ଈଶ୍ବର ମୁଁ ଆଉ ସେମାନେ
ଈଶ୍ବର ମୁଁ ଆଉ ସେମାନେ
ଆହା.. କେତେ ନିଃସହାୟ ସେ ଈଶ୍ବର ଯାହାଙ୍କୁ ସଂଗରୋଦ୍ଧ କରି ରଖାଯାଏ ଭକ୍ତ ସଂଗତରୁ , ଆତ୍ମିୟ ଗହଳିରୁ । ଷୋଡଶ ଉପଚାର ହଲାଝୁଲା ଛେଚାକଚା ବିନା ସାମାନ୍ୟ ଭୂତାଣୁ ଭୟରେ ଟେକି ଦିଆଯାଏ ହାତ , ସଂକ୍ରମିତ ଆଗରୁ..!
ଜାଣିଶୁଣି ତାଙ୍କୁ ମାଫ୍ କରାଯାଏ ମଣିଷଙ୍କ ଦ୍ୱାରା ରଚିତ ଏ ଯୁଦ୍ଧକ୍ଷେତ୍ରରୁ ; ନା ସେ ଈଶ୍ବର ବୋଲି ନିରପେକ୍ଷ ?
ଯଦି ଏ ଯୁଦ୍ଧ କେବଳ ସେମାନଙ୍କର ଆଉ ମୋର ତେବେ ଈଶ୍ବର ଏବେ କେଉଁଠି..?
☆☆☆
ଧୂ ଧୂ ଖରାବେଳ ,ପ୍ରଖର ଗ୍ରୀଷ୍ମତାପରେ ଏକସଙ୍ଗେ ଏ ପଚାଶ ଜଣ ବଙ୍ଗାଳୀ । ଉତପ୍ତ ଖରା ଦହନକୁ ବେଖାତିର କରି ଚାଲିଛନ୍ତି ନିଜନିଜ ଗନ୍ତବ୍ୟସ୍ଥଳୀ ଅଭିମୁଖେ । ଏକ ମନ ଏକ ଲକ୍ଷ୍ୟ ନେଇ । ପିଠିରେ ଝୁଲା ,ହାତରେ ପାଣି ବୋତଲ , କିଛି କିଛି ବିଛଣାପତ୍ର ,ମୁଣ୍ଡରେ ଗାମୁଛା ,କେତେକଙ୍କ ପାଖରେ ସେତକ ବି ନାହିଁ ଆଉ କେତେକଙ୍କ ପାଦ ଚପଲଶୂନ୍ୟ । ହୁଏତ ପାଦର ଫୋଟକା ପାଦରେ ହିଁ ମରିଯାଇଥାଇପାରେ କିନ୍ତୁ ଯନ୍ତ୍ରଣାର ଚିହ୍ନ ବର୍ଣ୍ଣ କାଇଁ କେଉଁଠି ତ ଦିଶୁନାହିଁ । ଦିଶୁନାହିଁ ରୋକିଯିବାର ମୋହ । ହଁ କିଛି କିଛି ଅବଶତା ଆଉ ବିବଶତା ବାରିହେଇ ପଡୁଛି ତାଙ୍କ ମଳିନ ଚେହେରାରୁ । ତଥାପି ସେମାନେ କେବଳ ବଢି ଚାଲିଛନ୍ତି ଆଗକୁ ଆଗକୁ । ବେଗ କମିଥାଇପାରେ ଗତିର କିନ୍ତୁ ଅଟକି ଯାଇନି ପାଦ ତାଙ୍କର । ହାଇଦ୍ରାବାଦରୁ ପଶ୍ଚିମ ବଙ୍ଗାଲ୍ ପାଖାପାଖି 1500 କି.ମି ; ତଥାପି ସେମାନେ ଚାଲିଛନ୍ତି ଅବିଶ୍ରାମ ଅନବରତ ।
ଏତେଦୂର କେମିତି ଯେ ଚାଲି ଚାଲି ଯିବେ..?
