Ambuja Mohanty

Abstract Drama

4.5  

Ambuja Mohanty

Abstract Drama

ବୈଶାଖର କୋହ

ବୈଶାଖର କୋହ

10 mins
231


ପ୍ରିୟ,

ତୁମେ ଜାଣ??? ମୁଁ ପାଗଳୀ, କାରଣ ମୁଁ ବୈଶାଖର ନିଦାଘ ତାତିରେ ଖୋଜିବସେ ଦଲକାଏ ଶୀତଳ ପବନ ଆଉ ଅସରନ୍ତି ମେଘ।ମୁଁ ଖୋଜି ବସେ ଏକାନ୍ତ ,ଏହି କପଟୀ ମନୁଷ୍ୟ ମାନଙ୍କ ଭିଡ଼ରେ। ମୁଁ ଚାହିଁ ରୁହେ ଘଣ୍ଟା ଘଣ୍ଟା ସେହି ଚାନ୍ଦକୁ ,ତାର ସେହି ଦାଗକୁ ଓ ଅନୁଭବ କରେ ତାର ଯନ୍ତ୍ରଣା ଯାହା ପାଇଁ ସେ କଳଙ୍କିତ।ମୁଁ ଖୋଜିବସେ ତୁମକୁ ଏହି ପ୍ରତାରଣାର ହାଟରେ।ତୁମେ କଣ କେବେ ମୋର ଥିଲ??? ଯଦି ହଁ ତେବେ କାହିଁକି ତୁମେ ଛାଡ଼ି ଦେଇ ଚାଲିଗଲ ମତେ।କାହିଁକି ତୁମେ କଳଙ୍କିତ କରିଦେଇଗଲ ମୋର ପ୍ରେମକୁ।ମୁଁ ଆଶାୟୀ ନଥିଲି ତୁମକୁ କେବେ ସ୍ବାମୀ ବୋଲି ପାଇବାକୁ। ମୁଁ ସାଧାରଣ ଗୋପୀଟିଏ ଥିଲି କିନ୍ତୁ ତୁମେ କାହିଁକି ମତେ ରୁକ୍ମିଣୀ ହେବାର ସ୍ବପ୍ନ ଦେଖାଇଲ।କାହିଁକି ସେଦିନ ମୋର ଶରୀରକୁ ନିଜର କରି ତିଆରି କରିଲ ପ୍ରେମର ତାଜମହଲ।ସେହି ମୁହୂର୍ତ୍ତ ମାନ ଭାବିଲେ ମୁଁ ପୁଣି କିଶୋରୀ ହୋଇ ଉଠେ।ପୁଣି ଫେରିଯାଏ ସେହି ଝରଣା କୂଳକୁ।


