Shaktiprava Mishra

Inspirational

4.9  

Shaktiprava Mishra

Inspirational

ବାନର ସେନା

ବାନର ସେନା

4 mins
438



      ସିପ୍ରାର ଅଗଣା ମଝିରେ ପିଜୁଳି ଗଛଟା ବଢି ଦୁଇ ମହଲା ଛାତ ଛୁଇଁବାକୁ ବସିଲାଣି । ଏବେ ଅସୁବିଧା ଯେ ତଳୁ ଗଛର ଉପର ଯାଏଁ ବାଡ଼ି ପାଉନି ଆଉ ଗଛରେ ଚଢି କେହି ଫଳ ତୋଳି ପାରୁନାହାନ୍ତି । ଗଛର ଉପର ମୁଣ୍ଡରେ କଷି , ଅଧା ପାକଳ ଫଳ ମଣ୍ଡିହୋଇ ରହିଛି । ପାଖ ସିରାଜ ନର୍ସରୀରୁ ଏଇ ଗଛଟିକୁ କିଣିଆଣିଥିଲା ସିଏ ତିନି ବର୍ଷ ତଳେ । ପିଜୁଳିଟା ଭାରି ଜାତିଆ ।

 ଆଗକୁ କାର୍ତ୍ତିକ ପୂର୍ଣ୍ଣମୀ । ଏଥର କାହାକୁ କହି ଯେମିତି ହେଉ ସେ ପାଚିଲା ପିଜୁଳି ତକ ତୋଳିନେବ । ତୁଳସୀ ଚଉରା ମୂଳେ ବୃନ୍ଦାବତୀଙ୍କୁ ଆଉ ମନ୍ଦିରରେ ଠାକୁରଙ୍କୁ ଭୋଗ ଚଢ଼େଇବ । ଏମିତି ଭାବିବା ଅବସ୍ଥାରେ ହଠାତ ମନେ ପଡିଗଲା କଲୋନୀ ସଫା କରୁଥିବା ମୁରଲୀ କଥା । ଫୋନ କରି ମୁରଲୀକୁ କହିଲା , ପୂର୍ଣ୍ଣମୀ ପୂର୍ବଦିନ ଆସି ମୋ ଗଛରୁ ପିଜୁଳିତକ ତୋଳିଦେଵ । ହଁ ମା କହି ମୁରଲୀ ଆଶ୍ୱସ୍ତ କରିଦେଲା ସିପ୍ରାକୁ ।

 ପୂର୍ଣ୍ଣମୀ ପୂର୍ବଦିନ ସକାଳୁ ଉଠି ଝରକା ବାଟ ଦେଇ ସିପ୍ରା ତନ୍ନତନ୍ନ କରି ଗଛକୁ ଚାହିଁଲା । ଅଧା ପାକଳ ପିଜୁଳି ସବୁ ବଡହୋଇ ପୁରା ପାଚି ଯାଇଥିଲେ । ନଭେମ୍ବର ମାସରୁ ଟିକେ ଟିକେ ଥଣ୍ଡା ପଡିବାର ଆଭାସ ମିଳୁଥିଲା ।ସିପ୍ରା ହାତରେ ଚା କପଟିଏ ଧରି ମୁରଲୀର ବାଟ ଚାହିଁ ବାଲକୋନି ଚେୟାରରେ ବସିପଡିଲା ।ଖୋଲା କାଚଦେଇ ଚାରିଆଡେ ଡୋଳା ବୁଲେଇ କଲୋନୀ , ଘର , ଗଛପତ୍ର, ରାସ୍ତା ଆଉ ରାସ୍ତାରେ ଚାଲୁଥିବା ଲୋକ ସମସ୍ତଙ୍କ ଉପରେ ନଜର ପକେଇଲା । ଚେୟାର ରୁ ଉଠିଆସି ବାଲକୋନୀ ବାଡ଼ରେ ଝୁଙ୍କିରହି ମୁରଲୀକୁ ଖୋଜିଲା କାଳେ କେଉଁଠି ଦାଣ୍ଡ ଓଳାଉଥିବା ଅବସ୍ଥାରେ ତାକୁ ଦେଖିନେଲେ ଆଉଥରେ ମନେ ପକେଇଦେଵ କଥାଟାକୁ।

    ହଠାତ ସିପ୍ରାର ନଜର ପଡିଲା ଆଉଜଣକ ଛାତ ଉପରେ । ଯେଉଁଠି ପ୍ରାୟ ଆଠ ଦଶଟା ମାଙ୍କଡ଼ ଡ଼ିଆଁଡେଇଁ କରୁଥିଲେ । ଏ ବାନର ସେନାଙ୍କୁ ଆଜି ହିଁ ଆସିବାକୁ ଥିଲା କହି ସିପ୍ରା ଘର ଭିତରକୁ ଦଉଡି ଆସି ସୁରେଶଙ୍କୁ କହିଲା , ହେଇଟି ଶୁଣୁଛ ...... ଏବେ କଣ କରିବି କହିଲ ? ପିଜୁଳି ତକ ତୋଳିବି ବୋଲି ମୁରଲୀକୁ ଜଗିଥିଲି କିନ୍ତୁ କଲୋନୀ ଭିତରେ ଦଳେ ମାଙ୍କଡ଼ । ଏଆଡ଼କୁ ଆସିବେ ଯଦି ମୋର ସବୁ ପିଜୁଳି ଖାଇଯିବେ ଏମାନେ ।

