Shaktiprava Mishra

Romance Tragedy

3.6  

Shaktiprava Mishra

Romance Tragedy

ଦଂଶନ

ଦଂଶନ

9 mins
385



ସୁଗନ୍ଧାର ହାତକୁ ଧରି ଅଭିଜିତ୍ ଗଛ ଚାରିପଟେ ଘେରାଟେ ବୁଲିଗଲା । ଗଛ ମୂଳରେ ଘାସର ଗାଲିଚା ଉପରେ ତାକୁ ବସେଇ ତା ଦେହକୁ ଲାଗି ଏମିତି ବସିଗଲା ଯେମିତି ତା ଖର ନିଃଶ୍ୱାସରେ କୁଆଁରୀ ସୁଗନ୍ଧାର ମନତଳେ ଜମାଟ ବାନ୍ଧି ବରଫ ପାଲଟିଥିବା ଇଚ୍ଛା ସବୁ ତରଳିଯିବାକୁ ବେଶି ଡେରି ଲାଗିବନି । ଅପରାହ୍ନ ଆକାଶରୁ ବିଛୁରିତ ହୋଇ ପଡ଼ୁଥିବା ସୁର୍ଯ୍ୟଂକର ରକ୍ତିମ ଆଭାର କିରଣ ପାର୍କରେ ଫୁଟିଥିବା ଭଳିକି ଭଳି ଫୁଲମାନଂକର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିବା ବେଳେ ସୁଗନ୍ଧାର ଗୋରା ଗାଲରେ ଉଷ୍ଣ ଚୁମ୍ବନଟିଏ ଦେଇ ଅଭିଜିତ କହିଲା, ବିଶ୍ୱାସ କର ସୁଗନ୍ଧା ତୁମଠୁ ଦୂରରେ ରହିଥିବା ଏଇ ଗୋଟିଏ ମାସ ମୋତେ ଗୋଟାଏ ଯୁଗ ଭଳି ମନେହୋଇଛି । ଶୟନେ, ସ୍ୱପନେ, ଜାଗରଣେ କେବଳ ତୁମେ ହିଁ ତୁମେ ମୋ ମନ ଇଲାକାକୁ ଅଧିକୃତ କରିବସିଛ । ଏମିତି ଯେ ଆଉ କେହି ସେ ରାଇଜରେ ପ୍ରବେଶ କରିବା ଅନ୍ତତଃ ଏ ଜନ୍ମରେ ତ କେବେ ସମ୍ଭବ ହେବନାହିଁ ।        ସୁଗନ୍ଧା ଲାଜେଇ ଯାଇ ଖୁସିର ହସଟିଏ ହସିଥିଲା । ବାମ ହାତରେ ପଛପଟୁ ସୁଗନ୍ଧାର ଅଂଟାକୁ ଜାବୁଡିଧରି ତା ଜଂଘ ଉପରେ ନିଜର ଡାହାଣ ହାତ ଚଳାଉଥିବା ବେଳେ ଅଭିଜିତର ଖର ନିଶ୍ୱାସ ସୁଗନ୍ଧାର ଗାଲ ଛୁଇଁ ବେଳକୁ ବେଳ ତାକୁ ଆହୁରି ରୋମାନ୍ଚିତ କରାଉଥିଲା । ଡାହାଣ ହାତଟି ଧିରେ ଧିରେ ଉପରକୁ ଉଠାଇ ସାଲୁଆର ଉପରେ ବିଛେଇ ପଡିଥିବା କାମିଜ୍ ଭିତରକୁ ଏମିତି ପ୍ରବେଶ କରିବାକୁ ଯାଉଥିଲା ଯେମିତି ସାପଟିଏ ଲହରେଇ ଲହରେଇ ସାପୁଆ କେଳାର ସାପଦାନି ଭିତରେ ପଶିଯାଏ ।ଅଭିଜିତ୍ ତା ମୁହଁକୁ ସୁଗନ୍ଧାର ମୁହଁ ପାଖକୁ ନେଇ ତା ଓଠରେ ଉଷ୍ଣ ଚୁମ୍ବନଟିଏ ଦେବାବେଳେ ଭାବପ୍ରବଣ ହୋଇ ସୁଗନ୍ଧାବି ସଂପୂର୍ଣ୍ଣ ଅଜାଡି ହୋଇପଡିଲା ଅଭିଜିତର ଦେହ ଉପରେ ଯେମିତି ରଞ୍ଜାଟିଏ ଉପରେ ଲାଉଡଙ୍କ ଲୋଟେଇପଡେ ।

