ABhimanyu Panda

Romance

5.0  

ABhimanyu Panda

Romance

---------ଦହନ-------- ×××××××××

---------ଦହନ-------- ×××××××××

15 mins
238


ଆଇନା ପ୍ରତି ନାରୀ ମାନଙ୍କର ଦୁର୍ବଳତା ଅହେତୁକ ,,। ଯଦି ସୁନ୍ଦରୀ ହେଇଥିବେ କଥା ସରିଲା ,,। ରୋଷେଇ ଘରର ମସଲା ଛିଟା ଯଦି ମୁହଁରେ ପଡ଼ିଥିବ ,, ଜାଣିବ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ପଣତରେ ଘଷି ଯେ ପର୍ଯ୍ୟନ୍ତ ମୁହଁରେ କ୍ଷତର ପଦ୍ମ ନଫୁଟିଛି ମନକୁ ଶାନ୍ତି ମିଳେନି ,, ସେ ସମୟରେ ଏମିତି ଆଇନା ଦେଖୁଥିବେ ସତେ ଯେମିତି ଆଇନାର ସେ କାଚ ଭିତରେ ଥିବା କୁହୁକ ଦୁନିଆଁରେ ପ୍ରବେଶ କରିଯିବେ ,,,। କୁହୁକ ରାଜ୍ୟର ମନ୍ତ୍ରସିକ୍ତ ଜଳରେ ସ୍ନାନ କରି ନିଜକୁ ଚିର ସୁନ୍ଦରୀ କରିଦେବେ ,,।

ନାରୀର ସେ ସୁନ୍ଦରତା କଣ ତା ନିଜ ପାଇଁ ନିଜ ଲାଗି ସେ ଏମିତି ଘଣ୍ଟା ଘଣ୍ଟା ଆଇନା ଆଗରେ ସଜେଇ ହୁଏ ,,। ଆଇନା ସାମ୍ନାରେ ନିଜ ପ୍ରତି ଅଭିମାନ କରେ ? ହୁଏତ ନା । ଆଇନା ବ୍ୟତିରେକ ସେ ଆଉ ଜଣକୁ ଅପେକ୍ଷା କରିଥାଏ ତାର ସୁନ୍ଦରତା କୁ ଦେଖୁ ,,, ପଦେ କହୁ ତା ସୌନ୍ଦର୍ଯ୍ୟ ବିଷୟରେ ,,। ଆକର୍ଷିତ ହେଇଯାଉ ତାର ରୂପକାନ୍ତି ପ୍ରତି ,,। ତାହା ହୁଏ ମଧ୍ୟ । ପ୍ରାୟ ସମସ୍ତଙ୍କ ସହିତ ଏମିତି ଘଟେ ,,। ହେଲେ ମୋପରି କିଛି ଅଭାଗୀନି ବି ଥିବେ ନିଶ୍ଚିତ ,,। ନାଇଁ ମୋପରି ଆଉ କେହି ନଥିବେ କିମ୍ବା ଆଉ କାହାରି ଭାଗ୍ୟ ମୋପରି ପାଉଁଶ ନହେଉ । ମୋର ତ ଏ ଆଇନା ଶତୃ ସମ । ଦେଖିବା ମାତ୍ରେ ମନରେ ଭରିଯାଏ ବିଷାଦ । 

ପ୍ରିୟତମର ଚକ୍ଷୁ ଆଇନାରେ ଯଦି ନାରୀଟିଏ ନିଜକୁ ନଦେଖିପାରିଲା ତାହେଲେ ସେ ରୂପ ସୌନ୍ଦର୍ଯ୍ୟର କଣ ମୂଲ୍ୟ ? ମୋର ଏ ପୋଡ଼ା ଭାଗ୍ୟ ଲାଗି ସତରେ କଣ ମୁଁ ଦାୟୀ ? ହଁ ହଁ ମୁଁ ହିଁ ଦୋଷୀ । କାହିଁକି ସେ ଅତୀତକୁ ମନେ ପକେଇବି ? ଯାହା ପ୍ରତି ମୁହୂର୍ତ୍ତରେ ଜାଳୁଛି ମୋତେ ,,। ସେ ସେ କଣ ମନରୁ ଯାଏ କି ? କେତେ ଆଶାନେଇ ସଂସାର ଗଢ଼ିବା ଆଶାରେ ଆସିଥିଲି ବଧୂଟିଏ ହେଇ । ଆଖିରେ ଆଖିଏ ସ୍ୱପ୍ନ ,,। ଆଖି ବାହାରକୁ ବି ସ୍ୱପ୍ନ ସବୁ ଉଛୁଳି ପଡ଼େ । ଘର ସାଙ୍ଗକୁ ବର ବି ସେମିତି ମିଳିଥିଲା , ପାଦ ତଳେ ଲାଗୁନଥିଲା ,, ବିବାହ ସ୍ଥିର ପରେ ମୋ ସାନଭାଇ ଯେତେବେଳେ ୟାଙ୍କ ଛବିଟିଏ ଦେଖେଇଥିଲା ,, ସେଦିନ ଠାରୁ ତ ମୁଁ ଆଉ ମୁଁ ହେଇକି ନଥିଲି ,,। 

ମୋ ଭିତରେ ଆଉ ଗୋଟେ ନାରୀଟିଏ ଜୀବନ୍ତ ହେଇଯାଇଥିଲା । ଯିଏ ଭାରି ଦୁଷ୍ଟାମୀ କରୁଥିଲା ଆଉ ଅସନା ଅସନା କଥା ସବୁ କହିଯାଉଥିଲା ମୋତେ ,,। କି କନ୍ଦର୍ପ ପରିକା ରୂପ ୟାଙ୍କର ,, ଯାହା ଆଜିଯାଏ ରହିଛି ,,। ମିଳନର ଆଶା ଟା ମନ ଭିତରେ ବିଦ୍ରୋହୀର ରୂପ ନେଉଥିଲା ସେ ଫଟ ଦେଖି ,,। ସାଙ୍ଗ ସଖି ମାନଙ୍କର ଟାହିକୁ ଉପରେ ଉପରେ ରାଗୁଥିଲେବି ,, ମନଭିତରଟା ଚାହୁଁଥିଲା ସବୁବେଳେ ଏମାନେ ଏମିତି କୁହନ୍ତେକି । ମୋ ଚାଲି ବଦଳି ଯାଇଛି ବୋଲି ମୋ ଭାଉଜ କହୁଥିଲେ ସେ ସମୟରେ ,,। ମୋର କାହିଁକିବା ସବୁ ନାରୀ ଏମିତି ଭାବୁଥିବେ ନିଶ୍ଚୟ । କନିଆଁ ସାଜି ଦଶଦିଗପାଳଙ୍କୁ ସାକ୍ଷୀ ରଖି ଜନ୍ମଜନ୍ମରେ ଏକାଠି ରହିବାର ପ୍ରତିଶୃତି ନେଇ ଚାଲି ଆସିଲି ସ୍ବପ୍ନର ମହଲକୁ । ଏଠି ବୋହୂ ଦେଖିବାକୁ ପ୍ରବଳ ଭିଡ଼ ,,। ମାନେ ମୋତେ ଦେଖିବାକୁ । 

ବୋହୁ ନୁହେଁତ ଲକ୍ଷ୍ମୀ ପ୍ରତିମାଟିଏ । ଗୋଟିଏ ଚାଉଳରେ ଗଢ଼ା । ଆମ ଶାନ୍ତନୁଟା କପାଳିଆ ଟା ,, । ଆଉ କି କଥା କହୁଛ ,, କପାଳିଆ ତ ଏ ଆମ ନୂଆବୋହୁ ,, ନିଶ୍ଚିତ ଷୋଳ ସୋମବାର ବ୍ରତ କରିଥିବ ,, ନହେଲେ ଶାନ୍ତନୁ ଭଳି ବର ମିଳିବା କଣ ଛୋଟିଆ କଥାକି ,,। 

