ଘନ କୁହୁଡିର ରାତି
ଘନ କୁହୁଡିର ରାତି


"ତୁମେ କ'ଣ ଏମିତି ବାହାରେ ଟିକିଏ ନିଆଁ ଜଳେଇ ରାତି ସାରା ଖୋଲା ଆକାଶ ତଳେ ଶୋଇ ପାରିବ ଏହି ପତଳା ତମ୍ବୁ ଭିତରେ ରାତି ପାହୁ ପାହୁ ତ ନିଆଁ ବି ନିସ୍ତେଜ ହେଇ ଯାଇଥିବ I ଏତେ ଥଣ୍ଡାରେ, ସକାଳ ଯାଏଁ ତ କମ୍ବଳଟି ମଧ୍ୟ ଭିଜି ଯିବ!" ମୋ ପାଟିରୁ ବାହାରି ଗଲା I ଦକ୍ଷିଣ ପୂର୍ବ ପର୍ବତ ମାଳର ଶୀତ ଦିନର ଦୃଶ୍ୟ ଅତୁଳନୀୟ: ଦୂର ଦୂର ଯାଏଁ ପାହାଡ଼କୁ ଆବୃତ କରିଥିବା ହଳଦିଆ ଅଳସି ଫୁଲର କ୍ଷେତ ଏବଂ ସଫା ନୀଳ ଆକାଶର ମିଳନକୁ ବର୍ଣନା କରିବା ଯେତିକି କାଠିକର, ଉପଭୋଗ କରି ସ୍ମୃତିଟିଏ ଗଢିବା ସେତିକି ସହଜ I ଅତୁଳନୀୟ ମଧ୍ୟ ଶୀତର ପ୍ରକୋପ, ଘନ କୁହୁଡିର ସକାଳ କିରଣରେ ଉଭାନ ହେବା ଏବଂ ସଞ୍ଜ ନଇଁବା ସାଥେ ଦୂର ଦୂର ବସ୍ତିରୁ ଆକାଶକୁ ଉଠୁଥିବା ଛୋଟ ଛୋଟ ଧୂଆଁର ରେଖା ଚିତ୍ର ଯାହା ଆକଶରେ ତୋଳି ଥାଏ ଅନେକ ଆକାରର ଜୀବନ୍ତ ମୂର୍ତ୍ତି ସବୁ, ଅସ୍ତଗାମୀ ସୂର୍ଯ୍ୟାଲୋକରେ I ଦୁଇ ଦିନର ଛୁଟି କୌଣସି ପ୍ରକାର ଯୋଗାଡ଼ କରି ପାରିଛି ମୁଁ ଏବଂ ତାହାର କାର୍ଯ୍ୟକ୍ରମ ଅନୁଯାୟୀ ଆସିଛି ପର୍ବତ ଶୃଙ୍ଗରେ ଦୁଇ ରାତି ବିତେଇବା ଲାଗି, ଅସ୍ଥାୟୀ ତମ୍ବୁଟିରେ I ଏଯାଏଁ ଠଉରେଇ ପାରିନି ତାହାର ଅଭିପ୍ରାୟ ରୋମାନ୍ସ ଅଥବା ମୋ ସହ କେବଳ ଅଭିଯାନଟିଏ !
