Ambuja Mohanty

Romance Inspirational

4.1  

Ambuja Mohanty

Romance Inspirational

ଛାଡ଼ପତ୍ର

ଛାଡ଼ପତ୍ର

7 mins
579


ହଁ ତମକୁ ଛାଡ଼ପତ୍ର ଦେବି ମୁଁ ଆଉ ଏହା ସତ୍ୟ... ଓଃ କେତେ ଥର କହିଲଣି ଏହି କଥା ତମେ ଗୌରୀ,ମୁଁ ଅଫିସ ରୁ ଆସେ କଥା ହେବା ଏଥର ଛାଡ଼ପତ୍ର ପ୍ଲାନ୍ କେମିତି ରଦ୍ଦ ହେବ ଏହା କହି ଚାଲିଗଲା ଶଙ୍କର ଅଫିସ କିନ୍ତୁ ଖୁବ୍ ଗମ୍ଭୀର ଦିଶୁଥିଲା ଗୌରୀ।


ସନ୍ଧ୍ୟା ହେଲା...ଘରକୁ ଫେରିଲା ଶଙ୍କର... ଏ କଣ???ଘର ତାଲା ପଡ଼ିଛି...ହେଲେ ଗୌରୀ କୁଆଡେ ଚାଲିଗଲା ?? ଓଃ ବଜାର ଆଡେ ଯାଇଥିବ କିମ୍ବା ବିଉଟୀ ପାର୍ଲର ଯାଇଥିବ ନିଶ୍ଚିତ।ଏହା କହି ଅନ୍ୟ ଏକ ଚାବିରେ ଘର ଖୋଲି ସେ ଭିତରକୁ ଗଲେ।ହେଲେ ଏ କଣ??ଘର ଶୂନ୍ୟ ଲାଗୁଥିଲା। ଲାଗୁଥିଲା ଯେପରି କିଛି ଜିନିଷ ନାହିଁ। କିନ୍ତୁ ଏହାକୁ ଭ୍ରୁକ୍ଷେପ ନକରି ବେଡ୍ ରୁମ ଭିତରେ ପଶି ନିଜ ଶରୀରକୁ ଖେଳେଇ ଦେଲେ ସେ ବିଛଣା ଉପରେ ।ଆଖି ବନ୍ଦ କରୁ କରୁ କେତେବେଳେ ନିଦ ଲାଗି ଯାଇଛି। ଆଖି ଖୋଲିଲା ବେଳକୁ ରାତି ନ ଟା। ଗୌରୀ ଏ ଗୌରୀ କୋଉଠି ଅଛ??ଥଣ୍ଡା ପାଣି ଗୋଟେ ଗ୍ଲାସ୍ ଦେଲ...କିନ୍ତୁ ଏ କଣ ଘର ଶୁନଶାନ୍ ଲାଗୁଛି ପୁରା। ସତରେ କୁଆଡ଼େ ଗଲା ଗୌରୀ ଏହା ଭାବି ବିଛଣାରୁ ଉଠି ସେ ଚାରି ଆଡେ ଖୋଜି ଆସିଲେ ନା ନା ଗୌରୀ ନାହିଁ। ବାଲକୋନୀଠୁ ନେଇ ଛାତ ଉପର ଯାଏଁ ସବୁଆଡେ ସେ ଦେଖିଲେ ହେଲେ ଗୌରୀ ନାହିଁ। ଏବେ ବ୍ୟସ୍ତ ହୋଇ ଫୋନ୍ ଲଗେଇଲେ ସେ ।ନା ଲାଗୁନାହିଁ ନଟ ରିଚେବଲ ଆସୁଛି। ତେବେ ଗୌରୀ ସହିତ କିଛି ଅଘଟଣ ଘଟିନି ତ???ନା ନା ଏହା କଣ ଭାବୁଛନ୍ତି ସେ। ଏମିତି ଭାବୁ ଭାବୁ ପାଖରେ ଥିବା ସବୁ ସାଙ୍ଗ ମାନଙ୍କୁ ପଚାରି ସାରିଲେଣି ସେ କେଉଁଠି ନାହିଁ ଗୌରୀ। ଥକି ଯାଇଥିଲେ ସେ। ସକାଳେ କିଛି ହେଇନି ତ...ଆଜି ତ ସେମାନେ କୌଣସି ବିଷୟ ରେ ଝଗଡ଼ା ମଧ୍ୟ କରି ନାହାନ୍ତି। ମନେ ପକାଇବାକୁ ଚେଷ୍ଟା କରିଲେ ...ହଁ ସେ କହୁଥିଲା ଛାଡ଼ପତ୍ର ଦେବ????ଏହା କଣ ସେ ସିରୀୟସ ହେଇ କହିଥିଲା ତେବେ???ଅନେକ ପ୍ରଶ୍ନର ବାଣ ତାଙ୍କ ଭାବନା କୁ ଲହୁ ଲୁହାଣ କରି ପକାଉଥିଲେ।କିନ୍ତୁ କୌଣସି ସିଦ୍ଧାନ୍ତ ରେ ଉପନୀତ ହେଇ ପାରୁନଥିଲେ ସେ...ଏତିକି ବେଳେ ମୋବାଇଲରେ ଗୋଟିଏ ମେସେଜ ଆସିଲା ହୁଏତ କେଉଁ ଏକ କମ୍ପାନୀ ମେସେଜ ଥିଲା କିନ୍ତୁ ହାତ ବାଜି ମେସେଜ ବକ୍ସ ଖୋଲିଗଲା ଆଉ ସେ ଲକ୍ଷ୍ୟ କରିଲେ ଦିନ ୧.୩୦ ରେ ଆସିଥିଲେ ଗୌରୀ ନମ୍ବରରୁ ମେସେଜ। ତର ତର ହୋଇ ଖୋଲି ପକେଇଲେ ସେ ମେସେଜ ଟି।ଖୁବ୍ ଲମ୍ବା ଥିଲା। କିନ୍ତୁ ଧର୍ଯ୍ୟର ସହିତ ପଢିବାକୁ ହେବ କାରଣ ଗୌରୀ କୁଆଡେ ଗଲା ତାହା କେବଳ ଏହି ମେସେଜ କହି ପାରିବ...


