Archana Sahoo

Tragedy Crime Fantasy

4.0  

Archana Sahoo

Tragedy Crime Fantasy

ଏକ ଦୁଷ୍ଟ ରାଜାର କାହାଣୀ

ଏକ ଦୁଷ୍ଟ ରାଜାର କାହାଣୀ

4 mins
202


ଗୋଟିଏ ଦେଶରେ ଗୋଟିଏ ନିଷ୍ଠୁର ରାଜା ଥିଲେ । ସେ ସମସ୍ତଙ୍କ ଉପରେ ଅତ୍ୟାଚାର କରୁଥିଲେ । ନିଜର ପ୍ରଜାମାନଙ୍କ ପାଇଁ ଏକ କଡା ଶାସନର ବନ୍ଦବସ୍ତ କରିଥିଲେ ,ଯାହାଦ୍ୱାରା କି କିଛି ଗୋଟେ ଛୋଟିଆ ଭୁଲ୍ ପାଇଁ କଠିନରୁ କଠିନ ଦଣ୍ଡ ସହିବାକୁ ପଡୁଥିଲା । ସେ ନିଜକୁ ଏକଛତ୍ରବାଦୀ ରାଜା ରୂପେ ପରିଚୟ ଦେଉଥିଲେ । ସମସ୍ତ ପ୍ରଜାମାନେ ତାଙ୍କ ଉପରେ ସନ୍ତୁଷ୍ଟ ନଥିଲେ । ହେଲେ ମୁହଁ ଖୋଲି କିଛି କହି ପାରୁନଥିଲେ ତାଙ୍କୁ । ଏମିତି ବର୍ଷ ବର୍ଷ ବିତିଗଲା ଏଇ ପ୍ରଥାକୁ ମାନି ।

          ଦିନେ ସେହି ଗର୍ବି ରାଜା ଭାବିଲେ,ଯଦି ମୁଁ ମୋ ପ୍ରଜାମାନଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିପାରୁଛି । ତେବେ ସାରା ପୃଥିବୀର ଲୋକ ମାନଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିପାରିବି ନାହିଁ କାହିଁକି ? କରିପାରିବି ନିଶ୍ଚୟ ପାରିବି । ଏପରି ଭାବି ସେ ଅନ୍ୟ ଦେଶମାନଙ୍କ ଉପରେ ନିଜର କୁଦୃଷ୍ଟି ପକେଇଲା । ହେଲେ ସମସ୍ତ ଦେଶ ତା' ଠାରୁ ଢେରେ ସମୃଦ୍ଧ ଏବଂ ସୁଖରେ ଥିଲେ । ଏହା ଦେଖି ସେ ସମସ୍ତଙ୍କ ଖୁସି ଉପରେ ଈର୍ଷା କରିବା ଆରମ୍ଭ କରିଦେଲା । ବହୁତ ବାଡେଇ ପିଟି ହେଲା ସୁଖ ଶାନ୍ତି ଅକ ସମୃଦ୍ଧଶାଳୀ ଦେଶଗୁଡିକୁ ଦେଖି । ହେଲେ ସେ ଜାଣିପାରିଲା ନାହିଁ ଯେ,ନିଜ ପାଖରେ ବି ଗୋଟିଏ ସୁନ୍ଦର ଦେଶ ଅଛି ବୋଲି । ଯିଏ ଅନ୍ୟର ସୁଖ ତଥା ଧନ ସମ୍ପତ୍ତି ଦେଖି ଜଳେ,ସେ ନିଜ ପାଖରେ ଥିବା ସମସ୍ତ ଭଲ ଜିନିଷକୁ ଦେଖିପାରେନି କି ଖୁସିରେ ରହି ପାରେନି । ସେ ସମସ୍ତଙ୍କ ସହ । ଓଲଟି ସାରା ଜୀବନ ବିତି ଯାଏ ପରଜିନିଷ ଦେଖି ହାଇଁ ପାଇଁ ହେବାରେ ।