                ଓଃ କି ଆନନ୍ଦ ! ଅଭିଜିତ୍ ଏବେ ନିଃସଙ୍କୋଚରେ ହାତକୁ ଉପରକୁ ଉଠାଇବାକୁ ଚେଷ୍ଟା ଚଳାଇଲା । ସୁଗନ୍ଧା ନିଜର ଡାହାଣ ହାତକୁ ଅଭିଜିତର ହାତ ଉପରେ ଚାପିରଖି ତା ଓଠ ପାଖରୁ ଘୁଂଚିଗଲା ଟିକେ ଦୂରକୁ । ଲାଜକୁଳୀ ଲତାଭଳି ଲୋଚାକୋଚା ପାଲଟି ଯାଉଥିବା ବେଳେ ଅତି ନରମ ଗଳାରେ କହିଥିଲା, ଅଭି, ହେଇଟି ଦେଖ ନା ..ଦୂରରେ କେତେ ସୁନ୍ଦର ପକ୍ଷୀଟିଏ ଗଛ ଡ଼ାଳରେ କେମିତି ଫକରଫକର ହୋଇ ଡ଼େଉଁଛି ଆଉ କେତେ ମନମତାଣିଆ ସ୍ୱର କରୁଛି ଆମପାଇଁ ।                           ଧେତ୍.....ତମକୁ କିଛି ଜଣାନାହିଁ । ସେ କଣ ଆମପାଇଁ ଗୀତ ଗାଉଛି ? ତା ସାଥୀକୁ ଡ଼ାକୁଛି ଏମିତି ଶବ୍ଦ କରି । ପକ୍ଷୀଟା ଏମିତି କି ସୁନ୍ଦର ହେଇଛି ମ ! ତୁମ ଆଗରେ ମୋତେ ତ ଆଉ କେହି ସୁନ୍ଦର ଦେଖାଯାଉନାହାନ୍ତି ! ସୁଗନ୍ଧା ଲାଜେଇଯାଇ କହିଲା , ତମର ଯୋଉ କଥା ନା ! ହେଇଟି ଦେଖ ସାଥୀ ପକ୍ଷୀଟି ତା ପାଖକୁ ଆସିଗଲା । ତୁମେ ସତ କହୁଥିଲ   ଏମାନଂକର ଖୁବ ମଜା ନା ! ଦେଖୁନ କାହାରିକୁ ଡ଼ର ଅଛି ତାଂକର । ଖୋଲାରେ ସେମାନେ କେମିତି...... ଆମେ ମଣିଷ ମାନେ କାହିଁକି ସମସ୍ତଂକୁ ଡ଼ରିବା ? ଏଇ ପକ୍ଷୀଯୁଗଳଂକ ପରି ଆମେ ଦୁହେଁ ବି ଆଜି ପରସ୍ପରକୁ ପ୍ରେମରେ ବତୁରେଇଦେବା । ଅବିନାଶ ସୁଗନ୍ଧାର ମୁହଁକୁ ତା ଆଡ଼କୁ ଟାଣିଆଣି ତା ଦୁଇ ଓଠରେ ଟାଣୁଆ ଚୁମ୍ବନଟିଏ ଆଂକିଦେଇଥିଲା । ସୁଗନ୍ଧା ତଳକୁ ମୁହଁପୋତି କହିଲା ,ଅଭିଜିତ ,ଏଇଟା ଖୋଲା ପାର୍କଟା । କିଏ ଯଦି ମୋତେ ଏଠି ଏମିତି ଅବସ୍ଥାରେ ଦେଖିନେବ ଭାବିପାରୁଛ ତ କଣ ହେବ ମୋର ଅବସ୍ଥା ! ମୁଁ ଝିଅଟିଏ ଅବିନାଶ                     ଆରେ ହଁ..... ମୁଁ ବି ନା ......ସେ ପକ୍ଷୀ ଭଳି ତୁମକୁ ଦେଖିଲେ.... ଏତେ ଦିନ ପରେ ଦେଖୁଛି ତ ! ହୋସ୍ ଆଉ କେଉଁଠି ରହୁଛି ଯେ ? ଆଛା, ତୁମ ଖବର ସବୁ ଭଲ ତ ? ଘରକୁ ଯାଇଥିଲ ପରା ? ତୁମ ବଡ଼ଭଉଣୀ ବାହାଘର ଭଲରେ ଭଲରେ ହୋଇଗଲା ନା ! ଏବେ ତାହେଲେ ଆମ ରାସ୍ତା ଖୋଲା । ମୁଁ ବି ବେଶୀଦିନ ତୁମ ବିନା ରହିପାରିବିନି ଆଉ !ଘରେ ପଚାରିଲେ ଏଥର କହିଦେବ ମୋ କଥା ।              -ଆରେ ତୁମକୁ ତ କହିବାକୁ ମୁଁ ପୁରା ଭୁଲିଯାଇଛି । ଅପା ବାହାଘର ବରଯାତ୍ରୀ ରେ ଗୋଟେ ପିଲା ତ ମୋ ପିଛା ପଡ଼ିଗଲା । ଖାଲି କହିଲା , ମୁଁ ତମକୁ ବାହାହେବି ।

