ଗଙ୍ଗା ଗଲି ଯେତେ
ଗଙ୍ଗା ଗଲି ଯେତେ
(ରମ୍ୟ ରଚନା)
ଆଜିକାଲି ମିଛ କହିବାରେ ମୁଁ ଏମ୍.ଫିଲ୍ କରିସାରିଲିଣି , ସେ କୁହନ୍ତି । ତାଙ୍କ କଥା ଶୁଣି ସବୁଥର ମୁଁ ମୁରୁକି ହସିଦିଏ ଆଉ ଆଗାମୀ ପର୍ଯ୍ୟାୟ ପାଇଁ ଅନ୍ୟ ଏକ ମିଛ କଥା ଖୋଜିନିଏ । ଅବଶ୍ୟ ଆଜି କାଲି ମିଛ ଘଟଣା ବଜାରରେ ଖୁବ୍ ଶସ୍ତାରେ ମିଳିପାରୁଛି । କିନ୍ତୁ ମୋ ମିଛ ସତ ସତ ବାସ୍ନା ହେଇପାରେ, ସେମିତି ଲାଗିଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ତେବେ ଆସନ୍ତୁ ସେ କହୁଥିବା ଅସମ୍ପୂର୍ଣ୍ଣ ଡାହା ମିଛକଥାଟିଏ ଆଜି ଶୁଣିବା, ପରଖିବା ତାହା କେତେଦୂର ସତ ଆଉ କେତେକାଂଶ ମିଛ ।
ମଞ୍ଚ ଆଲୋକ..!!
ପ୍ରଥମ ଅଧ୍ୟାୟ..!!
ଆଜି ଖଣି ଅଞ୍ଚଳକୁ ଅମୁକ ମନ୍ତ୍ରୀ ପରିଦର୍ଶନରେ ଆସୁଛନ୍ତି । ମହାଶୟଙ୍କ ନାଁ ନେବା ଅନାବଶ୍ୟକ, ବିଜ୍ଞ ମଣ୍ଡଳୀ ସବୁ ଜାଣନ୍ତି । ତାଙ୍କ ଆଗମନ ପାଇଁ ସ୍ଥାନୀୟ ପ୍ରଶାସନ ବିଦ୍ୟୁତ ବେଗରେ ଖୁବ୍ ତତ୍ପର ହୋଇ ଉଠିଛି । ସାଧାରଣ ଜନତାଙ୍କ ଅତ୍ୟାବଶ୍ୟକ ସମସ୍ୟାର ସମାଧାନ ହେଉ ଅଥବା ନ ହେଉ ସେକଥା ପର , ସେସବୁ କିଛି ଫରକ ପଡେନା କିନ୍ତୁ ମନ୍ତ୍ରୀ ମହୋଦୟଙ୍କର ଯେପରି ସାମାନ୍ୟରୁ ସାମାନ୍ୟତମ ସମସ୍ୟା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ । ଉପର ମହଲାରୁ ପା' କଡ଼ା ନିର୍ଦ୍ଦେଶ ଅଛି ।
ବିଶେଷ ଭାବେ ଚିନ୍ତିତ ଅଛନ୍ତି ରାସ୍ତା ଗମନାଗମନ ବ୍ୟବସ୍ଥାରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀ, ଆରକ୍ଷୀ ଅଧିକ୍ଷକ । କେମିତି ନହେବେ ଯେ..? ମନ୍ତ୍ରୀ ମହାଶୟ ପରା ଏସନ ଆକାଶ ପଥ ଛାଡି ସ୍ଥଳପଥରେ ଯାତ୍ରା କରିବେ । ଦେଖନ୍ତୁ ଆପଣ ଏଇଟାକୁ ନିର୍ବାଚନ ଆଗରୁ ଦଳର ପ୍ରଚାର ପ୍ରସାର ବୋଲି ଭାବିବାର ଭୁଲ କରିବେନି । ସବୁଥିରେ ଜୀରାରୁ ଶିରା ବାହାର କରି ରକ୍ତ ଚାପ ବଢେଇବା ଆଦୋୖ ଭଲ ନୁହେଁ, ହେଲା ।
ରାତି ଅଧିଆ ଅନିଦ୍ରା ହୋଇ ଖାକି ପୋଷାକଧାରୀଙ୍କ ରାସ୍ତା ଧାରେ ଧାରେ ଡ୍ୟୁଟି ମୁତୟନ ଆଉ ତଦାରଖ ଚାଲିଛି । ରିହଲସଲ ସରିଲା ଏବେ ସମ୍ପୂର୍ଣ୍ଣ ନାଟକ ପରିବେଷଣର ସମୟ ।