ପ୍ରିୟ,ଆଜି ଅନେକ ବର୍ଷ ବିତି ଯାଇଛି, କିନ୍ତୁ ସେହିଦିନ ସବୁ ଆଜି ମଧ୍ୟ ଚିତ୍ରବତ୍ତ ଜୀବିତ ମୋ ମାନସପଟରେ।ତୁମେ ସରକାରୀ ଶିକ୍ଷକ ହୋଇ ଆସିଥିଲ ଆମରି ଏହି ଗାଁକୁ।ଆମେ ତ ଗରୀବ,ମୂର୍ଖ ଥିଲୁ କିନ୍ତୁ ତୁମର ଆସିବା ଆମ ମାନଙ୍କ ମନରେ ବଡ଼ ହେବାର ସ୍ବପ୍ନ ଜାଗ୍ରତ କରିଲା।ସହରର କଲ୍ଲୋଳ ମଧ୍ୟରୁ ଅନେକ ଦୂରରେ ଥିବା ଆମର ଏହି ଗ୍ରାମର ଏକାନ୍ତ ତୁମକୁ ଖୁବ୍ ଭଲ ଲାଗୁଥିଲା।ତୁମେ ଆମକୁ ପାଠ ପଢେଇଲ।ଯିଏ ଯେତେବେଳେ ଯାହା ବୁଝି ପାରିବ ନାହିଁ ତୁମକୁ ପ୍ରଶ୍ନ କରିବାକୁ କହିଲ।ସନ୍ଧ୍ୟାରେ ଭାଗବତ,ରାମାୟଣ, ମହାଭାରତ ଆଦି ପଢ଼ି ସମସ୍ତଙ୍କୁ ବୁଝେଇଲ।ଆଉ ଆଦ୍ୟ ଯୌବନରେ ପାଦ ଦେଇଥିବା କିଶୋରୀ ମୁଁ ତୁମ ପ୍ରତି ଆକର୍ଷିତ କିପରି ଅବା ନହୋଇ ଥାଆନ୍ତି। ମୈତ୍ର ମୋର କହିଲା ସହରୀ ବାବୁ ସବୁ ଠକ,ତାଙ୍କ ପୀରତି ମରୀଚିକା ଭଳି ତୁ ସେଥିରେ ପଡ ନାହିଁ।ଆମର ପାଠ ପଢ଼ିବା।ତାକୁ ହଁ ସିନା କହିଲି କିନ୍ତୁ କୁଆଁରୀ ମନ ମୋର ନୂଆ ନୂଆ ପ୍ରେମର ବର୍ଷାରେ ଭିଜି ଭିଜି ନୃତ୍ୟ କରୁଥିଲା।ତୁମକୁ ମଧ୍ୟ ମୋର ଏହି ପ୍ରେମ ମୋର ଅଙ୍ଗଭଙ୍ଗୀରେ ଦିଶୁଥିଲା।ତୁମେ ମତେ ଏକୁଟିଆ ରହିବାକୁ କହି କେତେ କଥା ଗପୁଥିଲ।ସେହି ଝରଣା କୁଳ ପଥର ଉପରେ ବସି ତୁମେ ଓଡ଼ିଆ ସାହିତ୍ୟର ଇତିହାସ କହୁଥିଲ।ଛଅ ମାଣ ଆଠଗୁଣ୍ଠ ଠାରୁ ନେଇ ଲଛମା, ମଲା ଜହ୍ନ, କା ଉପନ୍ୟାସ କାହାଣୀ କହୁଥିଲ।ମୁଁ ଶୁଣୁଥିଲି।ତୁମ ସହିତ ସାହିତ୍ୟ ପ୍ରତି ମୋର ପ୍ରେମ ବଢ଼ିବାକୁ ଲାଗୁଥିଲା।ଅଦିନ ବୌଦ ଗୀତ ଯେତେବେଳ ତୁମ ଓଠରୁ ଭାସି ଆସୁଥିଲା ମୁଁ ବେଶୀ ବେଶୀ ଭଲ ପାଉଥିଲି ତୁମକୁ।କିନ୍ତୁ ଯେତେବେଳେ ତୁମେ ଦ୍ୱିତୀୟ ପଦ ଗାଉଥିଲ ଯେତେ ପରକାର ବୁଝାଇ କହିଲେ ପର କି ଆପଣା ହୁଏ ମୁଁ ଖୁବ୍ କଷ୍ଟ ପାଉଥିଲି କିନ୍ତୁ ତୁମକୁ କିଛି ନକହି ଲୁଚାଇ ଦେଉଥିଲି ଆଉ ଚାଲି ଆସୁଥିଲି ଦୌଡ଼ି ସେଠାରୁ ।ତୁମେ ମତେ ପୁଣି ଦେଖା ହେଲେ ପାଗଳୀ ବୋଲି କହି ହସୁଥିଲ ଆଉ ମୁଁ ମିଛରେ ରାଗି ଖପ୍ପା ହେଉଥିଲି।ଆମ ପ୍ରେମର ସେହି ଜୁଆର ଦିନେ ମୁକ୍ତା ଦେଇ ଯିବ ମୁଁ ଜାଣି ନଥିଲି।ସେଦିନ ତୁମର ଶେଷ ଦିନ ଥିଲା ଗାଁ ସ୍କୁଲରେ।ତୁମ ବଦଳରେ କେହି ଜଣେ ନାରୀ ଶିକ୍ଷୟତ୍ରୀ ଆସିବେ ବୋଲି ଆମେ ଶୁଣିଲୁ।ଏତେ ବର୍ଷ ତୁମର ଆମ ସହିତ,ବିଶେଷ କରି ମୋ ସହିତ ସଂପର୍କ ଆଜି ଲାଗୁଥିଲା ଶେଷ ହୋଇଯିବ।ଯଦିଓ ମୁଁ ଦଶମ ଶ୍ରେଣୀ ପରୀକ୍ଷା ଦେଇ ସାରିଥିଲି କିନ୍ତୁ ତୁମର ଅନୁପସ୍ଥିତି ମତେ କଣ୍ଟାର ବିଛଣାରେ ଶୋଇବା ଭଳି ଅନୁଭବ ହେଉଥିଲା।ସେଦିନ ତୁମେ ଯେତେବେଳେ ନିଜ ଜିନିଷ ରଖୁଥିଲ ମୁଁ ତୁମ ପାଖକୁ ଯାଇଥିଲି।ଆଖିରେ ଥିଲା ଧାରା ଶ୍ରାବଣ।ତୁମେ ମତେ କୋଳେଇ ନେଇ ଚୁମି ଚାଲିଲ ମତେ ଏବଂ ଆମ ମନ ଓ ଆତ୍ମା କେବେଠାରୁ ଯଦିଓ ଏକ ହୋଇ ସାରିଥିଲେ ଆଜି ଶରୀର ମଧ୍ୟ ଏକ ହୋଇ ଯାଉଥିଲା। ତୁମେ ଯିବା ସମୟ ଆସିଥିଲା ଆଉ ସମସ୍ତଙ୍କ ଭଳି ତୁମେ ମଧ୍ୟ ମତେ ଗୋଟିଏ ଠିକଣା ଧରେଇ ଦେଇ ବିବାହ ପ୍ରତିଶ୍ରୁତି ଦେଇ ଚାଳିଗଲ।ଘରେ ସଭିଙ୍କୁ କହି,ତାଙ୍କୁ ସାଙ୍ଗରେ ନେଇ ବାଜା ବାଣ ରୋଷଣୀ କରି ମତେ ନେଇଯିବ ବୋଲି କହିଥିଲ ତୁମେ।କିନ୍ତୁ ତୁମେ ଚାଲିଗଲ ଯେ ଆଉ ଆସିଲ ନାହିଁ। ହେଲେ ଦୁଇ ମାସ ପରେ ତୁମର ଅଂଶ ମୋର ଶରୀରରେ ବଢୁଛି ବୋଲି ମୁଁ ଜାଣି ପାରିଲି।ଠିକ୍ ସେହି ସମୟର ମେଟ୍ରିକ୍ ପରୀକ୍ଷା ଫଳାଫଳ ମଧ୍ୟ ବାହାରି ଥିଲା ମୁଁ ଖୁବ୍ ଗୁଡେ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲି

।ମୁଁ କାନ୍ଦିବି କି ହସିବି ମୁଁ ନିଜେ ଜାଣି ନଥିଲି କେବଳ ନିଜକୁ ସମ୍ଭାଳି ବସିଥିଲି।ମୋ ବିଧବା ମାଆ କିନ୍ତୁ ଏହା ଜାଣିବା ପରେ ତା ପାଖରେ ଥିବା ଅର୍ଥ ଦେଇ ମତେ ସହରକୁ ପଠେଇ ଥିଲା ତୁମକୁ ଦେଖା କରି କହିବାକୁ ହେଲେ ତୁମ ଠିକଣାରେ ପହଞ୍ଚି ଜାଣିଲି ଏହା ଥିଲା କ୍ୱାଟର ଘର ଆଉ ସେଠାରେ ତୁମ ପରିବାର ଆଉ ରହୁ ନାହଁ। ତୁମ ଠିକଣା ପଚାରିଲି ହେଲେ କେହି ଜାଣି ନଥିଲେ।ଅସହାୟ ମୁଁ ଆଉ ଘରକୁ ଘରକୁ ଫେରିବାକୁ ଚାହୁଁ ନଥିଲି ।ପୁରା ଦିନ ଖରାରେ ପାଗଳୀ ପ୍ରାୟ ବୁଲିବା ପରେ ମୁଁ ଚେତାଶୂନ୍ୟ ହୋଇ ପଡ଼ି ଗଲି ଆଉ ଚେତା ଫେରିବା ପରେ ନିଜକୁ ପାଇଲି ଏକ ବୃଦ୍ଧାଶ୍ରମରେ । ଅନେକ ଅବହେଳିତ ବୃଦ୍ଧ,ବୃଦ୍ଧା ପୁଣି କେତେ ବାସହୀନ ବ୍ୟକ୍ତି।ତାଙ୍କୁ ଦେଖି ମୁଁ ବିବ୍ରତ ହୋଇ ପଡିଲି।ମୋ ଠାରୁ ଦୁଃଖୀ ମଧ୍ୟ ଦୁନିଆରେ ଅଛନ୍ତି ଅନୁଭଵ କରିଲି ସେହିଦିନ।


ସେମାନେ ସମସ୍ତେ ମୋ କାହାଣୀ ଶୁଣିଲେ ସେଦିନ,ମତେ ବୁଝିଲେ,ସେଠାରେ ରହି କାମ କରିବା ସହିତ ପାଠ ପଢ଼ିବାକୁ ମଧ୍ୟ କହିଲେ।ସେହି ଶିଶୁ ତାଙ୍କ ମାନଙ୍କ ପାଖରେ ବଢିବ ବୋଲି ପ୍ରତିଶ୍ରୁତି ଦେଲେ।ମୁଁ ମାଆକୁ ଆସିବାକୁ କହିଲି।ସେ ଆସିଲା।ତୁମ କଥା ସବୁ ଶୁଣି ଖୁବ୍ ରାଗିଗଲା। କୁଆଁରୀ ମାତୃତ୍ଵ ପାଇଁ ଚିନ୍ତିତ ହୋଇ ପଡ଼ିଲା ଆଉ କିଏ ବାହା ହେବ ବୋଲି ମଧ୍ୟ ଦୁଃଖୀ ହୋଇ କାନ୍ଦିଲା।କିନ୍ତୁ ସେହି ଆଶ୍ରମରେ ସମସ୍ତେ ତାକୁ ବୁଝେଇଲେ।ସେ ଡେରିରେ ହେଲେ ମଧ୍ୟ ବୁଝିଲା।ଆମ ଜୀବନ ସହଜ ଓ ସାଧାରଣ ହେଉଥିଲା।କିନ୍ତୁ ଏହି ସାଧାରଣ ଭିତରେ ଯଦି କିଛି ଅସାଧାରଣ ଥିଲା ତାହା ହେଉଛି ତୁମ ପ୍ରତି ମୋର ପ୍ରେମ। ପ୍ରତାରିତ ହୋଇ ସାରିବା ପରେ ମଧ୍ୟ ତୁମକୁ ଭଲ ପାଉଥିଲି ମୁଁ। ତୁମ ସ୍ମୃତିରେ ବିରହ ସଙ୍ଗୀତ ଶୁଣିବା ଆରମ୍ଭ କରୁଥିଲି ମୁଁ।କଲେଜ ଯିବା ମଧ୍ୟ ଆରମ୍ଭ ହୋଇଥିଲା ମୋର।କିନ୍ତୁ ଈଶ୍ବରଙ୍କ ଲୀଳା ବଡ ବିଚିତ୍ର।ସେଦିନ କେଜାଣି କେମିତି କଲେଜ ପାହାଚରୁ ଓହ୍ଲାଇଲା ବେଳେ ପଡି ଯାଇ ମୋର ଗର୍ଭପାତ ହେଲା।ଏହା ଜାଣି ଖୁବ୍ କାନ୍ଦିଲି ମୁଁ।କଲେଜରେ ଯଦିଓ କେହି ମୋର ଗର୍ଭବତୀ ହେବା କଥା ଜାଣି ନଥିଲେ କିନ୍ତୁ ମୁଁ ତୁମ ଅଂଶକୁ ହରେଇ କଷ୍ଟ ପାଇଲି।ସତରେ ମୋ ପାଖରେ ତୁମର ବୋଲି କିଛି ଆଉ ନଥିଲା।ମୋ ମାଆ ଖୁସି ଥିଲା। ତିନିମାସର ଗଲା ବୋଲି।କିନ୍ତୁ ମୁଁ କଣ ଖୁସି ଥିଲି ?