     ତମେ ଏତେ ସୁନ୍ଦର ଯେ !

     ଆଉ କିଛି ନା ! ବୁଝିଲ ସେ ପିଲା ଲସଆନ୍ଜେଲସରେ ଜବ କରେ ।ଇଞ୍ଜିନିଅର ତ ତାକୁ ଗୋଟେ ଇଣ୍ଡିଆନ ସାଇନସ ଗ୍ରାଜୁଏଟ ଦରକାର ଥିଲା । ଗୋଟେ ରାତିରେ ସେ ଆମ ଘର ଲୋକଂକୁ ମନେଇଦେଲା । ଏମିତିକି ମୋ ଭାଇଂକୁ ବି । ସେ ବି ମୋତେ କହିଲେ ଦେଖେ ମା, ତୁ ଭାବେ ...ପ୍ରସ୍ତାବ କିନ୍ତୁ ମନ୍ଦ ନୁହେଁ ।        ତମେ କଣ ଭାବିଲ ?

                  ତୁମେ ତ ଜାଣିଛ ମୋ ଜୀବନରେ ମୁଁ ତୁମ ଛଡ଼ା ଆଉ କେଉଁ ପୁରୁଷ କଥା ଚିନ୍ତା କରି ପାରିବିନି । ଭାଇଂକୁ କହିଦେଲି ଏବେ ମୁଁ ବାହାହେବିନି । ଆଗ ମୋର ପଢ଼ା ସରୁ ଭାଇ ......ତୁମ ବଡ଼ଭାଇ ? ହଁ ! ....କଣ ହେଲା କି ?

  ଆରେ ନା--- ନା । ସେଦିନର କଥାଟା ମନେପଡିଗଲା ତ !

  କେଉଁ କଥା ?ମୁଁ ବି ତୁମକୁ କହିଛି କେଉଁଠି ?ତୁମେ ତ ଅପାର ବାହାଘର କହି ତମ ଜାଗାକୁ ପଳେଇଲ ଆଉ ମୁଁ ଗଲି ବାଂଗାଲୋର । ପୂର୍ବଥର ତୁମକୁ ବସରେ ବସେଇଲା ବେଳେ ଆଉ ଗୋଟିଏ ବସରେ ତୁମ ଭାଉଜଙ୍କର ସାଙ୍ଗ ବସିଥିଲେ । ଆମ ଦୁଇଜଣଙ୍କୁ ଦେଖି ହସିଦେଲେ ।ମୁଁ ତ ଭାବିଲି ସେ ତୁମ ଭାଇଙ୍କ ଆଗେ ଆମ କଥା ନିଶ୍ଚୟ କହିଦେବେ । ସତକୁ ସତ ସେଇଆ ହେଲା ।

     କଣ ସବୁ କହିଯାଉଛ ତୁମେ ? ଆର୍ ଇଉ ମ୍ୟାଡ୍ ?

ସତ କହୁଛି ସୁଗନ୍ଧା । ଆଇ ସ୍ୱେର । ତୁମ ଭାଇ ତା ପରଦିନ ମୋ ପାଖକୁ ଫୋନ୍ କରିଥିଲେ ତମର ମନେଥିବ ଥରେ ଅଫିସ କାମ ପାଇଁ ମୁଁ ତୁମ ଭାଇଂକ ନମ୍ବର ଆଣି ସେଭ କରିଥିଲି । ତାଙ୍କ ନଂ ଟା ଦେଖି ମୋର ତ ତଂଟି ଶୁଖିଗଲା । ଆଗ ତ ଭାବଲି ଫୋନ୍ ଧରିବିନି । କୁଆଡ଼ୁ କଣ ପଚାରି ମୋତେ ଜଦି ଗାଳିଗୁଲଜ କରିବେ ତେବେ ମୋ ପାଟିରୁ କିଛି ବି ବାହାରିଯିବ । ତମକୁ ମୁଁ ଭଲପାଉଛି ସୁଗନ୍ଧା । ତୁମ ଭାଇଂକୁ ଅପମାନିତ କରିବା ଅର୍ଥ ତୁମକୁ କଷ୍ଟ ଦେବା ଭାବି ଚୁପ ବସିଗଲି । କିନ୍ତୁ ଅଫିସ ଭିତରେ ବାରମ୍ବାର କଲ ଆସିବାରୁ ଅନ୍ୟ ଷ୍ଟାଫମାନେ ମୋ ଆଡ଼କୁ ଚାହିଁଲେ। ବାଧ୍ୟହେଇ ଫୋନ୍ ଧରିଲି ଭାଇ ତୁମକୁ କଣ କହିଲେ ?

