୁ କହିବେ । ଦିନକୁ ଦିନ ମୋ ଉପରେ ନୂଆ ବିପଦର ଘନ ବାଦଲ ମାଡ଼ି ଆସୁଛି । କ'ଣ କରିବି, କିଛି ସ୍ଥିର କରି ପାରିଲି ନାହିଁ । ହାତଯୋଡ଼ି ବାବା ଧବଳେଶ୍ୱରଙ୍କୁ ଡାକିବା ଛଡ଼ା ମୋର ଆଉ କିଛି ଉପାୟ ନଥିଲା ।

ସେଦିନ ରାତିରେ ପୁଣି ଗୋଟାଏ ମର୍ଡର ହେଲା ।

ହଷ୍ଟେଲ ସୁପରିଟେଣ୍ଡେଣ୍ଟ ପଣ୍ଡାବାବୁଙ୍କ ପାଖରେ ପୂର୍ବ ମର୍ଡର ସମ୍ପର୍କରେ କିଛି ସୂଚନା ଥିଲା । ତେଣୁ ଖୁନୀ ମାନେ ତାଙ୍କୁ ବି ସଫା କରିଦେଲେ ।

ପୁଲିସ ଗାଡ଼ି ଆସି ସମଗ୍ର ସ୍କୁଲ କ୍ୟାମ୍ପସ, ହଷ୍ଟେଲ ଘାଣ୍ଟି ଚକଟି ପକେଇଲେ । ତଥାପି ଖୁନୀର ସନ୍ଧାନ ପାଇଲେ ନାହିଁ । ପୁଣି ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ ହୋଇଗଲା । କାଳିଆ-ବନା ଆଉ ଦେଖା ଦେଲେ ନାହିଁ ।


ଆତଙ୍କିତ ଅବସ୍ଥାରେ ମାଉସୀ-ମଉସା ଆଉ ମୋନାକୁ ଛାଡ଼ି ମୁଁ ଗାଆଁକୁ ଫେରି ଆସିଲି । ସେମାନେ ଭୟରେ ଘର ବଦଳେଇ ଦେଲେ । କିଛିଦିନ ପରେ ସନ୍ଧାନରୁ ଜଣା ପଡ଼ିଲା - " କାଳିଆ-ବନା ହେଉଛନ୍ତି ; ଦୁଇଟି ଯାକ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ । ସେମାନେ ଫେରାର ହେଇ ଯାଇଛନ୍ତି । ତାଙ୍କୁ ଧରି ଦେବା କିମ୍ବା ତାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ପୋଲିସ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଦେଲେ ।

ଖବରକାଗଜରୁ ଏ'ସମ୍ବାଦ ଦେଖି ଚାରିଆଡ଼େ ଆତଙ୍କ ଖେଳିଗଲା । ପୁଲିସ ସ୍ପଷ୍ଟ କରିଦେଲେ- ଖୁନୀ ଅନ୍ୟ ରାଜ୍ୟକୁ ପଳେଇ ଯାଇଛନ୍ତି । ନିର୍ଭୟରେ ପିଲାମାନଙ୍କୁ ଆସି ସ୍କୁଲରେ ଉପସ୍ଥିତ ରହିବାକୁ ନୋଟିସ ପ୍ରକାଶ ପାଇଲା । ଭୟାତୁର ହେଇ ମୁଁ ଆସି ସ୍କୁଲରେ ପହଞ୍ଚିଲି । ହଷ୍ଟେଲରେ ରୂମଟିଏ ମଧ୍ୟ ମିଳିଗଲା । ମଝିରେ ମଝିରେ ମଉସାଙ୍କ ଘରକୁ ବୁଲିଯାଏ । ତାଙ୍କ ଦୟାରୁ ମୁଁ ପାଠ ପଢିପାରିଛି ବୋଲି କୃତଜ୍ଞତା ଜଣାଏ । ମୋନା ସାଙ୍ଗରେ ବି ଦେଖା ହେଇଯାଏ । ଏହା ମଧ୍ୟରେ ବାତ୍ୟା ପ୍ରପୀଡ଼ିତ ଅନୁଦାନ ବି ମିଳିଗଲା । ପାଠପଢ଼ାରେ କୌଣସି ଅସୁବିଧା ରହିଲା ନାହିଁ ।

ଚାହୁଁ ଚାହୁଁ ମୋର ପଢ଼ା ଶେଷ ହେଇଗଲା । ପରୀକ୍ଷା ଫଳ ବି ପ୍ରକାଶ ପାଇଗଲା । ମଉସା ବୁଝାବୁଝି କରୁ କରୁ କଟକ ସରକାରୀ ପ୍ରେସରେ ହିଁ ଚାକିରୀ ଖଣ୍ଡେ ମିଳିଗଲା ।ଏଥର ପୁଣି ଥରେ ମଉସା-ମାଉସୀଙ୍କ ପାଖରେ କୃତଜ୍ଞତା ଜଣାଇଲି ।


