STORYMIRROR

Prasanna Rana

Romance

3  

Prasanna Rana

Romance

ଦେହ ଦେଉଳର ଦେବୀ

ଦେହ ଦେଉଳର ଦେବୀ

8 mins
149

   ସୁତପା ! ଏ ସୁତପା ! କିଛି କହୁନ କାହିଁକି ? ଆରେ କିଛି କୁହ ? ସବୁଦିନ ପରି କ'ଣ ମୁଁ କହୁଥିବି ? ଆଉ ତୁମେ ଶୁଣୁଥିବ ! କିଛି କହମ। ମୁଁ ଜାଣେ ପରା ତୁମେ କିଛି କହିବନି। ତୁମେ ଭାରୀ ଲାଜକୁଳୀ ନା l ମତେ ଦେଖି ଲାଜରେ ମୁହଁ ପୋତିଦେବ, ହେଲେ କିଛି କହିବନି। ହେଲେ, ଆଜି ମୁଁ ଜମା ଛାଡ଼ିବିନି। ତୁମେ କହିବ ! ଅଲ୍'ବତ୍ କହିବ ଆଉ ମୁଁ ଶୁଣିବି। ଆରେ କୁହ !

    କଥା କ'ଣ ଅଭାବ ଅଛି ? କହିବାକୁ କେତେ କଥା ଅଛିନା। କହୁନ ପିଲା ଦିନର କଥା। ସମସ୍ତେ ପରା ଦିନେ ପିଲା ଥାଆନ୍ତି। ଭଗବାନ୍ ବି ତ ପିଲା ଥିଲେ। ବାଲ୍ଯଲୀଳା କରିଥିଲେ। ତୁମେ କ'ଣ କିଛି ବାଲ୍ଯଲୀଳା କରିନ ? ମନେ ପକାଅ ତ ! ମନେ ପଡ଼ୁଛି ନା ଆମ ବାଲିଘର କଥା। ଆମେ ଧୂଳିରେ ଘର ତିଆରି କରି ଖେଲୁଥିଲେ। ମୁଁ ବର ହେଉଥିଲି ଆଉ ତୁମେ କନିଆଁ। ମୁଁ ପଚାରୁଥିଲି-

    "ତୁ ଖଟି ଆସିଲେ କ'ଣ ଆଣିବୁ ?

     "ଟ୍ରାକ୍ଟର୍ ଆଣିବି।

     "ନାଇଁରେ । ଦୁଇଟି ସାଇକେଲ୍ ରିଙ୍ଗ୍ ଆଣିବୁ।

     "କ'ଣ କରିବା ?

     "ଦୁହେଁ ମିଶି ଖେଳିବା।

ଏଇ କଥା ଶୁଣି ଆମ ବାପା ମା'ମାନେ ହସରେ ଫାଟି ପଡ଼ୁଥିଲେ। ହଁ, ବାପାମା'ଙ୍କ କଥା। ତମ ବାପା ବ୍ଲକ୍'ରେ ହେଡ଼୍ କ୍ଲର୍କ୍ ଥିଲେ ନା ? ଆଉ ମୋ ବାପା ଜୁନିୟର୍ କ୍ଲର୍କ୍। ବ୍ଲକ୍ କଲୋନୀରେ ଆମେ ପାଖେ ପାଖେ କ୍ୱାଟର୍ ପାଇଥିଲେ। ଏମିତି ତ ମୁଁ ପ୍ରତିଦିନ ତୁମ ଘରକୁ ବୁଲି ଯାଉଥିଲି। ହେଲେ, ଧିରେ ଧିରେ ଅନୁଭବ କଲି ତମ ବାପା-ମା' ଆଗପରି ଆଉ ମତେ ସ୍ନେହ ଆଦର କରୁ ନାହାନ୍ତି। ତମ ଘରକୁ ଆସିବା ପାଇଁ ମତେ ମନା ମଧ୍ଯ କରାଗଲା। କାହିଁକି ଜାଣିଛ ? ସେତେବେଳେ ଆମେ ଟିକିଏ ବଡ଼ ହୋଇଯାଇଥିଲେ। ହାଇସ୍କୁଲ୍'ରେ ପଢ଼ୁଥିଲେ। ତୁମର ଛାତିର ଭୌଗୋଳିକ ପରିବର୍ତ୍ତନ ହୋଇଯାଇଥିଲା। ହେଲା ବାବା ! ଏଇ ଫାଲ୍'ତୁ କଥା ସବୁ ଛାଡ଼। ଅନ୍ଯ କିଛି କହ ? ସ୍କୁଲ୍ କଥା ! କଲେଜ୍ କଥା !!