ଏମିତି କେତେ କଥା ,,ମୋତେ ଦେଖିବାକୁ ଆସୁଥିବା ଝିଅ ଆଉ ଅନ୍ୟ ମହିଳା ମାନେ ଏମିତି କେତେ କଥା କହୁଥିଲେ ,,। ସେମାନେ ନିଜେ ନିଜେ ଦୁଇପକ୍ଷରେ ବିଭକ୍ତ ହେଇ ଏମିତି ଯୁକ୍ତି ସବୁ ବାଢ଼ୁଥିଲେ । ମୋ ଆଖି ସେଇ କନ୍ଦର୍ପରୂପୀ କୁ ଖୋଜିହେଉଥିଲା ,,। ସମୟ ଟା ଅଳସେଇ ଯାଇଛି ଯେମିତି ଲାଗୁଥିଲା ।

ଗାଡ଼ିରେ ବାହୁଡ଼ା ସମୟରେ ,, ନିଜର ଜନ୍ମସ୍ଥାନ ବାଲ୍ୟସଖୀ ,, ଜନ୍ମଦାତା ଆଉ ସବୁ ସମ୍ପର୍କକୁ ଛାଡ଼ିଲା ବେଳେ ମନରେ ଯେଉଁ ଦୁଃଖ ଆଉ ଆବେଗ ଆସିଥିଲା ,,। ସେ ଗାଡ଼ି ଭିତରେ ପଶୁ ପଶୁ ମୋ ଓଢଣା ଫାଙ୍କରୁ ୟାଙ୍କୁ ଦେଖି ସେ ଦୁଃଖ ସେ ବିରହ ମୋ ମନରୁ ଲିଭି ଯାଇଥିଲା । ବିରହ ବିଳାପ ବନ୍ଦ ହେଇଯାଇଥିଲା କେଇ ମୁହୂର୍ତ୍ତ ପାଇଁ । ଦୁଃଖ ଅପ୍ରତ୍ୟାଶିତ ଭାବେ ସୁଖରେ ପରିବର୍ତ୍ତିତ ହେଇଯାଇଥିଲା । ୟାଙ୍କୁ ଦେଖିବାପରେ ଲୋକ ଦେଖାଣିଆ ବୋବାଳି ଛାଡ଼ୁଥିଲି ଯାହା । ବାହାଘର ସାହିର ଭିଡ଼ ଆଉ ବନ୍ଧୁକୁଣିଆ ଚର୍ଚ୍ଚାରେ ନିୟୋଜିତ ଥିବା ମୋ ମନର ମଣିଷ କେବେକେବେ ମୋ ଆଖିଆଗକୁ ଆସି ପୁଣି ଆଢୁଆଳରେ ଲୁଚିଯାନ୍ତି ,,। 

ପ୍ରଥମ ମିଳନର ସେ ରାତି ,, ସେ ଛୁଆଁ ,,, ସେ ପ୍ରିତିପୂର୍ଣ ସମ୍ଭାଷଣ ,, କି ବିଶ୍ୱାସ ପୂର୍ଣ୍ଣ କଥାସବୁ ,,। ଜନ୍ମରୁ ଜନ୍ମସ୍ଥାନ ପ୍ରତିଥିବା ସେ ମୋହକୁ ଏକାଥରକେ ମନରୁ ନିଶେଷ କରିଦେଇଥିଲା ,,। ଗ୍ରୀଷ୍ମ ଅବସାନେ ପହିଲି ବର୍ଷାରେ ଭିଜାମାଟିର ବାସ୍ନା ପରି ମୋର ଦେହ ଆଉ ମନ ମହକି ଯାଉଥିଲା ,,। ହରେଇବାର ଦୁଃଖ ଉପରେ ପାଇବାର ଆନନ୍ଦ ରାଜତ୍ୱ କରୁଥିଲା । ୟାଙ୍କର ସେ ଶକ୍ତ ପଞ୍ଝାର ବନ୍ଦୀଗୃହ ଆନନ୍ଦ ଦେଉଥିଲା ,,। ଲଜ୍ଜା ,!!,,,ଲଜ୍ଜା ଶବ୍ଦଟା ତ ମୋତେ ଲଜ୍ଜା କରୁଥିଲା । ଭାଉଜମାନେ ବି କହିଦେଇଥିଲେ ଆଗରୁ ଲଜ୍ଜାକୁ ଜାବୁଡ଼ି ଧରିବୁନି ,,। କହିବେ କଣ ବା ଲଜ୍ଜାପରା ଆପେଆପେ ନିଜର ଉପସ୍ଥିତିକୁ ଶୂନ୍ୟ କରି ,,, କ୍ଷତାକ୍ତକୁ ଅନୁରୋଧ କରେ ,,, ଆତୁରତା ଅସ୍ଥିରତା ବଢ଼େଇ ଦିଏ ମନରେ । କେବଳ ମୁଁ ଆଉ ଆମେରେ ପୃଥିବୀ ଟା ସୀମିତ ହେଇଯାଏ । 

କେଇଟା ଦିନରେ ଶାଶୁମା ଘରର ଚାବିକାଠି ମୋ ହାତକୁ ଟେକିଦେଲେ ,,। ନିଜର କଲିଜା ତାଙ୍କ ପୁଅକୁ ତ ପୂର୍ବରୁ ଟେକିଦେଇଥିଲେ ମୋ ହାତରେ ,,। ବାପ ଛେଉଣ୍ଡ ପୁଅ ,, ପିଲାଟି ବେଳରୁ ମା ଙ୍କ ତତ୍ୱାବଧାନରେ ବଢ଼ିଛ । ଜମିବାଡ଼ି ର ଅଭାବ ନାହିଁ ,, ମା କିନ୍ତୁ ସ୍ୱାମୀକୁ ହରାଇବାର ଦୁଃଖ ଭୁଲିଯାଇ ପୁଅର ଉଜ୍ଜ୍ୱଳ ଭବିଷ୍ୟତ ଭାବି ଚାରି ଆଡ଼କୁ ଆଖି ରଖିଥିଲେ ,,। ଏ ଅଞ୍ଚଳରେ ତ ସେ ସମସ୍ତଙ୍କର ବନ୍ଦନୀୟା । ନିଜର ଅନ୍ତର୍ବେଦନା ବିଷୟରେ ପୁଅକୁ ତିଳେମାତ୍ର ଜଣେଇବାର ସୁଯୋଗ ଦିଅନ୍ତିନି । ପୁଅର ବି ଆତ୍ମା ମା ଙ୍କୁ ସମର୍ପିତ ,,। ମା ମାନେ ପିଲାର ମନ କଥା ଜାଣନ୍ତି ହେଲେ ଇଏ ମା ମନକଥା ଜାଣି ସେଇ ଅନୁସାରେ ସବୁ କାର୍ଯ୍ୟ କରନ୍ତି ,। କଟିଚାଲିଲା ଦିନ ଗୁଡ଼ିକ ଅତି ଆନନ୍ଦରେ ଏ ସ୍ନେହ ରଙ୍କା ମଣିଷ ମାନଙ୍କ ପାଖରେ । ତିନିମାସ ପରେ ତମର ବାହାରକୁ ଘରୁ ଦୂରରେ ରହିବାର ଆଦେଶ ଆସିଲା ସରକାର ତରଫରୁ ,,। 

