Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Shaktiprava Mishra

Tragedy


4.3  

Shaktiprava Mishra

Tragedy


ଲାଲ ଶଙ୍ଖା

ଲାଲ ଶଙ୍ଖା

4 mins 355 4 mins 355

  

                   ଚାରିଆଡେ ଦେବୀମାର ମୂର୍ତି ଆଉ ତୋରଣ । ଶାରଦୀୟ ଦୁର୍ଗାପୂଜାର ମହାସମାରୋହ । ନଦୀପଠାରେ କାଶତଣ୍ଡିର ସମ୍ଭାର । ନିର୍ମଳ ଶରତ ଆକାଶରେ ଆଉ ନ ଥିଲା କଳା ଧଳା ମେଘଖଣ୍ଡ । ସୁମନ୍ତର ଘର ପାଖ ଦେଇ ବହି ଯାଉଥିବା ନଦୀଟି ବର୍ଷାଜଳରେ ଫୁଲିଫୁଲି ମଦମତ୍ତ ହୋଇ ଆଗକୁ ଧାଉଁଥିଲା ସତେ ଯେମିତି ସାଗର ସହିତ ମିଶିଯିବାକୁ କେହି ତାକୁ ଆଉ ରୋକିପାରିବେନି । ଯେମିତି ଆଳ୍ପନା ସହିତ ମିଶିଯିବାକୁ ଦିନେ ସୁମନ୍ତକୁ କେହି ରୋକି ପାରିନଥିଲେ ।

