Siddhartha Tripathy

Romance Action Inspirational

4  

Siddhartha Tripathy

Romance Action Inspirational

ହାୱାଇ ଚପଲ

ହାୱାଇ ଚପଲ

5 mins
166


*ନୃତ୍ଯ ଦେଖି ସେ ଆତ୍ମବିଭୋର ହୋଇ ଉଠିଛି। ଚଣାଚୁର ଗଣ୍ଡେ ଗଣ୍ଡେ ଖାଇଚାଲିଛି। ପ୍ରାଣରେ ଜାଗିଛି ପୁଲକ। ମନରେ ଉନ୍ମାଦନା। ଚିତ୍ତ ଚଞ୍ଚଳ। ଗୋଡ ଦୁଇଟି ସିଟ୍ ଉପରକୁ ଉଠାଇନେଇ ଚୌକି ଉପରେ ଚକାମାଡି ବସି ଆଣ୍ଠୁ ଦି'ଟାକୁ ସେ ମର୍ଦ୍ଦଳ କରିଦେଇଛି। ହାତ ଚାଲୁଛି, ମୁଣ୍ଡ ହଲୁଛି* ........." ଆଜି ସନିଆର ଆନନ୍ଦ କହିଲେ ନସରେ। ତାର ଜୀବନ ଯମୁନାରେ ଜୁଆର। ସେ ଆଜି ଯେମିତି ଆନନ୍ଦିତ, ଆମେରିକାର ଚନ୍ଦ୍ର ବିଜୟୀ ମାନେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସେତିକି ଆନନ୍ଦିତ ହୋଇନଥିବେ। ପାରଳାଖେମୁଣ୍ଡିର ଶ୍ରୀକୃଷ୍ଣ ପ୍ରେକ୍ଷାଳୟ ସାମ୍ନାର ଚିନାବାଦାମ ବିକାଳୀ ରତନୀ ତା ପ୍ରେମିକା। ବହୁଦିନରୁ ମନକରିଛି ଚଳଚ୍ଚିତ୍ରଟିଏ ଦେଖିବାକୁ। ଏମିତି ସୁଯୋଗ କିଏ ହାତଛଡା କରିବ ଯେ ? ମନେମନେ ଭାବିଚାଲିଛି ସନିଆ ଆଜି ଯେମିତି ହେଉ ରତନୀକୁ ଚଳଚ୍ଚିତ୍ର ଦେଖାଇବ। ଭିଡଭିତରେ ପଶି ଦୁଇଟି ଟିକେଟ୍ ଆଣି ଆସିଲା ସନିଆ। ରତନୀହାତକୁ ଟିକେଟ ଖଣ୍ଡିଏ ବଢେଇ ଦେଇ ପ୍ରେକ୍ଷାଳୟ ଭିତରେ ପହଞ୍ଚିଗଲା ସନିଆ। ଅନ୍ଧାରଭିତରେ ପାଖରେ ଆସି ବସିଗଲା ରତନୀ। ତା'ର କସ୍ତା ଶାଢୀର ବିଚୁକୁଟିଆ ଗନ୍ଧ ବି ସନିଆକୁ ମଲ୍ଲୀଫୁଲ ପରି ବାସୁଥିଲା। କଥାରେ ଅଛି "ଯାହାକୁ ଯିଏ ରସିଲା, ମଲ୍ଲିଫୁଲ ପରି ବାସିଲା " । ରତନୀର ଫୁଙ୍ଗୁଳା ଦିହଟାକୁ ଦରାଣ୍ଡୁଥିଲା ସନିଆ। ରତନୀ ଚଳଚ୍ଚିତ୍ର ଦେଖୁଦେଖୁ କହୁଥିଲା, ଏମିତି କ'ଣ ହେଉଛୁ ? ମୋତେ ତ ଉପହାରଟିଏ ଦେବାର କ୍ଷମତା ନାହିଁ, ଶରୀରସାରା ହାତ ଘୁରୋଉଛୁ କାହିଁକି ? ଅନ୍ଧାରରେ ପାନଖିଆ ଦାନ୍ତ ନିକୁଟି ସନିଆ କହିଲା, ରତନୀ ଲୋ ! ମୋ ବାପା ହାଡୁ ସେଠୀ ବହୁତ କଷ୍ଟରେ ନବମ ଯାଏଁ ପାଠ ପଢେଇଲା, ତାପରେ ମୋ ପଢାରେ ଡୋରି ବନ୍ଧାହେଲା। ଚଳଚ୍ଚିତ୍ର ପାଇଁ ବା 'ର ପକେଟରୁ ଟଙ୍କା ଚୋରିକରି ହଳେ ହାୱାଇ ଚପଲ କିଣିଲି ଓ ଟିକେଟ ଦୁଇଟା ଯୋଗାଡ କଲି। ମୁଁ ତତେ କେତେ ଭଲପାଏ ତୁ କ'ଣ ଜାଣିନୁ ?  