    କହୁନ, ତୁମେ ଆଉ ମୁଁ ଗୋଟିଏ ସ୍କୁଲ୍'ରେ, ଗୋଟିଏ କ୍ଲାସ୍'ରେ ପଢ଼ୁଥିଲେ। କ୍ଲାସ୍'ରେ ଅଧିକାଂଶ ସମୟ ମୁଁ ଅନ୍ଯମନସ୍କ ରହୁଥିଲି। କଣେଇ କଣେଇ ତୁମକୁ ବାରମ୍ବାର ଦେଖିବାକୁ ଚେଷ୍ଟା କରୁଥିଲି। ଗଣିତ ତୁମର ଭଲ ହେଉଥିଲା ନା ? ମୋର କିନ୍ତୁ ବିଜ୍ଞାନରେ ବେଶି ମନ। ଜାଣିଛ ! ବୃକ୍କର ଚିତ୍ରକୁ ମୁଁ ଅନ୍ଯ କେଉଁ ଅଙ୍ଗର ଚିତ୍ର ବୋଲି ଭାବି ନେଇଥିଲି ଅନେକ ଦିନ ପର୍ଯ୍ଯନ୍ତ। ତୁମର ମନେ ଅଛି ନା ପରୀକ୍ଷା ଦିନର କଥା ? ତୁମେ ନିରଞ୍ଜନ ସାଙ୍ଗରେ ଗୋଟିଏ ଟେବୁଲ୍'ରେ ପଡ଼ିଥିଲ। ଗଣିତ ଦିନ ତୁମକୁ ଖାତା ଦେଖାଇବା ପାଇଁ ସେ ଅନୁରୋଧ କଲା। ତୁମେ ମନା କଲ। ପରିଣାମ କ'ଣ ହେଲା ଜାଣିଲ ? ତୁମ ନାଁ ଓ ମୋ ନାଁ ମଝିରେ ଯୋଗ ଚିହ୍ନ ଦେଇ ସ୍କୁଲ୍'ର କାନ୍ଥମାନଙ୍କରେ ଗଣିତ କଷିଦେଲା। ହେଲେ, କାହାର କିଛି ହେଲାନି। ମାଡ଼ର ବୋଝରେ ମୋର ପିଠି ଟିକିଏ ନଇଁଗଲା ଯାହା। ଆରେ କିଛି କୁହ ? ନିଜ ଅନୁଭୂତିରୁ କିଛି କହୁନ ?