ଓ..ଏଇଯେ କେନ୍ଦୁଝର-ମୟୁରଭଞ୍ଜ ସୀମା ପହଞ୍ଚିଗଲା ଯେଉଁଠି ଆଗରୁ ପୋଲିସ୍ ଚେକ୍ ପୋଷ୍ଟ ଅବସ୍ଥିତ ଠିକ୍ ସେଇଠି ।
ହଁ ମ ସେଇ ବୈତରଣୀ ନଦୀ ପୋଲ । ଯେଉଁଠି ସେପାଖ ମୟୂରଭଞ୍ଜ ଆଉ ଏପାଖ କେନ୍ଦୁଝର ।
ତାଙ୍କୁ ଦେଖି ପୋଲିସ୍ କର୍ମଚାରୀ ଜଣକ ପଚାରିଲେ ,"କୁଆଡୁ ଆସିଲ..? କୁଆଡେ ଯିବ..?"
ପ୍ରଶ୍ନରେ କଠୋରତା ନଥିଲା ।
( ଆଜିକାଲି ପୋଲିସ୍ କର୍ମଚାରୀଙ୍କ କଣ୍ଠରେ ଅହଂକାର , କ୍ରୋଧ, ଦୃଢତାର ସ୍ୱର ପ୍ରତିବଦଳରେ ଦୟା ଆଉ ଭୟ ଜନ୍ମ ନେଲାଣି , ବୋଧହୁଏ କରୋନାର ପାର୍ଶ୍ବ ପ୍ରତିକ୍ରିୟା ।)
"ସାବ୍ ହମ୍ ଲୋଗ ହାଇଦ୍ରାବାଦ୍ ସେ ଆ ରହେ ହେଁ , କୋଲକାତା ଯାଏଁଗେ..।"
ହେଇପାରେ ସେମାନେ ଓଡିଆ ବୁଝନ୍ତି କିନ୍ତୁ ଜାଣନ୍ତିନି ତେଣୁ ହିନ୍ଦୀରେ ଉତ୍ତର ଦେଲେ ।
"ଠିକ୍ ହେ ୟେ ବ୍ରିଜ୍ କେ ନିଚେ ବୈଠ୍ ଜାଇୟେ .. ଏକ୍ ଏକ୍ ଆଦମି ଆ କର ଆପଲୋଗୋଁକା ଆଡ୍ରେସ ବତାଇୟେ । ହାଁ.. ଜରା ଦୁରିଆଁ ବନାଏଁ ରଖନା।"
ପୋଲିସ୍ କର୍ମଚାରୀ ଜଣକ ତାଙ୍କୁ କହିଲେ ।
"ଠିକ୍ ହେ ସାବ୍ .."-କହି ସେମାନେ ସେ ନୂତନ ପୋଲ ତଳେ ବସିଗଲେ ଯାହାର କାମ ଏଯାଏଁ ଅସମ୍ପୂର୍ଣ୍ଣ ଅଛି । ତେଣୁ କିଛି ଖରା କିଛି ଛାଇ ତାଉପରୁ ଅନାୟାସରେ ଗଳିପଡୁଛି ।
ଫୋନ୍ ଯୋଗେ ଉପରିସ୍ଥ ଅଫିସର୍ ଙ୍କୁ ଏ ବିଷୟରେ ଅବଗତ କରାଇଦିଆଗଲା । ଘଟଣାସ୍ଥଳରେ ସେ ପହଞ୍ଚିବା ଭିତରେ ସମସ୍ତଙ୍କ ନାମ ପଞ୍ଜୀକରଣ ପ୍ରାୟତଃ ସରିଯାଇଥାଏ । ପୋଲିସ୍ ଅଫିସର ଜଣକ ସଂଗେ ସଂଗେ ପାଖ ହୋଟେଲ୍ ବୈତରଣୀରେ ତାଙ୍କ ସମସ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଦେଲେ । ଅଳ୍ପ ସମୟ ପରେ ସମସ୍ତଙ୍କୁ ହୋଟେଲ ବାହାରେ ଖାଇବା ଯୋଗାଇ ଦିଆଗଲା। ସେମାନେ ଖାଇପିଇ ପୁନଶ୍ଚ ନିଜ ନିଜ ଲକ୍ଷ୍ୟସ୍ଥଳୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ ।
