Shaktiprava Mishra

Others

3  

Shaktiprava Mishra

Others

ଲଗାମ

ଲଗାମ

6 mins
43


    


    ଆଲୋ ସୁମୀ ଘରେ ସମସ୍ତେ ଭଲ ଅଛ ତ ? ସନ୍ତୋଷ ଖବର କଣ ? ସବୁବେଳେ ତ ଘରଠୁ ଦୂରରେ ରହିଲେ ସିଏ । ପୁଣି ଏକୁଟିଆ ।

  ହଁ ଯେ...ତାଙ୍କର କିଛି ଅସୁବିଧା ହେଉନି । ଠା ଠା ରୋଷେଇ କରି ନିତି ମୋ ପାଖକୁ ଫଟୋ ପଠେଇ କହୁଛନ୍ତି ଦେଖ, ୟାକୁ କୁହନ୍ତି ଖାଇବା । ଛାଡେ ମ ତାଙ୍କ କଥା ! ଆଜି ପେପର ପଢ଼ିଲୁ ନା ନାଈଁ ମ ? 

    ହଁ ..ତୁ କୋଉକଥା କହୁଛୁ ମୁଁ ଜାଣିଲି । ଏଇ କଥା ମୁଁ ଯେତେବେଳେ କହିଥିଲି ସେତେବେଳେ କଥାଟା ଗଂଧେଇଲା ସମସ୍ତଙ୍କୁ । ବୋଉ କହିଲା, ପାଠ ଦି ଅକ୍ଷର ପଢ଼ିଦେଇଛୁ ବୋଲି ଏତେ ଟେମ୍ପର ଦେଖାନି । ଜୋଇଁପୁଅ ତୋତେ ରାନ୍ଧିକରି ଖାଇବାକୁ ଦେବେ ନା କଣ ମ ! ନହେବା କଥା ଗୁଡା କାହିଁକି କହୁଛୁ ଏମିତି ?

      ଆଛା କଥା ! ସ୍ତ୍ରୀଟିଏ ବର୍ଷର ୩୬୫ ଦିନ ଯଦି ହାଣ୍ଡିଚୁଲି ଧରିବ ସେ ତା ନିଜ ଜୀବନ ବଞ୍ଚିବ କେତେବେଳେ ? ବେଳ ଅବେଳରେ ଆଉ ସୁବିଧା ଅସୁବିଧାରେ ସ୍ୱାମୀ ଯଦି ସ୍ତ୍ରୀ ହାତରୁ ରୋଷେଇ ଦାୟିତ୍ୱଟା ନେଇଯିବ କେତେ ଖୁସି ଲାଗିବ ସ୍ତ୍ରୀକୁ । ଏବେ ପୋଲିସ କମିଶନର କହିଦେଲେ ଯେ ପୁରା ସହର ପଡୁଛି ଉଠୁଛି । ସବୁ ନାରୀମାନେ ବାହାରି ପଡିଛନ୍ତି ତାଙ୍କ ସପକ୍ଷରେ । କଣ ନା ଯୋଉ ପୁଅମାନେ ରୋଷେଇ କରିବା ଜାଣିନାହାନ୍ତି ସେମାନଙ୍କୁ ଝିଅମାନେ ବାହା ହେବାକୁ ସଫା ସଫା ମନା କରିଦିଅନ୍ତୁ ।

  ବୁଝିଲୁ, ପେପର କାଟି ତୋ ଭାଇନାଙ୍କ ପାଖକୁ ପଠେଇଦେଇଛି ଫଟ । ପଢ଼ିକରି ମୋତେ କହିଲେ, ମୁଁ ସେ ଏରିଆ ମାଡିନି ବୋଲି ତୁମେ ଘର ଉପରେ ରାଜ୍ କରୁଛ ଆଉ ତୁମ ହାତଟେକାକୁ ମୁଁ ଚାହିଁ ବସୁଛି । ଏତିକି ଜାଣିଥାଅ ରୋଷେଇ ଜାଣିଥିବା ପୁରୁଷର ଘର ତା ହାତମୁଠାରେ । 

     ହଁ, ତୋତେ ଏସବୁ କହି ଲାଭ କିଛି ନାହିଁ । ତୋ ବର ତ ଧୁରନ୍ଧର ରୋଷେଇଆ । ଶୁଣେ ମ .. ତୋ ଝିଅ ପାଇଁ ଗୋଟେ ବଢିଆ ପିଲା ଆଖିରେ ରଖିଛି ମୁଁ । ଯେମିତି ସୁନ୍ଦର ସେମିତି ଗୁଣର । ସବୁଠାରୁ ମଜାକଥା ହେଲା ପିଲାଟି ସବୁ……...

