ଗୋଲାପ ଡାଏରୀ
ଗୋଲାପ ଡାଏରୀ
ବାହାଘରର ଦଶ ବର୍ଷ ପରେ ଆଜି ଭିତର ଗୁମୁଟି ଘର ସଫା କରୁ କରୁ, ସୁନେଲି ରଙ୍ଗର ସ୍କାର୍ଫ ବନ୍ଧିତ ଗୋଟେ ପୁଟୁଳି ଭିତରେ ପାଇଲି ମୋ ଅତି ନିଜର, ଅତି ଆପଣାର ହାତ ଲେଖା ଡାଏରୀଟେ... ଝାଡ଼ି ଝୁଡି ଅଲଗା ରଖିଲି ଡାଏରୀଟିକୁ..ସୁନିଶ୍ଚିତ କଲି ସଫା କରି ସାରି ପଢ଼ିବି ଟିକେ ସମୟ ଦେଇ... ସଫା କରି, ଗାଧୋଇ ସାରି, ଠାକୁର ପୂଜାଟି ଅତି ନିଶ୍ଚଳ ଭାବେ କରି ସାରି ଖାଇବାକୁ ବାଢିବାକୁ କହିଲି ସୁଲଗ୍ନାଙ୍କୁ...
ବୋଧହୁଏ କିଛି ପାପ କରି ଥିଲି, ବର୍ଷକେ ୩୬୫ ଦିନ ଘରେ ବିନା କାରଣରେ ପାଟି ତୁଣ୍ଡ ହୁଅନ୍ତା କାହିଁକି... ଘରେ କୋଳାହଳ ହେଲେ ଲଷ୍ମୀ ଛାଡିଯାନ୍ତି ଶୁଣିଥିଲି... କିନ୍ତୁ ଏ ପ୍ରକାର ଅଯଥା ତର୍କ ବିତର୍କ ଭିତରେ ଲକ୍ଷ୍ମୀ ଘରକୁ ପଶିବାକୁ ବି ଡରୁଥିବେ... ଛାଡ ଏମିତି ତ ଦଶ ବର୍ଷ ବିତି ଗଲାଣି ଆହୁରି ଏମିତି କିଛି ବର୍ଷ ବିତି ଗଲେ ଗଲା.... ଆଜିର ଝଗଡା ବାବଦ ବିଷୟ ହଉଛି ଉଇକେଣ୍ଡରେ ବୁଲେଇବାକୁ ନଉନ, ସମସ୍ତେ ଯାଉଛନ୍ତି, ନହେଲେ ବାପଘରେ ଦୁଇ ଦିନ ପାଇଁ ଛାଡି ଆସ... ବୁଝି ପାରୁନି କୋଉ ଶଳା ଲେଖି ଥିଲା ଦୁହିତା- (ଦୁଇ କୁଳକୁ ହିତା ବୋଲି )... ସୁଆଙ୍ଗ ସରିଲେ ସିନା ଆର କୁଳକୁ ଉଜ୍ଜ୍ୱଳ କରିବା କଥା ଭାବିବେ.... ମଣିଷ ପାଞ୍ଚ ଦିନ ସପ୍ତାହରେ ଖଟି ଦୁଇ ଦିନ ଘରେ ଭଲ ମନ୍ଦ ସମୟ ବିତାଇ ସିନା କିଛି ଗୋଟେ ମିଳିତ କ୍ରିଏଟିଭ କାମ କରିଲେ ଆଗକୁ କିଛି ଯୋଜନା କରି ପରିବ... ନା ସେଇଟା ହବନି ଅନ୍ୟମାନେ ବୁଲୁଛନ୍ତି, ମୁଁ ବୁଲିବି... ଅନ୍ୟମାନେ ଘର ସଫା ରଖୁଛନ୍ତି, ଭଲ ରୋଷେଇ କରୁଛନ୍ତି, ଭଲ ଚିନ୍ତାଧାରା ଗଢୁଛନ୍ତି ସେଇଟା ଆଉ ଦିଶୁନି.... ମୋ ଭାଗ୍ୟ ଖରାପ କାହାକୁ ବା କହିବି....
