Ambuja Mohanty

Classics Thriller Children

4.3  

Ambuja Mohanty

Classics Thriller Children

ଦୁଇଟି ସ୍କେଚ ରଜକୁ ନେଇ

ଦୁଇଟି ସ୍କେଚ ରଜକୁ ନେଇ

7 mins
248



 ବିଶିଷ୍ଟ ମାସିକ ପତ୍ରିକା "ଅମୋଘ"ର ସମ୍ପାଦକ ସେଦିନ ରଜ ବିଶେଷାଙ୍କ ପାଇଁ ଲେଖିକା ଅଲିଭା ପଟ୍ଟନାୟକଙ୍କୁ ଫୋନ କରି କହିଲେ ମାମ ରଜ ଉପରେ ପତ୍ରିକା ନିମନ୍ତେ କିଛି କାହାଣୀ ଦେବେନି? ଅଲିଭା ଉତ୍ତର ଦେଲେ ରଜ ଆନନ୍ଦୋଲ୍ଲାସର ପର୍ବ। ମୁଁ ରଜ ପାଳନ କରିବି କିଛି ଲେଖି ହେବନି ଭଳି ଲାଗୁଛି,ସମ୍ପାଦକ ହସି କହିଲେ ସେ ସମୟ କାହିଁ, କିଏ ଆଉ ପାଳନ କରୁଛି ରଜ କହିଲେ ,ସବୁ ଖାଲି ପ୍ରହସନ। ତଥାପି ଆପଣଙ୍କ ଲେଖାର ପ୍ରତୀକ୍ଷା ରହିବ।ହୃଦୟରେ କଥାଟି ଗାର ପକେଇ ଦେଲା ଲେଖିକାଙ୍କର। ଆଶାୟୀ ସମ୍ପାଦକ କିନ୍ତୁ ଅପେକ୍ଷାରତ ଥିଲେ ଲେଖାଟି ପାଇଁ।


ରାତ୍ର ଏଗାରଟା, ମେଲ ବାକ୍ସ ସୂଚାଇ ଦେଲା ଅଲିଭାଙ୍କ ଲେଖାର ଆଗମନ।ସମ୍ପାଦକ ମହାଶୟ ଉତ୍ସାହିତ ହୋଇ ସବୁକାମ ପଛକୁ ଛାଡ଼ି ପଢି ବସିଲେ କାହାଣୀଟି।


"ପ୍ରଥମ ସ୍କେଚ୍"

