Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Parameswar Ojha

Romance Tragedy Inspirational


3  

Parameswar Ojha

Romance Tragedy Inspirational


ଦୂର ଆକାଶ

ଦୂର ଆକାଶ

11 mins 210 11 mins 210


 ଶିବାନନ୍ଦ ବାବୁ ଗୋରେଗାଓଁ ଷ୍ଟେସନରେ ଓହ୍ଲେଇ ସିଧା ଟ୍ୟାକ୍ସି ପାଖକୁ ଗଲେ । ଟ୍ୟାକ୍ସି ଡ଼୍ରାଇଭରକୁ କହିଲେ ବାବୁ ମଙ୍ଗଲପାଲି ଯିବ ? ଡ଼୍ରାଇଭର ଗାଡ଼ିକୁ ଆଉ ଟିକେ ପୋଛି ପାଛି ଦେଇ କହିଲା

-" ହଁ ଯିବି ୧୦୦ ଟଙ୍କା ପଡ଼ିବ " 

-" ୟା ଭିତରେ ବଢ଼ି ଗଲାଣି ବହୁତ ତେବେ " 

-" କଣ କହିଲେ ମଉଷା ? " 

-" ନାଇଁ କିଛି ନାଇଁ, ତୁମେ ଚାଲ " 

ଡ୍ରାଇଭର ଏଥର ଗାଡି ଷ୍ଟାର୍ଟ କଲା ଗାଡ଼ି ଚାଲିଲା ଆଗକୁ । 

ଶିବାନନ୍ଦ ବାହାରକୁ ଚା‌ହୁଁଥାନ୍ତି ଆଉ ଚାହିଁବା ଭିତରେ ଭାବୁଥାନ୍ତି ଅସ୍ମୀରା କଥା, ଆଚ୍ଛା ଅସ୍ମୀ ଏବେ କେମିତି ଦିଶୁଥିବ ?

ବହୁତ ବୁଢୀ ହୋଇ ଯାଇଥିବ ତେବେ, ତା କଳା ମଚ ମଚ ବାଳ ଭିତରୁ ନିଶ୍ଚୟ କୋତୋଟି ଧଳା ହୋଇ ଯାଇଥିବ ? ତା ଦେହର ଚିକ୍କଣ ମୁଲାୟମ ଚମଡା ନିଶ୍ଚୟ ଫିକା ପଡି ଯାଇଥିବ ?

ଆଚ୍ଛା ତା ଓଠରେ ସେ ମୋନାଲିସାର ହସ ସେମିତି ଥିବ ନାଆଁ ? ଆଉ ସେ କଥା କୁହା ଆଖି ସେମିତି ଥିବ କି ଆଗ ଭଳି ? ହଁ. ..ହଁ ... ନିଶ୍ଚୟ ଥିବ ଆଖି କଣ ପରିବର୍ତ୍ତନ ହୁଏ କି କେବେ ? ନାଆଁ କେବେ ନୁହେଁ । 

ଜିନା ୟାହାଁ... ମରନା ୟାହାଁ ....ଇସକେ ଶିବା ଯାଏଁ କାହାଁ........

ମୋବାଇଲ ରିଂରେ ଶିବାନନ୍ଦ ଭାବନାରୁ ଫେରିଲେ ।

ପରଦା ଦେଖିଲେ ବୋହୂ ଅଳକା କଲ୍ କରିଥିଲା, ରିସିଭ୍ କଲେ 

-" ବାବା ଆପଣ ସକାଳୁ ସକାଳୁ କୁଆଡେ ଚାଲିଗଲେ ଯେ ? କାହାକୁ କିଛି ନକହି ୟାଡେ ଇଏ କେତେ ବ୍ୟସ୍ତ ବିବ୍ରତ ହେଉଛନ୍ତି। ମୋତେ ଖାଲି ଗାଳି କରୁଛନ୍ତି ସକାଳ ପହରୁ ‌। ଆପଣଙ୍କର କଣ ଟିକେ କହିକି ଯିବା ଉଚିତ ନଥିଲା ? " 

-" ସରି ମାଆ..., ମୋର ଟିକେ ଜରୁରୀ କାମ ଥିଲା ତ ସେଥିପାଇଁ ଟିକେ ତରତରରେ ଚାଲି ଆସିଲି । ତୁ ବ୍ୟସ୍ତ ହଅନା ମୁଁ ଯାଇ ପହଞ୍ଚିବି ଖରାବେଳେ ସାଙ୍ଗ ହୋଇ ଖାଇବା । ତୁ ଦେଲୁ ଦେଲୁ ଶୁଭମକୁ ଫୋନ୍ ଦେ । " 

ଶୁଭମ୍ ଫୋନ୍ ନେଉ ନେଉ ବିବ୍ରତ ହେଇଗଲା -" ବାବା ଆପଣଙ୍କୁ କେତେଥର କହିଛି ଯୁଆଡେ ଯିବ କହିବି ଯିବ ବୋଲି ? ଡ଼୍ରାଇଭରକୁ କହିଥିଲେ ନେଇ ଯାଇ ନଥାନ୍ତା ତୁମକୁ ? କୁଆଡେ ଯାଇଛ ତ ମୁଁ ଟିକେ ଶୁଣେ ? " 

