ବାଲିଛତୁ
ବାଲିଛତୁ
ସେଇ ରାସ୍ତାରେ ମୋର ନିତି ଯା'ଆସ , ଯେଉଁ ରାସ୍ତାରେ ଏଯାଏଁ ବାଜିନି ସହରୀକରଣ କୁହୁକ ହାତଛୁଆଁ ! ତା' ଦେହ ଭିଜାମାଟିରେ ଏବେବି ମହକୁଛି ନିପଟ ଗାଁ ଗାଁ ବାସ୍ନା !
ପୁରୁଣା ଚଳଚିତ୍ରରେ ପ୍ରଦର୍ଶିତ ପରି ମାଟି ରାସ୍ତା ଦୁଇ ଧାରେ ଘଞ୍ଚ ଶାଳ ଜଙ୍ଗଲ ! ଜଙ୍ଗଲ ଭିତରେ ବିଭିନ୍ନ ପକ୍ଷୀ ମାନଙ୍କ ସୁମଧୁର ସଂଗୀତ !
ଆଃ..! କି ଅପୂର୍ବ ସମ୍ମୋହନ..!?
ପ୍ରାୟତଃ ସବୁଦିନ ମୁଁ ସେଇ ରାସ୍ତାଦେଇ ଯାଏ ! ମୋତେ ଏକାନ୍ତ ନିରୋଳା , ନିର୍ଜନତା , କୋଳାହଳଶୂନ୍ୟ ବାତାବରଣ ଭଲଲାଗେ ! ସେଥିପାଇଁ ତ ମୁଁ କିଛି କିଲୋମିଟର ଦୂର ହେଉପଛକେ ବାଛି ନେଇଛି ଏ ଜଙ୍ଗଲ ଛାତିଚିରା ସର୍ପିଳ ଗତିରେ ବଢିଯାଇଥିବା ମାଟିରାସ୍ତାଟିକୁ !
ଏଇ କିଛିଦିନ ତଳେ ସେଇ ଘଞ୍ଚ ଜଙ୍ଗଲ ପାର୍ଶ୍ବରେ ଦେଖାହେଲା ଏକ ସୁନ୍ଦରୀ ତରୁଣୀ ! ଯାହାକୁ କେବେ ଦିନେ ଦେଖିନଥିଲି ସେ ନିକାଞ୍ଚନ ଜଙ୍ଗଲ ରାସ୍ତାରେ !
ପ୍ରଥମ ଦିନ ସେ ମୋତେ ଦେଖି ନଦେଖିବା ପରି ଜଙ୍ଗଲ ଭିତରକୁ ଚାଲିଗଲା ! ମୁଁ ମଧ୍ୟ କିଛି ନଭାବି ମୋ ରାସ୍ତାରେ ଚାଲିଆସିଲି !
ଦ୍ୱିତୀୟ ଦିନ ତାକୁ ସେଇ ଜଙ୍ଗଲ ରାସ୍ତା ଅନ୍ୟ ଏକ ସ୍ଥାନରେ ଦେଖିଥିଲି ! ସେଦିନ ସେ ଟିକିଏ ଅଟକି ମୋତେ ଚାହିଁଲା ଆଉ ମୁରୁକି ହସଟିଏ ଯାଚିଦେଲା ଶାଳଗଛ ପତ୍ର ଆଢୁଆଳରୁ !
ମୁଁ ସେଥିପ୍ରତି ଧ୍ୟାନ ନଦେଇ ଆଗକୁ ବଢିଗଲି !
ତୃତୀୟ ଦିନ ତଦୃପ ସାକ୍ଷାତକାର ଏବଂ ତା'ର ସମମୁରୁକି ହସ !
ଜଙ୍ଗଲ ଭିତରେ କିଏ ଏଇ ଝିଅ..!?
ଯା'ର ଚେନାଏ ହସରେ ଝରୁଛି ପେନ୍ଥାଏ ଜଙ୍ଗଲୀ ଫୁଲ !
କିଛିକ୍ଷଣ ପାଇଁ ଥମିଗଲା ମୋ ଛାତିର ସ୍ପନ୍ଦନ ଆଉ ଗାଡିର କମ୍ପନ !