ଆଜି ସକାଳୁ ନିଦ ଭାଙ୍ଗିଲା ସ୍ବିଟିର। ମୋବାଇଲ ଖୋଲି ଦେଖିଲା ସକାଳ ହେବାକୁ ଆହୁରି ଦୁଇ ଘଣ୍ଟା ବାକି ଅଛି ଓ ଆଲାରାମ ବାଜିବାକୁ ଦେଢ଼ ଘଣ୍ଟା।ଉଠି ପଡ଼ିଲା ସେ।ଧୀରେ ଧୀରେ ଚାଲି ଲନ ଆଡ଼କୁ ଯିବାକୁ ଲାଗିଲା। ଆମେରିକା ୱାଶିଂଟନରେ ଏହି ସମୟ ମାନେ ଜୁନ ମାସ ଥାଏ ଠିକ୍ ହାଲକା ହାଲକା ଶୀତ କହିପାରିବେ ପହିଲି ବସନ୍ତ ଭଳି। ବାହାରେ ଟିକିଏ ଶୀତ ଲାଗୁଥିଲା। ନିଜ ଜ୍ୟାକେଟକୁ ଗଳେଇ ଦେଇ କଫି କପ୍ ଟିଏ ସହ ବସି ପଡିଲା ସେ ଚୌକି ଉପରେ।ସ୍ବାମୀ ବିନୟ ଶୋଇ ରହିଛନ୍ତି।ଗଭୀର ନିଦରେ। ଟିକିଏ ହସି ବାହାର୍ ଶୋଭା ରାଜି ମାନ ପଖାଳି ବସିଲା।ମନରେ ଖେଳୁଥାଏ ଅସମାହିତ ଖୁସି। ଆଜି ତେର ତାରିଖ ମାନେ ଜୁନ ମାସ ତେର ତାରିଖ ।ରଜ ପର୍ବ ନାରୀ ମାନଙ୍କ ପାଇଁ ଏକ ମୁଖ୍ୟ ପର୍ବ। କେତେ ସୁନ୍ଦର୍ ଭାବରେ ପାଳନ ହୁଏ ସତେ ଘରେ ଘରେ। ମନେ ପଡୁଥାଏ ତାର ସେହି ସବୁଦିନ।ଯୌଥ ପରିବାରରେ ଜନ୍ମ ତାହାର ଜେଜେ,ବୋଉ, ବାପା, ବଡବାପା,ବଡ଼ବୋଉ, ମାଆ , ମିଠି ନାନୀ, ସ୍ବାଗତ ଭାଇ, ବିବେକ ଭାଇ, ସେ ଓ ଘରେ କାମ କରୁଥିବା ରତନୀ ମା।ସେ ଗୋଟିଏ ଝିଅ ଓ ଅନ୍ୟମାନେ ବଡବାପାଙ୍କ ଛୁଆ।କିନ୍ତୁ କେବେ ଜଣା ପଡନ୍ତି ନାହିଁ। ସମସ୍ତ ପର୍ବ ପର୍ବାଣୀ ଆଦି ଖୁବ୍ ଧୁମ୍ ଧାମରେ ପାଳନ ହୁଏ।କହିବାକୁ ଗଲେ ସବୁଦିନ ପାର୍ବଣ ଭଳି ଥାଏ ଏହି ଯୌଥ ପରିବାରରେ।ସବୁଠାରୁ ବଡ଼ ପାର୍ବଣ ହେଲା ଏହି ରଜ। ଗ୍ରୀଷ୍ମ ଅବକାଶ ସମୟରେ ଆସିଥାଏ।ଜେଜେମାଙ୍କ କଡ଼ା ନିର୍ଦ୍ଦେଶ ସାବିତ୍ରୀ ସାରି ସହଳ ବାପ ଘରୁ ଚାଲି ଆସିବ ବୋହୁ ମାନେ ରଜ ଘରେ ହେବ। ଲମ୍ବା ପିଣ୍ଡାରେ ଲାଗେ ଦୁଇଟି ଦୋଳି।ଭାଇମାନେ ଭଉଣୀମାନଙ୍କୁ ଝୁଲାନ୍ତି ପାଳି ପାଳି କରି। ସଜବାଜ ପୂର୍ବଦିନ ଠାରୁ ଆରମ୍ଭ ହୋଇଯାଏ ରଜ। ପୋଡ଼ ପିଠା, ଆରିସା ପିଠା, କାକରା ପିଠା ସବୁ ପାଇଁ ପ୍ରସ୍ତୁତି। ରାତିରୁ ଜେଜେମା ତିନୋଟି ଚୁଲିରେ ତିନୋଟି ପୋଡ଼ ପିଠା ବସେଇଥାଏ।