-" ଏଇ ମଙ୍ଗଲପାଲି ଟିକେ ଆସିଛି ପୁରୁଣା ବନ୍ଧୁ ଜଣେ ଅଛନ୍ତି ତାଙ୍କୁ ଦେଖା କରିବାକୁ । ସାକ୍ଷାତ କରି ଖୁବ୍ ଶିଘ୍ର ଚାଲିଯିବି । ତୁ ବ୍ୟସ୍ତ ହଅନା । ଆଚ୍ଛା କହତ ଆଗରୁ କେତେ ମୁଁ ବୁଲିଛି ଟ୍ୟାକ୍ସିରେ ତତେ ବି ବୁଲେଇଛି ମନେ ଅଛି ନା ନାହିଁ ? ଘର ଗାଡିରେ ଯା'ଆସ କରି କରି ତାକୁ ସବୁ ମନରୁ ପାଶୋରି ପକେଇଥିଲି । ଆଜି କାଇଁ ମନେ ହେଲା ପୁରୁଣା ବନ୍ଧୁ ପାଖକୁ ଯିବି ତ ପୁରୁଣା ସ୍ମୃତି ସହିତ ଯିବଟା  ଭଲ ହେବ । "

ଶୁଭମ୍ ଟିକେ ଖୁସିରେ ଖୁସିରେ ଉତ୍ତର ଦେଲା -" ବାବା ଆପଣ ପିଲାଳିଆମି ଗୁଣ ଜମା ଛାଡି ବେନି । ହଉ ହଉ ଶିଘ୍ର ଫେରି ଆସିବ । " 

ଶିବାନନ୍ଦ ଟିକେ ହସିଲେ ମୋବାଇଲ୍ ପକେଟରେ ରଖୁ ରଖୁ । ଭାବିଲେ, ସତରେ କ'ଣ ପିଲାଳିଆମୀ ଗୁଣ ଛାଡି ଦେବାଟା ଭଲକି ? ମୁଁ ତ କହିବି ପିଲାଳିଆମୀ ଗୁଣ ସବୁବେଳେ ଥାଉ । 

ରହିବା ଭଲ ବି ଅଳ୍ପକେ ଖୁସି ରହିବ ଆଉ ଆଜିକା ସମୟରେ ବିନ୍ଦାସ୍ ରହିବ । " 

- "ମଉଷା ... ଆପଣଙ୍କର ମଙ୍ଗଲପାଲିରେ କିଏ ବନ୍ଧୁ ରୁହନ୍ତି ତେବେ ?" 

ଡ଼୍ରାଇଭରର କଥାରେ ଶିବାନନ୍ଦ ଉତ୍ତର ଦେଲେ, " ହଁ ହଁ ବହୁତ ଭଲ ପ୍ରିୟ ବନ୍ଧୁ ଟେ ଅଛନ୍ତି ସେଠି ।" 

-" ଆଉ ବନ୍ଧୁଙ୍କ ପାଇଁ କିଛି ଖାସ୍ ଜିନିଷ ନେଉଥିବେ ନିଶ୍ଚୟ । "

ଶିବାନନ୍ଦ କହିଲେ' ନାଇଁ ସେମିତି କିଛି ନାଇଁ । '

  ଏଇ ପଦକ କଥାରୁ ମନେ ପଡ଼ିଲା, ଝିଅ ପିଲାଙ୍କ ସବୁ ଖାଇବା ସୈାକ ଥାଏ କିନ୍ତୁ ଅସ୍ମୀର ଅଜବ ସୈାକ ଥିଲା, ତାକୁ ପାଚିଲା ଟମାଟୋ ଖାଇବାକୁ ବହୁତ ଭଲ ଲାଗୁଥିଲା । ହାତରେ ଟିକେ ଲୁଣ ରଖି ଆଉ ଗୋଟେ କଞ୍ଚା ଲଙ୍କା ରଖି । ଟମାଟୋ ପୁଳେ ପାଟିରେ କାମୁଡି ଦେଇ ତାପରେ କଞ୍ଚା ଲଙ୍କାରୁ ଟିକେ ଲୁଣ ମଡେଇକି ଚୋବେଇ ପକେଇବ । ଯିଏ ବି ତାକୁ ଦେଖିବ, ଟମାଟୋ ଖାଉଥାଉ ଅବା ନ ଖାଉଥାଉ ତା ଖାଇବା ଷ୍ଟାଇଲ ଦେଖିଲେ ଯେ କେହିବି ଲୋଭେଇ ଯିବ । ଇଛା ହେବ ଅସ୍ମୀ ପରି ମୁଁ ବି ସେମିତି ଟିକେ ଖାଆନ୍ତି କି । ହଁ ସେ ଖାଉଥିବ ଏମିତି ଯେମିତି ତାହା ଟମାଟୋ ବିଲକୁଲ ନୁହେଁ ତାହା ଗୋଟେ ମିଠା ରସାଳ ଆମ୍ବ ।

 ଆଉ କ'ଣ ... ? ବଡ଼ ଅଜବ ଅଜବ ପସନ୍ଦ ତାର । ଆଚ୍ଛା ଫୁଟା ଗୋଲାପ ଫୁଲ ସମସ୍ତଙ୍କୁ ଭଲ ଲାଗେ, ତାକୁ କିନ୍ତୁ ଦରଫୁଟା ଗୋଲାପ କଢି ଭଲଲାଗେ । ଗୁପଚୁପ୍ ଖାଇବାକୁ ତ ସମସ୍ତଙ୍କୁ ଭଲ ଲାଗେ ଖଟା ପାଣି ସହ ହେଲେ ସେ ଗୋଟେ ଅଜବ ଝିଅ ସେ ଆଗ ସବୁ ଶୁଖିଲା ଗୁପଚୁପ୍ ଖାଇବ ତାପରେ ଖାଲି ଖଟା ପାଣି ପେଟେ ପିଇବ । 