 ଏତିକି କହିବା ଭିତରେ ସତକୁସତ ମାଙ୍କଡ଼ ଦଳ ଦୁଲଦାଲ ହୋଇ ପିଜୁଳି ଗଛ ଉପରେ ଚଢିବା ଆରମ୍ଭ କରିଦେଲେ । ସିପ୍ରା ପାଟି କରି କହିଲା , ସୁରେଶ ବାଡିଟେ ଆଣି ଏମାନଙ୍କୁ ଓଡେଇ ଦିଅ ।ପ୍ଲିଜ , ନହେଲେ ବାନରସେନା ସବୁ ମୋ ପାଚିଲା ପିଜୁଳି ଖାଇଯିବେ । ସୁରେଶ ପ୍ରଥମ ମହଲା ଛାତ ଉପରକୁ ଯାଇ ଦେଖିଲେ ମାଙ୍କଡ଼ ପଲ ଟପଟାପ କରି ସବୁ ବଡ଼ ପାଚିଲା ପିଜୁଳି ଖାଇବାରେ ଲାଗିଛନ୍ତି । ସିପ୍ରା ଗୋଟେ ବାଡ଼ି ଆଣି ସୁରେଶଙ୍କ ହାତକୁ ବଢ଼େଇଦେଇ କହିଲା , ମତେ ଡର ଲାଗୁଛି । ତୁମେ ପ୍ଲିଜ ଏ ବାଡ଼ିରେ ସେମାନଙ୍କୁ ଡରାଅ ।

      ହସହସ ମୁହଁରେ ଠିଆ ହୋଇ ମାଙ୍କଡ଼ ମାନଙ୍କର ଏ ଭଳି କାର୍ଯ୍ୟକଳାପକୁ ସୁରେଶ ଲକ୍ଷ୍ୟ କରୁଥାନ୍ତି । ତାଙ୍କର ଏମିତି ଢଙ୍ଗ ଦେଖି ସିପ୍ରା ରାଗିଯାଇ କହିଲା , ଆଜି ଯଦି ତୁମେ ଏମାନଙ୍କୁ ଘଉଡେଇବନି ସତ କହୁଛି ମୁରଲୀକୁ କହି କାଲି ଏ ଗଛଟା ହଣେଇଦେବି ।ସିପ୍ରା ମୁହଁକୁ ଚାହିଁ ସୁରେଶ କହିଲେ , କେଡେ ଖୁସିରେ ଏମାନେ ଫଳ ତକ ଖାଉଛନ୍ତି ଦେଖିଲ ? ଗଛଟିକୁ ଆମେ ଲଗେଇଛେ ବୋଲି ତାର ସବୁ ଫଳ କଣ ଆମେ ଖାଇବା ? କାର୍ତ୍ତିକ ମାସରେ ଏ ଫଳ ହରିଙ୍କ ପେଟକୁ ଯାଉଛି । ଏଇଟା କଣ ପୂଜା ନୁହେଁ ? 

  ବିରକ୍ତ ହୋଇ ସିପ୍ରା କହିଲା , ହରି କଣ ତୁମର ଥଟ୍ଟା ? ସୁରେଶ କହିଲେ , ଓଡ଼ିଆରେ ସ୍ନାତକ କରିଛ ପରା ? ହଠାତ ଶାନ୍ତ ପଡ଼ିଗଲା ସିପ୍ରା । ହସିଦେଇ କହିଲା , ଆରେ ସତେ ତ ! 

   ସିପ୍ରା ଘରକୁ ଚାଲିଆସିଲା ।ପରେ ପରେ ସୁରେଶ । କିଛି ସମୟ ମନଦୁଃଖ କରି ବସିବା ଭିତରେ ମୁରଲୀ ପହଂଚି ଗଲା । କହିଲା , ମା , ତଳକୁ ଆସ ପିଜୁଳି ତୋଳିବା ପରା ! ଛେନାଗୁଡ଼ଟା ତୋଳିବୁ । ତୁ ପରା କଲୋନୀ ଭିତରେ ରାସ୍ତା ଓଳଉଛୁ ? ଦେଖିନୁ ହରି ମାନଙ୍କୁ ? ସେମାନେ ଆସି ସବୁଯାକ ପାଚିଲା ପିଜୁଳି ଖାଇଗଲେ । ତୁ ଆଉ ଖମ୍ବଆଳୁଟା ତୋଳିବୁ ? ଗୋଟେ କାମକରେ , ପାରିବୁ ଯଦି ଆଜି କାଲି ଭିତରେ ସମୟ କାଢି ଗଛଟା ହାଣିଦେ । ମୁଳୁ ମାଇଲେ ଯିବ ସରି ...ହରିଙ୍କ ସଂଗେ କିମ୍ପା କଳି ।

   ତମେ ମା ମାଙ୍କଡ଼ ମାନଙ୍କ କଥା କହୁଛ ଟି ? ସେତିକି ବେଳୁ ହରି ହରି ହେଉଛ ଯେ ମୁଁ କିଛି ବୁଝିପାରୁନି । ମାଙ୍କଡ଼ଙ୍କୁ ହରି କାହିଁକି କହୁଛ ?