ଛୁଆ ଖାଇବେ, ବଣ୍ଟା ହେବ ଇତ୍ୟାଦି ଇତ୍ୟାଦି। ରଜ ଚାରିଦିନ ମାଆ ଓ ବଡ଼ବୋଉର ଛୁଟି।ସବୁ କାମ ବୋଉ କରେ ଓ ରତନି ମାଆ କରେ।ସେ ଦୁହେଁ ସଜେଇ ହୋଇ ଗୁଆ ଖୋଳ ପିନ୍ଧି ଘୁରି ବୁଲନ୍ତି ଗାଁ ସାରା। ହଁ ସୁନ୍ଦର୍ ସୁନ୍ଦର୍ ଚପଲ ଅବଶ୍ୟ ଥାଏ କିନ୍ତୁ ମାଆ, ବଡବୋଉ କୁହନ୍ତି ଗାଁ ରେ ସଭିଙ୍କର ଆମଭଳି ଚଳିବା ନାହିଁ ।କିନ୍ତୁ ସେମାନେ ଆମ ପରିବାର ଭଳି।ତାଙ୍କର ଯେଭଳି ଚଳଣି ଆମେ ସେହିଭଳି ଚଳିଲେ ସେମାନେ ଆମ ସହିତ ମିଶିବେ ଆମ ଭଳି ଓ ବନ୍ଧୁତା ହେବ।ଆଉ ରଜରେ ପରମ୍ପରା ଗୁଆ ଖୋଳ ପିନ୍ଧିବା କଥା।ଆମେ ବୁଝି ଯାଉଥିଲୁ ସୁନା ପିଲା ଭଳି।ସତରେ ଗାଁ ସାରା ଆମ ଘରକୁ ଖୁବ୍ ଭଲ ପାଉଥିଲେ। ସବୁ ଛୁଆ ଆମଘରେ ଖାଉଥିଲେ ଏହି ରଜ କିଛି ଦିନ। କିଛି ଘର ଆମକୁ ଖାଇବାକୁ ଡାକୁଥିଲେ। ଦିନେ ମହାପାତ୍ର ଘର ତ ଦିନେ ମିତା ଭାଉଜ ଘର। ପକୁଡ଼ି,ମିଠା, ପିଠା ଇତ୍ୟାଦି ଇତ୍ୟାଦି। ଦିନେ ସମସ୍ତେ ଚାନ୍ଦା କରି ଭୋଜି କରୁଥିଲେ। ଗାଁ ତୋଟାରେ। ଖାସି ମାଂସ ଝୋଳ,ଉଷୁନା ଭାତ।ସେହି ସୁଆଦ ବୋଧେ ଆଜି ଯାଏଁ କୌଣସି ପଞ୍ଚତାରକା ହୋଟେଲ୍ ରେ ମିଲେନି।ତାର ଏହି ଭାବନାକୁ ଗୋଟିଏ ଲମ୍ବା ବ୍ରେକ କଷି ଦେଲା ଖବର କାଗଜ ବାଲା। ଖବରକାଗଜ ଫୋପାଡି ଦେଇ ସେ ଯେତେବେଳେ ମୁରୁକି ହସି ଗୋଟିଏ " ଗୁଡ଼ ମର୍ଣିଁ" କହିଲା ତାର ଚକ୍ଷୁ ଉଜ୍ବଳ ଦିଶୁଥିଲା। ପ୍ରକୃତିସ୍ଥ ହୋଇ ଉଠିଲା ସ୍ବିଟି।ତାକୁ ପ୍ରତି ଉତ୍ତରରେ ଗୋଟିଏ ମୁରୁକି ହସ ସହିତ ଶୁଭସକାଳର ସମ୍ବର୍ଦ୍ଧନା ଜଣେଇ ଉଠିଗଲା ସେ, ସଜବାଜ ଆଜି ହଳଦୀ ଲଗେଇ ଗାଧେଇ ସଜେଇ ହେବ ସେ।ନୂଆ ଶାଢ଼ୀ ହଳେ ରଖିଛି।ଆଜି ସେ ପୋଡ଼ ପିଠା କରିବ, କାକରା, ମଣ୍ଡା, ଇଟିଲୀ ତରକାରୀ ସବୁ କରିବ।ହଁ ଏହି ବର୍ଷ ରଜ ପାଳିବ ସେ।ବିବାହର ଦୁଇ ବର୍ଷ ହେଲାଣି ସେ ଆମେରିକାରେ।କେବେ ପାଳି ହୁଏନି, ତା ପୂର୍ବରୁ ପାଠ ପଢା,ଚାକିରି ଆଦିରେ ରହି ଗୋଟିଏ ନୂଆ ପୋଷାକ ପିନ୍ଧିବା ଛଡା କିଛି ପାଳନ ହେଇନି ତାର।