ହାଇ -ନିଶ୍ୱାସର ଭିନ୍ନ ରୂପ
ହାଇ -ନିଶ୍ୱାସର ଭିନ୍ନ ରୂପ
ଘର ଦରଜା ଖୋଲି ଭିତରକୁ ଆସୁ ଆସୁ ସିପ୍ରା କହିଲା-," ଦେଖ ରୋହନ , ଏସବୁ ପାଗଳାମୀ ବନ୍ଦ କର । ତୁମକୁ ମୁଁ କେତେଥର କହିଛି 'ବି ପ୍ରାକ୍ଟିକାଲ'.. କିନ୍ତୁ ତୁମେ ଯେ ମୋ କଥାକୁ ଶୁଣିବାକୁ ନାରାଜ୍ .. ତୁମେ ବୁଝୁନ କାହିଁକି ..??
ରୋହନ ଚୁପ୍ ଚାପ୍ ଭିତର ଘରକୁ ଚାଲିଗଲା ।
ସେଦିନ ରୋହନକୁ ବୁଝାଇବାକୁ ଯାଇ ସିପ୍ରାର ଧୈର୍ଯ୍ୟ ବନ୍ଧ ଭାଙ୍ଗି ଚୁରମାର ହେଇ ସାରିଥିଲା । ସେ କେବେବି ଚାହୁଁ ନଥିଲା କି ରୋହନ ଏମିତି ଭାବରେ ନିଜର ସମ୍ମାନ ଟିକକ ହରେଇ ଦିଅନ୍ତୁ । ସବୁଦିନ ପରି ସେଦିନର ସଂଧ୍ୟା ମଧ୍ୟ ରୋହନ ପାଇଁ ସମାନ ଅନ୍ଧାର ନେଇ ଆସିଥିଲା କିନ୍ତୁ ଫରକ ଥିଲା କେବଳ ତା ଅନ୍ଧକାରର ଗାଢତାରେ । ଶତଚେଷ୍ଟା କରି ମଧ୍ୟ ରୋହନ ନିଜକୁ ତିରସ୍କାର , ଅପନିନ୍ଦାର କାଳିମାରୁ ବଞ୍ଚିତ କରି ପାରୁ ନଥିଲା । ସେ କଳା ସମଗ୍ର ଶରୀରରେ ଏଭଳି ଲେପି ହୋଇ ଯାଉଥିଲା କି ତା'ର ଉତ୍କଟ ଗନ୍ଧ ପୃଥିବୀର ସମଗ୍ର ବଖରା ଖେଳି ଯାଉଥିଲା । ସତରେ କଣ ସେ ଏତେ ବଡ ଭୁଲ କରିଦେଇଛି ଯାହା ପାଇଁ ସମଗ୍ର ଓଡିଆ ସାହିତ୍ୟ ସମାଜର ଆଙ୍ଗୁଠି ତା ଉପରକୁ ଉଠିଥିଲା ..। ନିଜ ଭିତରେ ନିଜକୁ ବାରମ୍ବାର ରୋମନ୍ଥନ ପରେ ଆପେ ଆପେ ସେ କହି ଉଠିଥିଲା-, " ହଁ ..ମୁଁ ଯାହା କହିଛି ଠିକ୍ କହିଛି ..ଯାହା କରିଛି ଠିକ୍ କରିଛି "।
ସିପ୍ରା କେତେବେଳୁ ପାଖରେ ଆସି ପାଖରେ ଠିଆ ହୋଇଥିଲେ ରୋହନ ତାହା ଜାଣେନା ।
ସିପ୍ରା କହିଲା -"ରୋହନ,ସତରେ କଣ ତୁମେ ତୁମର ଏ ଜିଦ୍ ଛାଡିବନି ..?"