    ସେହିପରି ସେହି ନଷ୍ଟ ଚରିତ୍ରର ରାଜା ଜଳିବାକୁ ଲାଗିଲେ ଈର୍ଷାରେ.........। ଏତେ ଜଳୁଥିଲେ ଯେ ସେ ଭାବୁଥିଲେ। ସମସ୍ତ ଦେଶ ଏ ପୃଥିବୀରୁ ଲୋପ ପାଇଯାଆନ୍ତା କି । ଏକା ମୁଁ ରହନ୍ତି । ସମସ୍ତ ଦେଶର ଲୋକମାନେ ମରି ଯାଆନ୍ତେ କି ? ଏ ସମସ୍ତ ପୃଥିବୀରେ ମୁଁ ଏକା ଅଧୀଶ୍ଵର ପାଲଟି ଯାଆନ୍ତି । ସମସ୍ତ ଦେଶ ରୋଗିଣା ତଥା ଶକ୍ତିହୀନ ହେଇଯା'ନ୍ତେ କି । ମୁଁ ସବୁଠାରୁ ଧନୀ ରାଜା ଭାବରେ ପରିଗଣିତ ହୁଅନ୍ତି । ନିଜର କୁଚିନ୍ତାକୁ ମନରେ ରଖି ସେ ଅନେକ ସାଧନା କଲା । ଆଉ ବାହାର କଲା ଅନେକ ରୋଗ ଦୁଃଖ ଆଉ ଯନ୍ତ୍ରଣାର ଅସ୍ତ୍ର । ଯାହାକୁ ପ୍ରୟୋଗ କରି ସେ ସାରା ପୃଥିବୀକୁ ଅନେକ କଷ୍ଟ ଯନ୍ତ୍ରଣା ଦେବାକୁ ଲାଗିଲା । ଯନ୍ତ୍ରଣାରେ ସାରା ପୃଥିବୀ ହା ହା କାର କରି ଉଠିଲା । ସମସ୍ତଙ୍କର ବିକଳ କାନ୍ଦଣା ଶୁଣି ସେହି ଦୁଷ୍ଟ ରାଜାଟି ଭାରି ଖୁସି ହେଉଥିଲା । ମୃତ୍ୟୁର ବିଭୀଷିକା ମଧ୍ୟରେ ସେ ନିଜ ଦେଶକୁ ଖାଲି ସୁରକ୍ଷିତ ରଖିଥିଲା । ଆଉ ନିଜେ ଖୁସିରେ ଥିଲା ନିଜ ଦେଶର ଲୋକମାନଙ୍କୁ ଏକ କଠୋର ପ୍ରକ୍ରିୟାରେ ଶାସନ କରି । ବାକି ସମସ୍ତ ଦେଶ ଏବେ ରୋଗ ଦୁଃଖ ଭୟରେ ଚିତ୍କାର କରୁଥିଲେ ସିନା ,କେବେ ହାର୍ ମାନୁନଥିଲେ ସେ ରାଜା ଆଗରେ । ନିଜ କର୍ମର ଫଳ ସେ ରାଜା ନିଶ୍ଚୟ ଦିନେ ଭୋଗିବ । ଭାବି ସମସ୍ତ ଦେଶର ରାଜା ତଥା ପ୍ରଜାମାନେ ଦୁଃଖରେ କାଳାତିପାତ କରିବାକୁ ଲାଗିଲେ । ଲୁହରେ ସାରା ପୃଥିବୀ ଭାସିବାକୁ ଲାଗିଲା । କେତେ ଲୋକଙ୍କର ଶବ ପୋଡା ହେବାକୁ ଜାଗା ମିଳିଲା ନାହିଁ । ମୃତ୍ୟୁର ତାଣ୍ଡବ ନୃତ୍ୟ ଏମିତି ବଢିଚାଲିଲା ।