    ମନେ ଅଛିନା ଦିନକର କଥା ! ତୁମେ କଲେଜ୍ ଯିବା ପାଇଁ ମୁଣ୍ଡ କୁଣ୍ଡେଇ ହେଉଥିଲ। ହାତକଟା ସ୍କଟ୍ ପିନ୍ଧିଥିଲ ବୋଧହୁଏ। ମୁଁ ଝରକା ବାଟେ ଲକ୍ଷ କକୁଥିଲି ତୁମ କାଖ ତଳେ କ'ଣ ଗୋଟିଏ ଉକୁଟି ଉଠୁଛି। କାହିଁକି କେଜାଣି ସେଇ ଅମୃତ ଫଳଟାକୁ ପାଇବାକୁ ମୋର ମନ ଦଳିଚକଟି ହେଲା। ମୁଁ ବାରମ୍ବାର ସୁଯୋଗ ଖୋଜିଛି ତାକୁ ପାଇବା ପାଇଁ। ସୁଯୋଗ କ'ଣ ପାଇନି ବଲୁଛ ? ପାଇଛି ନା। ମନେ ପକାଅ ତ ସେ ଦିନର ଘଟଣା। ସେଦିନ ତୁମେ ବଗିଚାରେ ବୁଲୁଥିଲ। ଗୁଣୁଗୁଣୁ ଗୀତ ଗାଇ ଫୁଲମାନଙ୍କୁ ଚୁମା ଦେଉଥିଲ ଠିକ୍ ଏକ ପ୍ରଜାପତି ପରି। କ'ଣ ହେଲା କେଜାଣି ତୁମେ ଚିର୍'ଲେଇ ଉଠିଲ। ଫିନ୍ଧିଥିବା ଫ୍ରକ୍'କୁ ଝାଡ଼ିଝୁଡ଼ି ପକେଇଲ। ହେଲେ କିଛି ହେଲାନି। ତୁମ ଛାତି ଭିତରେ କ'ଣ ଗୋଟାଏ ସୁଗୁସୁଗୁ ହେଲା। ବାଲୁଆ ପୋକଟିଏ ପଶି ଯାଇଥିଲା ନା କ'ଣ ? ହେଲେ ମୁଁ କି ଛାଡ଼ିବା ଲୋକ ? ବିଲେଇ କପାଳକୁ ଶିକା ଛିଡ଼ିଛି ନା ଆଉ । ସିଧସଳଖ ସ୍ୱେଚ୍ଛାସେବକ ପାଲଟିଗଲି। ତୁମ ଛାତି ଭିତରକୁ ହାତ ପଶେଇଦେଇ ବାଲୁଆ ପୋକଟିକୁ ସନ୍ତର୍ପଣରେ ଖୋଜିବାକୁ ଲାଗିଲି। ସ୍ଥାନେ ସ୍ଥାନେ ମୃଦୁ ଚାପା ଦେଲି। ଅନୁଭବ କଲି ତୁମ ଛାତିରେ ଖଇ ଫୁଟୁଛି। ଏକ ଅଜଣା ଅନୁଭବରେ ଶିହରିତ ହେଉଛ ତୁମେ। ତୁମରି ତତଲା ନିଃଶ୍ୱାସରେ ମୁଁ ଅଧିକ ସମୟ ତିଷ୍ଠି ରହି ପାରିଲି ନାହିଁ। ଏକ ଅଜଣା ଭୟରେ ଆତଙ୍କିତ ହୋଇ ପୋକଟିକୁ ବାହାର କରିଦେଇ ଚାଲି ଆସିଲି। ହେଉ, ହେଲା। ଅଲଗା କିଛି କହ ! ଜୀବନ ଯନ୍ତ୍ରଣା କଥା ! ପେଟ ପାଟଣା କଥା !