ଗାଳିଦେଲେ । ଧମକ ବି ଦେଲେ ।

ସେ ସେମିତିଆ ଲୋକ । ରାଗିଲେ କିଛି ବି କରିଦେବେ । ସେଥିପାଇଁ ତ ମୁଁ ତାଂକୁ ପ୍ରାଣରେ ଡ଼ରେ । ତମ କଥା ଶୁଣି ମୋ ଛାତି ଧଡ଼ଧଡ଼ ହେଲାଣି । କୁହ ନାଁ ଭାଇ କଣ କହିଲେ ତୁମକୁସେ ସବୁ ଶୁଣିଲେ ତୁମ ମନ କଷ୍ଟ ହେବ । ଶିବ ଗରଳ ପିଇଲା ଭଳି ମୁଁ ତାଙ୍କର ସବୁ କଥାକୁ ହଜମ କରିନେଲି । ଭଲ ତ ପାଉଛି ମୁଁ !

ସୁଗନ୍ଧା ମୁଣ୍ଡରେ ହାତ ଦେଇ ବସିପଡ଼ିଲା ।କହିଲା ହେ ପ୍ରଭୁ !      କିନ୍ତୁ ତାଂକର କିଛି ଭୂଲ ନାହିଁ ସୁଗନ୍ଧା ।ବଡ଼ଭାଇ ହିସାବରେ ସେ ତ ଜାଣିବାକୁ ଚାହିଁବେ ପିଲାଟି ତାଂକ ଭଉଣୀକୁ ପ୍ରକୃତରେ ଭଲ ପାଉଛି ନା ତା ସହିତ ଟାଇମପାସ କରୁଛି ।

        ସୁଗନ୍ଧା ମୁହଁ ଶୁଖେଇ କହିଲା ,ଆଈ ଆମ ସରି ଅଭିଜିତ ।ଭାଇଂକ ପାଇଁ ମୁଁ ଭୂଲ ମାଗିନେଉଛି । ତମେ ଜାଣିଛ ମୁଁ ତ ତୁମର । ଦିନ ଆସିବ ସେଇ ଭାଇ ତମକୁ ପାଛୋଟିଆଣି ତାଂକ ଭଉଣୀର ହାତ ତୁମ ହାତରେ ଦେଇଦେବେ ।

 ହେଃ.... ହେଃ..... ହେଃ । ହେଃ....ହେଃ....ହେଃ । ଆରେ ଏମିତି ହସୁଛ ଯେ ! କହୁନ କଣହେଲା ?

       ହସିବିନି ତ ଆଉ କଣ ! ତୁମ ଭାଇ ଆମ ସୋ ରୁମରୁ କାର୍ କିଣିବା ପାଇଁ ମୋ ପାଖକୁ ଫୋନ୍ କରିଥିଲେ । କଥା ହେବାରୁ ଜାଣିଲି ଅଫିସରେ କିଏ ତାଙ୍କୁ ମୋ ନଂଟା ଦେଇଛି । ଥ୍ୟାଙ୍କ୍ ଗଡ୍ । ମୁଁ ଗୋଟାଏ ନିଶ୍ଚିତ ବିପତ୍ତିରୁ ସେଦିନ ବର୍ତ୍ତି ଯାଇଥିଲି । ମୋର କିନ୍ତୁ ସନ୍ଦେହ ସେ କେଉଁଠୁ ଆମ ସଂପର୍କ ବିଷୟରେ ଜାଣିପାରି ଫୋନ କରିଥିଲେ ମୋ ପାଖକୁ । ଗାଡ଼ି କିଣିବା କେବଳ ବାହାନା । ତୁମେ ସତ କୁହ, କିଛି ଅସୁବିଧାକୁ ସାମନା କରିନ ତ ତୁମେ । ନା-ନା ସେମିତି କିଛି ତ ହୋଇନି ।      ପାର୍କ ଭିତରେ ସୁର୍ଯ୍ୟ ତାଂକର ନାଲିଆଖି ପହଁରେଇବା ଶେଷ କରି ପୁଣିଥରେ ପଶ୍ଚିମ ଆକାଶରେ ଶୋଇଯିବାକୁ ଉଦ୍ୟମ କରୁଥିଲେ । ହାଲକା ଅନ୍ଧାର ଭିତରେ ଗଛପତ୍ର , ଫୁଲରାଜି ସବୁ ଝାପସା ଦେଖାଯିବାକୁ ଆରମ୍ଭ କରିଲେ ।ଅଭିଜିତ୍ ମଉକା ଦେଖି ପୁଣିଥରେ ସୁଗନ୍ଧାକୁ ପାଖକୁ ଟାଣିଆଣି ତା ତାଳୁ, ତଳିପା,ଓଠ, କଣ୍ଠ ଯେଉଁଠି ପାରିଲା ଚୁମ୍ବନ ଦେଇଚାଲିଲା । ଭୟହୀନ ଆବେଗରେ ସୁଗନ୍ଧା ଲୋଟିପଡିଥିଲା ଅଭିଜିତ୍ର ଛାତିରେ ।ଦୁହେଁ ଦୁହିଁଙ୍କୁ ଜାବୁଡି ଧରିଲେ ପରମ ଆଲିଙ୍ଗନରେ ।

     ଅଭିଜିତ୍ ପଚାରିଥିଲା, ଆଜି ହଷ୍ଟେଲ ନ ଗଲେ ଚଳିବ ?

      ମୁଁ ଜାଣିଛି ତୁମେ ଆଗ ସବଉଏ ରେ ପିଜା ଅର୍ଡର କରିବ, ସିସିଡିରେ କଫି ପିଆଇବ ଆଉ ତାପରେ ସିଧା......... । ପୁଣିଥରେ ଚଗଲାମି ଆରମ୍ଭ କଲଣି ତୁମେ । ଏମିତି ଫୁସୁଲେଇ ମୋତେ ସବୁବେଳେ…........ । ତୁମକୁ ଲାଗୁନି ଆମେ ଟିକେ ସୀମା ଟପିଯାଉଛେ । ତୁମ ମୋ ଭିତରେ କିଛି ବି ବାଧା ନ ରହୁ ଏକଥା ମୁଁ ଚାହେଁ । ଏମିତି ଗଛମୂଳେ, ବୁଦା ଆଢ଼ୁଆଳରେ ଲୁଚି ଲୁଚି ଅଧା ଅଧା ପ୍ରେମ କରିବାରେ ତୃପ୍ତି ମିଳୁନି । ପ୍ଲିଜ୍....ଆଜି ଗୋଟିଏ ରାତି ତୁମେ ମୋ ସହିତ କାଟିବାକୁ ମନା କରନି ।    ସୁଗନ୍ଧା ମୁଣ୍ଡ ଟୁଙ୍ଗାରି ତାର ଅସମ୍ମତି ଜଣାଇଥିଲା ।

     ଅଭିଜିତ୍ କହିଲା, ସୁଗନ୍ଧା ତୁମେ ତାହେଲେ ମୋ ଉପରେ ବିଶ୍ୱାସ ରଖୁନ ? ତୁମ ଇଚ୍ଛା ବିରୁଦ୍ଧରେ ମୁଁ କିଛି କରିବିନି ।କିନ୍ତୁ ତୁମେ ଏକଥା ଭୁଲିଯିବା ଉଚିତ୍ ନୁହେଁ ଯେ ଆମେ ଦୁହେଁ ପରସ୍ପର ପାଇଁ ଜନ୍ମ ହୋଇଛେ । ଇହକାଳ ପରକାଳ ପାଇଁ ଆମେ ଜଣେ ଆଉଜଣଙ୍କର ହୋଇ ରହିବା । କିନ୍ତୁ ବିବାହ ପୂର୍ବରୁ ଏମିତି ............. ।

