The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gangadhar Nanda

Romance romance abstract tragedy

3.9  

Gangadhar Nanda

Romance romance abstract tragedy

ଗୋଧୂଳିର ବାସ୍ନା

ଗୋଧୂଳିର ବାସ୍ନା

6 mins
470


 ଗୋମତୀ ପବ୍ଲିକେଶନର ମୂଖ୍ୟ ସଂପାଦକ ଗୁଣନିଧିବାବୁ ନିଜ ଦପ୍ତରରେ ବିଶ୍ଵବିଦ୍ୟାଳୟର ସହପାଠୀ ବନ୍ଧୁ ପ୍ରଦୀପ ବାବୁଙ୍କ ସାଙ୍ଗରେ କଥାବାର୍ତ୍ତାରେ ବ୍ୟସ୍ତ ଥିଲେ । ଅନେକଦିନ ପରେ ଦୁଇ ବନ୍ଧୁଙ୍କର ଏ ଅଚାନକ ମିଳନ । ପ୍ରଦୀପବାବୁ ଜଣେ ଶିଳ୍ପପତି ଓ ପ୍ରତିଷ୍ଠିତ ବ୍ୟକ୍ତି । ଅଧିକାଂଶ ସମୟ ବ୍ୟସ୍ତ ରହନ୍ତି । ତେବେ ଆଜି ଅଚାନକ ଏ ସାକ୍ଷାତର ଉଦ୍ଦେଶ୍ୟ ବିଷୟରେ ଗୁଣନିଧି ବାବୁ ଅଜ୍ଞାତ ଥିଲେ ।କିଛି ସମୟ ପରେ ପ୍ରଦୀପ ବାବୁ ନିଜଆଡ଼ୁ ଆରମ୍ଭ କଲେ । " ଲେଖାଟିଏ ପଠେଇବା ପାଇଁ ତୁମର ଅନେକ ଅନୁରୋଧ ସତ୍ତ୍ଵେ ମୁଁ ତୁମ ଅନୁରୋଧ ରକ୍ଷା କରିପାରିନଥିଲି" ।