    ସେ ଦିନ ତୁମ ଘର ଆଗରେ କାର୍'ଟିଏ ଅଟକିଲା। ଚାରିଜଣ ଯୁବକ ଓହ୍ଲାଇ ପଡ଼ି ସିଧାସଳଖ ତୁମ ଘରଆଡ଼େ ମୁହାଁଇଲେ। ମୁଁ ଆଶଙ୍କା କଲି, ବୋଧହୁଏ ବିବାହ ପ୍ରସ୍ତାବ ନେଇ ଆସିଛନ୍ତି ନା କ'ଣ ! ମୁଁ ଠିକ୍ ଅନୁମାନ କରିଛି ତ ? କାହିଁକି ନୁହଁ ? ବଢ଼ିଲା ଝିଅ ଥିଲା ଘରକୁ ଅଜଣା ଲୋକ କେଉଁ ଉଦ୍ଦେଶ୍ଯରେ ଆସନ୍ତି କି ? କଥାଟା ଭାବିଲା ବେଲକୁ ମୋ ମନରେ କୋହ ସୃଷ୍ଟି ହେଉଥିଲା। ସତେ ଯେପରି ଜଣେ ପ୍ରତିଦ୍ୱନ୍ଦୀ ଯୁଦ୍ଧ ପାଇଁ ମୋତେ ଆହ୍ୱାନ କରୁଛି। ରାତିରେ ମୋ ମା' ମଧ୍ଯ କହୁଥିଲା-"ଆଜି ଦାସ ବାବୁଙ୍କ ଝିଅ ସୁତପାକୁ ଦେଖିବାକୁ ଆସିଥିଲେ। ବାହାଘର ସ୍ଥିର ହୋଇଯିବ ବୋଧହୁଏ। ପିଲାଟା ଟିକିଏ ଅସୁନ୍ଦର ହେଲେ କ'ଣ ହେବ, ସରକାରୀ ଚାକିରୀ କରୁଛି ତ ! ତାହାହେଲେ ଅନୁମାନଟା ଠିକ୍। ସେମାନେ ତ ତୁମକୁ ତନ୍ନତନ୍ନ କରି ଦେଖଥିବେ। ତୁମକୁ ଗୋଟିଏ ଇଣ୍ଟର୍'ଭ୍ଯୁ ବୋର୍ଡ଼୍ ର ସମ୍ମୁଖୀନ ହେବାକୁ ପଡ଼ିଥିବ। ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣ ତୁମକୁ କ୍ଷତାକ୍ତ କରିଥିବ। ନୁହେଁ। ମୁଁ ଭାବୁଛି ତୁମେ ପିଲାଟିକୁ ନାପସନ୍ଦ କରିଥିବ। କିନ୍ତୁ ତୁମ ବାପାଙ୍କ ନାଲି ଆଖିକୁ ମୁଣ୍ଡ ପାତି ଦେଇଥିବ। ସୁନାଝିଅ ପରି ପ୍ରସ୍ତାବରେ ରାଜି ହୋଇ ଯାଇଥିବ। ମିଛ କହିଲି କି ? ସେ ଦିନ ମତେ ରାଗ ଲାଗିଲା। ଦୁନିଆଁରେ ଯେତେ ସୁନ୍ଦର ଜିନିଷ ଦେଖିବ ସବୁଥିରେ ଚାକିରୀଆଙ୍କ ଭାଗ ଆଗ। ସେମାନେ ସମାଜର ବଡ଼ପୁଅ ନା କ'ଣ ! ମୁଁ ଶଳା ଯଦି ଚାକିରୀ କରିଥାନ୍ତି ନା, ତହିଁ ଆରଦିନ ସୁତପାର ହାତ ମାଗିଥାନ୍ତି। ନିଜ ଉପରେ ଘୃଣା ଓ ଅଭିମାନ ଆସି ଯାଇଥିଲା ମୋର।

    ତୁମର ବାହାଘର ଯେତିକି ପାଖେଇ ଆସୁଥିଲା, ମୋ ଛାତିରେ ଅପାରଗପଣିଆର କୋହ ଜକେଇ ଆସୁଥିଲା। ତୁମର ଭବିସ୍ୱାମୀ ପ୍ରତି ଅହଂଭାବ ସୃଷ୍ଟି ହେଉଥିଲା। ମୁଁ ପ୍ରତିଦିନ ଭଗବାନଙ୍କୁ ପ୍ରାର୍ଥନା କରେଁ, "ଭଗବାନ୍, ସେଇ ଶଳାକୁ ବ୍ରେନ୍ ମ୍ଯାଲେରିଆରେ ମାରିଦିଅ, ନ ହେଲେ ତା'ର ଏକ୍ସିଡେଣ୍ଟ୍ କରେଇଦିଅ ପ୍ରଭୁ ! ସତ କହୁଛି ମହାପ୍ରୁ ! ମୁଁ ତୁମକୁ ବସ୍ତାଏ ନଡ଼ିଆ ଦେବି। ଯଦି ନ ମାରୁଛ, ବାହାବେଦୀରେ ତାକୁ ପାଗଳ କରିଦିଅ ହରି ! ବାହାବେଦୀରୁ ସେ ଉଠିଗଲେ ମୁଁ ଜାଗାଟିକୁ ମେକ୍ ଅପ୍ କରିଦେବି ଭଗବାନ୍ !" ହେଲେ କିଛି ହେଉ ନ ଥିଲା। ବାହାଘର ପ୍ରସ୍ତୁତି ଧୁମ୍'ଧାମ୍'ରେ ଆଗେଇ ଯାଉଥିଲା। ତୁମେ ଶାଢ଼ୀ ଚୁଡ଼ି ପିନ୍ଧି ସଜେଇ ହେଉଥିଲ ପୂର୍ବାଭ୍ଯାସ ପାଇଁ। ତୁମକୁ ଦେଖିଲେ ନା ମୋ ଛାତି ହାଣି ହେଉଥିଲା କେଜାଣି। ମୁଁ ଅନୁଶୋଚନା ଓ ଗ୍ଲାନିରେ ଜର୍ଜରିତ ହେଉଥିଲି ଯାହା।