ଶାନ୍ତିରେ ତ ଖାଇ ପାରିଲିନି, ଯାଇକି ଗେର ଗେର ହବା ଅପେକ୍ଷା ନେଇ ବାପ ଘରେ ଛାଡି ଆସିଲେ ଅଥଚ ଶାନ୍ତିରେ ନିଃଶ୍ୱାସ ମାରି ପାରିବି...ଛାଡିକି ଆସି ଘର ଭିତରେ ପଶୁ ପଶୁ ଯେମିତି ମୃଦୁ ପବନ ଗୋଟେ ଝରକା ଦେଇ ମୋ ଦେହରେ ପିଟି ହେଇ ଗଲା... ସତେ ଯେମିତି କହୁଛି ବହୁତ ଦୁଃଖ ପାଇଲୁଣି ଟିକେ ଥକା ମାରେ, ଅଶାନ୍ତ ମନକୁ ଶାନ୍ତ କରେ... ମନେ ପଡିଗଲା ସକାଳେ ପାଇଥିବା ଡାଏରୀ କଥା, ସେ ପୁଟୁଳି ଭିତରୁ ଡାଏରୀଟି ବାହାର କରି, କାଚ ଗିଲାସରେ ସିକ୍ସଟି ଗୋଟେ ଢାଳି ଯାଇକି ବାଲକୋନୀର ଚେୟାରରେ ବସି ପଡିଲି.... ଡାଏରୀ ଉପରେ #ଦିବ୍ୟ ଅତି ଷ୍ଟାଇଲ କାଲିଗ୍ରାଫିରେ ଲେଖା ହେଇଥିଲା... ମନେ ପଡିଗଲା ସେ ଡାଏରୀ ଉପହାର ସ୍ୱରୂପ ବାପା ଦେଇଥିଲେ, ତାଙ୍କ ନିଜ କାଲିଗ୍ରାଫି ଲେଖା କରେଇ, କହିଥିଲେ ଏଥିରେ ଅନେକ ଜିନିଷ ଲେଖାଲେଖି କରିବୁ ଯାହା ତୁ ବା ତୋ ଆଗ ପିଢ଼ି ପଢିକି ଶିଖିବେ ବା ଗର୍ବ ଅନୁଭବ କରିବେ .. ଡାଏରୀ ଖୋଲି ପ୍ରଥମ ପୃଷ୍ଠାରେ ମୋ କବିତା (ମୋ କଲମରୁ କିଛି ) ଲେଖା ଥିବାର ମୁଁ ପଢ଼ିଲି,ଅନେକ ପୁରୁଣା ଚିନ୍ତା, ଆଶା ସବୁ ମନେ ପଡିଗଲା ଯାହା ଆଜି ବାସ୍ତବିକ ଜୀବନରେ ମୁଁ ନିଜ ଜୀବନରେରେ କରି ପାରୁନି, ପଛେଇ ଯାଇଛି.... ବାପାଙ୍କର ପରାମର୍ଶ ବି ରଖି ପାରିନଥିବାରୁ ଲଜ୍ଜିତ ଅନୁଭବ କଲି... ଅନେକ କବିତା (ପରିତ୍ୟକ୍ତ ନିଃଶ୍ୱାସ, ମୋ ଲକ୍ଷ୍ମୀ ଆନ୍ନି, ଆତ୍ମଜାର କାହାଣୀ )ଡାଏରୀର ଫର୍ଦ ଲେଉଟାଇ ଲେଉଟାଇ ପଢି ଚାଲିଲି..... ଭାବିଲି କେତେ ଶାନ୍ତ ଥିଲା ସେ ମନ, ନିଜକୁ ପରିପ୍ରକାଶ କରିବାର ସେ ଯୋଉ ମୁହୂର୍ତ୍ତ ଆଉ କଣ ଏ ଜୀବନରେ ପାଇ ହବ... ଉଦାସ ହୋଇ ପୁଣି ଫର୍ଦ୍ଦ ଲେଉଟାଇ ଚାଲିଲି ହଠାତ୍ ଅଟକି ଗଲି ଗୋଟେ ଚାପି ହୋଇ ରହିଥିବା ବେରଙ୍ଗ ଗୋଲାପକୁ ଦେଖି, ହାତରେ ଧରିବା କ୍ଷଣି ଶିହରଣ ଭରି ଗଲା ମନରେ ଓ ଛାତି ଭିତରେ ବିଦ୍ୟୁତ ଖେଳିଲା ପରି ବିନ୍ଧି ଉଠିଲା ଓ ପାଟିରୁ ଭରିଗଲା ଗୋଟେ ଶବ୍ଦ - #ଶ୍ରାବଣୀ..... ଗୋଲାପକୁ ଲେଉଟାଇ ଦେଖିଲି ଲେଖା ଥିଲା ତୁମ ଶ୍ରାବଣୀ (ଆଜି ବି ସେ ଲେଖା ସେ ପରି ସତେଜ ).... ଆଖି ବୁଜି ହୋଇଗଲା ମନେ ପଡି ଆସିଲା ଦଶ ବର୍ଷ ତଳର ସେ ଯୋଉ ଅନ୍ତରଙ୍ଗ ମୁହୂର୍ତ୍ତ. ଶ୍ରାବଣୀ ମୋ କଲେଜ ବାନ୍ଧବୀ, ନା ବାନ୍ଧବୀ ଶବ୍ଦଟା ତାକୁ ପର କରି ଦବ... ସେ ମୋର ଅତି ନିଜର.. ବାକି ସାଙ୍ଗ ଆମକୁ ଦେଖି କୁହନ୍ତି ଆମେ ପରସ୍ପରର ଛାଇ... ମୁହୂର୍ତ୍ତକେ ବି ଅଲଗା ରହି ପାରିବୁନି କେହି କାହାକୁ ଛାଡି.... ଆମ ଭିତରେ ଭଲ ପାଇବା, ଝଗଡା, ବୁଲିବା, ପଢିବା ଖାଇବା ଏମିତି କି କଲେଜ ଆସିବା ଠୁ ଯିବା ଯାଏଁ ସବୁ ମିଶିକି କରୁଥିଲୁ... ଅନେକ ଝିଅ ତାର ସୁନ୍ଦର ଗଠନ ଦେଖି ଈର୍ଷା କରନ୍ତି ଆଉ ପୁଅ ମାନେ ଭଅଁର ପରି ସେ ଫୁଲ ଆଖ ପାଖ ଘୁରି ବୁଲନ୍ତି.. କିନ୍ତୁ ନା ଛୁଇଁ ପାରନ୍ତି ନା ନିକଟବର୍ତ୍ତୀ ହେଇ ପାରନ୍ତି....
ସମସ୍ତେ ମତେ ଆସି କୁହନ୍ତି ସେ ମତେ ଭଲ ପାଏ, କିନ୍ତୁ ମୁଁ ହସରେ ଉଡେଇ ଦିଏ କହେ ସେ ମୋର ଅତି ନିଜର, ଯଦି ଭଲ ପାଉଥିବ ତାହାଲେ ମତେ ହିଁ ଆଗ ଜଣେଇଥାନ୍ତା... କିନ୍ତୁ ଆମ ଭିତରେ ସେ ସବୁ ଆଦୌ କେବେ ଆଲୋଚନା ହେଇନି... ପରସ୍ପରକୁ ଆଦର ସମ୍ମାନ ଆମେ ଦେଇ ଆସିଛୁ ଆଗକୁ ବି ଦବୁ ତେଣୁ ଦୟା କରି ଏ ପ୍ରକାରର ଅପପ୍ରଚାର କରନି....