ପ୍ରଦୀପ ବାବୁ ଚେୟାରରେ ସାମାନ୍ୟ ସଜାଡ଼ି ହୋଇ ବସିଲେ । 'ଆଜି ତୁମକୁ ଏକ ବାସ୍ତବ କାହାଣୀ କହିବି । କଥାଟି ଜଣକର ଜୀବନର ବାସ୍ତବ ପ୍ରେମ କାହାଣୀ । ଶୁଣିବା ପରେ ଯଦି ସାହିତ୍ୟ ଉପଯୋଗୀ ହେବ ବୋଲି ତୁମେ ମନେ କରିବ, ତେବେ ପତ୍ରିକାରେ ଛାପିବ । କଥାଟି ମୁଁ ମୋର ଜଣେ ବନ୍ଧୁଙ୍କଠାରୁ ଶୁଣିଛି ଓ ଯଥାସମ୍ଭବ ତାଙ୍କରି ଭାଷାରେ କହିବା ପାଇଁ ଚେଷ୍ଟା କରିବି ।" ଗୁଣନିଧିବାବୁ ମୁଗ୍ଧ ନୟନରେ ପ୍ରଦୀପ ବାବୁଙ୍କୁ ଚାହିଁଲେ ।" ବଢିଆ କଥା, ମୁଁ ଟିକେ ଚା ପାଣିର ବ୍ୟବସ୍ଥା କରେ' । କହିସାରି ଗୁଣନିଧି ବାବୁ ଚପରାଶୀକୁ ଡାକି ସାମାନ୍ୟ ଜଳଯୋଗର ବ୍ୟବସ୍ଥା କରିବା ପାଇଁ କହିଲେ । ଜଳଖିଆ ଖାଇସାରିବା ପରେ ଚା ପିଇବା ଅବସରରେ ପ୍ରଦୀପବାବୁ ଆରମ୍ଭ କଲେ ।- ଏକ ଗ୍ରାମୀଣ ଅଞ୍ଚଳରେ ଜଣେ ସାଧାରଣ ଚାଷୀ ପରିବାରରେ ମୋର ଜନ୍ମ । ମୋର ଜନ୍ମ ହେବା ପରେ କିଛି ସ୍ୱାସ୍ଥ୍ୟଗତ କାରଣରୁ ମାତା ଇହଧାମ ତ୍ୟାଗ କଲେ ।ଚାଟଶାଳୀ ପାଠ ସରିବା ପରେ ଗ୍ରାମ ଠାରୁ ଅଳ୍ପ ଦୂରରେ ଥିବା ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖା ହେଲା । ପ୍ରଥମ ଦିନ ସ୍କୁଲ ଯିବା ପାଇଁ ଅନିଚ୍ଛା ହେତୁ ନାନାଦି ବାହାନା କରିବା ସତ୍ତ୍ଵେ ବାପାଙ୍କ କାନ୍ଧରେ ଜବରଦସ୍ତ ନଦା ହୋଇ ସ୍କୁଲରେ ପହଞ୍ଚିଲି । ବାପାଙ୍କ କାନ୍ଧରୁ ଓହ୍ଲାଇ ସ୍କୁଲରେ ବସିବା ପାଇଁ ଆଦୌ ରାଜି ହେଉ ନ ଥିଲି । ତେବେ ବାପା ମୋ ଠାରୁ ବିଦାୟ ନେଇ ଆସିବା ପାଇଁ ପ୍ରୟୋଗ କରୁଥିବା ବଳ ଓ ସାରଙ୍କର ସ୍ଵାଗତ ପାଇଁ ଉଦ୍ଦିଷ୍ଟ ବଳ ଆଗରେ ହାର ମାନି ଅଗତ୍ୟା ଚଟାଣରେ ବସିଲି । ବଡ ପାଟିରେ କାନ୍ଦିବା ଆରମ୍ଭ କଲାବେଳକୁ ବେତ ଉପରେ ନଜର ପଡିଯିବାରୁ ସେତକ କରିବାରୁ ବିରତ ରହିଲି । ମୋ ପୂର୍ବରୁ ସେଠାରେ ଉପସ୍ଥାନ ପକାଇଥିବା ଗୋପାଳ ମୋ ପାଖକୁ ସାମାନ୍ୟ ପାଖେଇଆସି ବସିଲା । ସେ ଯେ ମୋ ଦୁଃଖରେ ସମଦୁଃଖୀ , ବୋଧହୁଏ ଏହି ବିଶ୍ଵାସ ଜନ୍ମେଇବାକୁ ଚେଷ୍ଟା କରୁଥିଲା ।


କିଛି ସମୟପରେ ଧିରେ ଧିରେ ଅନ୍ୟମାନଙ୍କ ସହ ଅନ୍ତରଙ୍ଗତା ବୃଦ୍ଧି ପାଇଲା । ଏହାପରେ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନିବା ସହିତ ସେମାନଙ୍କ ସଙ୍ଗରେ ଖେଳିବାର ଓ ଜଳଖିଆ ବାଣ୍ଟି ଖାଇବାର ସୁଯୋଗ ପାଇଲି । ଦିନେ ଖେଳଛୁଟିରେ ଖେଳିବାବେଳେ ଇତସ୍ତତଃ ଦୌଡିବା ଭିତରେ ଗୋଟିଏ ପିଲା ସହ ଧକ୍କା ହୋଇ ଧରାଶାୟୀ ହେବାପରେ ପ୍ରକୃତିସ୍ଥ ହୋଇ ଉଠିଲା ବେଳକୁ ଅନୁଭବ କଲି ଜଣକର ହାତ ମୋତେ ଝାଡି ଦେଉଛି । ହାତଦ୍ଵୟର ଅଧିକାରୀଙ୍କୁ ଦେଖି ଚମତ୍କୃତ ହେଲି । ସେ ଥିଲେ ଆମ ଅଞ୍ଚଳର ଜମିଦାରଙ୍କ ଏକମାତ୍ର କନ୍ୟା ଅନିତା। ଅନିତାର ଆଉ କେହି ଭାଇ ଭଉଣୀ ନାହାନ୍ତି, ଏକଥା ଆମମାନଙ୍କୁ ପୂର୍ବରୁ ଜ୍ଞାତ ହୋଇଯାଇଥିଲା ।


