Ambuja Mohanty

Abstract Inspirational

3  

Ambuja Mohanty

Abstract Inspirational

ଅନ୍ୟାୟ ଉପରେ ନ୍ୟାୟର ବିଜୟ,ଦଶହରା

ଅନ୍ୟାୟ ଉପରେ ନ୍ୟାୟର ବିଜୟ,ଦଶହରା

5 mins
109



ଦଶହରା ବା ଦୁର୍ଗାପୂଜା ସମଗ୍ର ଭାରତ ବାସୀଙ୍କ ପାଇଁ ଏକ ହର୍ଷ ଉଲ୍ଲାସର ଦିନ।ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ଭାବରେ ଏହି ଦିନକୁ ଖୁବ୍ ଆଡ଼ମ୍ବରରେ ପାଳନ କରାଯାଏ। ଏତଦ ବ୍ୟତୀତ ନାରୀ ଶକ୍ତିର ଏକ ଅପୂର୍ବ ନିଦର୍ଶନ ହେଉଛି ଦଶହରା।


ଦେବୀ ନିତ୍ୟ ଅଟନ୍ତି, ତଥାପି ଯୁଗ ଯୁଗରେ କାର୍ଯ୍ୟର ଅନୁରୋଧରେ ତାଙ୍କର ଏହି ଅବତାର ଧାରଣ ହୋଇଥାଏ ।ସେହି ଭଳି ଏକ ଅବତାର ସ୍ଵୟଂ ମାତା ପାର୍ବତୀ ନେଇଥିଲେ ଯାହା ଥିଲା ମାଆ ଦୁର୍ଗାଙ୍କ ରୂପ। ମହିଷାସୁରର ଭୟଙ୍କର ପ୍ରାଦୁର୍ଭାବ ହେତୁ ଯେତେବେଳେ ତିନିପୁର ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର ଥରହର ହେଉଥିଲା । ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ । ଶେଷରେ ଦେବଗଣଙ୍କ ଶକ୍ତି ଓ ତେଜରୁ ଆବିର୍ଭାବ ହୋଇଥିଲେ ମା ଦୁର୍ଗା । ମହିଷାସୁରକୁ ବଧ କରି ଜଗତର ଦୁର୍ଗତି ନାଶ କରିଥିବାରୁ ତାଙ୍କ ନାମ ହୋଇଥିଲା ଦୁର୍ଗା, ଦୁର୍ଗତିନାଶିନୀ, ମହିଷାସୁର ମର୍ଦ୍ଦିନୀ ।


ଦେବୀ ଭାଗବତ ପୁରାଣ ଅନୁଯାୟୀ ରମ୍ଭ ନାମକ ଏକ ଅସୁର ଅଗ୍ନିଦେବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ଏକ ପୁତ୍ର ପ୍ରାପ୍ତ ହୋଇଥିଲା । ରମ୍ଭ ଦନୁର ପୁତ୍ର ଥିଲା । ଦନୁର ପୁତ୍ର ଦାନବ ଭାବରେ ପରିଚିତ । ରମ୍ଭର ଜଳରେ ରହୁଥିବା ମହିଷ ସହ ପ୍ରେମ ହୋଇ ଯାଇଥିଲା । ଉଭୟଙ୍କ ସଂଯୋଗରୁ ମହିଷାସୁର ଜନ୍ମ ହୋଇଥିଲା । ବରଦାନ ପ୍ରଭାବରୁ ଏହି ଅସୁର ନିଜ ଇଚ୍ଛା ମୁତାବକ ମଣିଷ କିମ୍ବା ମଇଁଷି ରୂପ ଧାରଣ କରିପାରୁଥିଲା ।ବ୍ରହ୍ମାଙ୍କୁ ତପସ୍ୟା କରି ଏହି ଅସୁର ବରଦାନ ପାଇଥିଲା ଯେ, କେବଳ କୌଣସି ଜଣେ ବିବସ୍ତ୍ରା ନାରୀ ହାତରେ ମୃତ୍ୟୁ ଲଭିବାକୁ। କିନ୍ତୁ ସେ ଭାବିଥିଲା କି କୌଣସି ନାରୀ ନିଜ ଲଜ୍ଜା ତ୍ୟଜି ବିବସ୍ତ୍ରା ହେବ ନାହିଁ।ଏଣୁ ମହିଷାସୁର ଦେବତାଙ୍କ ଲାଗି ଅଜେୟ ଥିଲା ଓ ଅଖଣ୍ଡ ଶକ୍ତିର ଅଧିକାରୀ ଥିବାରୁ ଦେବଲୋକ ଉପରେ ଅଧିକାର ସାବ୍ୟସ୍ତ କରି ବସିଥିଲା । ମହିଷାସୁର ଶାସନରେ ମାନବଲୋକ ଠାରୁ ଦେବଲୋକ ପର୍ଯ୍ୟନ୍ତ ସମସ୍ତେ ଅତିଷ୍ଠ ଥିଲେ । ତେଣୁ ତାର ଗର୍ବ ଅସୁମାରୀ ଥିଲା।