ବର୍ଷାତି ଥିବ ଛତା ଥିବ କିନ୍ତୁ ବର୍ଷାରେ ଭିଜି ଭିଜି ଘରକୁ ଯିବ । ଅସ୍ମୀରାକୁ ବର୍ଷାରେ ଭିଜିବାକୁ ବହୁତ ଭଲ ଲାଗେ । ଥରେ କଲେଜ ଛୁଟି ପରେ ଆମେ ଦୁହେଁ ଘରକୁ ଫେରୁଛୁ ବସକୁ ଅପେକ୍ଷା କରିଥାଉ ହଠାତ୍ ଝିପ୍ ଝିପ୍ ବର୍ଷା ଆରମ୍ଭ ହେଲା । ସେ ପାଗିଳୀ ଝିଅ ମୋ ହାତ ଛାଡି ଯାଇ ବର୍ଷାରେ ଛିଡା ହେଲା । ଯେମିତି ପାଣି ନୁହେଁ ଉପରୁ ଗୋଲାପ ବର୍ଷୁଛି କି ସେଇପରି ଉପରକୁ ମୁହଁ କରି ଦୁଇ ହାତ ମେଲିଦେଇ ଘେରାଏ ବୁଲି ଆସିଲା । ଯେତେ ବୁଝେଇଲି ଥଣ୍ଡା ଜ୍ୱର ହେବ ବର୍ଷାରେ ନ ଭିଜିବା ପାଇଁ ମାନିଲାନି ନିଜେ ତ ଭିଜିଲା ଭିଜିଲା ମୋତେ ବି ଭିଜେଇ ଭିଜେଇ ଘର ଯାଏଁ ଚଲେଇ ଚଲେଇ ଆଣିଲା । ନା ଛତା ଖୋଲିବାକୁ ଦେଲା ନା ବର୍ଷାତି ପିନ୍ଧିବାକୁ ଓଲଟି ଦାନ୍ତ ଦେଖେଇ କହିଲା, " ନନ୍ଦମ୍ ତୁମେ ବି ବର୍ଷାରେ ଭିଜ ବହୁତ ମଜା ଲାଗିବ । "

ବର୍ଷାର କେତେ ମଜା ମୁଁ ଅବଶ୍ୟ ଜାଣି ପାରିଲିନି କିନ୍ତୁ ଥଣ୍ଡା ଆଉ ମୁଣ୍ଡ ବ୍ୟଥାର ମଜା ସପ୍ତାହେ କାଳ ଭୋଗିଛି । 

ଅସ୍ମୀ ମୋତେ ନନ୍ଦମ୍ ଡାକେ । ହଁ ଅସ୍ମୀ ହିଁ ଏକମାତ୍ର ଝିଅ ଥିଲା ଯେ କି ମୋତେ ନନ୍ଦମ୍ ଡାକୁଥିଲା । ନହେଲେ ଆଉ ସମସ୍ତେ ମୋତେ ମାନେ ୮୦ ପ୍ରତିଶତ ସାଙ୍ଗ ସାଥି ବନ୍ଧୁ ମାନେ ଶିବା ହିଁ ଡାକୁଥିଲେ । ଆଉ ୨୦ ପ୍ରତିଶତ ଯୋଉ ରହିଲା ଗାଆଁର ଡାକ ନାଆଁଟେ ଥିଲା ଶିବନ । ବୋଉ ଛୋଟ ବେଳୁ ମୋତେ ଶିବନ, ଶିବନ ଡାକେ ସେଥିପାଇଁ ସେଇ ଡାକ ହିଁ ମୋର ଗାଆଁରେ ଫେମସ୍ ।

ପୁଣି ଅସ୍ମୀରା ପାଖକୁ ଫେରି‌ ଆସିଲେ ଶିବାନନ୍ଦ, କଲେଜ ପାଠ ସରିଲା ପରେ ବିଦାୟକାଳୀନ ମୁହୂର୍ତ୍ତ ଟିକେ ଭିଜା ଭିଜା ହୋଇଥାଏ । ତ ସେଇ ଦିନ ଅସ୍ମୀ ହଁରେ ମୁଁ ଯଦି ହଁ ମିଶେଇ ଦେଇ ଥାଆନ୍ତି ତେବେ ଅସ୍ମୀ ଆଜି ମୋ ପତ୍ନୀ ହୋଇଥାନ୍ତା ।

ହଁ ଶିବାନନ୍ଦକୁ ଅସ୍ମୀରା ଖୁବ୍ ଭଲ ପାଉଥିଲା ହେଲେ କେବେ କହିନଥିଲା । ଶିବାନନ୍ଦ ବି ଅସ୍ମୀରାକୁ ପସନ୍ଦ କରୁଥିଲେ, ହଁ.... ଭଲ ବି ପାଉଥିଲେ କିନ୍ତୁ ସେ ଭଲପାଇବାକୁ ପ୍ରେମର ରଙ୍ଗରେ କେବେ ବି ରଙ୍ଗୀନ କରିନଥିଲେ । ହେଲେ ଅସ୍ମୀରା ସେଦିନ ବିଦାୟକାଳୀନ ମୁହୂର୍ତ୍ତରେ ଗୋଟେ ନିରୋଳା ଜାଗାକୁ ଶିବାନନ୍ଦର ହାତ ଧରି ନେଇଗଲା ଆଉ କହିଲା, ମୁଁ ତୁମକୁ ଭଲପାଏ ନନ୍ଦମ୍ ବହୁତ ଭଲପାଏ ଆଉ ତମକୁ ବାହା ହେବାକୁ ଚାହେଁ । ' 

