Shaktiprava Mishra

Inspirational

5.0  

Shaktiprava Mishra

Inspirational

ଅଭିନୟ

ଅଭିନୟ

3 mins
571


                    

            ସ୍ୱାମୀ ସ୍ତ୍ରୀ ଦୁଇଟି ମଣିଷ ଗୋଟିଏ ଛାତ ତଳେ ରହିଲେ ତାଙ୍କ ଭିତରେ କିଛି ନା କିଛି ଝଗଡା ହେବା ସୁନିଶ୍ଚିତ । ଦିନେ ଏମିତି କିଛି କଥାକୁ ନେଇ ଦୁହିଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହେଲା । ସ୍ୱାମୀଟି ରାଗିଯାଇ କହିଦେଲା ,ହଉ କେତେବେଳେ ଚୁପଚାପ ବସି ଭାବ ମୋ ପାଈଁ କଣଟା ଏମିତି କରିପକେଇଛ ତୁମେ ?


        ସ୍ତ୍ରୀ ଭାବୁଥିଲା ସତେ ତ ? ଜୀବନରେ ଏମିତି ଏକ ପ୍ରଶ୍ନର ଉତର ଯେ ତାକୁ ଦେବାକୁ ପଡିବ ଏକଥା ତ ଥରଟିଏ ପାଇଁ ସେ କେବେ ଭାବିନଥିଲା । କେମିତି ବୁଝେଇ କହିବ ସେ କଣ ଦେଇଛି ସ୍ୱାମୀଙ୍କୁ ? ପ୍ରେମ.........ଛିଃ ,ଲାଜମାଡିବନି ତାକୁ । ଏକଥା ବି ତ ସିଏ କହିପାରିବନି ତୁମେ ମୋତେ ସ୍ପର୍ମ ଦେଲ ମୁଁ ତୁମକୁ ସନ୍ତାନ ଦେଲି । ତୁମେ ପରିବା ଆଉ କିରାଣା ଜିନିଷ ଯୋଗେଇଦେଲ । ମୁଁ ତାକୁ ଭଳି ଭଳି ସୁସ୍ୱାଦୁ ବ୍ୟଞ୍ଜନ ତିଆରି କରି ତୁମକୁ ଖାଦ୍ୟ ରୂପରେ ପରଶିଲି । ତୁମେ ଇଟା ସିମେଣ୍ଟର ଘର ତୋଳେଇଦେଲ । ମୁଁ ତାକୁ ବାସଗୃହ ବନେଇଲି । ତୁମେ ସାରାଦିନ ଚାକିରୀ ନାଁ ରେ ଟଙ୍କା ରୋଜଗାର କରିବାକୁ ବାହାରେ ରହିଲ । ମୁଁ ଚାରିକାଁଥ ଭିତରେ ଅନବରତ ଛୁଆପିଲା , ବନ୍ଧୁବାନ୍ଧବ , ଚାକରାଣୀ ଆଉ ସମସ୍ୟାକୁ ଧରି ଘରର ଯାବତୀୟ ଆବଶ୍ୟକତା ପୂରଣ କରିବାରେ ସମୟ ବିତାଇଲି । ପିଲାଙ୍କ ଦେଖାଶୁଣା ଆଉ ଭବିଷ୍ୟତ ଗଢିବି ବୋଲି ପାଠପଢି ବି ଘରୋଇ ସ୍ତ୍ରୀଟିଏ ହୋଇ ଜୀବନ କାଟିବାକୁ କୁଣ୍ଠାବୋଧ କଲିନି । ରୋଜଗାର କରିଥିଲେ ମୋ ଆକାଉଣ୍ଟରେ ଧନ ରହିଥାନ୍ତା । କିନ୍ତୁ ପରିବାରର ଦେଖାଶୁଣା ପାଇଁ ମୁଁ ଘରକୁ ପ୍ରାଧାନ୍ୟ ଦେଇ ହାତ ଖାଲି କରି ତୁମ ହାତଟେକା ଟଙ୍କାକୁ ଚାହିଁ ଜୀବନ କାଟିଦେଲି ।


   ଅଳ୍ପ ଅର୍ଥରେ ଘର ଚଳେଇବାକୁ ବହୁତ ଅସୁବିଧା ହେଲେ ବି ତୁମ ଉପରେ କେବେ ବି ଅଧିକ ଉପାର୍ଜନ ପାଇଁ ଜୋର ଦେଇନି ମୁଁ । ବରଂ ତୁମେ ଦେଉଥିବା ଅର୍ଥରୁ କିଛି ଲୁଚାଇ ସଞ୍ଚି ରଖୁଥିଲି ଦରକାର ବେଳେ କାମରେ ଆସିଯିବ ବୋଲି । ଏଥିପାଇଁ ମୁଁ ମୋ ଇଚ୍ଛାର ଜୀବନ ବଞ୍ଚିବାର ସୌଭାଗ୍ୟରୁ ବି ନିଜକୁ ବଞ୍ଚିତ କରୁଥିଲି । କେବେ ପାର୍ଲର ଯାଇ ନିଜକୁ ସଜାଉନଥିଲି ଆଉ ଦୋକାନରୁ ଦାମୀକିଆ ଶାଢ଼ୀ କିଣି ପିନ୍ଧୁନଥିଲି କି ସୁନା ,ରୁପା , ହୀରାର ଜିନିଷ ଚାହିଁନଥିଲି ।