ଏହା ଭିତରେ କାଳିଆ-ବନାଙ୍କର କୌଣସି ଖୋଜ ଖବର ନାହିଁ । ସମସ୍ତେ ଭାବିଲେ, ଖୁନୀ ଦି'ଟା ପରସ୍ପର ମଧ୍ୟରେ ହଣାକଟାହେଇ ମରି ଯାଇଥିବେ । ନଚେତ କୌଣସି ଦୁର୍ଘଟଣାରେ ପଡ଼ି ନିଶ୍ଚିହ୍ନ ହେଇଯାଇଥିବେ । 

  ଦିନେ ଅଫିସରେ ମୁଁ ବସିଛି । ମୋର ଜଣେ ସହକର୍ମୀ ପ୍ରସ୍ଥାବ ଦେଲେ-" ମୋନାକୁ ଯଦି ଆପଣ ବାହା ହେଇପାରନ୍ତେ, ତେବେ ତାଙ୍କ ପ୍ରତି ଆପଣଙ୍କର ଅସଲ କୃତଜ୍ଞତା ପ୍ରକାଶ ପାଇ ପାରନ୍ତା । ଯଦି ହଁ କହିବେ, ତେବେ ମୁଁ ନିରାକାର ବାବୁଙ୍କୁ ଏଥିରେ ରାଜି କରେଇ ଦେବି ।"


   ଏତେ ଦିନ ଯାଏ, ମୋ ମୁଣ୍ଡରେ ମୋନା କଥା ପଶି ନଥିଲା । ମୋନା ତ ସବୁ ଦିଗରୁ ଠିକ ଅଛି । ସେ ଜଣେ ସାଇନ୍ସ ଗ୍ରାଜୁଏଟ । ମଉସା ମାଉସୀଙ୍କର ଏକମାତ୍ର ଅଲିଅଳି ଝିଅ । ତା'ର ଭାଇ ଜଣେ ଡାକ୍ତର, ବହୁତ ବଢିଆ ହେବ ।

  -ମୁଁ ଭାବୁଥିଲି- ଛାଡ଼ ସେସବୁ କଥା । ପ୍ରଥମେ ତ ମଉସା ହିଁ ମୋତେ ସାହାଯ୍ୟ ସହଯୋଗ କରି ପାଠ ପଢ଼ିବାର ସୁଯୋଗ ଦେଇଥିଲେ । ତାଙ୍କରି ପାଇଁ ମୁଁ ଆଜି ଚାକିରୀ ଖଣ୍ଡେ ମଧ୍ୟ ପାଇଛି । ଅତି କମରେ କୃତଜ୍ଞତା ଜଣାଇ ସବୁଦିନ ପାଇଁ ମୁଁ ତାଙ୍କର ହେଇଯିବା ହିଁ ଭଲ ହେବ ।

    ବାବା ଧବଳେଶ୍ୱରଙ୍କ ମନ୍ଦିରର ନିରାଡ଼ମ୍ବର ବାତାବରଣରେ ମୋନା ଓରଫ ମୋନାଲିସା ସହିତ ମୋର ଶୁଭ ପରିଣୟ ଅନୁଷ୍ଠିତ ହେଲା । ମଉସା ଆମ ଗାଆଁରେ, ମୋ ପାଇଁ ଛୋଟିଆ ଘରଟିଏ ତୋଳିଦେଲେ । ମୋତେ କହିଲେ- "ଏଇଟା ହେଉଛି, ତମ ବାପା ଗୋସବାପାଙ୍କର ସ୍ୱାଭିମାନ । ଯେଉଁଠି ରହୁଛ ରୁହ, ବର୍ଷରେ ଥରେ ଆସି ଏଇ ଘରେ ତମେ ତମର ବାପା-ମାଆଙ୍କର ଶ୍ରାଦ୍ଧଟିଏ ଦେଇଯିବ । ଏବେ ମାସେ ଦି'ମାସେ ଗାଆଁରେ ରହି କଟକ ଯିବା ଆସିବା କର । ଘର ମିଳିଗଲେ, ମୋନାକୁ ଧରି ପଳେଇ ଆସିବ । ଗାଆଁରେ ଘରଟିଏ ଥିଲେ, ବହୁତ କାମରେ ଆସିବ ।"


      ଯୋଗକୁ କଟକରେ ସରକାରୀ ଘର ମିଳିଗଲା । ମଉସାଙ୍କ କଥା ମାନି ମୋନାଲିସା ସହିତ ମୁଁ ଆଠଦିନ ହେଲା, ସେହି ନୂଆ ଘରେ ରହୁଥିଲି । ରାତି ଦଶଟା ପାଖାପାଖି ହେବ, କବାଟର ଖଟ ଖଟ ଶବ୍ଦ ଶୁଣି ମୁଁ କବାଟ ଖୋଲି ଦେଲି । ଦି'ଜଣ ଯୁବକ ଦୁଆରେ ଠିଆ ହେଇଛନ୍ତି । ମୁହଁରେ ମେଞ୍ଚା ମେଞ୍ଚା ଦାଢ଼ି । ଦେହରେ କଳା ଚାଦର । ଚମକି ପଡ଼ିଲି । ସ୍ୱାଭାବିକ ଭାବରେ ପଚାରିଦେଲି - "କାହାକୁ ଖୋଜୁଛନ୍ତି ?"