ବିଭାଗୀୟ ଉଚ୍ଚ ଅଧିକାରୀ ଯେତେବେଳେ ,,। ଆଦିବାସୀ ଅଞ୍ଚଳରେ ଶିକ୍ଷାର ମାନ ଆଉ ସେଥିରେ ବାଧକ ଉପାଦାନ ଗୁଡ଼ିକ ଚିହ୍ନଟ କରିବା ସରକାରଙ୍କ ନିର୍ଦେଶ ଥିଲା । ମାଙ୍କୁ ତ ମନେଇଦେଲ ,,, ହେଲେ ମୁଁ ସହଜରେ ଗ୍ରହଣ କରିପାରୁନଥିଲି ତମଠୁ ଦୂରରେ ରହିବାଟା ,,। ହାତରୁ ମେହେନ୍ଦୀ ଆଉ ପାଦରୁ ବାଡ଼ୁଅ ଅଳତା ଏଯାଏ ଲିଭିନି ,,, ତାପରେ ସେ ମିଳନ ରାତିରୁ ବଞ୍ଚିତ ହେବାଟା ମୁଁ ଗ୍ରହଣ କରିପାରୁନଥିଲି ,,। ତୁମେ ପକ୍ଵ ମଣିଷଟିଏ । ବୁଝେଇସୁଝେଇ ଚାଲିଗଲ । ଅପେକ୍ଷା କରିବାକୁ କହି । ଦିନ ଯେମିତି ସେମିତି କଟିଯାଉଥିଲା ,, ରାତିଟା ବଡ଼ ଅସହ୍ୟ ଲାଗୁଥିଲା । ଜଳ ବିନୁ ମାଛ ,, ବର୍ଷା ବିନୁ ଚାତକ । ଯେତେ ମଥାପିଟିଲେବି ସମୁଦ୍ରର ଶୋଷ ଅସମାପ୍ତ ପରି ମୋର ଶୋଷ ମଧ୍ୟ ଅସମାପ୍ତ ଲାଗୁଥିଲା ।

ତୁମ ଅନୁପସ୍ଥିତିରେ ମୋ ଭଉଣୀର ଦିଅର ବୁଲି ଆସିଥିଲେ । ଚଞ୍ଚଳ ମନକୁ ଆୟତ୍ତ କରିପାରିଲିନି । ତୁମ ପାଖରେ ଫିଙ୍ଗିଥିବା ଲଜ୍ଜାକୁ ଆଉ ନିଜ ଭିତରେ ଜଡେଇ ପାରିଲିନି । ଆକର୍ଷିତ କରିବାରେ ଲାଗିଲି ତାଙ୍କୁ ନିଜ ଆଡ଼କୁ । ସଫଳ ବି ହେଲି । ମାତିଗଲି ଅସମାପ୍ତ ଶୋଷର ନିବାରଣରେ । କାହିଁକି କେଜାଣି ତୁମେ ଶତୃ ସମ ଲାଗିଲ ମୋତେ !!! ହୃଦୟ ମୋର ପାଞ୍ଚ ଭାଇର ଭିନ୍ନ ଘରରେ ପରିଣତ ହେଇଗଲା ,,। ଗୋଟିଏ ବଖରାରେ ତମେଥିଲ ,, ଆରଟିରେ ଆଉଜଣେ ,,। ଭାବୁଥିଲି ତୁମେ ମୋ ଭଳି ସୁନ୍ଦରୀ ସ୍ତ୍ରୀ ପାଇବାକୁ ଅଯୋଗ୍ୟ । କିଏ କଣ ଏମିତି ଛାଡ଼ିଯାଏ ,,!! ମିଳନ ଆରମ୍ଭ ହେବା ପୂର୍ବରୁ ଶେଷ କରିଦେଇଯାଏ !! ତୁମ ବିନା ମୋର ପ୍ରଥମ ମିଳନରେ ମନଟା ତମପାଇଁ ବ୍ୟଥିତ ହେଉଥିଲା । ଖୋଜୁଥିବା ସୁଖରୁ ମୁଁ ବଞ୍ଚିତ ହେଉଥିଲି ,,। ତାପରେ ତୁମକୁ ମୋ ମନରୁ ଧକ୍କାଦେଇ ବାହାର କରିଦେଲି ଆଉ ଖୋଜିବୁଲିଲି ତୃପ୍ତତାକୁ ,,। 


ମା ତ ଅପରାହ୍ଣରେ ଯାଇ ମନ୍ଦିରରେ ବସିବେ ଯେ ସନ୍ଧ୍ୟା ଗଡ଼ିଲେ ଯାଇ ଆସିବେ ,,, ପୁରାଣ ଶାସ୍ତ୍ର ଶୁଣିଲା ପରେ । ସେ ଏବେ ଦାୟିତ୍ବରୁ ମୁକ୍ତ ଯେହେତୁ । ମୋର ସେ ବନ୍ଧୁଙ୍କର ଯିବା ଆସିବା ଲାଗିରହିଲା ପ୍ରାୟ । ମନମୋର ଯେମିତି ଝୁରି ହେଉଥିଲା ତାଙ୍କୁ । ତୁମେ କେଉଁ ଦୂର ରାଇଜର ଅପରିଚିତ ପାଲଟି ଯାଇଥିଲ ମୋ ଲାଗି । ସେଦିନ ବି ମା ମନ୍ଦିର ଚାଲିଗଲା ପରେ ଆମେ ଦୁଇଟି ଦେହ ଏକ ହେଇଯାଇଥିଲୁ । ଏ ଭିତରେ ତୁମେ ଯେ କେତେବେଳେ ପହଞ୍ଚି ସାରି ତୁମରି ବିଛଣାରେ ତୁମରି ଭବିଷ୍ୟତର ମୃତ୍ୟୁ ଦେଖି ଚୁପଚାପ ବସିରହିଥିଲ ବୈଠକ ଘରେ ,,। ପ୍ରୀତି ଜଳରେ ସ୍ନାନ ସାରି ଘରୁ ବାହାରି ତମକୁ ଦେଖି ଚମକି ପଡ଼ିଲି । 

କେତେବେଳେ ଆସିଲ ତମେ ? ଏଇଠି ଏମିତି ଚୁପଚାପ ବସିଛ ଯେ ? କଥା କହିବାକୁ ଶବ୍ଦ ପାଉନଥିଲି ,,। ଅନେକ କହିବାକୁ ଥିଲେବି ତୁମେ କାହିଁକି ଆଉ କେମିତି ନୀରବ ରହିଲ ସେଦିନ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଏବେବି । ମୋର ସେ ସମ୍ପର୍କୀୟ ଜଣକ ତୁରନ୍ତ ଚାଲିଗଲେ ଆସନ୍ନ ପ୍ରଳୟର ଆଶଙ୍କାରେ ,। ହେଲେ ଆମ ଭିତରେ ସେମିତି କିଛି ଘଟି ନଥିଲା ,,। କେବଳ ଆଖି ଉଠେଇ ଚାହିଁଲ ଥରେ ,, ପାଦରୁ ମୁଣ୍ଡ ଯାଏ ,,। ଅଳ୍ପ ହସହସ ମୁହଁରେ ,,। ତମ ଆଖିରେ ପରଦା ପକାଇଥିବା ଲୁହର ସେ ଜଳାବରଣ କାଟି ତୁମ ଆଖିର ସେ ପ୍ରଶ୍ନରେ ମୁଁ ଦଗ୍ଧ ହେଉଥିଲି । 

ପିଞ୍ଜି ହେଉଥିଲା ଦେହଟା ମୋର । ହେଲେ ମୁଁ ଥିଲି ବିଦ୍ରୋହୀ ସେତେବେଳେ । ଦିନ ଯାଇ ରାତି ହେଲା ,,, । ତଥାପି ତମେ ନୀରବ ଆଉ ମୁଁ ଅନୁତାପ ରହିତ ବିଦ୍ରୋହୀ । ମୋ ପାଖରେ ନଶୋଇ ଅଲଗା ବିଛଣା ପକେଇଲ ସେଇ ଗୋଟାଏ କୋଠରୀରେ । ତୁମ ମା ତୁମ ଜୀବନ ,,। ଘଟିଯାଇଥିବା ଘଟଣା ବିଷୟରେ ଜଣେଇବାକୁ ଚାହୁଁନଥିଲ ମାଙ୍କୁ । ଉଠିଯାଇ ତମ ବିଛଣା ପାଖରେ ,, ସାମାନ୍ୟ ଉଚ୍ଚ ସ୍ୱରରେ ମୋ ମନର ବିଦ୍ରୋହକୁ ଶବ୍ଦ ରୂପରେ ତୁମ ଆଗରେ କହିବାକୁ ଲାଗିଲି । ଉଠି ବସିଲ ,, ହାତ ଯୋଡ଼ିଦେଲ । ଆଉ କେତେଟା ପ୍ରଶ୍ନ ??? 

