STORYMIRROR

Ambuja Mohanty

Abstract Inspirational

3  

Ambuja Mohanty

Abstract Inspirational

ସମ୍ମାନ

ସମ୍ମାନ

7 mins
6


"ମୋର ମତାମତ??? ମୁଁ କଣ ମତ ଦେବି???ସତରେ କିଛି ଆବଶ୍ୟକ ଅଛି ମୋର ମତ??? କାହିଁ ଆଜି ପର୍ଯ୍ୟନ୍ତ ସେ ଅନୁଭବ ମୁଁ କରି ନାହିଁ !!!"


ଟିକିଏ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଗୀତା। ଆମ ବିବାହକୁ ଚାଳିଶ ବର୍ଷ ହେଲାଣି!! ପୁଅ ଜନ୍ମ,ନାମ କରଣ,ଜନ୍ମଦିନ ,ତାର ପାଠ ପଢା ପରିଶେଷରେ ତାର ବିବାହ ସବୁ ପରେ ମଧ୍ୟ ତୁମେ କେବେ ମୋ ମତାମତ ଲୋଡ଼ି ନାହଁ।ତୁମ ହିସାବରେ ନାରୀର କାମ ଘର ସମ୍ଭାଳିବା,ପିଲାର ଯତ୍ନ ନେବା,ଘର ଗୃହସ୍ଥୀ କଥା ବୁଝିବା ଏହି ସବୁ। ତୁମେ ସ୍ଥିର କରି ଦେଇଥିଲ ସମାଜ,ଲୋକ,ପ୍ରଥା ନାମରେ। ସେଦିନ ମୋ ମନରେ କଣ ଅଛି ପଚାରି ବୁଝି ନଥିଲ କି ମତ ମାଗି ନଥିଲ?? ଏମିତି ମଧ୍ୟ ତୁମ ଘର,ପିତାମାତା ସମସ୍ତେ ତୁମର ଏହି କଥାରେ ଅନ୍ଧ ସମ୍ମତି ଜଣାଇଥିଲେ।ମୁଁ କେବଳ କାମରେ ଆସୁଥିବା ଗୋଟିଏ ଯନ୍ତ୍ର ଥିଲି।ଆଜି ଏମିତି, ଅକସ୍ମାତ୍ ତାର ବିଦେଶ ଯିବା ନେଇ ତୁମେ ମୋର ମତାମତ କାହିଁକି ଲୋଡ଼ି ବସିଲ??? ଏଇଟା ସେ ଦୁହିଁଙ୍କ ଜୀବନ,ମୋର ମତ ସବୁବେଳେ ତାଙ୍କ ମତ ସହିତ ସମାନ।


ଏହି ଉତ୍ତର ପାଇଁ କେବେ ମଧ୍ୟ ପ୍ରସ୍ତୁତ ନଥିଲେ ଶଙ୍କର ବାବୁ। ଏକମାତ୍ର ପୁତ୍ରକୁ ମାଡ଼ି ଆସୁଥିବା ବୃଦ୍ଧାବସ୍ଥାରେ ଦୂରେଇ ଦେବାର ଦୁଃଖ ସହିତ କିଛି ଚାଳିଶ ବର୍ଷ ତଳର ଗ୍ଲାନି ତାଙ୍କୁ କଷ୍ଟ ଦେଉଥିଲା। କିନ୍ତୁ ଉଭୟ ପୁଅ ବୋହୂଙ୍କ ପାଇଁ ଏହା ସୁଯୋଗ ଥିଲା

କିଛି ବର୍ଷ ବିଦେଶରେ ରହି ଗୋଟିଏ ନାମ,ଅର୍ଥ କମେଇବାରେ। ଜୀବନ ସାରା ତ ନୁହେଁ ମାତ୍ର ପାଞ୍ଚ ବର୍ଷ।।କିନ୍ତୁ ସେ କାହିଁକି ଏହାକୁ ଏତେ ସହଜରେ ଆପଣେଇ ନେଇ ପାରୁ ନଥିଲେ।ଯଦିଓ ସେ ଦୁଇ ଦିନ ତଳେ ଘଟଣାରୁ ବୁଝି ସାରିଥିଲେ ସେ କଣ ଭୁଲ୍ କରିଛନ୍ତି କିନ୍ତୁ କେଉଁଠି ନା କେଉଁଠି ସେ ପୁତ୍ର ମୋହରେ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ବିବାହ ପରଠାରୁ ତାଙ୍କ ହଁ ରେ ହଁ ଭରି ଆସୁଥିବା ଗୀତା ଆଜି ପ୍ରଶ୍ନ ବଦଳରେ ଏହି ପ୍ରଶ୍ନ କରିବା ତାଙ୍କୁ ଗୋଟିଏ ଦୋଷୀ ଭଳି ଅନୁଭବ କରାଉଥିଲା। ତେବେ ଏହି ପ୍ରଶ୍ନ ସେ ସତରେ ମତାମତ ନେବାକୁ ପଚାରିଥିଲେ ଗୀତାଙ୍କୁ ହେଲେ ତାଙ୍କୁ ବିଶ୍ୱାସ ହେଉ ନଥିଲା।