    ତୁମେ ଯେଉଁ ଦିନ ତୁମର ବିବାହ କାର୍ଡ଼୍ ଦେଲ ମନେ ଅଛିନା ? ତୁମେ କାର୍ଡ଼୍ ଦେଇ କହିଥିଲ, "ବାହାଘରକୁ ନିଶ୍ଚୟ ଆସିବ। ମୋ ରାଣ, ଆସିବ ନା ?" ମୁଁ କିଛି କହି ନ ଥିଲି। ଛାତିର କୋହକୁ ଚାପି ଫିକା ହସଟିଏ ହସିଥିଲି ଯାହା। ଏହାଛଡ଼ା ମୋର ଗତ୍ଯାନ୍ତର ଥିଲା କି ? ଯେଉଁ ଦିନ ତୁମର ବାହାଘର ହେଲା ମୁଁ ଘରେ ନ ଥିଲି। କାହିଁକି ଜାଣିଛ ନା ? ତୁମର ହସଖୁସି ସେତେବେଳେ ମତେ ବରଦାସ୍ତ ହେଉ ନ ଥିଲା। ବାହାଘରର ବାଜା ରୋଷଣୀରେ କାଳେ ମୋର ହୃଦ ଫାଟିଯିବ କିମ୍ବା ହାର୍ଟ୍ ଆଟେକ୍ ହୋଇଯିବ, ସେଇ ଭୟରେ ମୁଁ ତିନି ଦିନ ମାମୁଁଘରକୁ ଚାଲିଯାଇଥିଲି l ପରେ ଶୁଣିଲି, ତୁମେ ଶାଶୁଘରକୁ ଗଲାବେଳେ ବହୁତ କାନ୍ଦିଥିଲ l ଛାଡ଼ ସେ କଥା l ଅଲଗା କିଛି କହ ? ଘର ଜଞ୍ଜାଳ କଥା ! ପିଲାଛୁଆ କଥା !

