Ambuja Mohanty

Others

4  

Ambuja Mohanty

Others

ମୃତ୍ୟୁ ଏକ ମନୋନୟନ

ମୃତ୍ୟୁ ଏକ ମନୋନୟନ

5 mins
236



ହଁ ଏଥର ଛାଡ଼ିବାକୁ ହେବ ନିଜ ଜୀବନର ମୋହ, ଜାଣିଛି ମୃତ୍ୟୁ ଅପ୍ରିୟ ସତ୍ୟ କିନ୍ତୁ ଆଜି ଜୀବନ କିଣି ଚାଲିଛି ଦିନ ହିସାବରେ ଏହି ଇସିଏମଓ ମେସିନ ସହାୟତାରେ। କିଏ କହିଲା ଅର୍ଥ ଜରୁରୀ ନୁହେଁ,କିଏ କହିଲା ଅର୍ଥ ସୁଖ ଦିଏନି। ଆଜି ମୋଟା ଅଙ୍କର ଏହି ଅର୍ଥ ବଦଳରେ କିଣି ପାରୁଛି ମୁଁ କିଛି ମୁହୂର୍ତ୍ତର ସୁଖ, ଶୁଖିଲା ଆଖିତଳେ କଳା ଆବରଣ ଥିବା ମୋର ସହଧର୍ମିଣୀ ଙ୍କ ଚେହେରା ଦେଖିପାରିବାର ସମ୍ୟକ୍ ଆନନ୍ଦ। ଜୀବନ ଛାଡ଼ି ଯିବାକୁ ଆଦୌ ଇଚ୍ଛା ନାହିଁ କିନ୍ତୁ ଏତେ ସ୍ୱାର୍ଥପର ହୋଇ ରହି ପାରିବି ନାହିଁ ମୁଁ। ମତେ ଯିବାକୁ ହେବ ଶେଷରେ ଏହି ନିଷ୍ପତିରେ ମତେ ପହଞ୍ଚିବାକୁ ହେବ।ପତ୍ନୀ,ପୁତ୍ର ମୋହ ହୁଏତ ବାନ୍ଧି ଦେଇଛି, ତାଙ୍କ ପ୍ରତି ଅନାବିଳ ପ୍ରେମ ମତେ ବାଧ୍ୟ କରୁଛି ଟିକିଏ ବଞ୍ଚିବାକୁ, କାଳେ ବଞ୍ଚିଯିବି କି? ଏହି ଯନ୍ତ୍ର ମତେ ଯଦି ଜୀବନ୍ୟାସ ଦେଲା ? ଦିବା ସ୍ବପ୍ନ ସମ ସତରେ ମିଛ ଆଶା ପୋଷଣ କରି ବସିଛି ମୁଁ। କେଜାଣି କାହିଁକି ଲାଗୁଛି ବେଳେବେଳେ ମୁଁ ଭୁଲ୍ କରୁଛି କିନ୍ତୁ ନିଜ ପରିବାର ମୁହଁ ଦେଖିଲା ବେଳକୁ ପୁଣି ଥରେ ଦୌଡ଼ି ଚାଲିଯିବାକୁ ଇଛା ହେଉଛି ମୋର ତାଙ୍କ ପାଖକୁ,ବାହୁରେ ଭିଡ଼ି କହିବାକୁ ଇଛା ହେଉଛି ମୁଁ ତୁମ ପାଇଁ ସର୍ବଦା ବିଦ୍ୟମାନ। ମୁଁ ଅଛି ତୁମର କିଛି ହେବନି ହେଲେ ଏହି ବ୍ୟାଧି ଏହା ମତେ ମୋର ପ୍ରିୟଜନମାନଙ୍କୁ ପାଖରେ ଦେଖିବା ପାଇଁ ଟିକିଏ ସୁଯୋଗ ଦେଉନି।ଡର ଲାଗୁଛି କାଳେ ସେମାନେ ଆକ୍ରାନ୍ତ ହୋଇଯିବେ କି ଏହି ମରଣାତଙ୍କ ବ୍ୟାଧିରେ । ମୁଁ କଷ୍ଟ ସହିଯିବି ହେଲେ ମୋ ପ୍ରାଣ ପ୍ରିୟା ସେ କିଭଳି ସହିବ ଏହି କଷ୍ଟ। ପ୍ରତ୍ୟେକ ଦିନ କାଚ ବାହାରୁ ମୋ ମୁହଁ ଦେଖିବାକୁ ଆସେ ସେ ବିକଳ ହୃଦୟ ତାର ଅଶ୍ରୁ ନିର୍ଗତ କରିଥାନ୍ତି ଅନବରତ କିନ୍ତୁ ମତେ ଦେଖି ଫିକା ହସ ଟିକେ ହସେ। ହାତରେ ଠିକ୍ ହୋଇଯିବି ବୋଲି ଆଶ୍ଵାସନା ଦିଏ କିନ୍ତୁ ସତ୍ୟ ଯେ ଆଉ କିଛି। ମୋର ଭୁଲ୍ କଣ ଥିଲା ମୁଁ ଜାଣେ, କିଛି ଅସାବଧାନତା, ଆଜି ପଖାଳି ବସିବାକୁ ହେବ ବିଗତ ଏକ ମାସ ଓ ମୋର ଭୁଲ୍।


