*** ଏହା କ'ଣ ପ୍ରେମ ***
*** ଏହା କ'ଣ ପ୍ରେମ ***
ଜ୍ୟୋତ୍ସ୍ନା ବିଧୌତ ରଜନୀରେ ପୂର୍ଣ୍ଣିମାର ଚାନ୍ଦଟି ରୂପାଥାଳି ପରି ଆକାଶ ବୁକୁରେ ଝଲମଲ ହୋଇ ଝଲସୁଥାଏ। ବ୍ରାହ୍ମଣୀ ନଦୀପଠାରେ ନାଉରୀଟି ଗଣିଗଣି ସମସ୍ତଙ୍କୁ ନାଆରୁ ଓଲ୍ହାଇ ଦେବାପରେ ନିଶ୍ଚିତ ହୋଇଗଲା ଯେ ନଦୀ ଆରପାରିରେ ଆଉ କେହି ରହିନାହାଁନ୍ତି। କାତ ସାଙ୍ଗରେ ନାଆଟିକୁ ଭଲକରି କୂଳରେ ଥିବା ବଟବୃକ୍ଷରେ ବାନ୍ଧି ଦେଇ ଘରକୁ ଚାଲିଗଲା ନାଉରୀ।
ଏବେ ନଦୀକୂଳ ସମ୍ପୂର୍ଣ୍ଣ ଶୂନଶାନ। ଏମିତି ନିର୍ଜନତାକୁ ପସନ୍ଦ କରନ୍ତି ଦୁନିଆର କିଛି ଲୋକ ହୁଏତ ପ୍ରେମରେ ମଜ୍ଜି ଯିବାକୁ ନଚେତ ନିଦ୍ରା ଦେବୀଙ୍କ କୋଳରେ ତନ୍ଦ୍ରାସକ୍ତ ଲୋକଙ୍କ ଘରେ ତସ୍କରୀ କରିବାକୁ।
ନଦୀପଠାରେ କେଉଁ କାଳରୁ ଖରାବର୍ଷାକୁ ଖାତିର ନକରି ଠିଆ ହୋଇ ରହିଛି ବୁଢା ବରଗଛଟି। ତାରି ଚାରିପଟେ ବର ଓହଳ ଗୁଡିକ ସମାନ୍ତରାଳ ଭାବରେ ଝୁଲି ରହିଛନ୍ତି। ଦିନବେଳା ଓହଳ ଗୁଡିକରେ ଝୁଲି ଝୁଲି ଖେଳିବା ଗାଁ ପିଲାଙ୍କ ପାଇଁ ସବୁଠାରୁ ମଜାଦାର ଖେଳ। ରାତିର ନିର୍ଜନତାରେ ବରଗଛ ମୂଳରେ ଥିବା ମୋଟା ଚେରଟି ଏକ ପ୍ରେମୀ ଯୁଗଳଙ୍କ ଏକାନ୍ତ ସମୟ କାଟିବାର ସବୁଠାରୁ ନିରାପଦ ସ୍ଥାନ। ସେମାନେ ଠିକ ଜାଣିଥାନ୍ତି ନାଉରୀ ଭାଇର ଘରବାହୁଡା ସମୟକୁ। ନିଜ ନିଜ ଘରୁ ଓର ଉଣ୍ଡି ବାହାରି ପଡନ୍ତି ବର୍ଷା ଓ ବାଦଲ। ଫଗୁଣର ମତୁଆଲା ବାଆରେ ଗଛର ଡାଳପତ୍ର ସବୁ ଅସମ୍ଭବ ଭାବେ ଝୁଲି ଝୁଲି ସେମାନଙ୍କର ସ୍ବାଗତ କରୁଥାନ୍ତି। ପୁନେଇଁ ଚାନ୍ଦଟି ପତ୍ର ଗହଳରୁ ଉଙ୍କି ମାରିକି ଦେଖୁଥାଏ ପ୍ରେମୀ ଯୁଗଳଙ୍କ ଆଗମନକୁ।