ପ୍ରିୟ ଶଙ୍କର...

ଯଦି ତମେ ଏହି ମେସେଜ ପଢୁଚ,ତା ମାନେ ତୁମକୁ ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ଟିକିଏ ସମୟ ଅବଶ୍ୟ ମିଳିଗଲା..ହଁ ମୁଁ ସକାଳେ କହିଥିଲି ମତେ ଛାଡ଼ପତ୍ର ଦରକାର..ତାହା ସତ୍ୟ..ମୁଁ ଥଟା କି ମଜା କରିନଥିଲି। ସତରେ ମତେ ଛାଡ଼ପତ୍ର ଦରକାର। ହଁ ଏହି ଛାଡ଼ପତ୍ର କଥା ଆସିଲେ ମନକୁ ଆସୁଥିବ ତୁମର ମୋର କୌଣସି ଅନ୍ୟ ସ୍ଥାନରେ ସମ୍ପର୍କ ଅଛି କି?? ତେବେ ଏହାର ଉତ୍ତର ମୁଁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି ତାହା ହେଲା ନା..ମୁଁ ଜଗଦ୍ଧାତ୍ରୀ ଙ୍କ ରାଣ ଖାଇ ଶପଥ କରୁଛି ମୋର କୌଣସି ବ୍ୟକ୍ତି ସହିତ ପ୍ରେମ ସମ୍ପର୍କ ନାହିଁ । ତେବେ ଏବେ ତୁମେ ନିଶ୍ଚିତ ଭାବୁଥିବ ତେବେ ଛାଡ଼ପତ୍ର କାହିଁକି???