☆☆☆
ଏକସଙ୍ଗରେ ଏକାଧିକ ଲୋକଙ୍କୁ ସୀମା ପାର କରିବା ଅସଙ୍ଗତ ଲାଗିବାରୁ ଆମେ ପାଞ୍ଚ ପାଞ୍ଚଜଣ କଲିକତା ଫଳ ଗାଡିରେ ବସେଇଦେଲୁ ଜାଣୁନା ଏହା ଆଇନତଃ ଠିକ୍ ନା ଭୁଲ୍ । ମଣିଷପଣିଆ ଆଗରେ ଆଜି ଆଇନ୍ ଭାଙ୍ଗିବାକୁ ଆମେ ପ୍ରସ୍ତୁତ ଥିଲୁ କିନ୍ତୁ ଦୁର୍ଭାଗ୍ୟବଶତଃ ସେପାଖ ଚେକ୍ ପୋଷ୍ଟରେ ତାଙ୍କୁ ଧରିନିଆଗଲା ଏବଂ ଫେରେଇ ଦିଆଗଲା କେନ୍ଦୁଝର ସୀମା ଭିତରକୁ ।
ଆମ ଉପରିସ୍ଥ ଅଫିସର୍ ଜଣକ ସେପାଖ ଯାଇ ବୁଝାଇବାକୁ ଚେଷ୍ଟା କରିଥିଲେ କି ସେମାନେ ସବୁ ଗାଡିଯୋଗେ ତାଙ୍କ ରାଜ୍ୟକୁ ଫେରିଯିବେ ତେଣୁ ତାଙ୍କୁ ଅଟକାଇ ଅଯଥା ହଇରାଣ କରିବାର କୈଣସି ଯଥାର୍ଥତା ନାହିଁ କିମ୍ବା ତାଙ୍କ ପାଇଁ ଭୟ କରିବାର କିଛି କାରଣ ନାହିଁ । କିନ୍ତୁ ସେପାଖ ପୋଲିସ୍ କର୍ମଚାରୀମାନେ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ ,ଅତଏବ ସେମାନଙ୍କୁ ପୁନଶ୍ଚ ଫେରିବାକୁ ହେଲା ଆମ ପାଖକୁ ।
ପୋଲିସ୍ ବାବୁ ଜଣକ ସମସ୍ତଙ୍କୁ ଦୁଇଦିନ ରହିବା ଖାଇବା ବ୍ୟବସ୍ଥା କରିଦେଲେ । ଇତ୍ୟବସରେ ଆମେ ସେ ଅଞ୍ଚଳର କିଛି ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ନଦୀବାଟ ଦେଇ ଆମ ସୀମା ପାର କରାଇବା ଯୋଜନାରେ ସଫଳ ହେଲୁ । ପୁନର୍ବାର ସେମାନେ ମୁଖ୍ୟ ରାଜପଥ ଧରି ନେଲେ ,ତାଙ୍କ ଲକ୍ଷ୍ୟପଥ ପହଞ୍ଚ ପାଇଁ ଏବେ ଈଶ୍ବର ଭରଷା ।
(ଅବଶ୍ୟ ତାଙ୍କ ପଥରେ କେବଳ ରାଜ୍ୟ ଚେକ୍ ପୋଷ୍ଟ ବାଧକ ଥିଲା ଯାହା ସେମାନଙ୍କ ପାଇଁ ବିଶେଷ ଅସୁବିଧାର କାରଣ ନୁହେଁ ।)