କାଲି ଯେ ଅଚିହ୍ନା ଅଜଣା ଲାଗୁଥିଲା ଆଜି ହଠାତ୍ କିପରି କାହିଁକି ତା' ହସ ମୋତେ ବାନ୍ଧି ରଖୁଛି ବାରମ୍ବାର..!? ଲାଗୁଛି କେତେ ଯୁଗ ଯୁଗ ଧରି ମୁଁ ତାଙ୍କୁ ଚିହ୍ନିଛି !
ସୌଜନ୍ୟ ମୂଳକ ଭାବେ ଏବେ ମୁଁ ମଧ୍ୟ ଫିଙ୍ଗିଦେଲି ମୁରୁକି ହସଟିଏ , ଯାହା ମୋ ହେଲମେଟ୍ ସଫେଦ କାଚରେ ସଂସ୍କରଣ ହୋଇ ଛୁଇଁଗଲା ତା' ଆଖି ଯୁଗଳକୁ !
ଉଈଚରା ଶାଳଗଛ ବଳିଷ୍ଠ ଶରୀର ଭିତରୁ ବାରି ହେଇପଡିଲା ସେ ସାବନା ରଙ୍ଗ ଝିଅର ସୌନ୍ଦର୍ଯ୍ୟ ! ଯା'ର ଆଖି ଦୁଇଟି ଛନଛନ ଜଙ୍ଗଲୀ ହରିଣୀର ଆଖି ,ଚାହାଣୀ କେଉଁ ଏକ ନିରୀହ ଫୁଲର , କେଶ ଘନକଳାମେଘ !
ତା' ଓଠର ନିସ୍କପଟ ଧାପେ ହସ ନେଇ ଯାତ୍ରା ଜାରିରଖିଲି ମୋ ଗନ୍ତବ୍ୟ ସ୍ଥଳକୁ ! କିନ୍ତୁ ସବୁଦିନ ଅପେକ୍ଷା ଆଜି ସେ ବାଟ ଲାଗୁଥିଲା ଖୁବ୍ ନିଆରା ! ସତେଅବା ବାଟ ସାରା କିଏ ବିଛେଇ ଦେଇଛି କୃଷ୍ଣଚୂଡା ଫୁଲର ତୋରଣ ! ରାସ୍ତାଧାର ଚଟାଣରେ ସଜତ୍ନେ ସଜେଇଛି ନୀଳ ଶୈବାଳ ଗାଲିଚା ! ଆଜି ଲାଗୁଥିଲା ଜଙ୍ଗଲୀ ପକ୍ଷୀଙ୍କ ସଂଗୀତ କେଉଁ ତପସ୍ୟୀ ଅବା ମହାଯୋଗୀଙ୍କ ଉଚାରିତ ମନ୍ତ୍ର !
ଅଫିସ୍ କିମ୍ବା ଘରେ କେଉଁଠି ବି ସ୍ଥିର ହୋଇ ରହିପାରିଲିନି ! ତା'ର ସେ ସରଳ ହସ ମୋତେ ଭିନ୍ନମନସ୍କ ହେବାକୁ ବାଧ୍ୟ କଲା ! ନିଷ୍ପତ୍ତି ନେଲି ଆସନ୍ତା କାଲି ଯେମିତି ହେଉ ସେ ଝିଅ ସହିତ କଥା ହେଇ ତା ପରିଚୟ ବୁଝିନେବି !
ଆଗାମୀ କାଲିର ପ୍ରସ୍ତୁତିରେ କେତେ ପ୍ରଶ୍ନ କେତେ ଉତ୍ତର କେତେ ଅମିମାଂସୀତ ଦ୍ୱନ୍ଦ ମୋ ରାତିକୁ ଆହୁରି ବହଳ କଲେ !
କେଉଁ ଇଣ୍ଟରଭ୍ଯୁକୁ ଯିବା ପୂର୍ବର ପ୍ରସ୍ତୁତି ଠାରୁ ଢେର୍ ଅଧିକ କଠିନ ଥିଲା ପରଦିନର ସକାଳ !
ଠିକ୍ ସମୟରେ ପହଞ୍ଚି ଦେଖେତ ଜଙ୍ଗଲ ରାସ୍ତାରେ ସେ ଝିଅଟି ନଥିଲା ! ବ୍ୟସ୍ତ ହୋଇ ଆଗକୁ ବଢିଲି ! ଜଙ୍ଗଲ ଯେତିକି ଘଞ୍ଚ ହେଉଥିଲା ମୋ ମନ ସେତିକି ଭୟ ସେତିକି ଦ୍ୱନ୍ଦରେ ବିବ୍ରତ ହେଉଥିଲା !