ଆଜିକୁ ଚାରିବର୍ଷ ପୂର୍ବେ ଆମେ ଦୁହେଁ ପରସ୍ପରକୁ ବିବାହ କରିଥିଲେ ଆଉ ସାତ ବର୍ଷ ପୂର୍ବେ ଆମର ପ୍ରେମ ଆରମ୍ଭ ହୋଇଥିଲା।ସତରେ ପ୍ରେମର ସେହି ଦିନ ମନରେ ଅଛି ତମର। ପ୍ରଗଳ୍ଭ ହୋଇ ଗପି ଯାଏ ମୁଁ ଆଉ ଶୁଣ ତୁମେ। କେଜାଣି ସେହି ତିନି ବର୍ଷ କେମିତି କଟିଗଲା ଜଣା ନାଇଁ। ଖୁବ୍ ସୁଖରେ ସମୟ କଟୁଥିଲା ଆମର। ଜୀବନରେ ଶାନ୍ତି ଆଉ ସୁଖ ଥିଲା।ତୁମେ ଅନାଥ ଥିଲ ତେଣୁ ମୋ ପିତାମାତା ଆଦୌ ରାଜି ହେଉନଥିଲେ ବାହାଘର ପାଇଁ। କିନ୍ତୁ ସେଦିନ ଯେତେବେଳେ ଗ୍ରୀଷ୍ମର ବୟାଳିଶ ଡିଗ୍ରୀ ତାପମାତ୍ରାରେ ତୁମ ପାଇଁ ମୋ ବାପା ମା ପରିବାର ମୋ ଦୁନିଆ ଛାଡ଼ି ମୁଁ ଚାଲି ଆସିଲି ତମେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲ ଆଉ ପ୍ରଶଂସାର ବର୍ଷଣ କରି ଯାଇଥିଲ। ହଁ ସତରେ ମୁଁ ପ୍ରଶଂସା ଭିକ୍ଷୁ ନୁହେଁ।ସେଦିନ ଜୀବନର ବାସ୍ତବତା କୁ ଉପଲବ୍ଧି କରି ମୁଁ ଚାଲି ଆସିଥିଲି। ପିତା ମାତା ଆଜି ନହେଲେ କାଲି ବୁଝିଯିବେ।ସାଙ୍ଗରେ ତାଙ୍କର ପୁଅ ଅଛି ମୁଁ ଯୁଗେ ଯୁଗେ ପରଘରି ବୋଲି ମୋର ପରିଚୟ ଥିଲା ସେହି ଘରେ ।କିନ୍ତୁ ଆଜି ଯଦି ମୁଁ ତୁମକୁ ବିବାହ ନ କରି ଅନ୍ୟ କାହାକୁ ବିବାହ କରିଥିଲେ ଖୁବ୍ ଦୁଃଖ ପାଇ ଥାନ୍ତି। ତେଣୁ ମୋ ନିଷ୍ପତ୍ତି କୁ ନେଇ ଆଦୌ ଦୁଃଖୀ ନଥିଲି ମୁଁ। ସଂସାର ନୌକାରେ ଆମର ଏହି ବୈବାହିକ ଜୀବନର ଦୁଇ ଟି ସୁଖର ବର୍ଷ କଟିଗଲା।ହେଲେ ତା ପରେ ଆରମ୍ଭ ହେଲା ସେହି ସମୟ ଯାହା ପାଇଁ ଆଦୌ ପ୍ରସ୍ତୁତ ନଥିଲି ମୁଁ। ତୁମର ସମୟ ନଦେବା, ମୋ ସହ କେବଳ ଡାଲି ଚାଉଳ ବ୍ୟତିରକେ ଅନ୍ୟ ବିଷୟରେ କଥା ଛାଡ଼ିଦେବା। ଅନେକ ଥର ମୁଁ ତୁମ ସହିତ ଗପିବାକୁ ଆରମ୍ଭ କରିଲେ ତୁମର ବିରକ୍ତ ହୋଇ ଶୋଇପଡିବା ଆଉ କହିବା କେତେ ବକ ବକ କର ତୁମେ ଥକି ଯାଇନ। ମୁଁ ଏକୁଟିଆ ଏହି ଘରେ ରୁହେ।ଘର କାମ ସରିଲେ ସମୟ ବଳେ ବୋଲି କିଛି କାମ ଆରମ୍ଭ କରିବି କହୁଥିଲି ହେଲେ ତୁମେ ମତେ କହିଲ ଆମର ଯେତିକି ଅର୍ଥ ତୁମେ ଖର୍ଚ୍ଚ କରିଲେ ସରୁ ନାହିଁ ପୁଣି କାହିଁ କଷ୍ଟ ଦେବ ନିଜକୁ। କିଛି ସାଙ୍ଗ ବନାଇ ବୁଲା ବୁଲି କରିବା ଭଲ।