ଅନିତା ସାଙ୍ଗରେ ସାଙ୍ଗ ହେବା ପାଇଁ ପ୍ରାୟତଃ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଚାଲିଥିବାବେଳେ ତାର ପରିସ୍କାର ଗୋରା ହାତଗୋଡିକ ଯେ ମୋର ସିଂଘାଣୀ ଓ ମଇଳା ଦ୍ୱାରା ଆଛାଦିତ ଅପରିସ୍କାର ମୁହଁଟିକୁ ପୋଛିଦେଉଛି , ଏଥିରେ ମୋର ବିଶ୍ୱାସ ହେଉ ନଥିଲା ।' ତୋର କିଛି ଖଣ୍ଡିଆ ହୋଇନି ତ ?' ତାର ଏ ପ୍ରଶ୍ନରେ ମୁଁ ମୁଣ୍ଡ ହଲାଇ ମନା କଲି । ହୋଇଥିଲେ ବି ମନା କରିଥାନ୍ତି । ଏଭଳି ଆତ୍ମଗୌରବ ମିଳିବା ପାଇଁ ସାମାନ୍ୟ ଖଣ୍ଡିଆ ହୋଇଯିବାଟା ସେଭଳି କିଛି ବଡ କଥା ନ ଥିଲା । ମୁଁ ଜାଣୁଥିଲି ଯେ ମୋ ଉପରେ କିଛି ଇର୍ଷାତୁର ନୟନ ନିବଦ୍ଧ ଅଛି । ଏହା ପରେ ମୁଁ ଅନିତାର ସହାନୁଭୂତି ଜନିତ ଅନ୍ତରଙ୍ଗ ସାଙ୍ଗ ଭାବରେ ତା ସଙ୍ଗରେ ମିଶିବାର ସୌଭାଗ୍ୟ ଲାଭ କଲି ।


ଦିନେ ତାର ଜନ୍ମଦିନ ପାଳନ ଅବସରରେ ମୋତେ ତା ଘରକୁ ଯିବାପାଇଁ ନିମନ୍ତ୍ରଣ ମିଳିଲା । ମୋର ଅନ୍ତରଙ୍ଗ ହେତୁ ମୋ ସାଙ୍ଗରେ ଗୋପାଳ ଓ ହାଡ଼ୁ ମଧ୍ୟ ନିମନ୍ତ୍ରିତ ହେଲେ । ସେ ପର୍ଯ୍ୟନ୍ତ ଜମିଦାରଙ୍କ କୋଠାଟି ଆମକୁ ଡରାଇ ଆସୁଥିଲା ।ପିତୃପିତାମହ ଅମଳର କୋଠାଟି ଜମିଦାରୀ ଚାଲିଗଲା ପରେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଥିଲେ ବି ସାଧାରଣ ଚଳିବା ଯୋଗ୍ୟ ଥିଲା । ଅନିତା ମୋର ଦୁଇଟି କ୍ଲାସ ଉପରେ ପଢୁଥିବାରୁ ଆମ ଉପରେ ତାର ନେତୃତ୍ଵ ଥିଲା ଓ ତାର ଆଦେଶ ମାନିବାକୁ ଆମ୍ଭେମାନେ ସଦା ତତ୍ପର ଥିଲୁ । ସେଦିନ ଆମେ ଚକୋଲେଟ ଓ ଭୋଜି ଦ୍ବାରା ଆପ୍ୟାୟିତ ହେଲାବେଳେ ଓ ଅନିତା ସହ ମିଶି କୋଠାଟିର ଆଉ କିଛି ଅଞ୍ଚଳ ପରିଦର୍ଶନ କରିବା ଅବସରରେ ଭୂତକୋଠୀ ଓ ଜମିଦାରଙ୍କ ନିଶ ଦ୍ଵାରା ସୃଷ୍ଟ ଭୟରୁ ସଂପୂର୍ଣ୍ଣ ମୁକ୍ତ ଥିଲୁ । ଧିରେ ଧିରେ ବୟସ ବଢିବା ସଙ୍ଗେ ସଙ୍ଗେ ଅନିତା ସହ ସଂପର୍କର ମଧ୍ୟ ବୃଦ୍ଧି ଘଟିଲା । ଗାଁ ସ୍କୁଲ ପାଠ ସାରିବା ବେଳକୁ ମୋର ମନେ ହେଉଥିଲା କି ମୋର ଯଦି ବୋଉ ବଞ୍ଚିଥାନ୍ତା ତେବେ ସେ ଅନିତା ଭଳି ମୋତେ ସ୍ନେହ କରୁଥାନ୍ତା । ପରେ ଉଭୟ ନିକଟସ୍ଥ ସହରକୁ ପାଠ ପଢିବା ପାଇଁ ଆସିଲୁ । ଛୁଟି ବେଳେ ମଝିରେ ମଝିରେ ଗାଁରେ ଦେଖା ହୁଏ । ଯେତେବେଳେ ବି ଦେଖାହୁଏ ତାର ଆନ୍ତରିକତା ଓ ସ୍ନେହ ଦେଖି ମୁଁ ଚମତ୍କୃତ ହୁଏ । ମୋର ହାଇସ୍କୁଲ ସରିବାର ଦୁଇ ବର୍ଷ ପୂର୍ବରୁ ସେ କଲେଜରେ ପଢୁଥାଏ ।ମୁଁ କିନ୍ତୁ ପରୀକ୍ଷାରେ ଫେଲ ହୋଇ ଗାଁରେ ବାପାଙ୍କୁ ଚାଷରେ ସାହାଯ୍ୟ କଲି ।