ମନକୁ ମାରି ପାଗଳୀ ପ୍ରାୟ ମୁଁ ଚୁପ୍ ହୋଇ ରହିଲି କେବେ ହସିଲି ପୁଣି କେବେ କାନ୍ଦି କାନ୍ଦି ମନକୁ ବୁଝେଇଲି।ମୁଁ ଦୁଃଖୀ ଥିଲି କିନ୍ତୁ ସେଦିନ ସେହି ଦ୍ବିପ୍ରହରରେ ସମସ୍ତେ ଶୋଇବା ବେଳେ ତୁମେ ଚୁପି ଚୁପି ଆସିଲ ଆଉ ମୋ ହାତ ଧରି ଡାକି ନେଲ ଝରଣା କୂଳକୁ।ପାଖରେ ବସେଇ ଢେର୍ ସ୍ନେହ କରିଲ।ମୁଁ ଲାଜେଇ ଯାଇ ତୁମ ବିଶାଳ ବୁକୁରେ ମୁଁହ ଗୁଞ୍ଜି ଦେଲି ତୁମେ ମତେ କୋଳେଇ ନେଲ।ମୋ ଆଖିରୁ ଆମ ସନ୍ତାନ ହରେଇବା ଦୁଃଖର ଲାର୍ଭା ମାନ ବହି ଚାଲିଥିଲେ।ତୁମେ ମତେ ବୁଝେଇ କହିଲ ଧେତ୍ ପାଗଳୀ,ମୁଁ କଣ ଖାଲି ଏତିକି ଦେଇଥିଲି?? ତୁମ ଗୁରୁ ପରା ଥିଲି ମୁଁ।ତୁମକୁ ବିଦ୍ୟା,ଜ୍ଞାନ,ସାହିତ୍ୟ ଏହି ସବୁ ମଧ୍ୟ ଦେଇଥିଲି।ଓଡ଼ିଆ ସାହିତ୍ୟ,ପଞ୍ଚସଖା ଯୁଗ ସାରଳା ମହାଭାରତ କେତେ କଣ ଶୁଣାଇ ଥିଲି ତୁମେ କଣ ଏହା ଭୁଲିଗଲ??? ମୁଁ ଏହାଶୁଣି ଦୁଃଖର ସାଗର ଭିତରୁ ଉଙ୍କି ମାରି ଚାହିଁଲି କିନ୍ତୁ ତୁମେ ନଥିଲ,ଥିଲା ଅଳ୍ପ ଶବ୍ଦ କରି ଘୁରୁଥିବା ପଙ୍ଖା।ତାକୁ ଦେଖି ମୁଁ ଜାଣି ପାରୁଥିଲି ଏହା ସ୍ବପ୍ନ ଥିଲା ଯାହାର ସଂପର୍କ ବାସ୍ତବତା ଠାରୁ ଢେର ଦୂରରେ।କିନ୍ତୁ ଏହା ମାଧ୍ୟମରେ ମୁଁ ମୋର ଜୀବନର ଲକ୍ଷ୍ୟ ଜାଣି ସାରିଥିଲି ।ସେହି ମୁହୂର୍ତ୍ତରେ ମୁଁ ମରି ସାରିଥିଲି ତୁମରି ସ୍ମୃତି ସହିତ ଆଉ ଜନ୍ମ ନେଇଥିଲା ସୁଶ୍ରୀ ସୁଜାତା ।ହଁ ମୋର ନାମ ମୁଁ ବଦଳେଇ ଦେଇଥିଲି। ଯୁକ୍ତ ଦୁଇ ଯୁକ୍ତ ତିନି କଳା ପଢିବା ପରେ ଓଡ଼ିଆ ସାହିତ୍ୟରେ ମୁଁ ପିଜି କରିଲି ଆଉ ସର୍ବୋଚ୍ଚ ନମ୍ୱର୍ ରଖି ପାସ ହେଲି।ଏହା ଭିତରେ ଅନେକ ମାନସ ସନ୍ତାନ ମୋର ଜନ୍ମ ନେଇ ସାରିଥିଲେ।ମୁଁ ଏବେ ସରକାରୀ କଲେଜରେ ଅଧ୍ୟାପିକା ହୋଇ ଯୋଗ ଦେଲି।ମୋର ଏହି ସାହିତ୍ୟ ସର୍ଜନା କିନ୍ତୁ ଅଟକି ନଥିଲା।ଆମ ଜୀବନ ବଦଳି ଗଲା।କିନ୍ତୁ ସେହି ଆଶ୍ରମ ଛାଡ଼ି ମୁଁ ଅନ୍ୟ କୁଆଡେ ଗଲି ନାହିଁ।


ପ୍ରିୟ ,ଆଜି ମୁଁ ଚାଳିଶ ବର୍ଷରେ ଉପନୀତ ଆଉ ସବୁଠୁ ଭଲ କଥା ଜାଣିଛ ଆଜି ତୁମ ଜନ୍ମ ଦିବସରେ ମୁଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି।ମୋର ପୁସ୍ତିକା "ବୈଶାଖର କୋହ" ଆବାଳବୃଦ୍ଧ ବନିତା ସମସ୍ତଙ୍କୁ ତୃପ୍ତି ଦେଇଛି।ସେମାନେ ଏହା ଭିତରେ ଖୋଜି ପାଇଛନ୍ତି ନିଜକୁ।ତୁମ ଅଂଶ ,ଆମ ଅଂଶ ଆଜି ଲୋକ ଲୋଚନରେ। କେତେବେଳ କେମିତି ତୁମ ଉପରେ ଅଭିମାନ କରି ତୁମକୁ ପ୍ରତାରକ ବୋଲି କହିଛି,ମନରେ ଧରିବନି।ତୁମେ ଯେଉଁଠି ଥିବ ମତେ ଦେଖିବ ଆଜି ବୋଲି ଆଶା। 


ଇତି

ତୁମର ପ୍ରିୟା


ଏତିକି ଲେଖି ଆଖିରୁ ଝରି ଆସିଥିବା ଦୁଇଟୋପା ଲୁହକୁ ପୋଛି ସୁଜାତା ବନ୍ଦ୍ କରିଲେ ସେହି ଡାଏରୀ।ମାଆ ଥିଲେ ଖୁବ୍ ଖୁସି ହୋଇଥାନ୍ତା ଆଜି।ଏହା ଭାବି ମାଆ ଫଟୋ ପାଖରେ ନମସ୍କାର କରି ସେ ପ୍ରସ୍ତୁତ ହେବାକୁ ଉଠି ଚାଲିଗଲେ।