ମୋ ପୁରୁଷତ୍ୱ ଉପରେ ତୁମର କିଛି ପ୍ରଶ୍ନ ଆଉ ସନ୍ଦେହ ଅଛିକି ? ବିବାହ ପୂର୍ବରୁ କଣ ତୁମେ ତାଙ୍କୁ ପ୍ରେମ କରୁଥିଲ ? ଯଦି ସମ୍ଭବ ହୁଏ ତୁମେ ତାଙ୍କୁ ବିବାହ କରିପାରିବ ତ ? 

ନାଇଁ ପୂର୍ବରୁ ତାଙ୍କ ସହ କୌଣସି ସମ୍ପର୍କ ନଥିଲା ମୋର ,, ସେ କେବଳ ପରିଚିତ ଥିଲେ ମୋ ଲାଗି । ପୁରୁଷ ହିସାବରେ ତୁମର ମଧ୍ୟ କୌଣସି କମି ନାହିଁ । କିନ୍ତୁ ମୋ ମନର ବିଦ୍ରୋହୀ ଏବେବି ବରୋଧର ସ୍ଲୋଗାନ ଦେଉଥିଲା । କାରଣ ବି ଅଛି ,, ମୋର ସମ୍ପର୍କୀୟ ମୋତେ ଦେଇଥିବା ପ୍ରତିଶୃତି । ମୋତେ ସେ ପୁନଃ ବିବାହ କରିବେ ବୋଲି ଦୃଢ଼ ପ୍ରତୁଶୃତି ଦେଇଥିଲେ ,,। ଯାହା ମୁଁ ଜଣେଇଦେଥିଲି ସେଦିନ ତୁମକୁ । ଦୁଃଖି ହେବା ପରିବର୍ତ୍ତେ ତୁମେ ଖୁସି ହେଲ । ଆଶ୍ୱସ୍ତ ଭାବ ଫୁଟି ଉଠିଲା ମୁଖ ମଣ୍ଡଳରେ ତୁମର । ଅଘଟଣ ତୁମ ଦୃଷ୍ଟିଗୋଚର ହେବା ପରେ ପ୍ରଥମ କରି ମୋ ଭିତରର ବିଦ୍ରୋହୀ ଟା ଦ୍ବିମନୋଭାଵ ହେଉଥିଲା । 

ତା ପରଦିନ ସକାଳୁ ସକାଳୁ ତୁମେ ମୋତେ ସାଙ୍ଗରେ ନେଇଗଲ ମୋର ସେ ପ୍ରିୟ ସମ୍ପର୍କୀୟଙ୍କ ପାଖକୁ ,,, ମୁଁ କିନ୍ତୁ ଅଜଣା ଥିଲି ତୁମ ମନୋଦଶା ବିଷୟରେ । ନିଜର ବ୍ୟବସାୟ ପ୍ରତିଷ୍ଠାନ ନିକଟରେ ଆମକୁ ଏମିତି ଅତର୍କିତ ଭାବେ ଦେଖି ମୋ ମନରେ ଅଭିଷିକ୍ତ ସେ ସମ୍ପର୍କୀୟ ଜଣକ ଆଶ୍ଚର୍ଯ୍ୟ ହେଇଯାଇଥିଲେ । ତୁମର ମନୋଭାବ ବିଷୟରେ ତିଳେମାତ୍ର ଧ୍ୟାନ ନଦେଇ ଟିକେ ନିରୋଳା ପାଇବା ମାତ୍ରେ ,, ଲତା ବୃକ୍ଷରେ ଗୁଡ଼େଇ ହେଲା ପରି ମୁଁ ମୋର ଭବିଷ୍ୟତ ଭାବୁଥିବା ସେଇ ମୋର ପ୍ରିୟ ମଣିଷଙ୍କ ଦେହରେ ଲୋଟି ପଡ଼ିଲି ,,। ଏ କଣ ତାଙ୍କର ପୂର୍ବପରି ସେ ଉଷ୍ମତା ନଥିଲା !! ତାପରେ ତମେ ତାଙ୍କୁ ପ୍ରଶ୍ନ କଲ ? 

ଶାନ୍ତ ସରଳ ଏବଂ ସ୍ଥିର ଚିତ୍ତରେ । ଆପଣ ଶାନ୍ତି ଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବେତ ? ଶାନ୍ତି ମନରେ କେବଳ ଆଉ କେବଳ ଆପଣ ଅଛନ୍ତି ,,,। ମୁଁ ତାଙ୍କୁ ସାରାଜୀବନ ବନ୍ଦୀ କରି ରଖି ଦୁଇଟି ମଣିଷଙ୍କ ଜଳିବା ସାର କରିବି ସିନା ,,, ହେଲେ ତାଙ୍କୁ ବଞ୍ଚିବା ଶିଖେଇ ପାରିବିନି ,,। ମୋର ଅନୁରୋଧ ଆପଣ ତାଙ୍କୁ କୋର୍ଟରେ ପତ୍ନୀ ରୂପେ ଗ୍ରହଣ କରନ୍ତୁ ଅନ୍ୟମାନଙ୍କୁ ନଜଣେଇ ,,,,। 

ମୋ ମନରେ କଳସୀ ଏ ଖୁସି । ହେଲେ ୟାଙ୍କର ଉଦାରତା ସ୍ତବ୍ଧ କରୁଥିଲା ମୋତେ ,,। ଉତ୍କଣ୍ଠାର ସହ ଅପେକ୍ଷା କଲି ମୋ ପ୍ରିୟ ମଣିଷଙ୍କ ଉତ୍ତରକୁ ,,। ଦୁଇଦିନ ସମୟ ମାଗିଲେ ସେ ନିଜର ନିଷ୍ପତ୍ତି ଜଣେଇବାକୁ । ଫେରିଆସିଲୁ ଆମେ । ତୁମେ କିନ୍ତୁ ତୁମର କର୍ତ୍ତବ୍ୟ ରେ ଟିକେ ବି ହେଳା କରିନ ,,, ଏତେସବୁ ଘଟିଯିବା ପରେବି ମୋତେ ଅବହେଳା କରିନ ଏଯାଏ । ଏଯାବତ ତୁମ ଘରର ଚାବିଲେନ୍ଥା ଝୁଲୁଥାଏ ମୋ କଟି ପାଖରେ । ତାପରଦିନ ଖବର ପାଇଲି ଯାହାକୁ ମୁଁ ମୋ ଜୀବନର ଶ୍ରେଷ୍ଠ ମଣିଷ ଭାବିଥିଲି ,, ଯାହାକୁ ପାଇବାକୁ ମୁଁ ବିଦ୍ରୋହୀ ହେଇଥିଲି ସେ ତାଙ୍କର ପୂର୍ବ ପ୍ରେମିକାଙ୍କୁ କୋର୍ଟ ରେ ବିବାହ କରିଛନ୍ତି ,,। ମନରେ କେବଳ ମୋର ଗୋଟିଏ ପ୍ରଶ୍ନ ,,,, ଏ ଜୀବନ କାହାପାଇଁ ରଖିବି ? ଆତ୍ମହତ୍ୟା ହିଁ ମୋର ଶେଷ ବିକଳ୍ପ । 