      ଏଥର ପୂଜାଛୁଟିରେ ଆଳ୍ପନା ପୁଅକୁ ନେଇ ଘରକୁ ଆସିବା ଦିନଠୁ ସୁମନ୍ତକୁ ଆଉ କିଛି ଭଲ ଲାଗୁନି । ରହିରହି କେବଳ ଆଳ୍ପନାର ହସ ହସ ମୁହଁଟା ଆଖି ଆଗରେ ଥେଇଥେଇ ନାଚିଉଠୁଛି । ଏଇ ସୁନ୍ଦର ମୁହଁଟା ପଛରେ ପୁଣି ବାୟା ହେଇଥିଲା ଦିନେ ସିଏ । ଆଜି ସେଇ ହସ ହସ ମୁହଁ ଭିତରର ବିଷବୋଳା ଗୁଣ ସବୁ ଏବେ ଉକୁଟି ଉଠୁଛି ମୁହଁ ଉପରକୁ । ରାସ୍ତା କଡ଼କୁ ଥୁ..ଉ କରି ଛେପ ଲେଣ୍ଡାଏ ପକେଇ ସୁମନ୍ତ କହିଲା , ଶଃ.... ମାଇକିନାକୁ ଚାକିରୀ ନାଁ ରେ ବାହାରକୁ ପଠେଇଲେ ଯାହା ହେବାକଥା । କହୁଛି କଣ ନା ଦୁହେଁ ଚାକିରୀ ନ କଲେ ପଇସା ଅଣ୍ଟିବନି । ସବୁ ମିଛ ! ସେ ଗାଁ ସରପଞ୍ଚର ଘରେ ପିଲାଟକୁ ଧରି ଭଡା ରହିଛି । ଭଲମନ୍ଦ ହେଲେ ତାକୁଇ ଡାକ ଛାଡ଼ୁଛି । ଅଧିକ ମିଳାମିଶା କରି ତା ସହିତ ଭାବ ଲଗେଇବସିଲାଣି । ପଚାରିଲେ କହୁଛି ସେ ମୋର ଭାଇ  ଗତବର୍ଷ ଆଳ୍ପନାର ଚାକିରୀ ଜାଗାରେ ଏଇ କଥାକୁ ନେଇ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ଲାଗିଲା । ଆଳ୍ପନାକୁ ଡ଼ରେଇବା ପାଇଁ ସୁମନ୍ତ ଧାଇଁଗଲା ଘରବାଡି ପଛପଟେ ଯାଇଥିବା ଟ୍ରେନ ଲାଇନ ଆଡକୁ । ସେଇଠୁ ଖଣ୍ଡେ ଦୂରରେ ଥିଲା ଷ୍ଟେସନ । ଟ୍ରେନଚଢ଼ି ଘରକୁ ଚାଲିଆସିବାକୁ ଭାବିଲା ବେଳକୁ ସେ ସରପଞ୍ଚ ପ୍ରଶାନ୍ତକୁ ଡାକିଆଣି ତାକୁ ଜୋର ଜବରଦସ୍ତି ପୁଣି ଫେରେଇନେଲା ଘରକୁ । ସେଦିନ ରାତିରେ ହସିହସି କହିଲା ,କଣ ଡ଼ରାଉଥିଲ ମୋତେ ? ବାହା ହୋଇଛ ମାନେ ଆଉ ପଳାୟନ କରିପାରିବନି ତୁମେ । ତୁମେ ଯୁଆଡେ ଗଲେ ମୋ ପ୍ରେମ ତୁମକୁ ମୋ ପାଖକୁ ପୁଣି ଫେରେଇଆଣିବ ।    ପ୍ରେମ ନାଁ ପ୍ରଶାନ୍ତ ? ସେ ଏତେ ବି ବୋକା ନୁହଁ ମ ତା ଫେରିଆସିବା ପାଇଁ ନୁହଁ ସୁମନ୍ତର ହାର ପାଇଁ ଆଳ୍ପନା ସେଦିନ ଏମିତି ହସିଥିଲା ବୋଲି ଜାଣିପାରିବନି ସିଏ । ହାତ ମୁଠାରୁ ବାଲି ତଳକୁ ଖସିପଡିବା ଭଳି ତା ହାତରୁ ଆଳ୍ପନା ଖସିଯାଉଛି ଜାଣିଲେ ବି ସେ କିଛି କରିପାରୁନି । ଏବେ ତା ଘରପାଖ ପ୍ରିୟ ନଈପଠା , ବାଉଁଶ ବଣ , ଜଙ୍ଗଲ ,ପାହାଡ଼ ସବୁ ମରୁଭୂମି ପରି ଲାଗୁଛି ତାକୁ । ମନରୁ ସବୁ ସରାଗ ଲୋପ ପାଇଯାଉଛି । ଗତବର୍ଷ ଦେବୀ ମା ଆସିଲା ଆଉ ପୂଜାପାଇ ଫେରିଗଲା ପଛେ ସୁମନ୍ତ ଘରୁ ଗୋଡ଼ କାଢ଼ିଲାନି । ଆଳ୍ପନା ଗଜରଗଜର ହେଲା ।କହିଲା ସ୍କୁଲ ଛୁଟି ବୋଲି ମୁଁ କଟକ ଦୌଡ଼ିଆସିଲି । ପିଲାଟାକୁ ନେଇ ଟିକେ ଦଶହରା ମେଢ଼ ଦେଖେଇଲନି । ତମେ କଣ ଫରେନ ବୁଲେଇ ଆଣିବା ବାପ ଯେ ଘରପାଖ ଜାନି ଯାତରା ସବୁ ତମକୁ ଛି ଲାଗୁଛି ।

        ଏଥର ବି ଆସିବା ଦିନଠୁ ଆଳ୍ପନା ସେଇ ଗୋଟିଏ କଥାକୁ ଘୋଷି ହେଉଛି । ସ୍ତ୍ରୀ ରାଉରାଉ ହେଲେ ମନରେ କୋଉ ଶାନ୍ତି ରହୁଛି ଯେ ! କମ୍ପାନୀକୁ ଆସିବାବେଳେ ଆଜି କହିଦେଇ ଆସିଥିଲା ସିଏ ସନ୍ଧ୍ୟାରେ ପୂଜାମେଢ଼ ଦେଖେଇବାକୁ ନେବ । ସୁମନ୍ତ ଜଲଦି ଜଲଦି ମଟରସାଇକେଲ ଆଗକୁ ଚଳେଇଲା । ଘରେ ପହଁଚିଲା ବେଳକୁ ଦୁହେଁ ପ୍ରସ୍ତୁତ ହୋଇ ବସିଥିଲେ  । ଦୁହିଁଙ୍କୁ ସାଥିରେ ନେଇ ସେ ବାହାରିଗଲା ବଜାରବୁଲି । ଅନେକ ଦିନ ପରେ ପୁଣିଥରେ ସୁମନ୍ତ ଖୁସିରେ ବିତେଇଥିଲା ସମୟକୁ । ଆଳ୍ପନା ଠାରୁ ଦୂରେଇ ଦୁରେଇ ରହିଲେ କୋଉ ମନଟା ଭଲ ରହୁଛି ଯେ ତାର !