    ୟୋର ଫୋନେ ଇଜ ନାଓ ଅଣ୍ଡର ହୋଲଡ଼ । ପ୍ଲିଜ …..

     ହଁ, ହେଲା ହେଲା ...ଫୋନକୁ ହୋଲଡ଼ରେ ରଖିଦେଲା । ଏଇଟା କୋଉ ନୂଆକଥା କି ! ୟାକୁ ଆଉ ଫୋନ କରିବିନି । ସବୁବେଳେ ଅଧା କଥାରୁ ଲାଇନ କାଟିଦେଵ । ଗୋଟେ ଭଲ ନିଉଜ ଟେ ଦେଲା ବେଳକୁ ……...। ଯଦି କଥାପଦେ ଶୁଣିବାକୁ ଧୈର୍ଯ୍ୟ ନାହିଁ ତେବେ ସେଦିନ ଘଣ୍ଟାଏ ଧରି ଫୋନ କରି ଝିଅ ପାଇଁ ପ୍ରସ୍ତାବଟେ ଖୋଜି ଦେ କାହିଁକି କହୁଥିଲୁ ? ସେପଟେ ପୁଅ ଘର ବ୍ୟସ୍ତ ହେଉଛନ୍ତି ଆଉ ଇଏ ଲାଇନ କାଟିଦେଉଛି । ହଉ ଏଥର କହୁ ଆଉ ଥରେ ମୋତେ । ଯଦି ଶୁଣିଛି ମୁଁ ତା କଥା । ସତେ ଯେମିତି ଅଫିସରୁ ବସର ଫୋନ ଆସିଗଲା ! କିଛି ନୁହେଁ, ସନ୍ତୋଷର ଫୋନ ଆସିଯାଇଥିବ । 

     ସେ ଦୁହିଁଙ୍କ ସମ୍ପର୍କର ସମୀକରଣ ଆଜିଯାଏଁ କୁନିକୁ ଅଜଣା । କୁନି ନିଜ କାମରେ ଲାଗିଲା । ଲଞ୍ଚ୍ ଖାଇ ଟିକିଏ ଗଡୁଛି ପୁଣି ଫୋନ କଲା ସୁମି । କୁନି ରାଗିଯାଇ କହିଲା, ସନ୍ତୋଷର ଫୋନ ଥିଲା ନା ? ହଁ ମାରି କୁନି ପୁଣି ସୁମୀକୁ କହିଲା, ମୁଁ ତୋ ସହିତ କଥାବାର୍ତ୍ତା କରିବିନି । ତୁ କଣ ଭାବିଛୁ, ତୋ ବରଟା ଦିଅଁ ଆଉ ଆମେ ସବୁ କୁକୁର ବିରାଡ଼ି ?

   ସୁମି କହିଲା, ମୁଁ ଜାଣିଛି, ଏଥିପାଇଁ ସମସ୍ତେ ମୋ ଉପରେ ରାଗୁଛନ୍ତି । କହୁଛନ୍ତି ମୁଁ କୁଆଡେ କାହାକୁ ଭାଉ ଦେଉନି ।

  ସତ କଥା ତ ! ଏମିତି ବ୍ୟବହାର କଲେ ଯାହାକୁ ହେଲେ ତ ଖରାପ ଲାଗିବ ସ୍ୱାମୀକୁ ବି ଜାଣିବା ଦରକାର ଯେ ସ୍ତ୍ରୀର ବି କିଛି ମାନ ସମ୍ମାନ ଅଛି, ସୁବିଧା ଅସୁବିଧା ଅଛି । କିନ୍ତୁ ତୁ ତ ତାକୁ ଦିଅଁ ଭଳି ପୂଜା କରୁଛୁ । ତୋ ନିଜର ସ୍ଥିତି କେତେ ତଳକୁ ଖସିଯାଉଛି ସେ ବିଷୟରେ ଥରେ କେବେ ଭାବୁଛୁ ତୁ ?