ସେ ଯାହା ହେଉ ଏହି ବର୍ଷ ନିଶ୍ଚିତ ହେବ।ଏହା କହି ସେ ଚାଲିଗଲା ବାଥରୁମ୍ ଆଡ଼କୁ।ହଳଦୀ ଲଗେଇ, ଗାଧେଇ ଆସି ନୂଆ ଶାଢ଼ୀଟିଏ ଆଣି ପିନ୍ଧି,ପାଦରେ ଅଳତା ଲଗେଇ,ହାତରେ ନୂଆ ଚୁଡ଼ି ପିନ୍ଧି,ପାଉଁଜି ସହିତ ବିଭିନ୍ନ ପ୍ରକାର ସଜେଇ ହୋଇ ସେ ବାହାରିଲା ରୋଷେଇ ଘର ଆଡ଼କୁ। ମାଆ ବଡ଼ବୋଉ ଠାରୁ ଶିଖିଥିବା ପାରମ୍ପରିକ ପିଠା ସବୁ ତିଆରି କରି ବସିଲା ସେ। କାକରା ପିଠା ବାସ୍ନାରେ ନିଦ ଭାଙ୍ଗିଲା ବିନୟର। ଆରେ ଏ କଣ ଆଜି ସକାଳୁ ଘରେ ଠିକ୍ ଓଡ଼ିଶା ଘର ପରି ବାସ୍ନା। ତର ତର ହୋଇ ରୋଷେଇ ଘରକୁ ଆସି ଦେଖିଲା ସ୍ବିଟିକୁ।ସେ ଦିଶୁଥିଲା ଠିକ୍ ଲକ୍ଷ୍ମୀଟିଏ ପରି।ଟିକେ ହସି ସେ କହିଲା ଆଜି କଣ ସ୍ବିଟି ଏମିତି ସଜେଇ ହୋଇଛ?ସେ ହସି କହିଲା ଆଜି ପରା ସଜବାଜ...ଆଜିଠାରୁ ରଜ ଆରମ୍ଭ ହେଲା।ହେଲେ ତମେ ଅଫିସ୍ ଯିବ ନାହିଁ କି.? ନା ମୋ ଟିମ୍ ମେମ୍ବର ତା ଛଡା ଆମ ପଡୋଶୀ ସବୁ ବିଦେଶୀ ପରିବାରଙ୍କୁ ମୁଁ ଆଜି ଆମନ୍ତ୍ରଣ କରିଛି । ଖାଲି ଆଜି ନୁହେଁ ଏହି ଚାରିଦିନ ।କିଛି ଜିନିଷ ଠିକ୍ ଓଡ଼ିଶା ଭଳି ହେବ। ଏହି ବର୍ଷ ଆମେ ଓଡ଼ିଶା ଭଳି ରଜ ପାଳିବା। ଖୁବ୍ ଖୁସି ହୋଇଗଲେ ବିନୟ।କହିଲେ ବାଃ ତେବେ ମୁଁ ମଧ୍ୟ ଛୁଟି ନେଇ ମୋ ଟିମ୍ ଲୋକଙ୍କୁ ନିହାତି ଡାକିବି, ନା କଣ କହୁଛ? ଖୁସି ହୋଇ ହଁ ଭରିଲେ ସ୍ବିଟି।ଦୁହେଁ ଏବେ ହିସାବ କରିନେଲେ କେତେ ଲୋକ।ସେହି ହିସାବରେ ଅଧିକ କିଛି ଜିନିଷ ମଗେଇ ନେଲେ। ବାର ଦେଖି କୋଉ ଦିନ କଣ ହେବ ଆଉ କେମିତି କଣ ଆୟୋଜନ ହେବ ସବୁ ସ୍ଥିର ହେଲା। ଘରେ ଥିବା ଝୁଲାକୁ ଲିଚୁ ଆଲୋକ ଲଗେଇ ରଜ ଦୋଳି ଭଳି ସଜେଇ ଦେଲେ। ରଜ ଗୀତ ତଥା ପାନ, ପିଠା ଆଦିର ଆୟୋଜନ କରିବା ସହିତ ତାକୁ ସୁନ୍ଦର୍ ଭାବରେ ସଜେଇ ରଖିଦେଲେ ଓ ଦମ୍ପତି ଦୁହେଁ ଲାଗି ପଡିଲେ ପାଶ୍ଚାତ୍ୟ ଦେଶରେ ଭାରତ ତଥା ଓଡ଼ିଶାର ପ୍ରଥା ଓ ପରମ୍ପରାର ଏହି ପର୍ବ ପାଳନ ପାଇଁ। 