ନିଜର ନିର୍ଦ୍ଦିଷ୍ଟ ଜାଗାରେ ବସି ପଡି ପ୍ରେମିକର ଅପେକ୍ଷାରେ ବର୍ଷା ଜଗିରହିଛି। ମନରେ ଅନେକ ଆଶଙ୍କା। ବିଶ୍ବାସ ଥାଇବି ଭରଷା ପାଉନି। ହାତରେ ଧରିଥିବା ଜିନିଷଟିକୁ ସନ୍ତର୍ପଣରେ ଥରେ ଖୋଲି ଦେଖି ପୁଣି ବନ୍ଦ କରି ରଖିଦେଲା ସେ। କିଂକର୍ତ୍ତବ୍ୟବିମୂଢ ହୋଇଯାଇଛି ସେ ଆଜି।
ସୁନାଝରା ପ୍ରଥମ ପ୍ରେମର ଦିନ ଗୁଡିକ ଆଖି ଆଗରେ ଛବିଭଳି ଭାସି ଯାଉଛନ୍ତି। ପ୍ରଥମ ଛୁଆଁର ମାଦକତାର ମହୁଲି ନିଶା କିପରି ପ୍ରେମ ଦରିଆରେ ଆଗକୁ ଆଗକୁ ବାଟ କଢାଇ ନେଇଥିଲା ,ଛାତିର ସ୍ପନ୍ଦନ କିପରି ନିଜକୁ ନିଜେ ବଢିଯାଉଥିଲା,ମୁଖମଣ୍ଡଳ କିପରି ସ୍ବତଃସ୍ଫୁର୍ତ୍ତ ଭାବରେ ଲଜ୍ଜାରୁଣ ହୋଇଯାଉଥିଲା,ତନୁ ମନରେ ତଡିତ୍ ସମ ଶିହରଣ କିପରି ଭାବେ ଖେଳିଯାଉଥିଲା ସବୁକିଛି ତା ସାମନାରେ ବାଇସ୍କୋପ ରେ ଛବିସବୁର ରିଲ ଚାଲିବା ପରି ଚାଲି ଯାଉଥିଲା।
ସେଦିନ କଲେଜରୁ ଫେରିବା ସମୟରେ ବାନ୍ଧବୀର ଅନୁପସ୍ଥିତି ଯୋଗୁଁ ଏକୁଟିଆ ହୋଇଯାଇଥିଲା ସେ। ଶୂନଶାନ ରାସ୍ତାରେ ସାଇକେଲରେ ଫେରିବାଟା ଯଦିଓ ଏତେଟା କଷ୍ଟକର ନଥିଲା ତଥାପି ଅସହ୍ୟ ଲାଗୁଥିଲା ଏକଲାପଣ। କିଛିବାଟ ଯାଇଛିକି ନାହିଁ ହଠାତ୍ ପଛରୁ ସାଇକେଲର ବେଲ୍ ଶୁଣିବାକୁ ପାଇଲା ଓ କ୍ଷଣକ ମଧ୍ୟରେ ନିଜର ମନର ମଣିଷକୁ ସାଇକେଲରେ ଦେଖିବାକୁ ପାଇଲା ବର୍ଷା।
ବାଦଲ ତମେ କ୍ଲାସ ଛାଡି କାହିଁକି ଆସିଗଲ ଯେ
ହଠାତ୍ କ୍ଲାସରୁମକୁ ଯାଉଯାଉ ତୁମକୁ ଏକୁଟିଆ ଆସୁଥିବାର ଦେଖିବୁଝିଗଲି ଯେ ତୁମକୁ ଏକୁଟିଆ ଏତେଦୂର ଯିବାକୁ ପଡିବ। ତୁମର ସୁରକ୍ଷା ପାଇଁ ତଥା ଏକଲାପଣକୁ ଦୂର କରିବା ପାଇଁ ମୁଁ କ୍ଲାସଛାଡି ଚାଲି ଆସିଲି।