କିଛି ନ କହି, ମୋ ଆଡକୁ ବଢ଼େଇଦେଲା ତକିଆଟିଏ ଏବଂ କମ୍ବଳଟିଏ I "ସ୍ଲୀପିଙ୍ଗ ବ୍ୟାଗ ଆଣିଲ ନାହିଁ କାହିଁକି? ଏତେ ଯଦି ଥଣ୍ଡାକୁ ଭୟ କରୁଛ?" ସିଏ ମୋତେ ପଚାରିଲା I ସତରେ ତା କେମିତି ଭୁଲି ଗଲି ମୁଁ ? କେମିତି କେଜାଣି ଏତେ ଉତ୍ସାହିତ ଥିଲି ପର୍ବତ ଉପରେ ରାତିଟିଏ ବିତେଇବା ଲାଗି, ସ୍ଲୀପିଙ୍ଗ ବ୍ୟାଗ ଭୁଲି ଯାଇଥିଲି I କିନ୍ତୁ ସିଏ ତ ସବୁ ଟିକିନିଖି ଦେଖୁଥିଲା ବାହାରି ବା ପୂର୍ବରୁ, ଗାଡ଼ିରେ ଜିନିଷ ରଖିଲା ବେଳକୁ , ମୋତେ ମନେ ପକେଇଦେଲା ନାହିଁ କାହିଁକି ସ୍ଲୀପିଙ୍ଗ ବ୍ୟାଗଟିକୁ ପ୍ୟାକ କରିବାକୁ? ମନରେ ପ୍ରଶ୍ନଟି ଉଠିଲା କିନ୍ତୁ କେଜାଣି କାହିଁକି ପଚାରିବାକୁ ଇଛା ହେଲାନି I କଥାରୁ ନଥା ହୋଇ, ଅଯଥା ଯୁକ୍ତିତର୍କ କରି ପରସ୍ପରକୁ ଦାୟୀ କରି ଗୋଟିଏ ସୁନ୍ଦର ଯାତ୍ରାକୁ କଳହରେ ପରିଣତ କରିବାର କୌଣସି ଅଭିପ୍ରାୟ ନଥିଲା ମୋର I ଚୁପ ହୋଇ କମ୍ବଳ ତଳେ ବଢୁଥିବା ଶୀତକୁ ଭୁଲିବାକୁ ଚେଷ୍ଠା କରିବାକୁ ଲାଗିଲି I ସିଗାରେଟକୁ ସିଏ ଘୃଣା କରେ ଆଉ ମଦ୍ୟପାନ କରିବାର ସୁଯୋଗ ନାହିଁ ଶୀତକୁ ଏଡେଇବା ଲାଗି କିଛି ସମୟ ପାଇଁ I ମନେ ମାନେ ଭଗବାନଙ୍କୁ ଡାକିବାକୁ ଲାଗିଲି, ଆଜି ରାତିଟା ଶୀତ ଅଧିକ ନ ହେଉ, ଯେମିତି ହୁଏ ଅନେକ ଥର, ଝରିଥିବା ଶିଶିର ସବୁ ବରଫ ହୋଇ ଯାଏ, ନଚେତ ଏହି ପାଗଳ ପ୍ରେମର ବିରାଟ ମୂଲ୍ୟଟିଏ ଦେବାକୁ ପଡିପାରେ I ସକାଳୁ କେବଳ ଜମାଟ ବାନ୍ଧି ଯାଇଥିବା ମୋର ଶରୀରଟିଏ ଉଦ୍ଗୃହୀତ ହେବ ତମ୍ବୁ ଭିତରୁ I ମୋତେ ଜୁଳୁ ଜୁଳୁ କରି ଚାହିଁ ରହିଥାଏ, ମୁଁ ଟିକେ ମୁରୁକି ହସି ଦେଲି ," ସକାଳୁ ସୁଯର୍ୟୋଦୟ ସୁନ୍ଦର ଦିଶିବ, ଆଜି ମେଘ ଖଣ୍ଡଟିଏ ମଧ୍ୟ ନାହିଁ ଆକାଶରେ, କିନ୍ତୁ ସେଥି ପାଇଁ ଅଧିକ ଥଣ୍ଡା ମଧ୍ୟ ଲାଗିବ ରାତିରେ I ଶୀଘ୍ର ଶୋଇଗଲେ ଭଲ," ନିଜର ଜଳବାୟୁ ଜ୍ଞାନକୁ ଆଉ ଶୀତର ପ୍ରଭାବକୁ ତାକୁ ଦର୍ଶେଇବାକୁ କହିଲି I ସକାଳୁ ଶୀଘ୍ର ଉଠି ସୂର୍ଯ୍ୟୋଦୟ ଦେଖିବାର ଈଛାଟି ପ୍ରବଳତ୍ତର ହୋଇ ଉଠିଲା କେତେ ବେଳେ ଆଖି ପତା ପଡିଗଲା ଜାଣି ପାରିଲି ନାହିଁ I
ଆଖିରେ ଉଜ୍ଜ୍ୱଳତାର ସ୍ପର୍ଶ ଅନୁଭବ କରି ଚମକି ପଡିଲି ମୁଁ I କଡ ଲେଉଟାଇ ଦେଖିଲା ବେଳକୁ ମୁଁ ଏକା ତମ୍ବୁ ଭିତରେ, ଦୁଇଟି କମ୍ବଳର ସାନିଧ୍ୟତା ତଳେ I ବାହାରେ ଏବେବି ପ୍ରଜ୍ଵଳିତ ରାତିର ନିଆଁଟି I ପାପୁଲି ଉପରେ ଦେଖିଲି ନାଲି ଦାଗଟିଏ I ଟୋପିକୁ ଆଉ ଟିକେ ଭଲକି ମୁଣ୍ଡରେ ଚାପି ତମ୍ବୁରୁ ବାହାରି ଗଲି I ବୋଧେ ମୋର ଉଠିବାର ଶବ୍ଦ ଶୁଣି ସାରିଥିଲା I "ବହୁତ କୁହୁଡି ହେଇଛି ଏବେ ମଧ୍ୟ କିନ୍ତୁ ଆଉ କିଛି ସମୟରେ ସବୁ ଓହରିଯିବ, ସେଥି ପାଇଁ ତୁମକୁ ଉଠେଇଲି ନାହିଁ I କିଛି ମଧ୍ୟ ଦିଶୁ ନାହିଁ ଏଯାଏଁ Iଯେମିତି ଟିକିଏ ଆଲୁଅ ବଢି଼ଥାନ୍ତା ତୁମକୁ ଉଠେଇ ଥାଆନ୍ତି," ସିଏ କହିଲା I "ମୋ ହାତରେ ଏ ନାଲି ଦାଗଟି କେମିତି ?" ମୁଁ ପଚାରିଲି I
ଖିଲି ଖିଲି ହେଇ ହସିଦେଲା ସିଏ," ଗୁଡ଼ ନାଇଟ କହିବି ଭାବିଲା ବେଳକୁ ତୁମେ ଶୋଇ ପଡିଥିଲା, ସେଥି ପାଇଁ!"