ମୁଁ କିନ୍ତୁ ଯୁକ୍ତି କରିଲି,ଝଗଡ଼ା ହେଲା ଯାହା ଏକ ବିଶାଳ ରୂପ ନେଲା।ତୁମ ହିସାବରେ ମୁଁ ତୁମ ପରିଚୟରେ ପରିଚିତ ହେବାକୁ କୁଣ୍ଠା ବୋଧ କରୁଚି।ହେଲେ ଭୁଲ୍ କଣ ଯଦି ମୁଁ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରିବାକୁ ଚାହୁଁଛି। ତୁମେ କଣ ଖୁସି ନୁହେଁ।ତୁମେ ସେହି ଯିଏ ମୋର କଲେଜ୍ ସମୟରେ ମତେ ନିଜର ପରିଚୟ ସୃଷ୍ଟି କରିବାକୁ କହୁଥିଲ।ଯଦି କେହି ତୁମକୁ କୁହେ ସେ ଗୌରୀ ର ପ୍ରେମିକ ଶଙ୍କର ଖୁବ୍ ଖୁସି ହେଉଥିଲ ତୁମେ..କିନ୍ତୁ ସେଦିନ ମୋର ବ୍ୟବସାୟ କିମ୍ବା ଅନ୍ୟ କିଛି କରିବା ତମକୁ ଖୁବ୍ ଅଣାନିଶ୍ଵାସି କରି ପକାଉଥିଲା ହେଲେ କାହିଁକି.??ଦିନ ଦିନ ଧରି ଏହି ଘଟଣା ଆମ ମନୋମାଳିନ୍ୟ ର କାରଣ ହେଲା କିନ୍ତୁ ବାରମ୍ବାର ଝଗଡ଼ା ହେବା ଦ୍ବାରା ଆମର ଦୁରତ୍ଵ ବଢିଲା। ମୁଁ ଧିରେ ଧୀରେ ଏକୁଟିଆ ହେଇ ଯାଇଥିଲି। ଆଉ ତମ ଜୀବନରେ ତମେ ବ୍ୟସ୍ତ ଥିଲ। ମୁଁ କହୁନି ତୁମେ ପଇସା ଖାଇ ଦେଉଥିଲ ମୋ ପାଖରେ ଗୋଟିଏ କ୍ରେଡିଟ କାର୍ଡ ଅବଶ୍ୟ ଥିଲା ଗୋଟିଏ । ତମ ଅଫିସ ର କିଛି ବନ୍ଧୁଙ୍କ ସହିତ ତମେ ଛୁଟିଦିନ ରେ ବି କିଛି ପ୍ଲାନ୍ ଅବଶ୍ୟ ରଖିଥିଲ। ହଁ ଧୀରେ ଧିରେ ଏହି ଝଗଡ଼ା ନୀରବତା ଆଡ଼କୁ ଗତି କରିଲା। ମୋ ସହିତ ଖାଇବା ପାଇଁ ତମେ ଖୁବ୍ ସୁଖ ପାଉଥିଲ କିନ୍ତୁ ରାତି ଡେରି ହେଲେ ଯଦି ମୁଁ କେବେ ପ୍ରଶ୍ନ କରେ କାହିଁକି ବିଳମ୍ବ ହେଲା ତେବେ ତମେ ମତେ କହୁଥିଲ ଭୋକ କରୁଛି ଖାଇଦିଅ ଆଉ ବିଶ୍ରାମ କର।ମୋର ବିଳମ୍ୱ ହେବ ମୁଁ କଣ କରିବି। ସବୁଠାରୁ କଷ୍ଟ ଦାୟୀ ଥିଲା ତୁମେ ଧୀରେ ଧୀରେ ଆମ ବିଶେଷ ଦିନ ସବୁକୁ ଭୁଲିବା ଆରମ୍ଭ କରିଲ।ମୁଁ ବୋଧେ ଆଉ ସେହି ଭଳି ଆକର୍ଷଣୀୟ ନଥିଲି ।ତମେ କଲେଜରେ ମତେ ମୋର ଗୁଣ ଆଉ ଗରିମା ପାଇଁ ଭଲ ପାଉଥିଲ ହେଲେ ସେହି ସବୁ ତୁମ ପାଇଁ ମୁଁ ଛାଡ଼ିଦେଲି।ମୁଁ ଫାଇନାନ୍ସ ରେ ଖୁବ୍ ଭଲ ଚାକିରୀ ଛାଡ଼ି ତମ ପାଇଁ ମୁଁ ଗୋଟିଏ ସୁଗୃହିଣୀ ହେବି ଭାବିଥିଲି।