ଏମିତି ପ୍ରେମ
ଏମିତି ପ୍ରେମ
ଗୋଟିଏ ଶ୍ରେଣୀ ଗୃହରେ ସାଗ୍ନିକା ବହି ଖଣ୍ଡେ ଧରି ବସିଥାଏ । ଖାତା ରେ କଣ ସବୁ ଲେଖି ପକାଉଥାଏ । କଲେଜ ର ସବୁ ପିଲା ଗପ କରୁଥିଲା ବେଳେ ସାଗ୍ନିକା ଏକା ଏକା ବସି କଣ ସବୁ ଲେଖା ଲେଖି କରି ପକଉଥାଏ । ଏହି ସମୟରେ ଶ୍ରେଣୀ ଗୃହରେ ପ୍ରବେଶ କଲେ ଆଉ ଏକ ଚରିତ୍ର ବିରଞ୍ଚି ।
ତୁ ମତେ ହରେଇବୁ ? ତୁ ........ହାଃ ହାଃ ହାଃ.........ଦେଖେ ଖାଲି ମୁଁ କେମିତି ଅଭିନୟ କରି ଜିତିଯାଉଛି ତୋ ଠାରୁ । ତୁ ଝିଅ ଛୁଆ ଟା ହେଇ ଇଲେକ୍ସନ ରେ କଣ ଛିଡା ହେଇଯାଉଛୁ ? ଜିତିବାର ଆଶା ଛାଡି ଦେ ........ସାଗ୍ନିକା.....ଆଉ ନିଜ ର ସୁନ୍ଦରତା ପ୍ରତି ଧ୍ୟାନ ଦେ । ବିଚରା କଳା ପଡ଼ିଗଲୁଣୁ ଲୋ ତୁ ........। ଏମିତି କହି ସେ ତା' ନାକକୁ ଟିକେ ଚିପି ଦେଲା .........।
ସାଗ୍ନିକା ଏଥର ରାଗିକି ପଞ୍ଚମ ହେଇଗଲା । ଆଉ କହିଲା, ତୋର କ'ଣ ଯାଉଛି ....? ତୁ କିଏ ମତେ କ'ଣ କହିବାକୁ ? ତୁ କିଏ .....? ଆସିଲୁ ଭାରି ମତେ ଉପଦେଶ ଦେବାକୁ । ଯାଆ ଯାଆ ତୁ ନିଜ କାମ କର । ମୁଁ ମୋ କଥା ବୁଝିବି । ଆଉ କ'ଣ କହୁଥିଲୁ ? ତୁ ଜିତିବୁ ଇଲେକ୍ସନରେ ? ଆରେ ଯାଆ ଯାଆ ମୁଁ କେତେ ଦେଖିଛି ତୋ ଭଳି ଫଟା ନେତାକୁ । ନିଜେ ନିଜକୁ ସମ୍ଭାଳି ପାରୁନି,ଆସିଲା ଭାରି ମତେ ଉପଦେଶ ଦେବାକୁ । ଯାଆ....... ଫୁଟ୍ ଏଠୁ .........ଆସିଲା ଭାରି ମତେ ଉପଦେଶ ଦେବାକୁ ବୀରବର ଟାଏ ତ ଆଉ..........କୋଉଠି ଥୋଇବି ୟାକୁ ମ............।
ବିରଞ୍ଚି ବି ରାଗିକି ପଞ୍ଚମ ହେଇଗଲା,କହିଲା ହଉ ଦେଖିବା ଦେଖିବା କାହା କଥା ରେ କେତେ ଦମ୍ ଅଛି........। ତୁ ଖାଲି ରହ .....