ଦୁଇଦିନ ପୂର୍ବରୁ


... ପୁଅ ବୋହୁ ଗୀତାଙ୍କ ପାଖରେ ବସି ତାଙ୍କୁ କହୁଥିବାର ଶୁଣିଥିଲେ ସେ,

ପୁଅ ଅରିଜିତ କହୁଥିଲା..

"ମାଆ ଆମ କମ୍ପାନୀରେ ଗୋଟିଏ ଭଲ ବିଦେଶ ଅଫର ମିଳୁଛି ମତେ।ସେମାନେ ରହିବା,ଖାଇବା ଆଦି ତାଙ୍କ ୟାଡୁ ଦେବେ। ପାଞ୍ଚ ବର୍ଷ ପାଇଁ ଯିବାକୁ ହେବ।ଏମିତି ସ୍ମରିତା ମଧ୍ୟ ମୋ ସହିତ ଯିବ।ମୁଁ ସ୍ମରିତା ଠାରୁ ତାର ମତାମତ ବୁଝିଛି।ସେ ମଧ୍ୟ ଆଗ୍ରହୀ ଏହି ଅଫର ପାଇଁ।ଯେହେତୁ ଆମେ ସମାନ କମ୍ପାନୀର ତେଣୁ ତାର ବଦଳି ହୋଇଯିବ।ତୁମର ମତ କଣ ମାଆ??"

ପୁଅ କଥାକୁ ଯୋଡ଼ି କହୁଥିଲା ବୋହୁ ସ୍ମରିତା.. "ହଁ ମାଆ ମୋ ବାହାଘର ଚାରି ବର୍ଷ ହେଲାଣି।ପ୍ରଥମ ଦିନରୁ ତୁମେ ମୋ ମତ ପ୍ରଥମେ ମାଗି ଆସିଛ।ମୋ ଇଚ୍ଛାକୁ ପ୍ରଥମେ ପ୍ରାଧାନ୍ୟ ଦେଇ ଆସିଛ।ଆଜି ଏତେ ବଡ଼ ନିଷ୍ପତି ଆଗରୁ ତୁମ ମତାମତ ଆମ ପାଇଁ ସବୁଠାରୁ ଜରୁରୀ।"


ଦୁହିଁଙ୍କ ମୁହଁରେ ଥିଲା ଏକ ଶୂନ୍ୟତା।।


ଏହା ଦେଖି ଗୀତା ହସି କହିଲେ,

..."ଆରେ ତୁମେ ଦୁହେଁ ମୋ ଠାରୁ ବେଶୀ ଦୁନିଆ ଦେଖିଛ। ବୟସରେ ନହେଲେ ନାହିଁ ଯୁଗ ଉପଯୋଗୀ ଓ ତୁମର ଅଭିଜ୍ଞତା ସବୁବେଳେ ମୋ ଠାରୁ ଭଲ

ତୁମେ ମାନେ ଏହି ବାବଦରେ ବେଶୀ ଭଲ ନିଷ୍ପତ୍ତି ନେଇ ପାରିବ। ମୋ ମତାମତ ସବୁବେଳେ ତୁମ ମତାମତ ସହିତ ସମାନ।ଭିନ୍ନ ନୁହେଁ।ଏବେ ତୁମ ଦୁହିଁଙ୍କର ତୁମ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେବାର ବୟସ ଆସି ସାରିଛି।ଦୁହେଁ ଭଲ କରି ବିଚାର କର। କେମିତି ଯିବ ,କଣ ତାର ନିୟମ ଇତ୍ୟାଦି।"


ଏହା ଶୁଣି ଦୁହେଁ ଜାବୁଡ଼ି ଧରିଲେ ଗୀତାଙ୍କୁ ଭିନ୍ନ ଏକ ଖୁସିରେ।। ଗୀତା ଏବେ ଦୁହିଁଙ୍କୁ ଟିକିଏ ଗେଲ କରି ଦେଇ କହିଲେ ଯାଉଛି ଟିକିଏ କଫି ତିଆରି କରେ।ତମେ ମାନେ ଅଫିସରୁ ଆସି ଥକି ଯାଇଛ।ବିଶ୍ରାମ କର।ମୁଁ କଫି ବାପାଙ୍କୁ ଦେଇ ଆମ ପାଇଁ ନେଇ ଆସିବି।ତାଙ୍କୁ ଉଠୁ ଥିବା ଜାଣି କବାଟ ପାଖରୁ ପାଖ ରୁମ୍ କୁ ଚାଲି ଆସିଲେ ଶଙ୍କର।କିନ୍ତୁ ମନର ଉତ୍ସାହକୁ ଅଟକେଇ ନ ପାରି ସେ ପୁଣି ଥରେ ଶୁଣିବାକୁ ଚେଷ୍ଟା କରିଲେ ପୁଅ ବୋହୂଙ୍କ କଥା।

(ତାଙ୍କ ରୁମ୍ ଭିତରୁ)

ଦୁହିଁଙ୍କ ମଧ୍ୟରେ ଥିଲା ଗୋଟିଏ ଉତ୍ସାହ।ଦୁହେଁ ଖୁବ୍ ଖୁସି ଥିଲେ।

ବୋହୂ କହୁଥିଲେ,

"ଜାଣିଛ ଅରିଜିତ ,ବିବାହ ଆଗରୁ ମତେ କେତେ ଲୋକ କହିଥିଲେ ଗୋଟିଏ ପୁଅରେ ବୋହୁ ତୁ।ବାପା ମା ଦୁଇଟି।ଯେତିକି ଭଲ ସେତିକି ମନ୍ଦ।ସବୁ ଚାପ ତୋରି ଉପରେ ପଡ଼ିବ।କେହି କେହି ମୋ ସମ୍ପର୍କୀୟ ଭଉଣୀ କହିଥିଲେ ଶାଶୁ ସବୁବେଳେ ମୂରବୀ ହୋଇ ତତେ ଦବେଇ ରଖିବାକୁ ଚେଷ୍ଟା କରିବେ।ଗୋଟିଏ ପୁଅ ଯେହେତୁ ସେ ମାଆ ବିପକ୍ଷରେ କଣ ଯିବ??ଏହି ଭିତରେ ତୋର ପସନ୍ଦ ନା ପସନ୍ଦ,ତୋର ମତାମତ ଆଦିର କିଛି ମୂଲ୍ୟ ନାହିଁ।ତୁ ଲକ୍ଷ୍ୟ ଲକ୍ଷ୍ୟ ରୋଜଗାର କରୁଥାଇ ପାରୁ ,ତୋ ପାଖରେ ଅନେକ କଳା ଥାଇ ପାରେ କିନ୍ତୁ ସେଠାରେ ତୋର ଚରିତ୍ର ଚିତ୍ରଣ କେବଳ ଗୋଟିଏ ପଥର ଭଳିହୋଇ ରହିବ ଯାହାକୁ କେବେ ଶାଳ ଗ୍ରାମର ମାନ୍ୟତା ମିଳିବ ନାହିଁ। ସତ କହୁଛି ଅରିଜିତ ପ୍ରଥମେ ତ ଆରେଞ୍ଜ ମ୍ୟାରେଜ୍।ଦ୍ଵିତୀୟରେ ଏହି କଥାର ଭୟ ମତେ ଖୁସି କଣ ଦୁଃଖୀ କରି ପକେଇଲା। ବିବାହ ପାଇଁ ଥିବା ଖୁସି ଧୀରେ ଧୀରେ ପାଣିରେ ମିଳେଇବାକୁ ଲାଗିଲା। କିନ୍ତୁ ବାପା ମାଆ ମତେ କହିଲେ ସେମାନେ ସମସ୍ତେ ଭଲ ଲୋକ।ତୁ ଅଧିକ ଭାବି ଦେଉଛୁ।