ପାଞ୍ଚବର୍ଷ ବିତିଗଲା । ଅନୀତା ଛୁଟିରେ ଗାଁକୁ ଆସିଥାଏ । ଦେଖା କରିବାପାଇଁ ତା ଘରକୁ ଗଲି । କିଛି ସମୟର ଔପଚାରିକତା ପରେ ମୋତେ ଏକ ଦୁଃସମ୍ବାଦ ମିଳିଲା ।ତାର ବିବାହ ଠିକ୍ ହୋଇଯାଇଛି । ତାର ବିବାହ ଠିକ୍ ହେବା ଖବର ଅପେକ୍ଷା ମୋର ତାର ଦୂରତ୍ଵ ବୃଦ୍ଧି ହେବାର ସମ୍ଭାବନା ମୋତେ ଅଧିକ ଦୁଃଖ ଦେଉଥିଲା । ଭାରାକ୍ରାନ୍ତ ମନ ନେଇ ଘରକୁ ଫେରିଲି । ଥରେ ମଧ୍ୟ ମୋର ଅବେଗ ତାକୁ ଜଣାଇପାରିନଥିଲି । ଯେଉଁଦିନ ସେ ଶାଶୁ ଘରକୁ ବିଦାୟ ନେଲା ମୁଁ ସେଦିନ ଗାଁରୁ ବିଦାୟ ନେଲି । କେଉଁ ବସରେ ରାଜଧାନୀ ଆସିଛି ଓ କେମିତି ଦିଲ୍ଲାରେ ପହଞ୍ଚିଛି ମୋର ସେ କଥା ଏବେ ବି ମନେ ନାହିଁ । କିଛିଦିନ ଉପାସ ଭୋକରେ ବୁଲିବା ପରେ ଜଣେ ସହୃଦୟ ବ୍ୟକ୍ତି ମୋତେ ଆଶ୍ରୟ ଦେଲେ । ତାଙ୍କ ଦୟାରୁ ଆଉ କିଛି ଉଚ୍ଚଶିକ୍ଷା ଲାଭ କରିବା ସଙ୍ଗେ ସଙ୍ଗେ ତାଙ୍କର ବ୍ୟବସାୟ ପୂର୍ଣ୍ଣ ରୁପେ ସଂଭାଳିବାର ଦାୟିତ୍ଵ ନେଲି । ପରିବାର ବ୍ୟତୀତ ମୋ ପାଖରେ ଆଉ ସବୁଥିଲା । ବାପାଙ୍କ ଅସୁସ୍ଥତାର ଖବର ପାଇ ମଝିରେ ଥରୁଟିଏ ଗାଁ'କୁ ଆସିଥିଲି । ବାପାଙ୍କ ଶୁଦ୍ଧ ଶ୍ରାଦ୍ଧ ସାରିବା ଭିତରେ ଅନିତା ବିଷୟରେ ସାମାନ୍ୟ ଖବର ମିଳିଥିଲା । ଅନିତା ଗାଁରେ ନିଜ ପୈତୃକ ଘରେ ରହୁଛି ଓ ଜ୍ୱାଇଁ ମହାଶୟ ମଧ୍ୟ ଏହିଠାରେ ଡେରା ପକାଇଛନ୍ତି ।


