STORYMIRROR

Shiba Charan Mahapatra

Inspirational Others

3  

Shiba Charan Mahapatra

Inspirational Others

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

2 mins
170


ପ୍ରତ୍ୟେକ ଗଳ୍ପ ବାସ୍ତବତାର ଚିତ୍ରାଙ୍କନ ଆଉ ପ୍ରତ୍ୟେକ ଚିତ୍ର କଳ୍ପନାତ୍ତିତ ବାସ୍ତବତା , ଏହା କେବେ ଅସ୍ୱୀକାର କରାଯାଇ ପାରେନା । ଶୀତ ଦିନର ସକାଳ ପୁଣି ଅନ୍ଧାରୁ ଉଠି ବାପାଙ୍କ ପଛେ ପଛେ ବେଙ୍ଗଳା କରିବା କାହାର ଅବା ଇଛା ଥାଏ କହିଲ । ତଥାପି ବେଳେବେଳେ କିଛି ପାଇବାକୁ ହେଲେ ନିଜ ଅନିଚ୍ଛା ସତ୍ତ୍ବେ ଇଛା କରି କରିବାକୁ ହୁଏ । ସକାଳୁ ଟ୍ୟୁସନ ଯାଇ ଟ୍ୟୁସନ ସାର୍ ଙ୍କ ପାଖରେ କୁକୁଡା ହେବା ଅପେକ୍ଷା ବାପାଙ୍କ ସହିତ କାମ କରିବା ବାହାନାରେ ଠକିଦେବା ଶତଗୁଣ ଭଲ । ଏୟା ଭାବି ମୁଁ ବାପାଙ୍କ ପଛ ଛାଡୁ ନଥାଏ । ଏମିତି ବି ମୋ ସହଯୋଗ ମୋ ବାପାଙ୍କ ପାଖରେ ଶ୍ରୀରାମଚନ୍ଦ୍ରଙ୍କ ସେତୁବନ୍ଧରେ ଗୁଣ୍ଡୁଚି ବାଲି ପକାଇବା ସଙ୍ଗେ ସମାନ । ମୋ ମା' କିନ୍ତୁ କେଉଁ ରାଣୀ ଲକ୍ଷ୍ମୀବାଇଙ୍କ ଠାରୁ କମ୍ ନୁହଁନ୍ତି । ବାପା ସିନା କିଛି କୁହନ୍ତିନି ହେଲେ ମା' ସବୁବେଳେ ଗେରେ ଗେରେ । ବାବା ଏଇଟା କରିବ , ବାବା ଏଇଟା କରିବନି ଏଇଠି ବସିବ , ଏଇଠି ହସିବ , ଏଇଠି ଖାଇବ ,ଏଇଠି ହଗିବ..ସବୁଥିରେ କଟକଣା । 

ବେଳେବେଳେ ଆକାଶକୁ ଚାହିଁ ମୁଁ କହେ ,-"ହେ ଭଗବାନ.., ତୁମ ମା ବି କଣ ତୁମକୁ ଏମିତି ହଇରାଣ କରନ୍ତି ନା ମୋ ମା' ହିଁ କେବଳ ଏମିତି..!?"

 ମା' ଯେଉଁଦିନ ମାଡ ମାରେ ବାପା କହନ୍ତି ,-"ମା ମାଡ କୁଆ ପାଡ ଯା' ଭୁଲିଯା..।" 

ଆଉ ମୁଁ ଫେଁ କରି ବାପାଙ୍କ ସହିତ ହସିଦିଏ । ସେଦିନ କିନ୍ତୁ ମା' ମୋତେ ଟାଣିଆଣି କହିଲା,-" ତୁ ଯା ଶୀଘ୍ର ଦାନ୍ତ ଘଷିଦେଇ ପିଠା ଖାଇ ଟ୍ୟୁସନ ବାହାରି ପଡ ।"

ମୁଁ ରୁକ୍ ଠୁକ୍ ମନା କରିଦେଲି ,-"ମୁଁ କାମ କରୁଛି ପରା ମୁଁ ଟ୍ୟୁସନ ଯିବିନି ।"