ଏଥର ଦୁଇଜଣ ସାଇକେଲରୁ ଓଲ୍ହେଇ ପଡି ନିଜ ନିଜ ସାଇକେଲକୁ ଗଡେଇ ଗଡେଇ ଚାଲିଲେ। ବେଗ ସହିତ ଗତି ବି କମିଗଲା ଓ ତା ସହିତ ଦୁଇଜଣଙ୍କ କଥୋପକଥନର ସୀମା ବି ବଢିଗଲା। ଏହିପରି ମଉକା ତ ସମସ୍ତ ପ୍ରେମୀ ଯୁଗଳଙ୍କ ଏକାନ୍ତ କାମ୍ୟ ଜିନିଷ।
କଥା ହେଉ ହେଉ ଦୁଇକିଲୋମିଟର ର ଦୂରତା ଆଖି ପିଛୁଳାକେ ଶେଷ ହୋଇଗଲା। ଗାଁ ମୁଣ୍ଡର ସେଇ ଝଙ୍କାଳିଆ ବୁଢା ବରଗଛଟି ପାଖରେ ଥିବା ତିନି ମୁହାଣୀ ରାସ୍ତାରେ ପହଞ୍ଚିବା ପରେ ପରସ୍ପରଠାରୁ ଅଲଗା ହୋଇଥିଲେ ବର୍ଷା ଓ ବାଦଲ।
ମାସର ଶେଷ ପାଳି ଗୁରୁବାର। ଘରେ ମାଣବସା । ବୋଉ,ବଡବୋଉ ମିଶି କେତେ ଜାତିକା ପିଠାପଣା କରି ସକାଳୁ ମାଣ ପାଖରେ ଲାଗି ଦେଇ ସାରିଥାନ୍ତି। ପିଲା ମାନଙ୍କ ପାଇଁ ଚକୁଳି,ଆରିସା,କାକରା, ବୁଢାଚକୁଳି,ବରା,ମିଠାବରା,ବିରିଗୋଜ,ଛୁଞ୍ଚିପତ୍ର ପିଠା, ଚନ୍ଦ୍ରକାନ୍ତି, ଖିରି,ଅଟକାଳି ଆଦି ଥାଳିରେ ସଜେଇ ବୋଉ ନେଇ ଆସିଲା। ଭାଇ ଭଉଣୀଏ ଖୁସିରେ ପଙ୍ଗତ ପକାଇ ବସିଗଲେ। ବର୍ଷାର ମନ ଭିତରେ ବାଦଲ ଭାସିଉଠିଲା। ବୋଉର ତାଗିଦା ସେ ଭୂଲିଗଲା। ମାଣବସା ପୂଜା ପିଠା ଘର ବାହାରକୁ ନନେବା ପାଇଁ ଘରର ସମସ୍ତଙ୍କୁ ଚେତେଇ ଦିଆଯାଏ। ଆଜିକିନ୍ତୁ ବର୍ଷା ବୋଉର ବୋଲ ମାନିବାକୁ ନାରାଜ ଥିଲା। ଥାଳିକ ପିଠା ଭିତରୁ ଚୁପ କରି ସମସ୍ତଙ୍କ ଅଜାଣତରେ ପାଞ୍ଚଟି ପିଠା କାଢିଆଣି ଗୋଟିଏ ଜରିରେ ଭରି ନିଜ କଲେଜ ବ୍ୟାଗରେ ରଖି କଲେଜ ଯିବାପାଇଁ ପ୍ରସ୍ତୁତ ହୋଇଗଲା। ସାରାଦିନ ସୁଯୋଗ ଖୋଜୁଥିଲା ନିଜର ମନର ମଣିଷଟିକୁ ପିଠା ଗୁଡିକ ଦେବାପାଇଁ। ସୁଯୋଗ ମିଳିଲା ନାହିଁ। କଲେଜ ସରିଲା। ବାନ୍ଧବୀ ସିପ୍ରା ସାଙ୍ଗରେ ଘରକୁ ଫେରୁଥିବା ସମୟରେ ପ୍ରଥମେ ସିପ୍ରାର ଘର ପଡେ। ସେଇଠୁ ଆଉ ଅଧ କିଲୋମିଟର ଏକାକୀ ଯିବାକୁ ପଡେ ବର୍ଷାକୁ। ଏକୁଟିଆ ଯିବାସମୟରେ ପୁଣିଥରେ ସ୍ମୃତିପଟକୁ ଆସିଗଲା ବାଦଲ। ଦୁଃଖରେ ପୁଣି ଛଟପଟ ହୋଇଗଲା ବର୍ଷାର ମନ। ରାସ୍ତାକଡରେ ସାଇକେଲ ରଖି ପିଠା ଜରିଟି ଖୋଲିଲା ବେଳକୁ
ମତେ କିଛି ମିଳିବନି
ମୁହଁ ଉଠାଇ ସାମନାକୁ ଦେଖିବା ବେଳକୁ କଣକିଆ ଗୋଟିଏ ଆମ୍ବ ଗଛ ତଳେ ବାଦଲ ଠିଆ ହୋଇ ତାରି ଆଡକୁ ଲକ୍ଷ୍ୟକରି କହୁଛି।
ଖୁସିରେ ଗଦଗଦ ହୋଇଗଲା ବର୍ଷା। ଯାହାହେଉ ଆଶାଟା ପୂରଣ ହୋଇଗଲା। ଆବେଗଭରା ହୃଦୟରେ ପହଞ୍ଚିଗଲା ବାଦଲ ପାଖରେ ଏବଂ ନିସଙ୍କୋଚରେ ନିଜ ହାତରେ ପିଠା ଗୁଡିକ ଖୁଆଇ ଦେଲା ତାକୁ। ଏତେ ସହଜ ଭାବରେ ଖୁଆଇ ଦେଲା ଯେ ଲାଗୁଥିଲା ବାଦଲ ତାର ଜନ୍ମ ଜନ୍ମାନ୍ତରର ସାଥୀ। ମୁଠା ମୁଠା ଖୁସି ସାଉଁଟି ନେଲା ଆଉ କିଛି ନକହି ସାଇକେଲକୁ ଘର ଅଭିମୁଖେ ଜୋରରେ ଗଡାଇନେଲା।
ଆକର୍ଷଣ ଟାଣ ହେବାକୁ ଲାଗିଲା। ଦିନେ ନଦେଖିଲେ ଦୁଇଜଣଙ୍କ ଦିନ ଅସମ୍ପୂର୍ଣ୍ଣ ରହୁଥିଲା। ଏଥିରେ ପୂର୍ଣ୍ଣତା ଆଣିବା ପାଇଁ ରାତିରେ ଶୋଇବା ପୂର୍ବରୁ ଯେମିତି ହେଲେ ଥରଟିଏ ନଦୀକୂଳରେ ଥିବା ବୁଢା ବରଗଛ ତଳେ ଦୁହେଁ ଦୁହିଁଙ୍କୁ ଭେଟୁଥିଲେ। ମନ ଭରିଯାଉଥିଲା ସେଇ ଦେଖା ଟିକକରେ। ଦୁହିଁଙ୍କ ତରଫରୁ ନିରବତା ବେଳେ ବେଳେ କହିଦେଉଥିଲା ପ୍ରେମର ଭାଷା, ଅବା କେତେବେଳେ ଆନମନା ମନ ଦୁହିଁଙ୍କୁ ଆଲିଙ୍ଗନ ବଦ୍ଧ କରିଦେଉଥିଲା। ଆଉ ହୃଦୟ ଦୁଇଟି ଭାବ ବିନିମୟ କରିଦେଉଥିଲେ ମଧ୍ୟସ୍ତି ହୋଇ।