ଶିବାନନ୍ଦ ଟିକେ ହସି ଦେଇଥିଲେ ଆଉ କହିଲେ - କଣ ଏମିତି ପିଲାଙ୍କ ପରି ହେଉଛ ? ଅସ୍ମୀ‌ । ଆଜି ଟିକେ ଅଧିକ ଭାବ ବିହ୍ୱଳ ହୋଇ ଯାଇଛ ଲାଗୁଛି । ସେଥିପାଇଁ ଏମିତି କହୁଛ । "

ଅସ୍ମୀରା ଆଖି ଓଦା ଓଦା ହୋଇଗଲାଣି ସେତେବେଳକୁ, ଅସ୍ମୀରା କହିଲା, " ନାଇଁ ନନ୍ଦମ୍, ମୁଁ ମୋ ମନ କଥା ହିଁ କହୁଛି । ଏତେ ଦିନ ପାଖରେ ଥିଲ କିଛି ବି କଷ୍ଟ ଲାଗୁନଥିଲା ମୋତେ । କିନ୍ତୁ ଆଜି ଯେତେବେଳେ ଆମେ ସବୁ ଚାଲି ଯାଉଛେ ବହୁତ କଷ୍ଟ ହେଉଛି । ଆଉ କହି ପାରିବି କି ନାହିଁ ସେଥିପାଇଁ ଆଜି କହିଦେଲି । ଆଚ୍ଛା ମୋତେ ବାହା ହେବାରେ ତୁମର କିଛି ଅସୁବିଧା ଅଛି କି ? " 

ଶିବାନନ୍ଦ ଆହୁରି ହସିଥିଲେ, ଆଉ ଲମ୍ଵେଇ କି ଅସ୍ମୀରା ନାଆଁ ଧରି ଡ଼ାକିଥିଲେ ଯେମିତି ତା'କୁ ନିଦରୁ ଉଠଉଛନ୍ତି - ଅସ୍ମୀ........ଇ...... ଇଏ କ'ଣ ହଉଛି ? ଏମିତି ପିଲାଙ୍କ ଭଳି କାଇଁ ହେଉଛ ? ଆରେ.... . ଏବେଠୁ ଏମିତି ହେଲେ ଚଳିବ ? ଲମ୍ବା ଜୀବନ ପଡ଼ିଛି ଆଗ ନିଜ କ୍ୟାରିୟର ଗଢ ସେଥିପ୍ରତି ଯତ୍ନବାନ ହୁଅ । ବିବାହ ଗୋଟେ ବନ୍ଧନ ଜାଣିଛ କି ନାଇଁ ? ଥରେ‌ ବାନ୍ଧି ହୋଇଗଲେ ଗଲା...., ଆଉ କିଛି ବି କରି ପାରିବନି । ମୋର ବାହା ହେବାରେ କିଛି ଅସୁବିଧା ନାହିଁ ଅସ୍ମୀ, ତୁମକୁ କିମ୍ବା କାହାକୁ ବି ବାହା ହୋଇପାରେ ମୋର ଝିଅମାନଙ୍କୁ ନେଇ ପସନ୍ଦ ଅପସନ୍ଦ କିଛି ନାହିଁ, କିନ୍ତୁ ଏବେ ନୁହେଁ । ଏବେ ମୁଁ ବାହାଘର ବନ୍ଧନରେ ବାନ୍ଧି ହେବାକୁ ଚାହେଁନା । ଯେପର୍ଯ୍ୟନ୍ତ କିଛି ଜବ୍ ନକରିଛି ନିଜକୁ ଗୋଟେ ଷ୍ଟାଣ୍ଡାର୍ଡ ବ୍ୟକ୍ତିତ୍ଵ ନ ବନେଇଛି ସେ ପର୍ଯ୍ୟନ୍ତ ମୁଁ ବାହା ହୋଇ ପାରିବିନି । ଆଉ ଏ ପ୍ରେମ ଏତ ବହୁତ ମାରାତ୍ମକ ଜିନିଷ ମୋ ପାଇଁ । ନିଜ କ୍ୟାରିୟରରେ କେବେ ଆଗକୁ ବଢ଼ିବାକୁ ଦେବନି ସବୁବେଳେ ପଛକୁ ପଛକୁ ଟାଣିବ । ତୁମେ ବହୁତ ଭଲ ଝିଅ ମୋତେ ଭଲସେ ବୁଝିପାର ମୋର ଯତ୍ନ ନେଇପାର । କିନ୍ତୁ ତୁମେ ଯଦି ସେ ଯାଏଁ.. ଅପେକ୍ଷା କରିବ ମୋର କିଛି ଅସୁବିଧା ନାହିଁ ତୁମକୁ ବାହା ହେବାରେ । " 

ଆଉ ଅଧିକ କିଛି କହି ନଥିଲା ଅସ୍ମୀରା । କେବଳ ଶେଷକୁ ଫେରିଲା ବେଳେ ଗୋଟେ ଚୁମା ହିଁ ମାଗିଥିଲା ତା ନନ୍ଦମକୁ ।

ଶିବାନନ୍ଦ ସିଧା ମନା କରି ଦେଇଥିଲେ- " ଅସ୍ମୀ ଏସବୁ କଣ ? ତୁମେ ତ ଜାଣିଛ ମୁଁ କେମିତିକା, ସେମିତି ପିଲାଙ୍କ ପରି କାଇଁ ହେଉଛ ? 