ସେଦିନ ସଂଧ୍ୟା ବେଳେ ବନ୍ଧୁର ବାରମ୍ବାର ଅନୁରୋଧ ହେତୁ ବାହାରି ଗଲି ମୁଁ ପାଖ ଚାହା ଦୋକାନ। ମତେ ବହୁତ୍ ବୁଝେଇ ପତ୍ନୀ କହିଲେ ନା ଯାଅ ନାହିଁ ତମେ। କିନ୍ତୁ ମୁଁ ନଶୁଣି ତାଙ୍କୁ କହିଲି ବ୍ୟସ୍ତ ହୁଅନି ମୁଁ ଯତ୍ନ ନେବି। ବାହାରିଗଲୁ ଆମେ। ଗହଳି କମ୍ ଥିଲା କିନ୍ତୁ ତା ପାଖରେ ନଥିଲା କାଗଜ କପ୍। ସେ ଆମକୁ ଧରେଇଦେଲା ଷ୍ଟିଲ ଗ୍ଲାସ୍ ଦୁଇଟି। ଆମେ ଦୁଇ ବନ୍ଧୁ କଥା ବାର୍ତ୍ତା ଛଳରେ ଭୁଲିଗଲୁ କରୋନା ସତର୍କତା। କଥା ହୋଇ ଚାହା ପିଇ ଘରକୁ ଆସିଲି। ଚବିଶ ଘଣ୍ଟା ମଧ୍ୟରେ ସେହି କାଳ ସର୍ପ କୋଭିଡ ମତେ ଗ୍ରାସ କରିଯିବ ବୋଲି ଅଗୋଚର ଥିଲି ମୁଁ। ହଁ ମୁଣ୍ଡ ବିନ୍ଧା ସହିତ ଗଳା ଦରଜ ଓ ପଛକୁ ପଛ ଜ୍ଵର ହେଲା ମତେ। ଶରୀର ଯନ୍ତ୍ରଣାରେ ଚିତ୍କାର କରିଲେ।ନିଶ୍ଵାସ ବେଳେ ବେଳେ ପାଖରୁ ଦୂରେଇ ଯାଉଥିଲେ। ପତ୍ନୀ ବିଚଳିତ ହୋଇଗଲେ। ମୁଁ ଏକୁଟିଆ ଗୋଟିଏ କକ୍ଷରେ ରହିଲି। ସେ ମୋର ଯତ୍ନ ନେଲେ, କିନ୍ତୁ ଦୂରରେ ରହି। ବାରମ୍ବାର ତାଗିଦ କଲେ ଔଷଧ ଖାଇବାକୁ କିନ୍ତୁ ମୁଁ ଅସାବଧାନତା ହେତୁ ବେଳେ ବେଳେ ଭୁଲିଗଲି ଓ ମିଚ୍ଛରେ ହଁ ଭରିଲି। ସେ ମୋର କଥା ବିଶ୍ୱାସ କରିବାକୁ ସମୟ ପାଇଲେ ନାହିଁ। ଔଷଧ ଖାଇବା କୋହଳ ହେବାରୁ ମୋର ଅମ୍ଳଜାନ ସ୍ଥର ଖସିବା ଆରମ୍ଭ ହେଲା