ହେଲେ ତମେ ହିଁ ଆଜିକାଲି ବିରକ୍ତ ହୋଇଗଲ। ଆମ ପାଖରେ ଆମ ଦୁହିଁଙ୍କ ପାଇଁ ସମୟ ନଥିଲା। ତମେ ଜାଣ ମୁଁ ତୁମର ସଂପୂର୍ଣ୍ଣ ସମୟ ଚାହିଁ ନଥଲି କିନ୍ତୁ ଦିନରେ  କିଛି ସମୟ ସେହି ବାଲକୋନୀରେ ପକାଇଥିବା କଫି ଟେବୁଲ୍ ଆଉ ଚେୟାର ରେ ବସି ଟିକିଏ ହସି ଗପ କରିବା । ରାତିରେ ମତେ ତୁମ ବାହୁରେ କୁଣ୍ଢେଇ ଧରି ଗେହ୍ଲା କରିଦେଲେ ଭୁଲି ଯାନ୍ତି ମୋର ଏକୁଟିଆ ମୁହୂର୍ତ୍ତ ସବୁ। ସିମନ୍ତିନି ତୁମର ମୁଁ ତମ ପାଇଁ ଜୀବନ ଠାରୁ ପ୍ରିୟ ମୋର ପିତା ମାତାଙ୍କୁ ଛାଡ଼ି ଆସିଗଲି। ହେଲେ ବୁଝିଲ ନାହିଁ ତମେ.. ଡିମାଣ୍ଡିଂ, ବୋରିଂ,ଆଦିର ନାମ ଫଳକ ନେଇ ଖୁବ୍ କଷ୍ଟ ପାଇଲି। ଶେଷରେ ଦୁଇ ଦିନ ତଳେ ତୁମେ ଯେତେବେଳେ ମୋର ଜନ୍ମଦିନ ଭୁଲିଗଲ ଖୁବ୍ କଷ୍ଟ ପାଇଲି ମୁଁ। ଆଉ ତମକୁ ଆମ ପ୍ରିୟ ହୋଟେଲ କୁ ଡାକି ଦ୍ୱିପ୍ରହର ଖାଇବା ପାଇଁ ଡାକିଲି...ହେଲେ ବହୁତ୍ କାମ ଅଛି କହି ମନା କରିଦେଲ।ଅନେକ ସମୟ ଯାଏଁ ଭାବିଲି ତମେ ମତେ କିଛି ସର୍ପ୍ରାଇସ ଦେବାପାଇଁ ପ୍ଲାନ୍ କରିଛ ହେଲେ ବୃଥା...ଦିନ ସାରା ଅପେକ୍ଷା କରି ଶେଷରେ ଆମ ପ୍ରିୟ ରେଷ୍ଟୁରାଣ୍ଟ ରୁ ନିଜେ ଯାଇଁ ଖାଇବା ଆଣିବି ଭାବି ବାହାରି ଗଲି ହେଲେ ସେଠାରେ ଯାହା ଦେଖିଲି ତାହା ମତେ ଆଘାତ ଦେଲା। ତୁମେ ଜଣେ ଝିଅ ସହିତ ଖୁବ୍ ଅନ୍ତରଙ୍ଗ ଭାବରେ କଥା ହେଉଛ। ହେଲେ ମୋର ଏହି ପ୍ରଶ୍ନ କରିବାର କିଛି ସାହସ ନଥିଲା କାହିଁକି ଜାଣ ମୁଁ ତମକୁ ବିଶ୍ୱାସ କରେ ମୁଁ ଜାଣିଥିଲି ସେ ନିହାତି କେହି ବାନ୍ଧବୀ ଥିବ କିନ୍ତୁ ମୋର ଜନ୍ମଦିନ ଭୁଲିଯିବା କଣ ଠିକ୍?? ଆମେ ଜନ୍ମ ଜନ୍ମର ସାଥି ତମର ସୁଖ ଦୁଃଖ ତମେ ମୋ ସହିତ ବାଣ୍ଟି ଅବଶ୍ୟ ପାରିବ କିନ୍ତୁ ତୁମେ ଯଦି ଏହା ନ କରିବ ତେବେ କେମିତି ହେବ। ତମ ଠାରୁ ଦୁରତ୍ଵ,ତୁମ ସହିତ କଥା ହୋଇ ନପାରିବାର କ୍ଷୋଭ,ତୁମ ସହ ତୁମ ବନ୍ଧୁର କଥୋପକଥନ ଏହି ସବୁ ମତେ ସେଦିନ କହୁଥିଲା ଆତ୍ମହତ୍ୟା କରିବି କିନ୍ତୁ ନା ମୁଁ ନିଷ୍ପତି ନେଲି ଅନେକ ଥର ରାଗିକି କହିଥିଲେ ବି ଆଜି ସତରେ ଏହା ଚୁଡାନ୍ତ କରିଲି ମୁଁ ଛାଡ଼ପତ୍ର ନେବି ତେଣୁ ଏହି ଘର ଛାଡ଼ି ଯାଉଛି। ମୁଁ ମୋ ବାପା ଘରକୁ ଯାଇନି ଅବଶ୍ୟ କାରଣ ମୁଁ ସ୍ଵାଭିମାନୀ। ମୁଁ ଯାଉଛି ସେହି ସ୍ଥାନକୁ ଯେଉଁଠି ମୁଁ ମୋ ଅତୀତ କୁ ସାଉଁଟି ଖୁବ୍ ଖୁସିରେ ରହିବି।ମୋ ବିନା ବଞ୍ଚି ପାରିବ ଜାଣିଛି ମୁଁ।