    ଜାଣିଛ ? ତୁମର ବାହାଘର ମୋତେ ଏକ ନୂତନ ପ୍ରେରଣା ଦେଇଥିଲା l ମୁଁ ବହୁତ ଚେଷ୍ଟା କରିଛି ବେକାରୀ ଜୀବନରୁ ମୁକ୍ତି ପାଇଁ l ବହୁତ ପ୍ରସ୍ତୁତ ହୋଇଛି କମ୍ପିଟେଟିଭ୍ ପରୀକ୍ଷା ପାଇଁ l ଆଉ ସଫଳ ହୋଇଛି ମଧ୍ଯ l ତୁମ ପାଇଁ ତ ମୁଁ ଆଜି ଏପରି ଏକ ଉଚ୍ଚ ପଦବୀରେ ଅବସ୍ଥାପତ l ତୁମେ ତ ଜାଣ, ବେକାରୀ ପିଲାଟି ଚାକିରୀ ପାଇଗଲେ, ବିବାହ ବଜାରରେ ତା'ର ଭାଉ ବଢ଼ିଯାଏ l ଠିକ୍ ସେହିପରି, ମୋର ଚାକିରୀ ପରେ ପରେ ମୋ ପଛରେ ଝିଅମାନଙ୍କର ଲମ୍ବା ଧାଡ଼ି ଲମ୍ବି ଯାଇଥିଲା l ଶେଷରେ ବିନୀତାକୁ ହିଁ ମୁଁ ବାଛି ନେଇଥିଲି ପତ୍ନୀ ପରମେଶ୍ୱରୀ ଭାବରେ l ବିବାହର କିଛି ବର୍ଷପରେ ମୋର ଟ୍ରାନ୍ସପର୍ ହୋଇଥିଲା ତୁମେ ରହୁଥିବା ସହରକୁ l ମତେ ସରକାରୀ କ୍ୱାଟର୍ ମିଳିଥିଲା ସେଠାରେ l ମୁଁ ସରକାରୀ କ୍ୱାଟର୍ ନେଲି ନାହିଁ l କାହିଁକି ଜାଣିଛ ? ଖାସ୍ ତମ ପାଇଁ l ତମର ପଡ଼ୋଶୀ ହେବା ପାଇଁ l ପ୍ରତିଦିନ ଦେବୀ ଦର୍ଶନ କରିବା ପାଇଁ l ସେଇଥିପାଇଁ ତ ପାଞ୍ଚହଜାର ଟଙ୍କାରେ ଘର ଭଡ଼ା ନେଇ ରହିଥିଲି ତମ ଘର ପାଖରେ l ଟିକିଏ ଦୂର ହେଲେ କ'ଣ ହେଲା, ତମ ଘର ଆଉ ଆମ ଘରର ଝରକା ସାମ୍ନାସାମ୍ନି ଥିଲା ନା ? ଦୁଇ ଝରକା ମଝିରେ କୌଣସି ଅନ୍ତରାୟ ନାହିଁ l ଏ ଘରର ଡାକ ଆର ଘରକୁ ଶୁଭିବ l ନୁହେଁ ? ଜାଣିଛ, ସେଦିନ କ'ଣ ହେଲା ? ତୁମେ ଝରକା କଡ଼ରେ ଡ୍ରେସିଂ ଟେବୁଲ୍ ଆଗରେ ବସିଥିଲ ବୋଧହୁଏ l ମୁହଁ ଉପରେ ପାଉଡର୍'ର ପଲସ୍ତରା ମାରୁଥିଲ l କ'ଣ ଗୋଟେ ଘଷିଦେଲ ଯେ, ଓଠ ପାନ ଖାଇଲା ପରି ଦିଶିଲା l ଆଖିରେ ଦି ଗାର କଜ୍ଜଳ ଲେସି ଦେଲ l କପାଳରେ ବାଳସୂର୍ଯ୍ଯ ଉଇଁ ଆସିଲା l ଦର୍ପଣ ଭିତରେ ତୁମର ମୁହଁ ହସି ଉଠିଲା l ହେଲେ, ମୋ ଦେହଟା ଦଳିଚକଟି ମନ୍ଥି ହେଉଥିଲା l ମୁଁ ସେ ଦୃଶ୍ଯ ଝରକା ଦେଇ ଦେଖୁଥିଲି କି ? ସେ ଦୃଶ୍ଯରେ ମଜ୍ଜି ଯାଇଥିଲି କି ? ବୋଧହୁଏ, ହଁ l