   କିନ୍ତୁ ଏକଥା ତ କେହି ଜାଣୁନାହାନ୍ତି ସନ୍ତୋଷଙ୍କ ଫୋନ ଧରିବାରେ ଟିକିଏ ଡେରି ହୋଇଗଲେ ସେ ସେପଟୁ ଫାୟାର କରୁଛନ୍ତି ।

  ହଁ ….ପୁଅପିଲା ସବୁ ସେମିତି ହେବେ । ସବୁ ବରଗୁଡା ଏକା ଛାଞ୍ଚରେ ଗଢ଼ା । ତାଙ୍କ ଲଗାମଟାକୁ ଠିକରେ ଚଲେଇ ଶିଖିବା ଦରକାର । ଏମିତି ଥରେ ତୋ ଭାଇଙ୍କ ଫୋନ ଧରିବାରେ ଡେରି କରିଦେଲି ବୋଲି ଅଫିସରୁ ଘରକୁ ଫେରି ମୋତେ ଗାଳିଦେଲେ । କହିଲେ କିଛି ଗୋଟାଏ ଅର୍ଜେଣ୍ଟ୍ ଫୋନ ଥିବ ମୋର ? ତମେ ତ ଭଲ ସ୍ତ୍ରୀଟିଏ ହୋଇଛ ? ମୁଁ ସଫାସଫା କହିଦେଲି, ତମେ ଧମକେଇଲେ ମୁଁ ତୁମକୁ ଡରିଯିବିନି । ମୁଁ ଫୋନକଲେ ତୁମେ ବି ତ କେତେଥର ମୋ ଫୋନ ଧରିନ ? ପରେ ଉତ୍ତର ଦେଇଛ ମିଟିଂରେ ଥିଲି । କେତେବେଳେ କହିଛ ଫୋନ ସାଇଲେଣ୍ଟରେ ଥିଲା । ନହେଲେ କହିଛ ବସଙ୍କ ସହିତ କଥା ହେଉଥିଲି । ମୁଁ କିଛି କହିଛି ତୁମକୁ ? ତାହେଲେ ଆଜି ମୋ ବେଳକୁ ତୁମେ କାହିଁକି ଏତେ କଥା କହିବ ଯେ ? ସେଦିନଠୁ ସେ ମୋତେ ଆଉ କିଛି କୁହନ୍ତି ନାହିଁ ।

  କିନ୍ତୁ ଭାଇ ଆଉ ୟାଙ୍କ କଥା ଅଲଗା । 

କାହିଁକି ଟିକେ ଶୁଣେ ତ ? ତୁମେ ଦୁହେଁ ଯେତେବେଳେ ଭଲପାଇ ବାହାହୋଇଛ ଯିଏ ଯାହାକୁ ମୁକ୍ତ ଭାବରେ ସବୁକଥା କହିପାରିବ । ମୁଁ ତ ଆରେଞ୍ଜ ମ୍ୟାରେଜ କରି କହିଦେଉଛି ।

ଭାଇ ରାଗି ନୁହନ୍ତି ଆଉ ତୋ ଉପରେ ନିର୍ଭର କରୁଥିବା ମଣିଷଟିଏ ।ସେଥିପାଇଁ ତୁ ଯାହା ଚାହୁଁଛୁ କହିଦେଉଛୁ । ସନ୍ତୋଷଙ୍କ ପାଖରେ ଏ ମାନ ଅଭିମାନ ଆଉ ରାଗ କିଛି କାମ ଦେବନି । ନିଜେ ରାନ୍ଧି ଖାଇ ଶୋଇପଡିବେ ।

   ହଉ ହଉ ..ସନ୍ତୋଷ କଣ ଏ ଯାଏଁ ତୋ ସହିତ କଥା ହେଉଥିଲା ?