-"କେମିତି ଛାଡିବି ସିପ୍ରା ..?? ଏଇ ଜିଦ୍ ହିଁ ତ ମୋ ଜୀବନର କେଇ ବୁନ୍ଦା ସାଇତା ବିଶ୍ୱାସ ଯାହା କେବେ ଠାରୁ ମୋ ନିଃଶ୍ୱାସରେ ବସି ସାରିଛି... ଆଉ ତୁମେ ବି ତ ମୋର ଏଇ ଜିଦ୍ ର ଦିୱାନୀ ହେଇ ଦୁନିଆର ସବୁ ନିନ୍ଦା ଅପବାଦକୁ ପର କରି ମୋ ପରି ଏକ ନୁଆଁଳିଆ ଚାଳ ଘରର ପୁଅର ହାତଧରି ଚାଲି ଆସିଥିଲ । ସେତେବେଳେ ଯଦି ମୋ ଜିଦ୍ ତୁମ ମନରେ ପ୍ରେମର ଜୁଆର ସୃଷ୍ଟି କରି ପାରୁଥିଲା ତେବେ ଆଜି କାହିଁକି ଏତେ ବ୍ୟତିବ୍ୟସ୍ତ ହୋଇ ପଡୁଛ..?? ମୁଁ ତ କୌଣସି ମଣିଷ ମାରିନି କି ଚୋରି ଡକାୟତି କରିନି.. । ସେମାନେ ଯେତେବେଳେ ନିଜ ସ୍ୱଭାବ ,ନିଜ ପ୍ରକୃତି ଜାବୁଡି ଧରି ରଖିଛନ୍ତି ତେବେ ମୁଁ କିପରି ମୋ ପ୍ରକୃତି , ମୋ ସ୍ୱଭାବ ଛାଡିବି..?? ଏ ଜନ୍ମରେ ତାହା ଅସମ୍ଭବ ସିପ୍ରା ..ମୋତେ କ୍ଷମାକର ।"
-" ରୋହନ ପ୍ଲିଜ୍ ..ପାଗଳାମୀର ବି ଗୋଟିଏ ସୀମା ଥାଏ.. ମାନୁଛି ଦିନେ ତୁମ ଲେଖନୀର ଯାଦୁରେ ମୁଁ ନିଜକୁ ଯୋଗିନୀ ସଜେଇ ତୁମ କବିତା ପରି ବୋହି ଆସିଥିଲି । ସେତେବେଳେ ମୁଁ ଥରୁଟିଏ ବି ଚିନ୍ତା କରି ନଥିଲି ଯେ ସାହିତ୍ୟ ପ୍ରତି ତୁମ ଦୁର୍ବଳତା ଆଜି ପାଗଳାମୀର ରୂପ ନେବ । ତାପରେ ଏମିତି ଶୁଖିଲା ଫିଲୋସଫିରେ ପରିବାରର ପେଟ ପୋଷା ଯାଇପାରେନା । କଣ ଦରକାର ଥିଲା ଆଜି ସେ ସାହିତ୍ୟ ସଂସଦର ମାନପତ୍ର ବିଷୟରେ ଏମିତି ଓଲଟା ପାଲଟା କହିବା..??"
-''ତୁମେ ସେସବୁ କେବେ ବୁଝି ପାରିବନି ସିପ୍ରା.. ମୁଁ କେବେ ବି କିଛି ଭୁଲ କହିନି..। ଆଛା କହିଲ-" ହ୍ୱାଟ୍ ଇଜ୍ ଦ ଡେଫିନେସନ ଅଫ୍ ସାର୍ଟିଫିକେଟ୍ ..?"