ଗତ ମାସର ପୂର୍ଣ୍ଣିମା ରାତି। ଛାୟା ମୂର୍ତ୍ତି ପରି ଦୁହେଁ ପାଖକୁ ପାଖ ଲାଗି ବସିଥାନ୍ତି। ବର୍ଷାର ପାପୁଲିକୁ ନିଜ ହ
ାତ ପାପୁଲି ଦୁଇଟିରେ ଚାପିରଖିଥାଏ ବାଦଲ। ଆଜି କାଇଁ ବର୍ଷାକୁ ପାଖରୁ ଛାଡିବାକୁ ମନ ଚାହୁଁନି ତାର। ଓଠ ଆଜି ତାର ବୋଲ ମାନିବାକୁ ନାରାଜ। କମଳା ଲେମ୍ବୁ ପାଖୁଡା ସମ ବର୍ଷାର ଓଠରେ ଚମ୍ବନ ଟିଏ ଆଙ୍କିବାର ଅଦମ୍ୟ ଇଛା ଆଜି ଯେପରି ବାଦଲ ଚରିତାର୍ଥ କରିଦେବକି ଆଉ। ବର୍ଷାର ମୁଖକୁ ଦୁଇହାତରେ ତୋଳିଧରି ଅଧରରେ ଅଧର ମିଳାଇବାକୁ ଯାଉଥିବା ବାଦଲ ହଠାତ୍ ପ୍ରକୃତିସ୍ଥ ହୋଇଗଲା। କ୍ଷଣିକ ଉତ୍ତେଜନାକୁ ଖୁବ ଶୀଘ୍ର ନିୟନ୍ତ୍ରଣ କରିନେଇ, ମର୍ଯ୍ୟାଦାର ଲକ୍ଷଣରେଖାକୁ ନ ଟପି ବର୍ଷାର ମଥାକୁ ସାଉଁଳେଇ ନେଲା କେବଳ। ବିଦାୟ ବେଳା ଆସିଗଲା। ଦୁହେଁ ଫେରିଗଲେ ନିଜ ନିଜ ଘରକୁ।
ଦୁଆର ମୁହଁରେ ବାପାଙ୍କୁ ବସିଥିବାର ଦେଖି ଅପ୍ରସ୍ତୁତ ହୋଇପଡିଲା ବର୍ଷା। କିଛି ନକହି ମଧ୍ୟ ବାପାଙ୍କୁ ସବୁକିଛି ବୁଝିବାକୁ ବେଶୀ ସମୟ ଲାଗି ନଥିଲା।
ଘରେ କୌଣସି ଅଶାନ୍ତି ବା ବାପା ମା ଙ୍କର ପରିବର୍ତ୍ତିତ ବ୍ୟବହାର ଦେଖିବାକୁ ପାଇନି ବର୍ଷା। ମାସକ ମଧ୍ୟରେ ଦୁଇ ଦୁଇଥର ପୁଅଘର ଲୋକ କେବଳ ଯାହା ତାକୁ ଦେଖିବାକୁ ଆସିଥିଲେ। ଦୁଇଟି ପ୍ରସ୍ତାବ ଭିତରୁ ଗୋଟିଏ କୁଆଡେ ବାପା ମା ଦୁଇଜଣଙ୍କର ଭାରି ମନକୁ ପାଇଛି ବୋଲି ସାନଭଉଣୀ ରୁବି କହୁଥିଲା।
ମନ ଭିତରେ ଭୟର ସାଗର ଲହଡି ପିଟୁଥାଏ। ଆଜି ରାତିରେ ସବୁକଥା ବାଦଲକୁ କହିବାକୁ ହେବ। ବାଦଲକୁ ଛାଡି ରହିବା ଯେ ଅସମ୍ଭବ। ମନ ତ ବନ୍ଧା ପଡିଯାଇଛି ତା'ରି ପାଖରେ। କେମିତି ଚାଲିଯିବ ଅନ୍ୟର ହାତଧରି!