  ଦେଖ ସୁଗନ୍ଧା ତୁମର ଆହୁରି ପାଠପଢ଼ା ବାକି ଅଛି । ମୁଁ ଅଳ୍ପଦିନ ଭିତରେ ଆମେରିକା ଯାଉଛି ଯେ ପୁଣି ଆସିବି ଦୁଇବର୍ଷ ପରେ । ବିବାହ ପୂର୍ବରୁ ଜୀବନର ପୂର୍ଣ୍ଣତାକୁ ଉପଭୋଗ କରିବା କଣ ପାପ ? ଆମେ ଦୁହେଁ ଯଦି ପରସ୍ପର ପ୍ରତି ପୂର୍ଣ୍ଣମାତ୍ରାରେ ସର୍ମପିତ ହେବାନି ତେବେ ଆମର ଏଇ ସଂପର୍କ ମଜଭୂତ ହେବ କେମିତି ? କିନ୍ତୁ ଯଦି କିଛି ଅଘଟଣ ଘଟିଗଲା ?

    ନାଁ ,ତୁମ ଚିନ୍ତା ମୁଁ କରୁଛି ସୁଗନ୍ଧା ।

ତୁମେ କଣ ଭାବୁଛ ତୁମକୁ ଅସୁବିଧାରେ ପକେଇ ମୁଁ ଶାନ୍ତିରେ ରହିପାରିବି? ମୁଁ ବୁଝିପାରୁଛି ଏମିତି ସଂପର୍କକୁ ନେଇ ଆମ ସମାଜର ଲୋକମାନଙ୍କ ଭିତରେ ସାମାନ୍ୟ ଟିକିଏ ବି ସଚେତନତା ନାହିଁ ? ଜୀବନର ମୌଳିକ ସୁଖରୁ ନିଜକୁ ବଂଚିତ କରି ରଖିବା କେତେଦୂର ଯୁକ୍ତିଯୁକ୍ତ କଥା କହିଲ ! ବାହାର ଦେଶମାନଙ୍କରେ ପୁଅ ଝିଅଙ୍କର ମିଳାମିଶାରେ ଏଭଳି ଦୂରତ୍ୱ ଦେଖାଯାଏ ନାହିଁ । ସେଠି ସମସ୍ତେ ମୁକ୍ତ ।

          ସୁଗନ୍ଧାର ହାତଧରି ତାକୁ ହୋଟେଲ୍କୁ ନେଇ ଆସିଥିଲା ଅଭିଜିତ୍ । ଦୁହେଁ ଖାଇବା ମଗେଇ ଥିଲେ । ଅଭିଜିତ୍ ହ୍ୱିସ୍କି ମଗେଇ ପିଇଲା । ସୁଗନ୍ଧା ମନା କରିବାରୁ ତା ପାଇଁ କୋଲ୍ଡ୍ ଡ୍ରିଙ୍କସ୍ ମଗେଇଲା । ଲାପଟପ ଖୋଲି ଅଭିଜିତ୍ ଦେଖାଇଥିଲା ନିଜର ଫଟୋ ସବୁ । ଦେଖିବାକୁ ସୁନ୍ଦର ହେଲେ ବି କେଉଁଠି କେମିତି ଫଟୋରେ ଅଲଗା ଦେଖାଯାଉଥିବାରୁ ସୁଗନ୍ଧା ଖୁବ୍ ହସିଥିଲା ସେଭଳି ଫଟୋକୁ ଦେଖି । ବେଳେବେଳେ କମେଂଟ ମାରୁଥିଲା ତା ପୋଷାକ ଆଉ ଢ଼ଙ୍ଗ ପାଇଁ । ଅଭିଜିତ୍ ଚିମୁଟି ଦେଉଥିଲା ସୁଗନ୍ଧାର ଗାଲକୁ ଆଉ ଦୁହେଁ ହସି ହସି ଲୋଟିପଡୁଥିଲେ ଜଣେ ଜଣକ ଉପରେ ।              ଦୁହିଁଙ୍କର ଉଷ୍ଣ ନିଶ୍ୱାସରେ ମନ ତଳର ଇଚ୍ଛାରୂପୀ ବରଫ ତରଳିବାକୁ ଆରମ୍ଭ କରିଥିଲା । ପରିବେଶର ଉତାପ ଶୀରା ପ୍ରଶୀରାର ଉଷ୍ଣ ରକ୍ତକୁ କ୍ଷିପ୍ର ଗତିରେ ପ୍ରବାହିତ ହେଲା । ହୃଦୟର ସ୍ପନ୍ଦନ ଆଉ ବାଡବତା ନ ମାନି ହୁଗୁଳେଇ ଦେଲା ସବୁ ବନ୍ଧନ । ସତେ ଯେମିତି ପ୍ରାପ୍ତିର ଦିଗଵଳୟ ପାଖରେ ମିଶିଯାଇ ଏକାକାର ହୋଇ ଯାଇଥିଲେ ଆକାଶ ଆଉ ପୃଥିବୀ । ଅନେକ ବେଳ ଯାଏଁ ସୁଖର ସମୁଦ୍ର ଦେହରେ ଡୁବମାରି ଭିଜିଥିଲେ ପ୍ରେମୀ ଯୁଗଳ ଦୁହେଁ ।