  ହଁ, କଥା ତ ନୁହେଁ ଯୁକ୍ତିତର୍କ । ଆଉ କୋଉ ବିଷୟରେ ନୁହଁ । ସେଇ ରୋଷେଇକୁ ନେଇ । ଆଜି ତାଙ୍କ ଖୁଡୀ ଆସୁଛନ୍ତି ଆମ ଘରକୁ । ସେଠି ଆମେରିକାରୁ ତାଙ୍କ ମୁଣ୍ଡବଥା । ସେଠୁ ବରାଦ କରୁଛନ୍ତି କଣ କଣ ରୋଷେଇ କରିବ । ମୁଁ ଯାହା ଟିକିଏ ଖୁସିରେ କିଛି କରନ୍ତି, ଏମିତି ସାଙ୍ଗରେ ଲାଗିଲେ ଇଚ୍ଛା ହେଉଛି ଖାଲି ଭାତ ଡାଲମା ଖୁଆଇ ଛାଡ଼ିଦେବି । ସିଏ ତ ତାଙ୍କ ଖୁଡୀଙ୍କୁ ପଚାରିଦେବେ କଣ ଖାଇବାକୁ ଦେଲି ମୁଁ । ଛାଡ଼ ମ ସେ କଥା ! ଏଇଟା ତ ତାଙ୍କର ନିତିଦିନିଆ ଅଭ୍ୟାସ । ତୁ କହ ତ ଆଗ କଣ ଗୋଟିଏ ପ୍ରସ୍ତାବ ଦେଉଥିଲୁ ପରା ?

  ହଁ, ମନେପକେଇଦେଲୁ ଭଲ କଥାଟା । ମୋର ଗୋଟେ ସାଂଗର ପୁଅ ଅଛି । ତା ମାଆ ଗୋଟେ ଘରୋଇ ଝିଅ ଖୋଜୁଛି ତା ପୁଅ ପାଇଁ । ଆମ ରିମାଠୁ ଆଉ ଭଲ ଝିଅ କୋଉ ତାକୁ ମିଳିଯିବ ଯେ ! ପିଲାର ଘର ଭଲ, ପିଲା ଭଲ ଆଉ ତା ଚାକିରୀ ଆହୁରି ଭଲ । ସବୁଠାରୁ ଭଲ ହେଲା ସନ୍ତୋଷଙ୍କ ପରି ସବୁ ରୋଷେଇରେ ପାରଙ୍ଗମ ସେ ପିଲା । ତୋଠୁ ଭଲ ରୋଷେଇ ଜାଣିଛନ୍ତି ବୋଲି ସନ୍ତୋଷ ଯୋଉ ଗର୍ବ କରୁଛନ୍ତି ଏ ପିଲାକୁ ଜୋଇଁ କଲେ ତାଙ୍କର ସବୁ ଗର୍ବ ଚୁରମାର ହୋଇଯିବ । ଗୋଟେ ଇଣ୍ଟରନ୍ୟାସନାଲ ହୋଟେଲର ଚିଫ ସେଫ ସିଏ । ବହୁତ ନାଁ କରିଗଲାଣି ଲଣ୍ଡନରେ । ତୋଝିଅ ଦୋଳିରେ ଝୁଲିବ । ହଁ କରିବୁ ଯଦି ପକ୍କାକରିଦେବି ବାହାଘର ।

    ସୁମୀ କିଛି ଉତ୍ତର ଦେଲାନି । କୁନି ପଚାରିଲା, କଣ ମନକୁ ପାଇଲାନି ପ୍ରସ୍ତବଟା ? ଚୁପ ପଡ଼ିଗଲୁ ଯେ !