ଏଥର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ସୁଶ୍ରୀ ସୁଜାତା ବୋଲି ଟେଲିଭିଜନ ଚିତ୍କାର କରି କହୁଥିଲା। ଆସନ୍ତୁ ଦେଖିବା ସୁଶ୍ରୀ ସୁଜାତାଙ୍କ ସହିତ କିଛି କଥୋପକଥନ

ସମସ୍ତଙ୍କୁ ନମସ୍କାର,ଆଜିର ଏହି ଦିନ ମୋ ପାଇଁ ବିଶେଷ।ଆଜି ଜଣେ ପ୍ରିୟ ମଣିଷ ମୋ ଗୁରୁଙ୍କ ଜନ୍ମଦିବସ।ପିଲାଦିନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ସାହିତ୍ୟକୁ ମୋ ଜୀବନ ସାଥୀ ରୂପରେ ବାଛି ନେଲି। ଏହି କଥା ଚାଲିଥିଲା ବେଳେ ବୈଠକ ଘରେ ବସିଥିବା ସୁଶାନ୍ତ ବାବୁଙ୍କ ଆଖିରୁ ଦୁଇ ଟୋପା ଲୁହ ଝରି ଆସିଥିଲା ପତ୍ନୀ କୁମୁଦଙ୍କ ଅଲକ୍ଷ୍ୟରେ।ହଁ ସେ ହିଁ ଥିଲେ ପ୍ରିୟ, ସୁଜାତାଙ୍କର।କେଜାଣି କାହିଁକି ସେହି ସ୍ଥାନରୁ ଉଠି ଆସି ବାଗେନାରେ ପଦାଚାରଣ କରୁ କରୁ ସେ ଭାବୁଥିଲେ ସେହି ଦିନଟି।


ଯେତେବେଳେ ଘରକୁ ଆସି ସେ ପହଞ୍ଚିଲେ ଜାଣିବାକୁ ପାଇଲେ ବାପା ହିଁ ସରକାରୀ ଚାପ ପକେଇ ତାଙ୍କ ବଦଳି ସହରକୁ କରିଛନ୍ତି କାରଣ ତାଙ୍କ ଅବସର ନେବା ସମୟ ଆସି ସାରିଥିଲା ଓ ତାହା ସପ୍ତାହେ ପରେ ଥିଲା। ଅବସର ପରେ ସେମାନେ ଭଡ଼ା ଘରକୁ ଚାଲିଗଲେ ଯାହା ତାଙ୍କ ସ୍କୁଲ ପାଖରେ ଥିଲା। ଛଅ ମାସ ଏହି ଭଳି ବିତିଗଲା ପରେ ସେ ଯେତେବେଳେ ଫେରି ଯାଇଥିଲେ ସେହି ଗାଁକୁ ଦେଖିବାକୁ ତାଙ୍କ ପ୍ରିୟାକୁ,କିନ୍ତୁ ପ୍ରିୟା ଓ ତାର ପରିବାର ଆଉ ନଥିଲେ।ତାର ମୈତ୍ର ଠାରୁ ଜାଣିଲେ ସେ ଗର୍ଭବତୀ ଥିଲା ଆଉ ଏହି କଥା କେବଳ ପ୍ରିୟା,ତାଙ୍କ ମାଆ ଛଡା ମୈତ୍ର ହିଁ ଜାଣିଥିଲା।କିନ୍ତୁ ସେମାନେ କୁଆଡେ ଚାଲିଗଲେ ଏ କଥା ସେ ଜାଣିନି।ଦୁଃଖରେ ଫେରି ଆସିଲେ ସେ ଆଉ ଘରେ ସବୁ କଥା କହିଲେ।ତାକୁ ଖୋଜିବାକୁ ସେ ଚାହାନ୍ତି ବୋଲି କହିଲେ କିନ୍ତୁ ମାଆ ବିଷ ପିଇ ଦେବେ ବୋଲି ଧମକ ଦେଇଥିଲେ।ସେ ତଥାପି ଡରି ଯାଇ ନଥିଲେ କିନ୍ତୁ ସେଦିନ ସତକୁ ସତ ମାଆ ବିଷ ପିଇବା ଅଭିନୟ କରିବା ଦେଖି ପିତାଙ୍କ ହୃଦଘାତ ହୋଇଥିଲା ଆଉ ସେ ଛାଡି ଚାଲିଗଲେ ତାଙ୍କୁ ସବୁଦିନ ପାଇଁ ଯାହା ପ୍ରିୟା ପାଖକୁ ଯିବାକୁ ତାଙ୍କ ପାଦରେ ବେଡ଼ି ପକେଇ ଦେଲା । ମାଆ ତାଙ୍କୁ ଦୋଷୀ ବୋଲି କଳଙ୍କ ଦେଲେ।ଶେଷରେ ପରିବାର ଆଗରେ ପ୍ରେମ ହାରିଯାଇ ତାର ଶେଷ ନିଃଶ୍ବାସ ତ୍ୟାଗ କରିଲା।ଏହା ପରେ ବିବାହ କୁମୁଦ ସହିତ ଆଉ କିଛି ବର୍ଷ ପରେ ଗୋଟିଏ ଝିଅ ।ଆଜି ଅବସରକୁ ମାତ୍ର ପାଞ୍ଚ ବର୍ଷ ଅଛି।କିନ୍ତୁ ପ୍ରିୟାକୁ ଏମିତି ଦେଖିବେ ବୋଲି କେବେ ଆଶା କରି ନଥିଲେ।ଆଜି ସେ ଖୁସି,ତୃପ୍ତ ଆଉ ତାଙ୍କ ଜୀବନ ଆଜି ଧନ୍ୟ।ତାଙ୍କ ସାଙ୍ଗରେ ଥିଲେ ହୁଏତ ସେ ଆଜି ଶିଖର ପାଇ ନଥାନ୍ତେ,କିମ୍ବା ହୋଇ ପାରି ନଥାନ୍ତେ ଜଣେ ବିଶିଷ୍ଟ ଲେଖିକା।ପ୍ରିୟାକୁ ସେହି ପରଦାରେ ଦେଖି ଇଛା ଅବଶ୍ୟ ହେଉଥିଲା ପୁଣି ଥରେ ବାହୁରେ ଭରି ନେବାକୁ କିନ୍ତୁ ଆଜି ଆଉ ପ୍ରତାରକ ହୋଇ ପାରିବେ ନାହିଁ ପୁଣି ଥରେ। ପାଦ ଟାଣି ନେଉଥିଲା ପ୍ରିୟା ଠିକଣାରେ ହେଲେ କର୍ତ୍ତବ୍ୟ??ସେ ପଛକୁ ଭିଡ଼ି ଧରି କହୁଥିଲା ଆଜି ତୋ ପରିବାର ଅଛି।ବାଗେନାରେ ପ୍ରିୟା ନାମରେ ସେହି ଆମ୍ବ ଗଛ ଲଗେଇ ଥିଲେ ଯାହା ମୂଳରେ ଛିଡ଼ା ହୋଇ ସେ ପ୍ରିୟାକୁ ଅନୁଭବ କରନ୍ତି। ସେତିକିରେ ବଞ୍ଚିଯିବେ ନା ଥରେ ଯାଇ ଦେଖି ଆସିବେ। ଏମିତି ଭାବୁ ଭାବୁ ସ୍ତ୍ରୀ ତାଙ୍କର ଆସି କହିଲେ ତୁମେ ଏଠି ବୁଲୁଛ?? ତୁମ ପ୍ରିୟ ଲେଖିକାଙ୍କ ସାକ୍ଷାତକାର ଦେଖିଲ ନାହିଁ।ତୁମର ଅନେକ ଅଭିଯୋଗ ଥିଲା,ଭଲ ଲେଖିକା,କୌଣସି ଫଟୋ ନାହିଁ କୌଣସି ସାକ୍ଷାତକାର ନାହିଁ ଆଜି ସେ ସାମ୍ନାକୁ ଆସିଲେ ଆଉ ତୁମେ ଦେଖୁନ।। ହଁ ଦେଖିଥାନ୍ତି କାହିଁକି ନିଃଶ୍ବାସ ଅଟକି ଗଲା ଭଳି ଲାଗିଲା ତେଣୁ ପବନ ଖାଇବାକୁ ଚାଲି ଆସିଲି।ତେବେ ସୁଶ୍ରୀ ସୁଜାତାଙ୍କ ପରିବାର କିଏ?? ତାଙ୍କ ଗୁରୁଙ୍କୁ ସେ ଭଲ ପାଇ ବସିଥିଲେ ତାଙ୍କ ଆଦ୍ୟ ଯୌବନରେ ଓ ସେହି ସନ୍ତକ ତାଙ୍କ ଔରସରେ ବଢୁଥିଲା ହେଲେ ଏକ ଦୁର୍ଘଟଣାରେ ସେହି ସନ୍ତାନ ହରେଇ ବସିଲେ ସେ।ତା ଛଡ଼ା ତାଙ୍କ ଗୁରୁ କୌଣସି ଏକ ଅସୁବିଧାରେ ପଡି ତାଙ୍କୁ ବିବାହ କରି ପାରିଲେ ନାହିଁ ସେହି ପ୍ରେମକୁ ସାଇତି,ଓ ପ୍ରେମର ଅଂଶକୁ ହରେଇ ତାଙ୍କ ମାନସ ସନ୍ତାନ ମାନେ ଜନ୍ମ ନେଲେ।କେତେ ମହାନ୍ ଏହି ନାରୀ। ତାଙ୍କୁ ଶତ ପ୍ରଣାମ ହେଇଟି ସେ ଯେଉଁ ଆଶ୍ରମରେ ରୁହନ୍ତି ତାହା ପାଖ ଆମେ ଟିକିଏ ଯିବାକି ତାଙ୍କୁ ଦେଖା କରି ଆସିବା। ହୁଁ ବୋଲି ଅନ୍ୟ ମନସ୍କ ହୋଇ କହିଲେ ସେ।ଯାହାହଉ ତମେ ମୋ କଥା ମାନିଗଲ ଆମେ କାଲି ଯିବା , ମୁଁ ଖାଇବା ବାଢ଼ୁଛି ତମେ ଆସ।ହଁ କହିଲେ ସେ ଆଉ ଚାଲିଗଲେ ପତ୍ନୀ। ମନେ ମନେ ହସୁଥିଲେ ସୁଶାନ୍ତ ଆଉ କହୁଥିଲେ ପ୍ରିୟା ତୁମେ ମହାନ୍।ଆଉ ତୁମର ମହାନତା ଆଗରେ ମୋର ମଥାନତ।କେମିତି ତୁମକୁ ଦେଖା କରିବି କୋଉ ମୁଁହରେ????