ରାତିରେ ଉଠି ଚାଲିଗଲି ଉଛୁଳା ନଦୀ ପାଖକୁ ,, ମୋ ମନର ଉଛୁଳା ଉତ୍ତପ୍ତ ଅନୁତାପକୁ ନେଇ ,,। ମୋ ସହିତ ମୋର କୁକର୍ମକୁ ନଦୀରେ ଉଝେଇବାର ନିଷ୍ପତ୍ତି ନେଇ ,,। ଏକଣ ମୋ ହାତକିଏ ଟାଣି ଧରିଲା ଏମିତି ନାଁ ମୋ ଭିତରୁ ନାରୀତ୍ବର ମୃତ୍ୟୁ ହେଇଯାଇଛି ଏତେ ସବୁ ଘଟିଲା ପରେବି ମୋ ମନରେ ବଞ୍ଚିବାର ଇଚ୍ଛା ରହିଛି ନା କଣ ? ନା ମୁଁ ଶକ୍ତିହୀନ ହେଇଯାଇଛି ବାରମ୍ବାର ଚେଷ୍ଟା କରି ବିଫଳ ହେଲାପରେ ,, ବୁଲି ଚାହିଁ ତମକୁ ଦେଖିଲି । ମାନସିକ ଭାବେ ଦୁର୍ବଳ ମଣିଷ ଅନର୍ଗଳ କଥା କୁହେ ନଚେତ ନୀରବ ରୁହେ । ମୁଁ ନିରବୀ ଯାଇଥିଲି ,,। ବିନା ବାକ୍ୟ ବିନିମୟରେ ତମ ପଛେପଛେ ଚାଲିଲି ,,, ତମେ ମୋ ହାତ ଧରି ଆଗେ ଆଗେ । କଣ ଚାହୁଁଛ ? ଏ ଜୀବନଟା ତୁମର ନୁହେଁଯେ ,, ତୁମେ କେଉଁ ଅଧିକାର ତୁମେ ତାକୁ ଶେଷ କରିବାକୁ ବାହାରିଥିଲ ? ନିରୁତ୍ତର ମୁଁ ,,। ଦେଖ ଯାହା କହିବାକୁ ଚାହୁଁଛ କହିଦିଅ ? 

କାହାପାଇଁ ବଞ୍ଚିବି ଆଉ କଣ ପାଇବାକୁ ବଞ୍ଚିବି ? ବିଲ୍ଵମଙ୍ଗଳ ର ଭଗବତ ପ୍ରାପ୍ତି ହେଇଗଲା ହେଲେ ଚିନ୍ତାମଣି ବିଷୟରେ କଣ କିଛି ଜାଣିବାକୁ ମିଳିଲା ? ଏଠିତ ଚିନ୍ତାମଣି ନିଜେ ଅଜ୍ଞାନ ତିମିରରେ ଦିଶାହୀନା । 

ବଞ୍ଚିବାକୁ ହେବ ତୁମକୁ ,,, ସନ୍ତାନ ହତ ର ଦୁଖଃଠାରୁ ଆଉ ବଡ଼ ଦୁଃଖ ନାହିଁ ପିତାମାତାଙ୍କୁ ,,। ତାପରେ ମୁଁ କଣ ଦୋଷ କରିଛି ତୁମର ତୁମେ ମୋତେ ଏ ଆଇନ କାନୁନ ର ଶୃଙ୍ଖଳ ରେ ବାନ୍ଧିଦେଇ ମରିବାକୁ ଚାହୁଁଛ !!? 

ସତେତ ତୁମପ୍ରତି ଏବେବି ଅନ୍ୟାୟ କରୁଛି ମୁଁ । ନା ... ନା...ବଞ୍ଚିବାକୁ ହବ ମୋତେ ,,,। ଫେରିଆସିଲି ,,। ତୁମେ ଏବେବି ଅଲଗା ବିଛଣାରେ । ଗୋଟେ ନାରୀପାଇଁ ୟାଠାରୁ ବଡ଼ ଦୁଃଖର କଥା କଣ ହେଇପାରେ ? ଶାରୀରିକ କ୍ଷୁଧା କଣ ମାନସିକ ଦ୍ୱନ୍ଦ କୁ ବୁଝେ ? ମୁଁ ବି ମନେ ମନେ ନିଜକୁ ଦୃଢ଼ କରୁଥାଏ । ଦିନ ମାସ ବର୍ଷ ବିତିଗଲା ,,। ନିତିଦିନିଆ ଦିନଚର୍ଚା ରେ କୋଠରୀ ଭିତରର କୌଣସି କଥାର କିଛି ପ୍ରଭାବ ପଡ଼ିବାକୁ ଦେଉ ନଥିଲ ତୁମେ ,,,। ହେଲେ ମୋ ଲାଗି ଏସବୁ ଅସହ୍ୟ ହେଉଥିଲା । କାମନା ଅନଳରେ ଦହି ହେଇଯାଉଥିଲା ଦେହଟା ମୋର ,,,। ହେଲେ ନିରୁପାୟ ।

ଦିନେ ପହଞ୍ଚି ଗଲି ତୁମ ପାଖରେ । ତୁମେ ଶୋଇଥିଲ । ଭଲକରି ଥରେ ଦେଖିଲି ତୁମକୁ ,,। ସେ ରାଜକୁମାର ପରି ଚେହେରାକୁ ଘଡ଼ିଏ ଚାହିଁଲି ,,,। ମନଭରି ଦେଖିଲି ,,,। ଅନ୍ୟବେଳେ ତୁମ ମୁହଁକୁ ଚାହିଁପାରେନି । ତୁମ ଗୋଡ଼କୁ ଛୁଇଁଦେଲି ମୋଡ଼ିଦେବି ବୋଲି ,,, ଆମ ଭିତରେ ଥିବା ଦୁରତାକୁ ଦୁରେଇଦେଇ ପୁଣିଥରେ ଏକ ହେଇଯିବା ଆଶାରେ । ଚମକି ପଡ଼ିଲ ତୁମେ ,,, ଉଠି ବସିଲ । ଏ କଣ କରୁଛ ? ମୁଁ ତ କେବେ ତୁମ ପାଖରୁ ସେବା ଖୋଜିନି । ଆଜି ଏ କେଉଁରୂପ ତୁମର ? 