             କଟକ ସହରର ଗଳି କନ୍ଦିରେ ଯେତେ ଯେଉଁଠି ସୁନାମେଢ଼ ,ଚାନ୍ଦିମେଢ଼ ଥିଲା ସବୁ ବୁଲେଇ ଦେଖେଇଲା ସୁମନ୍ତ। ପୁଅଟା ଖୁସିରେ ନାଚିଉଠି କହିଲା ଆମେ ସବୁବର୍ଷ ଏଠିକୁ ବୁଲିଆସିବା । ସୁମନ୍ତ ହଁ କଲା ।   ସେଦିନ ତିନିଜଣ ମିଶି ଦହିବରା ଆଲୁଦମ ,ଗୁପଚୁପ, ଆଉ ମିଠା ପେଟପୁରା ଖାଇଲେ , କିଛି ଜିନିଷ କିଣାକିଣି କଲେ । ପୁଅପାଇଁ କିଣିଥିବା ବେଲୁନକୁ ତା ହାତରେ ଧରେଇ ସମସ୍ତେ ଘର ଅଭିମୁଖେ ଫେରିଲେ ।

   ଥଂଡାପବନ ଦେହରେ ବାଜିବାରୁ ପୁଅ ଘୁମେଇପଡୁଥାଏ । ଆଉ ଟିକିଏ ବାଟ ଗଲେ ପୋଲ ପଡିବ । ପୋଲ ସରିବା ମାତ୍ରେ ନଦୀ ଧାରରେ ତଳକୁ ଗଡିଗଲେ ଖଣ୍ଡେ ବାଟରେ ପଡିବ ସୁମନ୍ତର ଘର । ମଟରସାଇକେଲ ଟା ପୋଲ ଛୁଇଁବା କ୍ଷଣି ହଠାତ ସୁମନ୍ତ ଆଳ୍ପନାକୁ ପଚାରିଥିଲା ,ଏକାଭଳିଆ ଏତେ ସେଟ ଚୁଡି କାହାପାଇଁ କିଣିଲୁ  ? ଆଳ୍ପନା କହିଲା , ପୂଜାଛୁଟି ପରେ ପୁଣି ଚାକିରୀ ଜାଗାକୁ ଯିବି ତ ! ପ୍ରଶାନ୍ତ ଭାଇର ସ୍ତ୍ରୀ ଆଉ ତା ଭଉଣୀ ପାଇଁ ବି କିଣିଦେଲି । ସରରର କରି ବ୍ରେକଦେଇ ସୁମନ୍ତ ଫୁଟପାଥ କଡ଼ରେ ଗାଡିକୁ ରଖିଦେଇ ମା ପୁଅଙ୍କୁ ଗାଡିରୁ ଓଲହେଇପଡିବାକୁ ଆଦେଶ ଦେଇଥିଲା । ଆଳ୍ପନାର ମୁହଁକୁ ଚାହିଁ ସୁମନ୍ତ କହିଲା , ସେ ଶଃ.....ଟାଉଟର ର ସ୍ତ୍ରୀ ଆଉ ଭଉଣୀ ପାଇଁ ଆଣିଥିବା ଚୁଡିକୁ ନଦୀକୁ ଫୋପାଡ଼ିଦେ ।

  ନା ...ସଧବା ସ୍ତ୍ରୀ ଟିଏ ମୁଁ । ଶଙ୍ଖା ସିନ୍ଦୁର ଦାନ କଲେ ପୁଣ୍ୟ ବଢେ ।ଦାନ କରିଥିବା ସ୍ତ୍ରୀ ର ସ୍ୱାମୀ ଦୀର୍ଘାୟୁ ହୁଏ । ତୁମର ଦୀର୍ଘଜୀବନ ପାଇଁ ମୋର ଏଇ ପ୍ରୟାସ । ଏମିତି କାମ ମୁଁ କରି ପାରିବିନି ।