 ବାସ୍ ଏତିକି ହିଁ କଥା ଅନେକ ଦୂରତା ।

ଅସ୍ମୀରା ମଝିରେ ମଝିରେ କଲ୍ କରେ ଶିବାନନ୍ଦ କଥା ହୁଅନ୍ତି । ଶିବାନନ୍ଦ ବି କଲ୍ କରନ୍ତି ବେଳେ ବେଳେ । କିନ୍ତୁ ଦିନେ ଅସ୍ମୀରା ଏକଦମ୍ ଭାବ ବିହ୍ୱଳ ହୋଇ କାନ୍ଦି କି କହିଲା, " ଆଉ କେତେ ଦିନ ଅପେକ୍ଷା କରିବା ନନ୍ଦମ୍, ଆମେ ବାହା ହୋଇଗଲେ ଭଲ ହୁଅନ୍ତାନି.. ଶୁଣ .. କଥା ଦେଉଛି ତୁମ ପାଠ ପଢିବ, ତୁମ କ୍ୟାରିୟରରେ ମୋ ପାଇଁ ମୁଁ କିଛି ବି ଅସୁବିଧା ହେବନି, ଓଲଟି ମୁଁ ତୁମକୁ ସାହାଯ୍ୟ କରିବି । ଆମେ ଦୁଇ ଜଣ ନିଜ ନିଜ ଷ୍ଟଡିକୁ ନେଇ ଯତ୍ନବାନ ହେବା । ତୁମେ ବୁଝି ପାରୁଛ ନାଆଁ ନନ୍ଦମ୍ ? ମୁଁ ଆଉ କିଛି ଚାହେଁନି ମୋ ପାଇଁ ତମର କେବେ ବି ସମୟ ନଷ୍ଟ ହେବନି ତୁମଠାରେ ମୁଁ କିଛି ବି ହକ୍ ଜାହିର୍ କରିବିନି । ତୁମେ ଯାହା କହିବ ମୁଁ ସବୁ ମାନିବି ତୁମ ପ୍ରତ୍ୟେକ କଥା ଟିକେ ହେଲେ ବି ଓହରି ବିନି । କେବଳ ତୁମ ସ୍ତ୍ରୀ ହୋଇ ରହିବାକୁ ଚାହେଁ ନନ୍ଦମ୍ ଆଉ କିଛି ଚାହେଁନି । ପ୍ଲିଜ୍ ମୋତେ ବାହା ହୋଇଯାଅ, ସତରେ ବହୁତ କଷ୍ଟ ହେଉଛି ତୁମ ବିନା ଏକଲା ରହିବା .. "

 ଶିବାନନ୍ଦ ଏକଦମ୍ ରାଗି ଯାଇଥିଲେ ଝାଡି ଦେଇଥିଲେ ଭଲକି ଫୋନରେ । " ତୁମେ ନିଜ କ୍ୟାରିୟର ଗଢିବନି କି ମୋତେ ମୋ କ୍ୟାରିୟର ଗଢେଇ ଦେବନି, ମୁଁ ଯାହା ଭାବୁଥିଲି ଠିକ୍ ସେୟା ହିଁ ହେଲା, ତମ ସହ କଥା ହେବା ବୋଧହୁଏ ମୋର ବଡ଼ ଭୁଲ ଥିଲା ।   

ଶେଷକୁ ଏତିକି ହିଁ କହିଥିଲେ ଶିବାନନ୍ଦ ଅସ୍ମୀରାକୁ, " ଦେଖ ଅସ୍ମୀ ଆଉ କେବେ ବି ମୋତେ ଫୋନ୍ କରିବନି । ଅଯଥା ମୋର ଆଉ ନିଜର ମୂଲ୍ୟବାନ ସମୟ ନଷ୍ଟ ନକରି ନିଜ କ୍ୟାରିୟରରେ ଫୋକସ୍ କର । ଆଉ ସତ କହୁଛି ଆଉ କେବେ ବି ଯଦି ମୋତେ ଫୋନ୍ କରିଥିବ । ମୁଁ ତମ ନମ୍ବର ବ୍ଲକ୍ କରିଦେବି । "

- " ମଉଷା .. ଓହ୍ଲାନ୍ତୁ ମଙ୍ଗଲପାଲି ଆସିଗଲା । " 

ଟ୍ରାଇଭରର ଡାକରେ ଶିବାନନ୍ଦ ଭାବନାରୁ ଫେରି ଆସି ଉତ୍ତର ଦେଲେ 

-" ଏଠି ନୁହଁ ସେ ଆଗ ଯୋଉ ମନ୍ଦିର ଦିଶୁନି ? ସେଇଠି ଟିକେ ଓହ୍ଲେଇ ଦିଅ ମୋତେ " 

ଶିବାନନ୍ଦ ଟ୍ୟାକ୍ସିରୁ ଓହ୍ଲେଇ ପଇସା ତୁଟେଇ । ଗେଟ୍ ସାମ୍ନାରେ ଯାଇ ଛିଡ଼ା ହେଲେ, ସିକ୍ୟୁରିଟି ପଚାରିଲା କ'ଣ ଦରକାର ?

ଶିବାନନ୍ଦ କହିଲେ - ଅସ୍ମୀରା ମ୍ୟାଡାମଙ୍କୁ ଦେଖା କରିବାକୁ ଆସିଛି । ଏଇଠି ଅସ୍ମୀରା ମ୍ଯାଡାମ୍ ରୁହନ୍ତି ତ ?