ମୁଁ ପୁଣି ବିଦ୍ରୋହୀ ଆଜି ,,, ପାଞ୍ଚ ପତିରେ ପଞ୍ଚାଳି ସତୀ , ପୁନଃ ବିବାହରେ ମନ୍ଦୋଦରୀ ରାଣୀ , ଆଉ ତାରା ସତୀ , ବିବାହ ପୂର୍ବରୁ ମା ହେଇଥିବା ମହାରାଣୀ କୁନ୍ତୀ ସତୀ , ୠଷି ପତ୍ନୀ ଅହଲ୍ୟା ସତୀ ହେଇପାରିଲେ ,,, ମୋ ଭୁଲର କ୍ଷମା ନାହିଁ ,,? ତମେ କଣ ଭଗବାନଙ୍କ ଉପରେ


ନୀରବ ଆଉ ଶାନ୍ତ ଭାବେ ମୋ କଥା ଶୁଣୁଥିଲ ,, ହଠାତ ହସିଉଠିଲ । ଜୋର ଜୋର ରେ ହସିଲ । ଅଟ୍ଟାହାସ୍ୟ କଲ ,,। ମୋତେ ଉପହାସ କରିବା ପରି ଲାଗୁଥିଲା ? ହସିହସି କହିଲ .....ମୁଁ ଭାବୁଥିଲି ତୁମେ ହୁଣ୍ଡିଟାଏ । ଆରେ ବାଃ.. ଏତେ କଥା ଜାଣିଛ ତୁମେ । ଖୁସି ଲାଗିଲା ଜାଣି । ଆଜି ଆମର ଘର ପବିତ୍ର ହେଇଗଲା । ଶୁଣିଛି ଆଉ ପଢ଼ିଛି ମଧ୍ୟ ଯେଉଁ ସ୍ଥାନରେ ଏ ମହାନ ସତୀ ମାନଙ୍କର ନାମ ମାତ୍ର ନିଆଯାଏ ସେ ସ୍ଥାନ ପବିତ୍ର ହେଇଯାଏ । କଣ ମୋତେ ଉପହାସ କରୁଛ ? ଆରେ ନାଇଁ ନାଇଁ ,, କହିଲ ଖାଲି ଏତିକି ଜାଣିଛ ନା ଆଉକିଛି ବି ଜାଣିଛ ଏମାନଙ୍କ ବିଷୟରେ ?

ଏମାନେ ଜଣେ ଜଣେ ବୋଲି କିଏ କହିଲା ତୁମକୁ ? ଏମାନେ ହେଉଛନ୍ତି ଗୋଟେ ଗୋଟେ ପରିସ୍ଥିତି ,,, । ଏମାନଙ୍କ ପରି ପରିସ୍ଥିତିର ସମ୍ମୁଖୀନ ହେଉଥିବା ନାରୀ ମାନଙ୍କର ସତୀତ୍ୱ ଉପରେ ପ୍ରଶ୍ନବାଚୀ ର ପ୍ରଶ୍ନ ମୂର୍ଖାମୀ । ଦେଖିବାକୁ ଗଲେ ଏ ଜଗତରେ ଅସତୀ ବୋଲି କେହି ନାହାଁନ୍ତି । ହେଲେ ନିଜ ସ୍ୱାମୀ ଥାଉ ଥାଉ ମାତା ତାରା ଆଉ ମହାରାଣୀ ମନ୍ଦୋଦରୀ କଣ ଦ୍ୱିତୀୟ ସ୍ୱାମୀ ବରଣ କରିଥିଲେ ? ଋଷି ପତ୍ନୀ ଦୁର୍ବଳା ଅହଲ୍ୟା ତ ନିଜେ ପୀଡ଼ିତା । ଛଳନା ଆଉ ଭୁଲ ବୁଝାମଣାର ଶିକାର ,,। ପଥର ହେଇ ପଡ଼ି ରହିବାର ଧୈର୍ଯ୍ୟ ,,, !! ସ୍ୱାମୀ ସମର୍ଥ ଥାଇ କୌଣସି ନାରୀ ଅନ୍ୟ ପୁରୁଷର ଔରସରୁ ମାତୃତ୍ୱ ଲାଭ କରି ଏ ପଦବାଚ୍ୟ ପାଇବାର ଦୃଷ୍ଟାନ୍ତ ନାହିଁ ,,।

ମୁଁ ତୁମକୁ ପଚାରିଥିଲି ମୋର କୌଣସି ଶାରୀରିକ ଅକ୍ଷମତା ନାହିଁତ ? ଖାଲି ତୁମକୁ ପଚାରିନଥିଲି ,, ଯଥାବତ ଡାକ୍ତରୀ ପରୀକ୍ଷା ବି କରେଇ ନେଇଥିଲି । କାରଣ ଶାରୀରିକ ସମ୍ବନ୍ଧରେ ସନ୍ତୁଷ୍ଟି ଆଉ ସନ୍ତାନର ଜନକ ହେବା ଦୁଇଟି ଅଲଗା କଥା ,,। ଶାରୀରିକ ଭାବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଆଉ ସମର୍ଥ ଥିଲି ,,। 

ଯାଜ୍ଞାସେନୀ ତ ପାଣ୍ଡବଙ୍କ ହୃଦୟର ପଦ୍ମଥିଲେ ,,। ଶକ୍ତିଥିଲେ ପାଣ୍ଡଵଙ୍କର ଅଭିମାନ ଥିଲେ ,,, ଆଉ କେବେ ସମୟ ମିଳିଲେ ତାଙ୍କର ଆଉ ପାଣ୍ଡବ ମାନଙ୍କ ବିଷୟରେ କହିବି । ତୁମକୁତ ତୁମ ପ୍ରେମିକ ବିବାହ କରିବାକୁ ରାଜି ହେଲେନି । ସତୀତ୍ୱକୁ ତୁମେ ଶାରୀରିକ ଜୈବିକ କ୍ରିୟାରେ କାହିଁକି ଯୋଡୁଛ ? 


ତାହେଲେ ତୁମେ ଏମିତି ଅଲଗା ବିଛଣାରେ କାହିଁକି ଶୋଉଛ ?


 ତୁମକୁ ତୁମର କୌଣସି ପ୍ରକାରର ସ୍ବାଧୀନତାରେ ବାଧକ ସାଜିନି ,,। ଯଦି ତୁମେ ତୁମର ଶାରୀରିକ କ୍ଷୁଧା ତୁମକୁ ବିଚଳିତ କରୁଛି ,,, ତୁମେ ବିନା ଦ୍ବିଧାରେ ଏ ଘରୁ ଗୋଡ଼ କାଢ଼ିପାର ,,,। ହେଲେ ମୁଁ ଏ ଘରେ ତୁମକୁ ଏ ସବୁର ପ୍ରଶୟ ଦେଇପାରିବିନି ,,। ଯଦି ପାରିବ ତୁମେ ଏ ଏରୁଣ୍ଡି ଡେଇଁଯିବାକୁ ସ୍ୱତନ୍ତ୍ର । ନିଷ୍ପତି ତୁମ ହାତରେ ,,। 

ଏ କି ପ୍ରକାରର ନ୍ୟାୟ ତୁମର ? ଏ ତ ମରଣଠୁ ବି ବଳି ,,, ମୋତେ ମରିଜିବାକୁ ଛାଡ଼ିଦେଲନି କଣ ପାଇଁ ? ନିଜକୁ ସୁରକ୍ଷିତ ରଖିବାପାଇଁ ତୁମେ ମୋତେ ବଞ୍ଚିବାକୁ ଦେଇଛ ? 

ତୁମେ ତାହା ଭାବିପାର ? ତଥାପି ତୁମକୁ ମୋର ଗୋଟେ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ? ଯଦି ତୁମ ଜାଗାରେ ସେ ବିଛଣା ଉପରେ ମୁଁ ଥାଆନ୍ତି ଆଉ ତୁମ ପରିବର୍ତ୍ତେ ଆଉ ଜଣେ ନାରୀ ଯାହା ସହିତ ମୁଁ ତୁମପରି ଭୁଜଙ୍ଗ ରତିକ୍ରୀଡ଼ା କଲା ପରି ମୁଁ ରତିକ୍ରୀଡ଼ାରେ ମାତିଥାନ୍ତି ତେବେ କଣ କରିଥାନ୍ତ ତୁମେ ? 


ବନ୍ଦ କର ,, ଦୟାକରି ବନ୍ଦ କର । 


ଯେଉଁ ଦୃଶ୍ୟକୁ ତୁମେ କଳ୍ପନା କରିବମାତ୍ରେ ଶିହରି ଉଠୁଛ ମୁଁ ଦେଖିଲାପରେ ମୋର ମାନସିକ ସ୍ଥିତି କେମିତି ହେବ ? 