ସେଦିନ ଦ୍ବିପ୍ରହର। ରବିବାର ଥାଏ। ଘରେ ସମସ୍ତେ ଭାରି ଚଳଚଞ୍ଚଳ ଲାଗୁଥାନ୍ତି। ଭଲ ଭଲ ରାନ୍ଧଣାର ଗନ୍ଧ ରୋଷେଇଘରୁ ଭାସି ଆସୁଥାଏ। ବଡବୋଉ ଆସି ବର୍ଷାକୁ କହିଦେଇଗଲେ ଶାଢ଼ୀପିନ୍ଧି ବୈଠକ ଘରକୁ ଆସିବାକୁ। ରୁବିକୁ ଆଦେଶହେଲା ସାଙ୍ଗରେ ଆସିବାକୁ। ଅନିଛା ସତ୍ତ୍ଵେ ବର୍ଷା ପ୍ରସ୍ତୁତ ହେଲା।
ଭାବି ଶାଶୁ ଶ୍ବଶୁର ତାର ଅପେକ୍ଷାରେ ଥିଲେ। ହାତରେ ତାର କଙ୍କଣ ପିନ୍ଧାଇ ମୁଣ୍ଡରେ ଆଶୀର୍ବାଦର ହାତ ରଖିଲେ। ମୂକ ହୋଇଯାଇଥିଲା ବର୍ଷା।
ନିଜ କୋଠରୀରେ ଅନେକ ସମୟ ପର୍ଯ୍ୟନ୍ତ କୋହ ସବୁକୁ ଲୁହ ରୂପରେ ନିଗାଡୁ ଥିଲା ସେ। ସନ୍ଧ୍ୟା ବେଳକୁ ସମସ୍ତଙ୍କ କୋଳାହଳ ଶୁଣି ସେ ବାହାରକୁ ଆସି ଦେଖେତ ସମସ୍ତେ କିଛି ଗୋଟିଏ ଜିନିଷକୁ ଘେରିକରି ବସିଛନ୍ତି। ଆଉଟିକେ ପାଖକୁ ଯାଇ ଦେଖିଲା ବିବାହର ଛପାଯାଇଥିବା କାର୍ଡ। ବଡବାପା କହୁଥିଲେ "ଯେଉଁଦିନ ପୁଅଘରୁ ସମ୍ମତି ମିଳିଥିଲା ଓ କୋଷ୍ଠି ମିଳେଇବା ପରେ ବିବାହର ଶୁଭ ମୁହୁର୍ତ୍ତ ଜଣାପଡିଥିଲା ସେହିଦିନ ହିଁ ମୁଁ ଏ ବିବାହ କାର୍ଡ ଛପାଇବାକୁ ଦେଇଦେଇଥିଲି"। ସ୍ଥାଣୁ ହୋଇଗଲା ସେ। ସମସ୍ତଙ୍କ ଅଲକ୍ଷ୍ୟରେ ଗୋଟିଏ କାର୍ଡ ଉଠାଇ ନିଜ କୋଠରୀକୁ ଚାଲିଆସିଲା ସେ। ବର୍ଷା ସହିତ ବିନୟ ର ଶୁଭ ପରିଣୟର ବାର୍ତ୍ତା ବହନ କରୁଥିଲା କାର୍ଡଟି.......ହତବମ୍ବ ହୋଇଯାଉଥିଲା ବର୍ଷା କିନ୍ତୁ ସବୁକିଛି ଏତେ ଶୀଘ୍ର ହୋଇଯିବ ଏକଥା ତା ଭାବନା ବାହାରେ ଥିଲା।