ଦ୍ୱିପ୍ରହର ବେଳ,ସମସ୍ତେ ଆସି ପହଞ୍ଚିଲେ। ଦୁହେଁ ଖୁବ୍ ସୁନ୍ଦର ସଜେଇ ହୋଇଥିଲେ। ଶାଢ଼ୀରେ ସ୍ବିଟି ଲାଗୁଥାଏ ଅପରୂପା ଓ ବିନୟ କୁର୍ତ୍ତା ସହିତ ଧୋତି ଆଦି ପିନ୍ଧି ଲାଗୁଥିଲେ ଠିକ୍ ଓଡ଼ିଆ ଘର ପିଲା ଭଳି,ଯେତେବେଳେ ସେହି ପାଶ୍ଚାତ୍ୟ ଅତିଥି ମାନଙ୍କୁ ସେମାନେ ସ୍ବାଗତ କରୁଥିଲେ ତାଙ୍କ ସ୍ୱାଭିମାନ ଝଲକ ତାଙ୍କ ମୁଖରେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ସମସ୍ତଙ୍କୁ ରଜ କାହିଁକି ପାଳନ ହୁଏ ଆଦି କହିବା ସହିତ ପିଠା, ପାନ ବ୍ୟଞ୍ଜନ ପରଷି ଦେଇ ସେ ବିଭୋର ହୋଇ ପଡ଼ିଥିଲେ। ସ୍ବିଟି ୱାଶିଂଟନର ସେହି ବିଦେଶୀ ନାରୀମାନଙ୍କୁ ଓଡ଼ିଆ ବେଶ ଭୂଷାରେ ଯେତେବେଳେ ସଜେଇ ଦେଉଥିଲେ ସେତେବେଳେ ସେମାନେ ଖୁବ୍ ଖୁସି ହେଉଥିଲେ।ଲୁଡୁ, ତାସ, କ୍ୟାରମ୍ ଆଦି ଖେଳ ଜମି ଯାଇଥିଲା ଆଉ ସେହି ଚାରିଦିନ ୱାଶିଂଟନର ସେହି ଗୃହ ଲାଗୁଥିଲା ଛୋଟ ଓଡ଼ିଶା ଭଳି।