ରହିଲି..

ଗୌରୀ....

ଏତିକି ପଢି ସାରିଲା ପରେ ମୁଣ୍ଡରେ ହାତ ଦେଇ ବସିଥିଲା ଶଙ୍କର..ସତରେ ଏହିକିଛି ଦିନ ଭିତରେ ସମୟ ଦେଇ ପାରି ନଥିଲା ସେ ଗୌରୀ କୁ। ନିଜ ଘର ଛାଡ଼ି ତା ସହ ଚାଲି ଆସିଥିବା ଗୌରୀ ଜନ୍ମଦିନ କେମିତି ଭୁଲିଲା ସେ। ଏତେ ଝଗଡ଼ା ହେଲା କାହା ପାଇଁ। ଗୌରୀ ଟିକିଏ ସମୟ ମାଗିଥିଲା। କେବେ ମୁଁହ ଖୋଲି ଦାମୀ ଅଳଙ୍କାର ମାଗିନି ସେ କିନ୍ତୁ ମାଗିଛି ଯଦି ସମୟ ହେଲେ ପଥର ସାଉଁଟି ଆଣିବାକୁ ଯାଇ ସେ ମୁକ୍ତା ହରେଇ ବସିଛି ଅବଶ୍ୟ । ନିଜ ଭୁଲ୍ ବୁଝି ପାରୁଥିଲା ସେ। ତୁରନ୍ତ ସେ ବାହାରିଲା ଗୌରୀ କୁ ଆଣିବାକୁ.। ହଁ ସେ ଅବଶ୍ୟ ଜାଣିଥିଲା ଅତୀତ କୁ ସାଉଁଟି ବସିଥିବ କୋଉଠି ଗୌରୀ।