କିନ୍ତୁ ତୁମେ ଜାଣ, ବିବାହ କରି ଆସିବାର ପ୍ରଥମ ଦିନରୁ ମାଆ ଏହି କଥାକୁ ଭୁଲ ପ୍ରମାଣିତ କରିଥିଲେ।ପ୍ରଥମ ଦିନରୁ ଖାଇବା,ପିନ୍ଧିବା ସବୁ ମୋର ବୁଝି ନେଇଥିଲେ।ମୁଁ ଭାବିଲି ସେ ବୋଧେ ସେଇ ଟିପିକଲ ଶାଶୁ ପଣିଆର ପ୍ରସ୍ତୁତି ଆରମ୍ଭ କରୁଛନ୍ତି ହେଲେ ମତେ ଭୁଲ୍ ପ୍ରମାଣିତ କରି ଦେଇଥିଲେ ସେ।ଘରେ ପୂଜା ହେବ,ଘର ରଙ୍ଗ ହେବ,ରୋଷେଇ ଘର ବାସନ କିଣା ହେବ,ଫୁଲ କୁଣ୍ଡ ଆସିବ ଇତ୍ୟାଦି ଇତ୍ୟାଦି ସବୁ ଛୋଟରୁ ନେଇ ବଡ଼ କଥାରେ ମୋ ମତ ସବୁଠାରୁ ଆଗ ନେଉଥିଲେ ସେ।କୌଣସି ଜିନିଷର କାଣିଚାଏ ଆଶା କିମ୍ବା ଆକାଂକ୍ଷା କେବେ ମୁଁ ଦେଖି ନଥିଲି ତାଙ୍କ ମୁହଁରେ କିନ୍ତୁ ସବୁବେଳେ ତୃପ୍ତ ଓ ହସହସ ମୁଁହ ଦେଖି ମୋ ମୁଣ୍ଡ ଆପେ ନଇଁ ଯାଏ।ବାପା ହୁଏତ କିଛି କଥାରେ କେବେ କେମିତି କଣ କହିଥିବେ?? କିନ୍ତୁ ସେ କେବେ କିଛି କହି ନଥିଲେ କିମ୍ବା ନାହାନ୍ତି ଆଜି ଯାଏଁ ବରଂ ଗୋଟିଏ ଝିଅର ମାଆ ଭଳି ସେ କେବଳ ମାଆ ହୋଇ ଆସିଛନ୍ତି।ନା ଉଁଚା ସ୍ୱର,ନା ଗାଳି ଦେବା କିଛି ଏ ସବୁ ପାଇନି ମୁଁ ଯଦି ପାଇଛି ଅନାବିଳ ସ୍ନେହ। ସତ କହୁଛି ଲୋକେ କୁହନ୍ତି ଏହା ଦୁଇ ଦିନିଆ କିନ୍ତୁ ଏତେ ବର୍ଷ ଭିତରେ କିଛି ବଦଳି ନାହିଁ।ଖାଲି ଯଦି ବଦଳିଛି ବର୍ଷ।ତୁମେ କେଉଁ ଜନ୍ମରେ ପୁଣ୍ୟ ଅବଶ୍ୟ କରିଛ ତେଣୁ ତାଙ୍କୁ ମାଆ ଭାବେ ପାଇଛ।"


ଅରିଜିତ ତାଙ୍କ କଥାରେ ଯୋଡିଲେ,

"ହଁ ତୁମେ ଠିକ କହିଛ।ପିଲା ଦିନରୁ ଦେଖିଛି ବାପା ,ଜେଜେବାପା, ଜେଜେମା, ପିଉସୀ ଙ୍କ ମତ ପଛେ ନେଇଥିବେ କିନ୍ତୁ କେବେ ମାଆ କୁ ସେତିକି ପ୍ରାଧାନ୍ୟ ଦେଇ ନାହାଁନ୍ତି।ତେଣୁ ମୁଁ ତାକୁ ଖୁବ୍ ଭଲ ପାଏ।ସେ କେବେ ସେ ଆଶା ମଧ୍ୟ ରଖିନି,କିଛି ମାଗି ନାହିଁ କେବଳ ଦେଇଛି ଆମ ସମସ୍ତଙ୍କୁ ଅନାବିଳ ଭଲ ପାଇବା।ମୁଁ ଚାକିରୀ କରିବା ପରେ ବାପା ମତେ ଅନେକ ଥର ପଚାରିଥାଇ ପାରନ୍ତି କଣ କରୁଛୁ ପଇସା,କେତେ ଦରମା ପାଇଲୁ।ଏଇଟା ଆଣି ଦେବୁ ଇତ୍ୟାଦି ଇତ୍ୟାଦି କିନ୍ତୁ ସେ ଅଲଗା। ବିବାହ ଆଗରୁ ମୁଁ ଜୋର୍ କରି ଯେତେବେଳେ ପଚାରିଥିଲି କଣ ମତେ କହିବୁ ମୋର ନୂଆ ଜୀବନ ଆରମ୍ଭ ଆଗରୁ,ସେ ମତେ କଣ କହିଥିଲ ଜାଣ..