    "ସକାଳୁ ସକାଳୁ ଝରକାଟା ମେଳା କରି କାହାକୁ ଡାହାଣା କୁକୁର ପରି ଅନେଇ ରହିଛ ଶୁଣେ ? ଘରେ ପରା କିଛି ନାହିଁ ! ଅଫିସ୍ ବେଳକୁ ରନ୍ଧା ସରିବ କେମିତି,ଗେଫା ମାରିବ କେମିତି... ?" ପଛରୁ ପତ୍ନୀଙ୍କ ବାକ୍ଯବାଣରେ କ୍ଷତାକ୍ତ ହୋଇଥିଲି ମୁଁ l ହୃଦୟରେ ନିଆଁ ଚେଙ୍ଗିଲା ପରି ଲାଗିଥିଲା ତାହା l ବିକଳରେ ଝରକା ବନ୍ଦ କରୁ କରୁ କହିଥିଲି, "ନାଇଁ ମ, ବଗିଚା ଆଡ଼େ ଦେଖୁଥିଲି l କିଃ ସୁନ୍ଦର ଫୁଲସବୁ ଫୁଟିଛି ନା ?" ସ୍ତ୍ରୀଙ୍କ କୋପରୁ ରକ୍ଷା ପାଇବା ପାଇଁ ଡାହା ମିଛଗୁଡ଼ାକ କହି ପକେଇଥିଲି l ତୁମେ ତ ତାକୁ ଜାଣ l ସେ କ'ଣ ଛାଡ଼ିବା ଲୋକ ? ମୁଁ ଡାଲେ ଡାଲେ ଗଲେ ସେ ପତ୍ରେ ପତ୍ରେ ଯିବା ଲୋକ ନା ! ସେ ମତେ ଠେଲି ଦେଇ ଝରକା ଖୋଲି ନିଠେଇ ନିଠେଇ କଟାସ ନୟନରେ ଚାହିଁଲେ l ନାଁ ତ, କୌଣସି ଫୁଲ ଫୁଟିନି l ଖାଲି ସାମନା କ୍ୱାଟର୍ ଝରକାଟା ଖୋଲା ରହିଛି l ପରଦା ଫାଙ୍କରୁ ଗୋଟିଏ ମୁହଁ ଲୁଚି ଯାଉଛି ଯାହା l ସେ ଭାବିଥିବ ବୋଧହୁଏ- ଦାଲ୍ ମେଁ କୁଛ୍ କାଲା ହୈ l ଜାଣିଛ, ସେଦିନ ମୋର କ'ଣ ଇଚ୍ଛା ହେଉଥିଲା ? ସତରେ ତୁମେ ଜାଣିନ ?କିଛି ଜାଣିନ ? ମୋର ଇଚ୍ଛା ହେଉଥିଲା, ଗୋଟିଏ ଚାପୁଡ଼ା ମାରି ପତ୍ନୀଙ୍କ ଛାମୁଦାନ୍ତ ଝଡ଼େଇ ଦିଅନ୍ତି l ମାଇକିନିଆର ବେକଟାକୁ କୋଚିଆ ପରି ମୋଡ଼ି ଦିଅନ୍ତି l ବଜାତ୍ ମାଇକିନିଆଟା l ସବୁ କଥାରେ କାଳି ବିଲେଇ ପରି ଅନୁକୂଳ ଭାଙ୍ଗୁଥିବ l ଶଳା ମାଇକିନିଆଟା ଭିଜିଲେନ୍ସବାଲାଠୁଁ ବଳି ପଡ଼ିଲାଣି ? ଆଉ ଟିକିଏ ଭଳା ତୁମକୁ ଦେଖିଥାନ୍ତି l ଏ, ଜାଣିଛ ? ବିନୀତା, ତୁମ-ମୋ ସମ୍ପର୍କରେ କିଛି ସୁରାକ୍ ପାଇ ଯାଇଥିଲା ନା କ'ଣ ସିଧାସଳଖ ଫୋନ୍ କରିଥିଲା ତା' ବାପା ପାଖକୁ l ଆଉ ତିନି ଦିନ ପରେ ମୋ ବଦଳି ଅର୍ଡ଼ର୍ ଆସିଯାଇଥିଲା କନ୍ଧମାଳ ଅଞ୍ଚଳକୁ l ତା' ପରଠାରୁ ବୋଧହୁଏ ଆମର ସାକ୍ଷାତ ହୋଇନି ନା ? ହେଲା- ହେଲା l ତୁମେ କିଛି କୁହ ? କହୁନ କାହିଁକି ? କେବଳ ଶୁଣୁଥିବ ନା କ'ଣ ? ଯାହା କିଛି ହେଲେ କହ ! କହମ ? କହ ??

      "ବାବୁ ! ବାବୁ  ! ଚା  "

      କାହାର ଡାକରେ ବିଚଳିତ ହୋଇପଡ଼ିଲେ ନିଶିକାନ୍ତ ବାବୁ l ଭାବନା ରାଜ୍ଯରୁ ବାସ୍ତବତାକୁ ଫେରିଆସିଲେ ହଠାତ୍ l ସୁତପାର ଫଟୋକୁ ଚଟ୍'କିନା ଡ୍ରୟର୍ ଭିତରେ ରଖିଦେଲେ l "ରଘୁ ! ମୁଁ କେତେ ଥର କହିଛି ପରା, ମୁଁ ଏକୁଟଆ ଥିଲାବେଳେ ଏ ଘରକୁ ଆସିବୁନି ବୋଲି !" ଚଷମା ଖୋଲୁ ଖୋଲୁ କହିପକାଇଲେ ନିଶିକାନ୍ତ l