"ଦ୍ୱିତୀୟ ସ୍କେଚ୍"


ଓଡ଼ିଶାର ଗୋଟିଏ ପଲ୍ଲୀ ହଁ ନାମକୁ ମାତ୍ର ପଲ୍ଲୀ ବା ଗ୍ରାମ ବୋଲି କୁହାଯାଏ ।ବୋଧ ହୁଏ ଗ୍ରାମପଞ୍ଚାୟତ ଅଧୀନ ବୋଲି କିନ୍ତୁ ସଂପୂର୍ଣ୍ଣ ଆଧୁନିକତା ତାକୁ ଜାବୁଡ଼ି ଧରି ବିଲୀନ କରି ଦେଇଛି ତାର ସଂସ୍କୃତି।ଆଜି ଜୁନ ଚଉଦ ତାରିଖ ଭୋର କିନ୍ତୁ ସମସ୍ତେ ଯେଭଳି ଅଗୋଚର ଏହି ଦିନକୁ। ବଡ଼ ବଡ଼ କୋଠା ଘର ଭିତରୁ କେହି ଉଠିବାର ଶବ୍ଦ ବେଶୀ ଆସି ନାହିଁ।କିଛି ବୃଦ୍ଧ ଓ ବୃଦ୍ଧା ପ୍ରାତଃ ଭ୍ରମଣରେ ଯାଉଛନ୍ତି।କିଛି ସମୟ ପରେ ଗ୍ରାମଟି ଚଳଚଞ୍ଚଳ ହୋଇ ଉଠିଲା। ସମସ୍ତେ ଉଠି ନୂତନ ପୋଷାକ ପିନ୍ଧି ନିଜ ନିଜ ବାଲକୋନୀ କିମ୍ବା ଗୃହ ସାମ୍ନାକୁ ଆସି କିଛି ଚିତ୍ର ଉତ୍ତୋଳନ କରିଲେ। ତେବେ ଗୋଟିଏ ଗୃହର ଦୃଶ୍ୟ କିଛି ଏହି ଭଳି ଥିଲା ଜଣେ ଛୋଟ ଝିଅଟି, ବେଶୀ ନୁହେଁ ଛଅ କି ସାତ ବର୍ଷହେବ। କିଛି ଚିତ୍ରୋତ୍ତଳନ କରି ନିଜେ ସୋସିଆଲ ମିଡିଆରେ ଅପଲୋଡ଼ କରୁଥିବା ସମୟରେ ମାଆ ଦୌଡ଼ି ଆସି ବଡ଼ ବଡ଼ ଆଖି କରି କହିଲେ ତୁ ଛାଡ଼ି ଦେଲୁ କି ଫଟୋ... କାହିଁକି?ମତେ ପରା ଛୋଟ ପିଲାଙ୍କ ଚିତ୍ର ପ୍ରତିଯୋଗିତାରେ ଦେବାର ଅଛି। ଏହା କହି ତାକୁ ସେଠାରୁ ହଟେଇ ଦେଇ କହିଲେ ଶୀଘ୍ର ଯା ତୋର ଅନଲାଇନ ନୃତ୍ୟ କ୍ଲାସ ଅଛି ପରା। ସେ ବିଚାରି ଚାଲିଗଲା ବେଳେ ମାଆ ଅଟକେଇ କହିଲେ ଆରେ ରହ ସେ ଝୁଲାରେ ବସ ସେଠି ଦୁଇଟା ଫଟୋ ଦରକାର ପରା। ସେ ସୁନା ପିଲାଟି ଭଳି ଯାଇ ବସିଲା। ମାଆ ତାର ଫଟୋ ନେଲେ। ସେ ଚୁପ୍ ହୋଇ ବସି ଦେଖିଥିଲା ମାଆଙ୍କୁ ଖୁବ୍ ଖୁସି ହୋଇଯାଇଥିଲେ ସେହି ମାଆ ଜଣଙ୍କ। କହିଲେ ଯାହା ହେଉ ଖୁବ୍ ସୁନ୍ଦର୍ ଫଟୋ ସବୁ ଆସିଛି ଏହା ଛଡ଼ା ପିଠା ମଗେଇ ଥିଲି କେତେବେଳେ ଆସିବ କେଜାଣି । ଓଃ ଏମାନେ ସବୁ କେତେ ଡେରି କରନ୍ତି। ଓ ମାଇଁ ଗଡ... ଆରେ ପାନ... ପାନ କଥା ପୁରା ଭୁଲି ଯାଇଥିଲି ମୁଁ।ଏହା ଭାବି ଭାବି ସେ ନିଜ ସ୍ଵାମୀଙ୍କ ଉଦ୍ଦେଶ୍ୟରେ ପାଟି କରି ଉଠିଲେ ଗଲ ଭଲ ରଜ ବନାରସି ପାନ ଦୁଇ ଖଣ୍ଡ ଆଣିବ।ମୁଁ ଫଟୋ ନେବି ହଁ ଚକଲେଟ୍ ପାନ କଥା ଆଦୌ ଭୁଲିବ ନାହିଁ ବୁଝିଲ ମୁଁ ସବୁ ନିଜେ ତିଆରି କରିଛି କହି ପ୍ରତିଯୋଗିତାରେ ଦେବି।ହଁ ମୋର ଆଜି ଅନଲାଇନ ଲୁଡୁ ଓ କ୍ୟାରମ ପ୍ରତିଯୋଗିତା ଅଛି ତାହା ପୁଣି ସନ୍ଧ୍ୟାରେ। କୁନି ଝିଅ ଅନେକ ସମୟ ବସି ଲକ୍ଷ୍ୟ କରୁଥିଲା।ଏତିକିବେଳେ ମାଆଙ୍କ ଆଖି ତା ଉପରେ ପଡ଼ିଲା ସେ କହିଲେ ତୁ ବସିଛୁ? ଯା କ୍ଲାସ ଆରମ୍ଭ ହେବ ପାଞ୍ଚ ମିନିଟ ଅଛି । ସେ ଚାଲିଗଲା।