ସିକ୍ୟୁରିଟି ଗୋଟେ ଅଦ୍ଭୁତ ଚାହାଣୀରେ ମୋତେ ଚାହିଁ ପଚାରିଲା - କୋଉ ଅସ୍ମୀରା ? 

-" ଭଟ୍ଟାଚାର୍ଯ୍ୟ, ଅସ୍ମୀରା ଭଟ୍ଟାଚାର୍ଯ୍ୟ " 

-" ହଁ ହଁ ସେଇଠି ଛିଡ଼ା ହୁଅନ୍ତୁ ମୁଁ ପଚାରିକି ଆସୁଛି ।" 

ସିକ୍ୟୁରିଟି ଭିତରକୁ ଗଲା କିଛି ସମୟ ପରେ ଫେରି ଆସି କହିଲା -" ନାଇଁ ସେ କୈାଣସି ଶିବାନନ୍ଦକୁ ଜାଣି ନାହାନ୍ତି କହିଲେ । ଆପଣ ଏଥର ଆସି ପାରନ୍ତି । " 

ଶିବାନନ୍ଦ ବ୍ୟସ୍ତ ହୋଇ ପଡ଼ି କହିଲେ - ଆରେ ନନ୍ଦମ୍ କହିଲ କି ନାହିଁ ? 

-" ହଁ ହଁ କହିଲି, ସେ ଜାଣି ନାହାନ୍ତି ମନା କଲେ, ଆପଣ ଏଥର ଆସନ୍ତୁ ।" 

ଶିବାନନ୍ଦଙ୍କ ମନ ଏକଦମ୍ ପିତା ହୋଇଗଲା, ଆସିଥିଲେ ଯେଉଁ ସରାଗରେ ସେ ସରାଗ ଏକଦମ୍ ସେ ମରିଗଲା । ସେ କିଛି ମୁହୂର୍ତ୍ତ ଛିଡ଼ା ହୋଇ ଫେରି ଯାଉଥିଲେ ତ ଉପର ଝରକାରୁ ଜଣେ ମହିଳାଙ୍କ ପାଟି ଶୁଭିଲା -" ଆରେ ରଘୁରାମ ତାଙ୍କୁ ଭିତରକୁ ପଠା, ସେ ଅତି ପରିଚିତ । " 

ଶିବାନନ୍ଦ ଗେଟ୍ ପାର୍ ହୋଇ କବାଟ ପାଖକୁ ଯାଇ କିଛି ସମୟ ଛିଡ଼ା ହୋଇଛନ୍ତି ତ ଭିତର ପଟୁ କବାଟ ଖୋଲିଗଲା । କାମ ବାଲି କବାଟ ଖୋଲି ଦେଇ ଶିବାନନ୍ଦଙ୍କୁ କହିଲା, " ଅପା ଉପରେ ଅଛନ୍ତି ଆପଣ ଉପରକୁ ଯାଆନ୍ତୁ । "

ଉପର ବଖରାକୁ ସିଡିରେ ଚଢି ଯାଉ ଯାଉ ଶିବାନନ୍ଦ ଆଖି ବୁଲେଇ ଦେଖୁ ଥାଆନ୍ତି । ଘରଟିର ସାଜ ସଜା ତିଆରି ଶୈଳୀ ବେଶ୍ ସୁନ୍ଦର ଆଉ ଆକର୍ଷକ ଭଲ ଦି ପଇସା ଖର୍ଚ୍ଚ ହୋଇଛି ଘରଟିରେ । 

 ଉପର କୋଠରୀ ପରଦା ଆଡେଇ ଭିତରକୁ ଚା‌ହିଁଲେ ଶିବାନନ୍ଦ । ଭିତରେ ଛିଡା ହୋଇଛି ଅସ୍ମୀ ଆଉ ତାଙ୍କ ଆଡ଼କୁ ଚାହିଁ ହସୁଛି ସେଇ ହସ, ସୋନାଲିସାର ହସ । ଟିକେ ନୁହେଁ ବହୁତ କିଛି ପରିବର୍ତ୍ତନ ଘଟିଛି ଅସ୍ମୀ ଠାରେ । ମୁହଁର ମାଂସପେଶୀ ବୟସର ଚାପରେ ଝାଉଁଳି ପଡିଛନ୍ତି । ଆଖି ତଳ କଳା ଦାଗ ପଡ଼ିଯାଇଛି ଦୁଇଟି ଯାକ ଆଖି ନିର୍ଦ୍ଦିଷ୍ଟ ମାପର ଖାଲ ହୋଇ ଯାଇଛି । କଳା ବାଳ ଭିତରୁ ବ‌ହୁତ ଗୁଡେ ଧଳା ବାଳରେ ରୂପାନ୍ତରିତ ହୋଇ ସାରିଛନ୍ତି । ଯୌବନରେ ଟିକେ କ୍ଷୀଣତା ଆସିଛି କିନ୍ତୁ ନାକର ନୋଥ କାନରେ ଫୁଲ ଆଉ ମଥାର ଲାଲ ଛୋଟ ବିନ୍ଦି ଅସ୍ମୀ ମୁହଁକୁ ସୁନ୍ଦର କରି ଗଢି ତୋଳିଛି । ଯେମିତି ମନ କହୁଛି ହଁ ଅସ୍ମୀ ସୁନ୍ଦରୀ ଆଉ ସବୁବେଳେ ସୁନ୍ଦରୀ। " 