କଲେଜର ବିଦାୟ ସଭାରେ ଶ୍ରାବଣୀ କାନ୍ଦି ପକେଇଥିଲା କହିଥିଲା ମୋ ଜୀବନରୁ ସୁଖ ଦିନ ସବୁ ସରି ଗଲା... ମୁଁ କାରଣ ପଚାରିବାରୁ କହିଥିଲା ଆଜି ଯାଏଁ ସାହସ କରି ପାରିଲିନି, ସେ ପାଇଁ ସାରା ଜୀବନ ଦୁଃଖ ପାଇବି... କେଉଁ ବାବଦରେ ସାହସୀ ହବାକୁ ଚାହୁଁଚ ପଚାରି ଥଟା କରିବାରୁ କହିଲା କିଛି ନୁହଁ ତମେ ସବୁବେଳେ ଖୁସି ରହିବ, କାଲିଠୁ ଆମେ ନିଜ ନିଜ ଘରକୁ ପଳେଇବା ଆଉ ଦେଖା ହବ କି ନାହିଁ ସନ୍ଦେହ, କିନ୍ତୁ ଖବରଦାର କହି ରଖୁଛି ମୋ ଜାଗା ଯେମିତି କାହାକୁ ନ ଦିଅ.... ଯଦି ଦେଇଥିବ ତାହାଲେ ମୋ ଆଖି ଲୁହ ପଡିବ..ଏ ଗୋଲାପଟି ରଖ ଏଇଟା ମୋ ସ୍ମୃତି ଯୋଉଟା କି ତମକୁ ମତେ ଭୁଲେଇ ଦବନି..... ହସିକି କହିଥିଲି ସମ୍ପୁଛ କି?? ହଉ ହଉ କାହାରିକୁ ଦେବିନି ସେ ସ୍ଥାନ.. ଆଜି ଯାଏଁ ସେ ପ୍ରକାର ସମ୍ପର୍କ ମୁଁ ପାଇନି, ସେଥିପାଇଁ ପାଇଁ ସେ ଜାଗା ଆଜି ବି ଖାଲି... କିନ୍ତୁ ଆଜି ଏତେ ଦିନ ପରେ ସେ ଗୋଲାପଟି ଧରୁ ଧରୁ ଛାତି ଭିତର ଯନ୍ତ୍ରଣା ମତେ ଅକୁହା, ଅଜଣା ଦୁଃଖ ଜଣେଇ ଦେଲା... ସେ ଦିନ ସେ ସାହସ ନଥିବା ଶ୍ରାବଣୀ ଏ ଫୁଲ ଦ୍ୱାରା ସବୁ କହି ଦେଇଥିଲା.. କିନ୍ତୁ ମୁଁ ମୂର୍ଖ ବୁଝି ପାରିଲିନି... ଆଜି ଜାଣି ପାରିଲି ଜୀବନ ସାଙ୍ଗିନୀ ରୂପେ ସେ ନିଜକୁ ମୋ ଜୀବନରେ ସ୍ଥାନ ଦେଇଥିଲା ଆଉ ତାଗିଦ କରି ଥିଲା ସେ ଜାଗା କାହାକୁ ନ ଦେବାକୁ... ମୁଁ ବାହା ହୋଇ କୌଣସି ବୈବାହିକ ସୁଖ ଭୋଗ କରି ପାରୁନି... ତା ପଛର ରହସ୍ୟ ବୋଧହୁଏ ମୋର ସେ ଡାଏରୀ ଭିତରର ଗୋଲାପ.... ଯାହା ପ୍ରେମକୁ ମୁଁ ପାଦରେ ଆଡେଇ ଦେଇଛି ଓ ଅପାତ୍ରରେ ଆସି ପଡିଛି... ମୁଁ ତମ ଅପରାଧୀ, ମତେ ଦଣ୍ଡ ମିଳିବା ଉଚିତ... ପେଗକୁ ଗୋଟେ ଢ଼ୋକରେ ପିଇ ସାରି ମୁଣ୍ଡକୁ ଆରାମ ଚେୟାରରେ ପଛକୁ କରି ଆଖି ବୁଝି ବାରମ୍ବାର ଦୋହରାଇଲି.. ମୋର ଅବୁଝା ପଣିଆ ତମକୁ ଦୁଃଖ ଦେଲା, ମୋର ଜୀବନରେ ପ୍ରେମ, ଡାଏରୀ ଭିତରେ ସୀମିତ ରହି ଗଲା... ଏତିକିରେ ଆଖି କୋଣରୁ ଧାରେ ଲୁହ ବୋହି ଆସିଲା....