କାର୍ଡଟିକୁ ନିଜର ଏକ ଓଢଣୀ ଭିତରେ ଗୁଡେଇ ରଖିଦେଲା। ରାତ୍ରୀ ଭୋଜନ ଶେଷ ହେଲା। ସମସ୍ତେ ଶୋଇବାକୁ ଚାଲିଗଲେ। ଚୁପକରି ବର୍ଷା ବାହାରିଗଲା ନଦୀକୂଳକୁ। ମନର କ୍ଷୋଭ,ଦୁଃଖ ଓ ମାନସିକ ଅଶାନ୍ତି ସବୁକିଛି ଆଜି ବାଦଲ ସାମନାରେ ପ୍ରକାଶ କରି କିଛି ଗୋଟାଏ ବ୍ୟବସ୍ଥା କରିବାକୁ ହେବ ତାକୁ।
ଆଜି ବାଦଲର ଆସିବାରେ ବିଳମ୍ବ ହେବା ତାକୁ ହଜମ ହେଉନଥିଲା। ଏମିତି ଡେରି ତ ସେ କେବେ କରେନି। ଅପେକ୍ଷା ବଢୁଥିଲା। ବର୍ଷା ହାତରୁ ସମୟ ସରି ଆସୁଥିଲା। ଫେରିବାକୁ ବାହାରିଛି ଦେଖିଲା ବାଦଲକୁ। ବର୍ଷା ନିଜେହିଁ ଝରଝର ହୋଇ ବର୍ଷି ଗଲା। କମ୍ପିତ ହାତରେ ଓଢଣୀ ଖୋଲି କାର୍ଡଟି ଦେଖାଇଲା ,ମୁହଁରୁ ଭାଷା ବାହାରୁ ନଥାଏ। କେବଳ ନିଜକୁ ଲୋଟାଇଦେଲା ବାଦଲର ବୁକୁରେ ଆଉ ଆବେଗରେ ଜଡେଇନେଲେ ଦୁହେଁଦୁହିଁଙ୍କୁ। ଗୋଟିଏ ସେକେଣ୍ଡ ପାଇଁ ବାଦଲ ଭାବିନେଲା ଆଜିହିଁ ପ୍ରକୃଷ୍ଟ ସମୟ। ବର୍ଷା ସହ ନିବିଡ ହେବାର ଶେଷ ସିଢିଟା ଥରେ ଟପିଗଲେ ସବୁ ଠିକ ହୋଇଯିବ । ହୁଏତ ବର୍ଷାର ବାହାଘର ଭାଙ୍ଗିଯିବ,ହୁଏତ ବର୍ଷା ନିଜକୁ ବାଦଲର ବାଗଦତ୍ତା ଭାବି ପ୍ରସ୍ତାବଟି ପ୍ରତ୍ୟାଖ୍ୟାନ କରିବ ଏମିତି ଭାବନା ସବୁ ତା ମନର କୋଣ ଅନୁକୋଣରେ ଉଙ୍କି ମାରିବାକୁ ଲାଗିଲେ। ଆଜିକିନ୍ତୁ ସେ ବର୍ଷାର ଅଧରକୁ ଚୁମିଯାଉଥିଲା ଅସମ୍ଭବ ଭାବେ ଆଉ ସମର୍ପଣ ଭାବ ନେଇ ମୂର୍ତ୍ତି ସାଜି ଠିଆ ହୋଇଥିଲା ବର୍ଷା।
ନିଜକୁ କୌଣସିମତେ ସମ୍ଭାଳି ନେଲେ ଦୁହେଁ।
ଆତି ଏତେ ଡେରି କାଇଁ କଲ ଯେ ଆସିବା ପାଇଁ?