  ନାଇଁଲୋ ଅପା ! ରୋଷେଇ ଜାଣିଛନ୍ତି ବୋଲି ସ୍ତ୍ରୀଟିର କୋଉ କାମକୁ ପ୍ରଶଂସା କରିବନି, ଆଉ ସବୁବେଳେ ତାକୁ ରୋଷେଇ ପାଠ ପଢ଼ଉଥିବ ଯଦି କେମିତି ଲାଗିବ ତାକୁ କହିଲୁ ? ତୁ ତ ଜାଣିଛୁ ମୋ ରୋଷେଇକୁ ଲୋକେ ହାତ ଚାଟି ଖାଇ କେତେ ପ୍ରଶଂସା କରନ୍ତି । ବାହାଘର ପୁର୍ବରୁ ସେଇ ପ୍ରଶଂସକଙ୍କ ଭିତରେ ସନ୍ତୋଷ ବି ଜଣେ ଥିଲେ ।ଏବେ ଯାହା କଥା ହେଲେ ରୋଷେଇକୁ ପଳେଇ ଯାଉଛନ୍ତି ଆଉ ତାଙ୍କୁ ରୋଷେଇ ଆସେ, ମୋତେ ଆସେ ନାହିଁରେ ଆମ କଥା ସରୁଛି । 

  ପୋଲିସ ଡିଜି ସିନା କହିଦେଲେ, ସେ ଆସି ଆମ ଘର ଭିତରର ଦୃଶ୍ୟ ଦେଖୁଛନ୍ତି କି ? ରୋଷେଇରର ଅକ୍ଷର ଜାଣି ନ ଥିବା ପୁରୁଷକୁ ତ ସମ୍ଭାଳିବା ବେଳକୁ ବାର ବାଜିଯାଉଛି ସ୍ତ୍ରୀର । ସନ୍ତୋଷ ଭଳି ରୋଷେଇ ଜାଣିଥିବା ପୁରୁଷ କେବେ ବି ସ୍ତ୍ରୀକୁ ପଇସାକର ଭାଉ ଦେବନି । ତୁ ସବୁବେଳେ ମୋତେ କହୁଛୁ ମୁଁ ସନ୍ତୋଷକୁ ଏତେ ଭାଉ କାହିଁକି ଦେଉଛି ? ଏଇଥିପାଇଁ ….। କୋଉଠି ତ ମୋ ସ୍ତ୍ରୀ ପଣର ଗର୍ବ ଦେଖେଇ ତାଙ୍କୁ ଜଣେଇବି ତାଙ୍କଠାରୁ ମୁଁ କିଛି ଭିନ୍ନ । 

   କିନ୍ତୁ ମୋ କଥା ଅଲଗା । ମୋ ଝିଅ କଦାପି ଏମିତି ସହିପାରିବନି । କାମ ଜାଣି ନଥିବା ପୁରୁଷଟିଏକୁ ସେ ସହିଯିବ କିନ୍ତୁ ଜାଣିଥିବାର ଗର୍ବରେ ତା ଦୁନିଆରେ ମାଲିକ ସାଜି ତାକୁ ଶାସନ କରି ରଖିବା ପୁରୁଷକୁ ସ୍ୱାମୀ ରୂପରେ ସମ୍ମାନ ଦେଇପାରିବନି ସିଏ ।

    କିନ୍ତୁ ……..

  ନାଇଁ ଅପା ମୋ ଝିଅକୁ ମୁଁ ଜାଣିଛି । ରୋଷେଇ ଜାଣିଥିବା ପିଲାକୁ ମୁଁ ଜମା ଜୋଇଁ କରିବିନି ।

  ହଉ ଅପା, ଫୋନ ରଖୁଛି । ମୋତେ ଟିକେ ବିଗବଜ଼ାର ଯିବାକୁ ହେବ । ଆଜି ବୁଧବାର ତ !

  ସୁମୀ ଫୋନ ରଖିଦେଲା । କୁନି ଭାବୁଥିଲା, ଶୁଣିବା ଲୋକକୁ ହୁଏତ କଥାଟା ଠିକ ଲାଗିନପାରେ କିନ୍ତୁ ମଞ୍ଜ କଥାଟିଏ କହିଦେଲା ସୁମୀ । ସାହାଯ୍ୟ କରିବା ଭଲକଥା କିନ୍ତୁ ଏଇ ଆଳରେ ମାଲିକ ସାଜି ସ୍ତ୍ରୀକୁ ଅଧୀନସ୍ଥ କର୍ମଚାରୀ ଭାବେ ରଖିବା ଆଦୌ ଠିକ୍ କଥା ନୁହେଁ ।