ବାବାରେ,ତୋ ସ୍ତ୍ରୀ ତୋ ସୁଖ ଦୁଃଖର ସାଥୀ।ତାକୁ ସବୁବେଳେ ସେତିକି ପ୍ରାଧାନ୍ୟ ଦେବୁ ଯେତିକି ନିଜକୁ ଦେଇଚୁ।ପ୍ରତି କଥାରେ ତା ମତାମତ ଲୋଡ଼ିବୁ।ତା ପିତାମାତା ଘରକୁ ସେତିକି ଭଲ ପାଇବା ଦେବୁ।ମୁଁ ଲୁହରେ ଆକ୍ତାମାକ୍ତା ହୋଇ ପଡିଲି ତା ବିଚାର ଶୁଣି।ସତରେ ଆଜି ବାପାଙ୍କ ଠାରୁ ଦୂରେଇ ରହିବା ଯେତିକି କଷ୍ଟ ଦେଉନି ତା ଠାରୁ ଦୂରେଇ ରହିବା କଥା ଭାବିଲେ ହୃଦୟ କୋରି ହେଇ ଯାଉଛି। "


ଆଉ ଶୁଣିବା ଅବସ୍ଥା ରେ ନଥିଲେ ଶଙ୍କର। ରୁମକୁ ଆସି ଥମ୍ କରି ବସି ଯାଇଥିଲେ।ଠିକ୍ ଏହି ସମୟରେ ଗୀତା ଆସି କଫି ସହିତ ଜଳଖିଆ ହସ ହସ ମୁହଁରେ ବଢେଇ ଦେବା ବେଳେ କହିଥିଲେ ବୁଝିଲ, "ସ୍ମରୁ (ସ୍ମରିତା) କଣ ଗୋଟେ ଗୁଡ଼ ଆଣିଛି। ପୁରା ଝୁରା। ସେଇୟା ତମ କଫିରେ ପକେଇ ଦେବାକୁ କହିଥିଲା ଚାଖିଲେ ମତେ କହିବ କେମିତି ଲାଗୁଛି।ଯାହା କୁହ ସ୍ମରୁର ସବୁଆଡେ ନିଘା।ଆଉ ସୁଗର୍ ଫ୍ରି ଆସିବ ନାହିଁ।ହଉ ମୁଁ ଛୁଆଙ୍କୁ ଟିକିଏ ଜଳଖିଆ ଦେଇ ଆସେ।ପିଲା ଗୁଡା ଦିନ ସାରା କାମ କରି ଥକି ପଡ଼ୁଛନ୍ତି।।" ଶଙ୍କର ମୁଣ୍ଡ ହଲେଇ ହଁ କହିଲେ।