ଚିଡିଉଠି ରତନୀ କହିଲା, ତୋର କାମଧନ୍ଦା ନାହିଁ। ତେଣୁ ମୋ ସାମ୍ନାରେ ଦିନସାରା ବସି ଅନେଇ ରହିବାଟା ପ୍ରେମ ନୁହେଁ, ଆଉକିଛି। ମୁଁ କ'ଣ ଜାଣିପାରେନି, ତୁ ପରା ମୋ ଫୁଙ୍ଗୁଳା ଦିହଟାକୁ ଅନେଇ ରହୁ। ଅନ୍ଧାରରେ ଲାଜେଇ ଯାଇ ତଳକୁ ଅନେଇ ଚମକିଉଠିଲା ସନିଆ। ସେ ପିନ୍ଧିଥିବା ହାୱାଇ ହଳକ ପ୍ରେକ୍ଷାଳୟ ଛାଡିଲାବେଳେ ରତନୀକୁ ଦେଇଦେବ। ଧିର କଣ୍ଠରେ ସନିଆ କହିଲା, ଏ ରତନୀ ! ମୃତ୍ୟୁ ପରେ ପୁନର୍ଜନ୍ମ ଅଛି କି ନାହିଁ ମୋତେ ଜଣାନାହିଁ। କିନ୍ତୁ ମୁଁ ଏ ଜନ୍ମରେ ତତେ ମୋର ସହଧର୍ମିଣୀ କରିବି। ତୁ ମୋର ଭାବୀସନ୍ତାନର ଜନନୀ ହେବୁ, ତୋ ପାଇଁ ନିଜ ଦେହମନକୁ ପବିତ୍ର ରଖିଛି। ମୋ ପାଖରେ ଧନାଢ୍ଯ ପ୍ରେମିକ ପରି ପଞ୍ଚତାରକା ହୋଟେଲରେ ତୋର ସାନ୍ନ୍ନିଧ୍ୟ ଲାଭକରିବାର ସମ୍ୱଳ ନାହିଁ। କହିବାସହ ଚଳଚ୍ଚିତ୍ରର ନୃତ୍ଯ ଦେଖି ସେ ଆତ୍ମବିଭୋର ହୋଇ ଉଠୁଛି। ଚଣାଚୁର୍ ଗଣ୍ଡେଗଣ୍ଡେ ଖାଇଚାଲିଛି। ପ୍ରାଣରେ ଜାଗିଛି ପୁଲକ। ମନରେ ଉନ୍ମାଦନା ।ଚିତ୍ତ ଚଞ୍ଚଳ। ଗୋଡଦୁଇଟି ସିଟ୍ ଉପରକୁ ଉଠାଇନେଇ ଚୌକିଉପରେ ଚକାମାଡି ବସି ଆଣ୍ଠୁ ଦୁଇଟିକୁ ମର୍ଦ୍ଦଳ କରିଦେଇଛି। ହାତ ଚାଲୁଛି, ମୁଣ୍ଡ ହଲୁଛି। ସଙ୍ଗୀତରର ତାଳେ ତାଳେ ନାଚି ଉଠୁଛି ସେ। କହିଚାଲିଛି ସେ ..... ଜାଣିଛୁ ରତନୀ...... ବାରମ୍ବାର ମୋ ଧଳା ହାୱାଇନରେ ତୋର କୁଙ୍କୁମର ଦାଗକୁ ଧରିରଖିବାର ପ୍ରାବଲ୍ୟକୁ ମୁଁ ଅସ୍ଵିକାର କରିପାରିବି ନାହିଁ। ବାସର ରାତ୍ରିରେ ତୋ କଳାଚୁଡିର ଭଗ୍ନାଂଶ ବିଛଣାରୁ ଉଠାଇବାର ଅଦମ୍ୟ ଇଚ୍ଛା ରହିଛି। ସନ୍ତର୍ପଣରେ ରତନୀର ସିଟ୍ ଉପରେ ହାତଟା ରଖିବାକୁ ଚେଷ୍ଟା କରିବା ସମୟରେ.......! ମଧ୍ୟାନ୍ତର