 ଫୋନ ରିଂ ହେବାରୁ ଭାବନରୁ ଓହରିଆସି କୁନି କଥାହେଲା ସ୍ୱାମୀ ସ୍ୱରୂପଙ୍କ ସହିତ । ସ୍ୱରୂପ କହୁଥିଲେ, ବୁଝିଲ କୁନି, ମୋ ରୁମରେ ଥିବା ପଣ୍ଡାବାବୁ ଆଜି ପଳେଇଲେ ତାଙ୍କ ନୂଆ ଚାକିରୀ ଜାଗାକୁ । ତାଙ୍କୁ ରୋଷେଇ ଜଣା ଥିଲା ବୋଲି ଆଜିଯାଏଁ ମୋର କିଛି ଅସୁବିଧା ହେଉ ନ ଥିଲା । ଏବେ ମୋର ଖାଇବା ଚିନ୍ତା । ଆଜି ତୁମେ ପଠାଇଥିବା ଲେଖାଟି ପଢି ଭାବୁଛି ନିଜେ ରୋଷେଇ କରିବା ଶିଖିବି । ଏମିତି ତ ସନ୍ତୋଷକୁ ଦେଖି ତୁମ ମନରେ ତମ ବର ହାତରେ ଖଡା ଶିଝିଲାନି ବୋଲି ବହୁତ ଦୁଃଖ !

  ସ୍ୱରୂପଙ୍କ ପାଟିରୁ କଥା ସରିବା ମାତ୍ରେ କୁନି କହିଲା, ତୁମେ ଗୋଟେ କାମ କର । ପଣ୍ଡାବାବୁଙ୍କ ଜାଗାରେ ଆଉଜଣେ ଆସିବା ଯାଏଁ ଅଫିସରେ ସବୁଦିନ ଲଂଚ କରିନିଅ । ତୁମ କୁକକୁ କହିବ ସେ କିଛି ଅଧିକା ପଇସା ନେଇ ତୁମପାଇଁ ରାତି ଆଉ ସକାଳ ପାଇଁ ରୁଟି ଭଜା କିଛି କରି ପ୍ୟାକ କରିଦେବ ଯେ ତୁମର ଜଳଖିଆ ଆଉ ରାତିଖିଆ ବି ହୋଇଯିବ ।

ଶନିବାର ରବିବାର ତ ଘରକୁ ଆସିଯାଉଛ । ଦିନେ ଅଧେ ଛୁଟି ପଡିଲେ ମଗେଇଦେଵ ସ୍ୱିଗି କି ଜୋମାଟୋରୁ ।

   କିନ୍ତୁ କାହିଁକି ? ଏଇଟା ତ ଗୋଟାଏ ମଉକା ! ମୁଁ ରୋଷେଇ ଶିଖିଗଲେ ଆଗକୁ ତୁମକୁ ସାହାଯ୍ୟ କରିପାରିବି ଯେ !

  ନାଇଁ, ତମକୁ ଯାହା କହିଲି ସେଇଆ କର । ମୋ ଚିନ୍ତା କରିବା ଦରକାର ନାହିଁ । ସେଠି ଏକୁଟିଆ କଣ ରାନ୍ଧିଲ କଣ ଖାଇଲ ସେଇ ଚିନ୍ତା କରି ମୁଁ ଏଠି ମରି ପାରିବିନି । ତମେ ଭଲ ଖାଇ ଭଲରେ ରହିଲେ ମୁଁ ଚିନ୍ତାମୁକ୍ତ ହେଇ ରହିବି ନା ନାହିଁ ?

 ହଉ, ତାହେଲେ ସେଇଆ କରିବି କହି ଫୋନ ରଖିଦେଲେ ସ୍ୱରୂପ ।

   କୁନି ଭାବୁଥିଲା, ଲଗାମକୁ ହାତରୁ ଖସେଇଦେଲେ ପରେ ଘୋଡା ସହିତ ଥେଇଥେଇ ନାଚିଲା ବେଳେ କେହି ଜଣେ ବି ତା ପିଠିରେ ପଡିବେନି ଟି !

   



Rate this content
Log in