ତେବେ କଣ ସେ ଝିଅଟି ଆଜି ଆସିନାହିଁ , ନା ମୋ ଆସିବାର ଉଦ୍ଦେଶ୍ୟ ଜାଣି ସେ ଭୟରେ ଲୁଚିଗଲା କେଉଁ ପତ୍ର କିମ୍ୱା ପଥର ଆଢୁଆଳରେ..!?
ମୋ ମନ ହୃଦୟର ଆବିଳତା ପରିପ୍ରକାଶ କରିବାକୁ ଯାଇ ମୁଁ କିଛି ଭୁଲ୍ କରୁନି ତ..!?
ଇଏ କଣ ସେ ଝିଅପ୍ରତି ଭଲପାଇବା ,ଦରଦ ନା ମୋ ଆଖିର କ୍ଷଣିକ ଉତ୍ତେଜନାରେ ସୃଷ୍ଟି ସ୍ୱଳ୍ପ ସମୟର ଆକର୍ଷଣ..!?
ଏମିତି ନାନା ପ୍ରକାର ପ୍ରଶ୍ନ ଜାଲ ବୁଣୁବୁଣୁ ପହଞ୍ଚିଲି ଜଙ୍ଗଲ ପ୍ରାନ୍ତରେ !
ହଠାତ୍ ଝଲସି ଉଠିଲା ସେଇ ଝିଅର ହସହସ ମୁହଁ !
ମୁଁ ବାଇକ୍ ବ୍ରେକ୍ ଭିଡି ଧରିଲି , ଭିନ୍ନ ପ୍ରକାର ଗର୍ଜନରେ ଅଟକିଲା ଗାଡି ଅଟକିଲା ସେ ଝିଅ !
ତାକୁ ଇସାରା ଦେଇ ପାଖକୁ ଡାକିଲି !
ସେ ପାଖେଇ ଆସିବାରୁ ମୁଁ କିଛି କହିବାକୁ ଯାଉଥିଲି କିନ୍ତୁ
ସେ କହିଲା ,-" ବାବୁ..ଭାଗ ବିକ୍ରୀ କରିଥିଲେ ଷାଠିଏ ଟଙ୍କା ହେଇଥାଆନ୍ତା ; ଆପଣ ମୋତେ ପଚାଶ ଟଙ୍କା ଦିଅନ୍ତୁ !"
ମୁଁ କିଛିନକହି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲି ତାକୁ.., ସେ ମୋ ହାତକୁ ବଢେଇଦେଲା ଚୁନା ଚୁନା ସଫେଦ୍ ବାଲିଛତୁ ଭର୍ତ୍ତି ପଲିଥିନ୍ ଟିଏ !
ମୁଁ ଚୁପ୍ ଚାପ୍ ନେଇ ଆସିଲି ସେ ପଲିଥିଲ ଭର୍ତ୍ତି ବାଲିଛତୁ ଏବଂ ମନିପର୍ସ ଭିତରୁ ପଚାଶ ଟଙ୍କିଆ ନୋଟ୍ ଟିଏ ବାହାର କରି ବଢେଇଦେଲି ତା' ହାତକୁ !
ସେ ପଇସାଟି ନେଇ ପୂର୍ବବତ୍ ମୁରୁକି ହସଟିଏ ଯାଚିଦେଇ ଜଙ୍ଗଲ ଭିତରକୁ ଚାଲିଗଲା !
ମୁଁ କେତେ ସମୟ ଯାଏଁ ଅପଲକେ ଚାହିଁଥିଲି ତା' ଫେରିବା ବାଟକୁ ଜାଣେନା..!?
ହଁ..କିଛି ସମ୍ପର୍କ ଏମିତି ଅଚାନକ ଅପ୍ରସ୍ତୁତ ବାଲିଛତୁ ଭଳି ଆମ ଜୀବନରେ ଫୁଟିଉଠନ୍ତି , ଯାହା ଖୁବ୍ ସୁନ୍ଦର ଆଉ ଖୁବ୍ ମିଠା ଲାଗନ୍ତି ! ଠିକ୍ କହିଲି ନା..!?