ଗୀତା ଚାଲିଗଲେ ଓ ତାଙ୍କ ସହିତ ଶଙ୍କର ମଧ୍ୟ ଫେରି ଗଲେ ଚାଳିଶ ବର୍ଷ ତଳକୁ।


ବାହା ହେଇ ହାତ ଧରି ଆଣିଥିଲେ ସେ ଗୀତାଙ୍କୁ କିନ୍ତୁ ଦିନଟିଏ ପସନ୍ଦ,ନା ପସନ୍ଦ ବିଷୟରେ ପଚାରି ନଥିଲେ।କୌଣସି ଜିନିଷରେ ମତାମତ ଲୋଡ଼ି ନଥିଲେ।ବାପା,ବୋଉ ,ନାନୀ ସମସ୍ତେ ନିଜ ମତ ରଖୁଥିଲେ କିନ୍ତୁ ଗୀତା?? ଯଦି ସେ କେବେ ସେହି ଅଧିକାର ପାଇ ନଥିଲେ ଏହାର କାରଣ ଥିଲେ ଶଙ୍କର। ଦଶହରାରେ ବୋଉ କି ନାନୀ ପସନ୍ଦରେ ଖଣ୍ଡେ ଲୁଗା ଓ ଦୁଇ ମୁଠା ଚୁଡ଼ି ଧରେଇ ଦେଉଥିଲେ ପ୍ରତିବର୍ଷ ହେଲେ କେବେ ପଚାରୁ ନଥିଲେ ମନକୁ ଆସିଲା?? କିନ୍ତୁ କାଲିକା ଝିଅ ସ୍ମରିତା,ବୋହୁ ହୋଇ ତିନି ଚାରି ବର୍ଷ ହେବ ଆସିଛି ହେଲେ ଜୋର୍ କରି ଗୀତାଙ୍କୁ ବଜାର ନିଏ ସ୍କୁଟି ପଛରେ ବସେଇ।ମନକୁ ପାଇଲା ଭଳି ଜିନିଷ କିଣାଇ ଦିଏ।ହେଲେ ସ୍ମରିତା ଠାରୁ ବେଶୀ ନିଜର ତ ଶଙ୍କର ହେବା କଥା,ତା ପରେ ଅରିଜିତ।। କିନ୍ତୁ ସେମାନଙ୍କ ଠାରୁ ବେଶୀ ମନ ବୁଝେ ସ୍ମରିତା।ହୁଏତ ଗୀତାଙ୍କର ତା ପାଇଁ ଥିବା ମାତୃ ସ୍ନେହ ବଦଳରେ ସେ ଝିଅଟିଏ ହେଇ କୃତଜ୍ଞତା ଅଜାଡ଼ି ଦିଏ କେଉଁ ମାଧ୍ୟମରେ। ଅଥଚ ତାଙ୍କ ପାଇଁ ସମସ୍ତ ଜୀବନ ଜଳାଞ୍ଜଳି ଦେଇଥିବା ମଣିଷକୁ ସେ ସମ୍ମାନ ଟିକିଏ ଦେଇ ନଥିଲେ।ସେ ଯେଉଁ ପ୍ରଥା ତିଆରି କରିଥିଲେ ସେଥିରେ କଣ ତାଙ୍କ ବୋଉ,ନାନୀ ଏମାନେ ଆସି ନଥିଲେ।ବୋଉ କଥାରେ ଘର ଚାଲୁଥିଲା,ନାନୀ ଆସି ଅନେକ କିଛି କହି ଚାଲିଯାଏ ଘରର ନିଷ୍ପତ୍ତିରେ କିନ୍ତୁ ଗୀତାଙ୍କୁ ସେହି ସମ୍ମାନରୁ କାଣିଚାଏ ମିଳିଲା ନାହିଁ।ଆଜି ପୁଅ ବୋହୂ କିନ୍ତୁ ସେଇୟା କରିଛନ୍ତି ଯାହା ସେ କେବେ କରି ନଥିଲେ ତାହାର କାରଣ ସ୍ମରିତାକୁ ଘରର ଛୋଟ ବଡ଼ ନିଷ୍ପତିରେ ଗୀତା ପଚାରୁଥିଲେ।ନାନୀ ଛିଗୁଲେଇ କେତେ କଥା କହିଛି, ବୋହୂର ଚାକରାଣୀ ହେଇଛି କିନ୍ତୁ ଗୀତା ତ ମାଆ ଟିଏ ହେଇ ଆସିଛନ୍ତି କାହା କଥାକୁ ଖାତିର ନକରି । ସେ ଭାବୁଥିଲେ ବୋଧେ ବୃଦ୍ଧାବସ୍ଥାରେ ସାହାରା ହେବେ ବୋଲି ଗୀତା ଏମିତି କରୁଛନ୍ତି କିନ୍ତୁ ଆଜି ଗୀତାଙ୍କ ନିଷ୍ପତ୍ତି ତାଙ୍କୁ ଭୁଲ୍ ପ୍ରମାଣିତ କରିଲା।

ନିଜକୁ ଖୁବ୍ ଛୋଟ ଭାବୁଥିଲେ ସେ।ତେଣୁ ଖୁବ୍ ଶୀଘ୍ର ସୁବିଧା ଦେଖି କେମିତି ଗୋଟିଏ ଏହି ଭୁଲ ସୁଧାରି ନେବେ ବୋଲି ମଉକା ଖୋଜୁଥିଲେ କିନ୍ତୁ ମନରେ ଗୋଟିଏ ଅହଂ କେଉଁଠି ନା କେଉଁଠି ଲୁଚି ବସିଥିଲା।


ଦୁଇ ଦିନ ପରେ....