☆☆☆
ଇଏ କିଛି ନୂଆ କଥା ନୁହେଁ ଯେ ହଜାର ହଜାର ପ୍ରବାସୀ ଅସହାୟ ଭାବରେ ନିଜ ଜନ୍ମଭୂମିକୁ ଫେରିବା ପାଇଁ ସଂଘର୍ଷରତ । କେହି କେହି ସାଇକେଲ ଯୋଗେ ; କେହି କେହି ମଟରସାଇକଲ ଯୋଗେ ;ଆଉ କେହି କେହି ଚାଲି ଚାଲି ଏ ଯାତ୍ରା ଆରମ୍ଭ କରିଛନ୍ତି ।
ସେମିତି କିଛି ଦିନ ପୂର୍ବର ଏ ଘଟଣା ; ସମୟ ପାଖାପାଖି 1:00 ହେବ ପାଞ୍ଚଜଣ ଶ୍ରମିକ ନାଗପୁରରୁ ଆସି ଆମ ପାଖରେ ପହଞ୍ଚିଲେ । ତାଙ୍କୁ ଦେଖୁ ଦେଖୁ ଯେ କେହି ବି ଅନୁମାନ କରିନେବ ଯେ ସେମାନେ ଅନେକ ଦିନ ହେଲା କିଛି ଖାଇ ନାହାନ୍ତି । ତା'ଅଳ୍ପ ସମୟ ଆଗରୁ ମୋ ବନ୍ଧୁ ଜଣକ ମୋ ହାତରେ ଏକ ଛୋଟ ଜାଙ୍ଗୁଲାରେ କିଛି ତରଭୁଜ ଖାଇବାକୁ ଦେଇଥିଲେ । ଅବଶ୍ୟ ସେ ତରଭୁଜଟିକୁ ଜଣେ ଗାଡିବାଲା ଆମକୁ ଦେଇଥିଲା । ଚେକ୍ ପୋଷ୍ଟରେ ପୋଲିସ୍ କର୍ମଚାରୀଙ୍କୁ ତରଭୁଜ, ପଇଡ, କଦଳୀ, ଅଙ୍ଗୁର,ବ୍ରଏଲର କୁକୁଡା ଇତ୍ୟାଦି ମିଳିବା ଅତି ସାଧାରଣ କଥା ଅବଶ୍ୟ ମୁଁ ଜାଣିନି ଏ ପ୍ରଥା କେବେଠାରୁ ପ୍ରଚଳିତ । କିନ୍ତୁ ସେମାନେ ସ୍ୱଇଛାରେ ଆମକୁ ଡାକି କିଛି କିଛି ଦେଇଯାଆନ୍ତି , ଯାହା ବେଳେବେଳେ ନେବାପାଇଁ ଖୁବ୍ ଖରାପ ଲାଗେ । ଏବେ ମୋ ହାତରେ କିଛି ତରଭୁଜ ଅଖିଆ ରହିଥିଲା । ସେ ଶ୍ରମିକ ମାନଙ୍କୁ ଦେଖି ତାଙ୍କ ଭୋକ ଆଗରେ ମୋତେ କାଇଁ ଟିକିଏ ବି ଭୋକ ହେଲାନି ଅଥବା ତାଙ୍କ ବେଦନାକ୍ତ ଭୋକିଲା ଆଖି ଆଗରେ ମୋ ପେଟର କ୍ଷୁଧା ଆପେ ଆପେ ଅପସରି ଗଲା । ଯଦିଓ ସକାଳ 7 ଟାରୁ ମୁଁ ସେଇଠି ଡ୍ୟୁଟିରେ ମୁତୟନ ଥିଲି ଏବଂ ଆହୁରି କିଛି ଘଣ୍ଟା ମୋତେ ସେଇଠି ଅଖିଆ ବିତେଇବାର ଥିଲା , ତଥାପି ପଲିଥିନିରେ ସମସ୍ତ ତରଭୁଜ ଭରି ମୁଁ ତାଙ୍କ ହାତକୁ ଟେକି ଦେଲି । ମୋ ବନ୍ଧୁ ଜଣକ ଦୁଇ ବୋତଲ ପାଣି ତାଙ୍କୁ ପିଇବାକୁ ଦେଲେ । ସେମାନଙ୍କ ଖାଇବା ଦେଖି ଲାଗୁଥିଲା ବୋଧହୁଏ ସେମାନେ ତିନି ଚାରି ଦିନ ହେବ କିଛି ଖାଇନାହାନ୍ତି । ମୋ ମନ ବୁଝିଲାନି ଆମ ଅସ୍ଥାୟୀ ଗୁମୁଟିରେ ଥିବା ଆଉଏକ ତରଭୁଜ ଆଣି ତାଙ୍କୁ ଦେଇଦେଲି । ସେମାନେ ତାକୁ ପଥରରେ ଫଟେଇ ଭାଗ କରି ଖାଇଗଲେ ।
କିଛି ସମୟ ପରେ ଡାଲା ଥିବା ଏକ ଖାଲିଗାଡି ବମ୍ବେ ଛକ ଯାଉଥିବାର ପାଇଲୁ । ସେମାନଙ୍କୁ ତା' ଭିତରେ ବସେଇ ଦେଇ କହିଲୁ ସେପାଖ ଚେକ୍ ପୋଷ୍ଟରେ ତାଙ୍କ ମୁଣ୍ଡ ଯେମିତି ଦେଖା ନ ଯାଏ । ସେମାନେ କୃତଜ୍ଞତାରେ ନମସ୍କାର କରି ସେ ଗାଡିରେ ଚଢିଗଲେ । ଆମେ ଅପଲକେ ଚାହିଁଥାଉ ସେପାଖ ଚେକ୍ ପୋଷ୍ଟକୁ ..। ଈଶ୍ବରଙ୍କୁ ଅଜସ୍ର ଧନ୍ୟବାଦ କି ସେପାଖ ଚେକ୍ ପୋଷ୍ଟରେ ସେ ଶ୍ରମିକ ସବୁ ଧରାନପଡି ପାର ହେଇଗଲେ । ଏବେ ତାଙ୍କୁ ଏ ଚାଲିବା ପରିଶ୍ରମରୁ କିଛି ତ ଅବସର ମିଳିଯିବ ।
ସେମାନେ ଗଲା ପରେ ପୁନରାୟ ଆଉକିଛି ପାଦଚଲା ଶ୍ରମିକ ଆମ ପାଖରେ ହାଜର । ତାଙ୍କୁ ଦେଖି ଖୁବ୍ ଦୟା ଲାଗୁ ଥାଏ।
ଆହା.. ଈଶ୍ବର କଣ ଏତେ ନିର୍ଦ୍ଦୟ..!? ଏତେ ଲୋକ ଏତେ କଷ୍ଟ ଯନ୍ତ୍ରଣା ସହ୍ୟକରି ଜିଇଁବାର ସଂଘର୍ଷ ଜାରି ରଖିଛନ୍ତି । ଅଥଚ..!!?
ନା..ନା.. ଈଶ୍ବର ଯଦି ନିର୍ଦ୍ଦୟ ହେଇଥାଆନ୍ତେ ତେବେ ଆମ ଦ୍ୱାରା କେବେବି କାହା ପାଇଁ ଆହାର ଯୋଗାଇ ନଥାଆନ୍ତେ କି ତାଙ୍କୁ ସାହାଯ୍ୟ କରିବାର ସୁଯୋଗ ଆମକୁ ଦେଇ ନଥାଆନ୍ତେ । ତେବେ ବିଶ୍ୱାସରେ ଏହା ସିଦ୍ଧ ହେଲା ଯେ ଈଶ୍ବର,ମୁଁ ଆଉ ସେମାନେ ଏବେବି ନିଜ ନିଜ ସ୍ଥାନରେ କାୟମ ଅଛନ୍ତି ,ଆମକୁ କେବଳ ଚିହ୍ନିବାକୁ ବାକି ।