     ଏସବୁ ଦେଖି ଈଶ୍ୱର ବି କାନ୍ଦି ଉଠିଲେ । ଦିନେ ଈଶ୍ୱର ସେହି ରାଜାକୁ ନେଇ ଏକ ପୃଥିବୀ ଭଳି ଗ୍ରହରେ ଛାଡିଦେଲେ । ଯେଉଁଠି ଆମ ପୃଥିବୀ ଭଳି ସମସ୍ତ ଗଛ ଲତା ଏବଂ ପଶୁପକ୍ଷୀ ଥିଲେ ମଧ୍ୟ ମଣିଷର ଛାପ ସୁଦ୍ଧା ନଥିଲା । ସମ୍ପୃର୍ଣ୍ଣ ଏକୁଟିଆ ସ୍ଥାନରେ ସେହି ଦୁଷ୍ଟ ରାଜାକୁ ଛାଡି ଦେଲେ । ଆଉ କହିଲେ,ତତେ ଏହି ଗ୍ରହର ରାଜା କରିଦିଆ ଗଲା । ତୁ ସମସ୍ତ ପୃଥିବୀର ରାଜା ହେବାକୁ ଚାହୁଁଥିଲୁ ନା । ଏବେ ତୁ ଏହି ନୂତନ ପୃଥିବୀର ରାଜା । ରହ ଏହିଠାରେ ,କହି ଈଶ୍ୱର ନିଜ ବାଟରେ ଚାଲିଗଲେ । ସେହି ଦୁଷ୍ଟ ରାଜା ଏବେ ସେହିଠାରେ ବନ୍ଦୀ ହେଇ ଭାବୁଥିଲା ,ମନୁଷ୍ୟ ବିନା ମୁଁ ଏହିଠାରେ କିପରି ବଞ୍ଚିବି ? ସାଙ୍ଗ ସାଥି ଭାଇ ବନ୍ଧୁ ତଥା କୁଟୁମ୍ବ ବିନା ମୋର ଅସ୍ତିତ୍ୱ ବା କ'ଣ ? କାହିଁକି ଆଉ ବଞ୍ଚିବି ମୁଁ ? ହେଲେ ସେ ନିଜକୁ ନିଜେ ମାରି ପାରୁନଥିଲା । କି କୌଣସି ପଶୁପକ୍ଷୀ ବି ତାକୁ ଖାଉ ନଥିଲେ । ଏମିତି ସାରା ଜୀବନ ସେ ଏକ ଯନ୍ତ୍ରଣା ମୟ ଜୀବନ କାଟିଲା ।

       ଦିନେ ଈଶ୍ୱରଙ୍କୁ ଡାକି କହିଲା,ମତେ ମୃତ୍ୟୁବର ଦିଅ ଭଗବାନ । ଈଶ୍ୱର କହିଲେ,ଯେ ପର୍ଯ୍ୟନ୍ତ ମୋ ପୃଥିବୀରେ ତୁ ଦେଇଥିବା ରୋଗ ଦୁଃଖ ଥିବ । ସେପର୍ଯ୍ୟନ୍ତ ତୁ ଏମିତି କଷ୍ଟ ପାଉଥିବୁ । ତୁ ମତେ ଆଉ ଥରେ ଡାକି ଭୁଲ୍ କରିଛୁ ଦୁଷ୍ଟ ରାଜା । ହେଇ ଦେଖେ ମୋ ପୃଥିବୀବାସୀଙ୍କର ଅନେକ ଲୁହ ଆଉ ଯନ୍ତ୍ରଣା ଦେଇଛନ୍ତି ତୋ ଉପରେ ପକେଇବା ଲାଗି । ଏମିତି କହି,ଈଶ୍ୱର ତା' ଉପରେ ସମସ୍ତ ଲୋକଙ୍କ ଲୁହ ପକେଇ ଦେଲେ । ଏହା ଫଳରେ ସେହି ଦୁଷ୍ଟ ରାଜାଟି ରୋଗରେ ଜର୍ଜରିତ ହେବାକୁ ଲାଗିଲା । ଆହୁରି ଅନେକ ଯନ୍ତ୍ରଣାରେ ସେ କାଳାତିପାତ କଲା । ଈଶ୍ୱର ଯିବା ସମୟରେ ତାକୁ ବର ଦେଇ ଗଲେ ଯେ,ଯେ ପର୍ଯ୍ୟନ୍ତ ତୁ ଦେଇଥିବା ରୋଗରେ ଲୋକ ମାନେ କଷ୍ଟ ପାଉଥିବେ । ସେ ପର୍ଯ୍ୟନ୍ତ ତୁ ମରି ମରି ବଞ୍ଚୁଥିବୁ । ଆଉ ଯେ ପର୍ଯ୍ୟନ୍ତ ତୋ ପାପ ସରିନି ସେ ପର୍ଯ୍ୟନ୍ତ ତୁ ଜୀବିତ ରହି ଏହି କଷ୍ଟକୁ ଭୋଗ କରୁଥିବୁ ।