ଆଶ୍ରମର ଏକ ସୁନ୍ଦର୍ ସକାଳ।ବୈଠକ ଘରେ ସୁଶାନ୍ତ ଓ କୁମୁଦ ଦୁହିଁଙ୍କୁ ବସେଇଲେ ଜଣେ କର୍ମକର୍ତ୍ତା।କୁମୁଦ ସୁଜାତାଙ୍କ ସହିତ ଦେଖା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।ସୁଜାତା ନିଜ ହାତରେ ତିଆରି କରିଥିବା ବଗିଚାରେ ଅଛନ୍ତି ସମୟ ଲାଗିବ ବୋଲି କହିଲେ ସେ।କୁମୁଦ ସେଠାରେ ଥିବା ଗୋଟିଏ ପୁସ୍ତିକା ଚନ୍ଦ୍ରରେ କଳଙ୍କ ଦେଖୁଥିବା ବେଳେ ସୁଶାନ୍ତ ଟିକିଏ ବାହାରୁ ବୁଲି ଦେଖି ଆସୁଛନ୍ତି ବୋଲି କହିଲେ।ହଁ ଭରିଲେ ସେ।ଅସ୍ଥିର ପୟର ତାଙ୍କର ଦୃତ ଗତିରେ ଆଗେଇ ଚାଲିଥିଲା ପ୍ରିୟାକୁ ଦେଖିବାକୁ ଲୁଚି ଲୁଚି।କାରଣ କୁମୁଦ ଆଗରେ ମନ ଭରି କଣ ଦେଖି ହେବ???ନା ବଗିଚାରେ ପହଞ୍ଚି ସାରି ସେ ଦେଖିଲେ ଦୂରରେ ବସିଛି ପ୍ରିୟା,ଆଖିରେ ଚଷମା ଲାଗି ଗଲାଣି କିନ୍ତୁ ତାଙ୍କ ପାଇଁ ଆଜି ବି ସେହି ଛୋଟ କଣ୍ଢେଇ ଯିଏ ଅନେକ ପ୍ରଶ୍ନ ପଚାରି ବସେ ତାଙ୍କୁ।ନିଜର କିଛି ଫୁଲ କୁଣ୍ଡ ମାନଙ୍କୁ ମାଟି ଦେଇ ସେ ସଜେଇବାରେ ଲାଗିଛି।କଣ କରିବେ ସେ ଡାକିଦେବେ ପ୍ରିୟା ବୋଲି??? ନା ନା ଏବେ ସେ ଆଉ ପ୍ରିୟା ନୁହେଁ ସୁଜାତା..ତଥାପି ସାହାସ ସଞ୍ଚୟ କରି ଧୀର ପାଦରେ ସେ ଯାଇ ଛିଡ଼ା ହେଲେ ପ୍ରିୟା ପାଖରେ,ଆଖିରୁ ଅନବରତ ଅଶ୍ରୁ ଗଡି ଯାଉଥିଲା।ତଳକୁ ମୁହଁ କରି ଗଛ ଲଗାଉଥିବା ସୁଜାତା ଏବେ କାହାର ପାଦ ଦେଖି ଚମକି ପଡ଼ିଲା,କାହିଁକି ସେ ଶିରାଳ ପାଦ ଆଜି ଚିହ୍ନା ଚିହ୍ନା ଲାଗୁଛି,ପ୍ରିୟ??? ନା ନା ଏହା ସମ୍ଭବ ନୁହେଁ।ଥରେ ଡାକିଦେବ କି ପ୍ରିୟ ବୋଲି।କିନ୍ତୁ ମୁଖରୁ କଥା ଥରେ ସ୍ଫୁରିଲେ ତାହା ଯେ ଫେରି ଆସେନି।କିନ୍ତୁ ଏହି ଅନୁଭୁତି କେବଳ ପ୍ରିୟ ପାଖରେ ଥିଲେ ହୁଏ।ମୁଁହ ଉଠାଇ ସାହସ ସଞ୍ଚୟ କରି ଚାହିଁଲେ ସେ।ହଁ ଠିକ୍ ତାଙ୍କ ପ୍ରିୟ!!! ସତରେ କଣ ସେ ଫେରି ଆସିଛନ୍ତି??? ନା କେବଳ ଗୋଟିଏ ମରୀଚିକା ଆଜି ବି ସେ। ବାର୍ଦ୍ଧକ୍ୟ ତାଙ୍କୁ ଆବୃତ କରିବା ଆରଂଭ କରି ସାରିଲାଣି।କିନ୍ତୁ ଆଖିରେ ସେହି ଚମକ ହେଲେ ଏ କଣ ସେହି ଚମକ ସାଙ୍ଗରେ ଚମକୁଛି ଦୁଇ ବୁନ୍ଦା ଅଶ୍ରୁ।ଆଉ ଓଠ ତାଙ୍କ ବସରେ ନଥିଲା,ମନକୁ ମନ ଓଠରୁ ବାହାରି ଆସିଲା ପ୍ରିୟ??? ତୁମେ କାନ୍ଦୁଛ କାହିଁକି???? 

ସୁଜାତା ମାନେ ତାଙ୍କ ପ୍ରିୟା ମୁହଁରୁ ଏତିକି ଶୁଣି ନିଜ ଲୁହକୁ ଲୁଚାଇ ଦେବାକୁ ଚେଷ୍ଟା କରି କହିଲେ ପାଗେଳି ଏଇ ଯେ ଖୁସିର ଲୁହ।ତୁମ ପାଇଁ।ମତେ କ୍ଷମା କର।ଯଦିଓ ମୁଁ କ୍ଷମା ପାଇବା ଯୋଗ୍ୟ ନୁହେଁ ତଥାପି।କିନ୍ତୁ ମୋ ହୃଦୟକୁ ଆଜି ତୁମ ଆଗରେ ଖୋଲି ଧରିବି ,ଏହା କହି ସେ ସମସ୍ତ କଥା ବାନ୍ତି କରି ବସିଲେ।ଦୀର୍ଘ ଅଣତିରିଶ ବର୍ଷ କୁ କିଛି ମୁହୂର୍ତ୍ତରେ ବଖାଣିବା କଣ ସହଜ କିନ୍ତୁ ପ୍ରିୟା ଓ ପ୍ରିୟ ପାଖରେ ସହଜ,ଆଖି ଦେଖି ଦୁହେଁ ଦୁହିଁଙ୍କ କଷ୍ଟ,ବିରହ ଯନ୍ତ୍ରଣା ବୁଝି ପାରିଥିଲେ।ବୁଝି ପାରିଥିଲି ନିଜର ଦାୟିତ୍ଵ,କର୍ତ୍ତବ୍ୟ।ଏମିତି କଥା ସରି ଯାଇଥିଲା ଆଉ ଦୁହେଁ ଦୁହିଁଙ୍କୁ ଅପଲକ ନୟନରେ ଚାହିଁ ରହିଥିଲେ।ସମୟ ପରେ ସମୟ ବିତି ଯାଉଥିଲା କିନ୍ତୁ ଦୁହେଁ କେବଳ ଅନୁଭବ କରୁଥିଲେ ଦୁହିଙ୍କ ଉପସ୍ଥିତି ।ଏହା କଣ ଯଥେଷ୍ଟ ନଥିଲା??? ଏହି ସମୟରେ କୁମୁଦ ସୁଶାନ୍ତଙ୍କୁ ଖୋଜି ଖୋଜି ଆସି ପହଞ୍ଚିଲେ ସେଠାରେ ଆଉ ତାଙ୍କର ଡାକରେ ପ୍ରକୃତିସ୍ଥ ହୋଇ ପଡ଼ିଲେ ଦୁହେଁ।