ଏହାପରେ ମୁଁ ମୋ କର୍ମସ୍ଥଳୀକୁ ଫେରିଗଲି । ଏହାପରେ ମୋ ବିବାହ ପାଇଁ ସବୁଦିଗରୁ ସାମାନ୍ୟ ଚାପ ପଡିବା ସତ୍ତ୍ଵେ ମୁଁ ଅବିଚଳିତ ଥିଲି । ପ୍ରାୟ ଦଶ ବର୍ଷ ପରେ ଗାଁରୁ ଜଣେ ବ୍ୟକ୍ତି ମୋ ପାଖରେ ଗୋଟିଏ ଖବର ନେଇ ପହଞ୍ଚିଲେ । ଅନିତା ମା ଆପଣଙ୍କୁ ଖୋଜୁଛନ୍ତି । ଦୟାକରି ଥରଟେ ପାଇଁ ଆସିବେ । ଅତଏବ ବାଧ୍ଯ ହୋଇ ଗାଁକୁ ଗଲି । ପରିସ୍ଥିତି ଜଟିଳ ଥିଲା । ଜମିଦାର ମୃତ୍ୟୁ ଶଯ୍ୟାରେ ଥାଇ କେବଳ ଚାହିଁବା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟ କରିବା ପାଇଁ ଅକ୍ଷମ ଥିଲେ । ଜ୍ୱାଇଁ ମହାଶୟ ମଦ୍ୟାଶକ୍ତି ଭିତରେ ସ୍ଥାବର ସଂପତ୍ତିର ସଂପୂର୍ଣ୍ଣ ବିନିଯୋଗ କରିସାରି କୋଠାଟି ମଧ୍ୟ ବନ୍ଧକ ରଖିସାରି ଦୁରାରୋଗ୍ୟ ବ୍ୟାଧିରେ ସଂସାର ତ୍ୟାଗ କରିସାରି ଥିଲେ ।  ଅନିତାକୁ ଦେଖା କଲି । ବୟସ ଅନୁପାତରେ ଚେହେରାରେ ଅଧିକ ବାର୍ଦ୍ଧକ୍ୟ ପରିଲକ୍ଷିତ ହେଉଥିଲା । ଅନିତା ମୋ ସମ୍ମୁଖସ୍ଥ ଚଉକିରେ ବସିଲା ।' ଆସିଲା ବେଳେ ବାଟରେ କିଛି ଅସୁବିଧା ହୋଇ ନାହିଁ ତ ?' ପ୍ରଶ୍ନ ପଚାରିବା ବେଳେ ତାର ମୁଖମଣ୍ଡଳ ନିର୍ବିକାର ଥିଲା ।' ଆଉ ଖବର ସବୁ ଭଲତ ?ଏକୁଟିଆ ନା ପରିବାର ବି ସାଥିରେ ଆସିଛନ୍ତି ? ମୁଁ ଚିରାଚରିତ ଢଙ୍ଗରେ ମୁଣ୍ଡ ହଲାଇ ମନା କଲି ।'ମୁଁ ବିବାହ କରିନାହିଁ । 'ଉତ୍ତର ଦେବା ଭିତରେ ତାର ପ୍ରତିକ୍ରିୟା ଦେଖୁଥିଲି । ସେ କିନ୍ତୁ ପ୍ରସଙ୍ଗ ପରିବର୍ତ୍ତନ କଲା ।' ଆମ ବିଷୟରେ ପ୍ରାୟ ଖବର ତୁମେ ପାଇ ସାରିଥିବ । କେବଳ ଗୋଟିଏ ଅନୁରୋଧ ଥିଲା । ଏ ଘରଟି ବନ୍ଧକ ଅଛି । ବାପାଙ୍କ ଦେହ ଭଲ ନାହିଁ । ଯଦି ତୁମେ କିଛି ଅର୍ଥ ସାହାଯ୍ୟ କରନ୍ତ ତେବେ ଆଉ କିଛି ଦିନ ମୁଁ ଏଠାରେ ରହିପାରନ୍ତି । ବାପା ଆଉ ବେଶୀ ଦିନ ନୁହଁନ୍ତି । ତାଙ୍କ ଅନ୍ତେ ଏ ଘର ବିକି ଦେଇ ତୁମ ଟଙ୍କା ତୁମ ପାଖକୁ ମୁଁ ପଠାଇ ଦେବି ।"ମୁଁ ଅନ୍ୟମନସ୍କ ଥିଲି । ହଉ ବୋଲି କହି ସାରିବା ପରେ ମୁଁ ପଚାରିଲି , 'ଅନିତା ! ତୁମକୁ ଗୋଟେ କଥା ପଚାରିବି । ଭାବିଚିନ୍ତି ଉତ୍ତର ଦେବ ।' ପଚାର ।' କିଛି ସମୟ ନିରବ ହୋଇ ମୁଁ କହିଲି, 'ସବୁଦିନ ପାଇଁ ତୁମର, ତୁମ ବାପାଙ୍କର , ତୁମ ଘରର ବାୟିତ୍ଵ ମୁଁ ନେବାକୁ ଚାହୁଁଛି । ମୋତେ ସେ ସୁଯୋଗ ତୁମେ ଦେଇପାରିବ ? ପ୍ରଶ୍ନ ପଚାରିପାରି ଆଶଙ୍କାରେ ଅନିତା ମୁଁହକୁ ଚାହିଁଲି । ଭୟ ଓ ଉତ୍ତେଜନାରେ ଛିଡା ହୋଇ ଉତ୍ତରକୁ ଅପେକ୍ଷା କରୁଥିଲି । ବିସ୍ମୟ ବିମୁଢ ଅବସ୍ଥା ।. . . ସମ୍ବିତ ଫେରି ପାଇଲି । ଅନିତା ମୋ କାନ୍ଧରେ ମୁଣ୍ଡ ରଖି କାନ୍ଦୁଥିଲା । ମୁଁ ଆସ୍ତେ କରି ତା ହାତ ପାପୁଲିରେ ମୋର ମୁହଁ ପୋଛିଲି । ଅବଚେତନ ମନରେ ବାରମ୍ଵାର ଖୋଜୁଥିବା ବାସ୍ନା । ମୋର ପରିଚିତ ବାସ୍ନା । ମୋ ବୋଉର ବାସ୍ନା । . . . ମୁଁ ମୋ ଅଲକ୍ଷ୍ୟରେ କାନ୍ଦୁଥିଲି ।  . . . . ଗୁଣନିଧିବାବୁ ସ୍ତବ୍ଧ ହୋଇ ଚଉକିରେ ବସି ରହିଥିଲେ