     ସାଙ୍ଗସାଥି ଥଟାକରି କଞ୍ଜୁସ ଡାକୁଥିଲେ । ତୁମର ଅନିଚ୍ଛା ବା ଅପାରିବାପଣର ବର୍ଣନା ନକରି ଏସବୁ ମୋର ପସନ୍ଦ ନୁହେଁ କହୁଥିଲି ମୁଁ । ସବୁବେଳେ ଭାବୁଥିଲି ପରଦା ଉପରେ ତୁମେ ନାୟକ ସାଜି ଅଭିନୟ କଲେବି ପରଦା ପଛରେ ମୁଁ ଦିନରାତି ତୁମ ସାଥିରେ ରହି ତୁମକୁ ସାଥ ଦେଇଥିବା କଥାକୁ ଆଉ କେହି ନଜାଣିଲେ ବି ତୁମେ ତ ଜାଣିପାରୁଛ , ବୁଝିପାରୁଛ । କିନ୍ତୁ ତୁମର ଆଜିର ଏ ପ୍ରଶ୍ନ ମୋର ସମଗ୍ର ତ୍ୟାଗ ଓ ନାରୀସତ୍ତା ଉପରେ ପ୍ରଶ୍ନଚିନ୍ହ ଲଗେଇଦେଲା ।


           ଏବେ ମୁଁ ନିଜକୁ ପଚାରୁଛି , ଧିକ ମୋ ନାରୀପଣ ! ଧିକ ମୋ ତ୍ୟାଗ ! ପାଠପଢି ଜୀବନରେ ଏମିତି ବୋକାମୀ ମୁଁ କଲି କେମିତି ? କେବଳ ମୁଁ କୁ ଦେଖୁଥିବା ଗୋଟେ ପୁରୁଷର ଦୁନିଆକୁ ମିଛ ମୋର ର ରଙ୍ଗ ବୋଳି ସାରା ଦୁନିଆକୁ ମୁଁ ଦେଖେଇଚାଲିଲି ସଂସାର କରୁଛି ବୋଲି ? ଏଇଆ ମୋର ସଂସାର ? ଏବେ କଣ ଉତ୍ତର ଦେବି ? କି ତ୍ୟାଗ କରିଛି ମୁଁ ଏ ଘର ପାଇଁ ? କଣ ଦେଇଛି ମୁଁ ସ୍ୱାମୀକୁ ? ନାରୀଟିଏ ହୋଇ ଜନ୍ମ ହୋଇଛି ଯେତେବେଳେ ଛୁଆ ଜନ୍ମ କରିବା , ପିଲାଙ୍କୁ ପାଳିବା ଆଉ ଘର ସମ୍ଭାଳିବା କାମ ତ ସବୁ ସ୍ତ୍ରୀଙ୍କ ପରି ମୁଁ କରିଛି । କଣ ବା ଆଉ ବଡ଼କଥାଟେ କରିପକେଇଛି ଯେ ମୁଁ ? "


      ନିଜ ଭିତରେ ଅନେକ ଦ୍ଵନ୍ଦକୁ ସାମ୍ନା କରିବା ପରେ ଶାଳିନୀ ମୁହଁ ଖୋଲି କହିଥିଲା , ଯୌତୁକ ଆଣିନଥିବା , ଚାକିରୀ କରି ଟଙ୍କା ରୋଜଗାର କରି ନଥିବା ନାରୀଟିଏ କଣ ସତରେ କିଛି ଦେଇଥାଏ ସ୍ୱାମୀକୁ ? ଆଖିଦେଖା କିଛି ବି ଜିନିଷ ନଦେଇ ବି ସେ କେମିତି ପରିବାରର ପ୍ରାଣକେନ୍ଦ୍ର ହୋଇଯାଏ ? ତା ନିଧନରେ ତା ସ୍ୱାମୀର ସଂସାର କାହିଁକି ଉଜୁଡିଯାଏ ? ସ୍ୱାମୀ ହାତରେ ପିଲାଙ୍କୁ ଛାଡିଦେଇ ଯିବାପରେ ବି ତା ପିଲାମାନେ କାହିଁକି ଅନାଥ ପାଲଟିଯାନ୍ତି ? ଦୁନିଆ କାହିଁକି କୁହେ , ମା' ନାହିଁ ଯାହାର ସାହା ନାହିଁ ତାହାର ?"

          ମୁଁ ତୁମକୁ କଣ ଦେଇଛି ଜାଣିନି । କେବଳ ଏତିକି ଜାଣିଛି ସାଥୀରେ ଥିବା ସ୍ତ୍ରୀ ର ଛୋଟ ଛୋଟ ଅବହେଳା ବେଳେବେଳେ ପ୍ରଚଣ୍ଡ ଦକ୍ଷତା ଥିବା ସ୍ୱାମୀର ଅଭିନୟକୁ ବି ଧୂଳିସାତ କରିଦେଇଥାଏ ।  ମୋ ହୃଦୟର ଶେଷ ନିଶ୍ଵାସ ଚାଲୁଥିବା ଯାଏଁ ମୋ ଆଖି ଆଗରେ ଯେମିତି ମୋ ପରିବାରର କେହି ଜଣେ ବି ମଣିଷ ଅବହେଳିତ ନ ହେବେ ଏଇ ଗୋଟିଏ କଥାକୁ ପଣକରି ତ ଆଜିଯାଏଁ ଜୀବନ କାଟି ଚାଲିଛି ମୁଁ ।



Rate this content
Log in

Similar oriya story from Inspirational