ତେବେ ମୋତେ ମଧ୍ୟ ଏ କାହାଣୀରେ ପ୍ରତ୍ୟକ୍ଷ ଭାବେ ନିଆଯାଉ । ଧରିନିଆଯାଉ ମୁଁ ସେ ରାବଣ ରାଜ୍ୟର ଜଣେ ସାଧାରଣ ଜନତା, ଏକ ଗୈାଣ ଚରିତ୍ର । ଯିଏ କଟାମୁଣ୍ଡ ବେଲାଳସେନ ଅଥବା ସଞ୍ଜୟ, ସବୁ ଦେଖେ ସବୁ ଜାଣେ , ପଚାରିଲେ କୁହେ ।
ଠିକ୍ ସମୟରେ ମନ୍ତ୍ରୀଙ୍କ ଶୀତତାପ ନିୟନ୍ତ୍ରିତ ବାହନ ସରକାରୀ ବଙ୍ଗଳାରୁ ବାହାରିଲା । ଆଗେ ଆଗେ ପାଇଲଟିଂ ବାହନ ପଛେ ପଛେ ମନ୍ତ୍ରୀଙ୍କ ବାହାନ । ବନ୍ଧୁକରୁ ଗୁଳି ଛୁଟିଯିବା ପରି ତୀବ୍ର ବେଗରେ ଉଭୟ ଗାଡ଼ି ବଢି ଚାଲିଥାଏ । ଘଣ୍ଟାଏ ପରେ ମନ୍ତ୍ରୀଙ୍କ ଆଖି ଖୋଲିଲି । ଯେଉଁଠି ଶୀତତାପ ନିୟନ୍ତ୍ରିତ ବାହାନ ବାମ ଦକ୍ଷିଣ ହେଇ ଦୋଳି ଖେଳୁଥିଲା କିନ୍ତୁ ଆଗକୁ ବଢ଼ିବାର ନାଆଁ ହିଁ ଧରୁନଥିଲା । ଖଣି ଅଞ୍ଚଳର ଲାଲ୍ ଧୂଳି ମାଟି ବୋଳା ରାସ୍ତା ସବୁ ସମୁଦ୍ର ଲହରୀମାଳ ଠାରୁ ମଧ୍ୟ ଅଧିକ ତରଂଗମୟ । ତା' ସହିତ ଅତ୍ୟଧିକ ମାଲବାହୀ ଗାଡ଼ି ଚଳାଚଳ ଯୋଗୁଁ ଏ ଜାମ୍ । ମଝି ରାସ୍ତାରେ ମନ୍ତ୍ରୀଙ୍କ ବାହାନ ଅଣନିଃଶ୍ୱାସୀ ହୋଇ ଅଟକି ଗଲା । ସଂଗେସଂଗେ ପାଇଲଟିଂ ଗାଡ଼ି ଭିତରୁ ଧଡାଧଡ୍ ଓହ୍ଲାଇ ଆସିଲେ ବନ୍ଧୁକ-ଲାଠି ଧାରୀ ମାମୁଁ ମାନେ। ତାପରେ..!?
ମୋ ବୋପାଲୋ କି ମାଡ଼ ବେ..?
ଢୋ ଢା ଢିସ୍ ଢାସ୍ ଢୁସ୍...!!
ମୋ ଦେହେକରେ ଏମିତି ମାଡ କେହି ଖାଇନଥିବେ, କିନ୍ତୁ ମୁଁ ଖାଇଲି । ଦେଖିବା ଲୋକ ଦୁଇଭାଗ ନିଅନ୍ତି ନା , ସେଥିପାଇଁ !!
କାହିଁକି..!? ଆରେ ଭାଇ ରାସ୍ତା ଜାମ୍ ପା, ମୁଁ ସେ ଜାମ୍ ଭିତରେ ଥାଇ ଏସବୁ ଦୃଶ୍ୟ ଉପଭୋଗ କରୁଥିଲି ।
ଏ ରାସ୍ତା ଜାମ୍ , ଧୂଳି ଧୂଆଁ ଖଣି ଅଞ୍ଚଳ ପାଇଁ ନିତିଦିନିଆ ଘଟଣା। ତିନି ଦିନ ଚାରି ଦିନ ରୋଡ଼ ଉପରେ ଅଖିଆ-ପିଆ ପଡିରହିବା ଏମାନଙ୍କ ଦେହସୁହା କଥା । ଯା'ହେଉ ଆଜି କିନ୍ତୁ ଅଧ ଘଣ୍ଟାଏ ଭିତରେ ରାସ୍ତା ଜାମ୍ ଖୋଲିଗଲା , ଧନ୍ୟବାଦ । ସେଥିପାଇଁ ଖାକି ମାମୁଁ ଙ୍କ କର୍ତ୍ତବ୍ୟନିଷ୍ଠା ଆଉ ତତ୍ପରତା ସତରେ ପ୍ରଶଂସନୀୟ ।
ମିଟିଂରେ ପୂର୍ବଥର ପରି ମନ୍ତ୍ରୀ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ୬ ମାସ ମଧ୍ୟରେ ଏ ଗମନାଗମନ (ରାସ୍ତା) ସମସ୍ୟାର ସମାଧାନ କରିଦେବେ ।
ମଞ୍ଚ ଅନ୍ଧାର..!!