କୁମୁଦ କହିଲେ ତୁମେ ବଡ଼ ଅଜବ ଲୋକ ,ତୁମ ପ୍ରିୟ 

ଲେଖିକାଙ୍କୁ ଦେଖି ସବୁ ଭୁଲିଗଲ।ମୋର ବି ସେ ପ୍ରିୟ ବୋଲି ଜାଣିଛ ନା । ସୁଶାନ୍ତ ଟିକିଏ ହସି କହିଲେ ଇଏ ମୋର ପତ୍ନୀ କୁମୁଦ।ସୁଜାତା ନମସ୍କାର କରିଲେ।ଆରେ ଆରେ ଆପଣ ମତେ ଏହିପରି ନମସ୍କାର କରିବା ମତେ ଭଲ ଲାଗୁନି।କେତେ ବଡ଼ ଲୋକ ଆପଣ! ସୁଜାତା ହସି କହିଲେ ଆପଣ ମାନଙ୍କ ପାଇଁ ଆଜି ମୁଁ ବଡ଼ ଲେଖିକା,ତାର ଶ୍ରେୟ କେବଳ ଆପଣଙ୍କୁ ଯାଏ

ଏମିତି କିଛି ସମୟ କଥୋପକଥନ ପରେ ନିଜ ବ୍ୟାଗ୍ ଭିତରୁ କାଗଜଟିଏ ବାହାର୍ କରି କୁମୁଦ ସୁଜାତାଙ୍କ ହାତକୁ ବଢେଇ ଦେଇ କହିଲେ ଆପଣଂକ ଠାରୁ ପ୍ରେରଣା ପାଇ କାଲି ରାତିରେ ମୋ ସ୍ବାମୀ ଏହି କବିତା ଲେଖିଥିଲେ।ମୁଁ ତାକୁ ଟେବୁଲ୍ ଉପରେ ଦେଖିଲି ଆଉ ଟିପି ଆଣିଲି ଆପଣଙ୍କୁ ଉପହାର ସ୍ୱରୂପ ଦେବାକୁ।ସତରେ ଆପଣଙ୍କୁ କଣ ଆଉ ଉପହାର ଦେବି ବୁଝି ପାରୁ ନଥିଲି।ସୁଜାତା ଗ୍ରହଣ କରି ସୁଶାନ୍ତଙ୍କୁ ଚାହିଁ ଧନ୍ୟବାଦ ଦେଲେ।ତେବେ ଆମେ ଘରକୁ ଆସିବେ ବୋଲି କୁମୁଦ ନିମନ୍ତ୍ରଣ କରିଲେ ହେଲେ ସୁଜାତା ଜାଣିଥିଲେ ସେ କେବେ ଆଉ ଯିବେନି ପ୍ରିୟଙ୍କ ସୁଖୀ ସଂସାରରେ ନିଆଁ ଲଗାଇବାକୁ।

ମିଳନ ପର୍ବ ଶେଷ ହେଲା..ସେମାନେ ଫେରି ଆସି ଅଟୋ ଧରିଲେ ଆଉ ସୁଜାତା ଛିଡ଼ା ହୋଇ ରହିଥିଲେ ଛାତ ଉପରେ।ସମୟ ସରି ଯାଇଥିଲା କିନ୍ତୁ ସୁଜାତାଙ୍କ ହୃଦୟ ପୂର୍ଣ୍ଣ ଥିଲା। ପ୍ରେମର ଅର୍ଥ କଣ ମିଳନ??ବିବାହ??? ନା,ପ୍ରେମର ଅର୍ଥ କେବଳ ପ୍ରେମ।ଏବେ ହାତରେ ଥିବା ସେହି କାଗଜ ଟି ତାଙ୍କୁ ଆହ୍ବାନ କରୁ ଥିଲା ବାରମ୍ବାର ସେ ଖୋଲିଲେ ସେହି କାଗଜ।

କବିତାଟିଏ ଥିଲା ପ୍ରୀୟଙ୍କ ହସ୍ତ ରଚିତ।ବୋଧେ କୁମୁଦ ତାଙ୍କ ଲିଖିତ କବିତା ଘରେ ରଖି ପ୍ରୀୟଙ୍କ ଲିଖିତ କାଗଜ ନେଇ ଆସିଛନ୍ତି।ସେ ଟିକିଏ ହସିଲେ କବିତାଟି ଥିଲା 


।।।।ତୁମେ ରାଧା।।।


ତୁମେ ରାଧା,

ଶାଶ୍ଵତ ପ୍ରେମର ଏକ ନିଦର୍ଶନ

ତୁମେ ରାଧା,

ନିନ୍ଦା ଅପବାଦ ପାଇ ମଧ୍ୟ ମହାନ 

ତୁମେ ରାଧା ,

ଯାହା ପ୍ରେମର ନାହିଁ କିଛି ତୁଳନା

ତୁମେ ରାଧା,

ଯେ କେବେ କରି ପାରେନି ଛଳନା ,।



Rate this content
Log in

Similar oriya story from Abstract