ଏହିପରି ସ୍ଥିତିରେ ସମସ୍ତ ଦେବୀ ଦେବତା ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇ ମନ୍ତ୍ରଣା କରିଥିଲେ ଏହି ଦାନବର ବଧ କିଭଳି ହେବା କିଏ ଏହି ନାରୀ ଅଛନ୍ତି ଯେ ଲଜ୍ୟା ତେଜି ପ୍ରଚଣ୍ଡ ଶକ୍ତିଶାଳୀ ମହିଷାସୁରକୁ ବଧ କରିପାରିବ । ଏହାପରେ ବିଷ୍ଣୁ କହିଥିଲେ ଯଦି ସମସ୍ତ ଦେବତାଙ୍କ ତେଜରୁ , ସମସ୍ତଙ୍କ ଶକ୍ତିର ଅଂଶରୁ କୌଣସି ଏହି ସୁନ୍ଦରୀ ଦେବୀଙ୍କ ଉତ୍ପନ୍ନ କରାଯାଇ ପାରିବ ତେବେ ସେହି ବୀରା ନାରୀ ମାୟାବୀ ମହିଷାସୁରକୁ ହତ୍ୟା କରିପାରିବେ। ଭଗବତୀ ପରାଶକ୍ତିଙ୍କୁ ଆରାଧନା କରିବା ଲାଗି ନାରାୟଣ ସମସ୍ତ ଦେବତାଙ୍କୁ କହିଥିଲେ । ଏହାପରେ ବ୍ରହ୍ମାଙ୍କ ମୁଖରୁ ଅସହ୍ୟ ତେଜପୁଞ୍ଜ ନିସୃତ ହୋଇଥିଲା । ସୁନ୍ଦର ଆକୃତିର ଏହି ତେଜ ଲାଲ ରଙ୍ଗର ଥିଲା । ଏହାପରେ ଭଗବାନ ଶିବଙ୍କ ଶରୀରରୁ ମହାପ୍ରଚଣ୍ଡ ତେଜ ନିର୍ଗତ ହୋଇଥିଲା ।ଛାଡି ବିଭିନ୍ନ ଭୟଙ୍କର ରୂପ ଧାରଣ କରି ମାଙ୍କୁ ଆକ୍ରମଣ କରୁଥିଲା । ଭଗବତୀ ପ୍ରଚଣ୍ଡ କ୍ରୋଧରେ ଶେଷରେ ନିଜ ତ୍ରିଶୂଳରେ ତାର ହୃଦୟକୁ ବିଦ୍ଧ କରିଥିଲେ ଓ ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ।ତେଣୁ ତାର ପ୍ରକୃତ ସ୍ୱରୂପ ବାହାରକୁ ଆସିବା ସହିତ ଅନ୍ତ ମଧ୍ୟ ଘଟିଲା।


ଦେବୀ ଓ ମହିଷାସୁର ମଧ୍ୟରେ ନଅ ଦିନ ଧରି ଏହି ମହାଯୁଦ୍ଧ ହୋଇଥିଲା । ନିଜର ଅନ୍ତ ସମୟରେ ମହିଷାସୁର ମା ଦୁର୍ଗାଙ୍କ ଶକ୍ତି ବିଷୟରେ ଜାଣିପାରିଲା ଓ ଶେଷରେ ଦେବୀଙ୍କୁ ପ୍ରାର୍ଥନା କରିଥିଲା, "ହେ ମାତା ଆପଣଙ୍କ ହାତରେ ମୋର ବଧ ହୋଇଛି ଓ ମୋତେ ମୁକ୍ତି ମିଳିଯାଇଛି । ମୁଁ ଆପଣଙ୍କର ଶରଣାଗତ । ମୋର ଉଦ୍ଧାର ଲାଗି ଆପଣ କିଛି ଉପାୟ କରନ୍ତୁ । "

ଏହାପରେ ମାତାଙ୍କ କରୁଣା ଦୃଷ୍ଟି ତା ଉପରେ ପଡିଥିଲା ଓ ମା ବରଦାନ ଦେଇଥିଲେ ମୋ ହାତରେ ତୁମର ଅନ୍ତ ହୋଇ ତୁମକୁ ମୋର କରୁଣା ପ୍ରାପ୍ତ ହୋଇଛି ।ତେଣୁ ମର୍ତ୍ତ୍ୟଲୋକରେ ମୋ ସହ ତୁମର ବି ପୂଜା ହେବ । ଏହି କାରଣରୁ ମାତାଙ୍କ ସହିତ ମହିଷାସୁରର ମୂର୍ତ୍ତି ନିର୍ମାଣ କରାଯାଇ ନଅ ଦିନ ପର୍ଯ୍ୟନ୍ତ ପୂଜା କରାଯାଏ।


ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ।


ତା ସହିତ ପୁରାଣ ବା କିମ୍ବଦନ୍ତୀ ମଧ୍ୟ କୁହେ ଅର୍ଜୁନ ମହାଭାରତ ଯୁଦ୍ଧ ଆରମ୍ଭ ପୂର୍ବରୁ ମାଆ ଦୁର୍ଗାଙ୍କ ସ୍ତବ (ଦୁର୍ଗା ସ୍ତୋତ୍ର) ପଠନ କରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ ଯାହା ତାଙ୍କୁ ବିଜୟ ହେବା ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇଥିଲେ।


ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । 


ତେବେ ସମଗ୍ର ଭାରତ ଭଳି ଓଡ଼ିଆ ମାନଙ୍କ ଦଶହରା ପାଳନ ଶୈଳୀ ମଧ୍ୟ ନିଆରା। ଓଡ଼ିଆ ମାନଙ୍କ ଦଶହରା ପ୍ରସ୍ତୁତି ପର୍ବ ଆଶ୍ୱିନ ମାସ ଆରମ୍ଭରୁ ହୋଇ ଯାଇଥିଲେ ହେଁ ପ୍ରକୃତ ପୂଜା ଷଷ୍ଠୀ ଠାରୁ ଆରମ୍ଭ ହୁଏ।ଷଷ୍ଠୀ ପୂର୍ବରୁ ସମସ୍ତ ଘର, ଅଗଣା ଆଦି ସ୍ୱଚ୍ଛ କରାଯାଇ ଥାଏ।


ଷଷ୍ଠୀ ପୂଜା:ଏହି ଦିନକୁ ଅଧିବାସ, ବିଲ୍ୱବରଣ ବୋଲି କୁହାଯାଏ।ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମାର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ ।

ଘରେ ଘରେ ଢାଉ ରେ ସୁନ୍ଦର୍ ଫୁଲ ମାନ ଅଙ୍କା ଯାଇଥାଏ ମାଆଙ୍କ ସ୍ବାଗତ ଉଦ୍ଦେଶ୍ୟରେ।


ସପ୍ତମୀ: ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି ଅଛି। ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ । 

ଚଣ୍ଡିପାଠହୋମ: ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଏ ।ବିଭିନ୍ନ ସ୍ଥାନରେ ଏହି ସପ୍ତମୀ ଦିନ ଦଶହରା ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ,ଲେଖନ ଆଦି ବିଭିନ୍ନ ପାରମ୍ପରିକ ଯନ୍ତ୍ର ଓ ଉପକରଣ ଆଦି ପୂଜା କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ, ଲେଖନ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ


ମହା ଅଷ୍ଟମୀ: ମହା ଅଷ୍ଟମୀରେ ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହିଦିନ ସମସ୍ତେ ନାନା ପ୍ରକାର ମିଷ୍ଟାନ୍ନ ଓ ଫଳ ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।


ନବମୀ:ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀଦିନ ‘ବିଲ୍ୱାଧିବାସ’ କଲେ ଶ୍ରୀରାମଚନ୍ଦ୍ର । ଷଷ୍ଠୀପରେ ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନି । ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ । ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ(୨୪ ୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍‌ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ । ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି।


ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ବିଶେଷ ଭାବରେ ପ୍ରକାଶିତ । ତନ୍ତ୍ରମତେ ଷୋହଳ ବର୍ଷ ପର୍ଯ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ । ଯେତେଦିନ ପର୍ଯ୍ୟନ୍ତ କନ୍ୟା ଋତୁମତୀ ନ ହୁଅନ୍ତି ସେତେଦିନ ପର୍ଯ୍ୟନ୍ତ ‘କୁମାରୀ’ ତାହା କୁସୁମପରି ପବିତ୍ର । ତେଣୁ ସେତେଦିନ ପର୍ଯ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ ।


ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ । କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା। ଏତଦବ୍ୟତୀତ ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।ଏହିଦିନ ଦେବୀ ପୀଠ ମାନଙ୍କରେ ବିଶ୍ରାମ ଥାଏ।


ଦଶମୀ: ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନାର ପର୍ବ। ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ଓ ନାନା ଜାତି ବ୍ୟଞ୍ଜନ ହୁଏ।


ତେବେ ଦଶହରା ହେଉଛି,ଅଭିମାନ,ଗର୍ବ, ଅହଂ ଉପରେ ବିଜୟର ପ୍ରତୀକ।ଏହା ଛଡ଼ା ନାରୀ ଶାନ୍ତ,କୋମଳ ହେବା ସହିତ ଆବଶ୍ୟକ ସ୍ଥଳେ ଦୁର୍ଗାଙ୍କ ରୂପ ଧାରଣ ମଧ୍ୟ କରି ଶତ୍ରୁ ସଂହାର ମଧ୍ୟ କରିପାରେ ତାହାର ଚମତ୍କାର ନିର୍ଦ୍ଦେଶନର ପର୍ବ ହେଉଛି ଦଶହରା।


ସମାପ୍ତ




Rate this content
Log in

Similar oriya story from Abstract