   ଆଛା , ସ୍ୱାମୀର ଛୋଟିଆ କଥାଟିଏ ତୁ ମାନିପାରୁନୁ ? ତାକୁ କଷ୍ଟ ଦେଇ ଆନନ୍ଦ ଉଠାଉଛୁ ଆଉ କହୁଛୁ ମୋର ଦୀର୍ଘଜୀବନ ପାଇଁ ତୋର ଏଇ ପ୍ରୟାସ ? ଏଠି ସତୀ ସାବିତ୍ରୀ ଦେଖାଉଛୁ ମୋତେ ? ଆଳ୍ପନା ହାତରୁ ଶଙ୍ଖା ମୁଣିକୁ ଛଡେଇବାକୁ ବସିଲା ସୁମନ୍ତ ।

 ନା , ତୁମେ ବି ଏ ପାପକାମ କରିବନି କହି ଆଳ୍ପନା ଉଠିଯାଇଥିଲା ଫୁଟପାଥ ଉପରକୁ । ସୁମନ୍ତ ବି ଉପରକୁ ଉଠି କହିଲା ,ଏ ଶଙ୍ଖା ସିନ୍ଦୁର ଧରି ତୁ ମୋ ଘରକୁ ଯିବୁନି । ଆଳ୍ପନା କହୁଥିଲା ,ଏସବୁ କଣ ହେଉଛି ତୁମର ? ପିଲାଟା ଆବାକାବା ହୋଇ ଆମ ମୁହଁକୁ ଚାହିଁଛି । ଘରକୁ ଚାଲ । ମଝି ରାସ୍ତାରେ ଠିଆକରେଇ କଣ ପାଇଁ ମୋତେ ଏମିତି ଅପଦସ୍ତ କରୁଛ ? ସେମିତି ହେଲେ ସତ କହୁଛି ଏଇଠୁ ଡେଇଁପଡି ନଦୀରେ ଜୀବନ ହାରିଦେବି ମୁଁ ।

  ଉପରମୁଣ୍ଡରୁ ବର୍ଷାଜଳ ପଡି ନଦୀ ଯେମିତି ଫୁଲିଉଠେ ସେମିତି ରାଗରେ ଫୁଲିଉଠି ସୁମନ୍ତ କହିଲା , ଧମକୋଉଛୁ ମୋତେ ?ଭାବୁଛୁ ଡରିଯିବି ମୁଁ ? ତୁ ଶଙ୍ଖା ଫୋପାଡ଼ିବୁ ନା ନାହିଁ ? ଶେଷଥର ପାଇଁ ତୋତେ କହିଦେଉଛି । ପରେ ଆଉ ମୋତେ ଦୋଷ ଦେବୁନି ।     ନା......ଏଇଟା ହିଁ ମୋର ଶେଷ ଉତର ।

          ଆଖି ପିଛୁଳାକେ ପୋଲ ଉପରକୁ ଉଠି ଖପ କରି ସୁମନ୍ତ ଡେଇଁପଡ଼ିଲା ନଦୀଗର୍ଭକୁ । ଆଳ୍ପନାର ହାତରୁ ତଳକୁ ଖସିପଡ଼ି ଖଣ୍ଡ ଖଣ୍ଡ ହୋଇଗଲା ଲାଲଶଙ୍ଖା ସବୁ । । ନଦୀର ଅକାତକାତ ପାଣି ନିଜର ହୋସ ହରେଇ ଯେମିତି ଖରସ୍ରୋତ ରେ ଧାଉଁଥିଲେ ସୁମନ୍ତ ତାର ସବୁ ସନ୍ଦେହକୁ ସାଥିରେ ଧରି ନଦୀଜଳ ସାଥିରେ ନିଜେ ନଦୀଟିଏ ସାଜି ବହିଗଲା ମୃତ୍ୟୁର କରାଳସମୁଦ୍ରକୁ ଭେଟିବାକୁ ।  



Rate this content
Log in

More oriya story from Shaktiprava Mishra

Similar oriya story from Tragedy