ଦ୍ଵିତୀୟ ଅଧ୍ୟାୟ..!!
ଖଣି ଅଞ୍ଚଳରେ ଆଉ ଏକ ସକାଳର ଛବି, ଧୂଳି ଧୂଆଁମୟ ଦିନର ଅୟମାରମ୍ଭ । ଆଜି ପୁନଶ୍ଚ ସମାନ ଘଟଣା । ଚାରି ଲାଇନ୍ ରାସ୍ତା ଉପରେ ଛ' ଲାଇନ୍ ଗାଡ଼ି ଙ୍କ ଭିଡ଼ । ହଠାତ୍ ଖଣି ଅଞ୍ଚଳ ଆଡ଼ୁ ସହର ଅଭିମୁଖେ ଆସୁଥିବା ଏକ ଆମ୍ବୁଲାନ୍ସର ସାଇରନ୍ ଶୁଭାଗଲା । ସମସ୍ତେ ସ୍ଥାଣୁ ପ୍ରାୟ ନୀରବ ନିଶ୍ଚଳ । ଏ ଘଟଣା ଦେଖି ମୁଁ କିନ୍ତୁ ଚୁପ୍ ରହିବା ଲୋକ ନୁହେଁ । ସବୁ ସାଧାରଣ ଜନତା କଣ ସଞ୍ଜୟ ନା ବେଲାଳସେନ..!? ସେ ପାଗଳାମି ବରଦାନ କେବଳ କିଛି ଖାସ୍ ବ୍ୟକ୍ତି ଙ୍କ ପାଖରେ ଦୃଷ୍ଟିଗୋଚର ହୁଏ ।
ମୁଁ ସଂଗେସଂଗେ ପାଖରେ ପଡିଥିବା ଏକ ଦଣ୍ଡା ଉଠେଇ ବିନା ଖାକି ରେ ମାମୁଁଙ୍କ ଡ୍ୟୁଟି ତୁଲେଇ ଦେଲି । ୧୫-୨୦ ମିନିଟ୍ ଭିତରେ ସେ ଆମ୍ବୁଲାନ୍ସ ଆଗକୁ ବଢ଼ିଗଲା । ଯା' ହେଉ ଗୋଟାଏ ଚିନ୍ତା ଗଲା । ଏତିକି ବେଳକୁ ମୋ କାନ୍ଧରେ କିଏ ହାତ ରଖିବାର ଜାଣିଲି । ବୁଲି ଦେଖେ ତ ବୀର ଦର୍ପରେ ମାମୁଁ ମୋତେ ଚାହିଁ ଛନ୍ତି । ତାଙ୍କ ଚାହାଣୀ ଦେଖି ବୁଝିଗଲି ସେ ମୋ ମହତ୍ କାମର ପ୍ରଶଂସା କରିବାକୁ ଅପେକ୍ଷା କରିଛନ୍ତି ।
ସେ ଅତି ଗେହ୍ଲା ରେ ମୋତେ ତାଙ୍କ ନାଲିବତୀ ଗାଡ଼ି ରେ ବସେଇ ମାମୁଁ ଘରକୁ ନେଇଗଲେ । ସେଠାରେ ମୋ ସ୍ୱାଗତ ପାଇଁ ଅନେକ ବ୍ୟବସ୍ଥା କରାଯାଇଥିଲା । ଯେପରି ପ୍ରଥମେ ଘରର ସମସ୍ତ ସଦସ୍ୟଙ୍କ କୁଶଳ ମଙ୍ଗଳ ବିଷୟରେ ପଚାରି ବୁଝିବା । ପରେ ଦେଶ ବିଦେଶର ନୀୟମ କାନୁନ ଉପରେ ସାମ୍ୟକ ଆଲୋକପାତ କରେଇ ଭଣଜାର ଜ୍ଞାନ ଉଦୟ କରାଇବା । ସର୍ବଶେଷରେ କଥାରେ କଥାରେ ଆରିସା, କାକରା, ଚକୁଳି, ଏମିତି କେତେ କଣ ସ୍ୱାଦିଷ୍ଟ ବ୍ୟଞ୍ଜନରେ ପେଟ ପୁରେଇ ଘରକୁ ଫେରେଇବା। ସମସ୍ତ ସେବା ଉପଲବ୍ଧ ଥିଲା , ମୁଁ ପାଇଲି ।
ଆଉ କ'ଣ ଯେ, ମାମୁଁ ଘର ମିଠା ଯିଏ ଖାଇଛି ସେ ହିଁ ଜାଣିଛି । ଶ' ଗଙ୍ଗା ଗଲି ଯେତେ...!!!!
ଲାଇଟ୍ ଅଫ୍ କର ହୋ ମାଷ୍ଟ୍ରେ..!!
କଣ ଶିଖିଲି ..!? ଆଗକୁ କହିବି..!!