ତୁମର ଦେଇଥିବା ସମସ୍ତ ଚିଠି ଖୋଜିଖୋଜି ଏକାଠି କରୁଥିଲି। ସନ୍ଧ୍ୟାବେଳେ ତୁମ ପଡିଶାଘରେ ରହୁଥିବା ବିପିନ କହିଲା ତୁମର ବିବାହ ଠିକ ହୋଇଯାଇଛି। କାର୍ଡ ମଧ୍ୟ ଛପା ସରିଲାଣି। ସେଥିପାଇଁ ଆମ ସମ୍ପର୍କର ସମସ୍ତ ସନ୍ତକ ଏକାଠି କରି ତୁମକୁ ଫେରାଇ ଦେବାକୁ ଆସିଲା ବେଳକୁ ଡେରି ହୋଇଗଲା।
କିଛି ଦୁଃଖ ଲାଗୁନି ମୋ ପାଇଁ ନିଜ ପାଇଁ
ମଣିଷଟିଏ ମୁଁ। ଏଥରୁ ବାଦ ଯିବି କେମିତି?
ତାହେଲେ କିଛି ଗୋଟାଏ କର।
କରିବାକୁ ତ ମନ ଅନେକ କିଛି କହୁଛି। ହେଲେ ମୁଁ କରିପାରୁନି। ନିଜକୁ ଉପାର୍ଜନ କ୍ଷମ ବନାଇବାକୁ ମତେ କିଛିଦିନ ସମୟ ଲାଗିପାରେ। ତୁମର ବାପାମା ତ ମତେ ସେତିକି ସମୟ ଦେବାପୂର୍ବରୁ ସବୁକିଛି କାମ ବଢେଇ ଦେଲେ। ଆଛା ତୁମେ ମୋକଥା ଘରେ କହି ବିବାହଟା ଭାଙ୍ଗି ଦେଇ ପାରିବ
ମତେ ମଧ୍ୟ କହିବାକୁ ସମୟ ନଦେଇ ସମସ୍ତ ଗୁରୁଜନ ମାନେ ଏତେଶୀଘ୍ର ଏତେବଡ ସିଦ୍ଧାନ୍ତ ନେଇଯିବେ ଏହାତ ମୋ କଳ୍ପନାତୀତ ଥିଲା। କେମିତି ବାପା ବଡବାପାଙ୍କ ମୁହଁକୁ ତଳକୁ କରିବି?
ଦୁଇଜଣ ଭାଷାଶୂନ୍ୟ ହୋଇଗଲେ କିଛିକ୍ଷଣ ପାଇଁ।
ବାଦଲର ହାତ ବର୍ଷାର ମୁଣ୍ଡରେ ଆଶ୍ବାସନା ଦେବାକୁ ଲାଗିଲା ତାର ମଥା ସାଉଁଳେଇ। ଚାଲ ଘରକୁ ଫେରିଚାଲ। ଅତୀତର ସ୍ମୃତିକୁ ଭିତରେ ଚାପି ରଖିଦିଅ,ସମାଧି ଦେଇଦେଲେ ଭଲହେବ। କେତେତ ପ୍ରେମକାହାଣୀର ଏଇମିତି କବର ହୋଇଛି। ଆମ କାହାଣୀ ଆଉଗୋଟିଏ ଉଦାହରଣ ହୋଇ ସେଇ କାହାଣୀ ମୁଣିରେ ବାନ୍ଧି ହୋଇ ଚିରକାଳ ରହିଯାଉ। ବାପାମାଙ୍କ ମନରେ ଦୁଃଖ ନ ଦେଇ ବାହାହୋଇ ସୁଖରେ ଘର ସଂସାର କରିବାକୁ ଆଗେଇଯାଅ। ମୁଁ ବି ବିରହର ବିଷ ଜ୍ବାଳାକୁ ସହିବାର ଚେଷ୍ଟା କରିବି। କେବେବି ତୁମ ରାସ୍ତାରେ କଣ୍ଟା ହେବିନି ଏ ଭରସା ମୋ ଉପରେ ରଖ। କଥା ଦେଉଛି ଭଗବାନଙ୍କ ପାଖରେ ସର୍ବଦା ତୁମର ଶୁଭ ମନାସିବି।
ବର୍ଷା ବର୍ଷି ଯାଉଥିଲା। ବାଦଲ ଧୀରେଧୀରେ ସେଠାରୁ ଅପସରି ଯାଉଥିଲା ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ହୋଇ