     ସିପ୍ରା କହିଲା , ସମସ୍ତଙ୍କ ପାଇଁ ସେ ମାଙ୍କଡ଼ କିନ୍ତୁ ଆମ ଘରେ ସେମାନେ ହରି । ମୁଁ ତ ଓଡ଼ିଆରେ ସ୍ନାତକ କରି ବୁଝିପାରିଲିନି ତୁ ଚୋପାଟା ବୁଝିବୁ ? ତୋ ମୁଣ୍ଡରେ ଯଦି ବୁଦ୍ଧି ଥାନ୍ତା ଏ ବାନର ସେନାଙ୍କୁ ଦେଖିବା ମାତ୍ରେ ମୋ ଘରକୁ ଆସି ଫଳ ତକ ତୋଳିଦେଇଥାନ୍ତୁ । ତୋତେ ଯାହା କହିଲି ତୁ ଏବେ ସେଇଆ କରେ । ଗଛଟା ହାଣିଦେ । 

  ମୁରଲୀ ତଳେ ବସିପଡ଼ିଲା । କହିଲା ମା , ମୋ ଗାଁରେ ପିଜୁଳି ଗଛ ବହୁତ । ଏଥର ଗଲେ ତମପାଇଁ ବେଗେଟେ ନେଇଆସିବି । ଫଳନ୍ତି ଗଛଟାକୁ ହାଣନି ମା ! ସିପ୍ରା କହିଲା , ଯଦି ମୋ ଗଛରୁ ମୁଁ ଗୋଟିଏ ବି ଫଳ ଖାଇପାରିବିନି ତାକୁ ଅଯଥାରେ ବାଡ଼ିରେ ରଖିବି କାହିଁକି ?

  ମୁରଲୀ କହିଲା , ହାଣିଦେଲେ କଣ ଆଉ ପିଜୁଳି ପାଇବେ ? କିଛି ନହେଲେ ଏବେ ମାଙ୍କଡ଼ ମାନେ... ..ନାନା ହରି ମାନେ ତ ମନଖୁସିରେ କିଛି ଫଳ ଖାଇ ତାଙ୍କ ଆତ୍ମା ଶାନ୍ତି କରୁଛନ୍ତି ? ତମେ ମା ଆଉଥରେ ଭାବ । ଯଦି ନିହାତି କହିବ କେବେ ସମୟ କାଢି କରିଦେବି ତୁମ 

କାମ । ମୁଁ ଆସୁଛି କହି ମୁରଲୀ ପଳେଇଲା ।

    ସିପ୍ରା ଭାବୁଥିଲା , କାର୍ତ୍ତିକ ମାସସାରା ସକାଳୁ ଗାଧୋଇ ତୁଳସୀ ଚଉରା ମୂଳରେ ରାଧା ଦାମୋଦରଙ୍କ ପୂଜା କରୁଛି ସିଏ , ଆମିଷ ନ ଖାଇ ଧର୍ମର ରାସ୍ତା ଆପଣେଇଛି ସିଏ ଅଥଚ ଶାସ୍ତ୍ରରେ ଲେଖା ଥିବା ( ଭଗବାନ ବିଭିନ୍ନ ରୂପ ବଦଳାଇ ଭକ୍ତର ପରୀକ୍ଷା ନିଅନ୍ତି )ଏ ଉକ୍ତିକୁ ଲୋଭବଶତ କେମିତି ଭୁଲିଯାଇଛି ସିଏ ? ପ୍ରଭୁ ହରି ବାନର ରୂପରେ ଆସି ତା ଗଛର ଫଳ ଗ୍ରହଣ କରୁନାହାନ୍ତି ଏକଥା କଣ ଦୃଢ଼ତାର ସହ କାହାକୁ କହିପାରିବ ସିଏ ? ମନ୍ଦିରରେ ନିର୍ଜୀବ ହରିଙ୍କୁ ପ୍ରସାଦ ଚଢ଼େଇବା ଅପେକ୍ଷା କିଛି ଜୀବନ୍ତ ଆତ୍ମାକୁ ଶାନ୍ତି ଦେବା ଯେ ନିଶ୍ଚିତ ଭାବରେ ଅଧିକ ପୁଣ୍ୟକାମ ଏ କଥା ତ ନାସ୍ତିକ ଭଳି ଚଳୁଥିବା ସୁରେଶ ଆଉ ପୂଜାପାଠ ନ ଜାଣିଥିବା ମୁରଲୀକୁ ତା ଅପେକ୍ଷା ଅଧିକ ଜଣା ।



Rate this content
Log in

Similar oriya story from Inspirational