"ଆଉ ଦୁଇଟା କମ୍ବଳ ମୋ ଉପରେ କେମିତି? ତୁମେ କଣ ରାତି ସାରା ଏହି ନିଆଁକୁ ଜାଳି ଜାଳି ବସିଛ?" ମୁଁ ପୁଣି ପଚାରିଲି I
"ହଁ ମୋର ଟ୍ରେନିଂ ସମୟରେ ମୁଁ ଏହାର ଶିକ୍ଷା ପାଇଛି, ରାତି ସାରା ନିଆଁ ଜାଳି ଚେଇଁ ପାରେ ଓ ଶୋଇ ପାରେ ମଧ୍ୟ," ସିଏ କହିଲା I ତମ୍ବୁ ଭିତରୁ ଏଠି ଅଧିକ ମଜା ଲାଗିଲା I
"କିନ୍ତୁ ମୋତେ ବାହାରକୁ ଡ଼ାକିଲନି କାହିଁକି?' ମୁଁ ପଚାରିଲି I
"ତୁମରଯୋଉ ଘୁଁଘୁଡ଼ି ଆଉ ତୁମର ସେ ଶୀତରେ ଥରିବା, ଭାବିଲି ସବୁ ଠାରୁ ଭଲ, ତୁମକୁ ଦୁଇଟା ଯାକ କମ୍ବଳ ଘୋ ଡେଇଦେବି, ମୁଁ ନିଆଁ ପାଖରେ ଶୋଇଯିବି", ସିଏ କହିଲା I
'କିନ୍ତୁ ମୋତେ ବାହାରକୁ ଡ଼ାକିଲନି କାହିଁକି, ହୁଏତ ଏଠାରେ ମୋର ଘୁଁଘୁଡ଼ି ହୁଅନ୍ତା ନାହିଁ ଟିକେ ଖୋଲାରେ ଶୋଇଥିଲେ," ମୁଁ କହିଲି I
" ତୁମେ କହିଲନି କାହିଁକି ବହୁତ ଥଣ୍ଡା ହେଉଛି ଦୁଇଟା କମ୍ବଳ ମିଶେଇଦେବା କି?" ସିଏ ପଚାରିଲା I
ମୁରୁକି ହସୁଥିଲା ସିଏ, ରାତିର କୁହୁଡ଼ିଟି ଧୀରେ ଧୀରେ ଉଭେଇବାକୁ ଲାଗିଲା ଅରୁଣାଭରେ I
ହରୁଥିବା କୁହୁଡି ଭିତରେ ମିଶିବାକୁ ଲାଗିଥିଲା ଆମର ଦୁହିଁଙ୍କ ଧୂଆଁଳିଆ ନିଶ୍ଵାସ I
"କୁହୁଡି ଯେତେ ଘନ ହେଲେ ମଧ୍ୟ ସକାଳେ ଉଭେଇ ଯାଏ, ଯେତେ ଡେରି ହେଉ," ସିଏ କହିଲା ଦୂରର ସୂର୍ଯ୍ୟୋଦୟକୁ ଇଙ୍ଗିତ କରି I ରାତିରେ ଜଳିଥିବା ନିଆଁଟି ଧୀରେ ଧୀରେ ଲିଭି ଆସୁଥିଲା ଆଉ ଦେହରେ ଭରିବାକୁ ଲାଗିଥିଲା ଏକ ଭିନ୍ନ ଉଷ୍ଣତା I