   

-" କଣ ଭାବୁଛ ନନ୍ଦମ୍ । ଭିତରକୁ ଆସ । " 

ଭାବନାରୁ ଓହରି ଆସି ଶିବାନନ୍ଦ ଭିତରକୁ ଗଲେ ।  

ଅସ୍ମୀରା ଟିକେ ଜୋର୍ ପାଟିରେ ଡାକିଲେ " ଏ ଜୁଲି... କଫି ଦିଇଟା ଆଣେ, ଆଉ ହଁ ବଡ଼ କପ୍ ଗୋଟେ ଆଣିଥିବୁ ।" 

ଶିବାନନ୍ଦ ମନେ ମନେ ଖୁସି ହେଲେ ଅସ୍ମୀ ଏବେ ବି ମନେ ରଖିଛି ଶିବାନନ୍ଦଙ୍କୁ କଫି ଅଧିକ ପିଇବାକୁ ଭଲ ପାଆନ୍ତି ବୋଲି ।

ଶିବାନନ୍ଦ ପଚାରିଲେ - " କେମିତି ଅଛ ଅସ୍ମୀ ? "

ଅସ୍ମୀରା ଶିବାନନ୍ଦଙ୍କୁ କିଛି ସମୟ ଆଖିର ପଲକ ନପକାଇ ଚାହିଁ ରହିଲେ । ତାପରେ ଗମ୍ଭୀର ଉତ୍ତରଟେ ଦେଲେ 

- " ଯେମିତି ଛାଡି ଯାଇଥିଲ, ଠିକ୍ ସେମିତି ହିଁ ଅଛି, ବାସ୍ ଚାରି ପାଖର ପରିବେଶ ଟିକେ ବଦଳି ଯାଇଛି ଯାହା । " 

-" ଆଉ ଏବେ କ'ଣ କରୁଛ ? "

-" ଗଭର୍ମେଣ୍ଟ୍ ସଂସ୍ଥା ଗ୍ରାମତରଙ୍ଗରେ ଏଚ୍.ଆର୍ ଅଛି, ଏଇ ମୋହିନୀ ସେଣ୍ଟରରେ । ହଁ .. ମାନ ସମ୍ମାନ ସବୁ ମିଳୁଛି ଠିକ୍ ଠାକ୍ ଚାଲିଛି ସବୁ । ଏକ ପ୍ରକାର ଭଲ । ଆଉ ତୁମ ଖବର କୁହ " 

-" ମୋର କଣ ? ମୋର ବି ସେମିତି ଭଲ ସବୁ, ଲେକ୍ଚର୍ ଅଛି ଦୟଣା ଓମେନ୍ସ କଲେଜରେ । " 

-" ଆଉ .. ?" 

-" ଆଉ ପତ୍ନୀ ଭୂମିକା ଆଉ ଦୁଇ ପୁଅ ଗୋଟେ ବୋହୂର ଭରପୁର ସଂସାର । ବଡ଼ ପୁଅ ଏଇ ଡିସେମ୍ବରରେ ବାହା ହେଲା " 

-" ଭଲ ତେବେ, ବେଶ୍ ଭଲ ପାଆନ୍ତି ନା ତମ ପତ୍ନୀ ତୁମକୁ ?" 

-" ହଁ ପତ୍ନୀ ଯେମିତି ବୋହୂ ବି ସେମିତି କେହି କାହାକୁ କମ୍ ନୁହଁନ୍ତି । ଗୋଡେ ଗୋଡ଼େ ଜଗୁଛନ୍ତି କୁଆଡେ ଗଲି ? କାହିଁକି ଗଲି ? ଖାଇବା ଠିକ୍ ଟାଇମ୍ରେ ଖାଉଛି କି ନାଇଁ ? ମର୍ଣିଙ୍ଗ୍ ଓ୍ୱାକ୍ ସବୁଦିନ ଭୋରରୁ କରିବାକୁ ବାଧ୍ୟ, ମେଡିସିନ ଗୋଟେ ଦିନ ବି ମିସ୍ ହେବନି ସେଥିପାଇଁ ବି କଡା ନିୟମ " 

-" ମେଡିସିନ ? ମେଡିସିନ କଣ ପାଇଁ ? 

-" ଏଇ ବ୍ଲଡ୍ ପ୍ରେସର୍.. ଡାଇବେଟିସ୍ .. " 

-" ନର୍ମାଲ ଅଛି ତ ?" 

-" ହଁ ଚଳନୀୟ ଅଛି, କେତେବେଳେ ହାଇ କେତେବେଳେ ଲୋ ଏମିତି ଚାଲିଛି .. ଆଉ ତୁମ ଖବର କଣ ଅସ୍ମୀ ସବୁ ଭଲ ତ ... " 

-" ସବୁ ଭଲ .. ?

ଅସ୍ମୀରା ଏତିକି କହିବା ସହ ତା ଓଠରେ ଅବଜ୍ଞାର ଧାରେ ସ୍ମୀତ ହାସ୍ୟ ଖେଳିଗଲା ।

-" କଣ ହେଲା ? ଏମିତି ହସିଲ ଯେ ?" 