                କିଛିଦିନ ପରେ ଅଭିଜିତ୍ ପୁଣିଥରେ ଫୋନ୍ କରି ସୁଗନ୍ଧାକୁ କହିଥିଲା, ଆଉ କିଛିଟା ଦିନପରେ ମୁଁ ବାହାରକୁ ଚାଲିଯିବି । ଆଉ ଗୋଟିଏ ଥର ମୁଁ ତୁମ ସହିତ ମିଶିବାକୁ ଚାହୁଁଛି । ଯେମିତି ବି ହେଉ ଆମେ ମିଶୁଥିବା ହୋଟେଲକୁ ତୁମେ ଆସିଯାଅ । ଏତେଦିନ ତୁମକୁ ଛାଡି ମୁଁ କେମିତି ରହିବି ନିଜେ ଜାଣିପାରୁନାହିଁ । ସତ କହୁଛି ଇଚ୍ଛା ହେଉଛି ତୁମକୁ ସାଥିରେ ନେଇ ପଳେଇଯାଆନ୍ତି ! ସୁଗନ୍ଧା ଉତର ଦେଲା, ଅଭି, ମୋ ଅବସ୍ଥା ବି ସେଇଆ । ଆଜିକାଲି ମୋତେ ତୁମବିନା ଜମା ଭଲ ଲାଗୁନି । କଣ ହେଉଛି ମୋର ମୁଁ ଜାଣିନି କିନ୍ତୁ ପାଠ ପଢ଼ାରେ ଆଦୌ ମନ ଲାଗୁନି । ତୁମଠାରୁ ଦୂରରେ ରହିବା କଥା ଭାବି ମନଟା ଭାଙ୍ଗିପଡିବା ସଂଗେ ସଂଗେ ବହୁତ ଭୟ ବି ଲାଗୁଛି ।

- ଭୟ ? କଣ ପାଇଁ ? ମୋ ଉପରେ କଣ ତୁମର ଏଯାଏଁ ବିଶ୍ୱାସ ଆସିନି ?

- ବିଶ୍ୱାସ ରଖିଛି ବୋଲି ତ ସବୁ ଭୁଲି ......... । କିନ୍ତୁ ମୁଁ ତ ଝିଅଟିଏ..... ତୁମେ ଜାଣିଛ ......ଆଇ ମିନ୍ ........... ।

     ଶନିବାର ଦିନ କ୍ଲାସ ସାରି ତୁମେ ମୋ ପାଖକୁ ଚାଲିଆସ ।ଦେଖୁଛି ଏମିତି ସବୁ କଥା ଭାବି ଭାବି ତୁମର ମାନସିକ ସ୍ଥିତି ବିଗିଡିଯିବ । ଏ ସମୟର ଝିଅ ତୁମେ । ଏମିତି ଛୋଟ ଛୋଟ କଥାକୁ ଡରିଲେ ଚଳିବ? ଟିକେ ବ୍ରେଭ୍ ହେବାପାଇଁ ଚେଷ୍ଟାକର । ମୋ ସହିତ ଦେଶ ବିଦେଶ ବୁଲିବ ଯେତେବେଳେ ଏଇ ଋଢ଼ୀବାଦୀ ମାନସିକତାକୁ ତୁମକୁ ଫିଙ୍ଗିବାକୁ ପଡିବ ସୁଗନ୍ଧା ।            ବାୟାଣୀଙ୍କ ପରି ସୁଗନ୍ଧା ଧାଇଁ ଯାଇଥିଲା ଅଭିଜିତ ପାଖକୁ । ସେଦିନ ରାତିରେ ଅଭିଜିତର କଥା ମାନି ହ୍ୱିସ୍କି ପିଇଥିଲା । ଦୁହେଁ ମିଶି ଲାପଟପରେ କିଛି ଅଶ୍ଳୀଳ ଫଟୋ ଆଉ ଭିିଡିଓ ଦେଖିଥିଲେ । ସୁଗନ୍ଧାକୁ ଆଉ ଡର ଲାଗୁନଥିଲା । ଅଭିଜିତ୍ ନାଁ ର ଏକ ଶକ୍ତ ଛାତ ତଳେ ବିଶ୍ୱାସର ଘର ବନେଇ ସେ ନିଜକୁ ମଣିଥିଲା ସୁରକ୍ଷିତ । ତା ଦେହ ମନ ସବୁ ଅଭିଜିତର ବୋଲି ସେ ଧରିନେଇଥିଲା । ଅଭିଜିତର ଦେହରେ ଲୋଟିଯାଇ ମନକୁ ମନ କହିଥିଲା, ଏ ଫୁଲ ସଂପୂର୍ଣ୍ଣ ତୁମର । ସୁଗନ୍ଧାର ମଧୁ ଆଉ ସୁଗନ୍ଧକୁ ତୁମେ ଶୋଷିନେଇପାର ଅଥବା ତାକୁ ଦଳିଚକଟି ମନ୍ଥିଦେଇପାର । କିଛି ବି କରିପାର ତୁମେ ।