ପ୍ରଦୀପବାବୁ ସମାନ୍ୟ ହସି କହିଲେ 'ଗପଟି ଶେଷ ହେଲା । ଆଉ କିଛି ପଚାରିବାର ଅଛି ତ ପଚାର ।' ନାଁ ନାଁ .ଆଉ କିଛି ପଚାରିବାର ନାହିଁ । ତେବେ ଗୋଟିଏ ଛୋଟିଆ ସନ୍ଦେହ ଅଛି, ଏ 'ମୁଁ 'ଜଣକ ବାସ୍ତବରେ କିଏ ? ପ୍ରଦୀପ ବାକୁ ଚଉକି ଛାଡି ବାହାରକୁ ଆସିଲେ । ପଛେ ପଛେ ଗୁଣନିଧି ବାକୁ କିଛି ବାଟ ବାଟୋଇ ଦେବା ପାଇଁ ପ୍ରଦୀପ ବାବୁଙ୍କ କାର୍ ପର୍ଯ୍ୟନ୍ତ ଆସିଲେ । କାରରେ ବସି ସାରି ପ୍ରଦୀପବାବୁ ଗୁଣନିଧିଙ୍କୁ ଚାହିଁ କହିଲେ ,"ବିଦାୟ ବନ୍ଧୁ । ପରେ ଦେଖା ହେବ । ...ସେ 'ମୁଁ'ଜଣକ ବାସ୍ତବରେ ମୁଁ ।



Rate this content
Log in

Similar oriya story from Romance