କନ୍ଥା
କନ୍ଥା
ବୁଢାବାପା ଥିଲାବେଳେ ବୁଢୀମା' ତାର ପ୍ରିୟ କନ୍ଥାଟିକୁ ସବୁଦିନ ଅସନଛାଲି ଖାର ଦେଇ ସଫା କରି ରଖୁଥିଲା..!! ଏବେ ବୁଢାବାପା ଆଉ ନାହାନ୍ତି, ତେଣୁ ସେ କନ୍ଥାରୁ ଉଷୁମୁଳିଆ ଗନ୍ଧ ଭାସି ଆସୁଛି ଘର ସାରା..!!
ଥରେ ବୁଢାବାପା କହୁଥିଲେ, ବୁଢୀମା'ର ସେଇ କନ୍ଥା ପଛରେ ଗୋଟିଏ କାହାଣୀ ଅଛି..!!
ବୁଢୀ ମାଆ ଯେତେବେଳେ ତାଙ୍କ ଘରୁ ଏ ଘରକୁ ନୂଆ ହେଇ ଆସିଲେ ତାଙ୍କ ବାପା ଗେହ୍ଲାରେ ତାଙ୍କୁ ଗୋଟିଏ କମ୍ବଳ ଦେଇଥିଲେ..!! ଆରମ୍ଭ କିଛିଦିନ ବୁଢୀ ମା' ସେ କମ୍ବଳ ଦେହରେ କାହା ହାତ ଲଗେଇ ଦେଉନଥିଲା କିନ୍ତୁ ଧିରେ ଧିରେ ସେ କମ୍ବଳ ଉପରେ କେବଳ ବୁଢାବାପାଙ୍କୁ ଛୁଇଁବାର ଅଧିକାର ମିଳିଗଲା..!!
କି ଖରା-ବର୍ଷା-ଶୀତ-କାକର ସୁଖଦୁଃଖ ସବୁ ସମୟର ସାଥି ଥିଲା ସେ କମ୍ବଳ..!!
ଅଚାନକ ବୟସର ଅପରାହ୍ନରେ କମ୍ବଳ ଦୁର୍ବଳ ହୋଇ ଛିଣ୍ଡିବାକୁ ଗଲା..!! ତଥାପି ବୁଢୀ ମାଆ ସେ କମ୍ବଳକୁ ଛାଡିଲାନି..!! ତା'ର ଦୁଇ ପାଖ ଶାଢୀ ଥାକିଲି ଦେଇ ତିଆରି କରିଦେଲା ଏଇ ମଜବୁତ୍ କନ୍ଥାଟିକୁ..!! ସେବେଠାରୁ କମ୍ବଳ ପରିବର୍ତ୍ତେ ତା' ନାଆଁ ହେଲା କନ୍ଥା..!!
ବୁଢାବାପା ଗଲାପରେ କେବେ ଯଦି ମା' କିମ୍ବା ବାପା ସେଇ କନ୍ଥାଟିକୁ ସଫା କିମ୍ବା ବ୍ୟବହାର କରିବାକୁ ଚାହିଁଛନ୍ତି ତେବେ ଅଦିନିଆ ଝଡତୋଫାନ ଉଠେ ଆମ ଘରେ..!!
ବୁଢୀ ମାଆ କହେ, ସେ ଆସିବା ବେଳ
େ ତାକୁ ନେଇ ଆସିଥିଲା ମଲାବେଳେ ତାକୁ ସାଥିରେ ନେଇ ଚାଲିଯିବ, ତା' ଉପରେ କାହାର କୌଣସି ଅଧିକାର ନାହିଁ ..!! ସେ କନ୍ଥା ଉପରେ କେବଳ ତାର ହିଁ ହକ୍..!!
ଡିସେମ୍ବର ଶୀତରାତି, ସମସ୍ତେ ଖାଇ ପିଇ ଶୋଇପଡିବା ପରେ ବୁଢୀ ମାଆ ମଧ୍ୟ ଶୋଇବାକୁ ଗଲା କିନ୍ତୁ ପରଦିନ ସକାଳେ ସେ ଆଉ ଉଠିନଥିଲା..!! ସେ ରାତିର ନିଦ ଥିଲା ତା ଜୀବନର ଶେଷନିଦ୍ରା..!! ସେ ସେଇ କନ୍ଥାଟିକୁ ଘୋଡିହେଇ ଶୋଇପଡିଥାଏ..!!
କିଛି ଘଣ୍ଟା ପରେ ସମସ୍ତ ବନ୍ଧୁ-ବାନ୍ଧବ, ପରିଜନ ବୁଢୀ'ମାଙ୍କ ସହିତ ତା' କନ୍ଥାଟିକୁ ମଧ୍ୟ ମଶାଣିରେ ଜଳେଇ ଦେଇଆସିଲେ..!!
ମୋତେ ଲାଗିଲା ଏ କନ୍ଥା କାହାଣୀ ସେଇଠି ଶେଷ ହେଇଗଲା କିନ୍ତୁ ନା... ବୁଢୀ ମାଆ ଗଲାପରେ ଅନେକ ଦିନ ଯାଏଁ ଆମ ଘରୁ ଯାଉନଥିଲା ସେଇ କନ୍ଥାର ଉଷୁମୁଳିଆ ବାସ୍ନା..!! ଏବେ ସେ କନ୍ଥାର ବାସ୍ନା ଆମପାଇଁ ଅସହ୍ୟ ପରିବର୍ତ୍ତେ ଖୁବ୍ ଆପଣାର ଆଉ ନିବିଡ଼ ଲାଗୁଥିଲା..!!
ଆଜିକାଲି ଆମଘରେ ଅନେକ କନ୍ଥା, ଯେମିତି ବାପାଙ୍କ କନ୍ଥା - ମା' ଙ୍କ କନ୍ଥା - ମୋର କନ୍ଥା..!! ଶୁଣିଛି ସେ ସମସ୍ତଙ୍କୁ ମଧ୍ୟ ତାଙ୍କ ବାପାମାନେ ଗେହ୍ଲାରେ କନ୍ଥାସବୁ ଉପହାର ଦେଇଛନ୍ତି..!! ଆଉ ଏ ଉପହାରକୁ ଆମେ ସମସ୍ତେ ମଧ୍ୟ ଖୁବ୍ ଭଲପାଉଛୁ..!!
କିନ୍ତୁ ମୁଁ ବୁଝିପାରେନା ଆମ ସମସ୍ତଙ୍କ ବାପାମାନେ କଣ ଏକାପ୍ରକାର, ନା ଆମ ସମସ୍ତଙ୍କ ବାପା କେବଳ ସେଇ ଜଣେ..?