    ଏହାର ଠିକ୍ ଦୁଇଦିନ ପରେ ଅଭିଜିତ୍ ଏୟାରପୋର୍ଟରୁ ସୁଗନ୍ଧାକୁ ଜଣାଇଥିଲା ତାର ଆମେରିକା ଯିବା ଖବର ।

ଦୁଇମାସ ପରେ.............. ।

        ଗୋଟିଏ ଦିନ ପୁରା ସହର ପଡିଲା ଉଠିଲା ସୁଗନ୍ଧାର ଗୋଟିଏ ପୁରୁଷ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସାରିତ ହେବା ଖବରକୁ ନେଇ । ଇଣ୍ଟରନେଟରେ କିଏ ଦୃଶ୍ୟଟିକୁ ପୋଷ୍ଟ କରିଥିଲା । ନଗ୍ନ

ପୁରୁଷଟିକୁ ଦେଖି ସୁଗନ୍ଧା ତା ରୁମମେଟକୁ କହିଥିଲା, ଅଭିଜିତକୁ ମୁଁ ଖୁବ୍ ଭଲପାଏ । କିନ୍ତୁ ମୋ ସହିତ ଏ ଅଜଣା ପୁରୁଷଟି କିଏ ଯାହାକୁ ମୁଁ ଚିହ୍ନିନି କି ଜାଣିନି । ଏ ଫଟୋକୁ ଦେଖିବା ପରେ ମୋ ମନରେ ଅଭିଜିତ୍ ଉପରେ ସଂଦେହ ଆସୁଛି । ହ୍ୱିସ୍କିରେ କିଛି ମିଶାଇ ସେଦିନ ମୋ ସହିତ.......... ହଁ ..ସେଦିନ ରାତିର କିଛି କଥା ଯେ ମୋର ମନେ ନାହିଁ । ସକାଳୁ ନିଦ ଭାଙ୍ଗିବା ବେଳେ ତ ଅଭିଜିତ୍ ମୋ ପାଖରେ ଥିଲା । ତା'ହେଲେ କ'ଣ ........ଓ ମାଇଁ ଗଡ୍ ! ଅଭି କାଂଟ ଡୁ ଦିସ !ନୋ…

   ଆମେରିକାକୁ ଫୋନ ଲଗେଇଲା ସୁଗନ୍ଧା ଆଉ ଅଭିଜିତକୁ ପାଟିକରି କହୁଥିଲା ,ୟୁ ଆର ଏ ବାଷ୍ଟାର୍ଡ଼ …ଅଭି….ୟୁଆର…..

       ପରଦିନ ଲେଡିଜ୍ ହଷ୍ଟେଲର ଫ୍ୟାନରେ ଝୁଲି ସୁଗନ୍ଧା ଆତ୍ମହତ୍ୟା କରିବା ଘଟଣାଟି ସହରର ମୁଖ୍ୟ ଖବର ପାଲଟିଗଲା । ଆଉ ବର୍ଷଟିଏ ପରେ ଇଞ୍ଜିନିୟରଟିଏ ହୋଇ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇଥାନ୍ତା ଝିଅଟି । ଅଥଚ................ ।

        ପୋଷ୍ଟମର୍ଟମ ରିପୋର୍ଟରୁ ଜଣା ପଡିଥିଲା ମୃତ୍ୟୁ ବେଳକୁ ସୁଗନ୍ଧା ଥିଲା ଏକ ମାସର ଅନ୍ତଃସତ୍ୱା ।











Rate this content
Log in

Similar oriya story from Romance