ରାତ୍ରୀ ଅନେକ...ଅନାଥ ଆଶ୍ରମ ପିଣ୍ଡାରେ ବସିଛି ଗୌରୀ..ସେହି ସ୍ଥାନ ଯେଉଁଠି ଶଙ୍କର ରହୁଥିଲା। କେତେଥର ଏହି ସ୍ଥାନର ବାହାରେ ଆସି ଚାଲି ଯାଇଛି ସେ। ପିଲାଙ୍କୁ ଦେଖି ଭାବୁଥିଲା ସେ ଶଙ୍କର ଏମିତି ବଡ଼ ହେଇଥିବ। ସତରେ ଖୁବ୍ ଭଲ ପାଉଥିଲା ସେ ଶଙ୍କରକୁ। ଏମିତି ଭାବୁ ଭାବୁ ଦେଖିଲା ସେହି ଗେଟ୍ ସାମ୍ନାରେ ଗୋଟିଏ ଗାଡ଼ି ଆସି ରହିଲା। ତାଙ୍କ ଗାଡ଼ି ଭଳି ଲାଗୁଥିଲା ହେଲେ ହେଇ ନଥିବ ଭାବି ସେ ଚୁପ୍ ହୋଇ ବସିଲା କିନ୍ତୁ ତାର ଏହି ଭାବନାକୁ ଭୁଲ୍ ପ୍ରମାଣିତ କରି ଗେଟ୍ ଭିତରକୁ ଆସିଲା ଶଙ୍କର.. ଦୂରରୁ ଦେଖିଲା ଗୌରୀ ବସିଛି। ଦୌଡ଼ି ଆସିଲା ସେ.. ପାଦ ତଳେ ବସି କହିଲା ଗୌରୀ କ୍ଷମା କରିଦିଅ।ଜୀବନରେ ଆମ ପାଇଁ ଶାନ୍ତି ଗୋଟେଇବାକୁ ଯାଇ ମୁଁ ଯେ କେତେବେଳେ ଆମକୁ ହିଁ ହରେଇ ଦେଇଛି ମୁଁ ଜାଣେନି। ମତେ କ୍ଷମା କରିଦିଅ। ଏଥର ଆମକୁ କେବେ ମୁଁ ଆଉ ହଜିବାକୁ ଦେବିନି। ଆଉ ହଁ ମୋ ଅଫିସ ରେ ଫାଇନାନ୍ସ ରେ ଗୋଟିଏ ଚାକିରି ବାହାରିଛି ସେଠାରେ ତୁମେ ଯୋଗ ଦେବ।ମୁଁ ଭୁଲି ଯାଇଥିଲି ଶଙ୍କର ମଧ୍ୟ ଅର୍ଦ୍ଧ ନାରିଶ୍ୱର ରୂପ ନେଇଥିଲେ ବୋଲି ତାଙ୍କୁ ଗୌରୀଶଙ୍କର ନାମରେ ଲୋକ ପୂଜା କରନ୍ତି।।ମୁଁ କିଭଳି କେବଳ ଶଙ୍କର ହେଇ ରହି ଯିବି। ଅନାଥ ହେଇ ପିଲାବେଳୁ ବଞ୍ଚିଛି ଆଜି ପୁଣି ଥରେ ଅନାଥ କରିଦିଅନା। ଆଖିରୁ ତାର କ୍ରମାଗତ ଅଶ୍ରୁ ନିର୍ଗତ ହେଉଥିଲା ଓ ଗୌରୀର ଭାଙ୍ଗି ଯାଇଥିବା ମନ ଧୀରେ ଧୀରେ ସେହି ଅଶ୍ରୁ ଧାରାରେ ଯୋଡ଼ି ହେଉଥିଲା 

ମନୋମାଳିନ୍ୟ କମିଥିଲା ଆଉ ମନ ଯୋଡ଼ି ହେଉଥିଲା। ଗୌରୀ କହିଲା କିନ୍ତୁ ଏହି ଥର ଯଦି ପୁଣି ଏମିତି କରିଲ???ଶଙ୍କର କହିଲା ତେବେ ଛାଡ଼ପତ୍ର ...ଏହା ଶୁଣି ହସି ଦେଲା ଗୌରୀ ଆଉ ତାକୁ ମୁଗ୍ଧ ହୋଇ ଦେଖୁଥିଲା ଶଙ୍କର।


(ଏହା କେବଳ ପୁରୁଷ ନୁହେଁ..ବେଳେ ବେଳେ ନାରୀ ମଧ୍ୟ ଏହିପରି ନିଜ କାର୍ଯ୍ୟରେ ବ୍ୟସ୍ତ ରହି ପୁରୁଷକୁ ସମୟ ଦେଇ ପାରୁନି। ତେଣୁ ଏହା ଉଭୟଙ୍କ ପାଇଁ ।ଉଭୟ ଉଭୟଙ୍କୁ ସମୟ ଦେବା ନିହାତି ଆବଶ୍ୟକ। ସମୟ ଠାରୁ ବଡ ଉପହାର ଜୀବନର କିଛି ନାହିଁ ) ।


Rate this content
Log in

Similar oriya story from Romance