      "ନାଇଁ ବାବୁ ଦେଈ ଚା' ପଠାଇଲେ l" ଥତମଥ ହୋଇ କହିଲା ରଘୁ l

      "ହଉ ହେଲା l ଟେବୁଲ୍ ଉପରେ ରଖ୍ l"

      "ବାବୁ l କଥା କ'ଣକି l ଅନେକ ଦିନ ହେଲା ଗୋଟିଏ କଥା କହିବି କହିବି ହେଉଛି l"

      "ହେଉ କହ l"

      "ମୁଁ ଅନେକ ଦିନ ହେଲା ଦେଖିଛି, ଆପଣ ସେଇ ଫଟୋ ଖଣ୍ଡିକ ଧରି ତା' ସଙ୍ଗରେ କଥାବାର୍ତ୍ତା କରନ୍ତି l କାହିଁ ଦେଈ ସଙ୍ଗରେ ତ ଆପଣ ସେମିତି କଥାବାର୍ତ୍ତା ହୁଅନ୍ତିନି l ଆମ ଦେଈଙ୍କଠାରୁ ସେଇ ଫଟୋ ଖଣ୍ଡିକ ଅଧିକ ପ୍ରିୟ କି ? ଦେଈଙ୍କୁ କ'ଣ ଆପଣ ଭଳ ପାଆନ୍ତିନି ?" ହାତ ମଲିମଲି କହୁଥିଲା ଚାକର ରଘୁ l

     ଫିକ୍ କିନା ହସି ପକାଇଲେ ନିଶିକାନ୍ତ l "ବୁଝିଲୁ ରଘୁ ! କାହା ସଙ୍ଗରେ ବାହା ହୋଇଗଲେ ପ୍ରେମ ହୋଇଯାଏନି l ତୋ ଦେଈ ସାଙ୍ଗରେ ଆମେ ଘରସଂସାର କରିଛୁ ସତ କିନ୍ତୁ ଆମ ମଧ୍ଯରେ ଭଳ ପାଇବା ନାହିଁ l ଆତ୍ମିୟତା ନାହିଁ l ଅଛି କେବଳ ଏକ ଅସ୍ୱାକ୍ଷରିତ ଚୁକ୍ତିନାମା l ଏକ ବୁଝାମଣାରେ ଦାମ୍ପତ୍ଯ ଜୀବନ ଚାଲିଛି କେବଳ l  ଆଉ ବୁଝାମଣାଟା ପ୍ରେମ ନୁହେଁ l"

      "ବାବୁ !"

      "ଦେଉଳ ଦେଖିଛୁ ରଘୁ ? ଗୋଟିଏ ଦେଉଳରେ ଗୋଟିଏ ଦେବୀମୂର୍ତ୍ତୀ ସ୍ଥାପିତ ହୋଇଗଲେ ତାକୁ କ'ଣ ଆଉ ବିସ୍ଥାପନ କରିହୁଏ ? ଆମ ହୃଦୟ ପରା ଏକ ମନ୍ଦିର ! ଆମ ଦେହ ପରା ଏକ ଦେଉଳ ! ଏଇ ଦେହ ଦେଉଳରେ ଯେଉଁ ଦେବୀ ପ୍ରତିମା ପ୍ରଥମେ ସ୍ଥାପିତ ହୋଇଯାଏ, ପରେ ତାକୁ କ'ଣ କୌଣସି ଦେବୀ ପ୍ରତିମା ପ୍ରତିସ୍ଥାପନ କରିପାରେ ? ବୁଝିଲୁ ନା ରଘୁ ?"

     ରଘୁ ହାଁ କରି ନିଶିକାନ୍ତଙ୍କ ମୁହଁକୁ ଚାହିଁ ରହିଲା l ନିଶିକାନ୍ତଙ୍କ ମୁଖ ମଣ୍ଡଳରେ ଏକ ଅନନ୍ଯ ଦୀପ୍ତି ଝଟକୁ ଥିଲା l ଟେବୁଲ୍ ଉପରେ ଚା'ଟା ଥଣ୍ଡା ହୋଇଗଲା ନା କ'ଣ ?

                             



Rate this content
Log in

Similar oriya story from Romance