ସଙ୍ଗେ ସଙ୍ଗେ ମା' ସହିତ ମୋର ଘମାଘୋଟ ବାକ୍ ଯୁଦ୍ଧ ଆରମ୍ଭ ହେଇଗଲା । ବାପା କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ତାଙ୍କର କିଛି ଯାଏ ଆସେ ନାହିଁ । ସେ ଖାଲି ମେରୁଖୁଣ୍ଟ ପରି ଦେଖି ମୁରୁକି ମୁରୁକି ହସୁଥିବେ । ଯୁଦ୍ଧ ଏତେ ବଢିଗଲା ଯେ ମା' ରାଗରେ କହିଲା,

-'' ତୁ ସବୁଦିନ ମୋ ସହିତ ଝଗଡା ଲାଗୁଛୁ ତ , ଠିକ ଅଛି ମୁଁ ମରିଗଲେ ଦେଖିବି ତୁ କାହାକୁ ରାଗୁଛୁ ଆଉ କାହା ପାଖରେ ଗେହ୍ଲେଇ ହେଇ ଖାଉଛୁ ଶୋଉଛୁ ..??"

ମୁଁ ସ୍ୱପ୍ନରେ ସୁଦ୍ଧା କେବେବି ଭାବି ନଥିଲି ମୋର ଟିକିଏ ଦୃଷ୍ଟାମିରେ ମୋ ମା' ଏତେ ବଡ କଥାଟିଏ କହିଦେବ । ମୁଁ ମା ପାଖକୁ ଦୌଡି ଯାଇ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦି ଉଠିଥିଲି । ସେଦିନ ସେଇ ମୁହୂର୍ତ୍ତ ଠାରୁ ମୁଁ ନିଜକୁ ନିଜେ କଥା ଦେଇଥିଲି କି ମୁଁ ଜୀବନରେ ଏମିତି କିଛି କାମ କରିବିନି ଯାହା ମୋ ମା' ମନରେ କଷ୍ଟ ଦେବ । ବୋଧହୁଏ ଏହାକୁ ହିଁ ପ୍ରେମ କୁହାଯାଏ । ଯା'ର ପଦିଏ ଟାଣ କଥାରେ ଆପେ ଆପେ ମୋ ଆଖିରୁ ଲୁହ ଝରିଗଲା ତେବେ ତାହା କଣ ପ୍ରେମ ନୁହେଁ ..!? ଯା' ଆଖିରେ ଟିକିଏ ଲୁହ ନ ଦେଖିବା ପାଇଁ ମୁଁ ଭୀଷ୍ମ ପ୍ରତିଜ୍ଞା ନେଇ ପାରିଲି ସେଇଟା କଣ ମୋର ତା' ପ୍ରତି ଭଲପାଇବା ନୁହେଁ ..!? ବୋଧହୁଏ ହଁ.. ତାକୁ ହିଁ ପ୍ରେମ କୁହାଯାଏ । ମୋ ଜୀବନର ପ୍ରଥମ ପ୍ରେମ ଏମିତି ଯା'ର ପଦିଏ କଥାରେ ମୁଁ ତିଳେ ମାତ୍ର ସଂକୋଚ କିମ୍ବା ପ୍ରଶ୍ନ ନକରି ନିଆଁ ଭିତରକୁ ଲମ୍ଫ ଦେବାକୁ ବି ପ୍ରସ୍ତୁତ ହୋଇ ଯାଉଥିଲି । ମୋ ମା'ର ଖୁସି ପାଇଁ ମୁଁ ସବୁକିଛି କରିପାରେ ବୋଲି ଗୋଟିଏ ପରେ ଗୋଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରମାଣିତ କରି ସାରିଥିଲି । ମୋତେ ଲାଗେ ଜଣେ ମଣିଷକୁ ସମ୍ପୂର୍ଣ୍ଣ ମଣିଷ ଭାବରେ ଗଢିତୋଳିବା ପାଇଁ ହେଲେ କେବଳ ସେଇ ନୈସର୍ଗିକ ପବିତ୍ର ପ୍ରେମ ହିଁ ଏକ ମାତ୍ର ମାର୍ଗ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational