Shaktiprava Mishra

Abstract

4.0  

Shaktiprava Mishra

Abstract

କଳା ମେଘ

କଳା ମେଘ

2 mins
263


   ମଙ୍ଗଳା ମନ୍ଦିରର ଠିକ୍ ସାମ୍ନାରେ ଥିବା ଘରଟିର ଛାତ ଉପରକୁ ଝୁଙ୍କି ରହିଥିଲା ଏକାଠି ବଢ଼ୁଥିବା ଦୁଇଟି ମନ୍ଦାର ଗଛର ଡାଳପତ୍ର । ସକାଳୁ ସକାଳୁ ମୁଁ ମୋ ଛାତ ଉପରକୁ ଯାଇ ଦେଖିଲି ଗଛଟି ନାଲି ଆଉ ହଳଦିଆ ଫୁଲରେ ମଣ୍ଡିହୋଇ ରହିଛି । ଛାତ ପାଚେରୀକୁ ଆଉଜି ପଡ଼ି ପଡିଶା ଘରର ସେ ଗଛକୁ ମୁଗ୍ଧ ହୋଇ ଘଡିଏ ଚାହିଁରହିଲି ମୁଁ । ଗତକାଲି ରାତିରେ ଅସରାଏ ବର୍ଷା ହୋଇଯାଇଥିବାରୁ ଥଣ୍ଡା ପବନ ବାଜି କୋହଲି ଉଠୁଥିଲା ଦେହ । ଗଛର ପତ୍ର ମାନଙ୍କର ସବୁଜିମା ଅଧିକ ସ୍ପଷ୍ଟ ଦେଖାଯାଉଥିଲା ଆଉ କୁଆଁରୀ ଝିଅମାନେ ନାନା ରଙ୍ଗର ବେଶ ପୋଷାକରେ ସଜେଇ ହୋଇ ରଜଦୋଳି ଖେଳିବା ପରି ସତେଜ ଫୁଲମାନେ ନିଃସଂକୋଚରେ ଝୁଲୁଥିଲେ ଗଛଡ଼ାଳରେ । ମୁଣ୍ଡଉପରେ ଆକାଶ ଦେହରେ ଏବେ ବି ଝୁଲୁଥିଲା ଚକଡ଼େ ଧୂସର ମେଘଖଣ୍ଡ ।


   କିଛି କଳା ଭଅଁର ରସ ଚୁଚୁମିବା ପାଇଁ ପାଗଳ ପ୍ରାୟ ଘୁରୁଥିଲେ ଫୁଲରୁ ଫୁଲକୁ ଆଉ ଚପଳ ଶିଶୁମାନଙ୍କ ପରି ରଙ୍ଗୀନ୍ ପ୍ରଜାପତିମାନେ ଉଡ଼ୁଥିଲେ ଏପଟରୁ ସେପଟକୁ । କିଛି ଛୋଟ ପକ୍ଷୀଙ୍କର ଚିଁ ଚାଁ କଳରବରେ ମୁଖରିତ ହୋଇଉଠିଥିଲା ପରିବେଶ । ଗଛ ଆଉ ତା ଚାରିପାଖର ସୌର୍ନ୍ଦଯ୍ୟକୁ ଚାହିଁ ରହିଥିଲା ବେଳେ ମୋର ମନେ ହେଇଥିଲା ଜାଲି ରଡର ଦୁଆର ଫାଙ୍କ ଦେଇ ମଙ୍ଗଳା ମା’ ବି ଏ ଅପୂର୍ବ ଦୃଶ୍ୟକୁ ନିଜ ଆଖି ଆଗରେ ଦେଖି ବିଭୋର ହୋଇ ଉଠୁଥିବେ ।

   ହଠାତ୍ ପଡୋଶୀଙ୍କ ଝିଅ ହାତରେ ଗୋଟିଏ ବାଡି ଆଉ ଏକ ବଡ ଝୁଡିଧରି ଗଛ ପାଖରେ ପହଁଚିଗଲା । ତାକୁ ଦେଖି ଗୁଣୁଗୁଣୁ ଗୀତ ଗାଇ ଖୁସିରେ ନାଚୁଥିବା ଏଇ ଜୀବମାନେ ଯିଏ ଯାହା ବାଟରେ ପ୍ରାଣ ଭୟରେ ଦୂରକୁ ଉଡିଗଲେ । ଟପ୍ ଟାପ୍ କରି ଝିଅଟି ସେତେବେଳେ ଯାଏଁ ଫୁଲସବୁକୁ ତୋଳିଥିିଲା ଯେ ପର୍ଯ୍ୟନ୍ତ ଗଛର ଶେଷ ଫୁଲକୁ ସେ ଝୁଡି ଦେହରେ ନ ପକାଇଛି । ପୂର୍ଣ୍ଣ ଗଛଟି ଶୂନ୍ୟ ପାଲଟି ଯାଉଥିବାର କରୁଣ ଦୃଶ୍ୟକୁ ମୁଁ ସ୍ଥାଣୁ ପାଲଟି ଦେଖୁଥିଲି ବଡ ଅସହାୟ ଭାବରେ ।


           ଫୁଲ ଝୁଡିଟିକୁ ହାତରେ ଉଠାଇ ଘରକୁ ଫେରିଯିବା ବେଳେ ଝିଅଟିର ନଜର ପଡିଗଲା ମୋ ଉପରେ । ମୁହଁରେ କୃତିତ୍ୱର ହସ ଖେଳାଇ କହିଲା, ଆଂଟି, ଆଜି ମଙ୍ଗଳବାର ତ । ଏ ଫୁଲକୁ ମାଳକରି ମୋତେ ମଙ୍ଗଳା ମନ୍ଦିରରେ ଦେବାକୁ ହେବ । ଡେରି କଲେ ପୂଜାରୀ ନନା ପଳେଇବେ । ମୁଁ ଆସୁଛି ।


   ଝିଅଟି ଫୁଲଝୁଡି ଧରି ତଳକୁ ଚାଲିଗଲା । ଶୂନ୍ୟ ଗଛ ଆଉ ତା ଚାରିପାଖର ନିଶବ୍ଦ ପରିବେଶକୁ ଦେଖି ହାହାକାର କରି ଉଠୁଥିଲା ମୋ ହୃଦୟ । ମୁଁ କରୁଣ ଦୃଷ୍ଟିରେ ଆଉଥରେ ମନ୍ଦିର ଆଡକୁ ଚାହିଁଲି । ମନେହେଲା ମା’ ମଙ୍ଗଳା ବି ମୋ ଭଳି ନିର୍ବାକ୍ ସାଜି ଦୁନିଆ ଆଗରେ କେବଳ ତାଙ୍କର ଅସହାୟତା ପ୍ରକଟ କରୁଛନ୍ତି ।

        ଦେହରେ ଦୁଇଚାରି ବୁନ୍ଦା ପାଣି ପଡିବା ମାତ୍ରେ ମା’ଙ୍କ ପାଖରୁ ଆଖି ଫେରେଇ ଆଣି ଆକାଶ ଆଡେ କିଛି ସମୟ ଚାହିଁଥିଲି ମୁଁ । ସେତେବେଳକୁ ଧୂସର ମେଘଖଣ୍ଡ ସବୁ ଗାଢ଼ କଳା ରଙ୍ଗ ଧାରଣ କରି ସତେ ଯେମିତି ଅଭିମାନରେ ଫାଟିପଡ଼ିବାକୁ ପ୍ରସ୍ତୁତ ହେଉଥିଲେ ।


Rate this content
Log in

Similar oriya story from Abstract