-" ନାଇଁ କିଛି ନାଇଁ ଦେଖୁଛି ତୁମେ ସେତେବେଳେ ଯେମିତି ଥିଲ ଏବେବି ସେମିତି ଅଛ । ସତରେ କେଡେ ଭାଗ୍ୟବାନ ତୁମ ସ୍ତ୍ରୀ ତୁମକୁ ବିନା ପ୍ରଚେଷ୍ଟାରେ ପାଇଗଲେ । କିନ୍ତୁ ମୁଁ ..? ସାରା ଜୀବନ ତପସ୍ୟା କରିବି ପାଇ ପାରିଲିନି ତୁମକୁ ।

ଶିବାନନ୍ଦ ଟିକେ ହସି କି କହିଲେ - " ଅସ୍ମୀ କଣ ଯେ ତୁମେ କୁହ ସବୁ ମୋତେ ସତରେ କିଛି ବି ବୁଝା ପଡେନି " 

ଅସ୍ମୀରା କିନ୍ତୁ ଜାରି ରଖିଥିଲା ତା କଥା - 

"ଭାବିଥିଲି ଏତେ ଦିନର ଦୂରତା ପରେ ତୁମେ ଆସିବ ମୋ ଅଭାବ ତୁମେ ତୁମ ଜୀବନରେ ଅନୁଭବ କରିବ, ଆଉ ମୋ ପାଖକୁ ଆସି ମୋତେ ନିଜର କରି ନେବ । କେତେ ଦିନ କେତେ ରାତି ତୁମ ବାଟ ଚାହିଁ ଚାହିଁ ବିତିଛି, ରାସ୍ତାର ଗାଡି ହର୍ଣ୍ଣ ଶୁଣି କେତେ ଅନ୍ୟମନସ୍କ ହେଇଛି । କେତେ ଚିଠି ଲେଖିକି ଚିରିଛି, କେତେ ସାଇତିଛି, କେତେ ରାତି ରାତି ଅନିଦ୍ରା ରହିଛି ଲୁହ ଗଡେଇଛି । ଭାବିଥିଲି ମୋତେ ମନେ ରଖିଥିବ । ଆସିବ ମୋର ସବୁ ଦୁଃଖ ସବୁ ଖାଲିପଣକୁ ଏକାଥରେ ପୂରଣ କରିଦେବ  । ଆସିଲ ଯେ .... ମୋର ଅପେକ୍ଷା ଅଛି କିନ୍ତୁ ତୁମେ ଆଉ ମୋର ହୋଇ ନାହଁ " 

ଅସ୍ମୀରା ଆଖିରେ ସତେଜ ଲୁହ । 

-" କଣ ମ ଅସ୍ମୀ, କୋଉ ସମୟରେ କୋଉ କଥା କହୁଛ ? ଆମର ଆଉ ସେ ବୟସ ଅଛି ଏମିତି କଥା ହେବାକୁ ? ଏବେ ତ ପିଲା ଛୁଆ ନାତି ନାତୁଣୀଙ୍କ ଭିତରେ ବର୍ତ୍ତମାନକୁ ଉପଭୋଗ କରିବା କଥା "

- " ଠିକ୍ କହିଛ ନନ୍ଦମ୍, କିନ୍ତୁ ସେଇଟା କେବଳ ତୁମ ପାଇଁ " 

-" ମାନେ ?" 

ଅସ୍ମୀରା ନିଜ ମୁହଁକୁ କାନ୍ଥ ଆଡ଼କୁ ବୁଲେଇ ଦେଲା ନିଜ କାନ୍ଦକୁ ଆଉ କୋହକୁ ଯଥା ସମ୍ଭବ ନିୟନ୍ତ୍ରଣ କରି କହିଲା - " ମୁଁ ବାହା ହୋଇନି " 

ଶିବାନନ୍ଦଙ୍କ ଗଳା ଶୁଖିଗଲା ପରି ଲାଗିଲା ଆଉ ସେ ପାଖରେ ପଡିଥିବା ସୋଫାରେ ଲଥ୍ କିନା ବସି ପଡିଲେ । 

-" ନିଜକୁ କାଇଁ ଏମିତି କଷ୍ଟ ଦେଲ ଅସ୍ମୀ, ତେବେ ସାରା ଜୀବନ ମୋତେ ତମ ଲୁହର କାରଣ ସଜେଇ ଦୋଷୀଟିଏ କରିଦେଲ ନାଁ ?" 

" ଅପା ଭିତରକୁ ଆସିବି ? କଫି ରେଡି "

ଅସ୍ମୀରା ଜୁଲିକୁ କହିଲେ - ହଁ ଆସ, ସାରଙ୍କୁ ବଡ଼ କପଟେ ଦିଅ ଆଉ ମୋତେ ଛୋଟ " 

ଜୁଲି କଫି ଦେଇ ଚିଲିଯିବା ପରେ ଅସ୍ମୀରା କହିଲେ - " ତମକୁ କେବେ ମୁଁ ଦୋଷ ଦେଇନି କି ଦେବିନି ନନ୍ଦମ୍, ବାସ୍ ଖାଲି ପ୍ରତୀକ୍ଷା କରିବି ଆର ଜନ୍ମକୁ ଆର ଜନ୍ମ ଯଦି ସତ ହୋଇଥାଏ ତେବେ ତୁମକୁ ହିଁ ମୁଁ ସ୍ଵାମୀ ରୁପେ ପାଇବାକୁ ଚାହିଁବି । କେବଳ ତୁମକୁ । 

କପରେ କଫି ଥଣ୍ଡା ହୋଇ ଯାଇଥିଲା କିନ୍ତୁ ଶିବାନନ୍ଦ ବାବୁ ଢୋକେ ବି ପିଇ ପାରି ନଥିଲେ । 



Rate this content
Log in

More oriya story from Parameswar Ojha

Similar oriya story from Romance