ପିଠା, ପାନ ଆଦି ଆସିଲା,ସୋସିଆଲ ମିଡିଆରେ ନିଜ ଝିଅ ସହିତ ନିଜର ଶହେଟି ଫଟୋ ଛାଡ଼ିଲା ପରେ ପାନ ପିଠା ଆଦିକୁ ହ୍ୟାଶ ଟାଗ ଦେଇ ପ୍ରତିଯୋଗିତା ପାଇଁ ସେ ଛାଡ଼ି ଅପେକ୍ଷା କରିଥିଲେ ଫଳକୁ। ଚାରିଟା ବେଳେ କୁନି ଝିଅଟି ତାର ଅନଲାଇନ ବନ୍ଧୁ ସହିତ କଥା ହେଉଥିଲା।ତା ସାଙ୍ଗ ପଚାରୁଥିଲା ଆଜି ଫାଷ୍ଟ ଡେ ରଜ ସେଲିବ୍ରେଟ କରିଲୁ?? 

କୁନି ଝିଅର ଉତ୍ତର ହଁ ...

ସେ ପୁଣି ପଚାରିଲା କଣ କରିଲୁ...

କୁନି ଝିଅ ଆମୂଳଚୂଳ ବର୍ଣ୍ଣନା କରି ଚାଲିଲା ପୁରା ଦିନ ତମାମ ଘଟଣା ସେ କଣ କରିଲା।

ବନ୍ଧୁ ଝିଅଟି କହିଲେ ଆମର ବି ସମାନ...

ଦୁହେଁ ହସି କହିଲେ ରଜ ବୋଧେ ମମିମାନଙ୍କ ପ୍ରତିଯୋଗିତା। ଯା ଝିଅକୁ କେମିତି ସଜେଇ ନିଜେ ସଜେଇ ହେବେ,କେମିତି ପିଠା ସଜେଇବେ ,କେମିତି ପାନ ସଜେଇବେ,କେମିତି ଲୁଡୁ କ୍ୟାରମ ପ୍ରତିଯୋଗିତା ହେବ ଇତ୍ୟାଦି ଇତ୍ୟାଦି।

ଏବେ ଦୁହିଙ୍କ ରଜ ବିଷୟରେ ଚର୍ଚ୍ଚା ସରି ଯାଇଥିଲା,ତେଣୁ ସେମାନେ ଫେରି ଯାଇଥିଲେ ନିଜର ନିତ୍ୟ କଥାବାର୍ତ୍ତା ଆଦିକୁ।