ରୋହନ ପ୍ରଶ୍ନର ଉତ୍ତର ସିପ୍ରା ମନର ଅଭିଧାନରେ ଖୋଜି ଚାଲିଥିଲା କଣ ଉତ୍ତର ଦେଲେ ରୋହନକୁ ସେ ଶାନ୍ତ କରିପାରିବ । ସୋଫା ଉପରେ ଲଥ୍ କିନା ବସିଯାଇ ଖୁବ୍ ଗମ୍ଭୀର ଭାବରେ ଚିନ୍ତା ମଗ୍ନ ହୋଇ ଉଠିଲା ସିପ୍ରା .. ସେ କହିଲା,-"ଆଛା ରୋହନ , ତୁମର ମନେ ଅଛି ଆମ ମିଳନର ସେ ପ୍ରଥମ ଦିନ..?? ତୁମ କବିତାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ମୁଁ ଯେମିତି ପାଗଳ ଭ୍ରମର ପରି ଆସି ତୁମ ପାଖେ ପାଖେ ଘୁରି ବୁଲୁଥିଲି ... ମୋତେ ଦେଖି କଲେଜରେ ତୁମ ପାଇଁ ମୋତେ ସବୁ ' ମୀରା ବାଈ ' କହି ଚିଡେଇବା ଆରମ୍ଭ କରି ଦେଇଥିଲେ । ସେଦିନ ସେ ଡାକର ଅର୍ଥ କାଢି ବସିବାକୁ କେବେ ଚେଷ୍ଟା କରି ନଥିଲି । କାହିଁକି କେଜାଣି ଡରୁନଥିଲି ଆଉ କେଉଁ ରାଧାର ଉପସ୍ଥିତିକୁ ... ବାସ୍ ଭଲପାଇ ଚାଲିଥିଲି ଅନ୍ଧୁଣୀଟିଏ ପରି । ତୁମର ସେସବୁ ମନେପଡେ ନା..??"
-"ସିପ୍ରା, ଯାହା ମନରେ ଥାଏ ହୁଏତ ତାହା ଭୁଲେଇ ଦିଆ ଯାଇପାରେ କିନ୍ତୁ ଯାହା ଥରେ ପ୍ରାଣରେ ବସିଯାଏ ,ହୃଦୟର ସ୍ପନ୍ଦନ ସାଜିଯାଏ ତାକୁ କଣ କେବେ ଭୁଲିହୁଏ..?? ସେଦିନର କଲେଜ କଲଚରାଲ ପ୍ରୋଗ୍ରାମ୍ ହିଁ ତ ମୋ ଜୀବନର ମୋଡ ବଦଳାଇ ଆଣି ତୁମ ପାଦ ସାଥେ ପାଦ ମିଶେଇ ଚାଲିବାକୁ ବାଧ୍ୟ କରିଥିଲା ।ମୋର ସେ ଦିଶାହୀନ ଜୀବନରେ ତୁମେ ହିଁ ନିଜେ ତରଣୀ ସାଜିଥିଲ ଆଉ ସେ ତରଣୀର ନାବିକା ବି । ହୁଏତ ତୁମର ମନେ ଥାଇପାରେ କି ନା ..ମୋର ଯେଉଁ କବିତାଟି ସେଦିନ ସେଇଠି ଆବୃତ୍ତି କରିଥିଲି..
ରୋହନ ପାଟିର କଥା ଛଡେଇ ନେଇ ସିପ୍ରା କହିଥିଲା,
-" ମଦନ ମୁଁ ତୁମ ପ୍ରେମରେ ପ୍ରେୟସୀ
ଲୁକ୍କାୟିତ ମୋର ପ୍ରୀତି
ତୁମ ସଂସ୍ପର୍ଶରେ ନଛୁଇଁ ଛୁଇଁବି
ଥରାଇ ମଦନ ଛାତି..
ସାକ୍ଷୀ ତାରା ଭରା ରାତି..
ବଞ୍ଜାରା ଜମିରେ ତୁମେ ପାରିଜାତ
ରଖିବି ନିତି ସାଇତି..
ସାଗର ଶୁଖିବ ଆକାଶ ଝୁଙ୍କିବ
ଫୁଲ ଜଳିଯିବ ଚାହିଁ
ବେଳାଭୂମି ଶଠ ଶୁଖିଲା ଛାତିଟା
ଆଣ୍ଠୁ ଭାଙ୍ଗି ଯିବ ନଇଁ..