ତୁମ ଉପରେ ଅନ୍ୟକାହାର ଛାଇକୁ ମୁଁ ସଯ୍ୟ କରିପାରିବିନି ,,।


 ବେଶ ଭଲ କଥା କହିଛ ,,, ମୁଁ ଅଗ୍ନିକୁ ସାକ୍ଷୀରଖି ବିବାହ ବେଦୀରେ ଯାହା ପ୍ରତିଜ୍ଞା କରିଥିଲି ,, ବାସର ରାତିରେ ତୁମ ମଥା ଛୁଇଁ ଯେଉଁ କଥା ଦେଇଥିଲି ତୁମକୁ ,, ତାକୁ ଅକ୍ଷରେଅକ୍ଷରେ ପାଳନ କରିବି ,,। ଯଦି କେବେ ମୁଁ ମୋ ପ୍ରତିଜ୍ଞାରୁ କ୍ଷାନ୍ତ ହୁଏ ,, ତୁମେ ଯାହା ଦଣ୍ଡ ବିଧାନ କରିବ ମୋ ପାଇଁ ମୁଁ ତାକୁ ମଥାପାତି ସହିନେବି । 

ତାହେଲେ ତୁମ ଦେହର ସେ ଉଦ୍ଦାମତା , ତୁମ ମନର ସେ ବ୍ୟଗ୍ରତା ତୁମ ଆଖିର ସେ ଚଞ୍ଚଳତା ,, ସେସବୁକୁ କେମିତି ଆୟତ୍ତ କରିବ ? ଯେଉଁ ତିନିମାସ ମୁଁ ତୁମକୁ ଜାଣିଛି ତୁମପାଇଁ ପରା ଏ ରାତି ଛୋଟ ହୁଏ । ଦଣ୍ଡେ ମୋତେ କୋଳରୁ ଅନ୍ତର କରନି । 


ଠିକ କହିଛ ଆଉ ଠିକ ଦେଖିଛ ମଧ୍ୟ ,,। ଯଦି ଏତେସବୁ ଲକ୍ଷ୍ୟ କରିଥିଲ ତେବେ ତିନିଟା ମାସ ସମ୍ଭାଳି ପାରିଲନି ନିଜକୁ ? ବାପାଙ୍କ ଘରେ ଏତେଦିନ ରହିଥିଲ କେମିତି ? ଏବେ ପାଖାପାଖି ଚାରିବର୍ଷ ହେବ କେମିତି ଅଛ ,, ବିନା ସମ୍ପର୍କରେ ? ନା ମୋ ଅଫିସ ଯିବା ପରେ ଏବେବି ?

 ବନ୍ଦ କର କହୁଛି ,,। ତାମାନେ ତୁମେବି ତୁମ ଅଫିସରେ ଆଉ କାହାକୁ ରଖିଥିବ ,, ନିଜ ଦେହର ଉନ୍ମାଦନାକୁ ଶିଥିଳ କରିବାକୁ ,,।


 ତୁମେ କାଲିଠୁ ପ୍ରସ୍ତୁତ ହେଇରହିବ ,, ମୋ ସହିତ ଅଫିସ ଯିବାକୁ ,,,। ଚବିଶ ଘଣ୍ଟା ମୋ ସାଥିରେ ରହିପାର ତୁମେ ,,। 


ନା ମୋର କୁଆଡ଼େ ଯିବା ଦରକାର ନାହିଁ ,,। 


ଶୁଣ ଯୌବନ ସମୟରେ ବିଷୟା ହିଁ ଅମୃତ ସମ ମନେହୁଏ । ମୋର ବି ହେଇଥିଲା । ନିଜେ ପତଙ୍ଗଟିଏ ଟିଏ ହେଇ କାମ ନିଆଁରେ ଝାସ ଦେଉଥିଲି । ହେଲେ ରତି ଶେଷରେ ପୁରୁଷର ଯେଉଁ ମୃତ୍ୟୁହୁଏ ସେ ଅନୁଭବକୁ ତୁମେ ଅଙ୍ଗୀକାର କରିପାରିବନି । ସେ ମୃତ୍ୟୁକୁ ମୁଁ ଅଙ୍ଗେ ଅଙ୍ଗେ ଅନୁଭବ କରିଛି ,,। ଖଦ୍ୟୋତ ଟିଏ ହେଇ ଟିମ ଟିମ ହେବି ପଛେ ପତଙ୍ଗ କେବେନୁହେଁ ,,। 

ମୁଁ ନିରୁତ୍ତର ହେଇଯାଇଥିଲି ,,। ତୁମେ ଅଟଳ ଥିଲ ,,। ହେଲେ ଏବେବି ମୋ କାନିରେ ଚାବିଲେନ୍ଥା ଝୁଲୁଥିଲା । ବିବାହର ଦଶବର୍ଷ ପରେ ମୋର ଅନୁମତି ନେଇ ମୋ ଭାଇର ପୁଅକୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କଲ । ମୋ ଶରୀରରୁ ଦହନ ଧିରେ ଧିରେ ଶୂନ୍ୟ ହେଇଯାଉଥାଏ । ତୁମେ ଅଟଳ ,,। ଦୈନଦିନ ଜୀବନରେ ତୁମେ ସହଜ ଥିଲ , ପ୍ରଥମରୁ କଷ୍ଟ ହେଉଥିଲେବି ମୁଁ ବି ସହଜ ହେଇଗଲି ,,। ମାଙ୍କର ସେବା ମୋତେ ଏତେଟା କରିବାକୁ ଦିଅନି । ଯଦି କେବେ ଘରେ ନଥିବ ତାହେଲେ ସେଦିନ ସନ୍ଧ୍ୟା ସେବାଟା ମୋର । ସେବା କହିଲେ ଏଇ ମୋଡ଼ି ଦେବା ତ । 

ତୁମର ସବୁ ଧନ ମୋ ହାତରେ ଟେକିଦେଲ । ଦରକାର ବେଳେ ମୋତେ ମାଗିଲ ,,। କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କଥା ମୋତେ ନପଚାରି ନିଷ୍ପତ୍ତି ନିଅନି । ଶରୀରରୁ କାମ ନିଆଁ ପ୍ରାୟ ଲିଭିଯିବା ଉପରେ । ତୁମେ ଚାକିରୀରୁ ଅବସର ନେଲ ,,। ପାଇଥିବା ମୋଟା ଅଙ୍କର ଟଙ୍କାକୁ ମୋରି ହାତରେ ଦେଇଦେଲ । ପୁଅକୁ ଉଚ୍ଚଶିକ୍ଷା ଦେଇ ସ୍ୱାବଲମ୍ବୀ କରେଇଲ । ସୁନାନାକୀ ବୋହୂ ବି ଆଣିଲ । ଦିନକେଇଟାରେ ନାତୀ ନାତୁଣୀ ଧରି ବୁଲିଲ କୋଳରେ । ଏ ଭିତରେ ତୁମର ସବୁଠାରୁ ବଡ଼କ୍ଷତି ହେଲା । 

ଦେବୀ ପ୍ରତିମା ପରି ତୁମ ମା ଚାଲିଗଲେ । ଯିଏ ତୁମର ସର୍ବସ୍ୱ ଥିଲେ । ତୁମର ଭଗବାନ । ଭାଙ୍ଗିପଡ଼ିଲ । ପୁଣି ନିଜକୁ ନିଜେ ସମ୍ଭାଳିଲ । ଏ ଭିତରେ ମୁଁ ଗୋଟିଏ କଥା ଲକ୍ଷ୍ୟ କରିଛି ତୁମର ରୂପକାନ୍ତିରେ ବିଶେଷ କିଛି ଫରକ ଆସିନି । ଦାନ୍ତ ଦୁଇଧାଡ଼ି ନିଜେ ଲଗେଇଛ ଆଉ ମୋତେ ବି ଲଗେଇଦେଇଛ । ମୁଣ୍ଡରେ ଏବେବି ଅଧାକେଶ କଳାଅଛି ତୁମର । 