*******

ରଜ ଏକ ଆନନ୍ଦର ପର୍ବ।ଏହାକୁ ପାଶ୍ଚା୍ତ୍ୟଭିମୁଖୀ ଆମ ରାଜ୍ୟ ହୁଏତ ଧୀରେ ଧୀରେ ଭୁଲି ତାକୁ ଗୋଟିଏ ପ୍ରହସନ କରି ସାରିଲେଣି।ତେଣୁ ହୁଏତ ଆଜି ରଜର ସେହି ଚାହିଦା କମି ଗଲାଣି।ଆମ ପର ପିଢ଼ି ହୁଏତ ଜାଣି ନାହାନ୍ତି ଆମେ ରଜ କରୁଛୁ କାହିଁକି।ତାଙ୍କ ହିସାବରେ ଏହା ଏକ କାର୍ଯ୍ୟ ଯାହା କରିବାକୁ ପଡେ।କିନ୍ତୁ ସେହି ପାଶ୍ଚାତ୍ୟ ଦେଶର ଲୋକ ଏହାକୁ ଖୁବ୍ ଆନନ୍ଦର ସହିତ ଗ୍ରହଣ କରି ନିଅନ୍ତି।ତେବେ ମନରେ କ୍ଷୋଭ ହୁଏ,ଦୁଃଖ ହୁଏ ଆମେ କାହିଁକି ଆମ ସଂସ୍କୃତି ପରମ୍ପରାକୁ ଏତେ ଘୃଣ୍ୟ ଚକ୍ଷୁରେ ଦେଖୁଛୁ।କାହିଁକି ଏହା ଆମ ପାଇଁ ଏକ ବୋଝ ହୋଇ ପଡ଼ିଛି।ହୁଏତ ଯୁଗ ସହିତ ତାଳ ଦେଇ ଆମେ ଏହାକୁ ଆହୁରି ଭଲ କରି ପାରନ୍ତେ କିନ୍ତୁ କାହିଁକି କରୁ ନାହୁଁ।ଏହି ପ୍ରଶ୍ନବାଚୀ ହୃଦୟକୁ ବାରମ୍ବାର ଚିରି କ୍ଷତ କରି ପକାଏ କିନ୍ତୁ ଆମେ ନିରୁପାୟ।ତେବେ ଚାଲନ୍ତୁ ଆଜି ଠାରୁ ଆରମ୍ଭ କରିବା କିଛି ନୂଆ ଢଙ୍ଗରେ ସେହି ପୁରୁଣା ଦିନକୁ ଫେରେଇ ଆଣିବାକୁ। ପୁଣି ଥରେ ଭାଉଜ,ଭଉଣୀ,ମାଉସୀ,ଭାଇ,ଦାଦା ଏକାଠି ହେବା। ରଜ ଦୋଳି ଲଗେଇବା ଆଉ ମିଠା ପିଠା କରି ଉପଭୋଗ କରିବା।କିଛି ନୂଆ ଖାଦ୍ୟ ସହିତ କିଛି ପୁରୁଣା ।କିଛି ପୁରୁଣା ଖାଦ୍ୟ ନୂଆ ଛୁଙ୍କରେ।ସଜେଇ ହେବା ,ଗୀତ ଗାଇବା, ପୁଚି ଖେଳିବା, ନାଚିବା ଆଉ ପୁଣି ଥରେ ସେହି ଚାରିଦିନ ରଜ ପାଳନ କରି ଆମ ନୂତନ ପିଢ଼ି କୁ ଦେଖେଇ ଦେବା ରଜ ଅନଲାଇନ୍ ପ୍ରତିଯୋଗିତା ନୁହେଁ ଏହା ଏକ ପର୍ବ।


ଏତିକି ପଢି ସାରିବା ପରେ ଗୋଟିଏ ଦୀର୍ଘଶ୍ୱାସ ନେଇ ମୁରୁକି ହସି ସମ୍ପାଦକ ଭାବୁଥିଲେ, କାହିଁକି ଅଲିଭା ମାମ ଜଣେ ଦକ୍ଷ ଲେଖିକାଓ ଗଳ୍ପଟିକୁ ନିଜ ମାଗାଜିନ୍ ର ପ୍ରଥମ ଗଳ୍ପ ଭାବରେ ସଜେଇ ରଖିବାର ପ୍ରାରମ୍ଭ କରୁଥିଲେ।


Rate this content
Log in

Similar oriya story from Classics