  -"ତୋତେ ଖୋଜୁଛି ବେ ମାଇଚିଆ । ୟା' ଭିତରେ ତୁ ଚାକିରୀ କରି ସାରିଲୁଣି, ବାହାହେଇ ସାରିଲୁଣି-ପୁଣି ସେହି ସୁନ୍ଦରୀ ତରୁଣୀକୁ । ସେସବୁ ଖବର ଆମ ପାଖରେ ଅଛି । ଏବେ ଚିହ୍ନି ପାରିଲୁ ନା' ନାହିଁ ?

   ଥତମତହେଇ ମୁଁ କହିଲି-"ହଁ-ହଁ, ଚିହ୍ନିଲି- ତମେ କାଳିଆ ଆଉ ବନା ।"


 -"ବେଶ । ଠିକ ମନେ ରଖିଛୁ । ଆଜି ଆମେ ଦି'ଜଣ, ତୋର ଏ' ଘରେ ଗେଷ୍ଟ ହେଇ ଆସିଛୁ, ଆଉ ଆଜି ସେ ସୁନ୍ଦରୀ ତରୁଣୀଟିକୁ ଆମେ ଦି'ଜଣ ଉପଭୋଗ କରିବୁ । ତୋର କିଛି ଆପତ୍ତି ଅଛି କି ? ତୋତେ ଆମେ ଅନେକ ସାହାଯ୍ୟ କରିଛୁ । ରାଗିଙ୍ଗରୁ ବଞ୍ଚେଇଛୁ । ତା'ର ପ୍ରତିଦାନରେ କ'ଣ ଏତିକି ...."

   ଏତିକି କହୁ କହୁ ହଠାତ ବନା ତା' ପିସ୍ତଲଟାକୁ ମୋ ମୁଣ୍ଡରେ ଲଗାଇ ମୋତେ ଘର ଭିତରକୁ ଠେଲି ନେଇଗଲା ।

ଆଉ ସେପଟ ମୋ ବେଡ଼ରୁମ ମହାବଳ ବାଘ ଆଉ ଗୋଟାଏ ନିରୀହ ହରିଣ ।

  -ଖାଦ୍ୟ ଆଉ ଖାଦକ, ଫୁଲ ଆଉ ଛୁରୀ । ଦୁଇହାତ ଟେକି ମୁଁ ଠିଆ ହେଇଥାଏ । କାଳିଆ ଚାଲିଗଲା ସେ ପାଖ ଘରେ ଥିବା ମୋନାଲିସା ପାଖକୁ । ଭୟଙ୍କର ଚିତ୍କାର କରି ଉଠିଲା ମୋନାଲିସା - ନାଇଁ।

  ବନା ହସି ଉଠିଲା-"ହାଃ -ହାଃ ।"


   ବନା ଜାଣେ, ମୁଁ ଗୋଟାଏ ଅସହାୟ ନିରୀହ ପ୍ରାଣୀ । ପ୍ରତିରୋଧ କରିବାର ଶକ୍ତି ମୋର ନାହିଁ,। କିମ୍ବା ପ୍ରତିବାଦ କରିବାର ଦାମ୍ବିକତା ମଧ୍ୟ ନାହିଁ । ତେଣୁ ସେ କବାଟ ଖୋଲିଦେଇ କାଳିଆ ପାଖକୁ ଚାଲିଗଲା । ନିର୍ଭୟରେ ସେ ପିସ୍ତଲଟାକୁ ଅଣ୍ଟାରେ ଖୋସି ରଖିଦେଇ, ମୋନାଲିସାର ବସ୍ତ୍ରହରଣ ପାଇଁ ଆଗେଇ ଗଲା ।

  ପୁଣି ଥରେ ମୋନାଲିସାର ମୃତ୍ୟୁକାଳୀନ ଚିତ୍କାର ଶୁଣାଗଲା ।

  ମୁଁ ଆଉ ଥୟ ଧରି ରହିପାରିଲି ନାହିଁ । ମୋ ଦେହ ଭିତରେ ଶତସିଂହର ବଳ ଖୁନ୍ଦି ହେଇଗଲା । ଦୌଡ଼ି ଗଲି ସେପଟ ଘରକୁ । ଦେଖିଲି, ଗୋଟାଏ ଅସହାୟ ହରିଣଙ୍କୁ ଦୁଇଟି ମହାବଳ ବାଘ ଚିରିଫାଡ଼ି ଖାଇ ଯାଉଥିବାର ଦୃଶ୍ୟ । ଜୀବନକୁ ବାଜି ଲଗେଇ ବନା ଅଣ୍ଟାରୁ ଟାଣି ଆଣିଲି-ପିସ୍ତଲଟାକୁ । ଶିକାର କଲି, ଦୁଇଟା ଯାକ ମହାବଳ ବାଘକୁ । ହରିଣଟା ଖାଲି ଥରୁଥାଏ ।

  ପରୀକ୍ଷା କରିନେଲି, ଆଉ ପିସ୍ତଲରେ ଗୁଳିନାହିଁ ।


Rate this content
Log in

Similar oriya story from Crime