ଏହା ଦେଖି ପତ୍ନୀ ଏହି ଚିକ ଚିକ୍ କରୁଥିବା ସବୁଠାରୁ ଦାମୀ ହସ୍ପିଟାଲ ରେ ମତେ ଭର୍ତ୍ତି କରିଲେ । ସତରେ ସେ କେବେ ହେଳା କରି ନଥିଲେ କିନ୍ତୁ ମୁଁ ? କିଛି ସମୟ ବନ୍ଦ୍ ଗୃହରେ ରହି ନପାରି ପାଗଳ ପ୍ରାୟ ହୋଇ ଏହି ରୋଗକୁ ଡାକି ଆଣିଲି। ଏବେ ମୋର ପରୀକ୍ଷାରୁ ଜଣା ପଡିଥିଲା ଯେ ମୁଁ କୋଭିଡ୍ ପଜିଟିଭ। ମୁଁ ମେଡିକାଲ୍ ରେ ରହିଲି ସେମାନେ ଗୃହରେ ଈଶ୍ବରଙ୍କ ଦୟାରୁ ମୋର ଦେଢ଼ ବର୍ଷର ପୁତ୍ର ଓ ପତ୍ନୀ ଦୁହେଁ ସୁସ୍ଥ ଥିଲେ।କିନ୍ତୁ ଏହି କିଛି ଦିନ ହେଲାଣି ସେ ନିଜ ବୟସ ଠାରୁ ଅଧିକ ବୟସ୍କ ଲାଗୁଥିଲେ ମୋ ଚିନ୍ତାରେ।ମୁଁ ଜାଣେ ଖୁବ୍ ଭଲ ପାଆନ୍ତି ସେ ମତେ। ଆମେ ପ୍ରେମ ବିବାହ କରିଥିଲୁ। ଉଭୟ ପରିବାର ବିପକ୍ଷରେ ଯାଇ।କୌଣସି ପରିବାର ଆମ ସହିତ ନାହାନ୍ତି ।। ହଁ ପ୍ରତ୍ୟେକ ପରିବାରର ଗୋଟିଏ ଗୋଟିଏ ସାହାରା ଥିଲେ ଯେହେତୁ କିନ୍ତୁ ମୋ ଅର୍ଦ୍ଧାଙ୍ଗିନୀ,ମୋ ଜୀବନ ଓ ମୋ ପୁତ୍ର ସେମାନେ???ତାଙ୍କର ପରିବାର କେବଳ ମୁଁ।ମୋ କୋଳରେ ଏବେ ବି ସେ ଗୁଞ୍ଜି ହୋଇ ଶୋଇ କୁହନ୍ତି, ତମେ ମୋ ମାଆ, ବାପା ସବୁ।ତମକୁ ଖୁବ୍ ଅଧିକ ଭଲ ପାଏ ମୁଁ,ମତେ ଏମିତି ସବୁଦିନ ଭଲ ପାଇବ। ତାଙ୍କୁ ବାହୁରେ ଲୁଚେଇ ଦେଇ କୁହେ ମୁଁ "ଧନ ତୁ ମୋର।ତତେ ଛାଡ଼ି କାହାକୁ ଭଲ ପାଇବି ମୁଁ।"

କିନ୍ତୁ ଆଜି???କଣ ହେବ ମୋ ଧନଟା ର??ମୋ କୁନି ପୁଅ.. ଆମ ପ୍ରେମର ସନ୍ତକ ବୋଲି ତା ନାମ ସନ୍ତକ।ପିଲାଟି ମୋର ଅନେକ ଛୋଟ,ମତେ ଖୋଜି ହେଉଥାଏ ସବୁବେଳେ। ପାପା ବୋଲି ଘର ସାରା ବୁଲି ଦେଖେ।ସେ ମଧ୍ୟ ଦୀର୍ଘ ପନ୍ଦର ଦିନ ହେବ ଅପେକ୍ଷା କରିଛି ମତେ ହେଲେ ମୁଁ ଲାଚାର।

ହୃଦୟ ଅଭିମାନରେ ଭାରି ହେଇଯାଉଛି ମନରେ ଆସୁଛି ନିଜର ସେହି ଗୋଟିଏ ଭୁଲ। ହଁ ଆଜି ବିଦାୟ ନେବାକୁ ହେବ। ଆଉ ଗୋଟିଏ ଗୋଟିଏ ଦିନର ଜୀବନ କିଣି ମୋ ଜୀବନ ଦ୍ୱୟଙ୍କ ଭବିଷ୍ୟତ ଅସୁରକ୍ଷିତ କରି ପାରିବି ନାହିଁ।ସେହି ଅର୍ଥରେ ମୋ ସନ୍ତକ ପାଠ ପଢ଼ିବ।କିନ୍ତୁ ମୋ ପତ୍ନୀ???କେମିତି ରହିବେ ସେ??ମୋ ବିନା??ପନ୍ଦର ଦିନରେ ନିଜକୁ ଅବହେଳା କରି ରଖିଛନ୍ତି ,ମୁଁ ଥିଲେ ତାଙ୍କର ଯତ୍ନ ନିଏ କିନ୍ତୁ ମୁଁ ଗଲା ପରେ.??ସେ ନିଜର ଯତ୍ନ ନେବେ ତ???ପୁଣି ମନ ମୋର ବିଚଳିତ ହୋଇ ପଡୁଛି।ପ୍ରେମ ଏମିତି ଏକ ଜିନିଷ ଯାହା ମଣିଷକୁ ଶକ୍ତିଶାଳୀ କରେ ପୁଣି ଦୁର୍ବଳ ବି କରେ। ମୁଁ ଦୁର୍ବଳ ହୋଇ ପଡ଼ୁଛି।ସତରେ ମୃତ୍ୟୁର ଚୟନ କରିବା ଏତେ କଷ୍ଟ??ନା ଆଉ ବଞ୍ଚେଇ ରଖି ପାରିବି ନାହିଁ କିନ୍ତୁ ଆଉ ଅଳ୍ପ ସମୟ ସେ ଆସୁଥିବେ ତାଙ୍କୁ ଦେଖିବି ଶେଷ ଥର ।ହଁ ସେ ଆସିଗଲେ,ଈଶ୍ୱର ଧନ୍ୟବାଦ୍,ସେ ଆଜି ଖୁବ୍ ସୁନ୍ଦର ଦିଶୁଛନ୍ତି,ଆଖି ଦୁଇଟି କହି ଦେଉଚି ତାଙ୍କର ବିନିଦ୍ର ରଜନୀ ମାନଙ୍କ କାହାଣୀ।ମଥାରେ ସେହି ରକ୍ତ ନାଲି ସିନ୍ଦୂର ଦକ୍ ଦକ୍ ହୋଇ ଜଳୁଛି। ହଳଦୀ ରଙ୍ଗର ମୁହଁରେ ତାଙ୍କର ଭାରି ମାନେ ଏହି ଗାଢ଼ ନାଲି ସିନ୍ଦୂର, କିନ୍ତୁ ଆଜି ଶେଷ ଦିନ ସେ ବୋଧେ ଏହି ସିନ୍ଦୁର ଧାରଣ କରିବେ କିନ୍ତୁ କାଲି ଠାରୁ,ଶୂନ୍ୟ ଏହି ମଥା ଏହି ସିନ୍ଥି ,ଛାତି ଫାଟି ଯାଉଛି ମୋର। ସେ କଣ ସହି ପାରିବେ?? ନା କଷ୍ଟ ହେବ ତାଙ୍କୁ କିନ୍ତୁ ଉପାୟ ଶୂନ୍ୟ ମୁଁ ମତେ ଏହି ମୃତ୍ୟୁକୁ ହିଁ ବାଛି ନେବାକୁ ହେବ। ମୁହଁରେ ହସଟିଏ ଆସିଲା ମୋର କିନ୍ତୁ ସେ ଜାଣି ପାରିଲା ନାହିଁ, ମାସ୍କ୍ ଭିତରେ ଲୁଚିଗଲା ସେହି ହସ ମୋର। ଆମର ଅନ୍ତିମ ଦେଖା ସଖୀ, କଥା ଦେଇ ରଖି ପାରିଲି ନାହିଁ। ସଂସାରର ଏହି ନଦୀରେ ଏକୁଟିଆ ବାହି ନେଇ ଯିବ ଆମ ତରଣୀ କୁ ତମେ ମୁଁ ଠିକ୍ ଜାଣେ ଖୁବ୍ ଅଭିମାନ କରିବ ମୋ ଉପରେ ତମେ କିନ୍ତୁ ସଖୀ ଲାଚାର ମୁଁ ଆଜିର ମନୋନୟନ ତୁମେ ନୁହେଁ..... ମୃତ୍ୟୁ..... ହଁ..... ମୃତ୍ୟୁ।


ଚିତ୍କାର କରିଉଠେ ଆତ୍ମା ମୋର 

ଧାଇଁ ଯାଇଁ ପାରେନା

ଜାବୁଡି ଧରି ତୁମକୁ ବାହୁରେ

ଶେଷ ବିଦାୟ ନେଇ ହୁଏନା ।।

ସଖୀ ମୋର କରିବନି ଅଭିମାନ

ଆଜି ବାଧ୍ୟ ମୁଁ ଓ ମୃତ୍ୟୁ ହିଁ

ଏକମାତ୍ର ମୋର ମନୋନୟନ ।।


ଧୀରେ ଧୀରେ ଆଖିପତା ମୁଦି ହେଇଗଲା, ଯେପରି କିଛି ଅନୁଭୂତ ହେଉନି ମତେ, ଡାକ୍ତର ଓ ନର୍ସଙ୍କ ଶେଷ କିଛି ଚେଷ୍ଟା ଚାଲିଛି ବୋଧେ । ତାଙ୍କର ଏହି କୋଳାହଳ ସୁଚେଇ ଦେଉଛି। ନା ଶରୀର ନିଶ୍ଚଳ ହେବାକୁ ଲାଗୁଛି, ଏକ ଗଭୀର ନିଦ୍ରା ମୋର ଶରୀରକୁ ଆଚ୍ଛାଦିତ କରୁଛି ଏହା ସେହି ନିଦ୍ରା ଯାହା ଆଉ କେବେ ଭାଙ୍ଗିବ ନାହିଁ। ହଁ ଶେଷ, ମୋର ଜୀବନର ଏହି ଅଧ୍ୟାୟର ଅନ୍ତ ଘଟିଛି। ଜୀବନ ରଙ୍ଗମଞ୍ଚରେ ଅଭିନୟ ଶେଷ ହୋଇଛି।

ମୃତ୍ୟୁ...ତୁମେ ଶୀତଳ,ତୁମକୁ ଆଲିଙ୍ଗନ କରିଲା ପରେ କୌଣସି ଚିନ୍ତା ଆଉ ଅଧିର କରୁନି। ତୁମ ପାଖରେ ଥାଇ କୌଣସି ବ୍ୟଥା ବ୍ୟଥିତ କରୁ ନାହିଁ ତୁମେ ସବୁ ବ୍ୟଥା ଠାରୁ ଉପରେ ହଁ ଶେଷରେ ମୁଁ ତୁମର ମନୋନୟନ କରିଛି।



Rate this content
Log in