ଅଫିସ ଗଲା ବେଳେ ଯେତେବେଳେ ପୁଅ ଏହି ନିଷ୍ପତ୍ତି ବାପାଙ୍କୁ କହିଲା ସେ କିଛି କହିଲେ ନାହିଁ।ସେ ଚାଲିଗଲା।ବୋହୁ ବାପଘର ଯାଇଛି ।ଏଇଟା ଭଲ ମଉକା ଥିଲା।କିନ୍ତୁ ସକାଳୁ ସଂଜ ହୋଇ ସାରିଥିଲା ତାଙ୍କର କେମିତି କଥା ଆରଂଭ କରିବେ ଭାବି ଭାବି।


ପରିଶେଷରେ ସଂଜ ବେଳେ ସେ ଯେତେବେଳେ ପଚାରି ବସିଥିଲେ ତାଙ୍କ ମତାମତ,ସ୍ତବ୍ଧ ହୋଇ ଯାଉଥିଲେ ତାଙ୍କ ଉତ୍ତରରେ। ସେତିକି କହି ଚୁପ୍ ହୋଇ ଯାଇଥିବା ଗୀତା ଏବେ ଦୁଇ ପଦ ଯୋଡିଲେ,

ତୁମେ ବ୍ୟସ୍ତ ହୁଅ ନାହିଁ।ମୁଁ ଅଛି।ସବୁ ମୁଁ ବୁଝିବି।ଆମେ ସ୍ୱାର୍ଥପର ହୋଇ ପିଲାଙ୍କ ଭବିଷ୍ୟତକୁ କେମିତି ଅଣଦେଖା କରିବା। ପାଞ୍ଚ ଛଅ ବର୍ଷତ। ଯାଆନ୍ତୁ ସେମାନେ।ତାଙ୍କର ମଧ୍ୟ ଗୋଟିଏ ଜୀବନ ଅଛି। ତାଙ୍କୁ ନିଜ ନିଷ୍ପତି ନେବାକୁ ଦିଅ।ତାଙ୍କୁ ନିଷ୍ପତ୍ତି ଶୁଣାଅ ନାହିଁ।ଏହା ମୋର ମତମତ। ମାଗିଲ ବୋଲି କହିଲି।

ଖାଲି ସେତିକି ନୁହେଁ, ଗୀତା ନିଜକୁ ନିଜେ କହି ହେଉଥିଲେ

"ସ୍ମରୁ ଥିଲେ ମଟର ପନିର ଖାଇ ଖୁସି ହେଇଥାନ୍ତା।ହଉ ଆସୁ ଆଉ ଦିନେ କରି ଦେବି। ପିଲାଟାରେ ଭାରି ପ୍ରିୟ"