ଦିନେ ନାତୁଣୀ ଆଉ ବୋହୂମା ଆମର ଜୋର କରି ତୁମ ମୁଣ୍ଡର କେଶକୁ କଳା କରିଦେଇଥିଲେ । ସେଦିନ ପ୍ରଥମ କରି ତୁମକୁ ଦେଖିଲା ପରେ ମୋ ଆଖିର ଲୁହ ଅମାନିଆ ହେଇଯାଇଥିଲେ । ଆଜିକାଲିର ସିନେମା ନାୟକ ବି ତୁମ ପାଖରେ ଫିକା । ତୁମେ ମୋ କାନ୍ଦିବାର କାରଣ ବି ପଚାରିଥିଲ । ପୂର୍ବରୁ କେବେ ମୋତେ କାନ୍ଦିବାର ସୁଯୋଗ ଦେଇନ ତୁମେ । ମୁଁ ବି ନିଜକୁ ଦୃଢ଼ କରିଦେଇଥିଲି । ଯଦି ପୁରୁଷଟିଏ ହେଇ ତୁମେ ସଞ୍ଜମ ରହିପାରିଲ , ତେବେ ମୁଁ କାହିଁକି ନୁହେଁ ? ମୋତେ ତ ଈଶ୍ୱର ଲଜ୍ଜା ରୂପରେ ଅମୋଘ ଅସ୍ତ୍ରଟିଏ ଦେଇଛନ୍ତି । 

ଆସନ୍ତା ଅକ୍ଷୟତୃତୀୟା ଦିନ ଆମର ପଚାଶ ତମ ବିବାହ ବାର୍ଷିକି ପାଳନ କରିବେ ପିଲାମାନେ ,,। ତୁମେ ବି ସବୁବର୍ଷ ପାଳନ କର । ମୋତେ ମନ୍ଦିର ବୁଲେଇନିଅ ,, ଉପହାର ଦିଅ ସବୁକିଛି । ଚାହୁଁ ଚାହୁଁ ଆସିଗଲା ସେଦିନ । ବଦମାସ ନାତୁଣୀ ଆଜି ତୁମକୁ ହିରୋ ପରିକା ସଜେଇଛି । ମୋତେ କାହିଁକି ଆଜି ଭାରି ଲାଜ ଲାଗୁଛି । ଶରୀରରେ କାମ ଏକ କ୍ରିୟା ବୋଲି ମୁଁ କେଉଁ କାଳରୁ ଭୁଲି ସାରିଲିଣି । ତଥାପି କାଠେ ଲାଜ ମୋତେ ,,। ଅଳ୍ପକିଛି ହାତଗଣତି ଅତିଥି ଆସିଛନ୍ତି । 

ଫଟ ଉଠେଇବା ପାଇଁ ନାତୁଣୀ ଜିଦି କରି ତୁମ ପାଖକୁ ଲଗେଇ ଠିଆ କରେଇଦେଲା । କାମ ରହିତ ବାର୍ଦ୍ଧକ୍ୟ ଶରୀରରେ ବିଜୁଳିର ଝଟକା ଲାଗିଗଲା । ତୁମକୁ ଚାହିଁଛି କେତେ ବିନୟ ଆଉ ଅନୁନୟରେ ,,। ଛଳଛଳ ଆଖିମୋର ତୁମେ ସହିନପାରି ପଚାରିଦେଲ


 । ଆରେ କାଇଁ କାନ୍ଦୁଛ ? 


କଣ ପାଇଲ ? 

ଆରେ ତୁମେ ତ କହିଥିଲ ମୋ ଉପରେ ଅନ୍ୟନାରୀର ଛାଇବି ତୁମେ ଦେଖି ପାରିବନି । ମୁଁ ତ ତୁମରି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛି । ଯେବେଯେବେ ମୁଁ କାମାସିକ୍ତ ହେଇଛି ତୁମ ଦେହରେ ଆଉ କାହାକୁ ଗୁଡ଼େଇ ହବାର ଦେଖି ଶିଥିଳ ହେଇଯାଇଛି । ଏବେ କଣ ମନରେ ଆଉ ସେ ଆବେଗ ଅଛି ? ତୁମେ ପରା ଏବେ ମୋର ଶ୍ରେଷ୍ଠବନ୍ଧୁ । ପିଲାମାନେ କଣ ଆମକୁ ସମୟ ଦେଇପାରିବେ । ସେମାନଙ୍କର ଖେଳିବା ବୁଲିବା ବୟସ । ଏବେ ତୁମେ ମୋତେ ଆଉ ମୁଁ ତୁମକୁ ସମ୍ପୂର୍ଣ୍ଣ ସମୟ ଦେବା । 


ତୁମେ ଜିତିଗଲ ନା ? 

ବାପା ଚାଲିଗଲା ପରେ ମା ମୋତେ କଠୋର ଅନୁଶାସନରେ ବଢ଼େଇଛି । ସେଦିନର ସେ ଦୃଶ୍ୟ ଦେଖିଲା ପରେ ମୋ ସ୍ୱାଭିମାନ ମୋ ଲାଗି ମୁଖ୍ୟ ଥିଲା ଯାହା ଆଜି ପର୍ଯ୍ୟନ୍ତ ଟେକ ଅଛି । ଜାଣିଛ ଆମେ ଉଭୟେ ଜିତିଛେ । ତୁମେ ଯଦି ବାଧ୍ୟ କରିଥାନ୍ତ ହୁଏତ ମୋ ସ୍ୱାଭିମାନ ଆନମନା ହେଇଯାଇଥାନ୍ତା । 


ମିଛୁଆ ,, ଗୋଟେ ଅନୁରୋଧ ରଖିବ ? 


କୁହ । 


ତୁମ କୋଳରେ ମୋତେ ମରିବାକୁ ଦେବ ? 

ଆରେ ଏ ବାୟାଣୀ ,, ସାରା ଜୀବନଟା ତ ତୁମକୁ ଦେଖିଦେଖି କାଟିଦେଇଛି ,,। ତୁମେ ମୋ ଆଖିଆଗରେ ନରହିଲେ ମୁଁ କଣ ବଞ୍ଚିପାରିବି ? ମୋ ସେବାନେବା କରିବ କିଏ ? ଏ ଜନ୍ମରେ ମୁଁ ଆଗେମଲେ ଆରଜନ୍ମରେ ମୁଁ ପୁଣି ତୁମକୁ ଅପେକ୍ଷା କରିବି । ଆସିବନା ମୋ ପାଇଁ ? ହେଲେ ଆଉ ଜଳେଇବନି ଏମିତି ।


ମୋ ଆଖିରୁ ଲୁହ ଆଉ ବନ୍ଦ ହେଉନି । ଅତିଥିମାନଙ୍କ ଆଗରେ ମୋ ବୁଢ଼ାକୁ ଜୋରରେ କୁଣ୍ଢେଇ ଧରିଛି ,,,। ହେ ଈଶ୍ୱର କାଢ଼ିନିଅ ମୋ ପିଣ୍ଡରୁ ପ୍ରାଣ । ମୋ ମୁଣ୍ଡରେ ୟାଙ୍କ ହାତ ଅନୁଭବ କଲି । ଆଲିଙ୍ଗନ କରିନେଲେ ମୋତେ । ଶାରୀରିକ ଦହନର ଚିହ୍ନ ବର୍ଣ୍ଣ ନାହିଁ । ଭାବନାତ୍ମକ ନିଆଁରେ ଆମେ ଦୁହେଁ ନିଜକୁ ଦହନ କରି ଚାଲିଥାଉ । 


             


Rate this content
Log in

Similar oriya story from Romance