ଦେଖିବୁ କିଏ ଜିତିବ ଆଉ କିଏ ନାହିଁ ......? ଅନି ଏ ସବୁକୁ ଦେଖୁଥାଏ । ତା'ର ବା କ'ଣ ଯାଉଛି ଏଥିରୁ ? ତା'ର ଲାଇବ୍ରେରୀ ଭଲ ତ ସେ ଭଲ । ଆଉ କିଛି ଲୋଡ଼ା ନାହିଁ ତା'ର । ଶିକ୍ଷକ ଶ୍ରେଣୀଗୃହ ରେ ପଢ଼ାଉଥାଆନ୍ତି,ରାଜନୀତି ବିଜ୍ଞାନ ହେଉଛି ଲୋକ ମାନଙ୍କ ଦ୍ୱାରା,ଲୋକ ମାନଙ୍କ ପାଇଁ ,ଏବଂ ଲୋକ ମାନଙ୍କର ଏକ ଶାସନ ପ୍ରକ୍ରିୟା । ଜନତା ହିଁ ଈଶ୍ୱର .....। ତାଙ୍କ ହିତ ପାଇଁ ସବୁକିଛି କାର୍ଯ୍ୟ କରାଯିବା ଉଚିତ । ଏହି ସମୟରେ ପଶି ଆସିଲେ କିଛି ହିରୋ ଭଳି ଦେଖା ଯାଉଥିବା ପୁଅମାନେ । ସମସ୍ତେ ନିଜ ନିଜର ଭାଷଣ ଦେବାରେ ଲାଗିଲେ । ହେଲେ ମୁଖ୍ୟ ବ୍ୟକ୍ତିଜଣକ କି ଭାଷଣ ଦେଲେ କିରେ । ଅନି ର ମୁଣ୍ଡ ଘଣ୍ଟା ଚକଟା ହେଇଗଲାରେ .......। ଶିକ୍ଷକ ବି ଏମିତି ସୁନ୍ଦର ଭାବେ ବୁଝାଉ ନଥିବେ । ସତରେ କେତେ ଭଲ ଭାବରେ ସେ କହିଗଲେ ଶବ୍ଦ ଆଉ କଥାଗୁଡା........ମୁଁ ବିଶ୍ୱାସ କରିପାରୁନାହିଁ ...........। ଆପଣଙ୍କୁ ସେ ଭାଷଣ ର ଗୋଟିଏ ଝଲକ ଶୁଣାଉଛି ହେଲା । ଅବଶ୍ୟ ସେ କହିଥିବା କଥା ଉତ୍ତାରୀ ପାରିବିନି । ହେଲେ କିଛି ଅଂଶରେ ଉତ୍ତାରିବାକୁ ମୁଁ ଈଶ୍ୱରୀଙ୍କ ଦୟାରୁ ସକ୍ଷମ ଯେ........।
"ପ୍ରିୟ ଭାଇ ଓ ଭଉଣୀ ମାନେ ,
ମୁଁ ତ ତୁମମାନଙ୍କ ପରି ଛାତ୍ର ଟିଏ । ମୁଁ ଜାଣିଛି ତୁମ ମାନଙ୍କର ଅସୁବିଧା କ'ଣ ? ଅଭାବ କ'ଣ ? ମୋ ଠାରୁ କ'ଣ ଅଧିକ କିଏ ତୁମ ମାନଙ୍କ କଥା ବୁଝିପାରିବ ? ମୁଁ ତୁମକୁ ବହୁତ ଭଲପାଏ ମୋ ଭାଇ ଭଉଣୀ ମାନେ । ଯାହା ବି ଅସୁବିଧା ହେବ ମୁଁ......ମୁଁ ତୁମ ମାନଙ୍କର ଭାଇ ବିରଞ୍ଚି ଅଛି । ତୁମେ ଆସିବ ଆଉ ମତେ କହିବ ସବୁକଥା । ସବୁ ସମସ୍ୟା ର ସମାଧାନ ମୁଁ କରିଦେବି ଭାଇ ଆଉ ଭଉଣୀ ମାନେ ।
ଶେଷରେ ଏତିକି କହିବି,ମୁଁ ବି ତୁମମାନଙ୍କ ପରି ଗରିବ ଚାଷୀ ପରିବାର ର ପୁଅ ଟିଏ । ସତରେ କ'ଣ ମୁଁ ତୁମ ମାନଙ୍କର କଥା କିଛି ବୁଝିପାରିବି ନାହିଁ ? ମୋ ଉପରେ ଯଦି ବିଶ୍ୱାସ ଥିବ ,ତେବେ ବିରଞ୍ଜି କୁମାର ପୃଷ୍ଟି ଉପରେ ଭୋଟ ଟିଏ ଦେଇ,ତୁମର ଏ ଅଧମ ଭାଇକୁ ଜୟ ଜୟଯୁକ୍ତ କରେଇବ ଭାଇ ଭଉଣୀ ମାନେ ।
ଜୟ ହିନ୍ଦ୍........
ଆମେ ସମସ୍ତେ ଫିଦା ହେଇଗଲୁ ତାଙ୍କରି ଏଇ ମିଠା କଥାରେ । ସାଗ୍ନିକା ଦିଦି ଙ୍କ ଭାଷଣ ଲେଖୁନି । କାରଣ ତାଙ୍କ ଭାଷଣରେ ଏତେ ବି କିଛି ପ୍ରତିଶ୍ରୁତି ନଥିଲା । ସେ କେବଳ ଗୋଟିଏ କଥା କହୁଥିଲେ,କଥା ରେ ନୁହେଁ କାମ ରେ କରିକି ଦେଖେଇଲେ ହେଲା । ଏତେ ମିଛ କଥା କହିବାକୁ ମୁଁ ଚାହେଁ ନାହିଁ । ମୋ ଦ୍ୱାରା ଯାହା ସମ୍ଭବ ତାକୁ ମୁଁ କରିବି,ଆଉ ଯାହା ସମ୍ଭବ ନୁହେଁ ତାହାକୁ ଶିକ୍ଷକ ଙ୍କ ପରାମର୍ଶ ନେଇ ସମସ୍ୟା ର ସମାଧାନ କରିବି । ଏମିତି ସେ କିଛି କଥା କହି ଚାଲିଗଲେ ।
ଏମିତି ଜୋର୍ ସୋର୍ ରେ ଲଢେଇ ଚାଲିଥାଏ । ଦୁଇ ଦଳ ଏବେ ତକିଆ ତକିରେ ଅଛନ୍ତି । ବିରଞ୍ଚି ରାଗିକି ସାଗ୍ନିକାର ସ୍କୁଟି ଖରାପ କରିଦିଏ । ଏ ସବୁ ସାଗ୍ନିକା ଭଲଭାବରେ ଜାଣିପାରେ । ତେଣୁ ଟିକିଏ କଥାରେ ବିରଞ୍ଚି ସହ ସିଏ ବି ଝଗଡା କରିବାରେ ଲାଗିପଡ଼େ ।
ଇଲେକ୍ସନ ର ପ୍ରଚାର ଜୋର୍ ସୋର୍ ରେ ଲାଗିଲା । ହେଲେ କେମିତି କେଜାଣି ସାଗ୍ନିକା ଦିଦି ଜିତିଗଲେ ,ଆଉ ବିରଞ୍ଚି ହାରିଗଲା । ସତ ଡେରିରେ ହେଲେବି ସବୁବେଳେ ବିଜୟ ହିଁ ଲାଭ କରେ । ସେଥିପାଇଁ ବୋଧେ ଈଶ୍ୱର ସାଗ୍ନିକା ଦିଦି ଙ୍କୁ ବିଜୟୀଭବ କରେଇ ଦେଲେ । ସେ ବି ଛାତ୍ରଛାତ୍ରୀ ମାନଙ୍କର ଭଲ ମନ୍ଦ ବୁଝିବାରେ ଲାଗିଗଲେ ।
ଟିକିଏ କ'ଣ ଫ୍ୟାନ୍ କଥାରୁ ଖୁମୁଟା ଖୁମୁଟି ହେଇଥିଲେ ,ପୁଣି ଗୋଟେ ଫାଙ୍କା ରୁମ୍ ରେ କିଛି ଝିଅ ,ବିରଞ୍ଚି ଆଉ ବିରଞ୍ଚିର ସାଙ୍ଗ ମାନେ ବସି କେକ୍ କଟା କଟି କରି ଖରାପ କାମ କରୁଥିଲେ । ତାକୁ ସାଗ୍ନିକା ଦିଦି ଦେଖିଦେଇ ,ସାର୍ ଙ୍କୁ କହି ଦେଲା । ଶିକ୍ଷକ ସିସିଟିଭି ଫୁଟେଜ କୁ ଚେକ୍ କରି