ଲେଖିବା ସହିତ ପ୍ରେକ୍ଷାଳୟର ଲାଇଟଗୁଡିକ ଜଳିଉଠିଲା। ରତନୀ ପୁଣି ପଚାରିଲା, ପଇସା ଧରିଛୁ ? ମୁଣ୍ଡ ହଲାଇ ମନାକଲା ସନିଆ। ସନିଆ ପାଖରେ ବସିଥିବା କଲେଜଟୋକାଟା ପାଞ୍ଚଶହ ଟଙ୍କିଆ ନୋଟଟିଏ ରତନୀ ହାତକୁ ବଢେଇଦେଇ ଇସାରା କଲା । ଉଠିଚାଲିଗଲା ରତନୀ, ପଛେପଛେ ସେ ଟୋକା । କିଛି ବୁଝିବାକୁ ବାକିନଥିଲା ସନିଆର। ନିଜ ଅପାରଗତାକୁ ନିନ୍ଦାକରି ଅସଫଳ ପ୍ରେମିକ ପରି ମୁଣ୍ଡ ଆଉଁଶି ଚଳଚ୍ଚିତ୍ର ଦେଖିବାରେ ଲାଗିଲା ସନିଆ। ସରିଗଲା ଚଳଚ୍ଚିତ୍ର। ଆରେ...... ପାଦତଳେ ଚପଲ ନାହିଁ। ରତନୀକୁ ଦେବାର ଥିଲା। ଖୋଜାଖୋଜି କରି ନପାଇ ଘରେ ପହଞ୍ଚିଲା। ବା' ଅନେଇ ରହିଥିଲା ସନିଆର ଆସିବା ବାଟକୁ। ପିଟିଦେଇଗଲା ସନିଆକୁ। ହାଡୁ କହିଉଠିଲା, ବିଷଟିକେ ମିଳୁନି କୁଳାଙ୍ଗାର । ଚୁପଚାପ ସହିଯିବା ସହ ରତନୀର ଆଚରଣ ଓ ସେ ଟୋକାର ସମ୍ପର୍କ କଥା ଭାବିଭାବି ମ୍ରିୟମାଣ ହୋଇଯାଇଥିଲା ସନିଆ। ମନକରୁଥିଲା ଅଲୋଡା ପ୍ରାଣଟାକୁ ମହେନ୍ଦ୍ରତନୟା ନଦୀରେ ବିସର୍ଜନ କରିଦିଅନ୍ତା କି ? ନୁହେଁ ତ ଆଉ କ'ଣ ? ମାଆ ବଞ୍ଚିଥିଲେ ଏମିତି ଚୁଲିଫୁଙ୍କି ରୋଷେଇ ସାଙ୍ଗକୁ ନିମ୍ନତମ ସ୍ୱାଧିନତା ଟିକକ ହରେଇ ନଥାନ୍ତା ସେ। ଅପରପକ୍ଷେ ରତନୀର ଏତାଦୃଶ କାର୍ଯ୍ଯକଳାପ ତାକୁ ମର୍ମାହତ କରିଥିଲା। ମନେମନେ ଭାବୁଥିଲା, ଛୋଟବେଳେ ପଢିଥିବା ପାଠ, ନାରୀ ଜନନୀ, ଭଗିନୀ, ଜାୟା। ହେଲେ ଭଲପାଉଥିବା ରତନୀର ଅଧାରାସ୍ତାରୁ ଆଖିସାମ୍ନାରେ ଟଙ୍କା ପାଞ୍ଚଶହ ପାଇଁ ଶରୀର ସମର୍ପଣ ନାରୀର କେଉଁ ରୂପକୁ ସୁଚୋଉଥିଲା କାଇଁ ତାହା ତ କେଉଁ ପୁସ୍ତକରେ ପଢିଲାପରି ତା'ର ମନେ ହେଉନଥିଲା। ପୁରୁଷ ପ୍ରେମିକ, ପିତା, ପୁତ୍ର ଏଇଆ ବି ଜାଣିଥିଲା, କିନ୍ତୁ ଆଖିସାମ୍ନାରେ ପ୍ରେମିକାକୁ ଉଠେଇ ନେଇଗଲାବେଳେ ଅସହାୟ ପରି ଜୁଳୁଜୁଳୁ ଅନେଇଥିବା ପୁରୁଷ ବିଷୟରେ ଗଭୀର ଜ୍ଞାନ ତା'ର ନଥିଲା। ଯାହା ହେବାର ହେଲା, କିନ୍ତୁ...... ହାୱାଇ ଚପଲ ହଳକ କିଣି ସାରି ପିନ୍ଧି ଆସିବା ସମୟରେ ରାସ୍ତାର ଧୁଳି ପଡିଗଲେ ପୋଛି ପକୋଉଥିଲା ସନିଆ, ଅଥଚ ସେ ହଳକ ବି ଧୋକାଦେଲା। କିଛିଦିନ ପରେ........ ହାତକୁ ଦିହାତ କରିଦେଲା ବା'। ବୋହୁହୋଇ ଆସିଲା ପାରଳାଖେମୁଣ୍ଡି ଧୋବାସାହିର ଶିବାନୀ। ଆସିଲାପରଠୁ ଘରେ କମ୍ ବାହାରେ ବେଶୀ ରହୁଥିଲା ଶିବାନୀ। ସନିଆ ତ ସନିଆ ବା' କୁ ବି ପ୍ରଶ୍ନ କରିବାର ଅଧିକାର ନଥିଲା। ପଚାରିଲେ ବାପାପୁଅ ଦୁହିଁଙ୍କୁ ଅଯୋଗ୍ୟ ଅପାରଗ କହି ଝାଡୁରେ ଝାଡିଦେଇ ଯାଉଥିଲା। ଓଲଟି ଗାଳିଶୁଣୁଥିଲା ସନିଆ। ବା' ଟା କହୁଥିଲା, ସ୍ତ୍ରୀଟାକୁ ବି ସମ୍ଭାଳି ପାରିଲାନି। ବାରଦୁଆର ଘୁରିବୁଲୁଛି ଶିବାନୀଟା। ବା' ର ଦଉଡିଆ ଖଟଟା ଶିବାନୀ ଅଧିନରେ ଥିଲା। ବାପପୁଅ ଶୋଉଥିଲେ ମାଟିଚଟାଣରେ। ବୋହୁଟାକୁ ବେଶ୍ୟା କରିଦେଲା କହିକହି ଆଖିବୁଜିଲା ହାଡୁସେଠୀ। ୟାରି ଭିତରେ ବିତିଯାଇଛି ଛଅମାସ।    ସନିଆ ସେଠି ଆଜି ଚାକିରୀରେ ଜଏନ କରିଛି। ସେ ଆଜି ପିଅନ। ତା ଜୀବନର ବଡ ଅଭିଳାଷ ପୂରଣ ହୋଇଛି।ସାର୍ଥକ ହୋଇଛି ତା ମନୋବାଞ୍ଛା। ବା' ଟା ବଞ୍ଚିଥିଲେ କେତେ ଖୁସି ହୋଇଥାଆନ୍ତା। ସନିଆ ଜୀବନର ସ୍ୱପ୍ନ ସାର୍ଥକ ହୋଇଛି। ସନିଆ ଯୌବନ-ଉଦ୍ୟାନର ରଙ୍ଗୀନ ଗୋଲାପ କେବେଠୁ କଣ୍ଟକିତ ହୋଇସାରିଲାଣି। ଚାକିରୀର ପ୍ରଥମ ଦିନ। ବାବୁଟା ବୁଟପଲିସ କରେଇବାସହ ତାଙ୍କ ଘରର ରୋଷେଇବାସ ଓ କୁକୁରର ସେବା ଦାୟିତ୍ବ ଦେଲେ। କୁକୁରଟାକୁ ବାହାରେ ବୁଲୋଉ ବୁଲୋଉ ସେ କୁକୁର ମାଇକୁକୁରଟାକୁ ଦେଖି ଚେନ ଛିଣ୍ଡାଇ ସନିଆ ହାତରୁ ଚମ୍ପଟ ମାରିବା ସହ ସନିଆ ଆଖି ସାମ୍ନାରେ ଛୋଟି ମାଇକୁକୁରଟାର ଇଜ୍ଜତ ନେଇଗଲା। ସନିଆ ଆଖି ସାମ୍ନାରେ ନାଚିଯାଉଥିଲା ପୁରୁଣା ପ୍ରେମିକା ରତନୀ ଓ ହାତଧରି ସଂସାର କରିଥିବା ଶିବାନୀର ଛବି ଠିକ୍ ଏଇ ମାଇକୁକୁର ପରି। ନିର୍ଧୁମ୍ ପିଟିଦେଇଗଲା ବାବୁଙ୍କ କୁକୁରଟାକୁ। ବାବୁଙ୍କ ରାଗ ପଞ୍ଚମ। କୁକୁର ବେଲ୍ଟଟାରେ ପିଟିଦେଇଗଲେ ତାକୁ। ପିଠିଆଉଁଶି ଘରକୁ ଫେରିଲା ସନିଆ। କିଛିସମୟପରେ ପହଞ୍ଚିଲା ଶିବାନୀ। ଶିବାନୀର ଚାଲି ଓ ସାଜସଜ୍ଜାରୁ ଶିବାନୀର କୃତକର୍ମର ଅନୁମାନ ଲଗେଇପାରୁଥିଲା ସନିଆ। ପରିହାସ କରୁଥିଲା ଗରିବୀ। ମଧ୍ୟରାତ୍ରୀର ମଧ୍ୟଭାଗରେ ଶିବାନୀର ଫୁଙ୍ଗୁଳା ଶରୀରଟାକୁ ନିଜ ଆଡକୁ ଭିଡୁଥିଲା ସନିଆ। ଦିନସାରା କାମକ୍ରିଡାରେ ଥକ୍କି ଯାଇଥିବା ଶିବାନୀ ବିରକ୍ତିରେ ସନିଆର ହାତଟାକୁ ଛିଞ୍ଚାଡି ଦେଇ କହିଲା ସ୍ନୋ ପାଉଡରଟିକେ କିଣିବାର କ୍ଷମତା ନାହିଁ, ପୁଅ ପତିପଣିଆ ଦେଖୋଉଛି। ଖୁଁ ଖୁଁ କାନ୍ଦିକାନ୍ଦି ଭାଗ୍ୟକୁ ନିନ୍ଦୁଥିଲା ସନିଆ। ହଠାତ୍ ନଜର ପଡିଗଲା ଶିବାନୀ ଆଣିଥିବା ଯୌତୁକ ସୁଟକେଶ ଉପରେ। ସୁଟକେଶଟି ଖୋଲି ଦେଖିବାରେ ଲାଗିଲା ସନିଆ। ଦର୍ପଣ, ପାନିଆ, କାଶ୍ମୀର ସ୍ନୋ ଡବା ସହ ଥିଲା ଜରିକାଗଜର ପୁଡିଆଟିଏ - ନାଲିଫିତା ଲଗା ହଳେ ହାୱାଇ ଚପଲ ! ସନିଆ ହଠାତ୍ ଚମକିଉଠିଲା। ଚାରିମାସତଳେ ସିନେମାହଲରେ ହଜେଇଆସିଥିବା ଚପଲ ପରି ଥିଲା ଏଇ ଚପଲ ହଳକ। ରତନୀର ସ୍ମୃତି ମନେପଡିଯିବାରୁ ସନିଆ ଶିବାନୀକୁ ପଚାରିଲା, "ଶିବାନୀ ! ଶ୍ରୀକୃଷ୍ଣ ସିନେମାହଲ ସାମ୍ନାରେ ଚିନାବାଦାମ ବିକୁଥିବା ରତନୀକୁ ତମେ ଜାଣିଛ ? ଏଇ କେତେଦିନ ହେଲା ଦେଖାଯାଉନି।"ତମେ ତାକୁ ଜାଣିଛ କି ? ଆଁ କରି ଅନେଇ ପଚାରିଲା ଶିବାନୀ, ଚପଲକୁ ଦରାଣ୍ଡୁଛ, ହଠାତ୍ କାହିଁକି ମନେପଡିଲା ରତନୀ। ଚପଲ ଦେଖି ଭାବବିହ୍ବଳ ହୋଇ ଆମୂଳଚୁଳ କହିଗଲା ସନିଆ। ଆରମ୍ଭ ହେଲା ଝାଡୁ ପ୍ରହାର। ଶିବାନୀ କହିଲା ,ସେ ପରା ମୋ ବଡ ଭଉଣୀ। ବ୍ୟବସାୟ କରିବାକୁ କଲିକତା ଯାଇଛି। ଶିବାନୀର ଉତ୍ତରରେ ସନିଆର ମୁଣ୍ଡଟା ଘୁରିଗଲା........! ସାରମର୍ମ : ଅସତୀ ଦୁଷ୍ଟା ନାରୀ ଘରେ। ବିବିଧ ଛନ୍ଦ ମାୟା କରେ। । ତା'ର ବଶରେ ନିତ୍ୟ ଥାଇ। ସେବକ ଜନ ପ୍ରାୟେ ହୋଇ। । ନୟନ ଥାଉ ନଦେଖେଇ। ଅନ୍ଧ ଜଳକା ପ୍ରାୟ ହୋଇ। ।


Rate this content
Log in

Similar oriya story from Romance