     ଏବେ ରାଜାଟି ଠିକ୍ ବୁଝି ପାରିଥିଲା ଯେ ଦୁନିଆଁରେ ସବୁଠାରୁ ସୁନ୍ଦର କିଏ ବୋଲି ? କ୍ଷମତା ,ନା ରାଜଗାଦି,ନା ପରାକ୍ରମ ,ନା ଶାସନର ଲୋଭ,ନା ସମ୍ପର୍କ ବୋଲି । ହେଲେ ହାତରେ ଯେ ଆଉ ସମୟ ନାହିଁ । ସବୁଠାରୁ ସୁନ୍ଦର ଜିନିଷକୁ ତଉଲେଇ ବାକୁ। ରାଜା ବୁଝିପାରିଲେ ଦୁନିଆଁର ସବୁଠୁ ସୁନ୍ଦର ଜିନିଷ କ୍ଷମତା କିମ୍ବା ଶ୍ରେଷ୍ଠତ୍ୱ ନୁହେଁ ,ମଣିଷମାନଙ୍କର ପାରସ୍ପରିକ ସ୍ନେହ ପ୍ରେମ ଭଲପାଇବା ତଥା ସମ୍ପର୍କର ସେତୁ ହେଉଛି ସବୁଠାରୁ ସୁନ୍ଦର । କାହାକୁ ହଇରାଣ ନକରି ସମସ୍ତଙ୍କ ସହ ଭଲରେ ଚଳିବା ହେଉଛି ମାନବିକତା। ଏହା ହଁ ତ ସବୁଠୁ ସୁନ୍ଦର

(ଅତି ଲୋଭରୁ ପାପ, ଆଉ ପାପରୁ ମୃତ୍ୟୁ ।ଲୋଭ ହେଉଛି ମଣିଷର ପରମ ଶତ୍ରୁ । ଏହି ଲୋଭର ଶିକାର ହେଇ କେତେ ମଣିଷର ଅଧୋଗତି ହେଇଛି । ଆଉ ଆଗକୁ ହେବ ବି।ଯାହା ଏହି ଗଳ୍ପରେ ଏହି ଦୁଷ୍ଟ ରାଜାର ପରିଣତି ହେଲା । ଏବଂ ଏହି ରାଜା ପରି ଯିଏ ବି ହେବ ସେ ଏହି ଦଣ୍ଡ ,ଈଶ୍ୱରଙ୍କ ଦ୍ୱାରା ପ୍ରାପ୍ତ କରିବ ନିଶ୍ଚୟ । ) ଏହା ଏକ କାଳ୍ପନିକ କାହାଣୀ ଯାହା ତ୍ରୁଟି ଥିବ କ୍ଷମା କରିଦେବେ ଆଜ୍ଞା ।

  



Rate this content
Log in

Similar oriya story from Tragedy