ସେମାନଙ୍କୁ ଡାକି ପକେଇଲେ ପ୍ରଥମେ । ବହୁତ ଗାଳି କଲେ ,କହିଲେ ଟିସି ଦିଆହେବ ତୁମକୁ । ବାହାରି ଯାଅ ଏ କଲେଜରୁ........। ହେଲେ ସାଗ୍ନିକା ଦିଦି କହିଲେ,ନା ନା ତାଙ୍କୁ ଆଉ ଗୋଟିଏ ସୁଯୋଗ ଦିଆହେଉ । ସେ ଆଉ ଥରେ ଏପରି ଭୁଲ କଲେ ତାଙ୍କୁ ଦଣ୍ଡ ଦିଆଯିବ । ଶିକ୍ଷକ କହିଲେ,ସାଗ୍ନିକା ତମେ କହୁଛ ବୋଲି ମୁଁ ଭରଷା କଲି ଏମାନଙ୍କ ଉପରେ । ଆଉ ଯାହା ହେବ ଏମାନଙ୍କୁ ଟିସି ସୁନିଶ୍ଚିତ ଦିଆହେବ । ଏମିତି କହି ଶିକ୍ଷକ କହିଲେ,ବାହାରି ଯାଅ ମୋ ଆଖି ସାମ୍ନାରୁ.......। ସମସ୍ତେ ବାହାରକୁ ବାହାରି ଆସିଲେ ସିନା,ସାଗ୍ନିକା ଦିଦି ଙ୍କୁ ବହୁତ ଗାଳି କଲେ ସେମାନେ । ବିରଞ୍ଚି ତ ବହୁତ ଗାଳି କଲା । କହିଲା,ଥାଉ ଏତେ ସରାଗ ଆଉ ଦେଖେଇ ହ ନା ଲୋ ସାଗ । ବେଶୀ ଆଉ ଦୟା ଦେଖାନା ଆମ ଉପରେ । ଦୟା ତୁ ସେତିକି ବେଳେ ଦେଖେଇଲୁ , ଯେତେବେଳେ ସାର୍ ଙ୍କୁ ଆମ ବିଷୟରେ ଯାଇ କହିଦେଲୁ ସବୁ କଥା । ତତେ ଟିକିଏ ଲାଜ ଲାଗୁନି ,ପୁଣି ଆମ ଆଗରେ ଠିଆ ହେଇଛୁ । ଯାଆ ବେ ଏଠୁ .....ନହେଲେ ଦେଖିବୁ ତୋ ମୁଣ୍ଡ କୁ ଇଟା ରେ ଛେଚି ଫଟେଇ ଦେବି ବୁଝିଲୁ..........। ସାଗ ଦିଦି କାନ୍ଦି ବୋବେଇ ସେଠୁ ଚାଲିଗଲେ । ସେ ଆଉ ସପ୍ତାହେ ଖଣ୍ଡେ କଲେଜ ଆସିଲେନି । ଅନି ମନେ ମନେ ଖୋଜେ ତାଙ୍କୁ, ହେଲେ ସେ କେବେ ତାଙ୍କୁ ଆଉ ପାଇଲାନି । ଯେବେ ସେ ଗୋଟିଏ ସପ୍ତାହ ପରେ ଫେରିଲେ, ସେବେ ସେ କିଛି ଗୋଟେ ଖୋଜିବା ଭଳି ଲାଗିଲା । ହେଲେ ସେ ଯେପରି ପାଉନଥିଲେ ସେ ଜିନିଷ କୁ .....। ସେପରି ସେ ବ୍ୟବହାର କରୁଥିଲେ । ବହୁତ କଷ୍ଟ ପାଇଲା ଭଳି ସେ ମୁହଁ କି ଖାଲି ବିକୃତ କରୁଥିଲେ । ଆଉ ସେ ସୁନ୍ଦର ମୁହଁରେ ଜହ୍ନକଇଁ ର ହସ କେବେ ଫୁଟିଲାନି । ଖାଲି ଶୁଖିଲା ଶୁଖିଲା ଦିଶିଲା ତାଙ୍କ ମୁହଁ । ଅନି ଠିକ୍ ଜାଣିଛି ଯେ,ସାଗ ଦିଦି ର କ'ଣ ହେଇଛି ବୋଲି ? ହେଲେ ତାଙ୍କୁ ସେ ବିଷୟରେ କେହି କହି ନାହାଁନ୍ତି ବୋଧ ହୁଏ । ବିରଞ୍ଚି ଭାଇ ଏ କଲେଜ ଛାଡି କୁଆଡେ ଚାଲି ଯାଇଛନ୍ତି ତା'ର ଠିକଣା ନାହିଁ । ସାଗ ଦିଦି ଙ୍କୁ ଅନି ଯାଇ କହିଦେଲା,ଯେ ବିରଞ୍ଚି ଭାଇ ଏ କଲେଜ ଛାଡି ସାରିଛନ୍ତି ବୋଲି । ସାଗ ଦିଦି ଏ କଥା ଶୁଣି ବହୁତ ମନଦୁଃଖ କଲେ । କିଛି ହରେଇଲା ପରି ଲାଗିଲା ସତରେ । ଏମିତି ତାଙ୍କର ପଢ଼ା ସରିଗଲା କୁନ୍ଥେଇ ମୁନ୍ଥେଇ । ସେ କେବେ ଆଉ କିଛି କାହାକୁ କହିଲେନି । ଖାଲି ପଢ଼ା ପଢିବା ପରେ ସେ ଚାଲିଗଲେ ନିଜ ବାଟରେ । ଏମିତି କେତେ ବର୍ଷ ବିତିଗଲାଣି ଏ ଘଟଣା କୁ । କିଏ କେବେ ଜୀବନରେ ଦେଖା ହୁଏ,ଆଉ କିଏ କେବେ ଜୀବନରୁ ଚାଲିଯାଏ ତା'ର ଖବର ନାହିଁ ସତରେ । ଏ ଭିତରେ ସରି ଯାଏ ଜୀବନ । କିଏ ଖବର ରଖିବ ଏ ସବୁର ? ଅନେକ ପରିଚୟ ଭିତରେ ,ହୃଦୟରେ ଜାଗାମାଡି ବସିଥିବା ମଣିଷ ଟିକୁ କେବେ କାଢି ହୁଏନି ବୋଧେ । ତେଣୁ ତ ସାଗ ଦିଦି କେବେ ବି ଭୁଲି ନାହାଁନ୍ତି ବିରଞ୍ଚି ଭାଇକୁ । ବୋଧେ ସେ ତାଙ୍କ ସହ କଳି କରି କରି ତାଙ୍କୁ ଭଲ ପାଇ ବସିଥିଲା .......। ହେଲେ ତ ସେ କୁଆଡେ ଗଲେ,ଜଣା ନାହିଁ । ଟିକିଏ ଦେଖା କରି କି, କହିକି ବି ଗଲାନି ସିଏ । ସିଧା ସିଧା ପଳେଇଲା,ବୋଧେ ସେ ମୋ ସକାଶେ ଯାଇଛି ।ଏମିତି ଭାବି ସାଗ ଦିଦି ସବୁବେଳେ ମନଦୁଃଖ କରନ୍ତି । ହେଲେ କ'ଣ ହେବ ? ସେ ତ......ପୁରା କଳିଆ ଟେ.....କାହାକୁ କ'ଣ କହିବ କୁହ ?
ଏମିତି ଦିନ ସବୁ ଭାବନାରେ ହିଁ କଟି ଯାଉଥାଏ । ଦିନେ ଅଚାନକ ଭାବେ ସାଗ ଦିଦି ଙ୍କ ର ଦେହ ଖରାପ ହେଲା । ଥଣ୍ଡା କାଶ ସହିତ ଜ୍ୱର ଜମାରୁ ଛାଡିଲାନି । ଲୋକେ କହିଲେ , ଅତ୍ୟଧିକ କରୋନା ହେଇଯାଇଛି ଏ ଝିଅ କୁ । ଜଲ୍ଦି ମେଡିକାଲ ନିଅ ୟାକୁ । ସେ କହିଲେ,ମୁଁ ନିଜେ ନିଜେ ହିଁ ଚାଲିଯିବି ମେଡିକାଲ । ଆଉ କାହାର ସହଯୋଗ ଦରକାର ନାହିଁ । ଏମିତିରେ ମାଆବାପା ଙ୍କୁ ସେ ମନା କଲେ ମେଡିକାଲ କୁ ଯିବାକୁ । ସେ ନିଜେ ନିଜେ ଯାଇ ଆଡମିଟ୍ ହେଲେ ମେଡିକାଲ ରେ । କରୋନା ରେ ଛଟ ପଟ ହେଇ ଯେବେ ସେ ଏପଟ ସେପଟ କୁ ଚାହିଁଲେ,ସେବେ ଦେଖିଲେ ଅନେକ ରୋଗୀ ତାଙ୍କ ଚାରିପାଖରେ ଅଛନ୍ତି । ଡାକ୍ତର ଙ୍କ ଠାରୁ ସେବିକା ପର୍ଯ୍ୟନ୍ତ ସମସ୍ତେ ମରଣ ସହ ଯୁଦ୍ଧ କରି,ରୋଗୀ ମାନଙ୍କୁ ବଞ୍ଚେଇବାରେ ଲାଗି ପଡିଛନ୍ତି । ଜଣେ ନୂଆ ରୋଗୀ ଆସି ତାଙ୍କ ପାଖ ବେଡ୍ ପାଖରେ ଶୋଇଗଲା । ସେ ବି କଷ୍ଟ ଆଉ ଯନ୍ତ୍ରଣା ରେ ଛଟ ପଟ ହେଉଥିଲା । ଆଉ କାହାକୁ ଗୋଟେ ଫୋନ୍ କରି କହୁଥିଲା,ଆଜି ମୁଁ ମୋ ସାଗ୍ନିକା କୁ ଦେଖା କରିବାକୁ ଯାଇଥାନ୍ତି ରେ ସାଙ୍ଗ । ହେଲେ ଆଜି ମୁଁ କୋରନାର ମୃତ୍ୟୁ ର ଖେଳ ରେ ଛଟ ପଟ ହେଉଛି । ଜାଣିପାରୁନି ,ମୁଁ ବଞ୍ଚିବି କି ମରିବି । ହେଲେ ଶେଷ ଥର ପାଇଁ ଟିକେ ସାଗ କୁ ଦେଖା କରିବାକୁ ବହୁତ ଇଚ୍ଛା ହେଉଛି ରେ ମୋର । ଥରଟେ ଦେଖା କରିବି ମୁଁ । ତାଙ୍କ ନମ୍ବର ଟିକିଏ ଦେ ରେ କୋଉଠୁ ଆଣି । ମୁଁ ମରିଯିବା ଆଗରୁ ତାଙ୍କୁ ଟିକେ ଦେଖି ନିଏ । ଆଜି ମୁଁ ମରିଯିବିରେ । ମତେ ଆଜି କାହିଁକି କିଛି ଭଲ ଲାଗୁନି । ମୋ ନିଃଶ୍ୱାସ ବନ୍ଦ ହେଇ ଆସିଲାଣି ସାଙ୍ଗ । ଥରଟେ ତାଙ୍କୁ ସେଇ ଇଲେକ୍ସନ ବେଳର ପ୍ରତିଯୋଗିତା ଭଳି ଟିକେ ଚିଡ଼େଇବାକୁ ଚାହୁଁଛି । ଆଃ ଖୁବ୍ ଯନ୍ତ୍ରଣା ହେଉଛି ନିଶ୍ୱାସ ନେବାରେ , ଆଉ ମୁଁ କଥା କହିପାରୁନି । ବାସ୍ ଫୋନ୍ ରେ ଆଉ ସେ କଥା ହେଇପାରିଲେନି । ଅକ୍ସଜେନ ଲଗେଇ ତାଙ୍କୁ ଆଉ ଏକ କେବିନ୍ କୁ ନେଇଗଲେ । ସେ ଯନ୍ତ୍ରଣା ରେ ସେମିତି ଛଟପଟ ହେଉଥିଲେ ।
କିଛି ସମୟ ପରେ ସାଗ ଦିଦି କୁ ବି ସେଇ ସ୍ପେସିଆଲ କେବିନ୍ ନେଇଥିଲେ । ଆଉ ତାଙ୍କ ମୁହଁରେ ଅକ୍ସିଜେନ ଲଗେଇ ଦିଆ ଗଲା । ଦୁହେଁ ଏବେ ମୃତ୍ୟୁ ସହ ଲଢୁଥିଲେ । ହେଲେ ଦୁହେଁ ଦୁହିଁ ଙ୍କୁ ଦେଖି ସାରିଥିଲେ । କି ଦେଖିବ ବିରଞ୍ଚି ଭାଇ ଙ୍କ ଖୁସି । ସେ ଏତେ ଯନ୍ତ୍ରଣା ରେ ବି ଖୁବ୍ ଖୁସିରେ ହସି ପକେଇଲେ । ପରେ ସେ କାନ୍ଦି ପକେଇଲେ । ସାଗ ତୁ ଏଠି ? ସାଗ ଦିଦି ବି କାନ୍ଦି କାନ୍ଦି ଆଖି ନାଲି ପକେଇ ଦେଲେ । ଯୋଉ ଆଖିରେ ସେ ଦୁହେଁ ସଂସାର ଗଢିବାର ସ୍ୱପ୍ନ ଦେଖୁଥିଲେ,ସେଇ ଆଖିରେ ଆଜି ଲୁହ ଆଉ ମୃତ୍ୟୁ ର ସ୍ୱପ୍ନ । ଭାରି ଦୁଃଖ ଲାଗୁଥିଲା ସେ ଦୁହିଁ ଙ୍କୁ ଦେଖି । ହେଲେ କୋରନା ର କଠୋରତା ଠାରୁ ଏ ପ୍ରେମ ର ପହିଲି କିରଣ ର ବିଚ୍ଛେଦ ବି ବହୁତ କଷ୍ଟ ଦାୟକ ଥିଲା । କିନ୍ତୁ ଦୁହେଁ ଦୁହିଁଙ୍କୁ ଟିକିଏ ଦେଖି ଆଶ୍ୱାସନା ପାଇ ଯାଉଥିଲେ ।
ସତେ ଯେମିତି ସେ ଅନେକ କିଛି ହରେଇ ଆଉ କିଛି ପାଇ ଯାଇଛନ୍ତି । ହେଲେ........
ସକାଳ ହେଇ ରାତି ପାହିବା ଆଗରୁ ସାଗ୍ନିକା ଆଖି ବୁଜି ସାରିଥିଲେ । ମାନେ ସେ ଏଇ ଜୀବନ ମୃତ୍ୟୁ ର ଇଲେକ୍ସନ ରେ ହାରି ଯାଇଥିଲେ ଆଉ ଜିତି ଯାଇଥିଲେ ବିରଞ୍ଚି .........
ଆଉ ସବୁଦିନ ପାଇଁ ବିରଞ୍ଚି ଅପେକ୍ଷା କରି ରହି ଯାଇଥିଲେ,ଆଉ ଏକ ଜୀବନର ଇଲେକ୍ସନ କୁ ......। ଆଉ ଏମିତି ଏକ ପ୍ରେମ ର ଅପେକ୍ଷା ରେ........। ଏକ ନୂତନ ଜୀବନର ଆଉ ସାଗ୍ନିକା ର ଅପେକ୍ଷା ରେ ........