ତୁମେ ମୋ ଅଳସୀ ନଇ..
ତୁମେ ଆସି ଗଲେ ମରୁଭୂମି ପ୍ରାଣ
ତୁମ କୋଳେ ଯିବ ଶୋଇ.."
ସତେ ଅବା ଖୋଲା କୋଠରୀର ଝର୍କା , କବାଟ , ସୋଫା , ଟେବୁଲ , ଚେୟାର , ପରଦା , ଟିଭି , ଫ୍ୟାନ ସବୁ ଯେମିତି ସେଦିନ ବିମୁଗ୍ଧ ହୋଇ ଚୁପ୍ ଚାପ୍ ଶୁଣୁଥିଲେ ସିପ୍ରାର ମଧୂଝରା କଣ୍ଠରୁ ରୋହନର ରୋମାଣ୍ଟିକ କବିତା । ହେଲେ ହୃଦୟ ଆକାଶରେ ଫଗୁଣର ଖୁସିବଉଳ ବେଶି ସମୟ ରହି ପାରିଲାନି । ରୋହନ ହାଲକା ହସଟିଏ ଫିଙ୍ଗି ଦେଇ କହିଲା ,-"ସେତେବେଳର ସମୟ ଆଉ ଏବେକା ସମୟ ଭିତରେ ଆକାଶ ପାତାଳର ଫରକ ସିପ୍ରା .. ସେତେବେଳେ ଯେକୌଣସି ସ୍ଥାନରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲେ କେତେ ସଂଖ୍ୟାରେ ଲୋକ ରୁଣ୍ଡିଭୁତ ହୋଇ ଭାବ ବିହ୍ଵଳ ହୋଇ ଝୁମି ଯାଉଥିଲେ କହିଲ.. କିନ୍ତୁ ଆଜି..?? ହେଃ ..ଏଠି ସମସ୍ତେ ନିଜକୁ ଅନ୍ୟ ମାନଙ୍କ ଉପରେ ଯୋର କରି ଲଦିଦେବାକୁ ଚାହୁଁଛନ୍ତି ହେଲେ କେହି ଥରୁଟିଏ ବି ଚିନ୍ତା କରୁନାହାନ୍ତି କି ମୁଁ ନିଜେ କେତେ ସକ୍ଷମ , ଆମ ଐତିହ୍ୟ ସଂସ୍କୃତି ପରମ୍ପରା କେତେ ସକ୍ଷମ । ସମସ୍ତେ କେବଳ ନିଜେ ଆଧୁନିକତାର ରଙ୍ଗ ମାଖି ନିଜକୁ ପଢିବାରେ ବ୍ୟସ୍ତ କିନ୍ତୁ କେହି କେବେ ଅନ୍ୟ ମାନଙ୍କୁ ପଢିବାକୁ ଚେଷ୍ଟା କରିଛନ୍ତି ..?? ନା କାହିଁକି କରିବେ..?? ସବୁତ ନିଜେ ନିଜେ ଭଗବାନ ... କେବଳ ସେଇଥିପାଇଁ ସେ ସଭା ରେ ଆଜି କହିଦେଲି କି ମାନପତ୍ର ତ ଏକ କାଗଜର ଟୁକୁରା ମାତ୍ର ତାକୁ ଚାହିଁଲେ ତୁମେ ଫଟୋ କରି ନିଜ ମାର୍ବଲ ଲଗା କାନ୍ଥ ରେ ସଜେଇ ପାର ଅଥବା ତାକୁ ରଫ୍ ଖାତା ପରି ବ୍ୟବହାର କରିପାର ... ମୁଁ ଏମିତି କଣ ଭୁଲଟା କହିଦେଲି ..?? ଯଦି ସାହିତ୍ୟ ପ୍ରତି ଏତେ ଭଲପାଇବା ଆଉ ସ୍ନେହ ଅଛି ତେବେ ଆଗ ମାନପତ୍ର ହାସିଲ କରିବାର ନିଶାଟା ମନରୁ କାଢିଦେବାଟା ଭଲ । ମୁଁ ମୋର ନିଜସ୍ଵ ମତ ପ୍ରକାଶ କରିଥିଲି ହେଲେ ମୋ କଥାକୁ କେହି ବୁଝିବାକୁ ନାରାଜ । ଆରେ ଭାଇ ସେମାନେ ସବୁ ସାହିତ୍ୟ ସାଧକ ଥିଲେ ଟି. ?? ସାରା ଜୀବନ ର ସ୍ନେହ , ପ୍ରେମ ,ଭଲପାଇବା ମୋ ଆଦର୍ଶ ସାଜିଥିବା ଏଇ ଓଡିଆ ସଂସ୍କୃତି , ପରମ୍ପରା , ସାହିତ୍ୟି ମୋ ଜୀବନ । ସତରେ କେତେ ସୁନ୍ଦର ୟାର ପ୍ରାକୃତିକ ପୃଷ୍ଠଭୂମି । ମୁଁ ଚାହୁଁଛି ସାହିତ୍ୟର ଏ ଅଥଳ ମହାସାଗର ଭିତରେ ନିଜକୁ ହଜେଇ ଦେବାକୁ । ନିଜକୁ ତାର ଅଣୁ ଅଣୁ ଭିତରେ ବୁଡେଇ ବୁଡେଇ ଆକ୍ତାମାକ୍ତା କରିଦେବାକୁ । ଆଉ କେବଳ ସେଇଥିପାଇଁ ତ ମୋ ଆଖି ଉପରେ ବସିବାକୁ ଯାଉଥିବା ମିଥ୍ୟା ଅହଂକାରର ପରଦାକୁ ଆଜି ସର୍ବସମ୍ମୁଖରେ କାଢି ଫିଙ୍ଗିଦେଲି । ତେବେ କଣ ମୁଁ ଭୁଲ କରିଛି "
ଏତକ ଶୁଣି ସିପ୍ରାର ଆଖି ଦୁଇଟି ଯେମିତି ବାହାରକୁ ବାହାରି ଆସିଥିଲା ...। ସେ କଣ କହିବ କିଛି ବୁଝିବା ଆଗରୁ ରୋହନ ରୋମାଣ୍ଟିକ ହୋଇ ପାଖକୁ ଲାଗି ଯାଇ କହିଲା ,-"କଣ ବାୟାଣୀ ..ଏଥରକ ବି ମୋ କଳ୍ପନା ପାଖରୁ ହାରିଗଲ..??"
ସିପ୍ରା ଗେହ୍ଲେଇ ହେଇ କହିଲା, -
"ଛାଡ ମ..ତୁମ ସହିତ ମୋର କଟି..ଆଉ କେବେ ବି କଥା ହେବନି.. ହେଲା.."
-" ଠିକ୍ ଅଛି...ମୁଁ ସିନା କଥା ହେବିନି ହେଲେ ତୁମେ ତ ହେବ ନା ... ଏଣିକି ତୁମେ କହିବ ଆଉ ମୁଁ ଶୁଣିବି.."
-"ହେ ଭଗବାନ ...ଓହୋଃ
(ଦୀର୍ଘ ଶ୍ୱାସ ଛାଡି) ..ତୁମକୁ ଆଉ ପାରିହେବନି ..ଯା..।"
ହାଃ... ହାଃ... ହାଃ...ଦୁହିଁଙ୍କ ମନଖୋଲା ହସରେ ତାଙ୍କ ଛୋଟ କୋଠରୀଟି ଗୁଞ୍ଜରିତ ହୋଇ ଉଠୁଥିଲା ।