ଶଙ୍କର କେବଳ ଦେଖି ଚାଲିଥିଲେ ଗୀତାଙ୍କୁ।ଏମିତି ନିଃସ୍ଵାର୍ଥପର ମଣିଷଟିଏ କେମିତି ହୋଇପାରନ୍ତି ସେ??କେବେ ତାଙ୍କୁ ଥକି ପଡିବା କେହି ଦେଖି ନାହାନ୍ତି। ଦେହ ଖରାପ ହେଲେ ବିଶ୍ରାମ ନେବା କେହି ଦେଖି ନାହାନ୍ତି।ହଁ ଅରିଜିତ ବଡ଼ ହେବା ପରେ ଜୋର୍ କରି କାମ କରାଇ ଦିଏନି। ଭାବୁଥିଲେ ବୋଉ ଆଉ ଗୀତା ଦୁଇଟି ଶାଶୁଙ୍କ ଭିତରେ କେତେ ଫରକ। ଗୀତା ତାଙ୍କ ବୋହୁ ହେଇ ରହି ଯାଇଥିଲା।ସେହି ଶାଶୁ ନଣନ୍ଦଙ୍କ ଛିଗୁଲେ଼ଇ କଥା ବାର୍ତ୍ତା ଆଦି ସହି ସେହି କିନ୍ତୁ ସ୍ମରିତା ଝିଅଟିଏ ହେଇଗଲା ଖୁବ୍ ଶୀଘ୍ର।କେବେ ଫରକ କରି ନାହାନ୍ତି ଗୀତା ଦୁହିଁଙ୍କ ମଧ୍ୟରେ। ନିଜ ରକ୍ତ ପର ଝିଅ ଭିତରେ ଫରକ୍ କରି ନାହାଁନ୍ତି।ସେ ହୁଏତ ଶ୍ଵଶୁର ହୋଇ ଥାଇ ପାରନ୍ତି କିନ୍ତୁ ଗୀତା ଥିଲେ କେବଳ ମାଆ।ନିଜକୁ ଖୁବ୍ ଛୋଟ ମଣୁଥିଲେ ସେ ଆଜି ଗୀତାଙ୍କ ଆଗରେ। ମନେ ମନେ ସେ ସ୍ଥିର କରି ସାରିଥିଲେ ଏଥର ଗୀତାଙ୍କ ନିଷ୍ପତି ହିଁ ଶେଷ ନିଷ୍ପତି ହେବ ତାଙ୍କ ପାଇଁ ଏହାହିଁ ବୋଧେ ତାଙ୍କ ଭୁଲ୍ ସୁଧାରିବାର ମାର୍ଗ। ଗୀତା ପନିର ମଟର ସରଞ୍ଜାମ ସବୁ ହାତରେ ଧରି ଉଠି ରୋଷେଇ ଘରକୁ ଚାଲି ଗଲା ବେଳେ ଟିକିଏ ଆଗରୁ କବାଟ ଖୋଲି ଛିଡ଼ା ହୋଇଥିବା ଅରିଜିତ ଓ ସ୍ମରିତାଙ୍କ ମଧ୍ୟରୁ ସ୍ମରିତା କହି ଉଠିଲା...

"ମଟର ପନିର ତିଆରି କରୁଛ ମାଆ.??? ମତେ ବାସିଲା ବୋଲି ମୁଁ ଚାଲି ଆସିଲି। "


ସ୍ମରିତା ପାଟି ଶୁଣି ମୁହଁରେ ଗୋଟିଏ ହସ ଖେଳିଗଲା ଗୀତାଙ୍କର।ସେ ପଛକୁ ବୁଲି କହିଲେ, 

" ଆରେ ଏବେ ତୋରି କଥା ଭାବୁଥିଲି ଆଉ ତୁ ପହଞ୍ଚିଗଲୁ।ହେଲେ ଦୁଇ ଦିନରେ ଚାଲି ଆସିଲୁ।ଘରେ ଆଉ ଟିକିଏ ରହି ଥାଆନ୍ତୁ ନା ବିଦେଶ ଯିବା ଆଗରୁ।"


ସ୍ମରିତା ବ୍ୟାଗ୍ ଫୋପାଡି ଦେଇ ଗୀତାଙ୍କୁ କୁଣ୍ଢାଇ ପକାଇ କହିଲା,

"ମନ ଲାଗିଲା ନାହିଁ ସେଠି।ତମେ ସାଙ୍ଗରେ ଚାଲ ସପ୍ତାହେ ରହିବା।"

ସବୁ କଥା ଶୁଣି ଅରିଜିତ ଏବେ ନିଜକୁ ଅଟକେଇ ନପାରି କହିଲା,"ସବୁବେଳେ ଖାଲି ସ୍ମରୁ ପ୍ରିୟ ଜିନିଷ ମୋର ଆଉ ବାପାଙ୍କର କଣ ମନ ନାହିଁ"?? 

ଏହାଶୁଣି ସମସ୍ତେ ହସି ଉଠିଲେ। ଆଜି କିନ୍ତୁ ଗୀତା ଲକ୍ଷ୍ୟ କରୁଥିଲେ ଶଙ୍କରଙ୍କ ହସ ଭିନ୍ନ ଥିଲା ଯେଉଁଥିରେ ନଥିଲା କିଛି ଅହଂ,ଗର୍ବ କିମ୍ବା ମୂରବୀ ପଣିଆ।କେବଳ ଥିଲା ସ୍ନେହ,ପ୍ରେମ ଓ ପିଲାଙ୍କ ଖୁସିରେ ଖୁସି।ଗୀତା ମନରେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଥିଲେ।


ସମାପ୍ତ


Rate this content
Log in

Similar oriya story from Abstract