STORYMIRROR

Shiba Charan Mahapatra

Inspirational

3  

Shiba Charan Mahapatra

Inspirational

ମୂର୍ତ୍ତି ମଣିଷ

ମୂର୍ତ୍ତି ମଣିଷ

2 mins
68


ଏକ-


" ଏନ୍ତୁଡି ଶାଳରେ ଜନ୍ମଦାତ୍ରୀ ମା'ଙ୍କୁ ଅସହ୍ୟ ପ୍ରସବ ବେଦନା ଦେଇ ଯେତେବେଳେ ଏ ମାଟି ଛୁଇଁଥିଲି ଜାଣେନା ଜଠର ଅନ୍ଧକାର ଗର୍ଭରୁ ମୁକୁଳି ଆସିବାର ଖୁସିରେ ନା ମାୟା ସଂସାରରେ ପାଦ ରଖିବାର ଦୁଃଖରେ କୁଆଁ କୁଆଁ କାନ୍ଦି ଉଠିଥିଲି..!

ଗଗନ ପବନ ପ୍ରକମ୍ପିତ କାନ୍ଦ ଶୁଣି ବାପା ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । 

ଗୋଟିଏ ଜୀବନରେ ପୁନର୍ବାର ଆଉଏକ ଜୀବନ ଜିଇଁବା କଣ କମ୍ କଥା..!

ସାଧାରଣ ମଣିଷରୁ ସେ ଏବେ ବାପା ପାଲଟି ଯାଇଥିଲେ । ମା' କିନ୍ତୁ ଅର୍ଦ୍ଧଚେତନ ଅବସ୍ଥାରେ ଲାଳ ସରସର ମୋ ଦେହରେ ଆଶୀର୍ବାଦର ହାତ ବୁଲେଇ ଚାଲୁଥିଲେ ଅନବରତ..!" - ବୁଢୀ ମା କହେ ।


ବାପା ଏତେ ଖୁସି ଥିଲେ ଯେ ସେ କିଛିକ୍ଷଣ ପାଇଁ ନିଃଶ୍ଚଳ ପ୍ରସ୍ତର ପାଲଟି ଯାଇଥିଲେ..। 

ମଣିଷ ଅକଳ୍ପିତ ଖୁସି କିମ୍ବା ଦୁଃଖ ହଠାତ୍ ପାଇଗଲେ ବୋଧହୁଏ ଏମିତି ପଥର ମୂର୍ତ୍ତୀ ପାଲଟି ଯାଏ ..!


ଦୁଇ-


ପ୍ରତିବର୍ଷ ବାପାଙ୍କ ସହିତ ସାଇକେଲ ଯୋଗେ ବାର୍ହାଟିପୁରା ମକର ମେଳା ଦେଖିବାକୁ ଯାଉ । ମୋର ଠିକ୍ ମନେ ଅଛି ଯେବେ ଏକ ସୁନ୍ଦର କଣ୍ଢେଇ ପାଇଁ ମୁଁ ଅଡିବସିଥିଲି ; ବାପା ପାଲଟି ଯାଇଥିଲେ ନିଃଶ୍ଚଳ ମୂର୍ତ୍ତୀ । ନିଜ ବିବଶତା ନିପାରିଲାପଣରେ ପାଲଟି ଯାଇଥିଲା ନିର୍ଜୀବ ସ୍ଥାଣୁ ପଥର ମୂର୍ତ୍ତିଟିଏ..!


ଘରକୁ ଫେରିବା ପରଠାରୁ ପ୍ଲାଷ୍ଟିକ କଣ୍ଢେଇ ବଦଳରେ ମୁଁ ପାଇଥିଲି ଜୀବନ୍ତ କଣ୍ଢେଇଟିଏ । ଯେ ମୋ ସହିତ କଥା ହୁଅନ୍ତି; ଲୁଚକାଳି ଖେଳନ୍ତି; ମୋତେ ଗେଲ କରନ୍ତି; ମୋ ପାଇଁ ହାତୀ ଘୋଡା ସାଜନ୍ତି । ଆକାଶରୁ ଜହ୍ନ-ତାରା-ପାରିଜାତ ତୋଳି ଦିଅନ୍ତି ;ପ୍ରତି ଦିନ ପ୍ରତି ରାତିରେ..!


ମୋ ବାପା ; ମୋ ଜୀବନ୍ତ ଈଶ୍ବର..!!


ତିନି-


ପ୍ରତ୍ୟେକଟି ଇଛାକୁ ପୁରଣ କରିବାର କ୍ଷମତା ରଖୁଥିବା ମଣିଷଟି ସେଦିନ ଚୁପ୍ ଚାପ୍ ନୀରବରେ ମୋ ନିଷ୍ପତ୍ତିକୁ ସମର୍ଥନ କରିନେଇଥିଲେ । ଯେତେବେଳେ ମୁଁ ଛୋଟ ଟିକିଏ କଥାରେ ବିରକ୍ତ ହୋଇ କହିଥିଲି -"ତୁମେ ଆଜିଯାଏଁ ମୋ ପାଇଁ କଣ କରିଛ କି ? ନା କେବେ ଭଲରେ ଖାଇବାକୁ ଗଣ୍ଡେ ଦେଇଛ ,ନା ଭଲରେ ଖଣ୍ଡେ ପିନ୍ଧିବାକୁ ଦେଇଛ..!

ତୁମେ ଜଣେ ଅଯୋଗ୍ୟ ମଣିଷ ବାପା..!"


ଜଣେ ଯୋଗ୍ୟ ବାପା ହେବାପାଇଁ କଣ ଯୋଗ୍ୟତା ଥିବା ଜରୁରୀ ତାହା ମୋତେ ଜଣା ନଥିଲା..! 


ଅଥବା ମୁଁ ହିଁ ଅଯୋଗ୍ୟ ସନ୍ତାନଟିଏ ଥିଲି..!


ଚାରି-


ନିଜ ଇଛାରେ ବିବାହ କରିସାରିବା ପରେ ପ୍ରାୟତଃ ବାପା ମାଆଙ୍କ ସହିତ କେବେ ଭଲ ସମ୍ପର୍କ ଥିବାର ମୋର ମନେ ପଡୁନି..! ଛୋଟ ଛୋଟ କଥାରେ ଲିଓନି ସହିତ ମାଆଙ୍କର ପାଟିତୁଣ୍ଡ ହେଉଥିଲା । ଶେଷରେ ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ନିଷ୍ପତ୍ତି ନେଲୁ ବାପା ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେଇ ଆସିବୁ । ଠିକ୍ ସେମିତି ମଧ୍ୟ ହେଲା..!


କିନ୍ତୁ ସେଦିନ ବି ବାପା ଚୁପ୍ ଥିଲେ..!


ସମୁଦ୍ର ପରି ଗମ୍ଭୀର ଥିବା ମଣିଷଟି କିଛି ନକହି କିଛି ନ ନେଇ ସବୁକିଛି ଫେରେଇ ଦେବାର କ୍ଷମତା ରଖେ କିପରି..!

ମୁଁ କେବେ ବୁଝିପାରୁନଥିଲି..! 


ବୋଧହୁଏ ତାହା ହିଁ ସବୁ ବାପାଙ୍କ ବ୍ୟକ୍ତିତ୍ୱ..! ସେଲାଗି ସନ୍ତାନ ମାନଙ୍କର ଶତ ସହସ୍ର ଭୁଲ୍ , ଅପରାଧକୁ ମଧ୍ୟ ନିଜ ମହନୀୟତା ଗୁଣରେ ସେମାନେ କ୍ଷମା କରିଦିଅନ୍ତି ଖୁବ୍ ସରଳ ଆଉ ଖୁବ୍ ସହଜରେ ।

ମୂର୍ତ୍ତୀମୟ ଚାହାଣୀର ଚେନାଏ ହସରେ..!!


ପାଞ୍ଚ


କିନ୍ତୁ ପୂର୍ବାହ୍ନର ସୂର୍ଯ୍ୟ ଏବେ ଅପରାହ୍ନରେ ଅସ୍ତମିତ ପ୍ରାୟ..!


ମୁଁ ସେଇ ସ୍ଥାନରେ ଠିଆ , ମୋ ପୁଅ ଅଯୋଗ୍ୟ କହି ମୋତେ ଘରୁ ବାହାର କରିଦେବା ପରେ ମୁଁ ସମ୍ପୂର୍ଣ୍ଣ ଏକାକୀ ବେସାହାରା..!


ବିଳମ୍ବ ହେଉ ପଛେ କର୍ମର ଫଳ ଅବଶ୍ୟ ଭୋଗ କରିବାକୁ ପଡେ ; ଆଜି ନିଜକୁ ମଣିଷରୁ ମୂର୍ତ୍ତୀ ସଜେଇବା ପରେ ସେ ମୂର୍ତ୍ତୀ ମଣିଷ ମୋର ଖୁବ୍ ମନେପଡୁଛନ୍ତି ।

ଖୁବ୍ ସହଜରେ ଅନୁଭବି ପାରୁଛି ମୂର୍ତ୍ତୀ ହେବାର ଅସହ୍ୟ ବ୍ୟଥା ଓ ଗାଥା..! 


ଇଛା ହେଉଛି ତାଙ୍କ ପାଦତଳେ ପଡି କହିବାକୁ,-

"ହେ ବାପା.., ପାରିବ ତ ଅବୋଧ ସନ୍ତାନର ଏ ଶେଷ ଅପରାଧ ଟିକକ କ୍ଷମା କରିଦେବ..!"


ଏବେ ମୁଁ ବୁଝିଗଲିଣି ମଣିଷ ହେବା ଖୁବ୍ ସହଜ କିନ୍ତୁ ମୂର୍ତ୍ତୀ ମଣିଷ ହେବା କେଡେ କାଠିକର ପାଠ..!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational